Unknown

 

 

 

 

 

 

 

 

 

ଝାଉଁଳି ନପଡ଼ କେହି

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

୧.

ଅଗ୍ରଗାମୀ ପଛରେ ରହିବ

୨.

ପଶ୍ୟେମଃ ଶରଦଃ ଶତଂ

୩.

ଆଦର୍ଶର ଘୋର ଅଭାବ

୪.

ସରକାର ଓ ସାହିତ୍ୟ

୫.

ସାହିତ୍ୟ ଓ ସରକାର

୬.

ଉପମା ଅତିରସିକସ୍ୟ

୭.

ଅଧର୍ମଘାଟର ଆଜ୍ଞାଗଣ

୮.

ନୂଆ ଚାଷ ନୂଆ ବଳଦ

୯.

ସହୀଦର ଜାତି ନାହିଁ

୧୦.

ତପସ୍ୱୀମାନଙ୍କର ବାର୍ତ୍ତା

୧୧.

ଲେଖକ ମଧ୍ୟ ପାଠକଟିଏ

୧୨.

ସବୁ ସଂସ୍କୃତରେ ଲେଖା ହୋଇଛି

୧୩.

ଚାଲ ସମସ୍ତେ ଖ୍ରୀଷ୍ଟିଆନ୍ ହୋଇଯିବା

୧୪.

ଯୁଦ୍ଧବେଳେ ଯୋଗ୍ୟତମ

୧୫.

ଭାବ ବୋହିଗଲେ ଯାହା ହୁଏ

୧୬.

ସରକାର ଘର ଜଗିବ

୧୭.

ପଛୁଆ ଆଧୁନିକତା

୧୮.

ଜିନ୍ନାମାନେ ଯୁଦ୍ଧ ବନ୍ଦ କର

୧୯.

କଳୌ ନାମସଂକୀର୍ତ୍ତନାମ୍

୨୦.

ପରିବେଶ ସମାଜର ଅଧୀନ

୨୧.

ଭୟମୁକ୍ତିର ଶିକ୍ଷା

୨୨.

ଗାନ୍ଧୀଙ୍କ କଥା ରହିଲା

୨୩.

ରାଜନୀତିରୁ ଊର୍ଦ୍ଧ୍ଵରେ

୨୪.

ସଂସ୍କୃତର ସମର୍ଥନରେ

୨୫.

ମୁଁ ମୁଢ଼ି ଭାଜି ବିକନ୍ତି

୨୬.

ବାତ୍ୟାରେ ବିବେକ ଉଡ଼ି ନଯାଉ

୨୭.

ମହାବାତ୍ୟାରୁ ଶିକ୍ଷା

୨୮.

ମାନବିକତା ଲୋଡ଼ା

୨୯.

ସନ୍ଦୀପନ ପାଠଶାଳା

୩୦.

ଓଡ଼ିଶାର ଦୁର୍ଗତି

୩୧.

ରାଜନୀତିକ ଚେତନା

୩୨.

ପ୍ରଗତିବାଦୀର ମାଳିକା

୩୩.

ଝାଉଁଳି ନପଡ଼ କେହି

୩୪.

ଆସ ଗାଆଁଯାକ ବସିବା

୩୫.

ଅଶୁଭ ଅନେଶ୍ୱତ

୩୬.

ମେଣ୍ଟ ରହିଲା !!

୩୭.

ଓଡ଼ିଶାର ନକ୍ସା ବଦଳିଯିବ

୩୮.

ପରାମର୍ଶ ଦ୍ୱାରା ଗଣତନ୍ତ୍ର

୩୯.

ପଲ୍ଲୀ ପ୍ରତିବାଦ କରି ଶିଖୁ

Image

 

ପୃଥିବୀରେ ଯେଉଁମାନେ ସିଧା ଡାଳଟିଏ ବନି ଆକାଶଟାକୁ ଘୋଡ଼ାଇ ପକାଇବାକୁ ଇଚ୍ଛା କରୁଥାନ୍ତି, ସେହିମାନେ ହିଁ ଏଠି ସବୁକିଛି ଖାଲି ଖସିପଡୁଥିଲା ପରି ପ୍ରତ୍ୟକ୍ଷ କରୁଥାନ୍ତି । ସାଙ୍ଗ ଥାଇ ନିଃସଙ୍ଗ ହୁଅନ୍ତି । ଏ ପୃଥିବୀ ଆଉ ରହିବ ନାହିଁ ବୋଲି ହୁରି କରି ବାଇଦ ବଜାଉଥାନ୍ତି-। ଏବଂ ତେଣେ ହାତରୁ ବେଳ ଚାଲିଯାଉଛି ବୋଲି ସେହି ପୃଥିବୀଟାକୁ ହିଁ ସତେଅବା ନାକଯାଏ ଭୋଗ କରିବା ପାଇଁ ବାହାରିଥାନ୍ତି । ତଥାପି ପୁରୁଣା ଗଣ୍ଡିଟା ଭୂଇଁ ଭିତରକୁ ଚେର ମଡ଼ାଇ ଛିଡା ହୋଇଥାଏ । ପୂର୍ଣ୍ଣ ବିଶ୍ୱାସରେ ଛିଡ଼ା ହୋଇଥାଏ । ବେଳ ଆସେ ଏବଂ କଅଁଳ ପତ୍ରମାନେ ପୁନର୍ବାର ବାହାରି ଆସନ୍ତି । ବିଶ୍ୱାସୀମାନେ କେବେହେଲେ ଝାଉଁଳି ପଡ଼ନ୍ତି ନାହିଁ । ଭୂଇଁତଳେ ମାଟି ପୁଳାଟା ପ୍ରପିତାମହ ପରି ଭରସା ଦେବାରେ ଲାଗିଥାଏ । ତେନେଦଂ ବର୍ତ୍ତତେ ଜଗତ୍ ।

 

ଏହି ସଂଗ୍ରହଟିରେ ରହିଥିବା ଲେଖାଗୁଡ଼ିକ ଏକଦା ଦୈନିକ 'ପ୍ରଗତିବାଦୀ' ରେ ଧାରାବାହିକ ଭାବରେ ପ୍ରକାଶ ପାଇଥିଲା । ସମ୍ପାଦକଙ୍କ ପାଖରେ କୃତଜ୍ଞତା ଜଣାଉଛି ।

Image

 

ଅଗ୍ରଗାମୀ ପଛରେ ରହିବ

 

ସମ୍ପତ୍ତି ଏବଂ ସମ୍ଭୋଗରେ ଭରା ଆମର ଏହି ପୃଥିବୀରେ କୋଟି କୋଟି ମନୁଷ୍ୟ ଅସହାୟ ହୋଇ ରହିଛନ୍ତି । ଆମର ପୃଥ୍ୱୀବିବେକ ପ୍ରାୟ ଆବହମାନ କାଳରୁ ଅସହାୟମାନଙ୍କର ଅସହାୟତାକୁ ଦୂର କରିବା ନିମନ୍ତେ କୌଣସି ସ୍ଥାୟୀ ପଦକ୍ଷେପ ନେଇନାହିଁ । ସରକାରମାନେ ତଥା ଯେକୌଣସି ସମାଜର ପ୍ରତିଷ୍ଠିତ କର୍ତ୍ତାମାନେ ସେହି ବିବେକକୁ ମନୋମୁଗ୍ଧକର ନାନା ଅନ୍ୟଆଡ଼େ ବାଆଁରେଇ ନେଇ ସତେ ଅବା ଶୀତଳ କରି ରଖିଛନ୍ତି । ସଂସାର ଚାଲିଛି । ଚାଲିବା ଭଳି ନ ଚାଲୁଥିଲେ ମଧ୍ୟ ଚାଲିଛି । ଏବଂ ସେହି କାରଣରୁ ପ୍ରାୟ ସବୁ ଯୁଗରେ ଥୋକେ ମଣିଷ ସଂସାରଟା ବଦଳୁ ବୋଲି ମଧ୍ୟ ଇଚ୍ଛା କରିଛନ୍ତି । ପୃଥିବୀ ବଦଳିବ ଅର୍ଥାତ୍ ଅସହାୟ ମନୁଷ୍ୟ ମାନଙ୍କର ଅସହାୟତା ଦୂର ହେବ । ସବୁ ମଣିଷ ଅଣ୍ଟା ସିଧା କରି ବାଟ ଚାଲିବେ । ଏହି ପୃଥିବୀକୁ ସମର୍ଥ ଓ ସୁନ୍ଦର କରିବାର ସକଳ ଉଦ୍ୟମରେ ଭାଗ ନେବେ । କେହି ଉପରୁ ଦାବିକରି ରଖି ନଥିବ-। ଅଥବା ତଳେ ମଧ୍ୟ କେହି ସେହି ଅସଭ୍ୟତାଟାକୁ ଭାଗ୍ୟର ନିର୍ଣ୍ଣୟ ବୋଲି ସହିବାକୁ ଆଦୌ ରାଜି ହେବନାହିଁ । ମନୁଷ୍ୟମାନେ ସେମାନଙ୍କର ମନୁଷ୍ୟପଣ ଅର୍ଥାତ୍ ମନୁଷ୍ୟ ସମ୍ଭାବନାଗୁଡ଼ିକ ବିଷୟରେ ସଚେତନ ହେଲେ ନିଜର ଯାବତୀୟ ଅପଦଶା ବିରୋଧରେ ସଂଗ୍ରାମ କରି ବାହାରିବେ ବୋଲି ଦେଢ଼ଶହ ବର୍ଷ ତଳେ ଇଉରୋପରେ କାର୍ଲ୍ ମାର୍କ୍ସ କହିଥିଲେ । ସେହି କଥାଟିରେ ଏକ ଅକାଟ୍ୟ ବିଶ୍ୱସତ୍ୟ ନିହିତ ହୋଇ ରହିଥିଲା ବୋଲି ତାହା ସମଗ୍ର ବିଶ୍ୱକୁ ଚହଲାଇ ଦେଇପାରିଲା । ସମଗ୍ର ବିଶ୍ୱକୁ ସଂକ୍ରାମିତ କରିଥିଲା । ଅଚେତନକୁ ପୁଣି କିଏ ସଚେତନ କରି ପାରିବ ? ମଣିଷର ଗୋଟିଏ ମେରୁଦଣ୍ଡ ଅଛି ବୋଲି ନିଜ ମେରୁଦଣ୍ଡକୁ ନ ଚିହ୍ନିଥିବା ହେତୁ ଭାଗ୍ୟ ଆଦରି କଷଣକୁ ପିଇ ଦୁନିଆଯାକର ଖଟୁଥିବା ଏବଂ ନିଜେ ମାଟି ହୋଇ ପଡ଼ିଥିବା ବଞ୍ଚିତ ମଣିଷମାନଙ୍କର କିଏ ନିଦ ଭଙ୍ଗାଇବ ? କାର୍ଲ୍ ମାର୍କ୍ସ ଏହିମାନଙ୍କୁ ହିଁ ଆଗାମୀ ପୃଥ୍ୱୀ-ପରିବର୍ତ୍ତନର ବିପ୍ଲବୀ ବୋଲି କହିଲେ । ଏମାନେ ସ୍ୱୟଂ ସବାତଳେ ନଥିବେ । ଏବଂ ନିଜେ ଇଚ୍ଛା କଲେ ଅନ୍ୟ ଉଚ୍ଚ ମାନଙ୍କ ପରି ସୁଖରେ ଅର୍ଥାତ୍ ଉଦାସୀନ ଭାବରେ ନିଜ ଜୀବନଟିକୁ ବଞ୍ଚି ପାରିବାର ସାମର୍ଥ୍ୟ ମଧ୍ୟ ସେମାଙ୍କର ଥିବ । ମାତ୍ର, ସେମାନେ ତଥାପି କେବଳ ନିଜକୁ ଅର୍ଥାତ୍ ନିଜର ସୁଖ କିମ୍ବା ସଫଳତାକୁ ଦେଖୁ ନଥିବେ । ସେମାନଙ୍କ ଭିତରେ ଏକ ନିଷ୍ଠାପର ସମ୍ବେଦନଶୀଳତା ରହିଥିବ । ପ୍ରାଚୁର୍ଯ୍ୟର ପୃଥିବୀରେ ଥୋକେ ମଣିଷ କାହିଁକି ତଥାପି ବଞ୍ଚିତ ହୋଇ ରହିବେ ବୋଲି ସେମାନେ ନିଜକୁ ତଥା ଯୁଗଟାକୁ ପ୍ରଶ୍ନ କରୁଥିବେ । ସେମାନେ ନିଜେ ପାଠ ପଢ଼ିଥିବେ ଅର୍ଥାତ୍ ନିଜର ବ୍ୟକ୍ତିଗତ ଜୀବନର ବାଡ଼ଗୁଡ଼ିକର ବାହାରକୁ ବାହାରିଯାଇ ଅନ୍ୟ ମାନଙ୍କ ବିଷୟରେ ସତେ ଅବା ଅଙ୍ଗୀକାରବଦ୍ଧ ଭାବରେ କିଛି ଚିନ୍ତା କରିପାରୁଥିବେ । ସେମାନେ ନିଜର ଅଦୃଷ୍ଟକୁ ଭବିଷ୍ୟତର ଏପରି ଏକ ଅନ୍ୟ ସମ୍ଭାବନା ସହିତ ଗୁନ୍ଥିଦେଇ ବିଚାର କରିବେ, ଯାହାକି ସେମାନଙ୍କୁ ଏକ ଅନ୍ୟ ଜୀବନାଦର୍ଶର ଆବେଦନ ଆଣି ଦେଇ ଯାଉଥିବ । ସେମାନେ ତଳକୁ ଓହ୍ଲାଇ ଆସିବେ । ଅସହାୟମାନଙ୍କର ଦୁଆର ଖଡ଼ ଖଡ଼ କରିବାକୁ ନିଜର ଧର୍ମ ବୋଲି ଗ୍ରହଣ କରିନେବେ । ଅଚେତନ ମଣିଷମାନଙ୍କୁ ସଚେତନ କରାଇ ଆଣିବାକୁ ସେମାନେ ଦୀକ୍ଷାରୂପେ ବରିନେବେ । ଆଗାମୀ ଓଲଟପାଲଟ ଲାଗି ଅଗ୍ରଗାମୀ ହେବେ ।

 

ଯେଉଁମାନେ ଖାଲି ଆପେ ଚେଇଁଥାନ୍ତି, ଅନ୍ୟମାନେ ମଣିଷ ହୋଇ ମଧ୍ୟ କାହିଁକି ତଥାପି ଶୋଇ ରହିଛନ୍ତି ବୋଲି ସେମାନେ ମୋଟେ ମୁଣ୍ଡ ଖେଳାନ୍ତି ନାହିଁ । ସେମାନେ ସ୍ୱୟଂମୁଖୀ ରହିଯାଆନ୍ତି, ସଫଳମାନଙ୍କ ଭିତରେ ଗଣ୍ୟ ହୁଅନ୍ତି । ମାତ୍ର ଆଉ ଥୋକେ ମଣିଷ ଶୋଇଥିବା ଅନ୍ୟ ମଣିଷ ମାନଙ୍କୁ ମଧ୍ୟ ହୁଏତ ସବା ଆଗ ମଣିଷ ବୋଲି ଦେଖୁଥାନ୍ତି ଏବଂ ସେହି କାରଣରୁ ସେମାନଙ୍କର କାହିଁକି ନିଦ ଭାଙ୍ଗିବା ନାହିଁ ବୋଲି ପ୍ରଶ୍ନ କରିବାକୁ ଆରମ୍ଭ କରନ୍ତି । ପ୍ରଶ୍ନ ପଚାରିଲେ ଆଗକୁ ବହୁ ସମ୍ଭାବନା ଦୃଷ୍ଟିଗୋଚର ହୋଇ ଆସେ । ଆଲୋକ ଦେଖାଯାଏ । ନିଜ ଭିତରେ ବଳ ଏବଂ ବିଶ୍ୱାସର ଅନୁଭବ ହୁଏ । ଏପରିକି ଏକୁଟିଆ ମଧ୍ୟ ଏକ ଅନ୍ୟ ବାଟ ଚାଲି କିଛି ପରିବର୍ତ୍ତନ ସମ୍ଭବ କରିବାକୁ ନିଜ ଭିତରୁ କିଏ ସତେ ଅବା କେତେ ଭରସା ଦେଉଥାଏ । ଏହିପରି ବ୍ୟକ୍ତିମାନେ ଏକାଠି ହେଲେ ସଂଗଠନଟିଏ ସାକାର ହୋଇଉଠେ । ସେହି ସଂଗଠନ ନିଜକୁ ଅଗ୍ରଗାମୀ ବୋଲି କହେ । ପୃଥିବୀଯାକର ବିପ୍ଳବକୁ ବସ୍ତୁତଃ ଅଗ୍ରଗାମୀମାନେ ହିଁ କହିଛନ୍ତି । ବାଟ ବାହାର କରିଛନ୍ତି । ଗୁଳା ଭାଙ୍ଗିଛନ୍ତି । ନୂଆ ଗୁଳାଗୁଡ଼ିକୁ ତିଆରି ବି କରିଛନ୍ତି । ସେହିମାନଙ୍କର ସଂକଳ୍ପ ଓ ଚେତନା ଫଳରେ ହିଁ ପୃଥିବୀରେ ବହୁ ଅଚେତନତା ଭାଙ୍ଗିଛି, ମଣିଷମାନେ ମେରୁଦଣ୍ଡ ସିଧା କରି ବୃହତ୍ତର ପୃଥ୍ୱୀଭାଗ୍ୟ ସହିତ ଆପଣାକୁ ସାମିଲ୍ କରିଛନ୍ତି, ସଚେତନ ହୋଇଛନ୍ତି । ଭିତରୁ ବଳ ପାଇ ଏହି ବାହାରଟା ମଧ୍ୟ ମୁଁ ଇଚ୍ଛା କଲେ ଅବଶ୍ୟ ବଦଳି ଯାଇପାରିବ ବୋଲି ବିଶ୍ୱାସ କରିବା, - ମନୁଷ୍ୟ ତଥା ମନୁଷ୍ୟ-ସମୂହମାନଙ୍କର ଜୀବନରେ ଏହାକୁ ହିଁ କାମ୍ୟ ଯଥାର୍ଥ ଊଦୟ ବୋଲି କୁହାଯିବ ।

 

ପୃଥିବୀର ଅଗ୍ରଗତିରେ ମାଇଲ୍ଖୁଣ୍ଟ ପରି କାର୍ଯ୍ୟ କରିଥିବା ବିପ୍ଳବଗୁଡ଼ିକ ସତେଅବା ବିଧତାର କୌଣସି ନିୟମକୁ ଅନୁସରଣ କରିଥିବା ପରି ସେହି ଅଗ୍ରଗାମୀମାନଙ୍କ ଦ୍ୱାରା ହୋଇଛି । ପୃଥିବୀରେ ବିପ୍ଳବ ଏବେ ମଧ୍ୟ ସରିନାହିଁ । କେବେ ମଧ୍ୟ ସରିବ ନାହିଁ । ଚେତନାର ପ୍ରତିଶ୍ରୁତ ପାହାଚଗୁଡ଼ିକରେ ମଣିଷମାନେ ଉଠି ଯାଉଥିବା ସଙ୍ଗେ ସଙ୍ଗେ ଏବଂ ଆପଣାର ଭିତରୁ ଏବଂ ବାହାରୁ ସେମାନେ ନୂଆ ନୂଆ ଉଚ୍ଚାଟନା ଲାଭ କରୁଥିବା ସଙ୍ଗେ ସଙ୍ଗେ ସ୍ତର ବା ପ୍ରସ୍ଥଗୁଡ଼ିକ ବଦଳି ଯାଉଥିବ ସିନା, କିନ୍ତୁ ବିପ୍ଳବ ଲାଗି ରହିଥିବ । ଅର୍ଥାତ୍ ଅଗ୍ରଗାମୀ ମାନଙ୍କ ନିମନ୍ତେ ସବୁବେଳେ ଅପେକ୍ଷା ରହିଥିବ । ଭାରତବର୍ଷର ପରାଧିନତାରୁ ମୁକ୍ତ ହୋଇ ଆସିବାର ସଂଗ୍ରାମଟିକୁ ଅଗ୍ରଗାମୀମାନେ ହିଁ କରିଥିଲେ । ସେହି ସଂଗ୍ରାମ ଭାରତବର୍ଷରେ କେତେ କେତେ ଆଖିକୁ ଆସି ଖୋଲିଦେଲା, କେତେ କେତେ ଭାଗ୍ୟବାଦକୁ ଅତିକ୍ରମ କରିଗଲା । ମାତ୍ର, ସ୍ୱାଧୀନ ହେବାପରେ ଦେଶବାସୀଙ୍କ ଲାଗି ପରବର୍ତ୍ତୀ ଆହୁରି କେତେ କେତ ସଂଗ୍ରାମର ଅପେକ୍ଷା ରହିଛି ବୋଲି ଜାଣିବାକୁ ଆଦୌ ବିଳମ୍ବ ଲାଗିଲା ନାହିଁ । ଯେଉଁମାନେ ବିପ୍ଳବ ସରିଗଲା ବୋଲି ବସିଗଲେ, ସେମାନେ କଦାପି ବାଟ ଦେଖାଇ ନଥାନ୍ତେ । ସେମାନେ ସରକାର ଗଢିଲେ, ରାଜନୀତିରେ ଏପଟ ଓ ସେପଟ ଦୁଇପାଟ ହୋଇ ରହିଲେ ଓ ଲାଭ ଖାଇଲେ । ପାଠ ଓ ଅପାଠର ନାହିଁ ନଥିବା ଗୋଦାମମାନ ଖୋଲିଗଲା । ସେଥିରୁ ଯେଉଁ ପାଠୁଆମାନେ ବାହାରିଲେ, ସେମାନେ ଉଚ୍ଚ ଦରମା ପାଇଲେ, ଉଚ୍ଚ ସନମାନ ପାଇଲେ । ସାହିତ୍ୟ ବି ସତେଅବା ସିଂହାସନରେ ଯାଇ ବସିଲା । ସିଂହାସନୀମାନେ ସରକାରଙ୍କର ସଂସ୍କୃତି-ଘରେ ଜଣେ ଜଣେ ମହାମାନ୍ୟ ପାରିଷଦ ପରି ଦେଖାଗଲେ । ଏମାନେ ସମସ୍ତେ ଚଳନ୍ତି ଏହି ସୁଖମୟ କଳାଟିକୁ ପୁରୁଷାନୁକ୍ରମେ ଭୋଗ କରିବେ ବୋଲି ନିଜର ପିଲାମାନଙ୍କୁ ମଧ୍ୟ ଅନୁରୂପ ଭାବେ ତାଲିମ ଦେଲେ । ସେମାନେ ଯେପରି ମୋଟେ ଚାରିଆଡ଼କୁ ଅନାଇ ଦେଖିବେ ନାହିଁ, ସେଥିପାଇଁ ବିବିଧ ଉପାୟରେ ସେମାଙ୍କର ନଜର ଗୁଡ଼ାକୁ ମୋଟା ଗୋଧି ଚମଡ଼ାରେ ଛୁଆଣି କରି ପକାଇଲେ । ତେଣେ ଦେଶରେ ଅଧେ ପିଲା ରହିଲେ ଯେଉଁମାନେ ନରଖର ହେଲେ; ଅଧେ ଜିଅନ୍ତା ମଣିଷ ରହିଗଲେ ଯେଉଁମାନେ ଅଚେତନ ପ୍ରାୟ ଯୁଗ ଯୁଗରୁ ଯେଉଁପରି ଥିଲେ, ଠିକ୍ ସେହିପରି ରହିଲେ । ଆଗର ସେହି ତ୍ରେତା ଓ ଦ୍ୱାପର ଯୁଗ ପରି ଦିନରେ ବଳଦଙ୍କ ପରି ବାବୁମାନଙ୍କର ବରାଦରେ ଗୋତି ଖଟିଲେ ଓ ରାତିରେ ନାଚିଲେ, ଗାଇଲେ, ବାଦ୍ୟ ବଜାଇଲେ । ଠିକ୍ ସେତିକିବେଳେ ଥୋକେ ଆଉ ପ୍ରକାରେ ମଣିଷ ବାହାରିଲେ, ଯେଉଁମାନେ କି ଅଗ୍ରଗାମୀର ଭୂମିକା ଗ୍ରହଣ କଲେ ।

 

ଅଗ୍ରଗାମୀମାନଙ୍କର ସେହି ଗୋଷ୍ଠୀଗୁଡ଼ିକୁ ଏବେ ସ୍ୱେଚ୍ଛାସେବୀ ସଂଗଠନ ବୋଲି କୁହାଯାଉଛି । ସେମାନେ ନିଜ ଇଚ୍ଛାରେ କ୍ଷେତ୍ରଟିଏ ବାଛିଛନ୍ତି. କ୍ଷେତ୍ରକୁ ଆସିଛନ୍ତି । ଏକ ଅଦ୍ଭୂତ କିସମର ଅସନ୍ତୋଷ ସେମାନଙ୍କୁ ଏଣେ ହକାରି ନେଇ ଆସିଛି । ଏହି ଅସନ୍ତୋଷ ସେମାନଙ୍କ ନିଜ ପାଇଁ ମୋଟେ ନୁହେଁ । ଯେଉଁମାନେ ବଞ୍ଚିତ ହୋଇ ରହିଲେ, ସେମାନଙ୍କ ପାଇଁ । ସେମାନଙ୍କର ମଞ୍ଜ ଭିତରେ ଏପରି ଏକ ସମ୍ବେଦନାବୋଧ ରହିଛି, ଯାହାକି ସେମାନଙ୍କ ନିଜ ସହିତ ବଞ୍ଚିତମାନଙ୍କୁ ମଧ୍ୟ ସାମିଲ କରି ଦେଖିପାରୁଛି । ସେମାନେ ଅଚେତନମାନଙ୍କୁ ଚେତନ କରିବେ ବୋଲି ଏଣେ ବାହାରି ଆସିଛନ୍ତି । ଦେଶର ସମ୍ବିଧାନ ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବ, - ସେମାନେ ନିଜକୁ ଗୋଟିଏ ଦେଶର ସମର୍ଥ ନାଗରିକ ବୋଲି ଜାଣିବେ, ନିଜର ଭାଗ୍ୟକୁ ନିଜେ ଗଢିବେ ଏବଂ ତାହାରି ଦ୍ୱାରା ଏହି ଦେଶର ଓ ଏହି କାଳର ଅଧିକ କାମରେ ଲାଗିବେ; ନିଜ ପାଇଁ ଶିକ୍ଷା ଦାବି କରିବେ, ଏକ ସମ୍ମାନିତ ଜୀବନ ଦାବି କରିବେ, ନ୍ୟାୟ ଦାବି କରିବେ । ଏହିସବୁ ନାନା ସ୍ୱପ୍ନ ସେମାନଙ୍କୁ ସେଯାଏ ଓହ୍ଲାଇ ନେଇ ଆସିଛି । ଭାରତବର୍ଷ ଯେଉଁଭଳି ଏକ ସମାଜରେ ପରିଣତ ହେବ ବୋଲି ଏକଦା ଏଠାରେ ସଂଗ୍ରାମୀମାନେ କଳ୍ପନା କରିଥିଲେ, ସ୍ୱେଚ୍ଛାସେବୀ ଅଗ୍ରଗାମୀମାନେ ସତେଅବା ସବାତଳେ ରହି ଯାଇଥିବା ମଣିଷମାନଙ୍କୁ ତାହାରି ଆଡ଼କୁ ଅଗ୍ରସର କରାଇନେବେ ବୋଲି ସେମାନଙ୍କ ପାଖରେ ଯାଇ ପହଞ୍ଚିଛନ୍ତି ।

 

ଅଗ୍ରଗାମୀମାନେ ଗୋଟିଏ ଚାକିରି କରିବେ ବୋଲି ସେଠାକୁ ଯାଇନାହାନ୍ତି । ଅଧିକାଂଶ କ୍ଷେତ୍ରରେ ସେମାନେ ପ୍ରାୟ ଖାଲି ହାତରେ ନିଜ ପାଇଁ ଥାନଟିଏ ବା ଆସ୍ଥାନଟିଏ ଖୋଜି ଖୋଜି ମନୋନୀତ ଠାବଟିଏ ପାଇ ଅଟକି ଯାଇଛନ୍ତି । ବିଭିନ୍ନ ପରିକଳ୍ପ ନିମନ୍ତେ ମନ ମାନିଲେ ସରକାର ଅର୍ଥ ଅନୁଦାନ ଦେଉଛି ସତ, ମାତ୍ର ସେମାନେ ସରକାରଙ୍କର ନୌକର ହୋଇ ସେଠାକୁ ଆଦୌ ଯାଇନାହାନ୍ତି । କୌଣସି ସରକାର ଯାହା କଦାପି କରିପାରନ୍ତି ନାହିଁ, ଅଗ୍ରଗାମୀମାନେ ମୁଖ୍ୟତଃ ତାହାହିଁ କରିବାକୁ ନିଜକୁ ଉତ୍ତରଦାୟୀ କରି ସେଠାକୁ ଯାଇଛନ୍ତି । ସରକାରୀ ମଥାନମାନେ ମଧ୍ୟ କ୍ରମେ ତାହା ସ୍ୱୀକାର କରିବାକୁ ଆରମ୍ଭ କଲେଣି । ବହୁବିଧ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଲୋକମାନଙ୍କୁ ହୁଏତ ଅଧିକ ନିର୍ଭରଶୀଳ କରି ପକାଉଛି । ନିର୍ଭରଶୀଳ ମଣିଷ ହିଁ ସତେଅବା କେତେକ ଅପପ୍ରଲୋଭନରେ ପଡ଼ି ବହୁତ କଥାକୁ ମାନିନିଏ । କଇଁଥା ହୋଇ ରହେ । ଚେତନାଯୁକ୍ତ ହେବାକୁ ଡ଼ରେ । ଅଗ୍ରଗାମୀମାନେ ମର୍ମତଃ ତାହାହିଁ କରୁଛନ୍ତି, ଯାହା କୌଣସି ସରକାର କରିପାରନ୍ତି ନାହିଁ । ଲୋକମାନେ ନିଜ ଉନ୍ନୟନ ନିଜେ କରିବେ । ଏକ ସଚେତନ ପାରସ୍ପରିକତା ଦ୍ୱାରା ତାହା କରିବେ, ପାରମ୍ପରିକ ବହୁ ଅସହାୟତା-ବୋଧରୁ ବାହାରି ଆସିବେ, ଯାବତୀୟ କାର୍ଯ୍ୟକ୍ରମର ଅସଲ ପରିଣାମ ରୂପେ ଅଗ୍ରଗାମୀମାନେ ତାହାରି ଉନ୍ମେଷ ନିମନ୍ତେ କାର୍ଯ୍ୟ କରୁଛନ୍ତି । ଆଗାମୀ ଶତାବ୍ଦୀମାନଙ୍କରେ ଯେଉଁ ଭବିଷ୍ୟତଟି ଭାରତବର୍ଷରେ ମନୁଷ୍ୟମାନଙ୍କ ନିମନ୍ତେ ଅପେକ୍ଷା କରିଛି, ତାହା ଅଗ୍ରଗାମୀମାନଙ୍କ ପାଖରେ ଅବଶ୍ୟ କୃତଜ୍ଞ ହୋଇ ରହିବ ।

 

ଅଚେତନକୁ ଚେତନ ବା ସଚେତ କରାଇବା ଠାରୁ ବଳି ବଡ଼ କାର୍ଯ୍ୟ ଆଉ କ’ଣ ଅଛି ? ଜଣେ ଗୁରୁ ତା ଉପରେ ନିର୍ଭର କରି ଏକତ୍ର ହୋଇଥିବା ଶିଷ୍ୟମାନଙ୍କୁ ସଚେତ କରାଇ ଆଣିବା ପରେ ପରିବର୍ତ୍ତିତ ସ୍ଥିତିଟି ଏପରି ହୋଇପାରିବା ଉଚିତ ଯେଉଁଥିରେ କି ଶିଷ୍ୟ ଗୁରୁ ଉପରେ ଆଉ ନିର୍ଭରଶୀଳ ହୋଇ ରହିବ ନାହିଁ , ନିଜର ସୂର୍ଯ୍ୟଟିକୁ ସିଏ ସ୍ୱୟଂ ଅନ୍ୱେଷଣ କରି ବାହାରି ପାରିବ । ତଥାପି, ପୃଥିବୀର ଅଧିକାଂଶ ଗୁରୁ ଶିଷ୍ୟମାନଙ୍କୁ ମୋଟେ ସେଥିପାଇଁ ବାଟ ଛାଡ଼ି ନାହାନ୍ତି । ଶିଷ୍ୟ ଚିରକାଳ ଗୁରୁନିର୍ଭର ହୋଇ ରହିଲେ ଅଲବତ ଚିରକାଳ ଗୁରୁମାନଙ୍କୁ ଲୋଡୁଥିବ । ଗୋଟିଏ ନିର୍ଦ୍ଧିଷ୍ଟ କିସମର ଗୁରୁ ଆମ ପୃଥିବୀରେ ସମ୍ଭବତଃ ଏଇଥିରୁ ଭାରି ପୁଲକ ଲାଭ କରିଛନ୍ତି । ସେମାନେ ସେଥିରୁ ଭାରି ଲାଭବାନ ବି ହୋଇଛନ୍ତି । ଇତିହାସରେ ଅନେକ ବିପ୍ଳବୀ ଅବିକଳ ସେହିଭଳି ଗୁରୁମାନଙ୍କ ପରି ଆଚରଣ କରିଛନ୍ତି । ବିପ୍ଳବ ଦ୍ୱାରା ଲୋକମାନଙ୍କୁ ପୁରାତନ ଦୌରାତ୍ମ୍ୟଗୁଡ଼ିକରୁ ମୁକ୍ତ କରି ଆଣିବା ପରେ ସେମାନେ ନିଜେ ହିଁ ଆଧିପତ୍ୟ ଜମାଇ ରହି ଯାଇଛନ୍ତି ଓ ମନୁଷ୍ୟମାନଙ୍କୁ ବାଟ ଛାଡ଼ି ନାହାନ୍ତି । ଶକ୍ତିଗୁଡ଼ାକ ବାଟମାରଣା ହୋଇଯାଇଛି । ଫରାସୀ ବିପ୍ଳବ ପରେ ବିପ୍ଳବୀମାନେ ନିଜ ଭିତରେ ହଣାହାଣି ହେଲେ ପଛକେ, ଲୋକମାନଙ୍କୁ ମୋଟେ ବାଟ ଛାଡ଼ିଲେ ନାହିଁ । ଫଳରେ ଯେଉଁ ରାଜତନ୍ତ୍ରକୁ ବିଦାୟ ଦିଆଯାଇଥିଲା, ସେହି ରାଜତନ୍ତ୍ରକୁ ପୂନର୍ବାର ଡାକି ଆଣିବାକୁ ପଡ଼ିଥିଲା । ତା'ପରେ ଫରାସୀ ସରକାର ଉପନିବେଶ ଖୋଜି ବୁଲିଲେ; ଏକ ଜାତୀୟତାବାଦୀ ମୋହକ ଦ୍ୱାରା ସେଠି ଲୋକମାନଙ୍କୁ ଏପରି ଘାରି କରି ରଖିଲେ, ଯାହା ଭିତରୁ କି ସେହି ଦେଶ ଏବେ ମଧ୍ୟ ମୁକ୍ତ ହୋଇ ପାରିନାହିଁ ।

 

ରୁଷିଆରେ ବି ଏହି ଶତାବ୍ଦୀରେ ଯେଉଁ ବିପ୍ଳବ ହେଲା, ତଦ୍ଦ୍ୱାରା ପୁରାତନ ରାଷ୍ଟ୍ରଟା ଭାଙ୍ଗିଗଲା ଏବଂ ବିପ୍ଲବୀମାନେ ଗୋଟିଏ ନୂଆ ରାଷ୍ଟ୍ର ଗଠନ କଲେ । ଘୋଷଣାନାମା ଅନୁସାରେ ରାଷ୍ଟ୍ରଶକ୍ତି ଯେପରି କ୍ରମେ ଅପସରିଯିବ ଏବଂ ଲୋକଶକ୍ତି ପୁରୋଭାଗକୁ ଆସି ନିଜର ନିୟତିଟିକୁ ନିଜେ ଗଢିବ, ସେଥିଲାଗି ଅନୁକୂଳ ଭିତ୍ତିଭୂମିଟିକୁ ତିଆରି କରିବା ହିଁ ସେହି ରାଷ୍ଟ୍ରର କାମ ହୋଇ ରହିଲା । ମାତ୍ର, ସତେ ଅବା ସବୁକିଛି ଓଲଟା ଓଲଟା ହେବାକୁ ଲାଗିଲା, ଦଳଟା ହିଁ ଅଧିକ କର୍କଶ ହେଲା, ଅନମନୀୟ ହେଲା- ରାଷ୍ଟ୍ରର ମାଲିକ ହୋଇ ବସିଲା ଏବଂ ତାହାକୁ ହିଁ ଲୋକରାଷ୍ଟ୍ର ବୋଲି କହିବା ନିମନ୍ତେ ଲୋକମାନଙ୍କୁ ବାଧ୍ୟ କରାଯାଇଥିଲା । ତା'ପରେ ଯାହା ଘଟିବା ଅବଶ୍ୟମ୍ଭାବୀ ଥିଲା, ତାହାହିଁ ଘଟିଲା । କାଳଟା ଗୋଟାସୁଦ୍ଧା ପଛ ଆଡ଼କୁ ହୁଡ଼ିଗଲା । ସାରା ପୃଥିବୀରେ ଅନେକ ଅନେକ ସଂଗ୍ରାମକୁ ତାହା ଖୁବ୍ ଧକ୍କା ଦେଲା । ବହୁତ ବହୁତ ଆଶାକୁ ଚୁରମାର କରିଦେଲା । ଏସବୁ ଘଟିବା ପରେ ପୁନର୍ବାର ଲୋକାଶକ୍ତିର ଉନ୍ମେଷଣା-କ୍ଷେତ୍ରରେ ଏବେ ନୂଆ ନୂଆ ପ୍ରୟୋଗ ଚାଲିଛି । ଆଗକୁ ମଧ୍ୟ ସେହି ପୁରୁଣା ଇତିହାସର ପୁନରାବୃତ୍ତି ହେବନାହିଁ ତ ? ପୃଥିବୀରେ ବହୁ ଦେଶରେ ପ୍ରାୟ ଅଣ୍ଟା ଭାଙ୍ଗି ପଡ଼ିଥିବା ଲୋକାଶକ୍ତି ସତେଅବା ଘୋର ବିଭ୍ରାନ୍ତି ଭିତରେ ସେହି କଥାଟିକୁ ଭାବୁଛି ଏବଂ ସମୟ ଗଣୁଛି । ମିତ୍ରମାନେ ଏପରି ଧୋକା ଦିଅନ୍ତି କାହିଁକି କେଜାଣି ?

 

ଲୋକଚେତନାକୁ ଦେଶବ୍ୟବସ୍ଥାର ଏକ ଯଥାର୍ଥ ନିୟାମକ ରୂପେ ପ୍ରତିଷ୍ଠିତ କରାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନମାନେ ଦେଶତମାମ କାର୍ଯ୍ୟ କରୁଛନ୍ତି । ଯେଉଁସବୁ ଅଂଚଳକୁ ଅନ୍ଧାରର ମୂଲକ ବୋଲି କୁହାଯାଉଥିଲା, ବାହାରୁ ପ୍ରଚଣ୍ଡମାନେ ଯାଇ ଲୋକମାନଙ୍କର ଅକିଞ୍ଚନତାର ସୁଯୋଗ ନେଇ ନାନାଭଳି ଶୋଷଣକୁ ହିଁ ପ୍ରତିଦିନର ଦଶାରେ ଯେଉଁଠି ପରିଣତ କରି ରଖିଥିଲେ, ସେଠାରେ କ୍ରମେ ଆଲୋକ ପ୍ରବେଶ କରୁଛି ଏବଂ ପ୍ରଚଣ୍ଡମାନଙ୍କର ଆଣ୍ଟ ଭାଙ୍ଗି ଆସିଲାଣି । ପିଲାଏ ରାତି ସ୍କୁଲକୁ ଆସିଲେଣି ଏବଂ ନିଜ ନିଜ ଗୁମ୍ଫାଗୁଡ଼ିକରୁ ବୃହତ୍ତର ପୃଥିବୀ ଆଡ଼କୁ ଦୃଷ୍ଟିପାତ କରି ଶିଖିଲେଣି । ସାମୁଦାୟିକ ପ୍ରଚେଷ୍ଟା ଦ୍ୱାରା କିପରି ସାହସ ବଢିବ ଓ ଦାରିଦ୍ର୍ୟ ଦୂର ହେବ, କ୍ରମେ ସେସବୁ ନିମନ୍ତେ ଆଗକୁ ବାଟ ଦେଖାଗଲାଣି । ଅଗ୍ରଗାମୀମାନେ ଆଦୌ ରାଜନୀତି କରୁନାହାନ୍ତି ସତ, ମାତ୍ର ଲୋକଚେତନା ଠାଏ ଠାଏ ରାଜନୀତିକ ଚେତନା ରୂପେ ମଧ୍ୟ ଆପଣଙ୍କୁ ପ୍ରକଟ କରାଇ ଆଣୁଛି । ତେଣୁ ପ୍ରାୟ ଚିରାଚରିତ ଭାବରେ ଉପରୁ, ସରକାରୀ କର୍ତ୍ତା ଏବଂ ଉଚ୍ଚତର ସମାଜ ଠାରୁ ଲୋକମାନଙ୍କ ଉପରେ ଯେଉଁସବୁ ରାଜନୀତିକ ଜବରଦସ୍ତି ହୋଇ ଆସୁଥିଲା, ସେଗୁଡ଼ିକ ପ୍ରତି କ୍ରମେ ପ୍ରତିବାଦମାନ ମୁଣ୍ଡ ଟେକିଲାଣି । ମଣିଷମାନେ ନାହିଁ କରି ଶିଖିଲେଣି । କେବଳ ବୋଲଗୁଡ଼ାକୁ ମାନିବାକୁ ଯେ ମଣିଷ ଜନ୍ମ ହୋଇନାହିଁ, ଏକ ସଚେତନ ପ୍ରଜାସମୂହର ବୋଲ ମାନିବାକୁ ଏବଂ ଅତ୍ୟାବଶ୍ୟକତାଗୁଡ଼ିକର ପୁରାଣ କରିବାକୁ ଯେ ଦେଶରେ ସରକାରଟିଏ ରହିଛି, ଲୋକମାନେ ତାହା ହୃଦୟଙ୍ଗମ କଲେଣି । ଯାବତୀୟ ସରକାର ଯେ ମୂଳତଃ ଏକ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପୂର୍ଣ୍ଣ ଭାବରେ ସକ୍ରିୟ କରିବା ଲାଗି ବାଟ ଛାଡ଼ି ଦେଉଥିବ, ମଣିଷମାନେ ସଚେତ ହୋଇ ସେକଥା ବୁଝି ପାରିଲେଣି । ସ୍ୱାଧୀନତା ପରବର୍ତ୍ତୀ ଏହି ଦ୍ୱିତୀୟ ବିପ୍ଳବଟି ମୁଖତଃ ଅଗ୍ରଗାମୀମାନେ କରାଇ ଆଣୁଛନ୍ତି ।

 

ଲୋକମାନେ ଆହୁରି ଆଗକୁ ଯିବେ । ଆହୁରି ସଚେତନ ହେବେ । ଆପଣାର ରଜ୍ଜୁଗୁଡ଼ିକୁ ସେମାନେ ନିଜେ ନିୟନ୍ତ୍ରିତ କରିବେ । ସେହିମାନେ ନେତୃତ୍ୱ ନେବେ । ନିଜ ଗାଆଁରେ, ନିଜ ମୁଠାରେ ଏବଂ ନିଜ ଜିଲ୍ଲାରେ ନେତୃତ୍ୱ ଦେବେ । ନିଜର ନିଷ୍ପତ୍ତିଗୁଡ଼ିକୁ ନିଜେ କରିବେ । ସେମାନଙ୍କର ପ୍ରତିନିଧିମାନେ ସେହିମାନଙ୍କ ଭିତରୁ ହିଁ ତିଆରି ହୋଇ ଆସିବେ । ସେମାନଙ୍କର ଗାଆଁରେ ବା ତାଲୁକାରେ କ'ଣ ହେବ ନହେବ, ସେମାନେ ସ୍ୱୟଂ ସେସବୁ ସ୍ଥିର କରିବେ ।

 

ମହାତ୍ମା ଗାନ୍ଧୀ ଦିନେ ଏହାକୁ ହିଁ ଗ୍ରାମସ୍ଵରାଜ୍ୟ ବୋଲି କହିଥିଲେ । ଗ୍ରାମସ୍ଵରାଜ୍ୟ ଗ୍ରାମ ଦ୍ୱାରା ନିରୂପିତ ହେବ । ସରକାର ସେଥିପାଇଁ ଆବଶ୍ୟକ ଆନୁଷଙ୍ଗିକଗୁଡ଼ିକୁ ଯୋଗାଇଦେବ ସିନା, ରଜା ପରି କଦାପି ହୁକୁମ ଦେଇ ପାରିବ ନାହିଁ । ଅଗ୍ରଗାମୀ ବର୍ତ୍ତମାନ ସେହି ଲକ୍ଷ୍ୟଟି ହାସଲ ହେବା ନିମନ୍ତେ ମଝିରେ ସେତୁ ପରି କାର୍ଯ୍ୟ କରୁଛି । ମହତ୍ କାର୍ଯ୍ୟଗୁଡ଼ିକ ବେଳେ ବେଳେ ଠିକାଦାରୀ ପରି ମଧ୍ୟ ଲାଗୁଛି । ଅଗ୍ରଗାମୀମାନେ ନଥିଲେ ଲୋକମାନେ ଯେଉଠି ସେଇଠି ରହିଥାନ୍ତେ, ଏବଂ ଅଗ୍ରଗାମୀ ଆସିବା ଦ୍ୱାରା ହିଁ ଅରଣ୍ୟ କଥା କହିଲା ଓ ଟାଙ୍ଗରର ନିଦ ଭାଜିଲା, ଅଗ୍ରଗାମୀମାନଙ୍କର ଶିବିର ଭିତରେ ମଧ୍ୟ ହୁଏତ କେହି କେହି ଖୁସିରେ ସେହିଭଳି ଭାବି ପକାଉଥିବେ । ସେହି କଥାଟି ବହୁତ ପରିମାଣରେ ସତ ହୋଇଥିଲେ ମଧ୍ୟ ଏଣିକି ଅଗ୍ରଗାମୀ ଆଉ ମୋଟେ ଆଗରେ ରହିବେ ନାହିଁ । ଅଗ୍ରଗାମୀ ପଛରେ ରହିବ ଏବଂ ଲୋକମାନେ ହିଁ ଆଗରେ ରହିବେ । ଲୋକମନେ ଚିନ୍ତା କରିବେ । ଜଣେ ବିଶ୍ୱର ମିତ ପରି ସେମାନେ ଅଗ୍ରଗାମୀକୁ ଲୋଡ଼ିବେ ସିନା, ଅଗ୍ରଗାମୀ ଉପରେ ଆଦୌ ନିର୍ଭରଶୀଳ ହେବେନାହିଁ ।

 

ତେବେଯାଇ ଏହି ଯାବତୀୟ ଉଦ୍ୟମ ସଫଳ ହେବ, ସାର୍ଥକତା ଲାଭ କରିବ । ସମଗ୍ର ଦେଶର ଅସଲ ନିୟତି ଦୃଷ୍ଟିରୁ ଏହାକୁ ସବୁଠାରୁ ଅଧିକ ସଂଗତି ରହିଥିବା ଏକ ପ୍ରକ୍ରିୟା ବୋଲି କୁହାଯାଇ ପାରିବ । ଯେଉଁ ନେତା ନେତୃତ୍ୱ ଦେଉ ଦେଉ ଆଗରେ ଗୋଟାଏ ଏଡ଼େ ବଡ଼ ପଥର ହୋଇ ଛିଡ଼ା ହେବାକୁ ଇଚ୍ଛା କରେ, ସିଏ ଲୋକଙ୍କୁ ତଥାପି ଦୟା ଦେଖାଉଥାଏ, ନିଜକୁ ଅପରିହାର୍ଯ୍ୟ ବୋଲି ଭାବୁଥାଏ । ଅଗ୍ରଗାମୀ ସେକଥା କରିବ ନାହିଁ । ଅଗ୍ରଗାମୀ ପଛରେ ରହିବ । ଖୁସି ହୋଇ ପଛରେ ରହିବ, ଲୋକମାନେ ହିଁ ଆଗରେ ଥିବେ । ଅଗ୍ରଗାମୀ ବି ସେଥିରେ ଖୁସି ହେଉଥିବ ।

Image

 

ପଶ୍ୟେମଃ ଶରଦଃ ଶତଂ

 

ଭାରତବର୍ଷରେ ବରଗଛ ପରି ସର୍ବପ୍ରଥମ ନେତା ହେଉଛନ୍ତି ପଣ୍ଡିତ ଜବାହରଲାଲ ନେହରୁ । ସିଏ ବିଲାତରେ ପାଠ ପଢ଼ିଥିଲେ, ସେଠାରେ ବିଲାତର ତତ୍କାଳୀନ ଇଂଲଣ୍ଡର ପାଂବିଆନ୍ ସୋସାଇଟି ସହିତ ନିଜକୁ ସମ୍ପୃକ୍ତ କରିଥିଲେ, ବିଜ୍ଞାନ ପଢିବା ପରେ ଓକିଲାତି ପଢ଼ିଥିଲେ । ଏବଂ, ବହୁତ ମଣିଷଙ୍କର ଅନୁମାନ ଅନୁସାରେ ସାମ୍ୟବାଦୀ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଭାରତବର୍ଷକୁ ଫେରି ଆସିଥିଲେ । ଦେଶ ସ୍ୱାଧୀନ ହେବା ପରେ ସିଏ ଆମର ପ୍ରଧାନମନ୍ତ୍ରୀ ହେଲେ । ତା'ପରେ ବରଗଛଟାଏ ହେବାକୁ ତାଙ୍କର ଖୁବ୍ ମନ ବଳିଲା । ବରଗଛ ଏକା ଛିଡ଼ା ହେବ ଓ ଏକା ଦିଶିବ ବୋଲି ନିଜ ପରିଧିଟା ଭିତରେ ଆଉ କାହାକୁ ବି ଉଧେଇବାକୁ ଦିଏ ନାହିଁ । ନେହେରୁଙ୍କ ପରେ ଆମ ଦେଶ ଗତ ପଇଁତ୍ରିଶି ବର୍ଷ କଲା ସେଇ ବରଗଛଟାଏ ଆଦରି କରି ରହିବାରୁ ପ୍ରକୃତରେ ବହୁତ ଗଞ୍ଜଣା ପାଇଲାଣି । ଅଧିକ ନିରଙ୍କୁଶ ହେବା ପାଇଁ ଅର୍ଥାତ୍ ନିଜେ ନିଜ ଆଖିରେ ସକଳ ସ୍ଥିତିରେ କେବଳ ଠିକ୍ କରୁଛନ୍ତି ବୋଲି ଦେଖାଯିବାର ମତଲବରେ ପଣ୍ଡିତ ନେହରୁ ନିଜ ଦଳଟାର ବି ଏକଚ୍ଛତ୍ର ସଭାପତି ହୋଇ ରହିଲେ । ସମ୍ଭବତଃ ଏହିଠାରୁ ହିଁ ରାଜନିତୀରେ ଏପରି ଏକ ନିର୍ବୋଧ ଯୁଗର ଆରମ୍ଭ ହୋଇଯାଏ, ଯାହା ଆଖର ସମ୍ପୃକ୍ତ ଦେଶଟାର ଭାଗ୍ୟରେ ନାନାବିଧ କିଳା ଆଣି ଭର୍ତ୍ତି କରିଦିଏ ଓ ଦେଶକୁ ଦୁର୍ବଳ କରିପକାଏ-। ରାଜନୀତିକ ପ୍ରାୟ ଯାବୀତୀୟ ଚିନ୍ତନକୁ ଖାସୁ କରି ରଖେ ।

 

ମଝିରେ ମେରିଟାଏ ନିଜକୁ ଏତେବଡ଼, ସବା ବଡ଼ ଅଥବା ଏକମାତ୍ର ବଡ଼ ବୋଲି ସ୍ୱୀକୃତ କରାଇ ନେଇପାରିଲେ ସତେଅବା ସେହି ପ୍ରୟୋଜନରେ ହିଁ ତାକୁ ଘେରି ପଲେ ଅକର୍ମଶିଳା ସୃଷ୍ଟି ହୋଇଯାଆନ୍ତି । ସେମାନେ ତୋଷାମଦ କରନ୍ତି, ପଦ ପାଆନ୍ତି । ଅଧିକରୁ ଅଧିକ ଦାୟିତ୍ୱହୀନ ହେବାରେ ଲାଗନ୍ତି, ମାତ୍ର ଗୋଟିଏ ଗୋଟିଏ କେଡ଼େ ମୋଟା ଓ କେଡ଼େ ପ୍ରତିପତ୍ତିଶାଳୀ କ'ଣଟାଏ ପରି ଦେଖା ଯାଉଥାନ୍ତି । ଶ୍ରୀ ନେହେରୁଙ୍କ ପରେ କଂଗ୍ରେସ ଦଳର ସେହି ଯେଉଁ ଶନିସପ୍ତା ଆରମ୍ଭ ହୋଇଥିଲା, ତାହା ସତେଅବା ଏବେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭୋଗ ହୋଇନାହିଁ । ଅଥଚ ସେହି ଦୁଷ୍ଟ ଅପଭାଗ୍ୟଟାକୁ ଆଳ କରି ଅକର୍ମଶିଳାମାନେ ଏପରି ତୀବ୍ର ଏବଂ ଉତ୍କଟ ବେଗରେ ବୃଦ୍ଧି ପାଇ ଆସିଛନ୍ତି ଯେ, ସତ୍ୟଗୁଡ଼ାକ ପ୍ରାୟ ଛାନିଆ ହୋଇ ଆଉ କୁଆଡ଼େ ପଳାଇ ଯାଇଛନ୍ତି । ରାଜନୀତିରେ ରାଜନୀତି ନାହିଁ, ମାତ୍ର ଶୂକରମାନେ ନାନା କ୍ଷମତାରେ ପେଟା ହୋଇ ବୁଲୁଛନ୍ତି । ଗୋଟାଏ ଗୋଟାଏ ଅନନ୍ତା ଉପରେ ସବୁକିଛି ଦାୟିତ୍ୱ ଅଜାଡ଼ି ଦେଇ ଅନ୍ୟ ଅନନ୍ତାମାନେ ନିଜ ନିଜ ଥଳରେ ଦେଶକୁ, କାଳକୁ ଏବଂ ଶାସନକୁ ଭୋଗିବାରେ ମସ୍ତ ହୋଇ ରହିଛନ୍ତି । ସତେଅବା ଚତୁର୍ମାସ୍ୟା ପାଳନ କରୁଛନ୍ତି । ବିଚିତ୍ର ଏ ଭାରତବର୍ଷ, ଗୋଟାଏ ରାଜନୀତିକ ଦଳର ଏହି ତାମସାଟା ଅନ୍ୟାନ୍ୟ ଦଳକୁ ମଧ୍ୟ କେଡ଼େ ଚଟ୍ କରି ଯାଇ ମାଡ଼ି ବସି ପାରୁଛି । ସତେ ଯେପରି ସେମାନେ ନିଜର ଦଳ ପ୍ରତି, ରାଜନୀତିକ ମତବାଦ ପ୍ରତି, ଦେଶ ପ୍ରତି ଅର୍ଥାତ୍ ଦେଶ ଆଗରେ ଦେଇ ଆସିଥିବା ପ୍ରତିଶ୍ରୁତିଗୁଡ଼ିକ ପ୍ରତି ନିଜର ସବୁଯାକ କର୍ତ୍ତବ୍ୟ ସମାପନ କରି ସାରିଛନ୍ତି; ସେମାନେ ନିଜର ଦାରା, ପୁତ୍ର, ତା' ସୁତ ଓ ତା' ସୁତମାନଙ୍କୁ ଭାଗ୍ୟର ଧାଡ଼ିରେ ଆଣି ବସାଇ ଦେବାର ଚିନ୍ତା ହିଁ କରୁଛନ୍ତି । ଏବଂ, କହିବା ବାହୁଲ୍ୟ, ସାନମାନେ ବଡ଼ମାନଙ୍କର ଦୃଷ୍ଟାନ୍ତଗୁଡ଼ିକୁ ଅନୁକରଣ କରିଛନ୍ତି । କିଏ ନିଜର ଭାର୍ଯ୍ୟାଙ୍କୁ ମଣ କରୁଛି, କିଏ ନିଜ ପୁଅକୁ ପାଖକୁ ଡାକିଆଣି ବିଧି ମୁତାବକ ଶ୍ରଦ୍ଧା ତଥା ସତର୍କତା ସହିତ ମଣ କରିବାରେ ଲାଗିଛି ।

 

ସ୍ୱୟଂ ଜବାହରଲାଲ କଦାପି କଥାଗୁଡ଼ାକ ଏତେଦୂର ଯିବ ବୋଲି ଚିନ୍ତା କରି ନଥିବେ । ତାଙ୍କର କନ୍ୟା ତାଙ୍କୁ ଚାରିହାତ ବଳିଗଲେ । କନ୍ୟାଙ୍କର ସୁତ ରାତାରାତ ମୁକୁଟ ପିନ୍ଧି ସେହି ଦିଲ୍ଲୀରୁ ମୁଷଳ ପିଟି ଆଗାମୀଟାକୁ ଅପାଠଗୁଡ଼ାକ ଅନୁସାରେ ଗଢ଼ିବେ ବୋଲି ବାହାରି ଆସିଲେ । ଚଟାପଟ୍ ସବୁକିଛିକୁ ସାଧ୍ୟ କରିଦେବା ଲାଗି ନିଜକୁ ତ୍ରିକାଳଯାକର ଜଗଦ୍ଧାତ୍ରୀ ବୋଲି ବୋଲି ପ୍ରମାଣ କରିବା ସକାଶେ ଜରୁରୀ ଅବସ୍ଥା ନାମରେ ଏକ ଦୁରବସ୍ଥାକୁ ଜାରି କରି ଦିଆଗଲା । ପ୍ରାଦେଶିକ ତୋଷାମଦକାରୀ ଦଳ ତାହାକୁ ଋତୁରାଜର ମହାନୁକମ୍ପା ବୋଲି ଘୋଷଣା କଲେ । ପ୍ରତିବାଦ ଅର୍ଥାତ୍ ପ୍ରତିଚିନ୍ତନର ଅନ୍ୟ ଆବଶ୍ୟକ ଵିଧାନଟି ସତେଅବା ଆପେ ଆପେ ବନ୍ଦ ହୋଇଗଲା । ଯଦି କିଏ ଅନ୍ୟ ପ୍ରକରେ କିଛି କହିଲା, ତେବେ ତାକୁ ବନ୍ଦୀଶାଳା ଭିତରେ ଠୁଙ୍କି ଦିଆଗଲା । କାଳକୁ ବିଷମ ସନ୍ଧି ପଡ଼ିଲା । ମଣିଷ ମଣିଷକୁ ଡ଼ରିଲା, ମଣିଷ ମଣିଷ ପାଖରେ କପଟାଚରଣ କଲା । ବିତର୍କ, ଚର୍ଚ୍ଚା ଏସବୁ ନିଷିଦ୍ଧ ହୋଇ ରହିଲା । ଏହି ଅସଭ୍ୟ ରୀତିଟା କ୍ରମେ ରାଜନୀତି ବାହାରକୁ ମଧ୍ୟ ସଂକ୍ରମିତ ହୋଇ ଆସିଲା । ଆଉ କେହିହେଲେ କିଛି ଆଲୋଚନା କଲେନାହିଁ । ସବୁକିଛିକୁ ଉପରୁ ଆଣି ଲଦି ଦିଆଗଲା । ପ୍ରଶାସନଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପଯ୍ୟନ୍ତ ସେହି ରାକ୍ଷସଟା ହିଁ ବିଷ ଉଦ୍ଗାରି ସମସ୍ତଙ୍କୁ ନିଜ ପଟକୁ ଅକ୍ତିଆର କରିନେଲା । ଏବେ ଭାରତବର୍ଷ ସେହି ଗଣ୍ଠିଗୁଡ଼ାକ ଭିତରେ ଅଣନିଃଶ୍ୱାସୀ ହୋଇ ରହିଛି । କୋଉଠି ପ୍ରାୟ କିଛିହେଲେ ଚାଲୁନାହିଁ । କୋଟି କୋଟି ଟଙ୍କାକୁ ଉପର ଭାଡ଼ିମାନଙ୍କରେ ରହିଥିବା ଶାସକ ଓ ଅମଲାମାନେ ଝାମ୍ପି ନେଉଛନ୍ତି ।

 

ତୁମେ ଏଠାରେ କେଉଁଠି ହେଲେ ନଥିବ, ହଠାତ୍ ଆସି ପହଞ୍ଚିଯିବ । ତୁମେ ଯେ କୋଉ ଜଗନ୍ନାଥଙ୍କର କ'ଣ ଲାଗ, ଦେଶବାସୀ କେବେଳ ଏତିକି ଜାଣିଥିବେ । ତୁମକୁ ଆମ ରନ୍ଧାରେ ରାନ୍ଧି ଆସି ନଥିବ କି ଆମ କାନ୍ଦ ସହିତ କାନ୍ଦି ଆସି ନଥିବ, - ହଠାତ୍ ଗଲେ ତୁମକୁ ଘେରି ଏପରି ମଣିଷ ରହିଥିବେ, ଯିଏକି ହାଉ ହାଉ ହୋଇ କହିବାକୁ ଆରମ୍ଭ କରିଦେବେ ଯେ, ଏହି ଦେଶକୁ ସମ୍ଭାଳିବା ପାଇଁ ତୁମ ବ୍ୟତୀତ ଏଡ଼େବଡ଼ ଏହି ଦେଶଟାରେ ଦ୍ଵିତୀୟ ବ୍ୟକ୍ତି କେହି ନାହାନ୍ତି ଏବଂ ତୁମେ ଏକମାତ୍ର ମହାନ ବ୍ୟକ୍ତି ଯିଏକି ମଙ୍ଗ ଧରି ପାରିବ । ଏପରି ଶୁଣିଲେ ତୁମ ନିଜକୁ ହିଁ ସବାଆଗ ଲାଜ ଲାଗିବା କଥା । ଦାୟିତ୍ୱହୀନ ମନୁଷ୍ୟମାନେ ଯେ ଏହି ମାତ୍ର କେଇଟା ବର୍ଷରେ ଏଠି ଏଡ଼େବଡ଼ ଧରାଟାକୁ ସରା ପ୍ରାୟ ମାନି ବିବେକ ଏବଂ ଚିନ୍ତନର କ୍ଷେତ୍ରରେ ଆତ୍ମହତ୍ୟା କରି ସାରିଛନ୍ତି, ସେମାନଙ୍କର ଧାତୁଟାକୁ ଚିହ୍ନି ସେମାନଙ୍କୁ ହୁଏତ ନିତାନ୍ତ ସହଜରେ ଜାଣି ହୋଇଥାନ୍ତା । ତୁମେ ନିଜେ ବି ସତେଅବା କୋଉ ନିସାପତ୍ର ଚୋବାଇଥିଲା ପରି ସେମାନଙ୍କୁ ଓଜନ କରି ପାରିଲ ନାହିଁ କାହିଁକି କେଜାଣି ? ଏହି ବିକୃତିଟା ରାଜ୍ୟମାନଙ୍କୁ ମଧ୍ୟ ବ୍ୟାପିଲାଣି, ଅନ୍ୟ ଦଳମାନଙ୍କୁ ମଧ୍ୟ କାମୁଡ଼ି ଧରିଲାଣି । ନାହିଁ ନାହିଁ କରୁ କରୁ କିଏ କେଉଁ ଦୁର୍ଯୋଗରେ ହିଁ କରିପକାଇଲେ କେଜାଣି, ସିଏ ମଧ୍ୟ କେଡ଼େ ଆଳପରେ ହିଁ ନିଜର ଓଳମ ହରାଇ ବସିଲେ । ବାପା ଏଠି କେଡ଼େବଡ଼ କ'ଣ ଯାଏ ଯାଇଥିଲେ ବୋଲି ପଦକାମୀ ନିତାନ୍ତ କୁଜିମାନେ ଯେତେବେଳେ କ'ଣ ଖଡ଼ି ପକାଇ ତାଙ୍କ ମୁଣ୍ଡରେ ଶିରପାଟାଏ ବାନ୍ଧିଦେଲେ, ସେତେବେଳେ ସିଏ ତତ୍କ୍ଷଣାତ୍ ମୋହ ହୋଇଗଲେ,- କ'ଣ ଭାବି ସିଧା ଭୋଟ୍ ଭିତରକୁ ଡ଼େଇଁ ପଡ଼ିଲେ ଏବଂ ହାଉଆ ଅନୁକୂଳ ଥିବାରୁ ସିଦ୍ଧିଲାଭ କଲେ । ଏବେ ତୋଷାମଦକାରୀମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ନାଗରା ବଜାଇ ଦେଲେଣି । ସିଏ କିଛି କରୁନାହାନ୍ତି, ସବୁ ଜାଣିଛନ୍ତି ମାତ୍ର କିଛି ହେଲେ କରୁନାହାନ୍ତି । ହୁଏତ ଲାଜରେ କିଛି କହିପାରୁ ନାହାନ୍ତି । ସିଏ ବି ଏଠିକାର ଭାଷାରେ କଥାକହି ଜାଣିନାହାନ୍ତି ।

 

ଭାରତୀୟ ରାଜନୀତିରେ ତାମସାଗୁଡ଼ାକ ପାଚି ପାଚି ଏପରି ଏକ ଲୋକହସା ପ୍ରାନ୍ତସୀମାରେ ଆସି ପହଞ୍ଚି ଗଲାଣି ଯେ, ଏହି ଦେଶରେ ଶହେ କୋଟି ମଣିଷ ରହିଛନ୍ତି ବୋଲି ତାମସା କରୁଥିବା ଏମାନଙ୍କର ସତେଅବା ଆଉ ଆଦୌ ମନେନାହିଁ । ଗୋଟିଏ ମୂରୁଖ ଓ ନିରକ୍ଷର ଦେଶରେ ଏମାନେ ଇଂରାଜୀ ମାଧ୍ୟମରେ ପାଠ ପଢି ଆମ କପାଳ ଉପରେ ମାଲିକ ହୋଇ ବସିବେ ବୋଲି ଆସି ଗୋଟିକ ପରେ ଗୋଟିଏ ହୋଇ ଏଠି ପହଞ୍ଚିଛନ୍ତି । ନିଜର ବାପା, ସ୍ୱାମୀ, ଶାଶୁ ଅଥବା ଅଜାଶ୍ୱଶୁରଙ୍କଠାରୁ ଅନୁମତିପତ୍ର ଆଣି ଆମର ନାୟକ ବା ମହାନାୟକ ହେବେ ବୋଲି ଦାବି କରୁଛନ୍ତି । ତୋଷାମଦକାରୀମାନେ ସେମାନଙ୍କୁ ସତେଅବା ଗୋଟିଏ ଆହ୍ଲାଦିତ ଗୁଣ୍ଡାପଲର ଶୋଭାଯାତ୍ରା ଭିତରେ ହାତୀ ଉପରେ ବସାଇ ଆମ ଆଗରେ ଆଣି ହାଜର କରାଇ ଦେଉଛନ୍ତି । ପ୍ରକୃତରେ ସେହି ଭାଗ୍ୟହୀନ ଅତିବଡ଼ମାନେ ଆତ୍ମସମୀକ୍ଷା କରିବା ନିମନ୍ତେ କୌଣସି ବେଳ ହିଁ ପାଉନଥିବେ । ତେଣୁ ସେମାନେ ଯେଡ଼େ ନୁହନ୍ତି, ସେଡ଼େ ବୋଲି ଅଭିନୟ କରିବା ସକାଶେ ସମ୍ଭବତଃ ବାଧ୍ୟ ହେଉଛନ୍ତି । ମାତ୍ର, ସର୍ବଶେଷ କଥା ହେଉଛି, ଏମିତି ତାମସା କରାଇ କ’ଣ ଏତେବଡ଼ ଗୋଟିଏ ଦେଶର ଭାଗ୍ୟ ସହିତ ଖେଳିହୁଏ ? ବିଶେଷତଃ, ଭାରତବର୍ଷ ଭଳି ବହୁ ବିକାଶଲାଗି ଅସୁମାରି ସମ୍ଭାବନା ଏବଂ ସମ୍ପତ୍ତି ଭରି ରହିଥିବା ଏକ ବିକାଶଶୀଳ ଦେଶ, ତାକୁ ପ୍ରକୃତରେ ଆଦୌ ଏତେବେଶୀ ଅବହେଳା କରିହୁଏ କି ? ଅପରାଧୀମାନଙ୍କର ନିରନ୍ତର ସାବଧାନ ରହିବା ଉଚିତ ।

 

ସମସ୍ତେ ପାଟିରେ ବେଙ୍ଗ ପୂରାଇ ଉପରେ ତୋଷାମଦ କରୁଥାନ୍ତି, ପଲ ସହିତ ପୂରା ସାମିଲ ହୋଇ ଯତ୍କିଂଚିତ୍ ଲାଭ ପାଇବେ ବୋଲି ଉଜ୍ଜ୍ୱଳ ଘୁଷୁରିଟିଏ ହୋଇ ନସରପସର ହେବାରେ ଲାଗିଥାନ୍ତି, ଏତିକିବେଳେ ଯଦି ଜଣେ ବା କେତେଜଣ ଭିତରର ବିବେକର କଥାମାନି ପ୍ରତିବାଦର ସ୍ଵରଟିଏ ଉଠାନ୍ତି, ଅମୁକ କଥାଟା ପ୍ରକୃତରେ ସୁନ୍ଦର ହେଉନାହିଁ ବୋଲି ଚଉପାଢ଼ୀକୁ ଯାଇ ଠାକୁରାଣୀଙ୍କ ପାଖରେ କହନ୍ତି, ତେବେ ସେମାନଙ୍କୁ ସିଧାଆଣି କାନ୍ଧରେ ବସାଇବାକୁ ଇଚ୍ଛା ହୁଏ । ସେମାନେ ଏ ଦଳର କି ସେ ଦଳର, ସେକଥା ଦେଖିବାକୁ ବେଳ ନଥାଏ । ରାତି ପାହି ଆସିଲାଣି କି ବୋଲି ନିଜ ଭିତରେ ନିଜକୁ ପଚାରିବାକୁ ଖୁସି ଲାଗେ । ସତେ ଯେପରି ଏହିପରି ଏକ ପରିବର୍ତ୍ତନ ନିମନ୍ତେ ଭାରତବର୍ଷରେ ଅସଲ ଶଗଡ଼ମାନେ ଅପେକ୍ଷା କରି ରହିଛନ୍ତି । କାଳ ଅପେକ୍ଷା କରି ବି ରହିଛି । ଚାରିଆଡ଼େ ଅନ୍ଧାର ଘୋଟି ରହିଥିବା ସମୟରେ ତଥାପି ଆଲୋକର ଛିଟିକାଟିଏ ଦୃଷ୍ଟିଗୋଚର ହୋଇଗଲା ପରି ବୋଧ ହେଉଛି । ସେହି ଆଲୋକ ହିଁ ଠିକ୍ ଆଲୋକ ବୋଲି ଭିତରୁ ନିର୍ଭର ମିଳିଯାଉଛି । ଭୀରୁତାହିଁ ପୂର୍ଣ୍ଣ ପରାକ୍ରମରେ ଦିଗଗୁଡ଼ାକୁ ମାଡ଼ି ବସିଥିବା ସମୟରେ ଏହି ପୃଥିବୀରେ ସାହସ କରିପାରିଲା ଭଳି ମଣିଷ ରହିଛନ୍ତି ବୋଲି ପ୍ରତ୍ୟୟ ହେଉଛି । ଭାରତବର୍ଷରେ ସାହସୀ ମଣିଷମାନଙ୍କର ସଂଖ୍ୟା ବଢୁ । ଗଧମାନଙ୍କୁ, ଆତ୍ମକାମୀମାନଙ୍କୁ ମୁଣ୍ଡ ଟେକି କଥା କହି ପାରୁଥିବା ବ୍ୟକ୍ତିମାନଙ୍କର ସଂଖ୍ୟା ବୃଦ୍ଧି ପାଉ । ପରିତ୍ରାଣ ସମ୍ଭବତଃ ସେହି ବାଟରେ ହିଁ ନିହିତ ହୋଇ ରହିଛି । ରାତିଟା ପାହିବ ବୋଲି ହୁଏତ ସେହିମାନଙ୍କୁ ଦେଖିଲେ ଅଧିକ ସମ୍ଭବ ଲାଗିବ ।

 

ସାଂପ୍ରତିକ ଭାରତୀୟ ରାଜନୀତିର ଏହି ଅନ୍ଧାର ହାଟଟା ଭିତରେ ହୁଏତ ପ୍ରତ୍ୟେକ ଦଳରେ ଏପରି କିଛି କିଛି ମଣିଷ ଥିବେ, ଯେଉଁମାନଙ୍କର ତଥାପି ନିଜର ବୋଲି କିଛି ବିଚାର ରହିଥିବ, ବିବେକ ବୋଲି କିଛି ରହିଥିବ । ସେମାନେ ଏକତ୍ର ହୁଅନ୍ତୁ । ରାଜନୀତିରେ ରହିଥିବା ଯାବତୀୟ ପାର୍ଥକ୍ୟ ସତ୍ତ୍ୱେ ସେମାନେ ପରସ୍ପରକୁ ଖୋଜି ବାହାରନ୍ତୁ ଓ ଆବିଷ୍କାର କରନ୍ତୁ । ସେମାନେ ପରସ୍ପରକୁ ସାହସ ଦିଅନ୍ତୁ । ସେମାନେ ନେତାମାନଙ୍କ ବିଷୟରେ ଆଲୋଚନା ନ କରି ରାଜନୀତି ବିଷୟରେ ହିଁ ଆଲୋଚନା କରନ୍ତୁ । ବିତର୍କରେ ବସନ୍ତୁ, ବାଟମାନଙ୍କୁ ଖୋଜନ୍ତୁ । ସେମାନେ ସତ୍ୟମାନଙ୍କୁ ଖୋଜନ୍ତୁ । ଅମୁକଙ୍କ ବ୍ୟତୀତ ଆଉ କେହିହେଲେ ଏହି ସନ୍ଧିକ୍ଷଣରେ ଦେଶକୁ ନେତୃତ୍ୱ ଦେଇ ପାରିବେ ନାହିଁ ବୋଲି ଘୋଡ଼ାକଥା ଗୁଡ଼ାକ ଛାଡ଼ି ସେମାନେ ନିଜକୁ ବ୍ୟତିକ୍ରମ ବୋଲି ଚିହ୍ନା ପକାଇ ଦିଅନ୍ତୁ । ତାହାହିଁ ଆଗକୁ ବାଟ କାଢ଼ିବ, ତାହାହିଁ ସାଧୁତା ଆଡ଼କୁ ବାଟ କାଢ଼ିନେବ । ଆମେ ସମସ୍ତେ ବରଗଛର ପାଲରେ ପଡ଼ି ଅକାମି ହୋଇଯିବା ପୂର୍ବରୁ ଏହି ଦେଶରେ ଯେଉଁ ଅନ୍ୟ ଉତ୍ସାହଟି ଥିଲା, ଯେଉଁ ଅନ୍ୟ ଆସ୍ଥାଟି ଏଠି ମଣିଷ ସହିତ ମଣିଷକୁ ବାନ୍ଧି ରଖିଥଲା ଏବଂ ସେହି କାରଣରୁ ଦେଶରେ ଯେପରି ଯଥାର୍ଥ ଉଦ୍ୟମ ବୋଲି କହିପାରିବା ଭଳି ନାନା ଉଦ୍ୟମ ଚାଲିଥିଲା, ସେଗୁଡ଼ିକ ପୁନର୍ବାର ଫେରିଆସିବ । ଆମ ପାଇଁ ଅଯସ୍ର ବିଶ୍ୱାସ ବହନ କରି ଆଣିବ । ଦେଶକୁ ରାନୀତିଚ୍ୟୁତ କରି ଯେଉଁମାନେ କେତେ ନା କେତେ ଆଡ଼ମ୍ବର ସହିତ ଆମକୁ ଏତେ ସରି କରାଇ ଆଣିଲେ ଓ ଦେଶର ସମ୍ପଦଗୁଡ଼ାକୁ ନିଜେ ସପରିବାର ଫୁଲିବାର ଅପକର୍ମରେ ନିୟୋଜିତ କଲେ, ସେମାନେ ପଦାରେ ପଡ଼ିଯିବେ । ପୋଲାମାନେ ପୋଲା ଦିଶିବେ-। ତାଙ୍କ ପଛରେ ଯେ ମଣିଷର ଉଦୟ-କାମନା କରୁଥିବା ଜଣେ ବିଧାତା ସର୍ବଦା ମହଜୁଦ ରହିଛନ୍ତି ଓ ଆମର ସହଯୋଗ ଲାଭ କଲେ ସିଏ ଯେ ଆମ ସମସ୍ତଙ୍କୁ ଏକାବେଳେକେ କେତେ କିଆରୀ ଡ଼ିଆଁଇ ଆଗକୁ ନେଇଯିବେ, ସେହି କଥାଟିର ପ୍ରମାଣ ମିଳିବ ।

 

ମେଷଧର୍ମ ଠାରୁ ବିଚାର ବଡ଼, ଦଳ ଠାରୁ ବିବେକ ବଡ଼, ମତ ଠାରୁ ସତ୍ୟ ଅଧିକ ବଡ଼ ଏବଂ ସର୍ବୋପରି, ଜଣେ ଜଣେ ଅସୁରଙ୍କର ଯାବତୀୟ ସ୍ୱାର୍ଥପ୍ରଣୋଦିତ ଖଳସ୍ୱପ୍ନ ଠାରୁ ଏହି ଦେଶ ଏବଂ ତା’ର ନିୟତି ଅନେକଗୁଣ ଅଧିକ ବଡ଼, ଏହି କଥାଟିର ପ୍ରତ୍ୟୟ ଦେଇ ଯିଏ ଭାରତବର୍ଷରେ ଜନସମୂହ ପାଖରେ ଯାଇ ପହଞ୍ଚିବ, ଜନସମୂହ ତାକୁ ନିଜର ବୋଲି ଅବଶ୍ୟ ଗ୍ରହଣ କରିନେବେ । ସିଏ କୋଉ ଦଳର ବା କୋଉ ଦଳର ନୁହେଁ, ସେ କଥା ଜାଣିବା ନିମନ୍ତେ ମୋଟେ ଅପେକ୍ଷା କରିବେ ନାହିଁ । ବିଗତ ଅଳ୍ପ କେତେ ବର୍ଷରେ ଦଳମାନେ ଗୋଟାଏ ଗୋଟାଏ ବରଗଛରେ ପରିଣତ ହୋଇଯିବାକୁ ଏପରି ପ୍ରଚଣ୍ଡ ଭାବରେ ଆଗଭର ହୋଇଯାଇଛନ୍ତି ଯେ, ଆଖିରେ ଏହି ଦେଶ ବିଷୟରେ ସତକୁ ସତ କିଛି ସ୍ୱପ୍ନ ଓ କେତେକ ସଂକଳ୍ପ ନେଇ ବାହାରିଥିବା ବ୍ୟତିକ୍ରମମାନେ ସେହି ମହାଗୋଳଟା ଭିତରେ କୁଆଡ଼େ ଦବି ଯାଇଛନ୍ତି, ସତେଅବା ବାଧ୍ୟ ହୋଇ ପାଟି ବନ୍ଦ କରି ବସିଛନ୍ତି । ସେମାନେ ଯେଉଁସବୁ କାରବାର ହେଉଥିବାର ଦେଖୁଛନ୍ତି, ସେଥିରେ ସେମାନଙ୍କର ଆଦୌ ମନ ମାନୁନାହିଁ । ସେମାନେ ମଧ୍ୟ କ୍ଷମତାରେ ରହିବାକୁ ଇଚ୍ଛା କରୁଛନ୍ତି ତଥାପି ନିଜ ନିବେଦନ-କ୍ଷେତ୍ରର ଗଭୀର ଆଗ୍ରହଗୁଡ଼ିକର ଭୂମିରେ ସେମାନେ ଭାରତବର୍ଷ ପାଇଁ ମଧ୍ୟ କିଛି ଘଟୁ ବା ହେଉ ବୋଲି ଇଚ୍ଛା କରୁଛନ୍ତି, ତସ୍କରମାନେ ହଟିଯାଆନ୍ତୁ ଏବଂ ତୋଷାମଦର ଅବସାନ ଘଟୁ ବୋଲି ସତକୁ ସତ ଇଚ୍ଛା କରୁଛନ୍ତି । ଉପସ୍ଥିତ ପ୍ରୟୋଜନଗୁଡ଼ିକର ଅନୁରୋଧରେ ସେମାନେ ତାମସାଗୁଡ଼ିକୁ ସହି ଯାଉଛନ୍ତି ସିନା, ତଥାପି ଭିତରେ ଏକ ଅନ୍ୟ ଅସନ୍ତୋଷ ସେମାନଙ୍କୁ ଭାରି ଅଶ୍ୱସ୍ତି ଭିତରେ ଜାଳି ପୋଡ଼ି ପକାଇବାରେ ଲାଗିଛି । ଏକଦା ସୋଭିଏତ୍ ଋଷିଆରେ ଶ୍ରୀ ଗୋର୍ବାଚୋଭ୍ ଯେପରି ଆଉ ଆଗକୁ ସହି ପାରିଲେ ନାହିଁ ଓ ନିଜ ସିଂହାସନକୁ ନିଜେ ହିଁ ଚ୍ୟାଲେଞ୍ଜ କଲେ, ପ୍ରାୟ ସେହିପରି ଏକ ଅସନ୍ତୋଷ ଭାରତବର୍ଷରେ ମଧ୍ୟ କେତେକ ବ୍ୟକ୍ତିଙ୍କୁ ଅବଶ୍ୟ ଏପରି ଏକ ଗାର ଉପରେ ଆଣି ହାବୁଡ଼ାଇ ଦେବ, ଯେତେବେଳେ କି ସେମାନେ ନିଃଶଙ୍କ ହୋଇଯିବେ, ନିମିତ୍ତ ହେବାକୁ ରାଜି ହୋଇଯିବେ । ଏବଂ, କେବଳ ନିମିତ୍ତ ହୋଇପାରୁଥିବା ଜଣେ ମଣିଷକୁ ଯଥାର୍ଥରେ ଜଣେ ନିର୍ମଳ ମଣିଷ ବୋଲି କୁହାଯାଇ ପାରିବ । ଭଗବାନ ସେହି ମନୁଷ୍ୟମାନଙ୍କୁ ଅଧିକ ବଳ ଦିଅନ୍ତୁ ।

 

ଭାରତୀୟ ରାଜନୀତିରେ ନାୟକ ଓ ଗଡ଼ନାୟକମାନେ ପଦ ଓ କ୍ଷମତାକୁ ଲାଳସା କରି କ୍ରମେ ବଡ଼ ଭୀରୁ ହୋଇ ପଡ଼ିଛନ୍ତି । ଏକଦା ଏକ ସଂଗ୍ରାମର ଫଳଶ୍ରୁତି ସ୍ୱରୂପ ଯେ ଭାରତବର୍ଷକୁ ଏହି ସ୍ଵାଧୀନତା ଆସିଥିଲା, ସେ କଥା ଏହି ପୃଥୁଳମାନେ ପୂରା ଭୁଲିଗଲେଣି । ଅସଲ ରାଜନୀତି ପାଇଁ ସଂଗ୍ରାମ କେବେହେଲେ ସରେନାହିଁ । ଆତ୍ମକାମୀମାନେ ସେହି ପରବର୍ତ୍ତୀ ସଂଗ୍ରାମଗୁଡ଼ିକରେ ଭାଗ ନେବାର ନିମ୍ନତମ ଯୋଗ୍ୟତାକୁ ମଧ୍ୟ ହରାଇ ବସିଛନ୍ତି । ସେମାନଙ୍କର ଏହି ସବୁକିଛି ବ୍ୟକ୍ତିଗତ ଧନ ଓ କ୍ଷମତାର ପରାକ୍ରମ ସତ୍ତ୍ୱେ ସେମାନଙ୍କ ଉପରେ ଭାରି ଦୟା ହେଉଛି । ସେମାନେ ପଛରେ ରହିଯିବେ । ସେମାନଙ୍କ ଭିତରୁ ଯେଉଁ କତିପୟ ତଥାପି ନିଜ ଭିତରୁ ଖେଞ୍ଚା ପାଇ ନିଜ ବିବେକଟିର ସ୍ପନ୍ଦନଟିକୁ ଶୁଣିପାରିବେ ଓ ଆଉ ଗୋଲାମ ହୋଇ ମୁହଁ ବନ୍ଦ କରି ରହିବେ ନାହିଁ ବୋଲି ସାହସର ସହିତ ଅନୁଭବ କରିପାରିବେ, ସେମାନେ ତାହାରି ଦ୍ୱାରା ହିଁ ନିଜ ଯୋଗ୍ୟତାର ପରିଚୟ ଦେବେ ।

 

ସେମାନେ ଜଡ଼ତା ପରିହାର କରି ସାଙ୍ଗରେ ବାହାରିବେ । ଏତେସରି ହେବାପରେ ଯେ ତଥାପି ସେମାନେ ଏହି ଦେଶରେ ମନୁଷ୍ୟମାନଙ୍କର ନିୟତିକୁ ନିର୍ମାଣ କରିବାରେ କିଂଚିତ୍ କାର୍ଯ୍ୟରେ ଲାଗି ପାରୁଛନ୍ତି, ସେଥିପାଇଁ ନିଜର ନକ୍ଷତ୍ରଗୁଡ଼ିକ ପାଖରେ କୃତଜ୍ଞ ରହିବେ । ତେଣୁ ଭଗବାନ୍ କରନ୍ତୁ ଏଣିକି ଅଧିକ ଅଧିକ ମଣିଷଙ୍କର ମୁହଁ ଖୋଲୁ ଓ ସେମାନଙ୍କୁ ମାଧ୍ୟମ କରି କାଳ କଥା କହୁ । ପାଣିମାନେ ଚହଲି ଶିଖନ୍ତୁ ଓ ପଥରମାନେ କଡ଼ ଲେଉଟାଇ ଶିଖନ୍ତୁ । ତେବେ ତଦ୍ଦ୍ୱାରା ବହୁ ଅସାଧ୍ୟ ସାଧ୍ୟ ହୋଇପାରିବ ଏବଂ ବହୁ ଅସମ୍ଭବ ସମ୍ଭବ ହୋଇ ଆସୁଥିବା ପରି ଅନୁଭବ ହେବ । ଦୁର୍ବଳମାନଙ୍କୁ ବଳ ଦେବ । ଭିତରୁ ବଳ ପାଇଲେ ବାହାରଟା ପାଖରେ ଆଉ ମୋଟେ ଡ଼ର ଲାଗିବ ନାହିଁ, ତୋଷାମଦକାରୀର ଭୂମିକାଗୁଡ଼ାକ କେଡ଼େ ସହଜରେ ଛାଡ଼ି ହୋଇଯିବ । ଏହିଭଳି ଏକ ନୂଆ ଅଧ୍ୟାୟ ଆମ ରାଜନୀତିରେ ଘଟିବାକୁ ଯାଉଛି ବୋଲି ଭାରତରେ ଅପେକ୍ଷା କରିଥିବା ଆଗାମୀ ସୋପାନଟି ବାରତା ଦେଇଯାଉଛି ।

Image

 

ଆଦର୍ଶର ଘୋର ଅଭା

 

ସାମ୍ରାଜ୍ୟ ଶାସନର ବେଡ଼ିରୁ ମୁକ୍ତ ହୋଇ ଦେଶ ଯେତେବେଳେ ସ୍ଵାଧୀନ ହେଲା, ସେତେବେଳେ ଆମର ହେତୁ ପାକଳ ହୋଇ ଆସୁଥିଲା । ଯୌବନ ସମର୍ଥ କରାଇ ଆଣୁଥିଲା । ଗୋଟାଏ ସ୍ୱାଧନ ଦେଶ, ଅର୍ଥାତ୍ କେତେ ନା କେତେ ନୂତନ ସୁଯୋଗ । ଆମ ପାଠପଢ଼ାର ମୁଣ୍ଡି ମରାହୋଇ ଆସୁଥିଲା ଏବଂ ତେଣୁ ଆମେ ନିଜର ଉଚ୍ଚ ଭାଗ୍ୟ-ସମ୍ଭାବନାଗୁଡ଼ିକର ସ୍ୱପ୍ନରେ ବିଭୋର ହୋଇ ଯଥାସମ୍ଭବ ସିଡ଼ିଗୁଡ଼ାକର ଅଧିକରୁ ଅଧିକ ଉଚ୍ଚ ଯାଏ ଉଠିଯାଇ ପରିବାର କେତେ ନା କେତେ ମେଦକଳ୍ପନା କରିବାରେ ଲାଗିଗଲୁ । ନିଜକୁ ନେଇ ଜୀବିକାର୍ଜନର ଦାଣ୍ଡିଗୁଡ଼ିକରେ ଉପରକୁ ଉପରକୁ ଉଠିଯିବାର ଏଇ ଯେଉଁ ଭାବନା, ବିଦ୍ୟାବନ୍ତମାନେ ତାହାକୁ ହିଁ ସଫଳତା ବୋଲି କହି ଯାଇଛନ୍ତି । ଆମେ ଅତ୍ୟନ୍ତ ସ୍ୱଭାବନ୍ୟାୟରେ ସଫଳତା ସହିତ ହିଁ ରତି କରିବା ଆରମ୍ଭ କରିଦେଲୁ । ମନୋମତ ଗୁରୁଜନମାନେ ବି ସହଜରେ ମିଳିଗଲେ, ପରାମର୍ଶ ଦେଲେ । ଗୋଟାଏ ଦେଶ ସ୍ୱାଧୀନ ହେବାପରେ ତା’ ସାମ୍ନାରେ ଅବଶ୍ୟ ଆହୁରି କେତେ କେତେ ବ୍ରତ-ସାଧନାର ଅପେକ୍ଷା ରହିଥିଲା । ଆମେ ସେଗୁଡ଼ିକ ଆଡ଼କୁ ମୋଟେ ଅନାଇଲୁ ନାହିଁ । ଗିରିଶିଖରେ କେବଳ ନିଜକୁ ହିଁ ଦେଖିଥିଲୁ । ସେଠାରେ ଭାଗ୍ୟଦେବୀ ଆମକୁ ଅଙ୍କରେ ଧରି ବସିଥିଲେ । ମାଡ଼ି ଆ’ ବୋଲି ଆମକୁ ଟିହାଇ କରି ଡାକୁଥିଲେ । ପୁନଶ୍ଚ, ସ୍ୱାଧୀନତା ପ୍ରାପ୍ତି ନିମନ୍ତେ ଭାରତବର୍ଷରେ ହୋଇ ଆସିଥିବା ସଂଗ୍ରାମରେ ତ ଆମର କୌଣସି ଭୂମିକା ନଥିଲା, ତେଣୁ ସ୍ୱାଧୀନତା ପରେ ଦେଶବାସୀଙ୍କୁ ଆହୁରି କ’ଣ ସବୁ ଯେ ସାଧ୍ୟ ତଥା ସମ୍ଭବ କରିବାକୁ ବାକି ରହିଛି, ଆମେ କାହିଁକି ବା ସେଥିରେ ମଥା ଖେଳାଇ ଥାଆନ୍ତୁ ? ହଁ, ଭାରତବର୍ଷ ସ୍ୱାଧୀନ ହେଲା, ଏକଥା ଜାଣି ଆମେ ଖୁସି ନିଶ୍ଚୟ ହୋଇଥିଲୁ । ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଆମେ ଖୁସି ହେଲୁ ଏବଂ ପରିବର୍ତ୍ତିତ ଏହି ପରିପ୍ରେକ୍ଷୀରେ ସଫଳତା ହାସଲ କରିବାକୁ ଆଗଭର ହେଲୁ ।

 

ଆମେ ଉଚ୍ଚ ପାଠ ପଢ଼ିଥିଲୁ । ପାଠୁଆ ଅଳପ ଥିଲେ, ଚାକିରି ବେଶୀ ଥିଲା । ସ୍ୱାଧୀନ ଦେଶର ଶାସନ ଓ ନିର୍ମାଣ-ଖାତାଟା ବାହାରିବା ପରେ ଆହୁରି ଅଜସ୍ର ଚାକିରି ଖୋଲିଯିବ ବୋଲି ଆଖି ବୁଜି କରି ମଧ୍ୟ କହି ହେଉଥିଲା । ବ୍ରାହ୍ମଣ ଅଳପ ଥିଲେ, ପତର ଅଧିକା ପଡ଼ିଥିଲା । ଆହୁରି ବହୁତ ଗୁଣ ପତରମାନ ପଡ଼ିବ ଏବଂ ସେଥିଲାଗି ବ୍ରାହ୍ମଣମାନଙ୍କୁ ତିଆରି କରିବାକୁ ପଡ଼ିବ ବୋଲି ଯୋଜନା-ଘରୁ ବାବୁମାନେ କହିବାରେ ଲାଗିଥିଲେ । ଆମର ଆଶା-ବୈତରଣୀରେ ପର ଲାଗିଗଲା । ଆମେ ତୁରନ୍ତ ଆସି ପହଞ୍ଚିଗଲୁ ଏବଂ ଭସ୍ କରି ନିଜ ପାଇଁ ଗୋଟିଏ ଜାଗା ମାଡ଼ି ବସିଲୁ । ଅମଲା ହେଲୁ, ହାକିମ ହେଲୁ, ଇଞ୍ଜିନିଅର ଓ ଡାକ୍ତର ହେଲୁ । ଶିକ୍ଷକ ଓ ଅଧ୍ୟାପକ ବି ହେଲୁ । କଚେରୀମାନଙ୍କରେ ଆହୁରି ଦଶଗୁଣ ଓକିଲମାନଙ୍କର ପ୍ରୟୋଜନ ହେଲା । ନୂଆ ନୂଆ ନିର୍ମାଣରେ କୋଟି କୋଟି ପରିମାଣେ ଖରଚ ହେଲା ଏବଂ ତାହାକୁ ନେଇ ଆଣି ଥୋଇ ଜାଣିବାକୁ ଇଲମ ନଥାଇ ମଧ୍ୟ କାନତରାଟିମାନେ ଲୋଡ଼ା ହେଲେ । ଭୂଇଁ ପରେ ଭୂଇଁ ତଡ଼ା ହେଲା,- ଯେତିକି ବେଶୀ ତଡ଼ା ହେଲା, ସେତିକି ଅଧିକ ଧନସମ୍ପତ୍ତିର ବଜାର ମେଲା ହୋଇଗଲା । ବିଦେଶରୁ ମଧ୍ୟ ବେତା ବେତା ଧନ ମିଳିଗଲା । ଏତେ ଭାଗ୍ୟ ଭାରତବର୍ଷର ଆଗରୁ ହୁଏତ କେବେହେଲେ ହୋଇନଥିଲା । ଆମେ ଶିକ୍ଷିତମାନେ, ସଚେତନମାନେ ତାହାକୁ ଗୋଟାସୁଦ୍ଧା ନିଜର ଭାଗ୍ୟ ବୋଲି ସମଝି ନେଲୁ ଏବଂ ଛଅ ଛଅଟା ପୁରୁଷର ପାରିଲାପଣ ଦେଇ ସେହି ଭାଗ୍ୟକୁ ଭୋଗ କରିବାରେ ଲାଗିଗଲୁ । ନିଷ୍ଠାପର ଭାବରେ ଗୋଲାମ ହୋଇଗଲୁ, ଗୋଲାମଙ୍କ ପରି କେବଳ ସେତିକିରେ ହିଁ ସ୍ୱଧର୍ମ-ପାଳନ ପୂରା ହୋଇଗଲା ବୋଲି ମଣିଲୁ ଏବଂ ଗୋଲାମଙ୍କ ପରି ହେଣ୍ଡି ମାରିଲୁ । ନିଜେ ପଢ଼ିଥିବା ପାଠକୁ ସାର୍ଥକ କଲୁ । ନିରୁପଦ୍ରବ ହୋଇ ସଂସାରଟିକୁ ଅଧିକରୁ ଅଧିକ ଚିକ୍କଣ ଏବଂ ଗେଲବସର କରି ଗଢ଼ିଲୁ । ରାଜଧାନୀରେ ଘର କଲୁ । ସାଧୁସଙ୍ଗ କଲୁ, ସାହିତ୍ୟ ଚରିଲୁ ଏବଂ ସଂସ୍କୃତି ଭିତରେ ରହିଲୁ । କିଛି ନ କଲେ ମଧ୍ୟ ଆମ ଦରମାଟା ଆମକୁ ଅଲବତ ମିଳିଲା । ଏହି ଦେଶରେ ଆମେ ସର୍ବମୋଟ ଶତକଡ଼ା ଦଶଭାଗ ହୋଇ ନଥିଲେ ମଧ୍ୟ ଆମ ଲାଗି ପ୍ରକୃତରେ ଏକ ପୂର୍ଣ୍ଣଗର୍ଭ ପୌଷମାସ ପ୍ରାପ୍ତ ହୋଇଗଲା । ଆମେ ଜୀବନଟାଯାକ ସେତିକି ଭିତରେ ଶୋଇଗଲୁ । ଆଉ ଅଧିକ କିଛି ହେଲେ ଖୋଜିଲୁ ନାହିଁ । ଦେଶରେ ଆମକୁ ଛାଡ଼ି ମଣିଷ ରହିଛନ୍ତି ବୋଲି ଭାବିଲୁ ବି ନାହିଁ । ଅଥବା, ସେପରି ଭାବିବାକୁ ସତେ ଅବା ଏକ ବେରାମ ବୋଲି ଭାବିଲୁ ।

 

ଏବଂ, କାଳଟାକୁ ପେଟେ ଭୋଗ କରିସାରିବା ପରେ, ଆମେ ବୁଢ଼ା ହୋଇ ବୟସଭଙ୍ଗ ହେବାପରେ ଦେଶରେ ଆଦର୍ଶର ଘୋର ଅଭାବ ଘଟିଲା ବୋଲି ଆମେ କାହିଁକି ଏଡ଼େ ପାଟିରେ କହିବାକୁ ମନ କରିବା ? ଆଗେ ଅଳପ ଲୋକଙ୍କ ଭାଗ୍ୟରେ ସବୁ କିଛି ପ୍ରାପ୍ତ ହୋଇ ରହିଥିଲା ଏବଂ ଅଧିକ ଲୋକ ନାନାଭାବେ ବଂଚିତ ହୋଇ ରହିଥିଲେ ମଧ୍ୟ କିଛି କହିପାରୁ ନଥିଲେ,- ଆମ ଆଦର୍ଶମାନେ ସେତେବେଳେ କୁଆଡ଼େ ଥିଲେ ? ଆମେ ସବୁ ଯେତେବେଳେ ଅଧ୍ୟାପକ, ହାକିମ, ଓକିଲ, ଡାକ୍ତର ବା ଆଉ କ’ଣ ସବୁ ବନି ତୁଚ୍ଛା ଗୋଲାମୀ କରୁଥିଲୁ, ସେତେବେଳେ ଏହି ଦେଶରେ ଆଦର୍ଶମାନେ ସତକୁ ସତ ଥିଲେ ତ ? ଶିକ୍ଷା ଗୁହାଳ ହୋଇ ପଡ଼ିଥିଲା, ଶାସନରେ ତସ୍କରମାନେ ଇଂରାଜୀ କହୁଥିଲେ ବୋଲି ଆମେ ସେମାନଙ୍କୁ ଭଦ୍ରଲୋକ ବୋଲି ଭାବି ହୁଡ଼ିକରି କିଛି କହି ପାରୁ ନଥିଲୁ । ନେତାମାନେ ଉପରୁ ବରବେଶ ପିନ୍ଧି ବୁଲୁଥିଲେ ସିନା, ମାତ୍ର ସେମାନେ ଗିଳିଥିବା ଏହି ଦେଶର ଧନରେ ସେମାନଙ୍କର ବେକଯାଏ ଗୋଧିପେଟ ପରି ଫୁଲିକରି ରହିଥିଲା । ଗୋଲାମମାନଙ୍କ ପାଖରେ, ବାବୁମାନଙ୍କ ପାଖରେ, ସରକାରୀ ସମ୍ପଦକୁ ଲୋକମାନଙ୍କର ଉନ୍ନୟନ ନିମନ୍ତେ ଖରଚ କରିବା ଲାଗି ପ୍ରଜାଠାରୁ ବେତନ ପାଉଥିବା ହାକିମମାନଙ୍କ ପାଖରେ ଏବଂ ସର୍ବୋପରି ସବୁଠାରୁ ଅଧିକ ପରିପାଟୀର ଏକ କାମଗୁଞ୍ଜର ପ୍ରାଏ ବେଶ ଧାରଣ କରିଥିବା ହଟିଆ ନେତା ଏବଂ ପ୍ରତିନିଧିମାନଙ୍କ ପାଖରେ ଆଦର୍ଶ କୋଉଦିନ କ’ଣ ଥିଲା ଯେ, ଆଜି ଚାଲିଯିବାରୁ ତାହାର ଅଭାବ ଘଟିଲା ? ଶିକ୍ଷାରେ ଯଦି ଆଦର୍ଶ ଥିଲା, ଏପରିକି ଶିକ୍ଷକ ଓ ଅଧ୍ୟାପକମାନେ ଯଦି ଜୀବିକା ପାଖରେ ନୁହେଁ, ମାତ୍ର ଶିକ୍ଷା ପାଖରେ ଛଦାମ ପରିମାଣରେ ନିମକସଚ୍ଚା ହୋଇ ରହିଥିଲେ, ତେବେ ଶିକ୍ଷା ବଦଳିଲା ନାହିଁ କାହିଁକି ? ଶିକ୍ଷା ବିଭାଗରେ କଂସମାନଙ୍କର ତୁଙ୍ଗ ପାରିଷଦ ହେବାର ସୁଯୋଗ ଲାଭକରି ସଫଳ ହେବାପରେ ଯେଉଁମାନେ ରାଜଧାନୀରେ ସ୍ୱ ସ୍ୱ ହର୍ମ୍ୟାଶ୍ରମମାନଙ୍କରେ ସଜ୍ଜନତୁଲ୍ୟ ବାନପ୍ରସ୍ଥ ଜୀବନଟିଏ ଅତିବାହିତ କରୁଛନ୍ତି ଏବଂ ଆଦର୍ଶର ଘୋର ଅଭାବ ହେଲାଣି ବୋଲି ହାଟବାହୁଡ଼ା ହୋଇ କହୁଛନ୍ତି, ଜୀବନର ଅସଲ ପ୍ରୀତି ତଥା ଅସଲ ଅନୁରକ୍ତିଗୁଡ଼ିକର ପାରିଲା ସମୟରେ ସେମାନେ ଆଦର୍ଶଗୁଡ଼ିକୁ କେଉଁଠି ଲୁଚାଇ ରଖିଥଲେ ବୋଲି ସେମାନଙ୍କୁ ପଚାରିଲେ ହୁଏତ ଭଲ ହୁଅନ୍ତା । ବିଳାପ ନକରି ସେମାନେ ଅନ୍ତତଃ ଏକ ବିତର୍କ ହେଲେ କରାଇ ପାରନ୍ତେ ।

 

ଆଦର୍ଶ ବହିରେ ଥିଲା, ଶାସ୍ତ୍ର ଭିତରେ ଥିଲା । ଗୁରୁମୁଖରେ ରହିଥିଲା । ଭର୍ତ୍ତୃହରିଙ୍କ ଠାରୁ ବିଷ୍ଣୁ ଶର୍ମାଙ୍କ ପର୍ଯ୍ୟନ୍ତ କବି ଓ କଥାକାରମାନଙ୍କର ସାହିତ୍ୟବନ୍ଧ ଭିତରେ ରହିଥିଲା । ଜ୍ଞାନ ଥିଲା, ମାତ୍ର ସେହି ଜ୍ଞାନରେ ଦୀପ୍ତି ନଥିଲା । ଜ୍ଞାନ ପୋଥିରେ ଲେଖା ହୋଇ ଲାଇବ୍ରେରୀ ନାମକ ପିଣ୍ଡ ଭିତରେ ଥିଲା, ସରସ୍ୱତୀ ରୂପେ ପୂଜା ପାଉଥିଲା । ସତ୍ୟନାରାୟଣଙ୍କର ସିରିଣି ଖାଇ କେହି ତାହାରି ବଳରେ କଦାପି ସତ୍ୟବାନ ହୋଇ ଯାଆନ୍ତି ନାହିଁ । ସତ୍ୟ ପାଇଁ ରାଜି ହେଲେ ଯାଇ ସତ୍ୟ ଆମର ଦୁଆରମୁହଁକୁ ଆସି ଆମକୁ ହାବୁଡ଼େ ଓ ଆମର ସାଙ୍ଗ ହେବ ବୋଲି ପ୍ରତିଶ୍ରୁତି ଦେଇପାରେ-। ସରସ୍ୱତୀ ସକଳ ଜଡ଼ତାକୁ ଅପହରଣ କରନ୍ତି ବୋଲି ସ୍ତ୍ରୋତ୍ରରେ ଗାଇଦେଲେ ଜଡ଼ତା ଆଦୌ ଚାଲିଯାଏ ନାହିଁ । ନିଜେ ଜଡ଼ତାକୁ ପରିହାର କରିବାର ଏକ ନିଷ୍ପତ୍ତି ଗ୍ରହଣ କଲେ ଯାଇ ନିଜର ଗତିଶୀଳ ବ୍ରତାୟତନ ମଧ୍ୟରେ ସରସ୍ୱତୀଙ୍କୁ ସ୍ପର୍ଶ କରିବା ସମ୍ଭବ ହୁଏ । ଏବଂ, ନିଜର ଏହି ସ୍ଵାର୍ଥରୂପୀ ସାନଗାଡ଼ିଆଠାରୁ ବୃହତ୍ତର ଆଉ କିଛିର ନିମିତ୍ତ ହୋଇପାରିଲେ ଯାଇ ଜଡ଼ତାକୁ ନିକାଲି ଦେବାର ବଳ ସତେ ଅବା ସେହି ପ୍ରସାଦରୁ ହିଁ ପ୍ରାପ୍ତ ହୋଇଥାଏ । ସେହି ବୃହତ୍ତର ଆଉ କିଛି, ସେଇଟି ଆଦର୍ଶ । ଆଦର୍ଶ ହାଟରେ ବିକ୍ରି ହୁଏନାହିଁ । ବେଶୀ ପାଠ ପଢ଼ିଲେ କିମ୍ବା ଗୋଟାଏ ବଡ଼ ଚାକିରିରେ ମହନ୍ତ ହୋଇ ବସିଲେ ଆଦର୍ଶ ଆମ ପିଅନମାନଙ୍କ ଦ୍ଵାରା ବୁହାହୋଇ ଆମ ଘରେ ଆସି ମୋଟେ ପହଞ୍ଚି ଯାଏ ନାହିଁ । ବୟସ ବଢ଼ିଲେ ଆଦର୍ଶ ମୋଟେ ସେହି ଅନୁସାରେ ବଡ଼େ ନାହିଁ-। ଅନେକ ବ୍ୟକ୍ତି ତ ବୟସରେ, ବେତନରେ ଏବଂ ବହପରେ ବଢୁଥିବା ଅନୁସାରେ କେଉଁ ଇନ୍ଦ୍ରଜାଲରେ ପଡ଼ି ଏପରି ଚାଲାଖ ଓ ସତର୍କ ହେବାରେ ଲାଗିଥାନ୍ତି ଯେ, ନିଜର ଆଦର୍ଶକୁ କ୍ରମେ ହରାଇ ଦେବାରେ ହିଁ ମନ ଦିଅନ୍ତି । ସେମାନେ ସଫଳ ହୋଇ ମରନ୍ତି । ସଫଳମାନଙ୍କର ଆଦର୍ଶ ହୋଇ ରହିଯାଆନ୍ତି ।

 

ସ୍ୱାଧୀନତା ପରେ ଏବେ ଆଦର୍ଶ ବିଷୟରେ ତୁଣ୍ଡରେ ମଧ୍ୟ ଯହ କଥା କୁହାଗଲାଣି । ଆଦର୍ଶଟିଏ ପାଇଲେ କୋଟିନିଧି ପାଇଥିବା ପରି ତାହାକୁ ସଙ୍ଗୀ କରି, ସମ୍ମୁଖସ୍ଥ ତାରା କରି ବଞ୍ଚିବାରେ ହିଁ ଏତେ ଏତେ ଖୁସିରେ ବେଳ ଚାଲିଯାଉଥାଏ ଯେ, ସେହି ବିଷୟରେ କହିବା ପାଇଁ ହୁଏତ ଫୁରସତ ବି ନଥାଏ । ଆମ ଚତୁର୍ଦ୍ଦିଗରେ କ୍ରମେ ତୁଣ୍ଡସର୍ବସ୍ୱ ଏକ ବିଶେଷ କାଟର ମନୁଷ୍ୟଙ୍କର ଏତେ ବେଶୀ ପ୍ରାଦୁର୍ଭାବ ଘଟିଲାଣି ଯେ, ସେମାନେ ଆଦର୍ଶକୁ ପ୍ରାୟ ଏକ ପ୍ରୀତିଦାୟକ ତୁଣ୍ଡମୈଥୁନର ବସ୍ତୁରେ ପରିଣତ କରି ସାରିଲେଣି । ଆମର ଏହି ଯୁଗର ସବାଉଚ୍ଚ ଅଳିନ୍ଦମାନଙ୍କରେ ନାଚୁଥିବା ପ୍ରବରମାନେ କେତେ ନା କେତେ କଥାକୁ ତୁଣ୍ଡରେ କହିଦେଇ ହିଁ ସତେଅବା ଶତପୁତ୍ର ପ୍ରସବ କରିବାର ପୁଲକ ଲାଭ କରି ପାରୁଛନ୍ତି । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଆଗରେ ଆଦର୍ଶର ପାକୁଳି କରି କରି ମୋଟେ କ୍ଳାନ୍ତ ହେଉନାହାନ୍ତି । ବଡ଼ମାନେ ସଭାରେ ଶିଶୁମାନଙ୍କୁ ଭଲ ମଣିଷ ହେବାଲାଗି ଆୟୋଜିତ ହେଉଥିବା ଉତ୍ସବମାନଙ୍କରେ ଏବଂ ପରିବାରରେ ତୁଣ୍ଡରେ ପିଲାମାନଙ୍କ ପାଇଁ ଆଦର୍ଶଗୁଡ଼ିକୁ କୋଠିରେ ସଜାଇ କାହାଣ କାହାଣ କଥା କହିବାରେ ଲାଗିଛନ୍ତି । ନିପଟ ଡ଼ରୁଆ ଓ ଛେରୁଆମାନେ ସାହସର କଥା କହୁଛନ୍ତି, ପ୍ରକୃତରେ ଚରିତ୍ର କ’ଣ ବୋଲି ନିଜ ଜୀବନରେ ଆଦୌ କୌଣସି ଜିଜ୍ଞାସାର ସମ୍ମୁଖୀନ ହୋଇନଥିବା ବହଳ ମଣିଷମାନେ ଚରିତ୍ରର କଥା କହୁଛନ୍ତି । କିଏ ତ୍ୟାଗ ବିଷୟରେ କହୁଛି, କିଏ ଦେଶ ପ୍ରତି ଓ ଜାତି ପ୍ରତି ଆମର କର୍ତ୍ତବ୍ୟ ବିଷୟରେ କହୁଛି । ବାବାଜୀମାନେ ନିଷ୍ଠାଜୁକୁଜୁକୁ ଆଖିରେ ଦରିଦ୍ରନାରାୟଣ ବିଷୟରେ କହୁଛନ୍ତି । ଅସାଧୁମାନେ ସାଧୁତା ବିଷୟରେ ପୂରା ପ୍ରତ୍ୟୟରେ କହିପାରିବେ ବୋଲି ଗାଲ ଉପରେ ଗାଲେ ଚନ୍ଦନ ବୋଳି ହୋଇଛନ୍ତି । କହୁଥିବା ଏହି ସବୁଯାକ ମଣିଷ ନିଜ ନିଜ କୋରଡ଼ ଭିତରେ ରହି ଯାହା କିଛି କହୁଛନ୍ତି । ଏବଂ, କ୍ଷମତାରେ ବସିଥିବା ଆମ ମସ୍ତ ଓ ମହାମନାମାନେ ସତେଅବା ଏକ ବିଶେଷ ଆଗ୍ରହର ଉତ୍ତେଜନା ପ୍ରକଟ କରି ଆଦର୍ଶ ବିଷୟରେ କହୁଛନ୍ତି । ଆଦର୍ଶମାନେ କୁଆଡ଼େ ଚାଲିଗଲେ ବୋଲି ଘୋଷଣା କରି ସେମାନଙ୍କୁ ଅଣ୍ଡାଳି ଆଣିବା ଲାଗି ଉଦ୍ବୋଧନ ଦେଉଛନ୍ତି । ବିଶେଷ ଉତ୍ତେଜନା ଏଇଥିଲାଗି ଯେ, ସେମାନେ କେତେଦିନ କ୍ଷମତାରେ ଏହି ବିଧାତାଦତ୍ତ ସିଂହାସନଟି ଉପରେ ବସି ପାରୁଥିବେ, ସେକଥା ସେମାନେ ନିଜେ ମଧ୍ୟ ଜାଣିନାହାନ୍ତି ।

 

ଦିନ ଥିଲା, ଯେତେବେଳେ ଆଦର୍ଶମାନେ ଥିଲେ, ଅନେକ ସମୟରେ ଆମେ ଏହିଭଳି କଥାମାନ କହି ମଣିଷମାନଙ୍କର ମନକୁ ବର୍ତ୍ତମାନଠାରୁ ହଟାଇ ଅତୀତକୁ ନେଇଯିବାକୁ ଇଚ୍ଛା କରିଥାଉ । ଅତୀତରେ ସବୁକିଛି ଥିଲା, ଦେବତାମାନେ ଏଠି ଧରାପୃଷ୍ଠରେ ବିଚରଣ କରୁଥିଲେ ଓ ଚାହିଲା ମାତ୍ରକେ ଦୃଷ୍ଟିଗୋଚର: ହେଉଥିଲେ । ରାଜାମାନେ ଧର୍ମରେ ଶାସନ କରୁଥିଲେ, ପ୍ରଜାମାନଙ୍କର ସୁଖ ହିଁ ସେମାନଙ୍କର ସବାଆଗ କାମ୍ୟ ହୋଇ ରହିଥିଲା । ସତୀମାନେ, ତ୍ୟାଗୀମାନେ, ବୀରମାନେ ଏବଂ ଚିରସ୍ମରଣୀୟମାନେ କେବଳ ସେହି ଅତୀତରେ ରହିଥିଲେ । ମଣିଷକୁ ବର୍ତ୍ତମାନ ପ୍ରତି ବିମୁଖ ଏବଂ ନିଷ୍ପ୍ରଭ କରି ରଖିବା ନିମନ୍ତେ ଆମେ ଏହିସବୁ କଥାକୁ ଏକ କୌଶଳ ରୂପେ ବ୍ୟବହାର କରୁନାହିଁ ତ ? ବିଶେଷତଃ ଆମର ନିଜ ଦେଶ ଏହି ଭାରତବର୍ଷରେ ଆଦର୍ଶ କଥାଟିଏ କହିବାବେଳେ ସମସ୍ତେ ଆମକୁ ଇତିହାସ ଆଡ଼କୁ ହିଁ ଭୁଲାଇ ନେଇପାରନ୍ତି । ଆମ ଲୌକିକ କଳ୍ପନା ଅନୁସାରେ ସତ୍ୟଯୁଗ ବି ଏକଦା ଥିଲା, ତାହା ଆଉ କଦାପି ଲେଉଟି ଆସିବ ନାହିଁ । ସତ୍ୟଯୁଗ ପରେ ପୃଥିବୀ କ୍ରମେ ଧର୍ମରେ ଅଧିକରୁ ଅଧିକ ଊଣା ହେବାରେ ଲାଗିଛି ଏବଂ କଳିରୁ ଘୋର କଳି ଭିତରେ ଆସି ପହଞ୍ଚିଛି । ଏହିଭଳି ନାନା ନିରୁତ୍ସାହକାରୀ କାହାଣୀକୁ ଏଡ଼େ ବଡ଼ କରି ଦର୍ଶାଇ ଭାରତବର୍ଷରେ ମଣିଷକୁ ଦୁର୍ବଳ ଓ ବାଧ୍ୟ କରି ରଖାଯାଇ ନାହିଁ ତ ? ସମ୍ଭବତଃ ସେଇଥିଲାଗି ଭାରତବର୍ଷ ପରିବର୍ତ୍ତନ ବିଷୟରେ ପୁରୁଣା ସଂକୀର୍ଣ୍ଣତାମାନଙ୍କୁ ଛାଡ଼ି ଏକ ନୂତନ ବିସ୍ତୃତି ଭିତରକୁ ଆସିବାର କ୍ଷେତ୍ରରେ କାଳେ କାଳେ ଏପରି କାତର ହୋଇ ରହି ଆସିଛି । ଅତୀତରେ ଯେଉଁସବୁ ଆଦର୍ଶ ସମାଜ ବା ସମୂହ ଆଗରେ ରହିଥିଲା, ବର୍ତ୍ତମାନ ତଥା ସମ୍ମୁଖସ୍ଥ ପୃଥିବୀ ନିମନ୍ତେ ସେଗୁଡ଼ିକ ମୋଟେ ଯଥେଷ୍ଟ ହେବନାହିଁ । ସେତେବେଳେ କେବଳ ଥୋକେ ମଣିଷ ଆଲୋକରେ ରହବେ ବୋଲି ବାକିମାନଙ୍କୁ ଅନ୍ଧାର ଭିତରେ ରଖିଦିଆ ଯାଇଥିଲା ଓ ତାହାକୁ ନ୍ୟାୟ ବୋଲି କୁହାଯାଉଥିଲା । ସେତେବେଳେ ଭାଗ୍ୟ ଅନୁସାରେ ବିଦ୍ୟା ମିଳୁଥିଲା, ଧନ ଉପରେ ଅଧିକାର ଦିଆଯାଉଥିଲା । ସମାଜର ଅଧିକାଂଶ ମଣିଷ ନାନାପ୍ରକାରେ ଦାସ ହୋଇ ରହିଥିଲେ ଏବଂ ତାହାକୁ ହିଁ ଅବଶ୍ୟମ୍ଭାବୀ ବ୍ୟବସ୍ଥା ବୋଲି ମାନି ନିଆଯାଉଥିଲା । ନିଦ୍ରାଭଙ୍ଗକାରୀ ଯାବତୀୟ ଆଧ୍ୟାତ୍ମକଥା ଯେଉଁସବୁ ବହିରେ ଲେଖା ହୋଇ ରହିଥିଲା, ସେହି ବହିଗୁଡ଼ିକୁ କେତେକ ଭାଗ୍ୟବାନ ବର୍ଗମାନେ ପାଠକରି ପାରୁଥିଲେ । ସଂସ୍କୃତ ଭାଷା ମାତ୍ର ଅଳପଙ୍କ ଲାଗି ଗମ୍ଭୀରି ଘରର ଭାଷା ହୋଇ ରହିଥିଲା ଏବଂ ସେହି ଭାଷାକୁ ଜାଣିଥିବା ପଣ୍ଡିତମାନେ ହିଁ ନ୍ୟାୟ ଅନ୍ୟାୟର ସୂତ୍ର ନିରୂପଣ କରୁଥିଲେ । ଏବେ ଯେପରି ଇଂରାଜୀ ଭାଷାକୁ ପାଟବସ୍ତ୍ର ପରି ପିନ୍ଧି ବେଢ଼ା ହୋଇଥିବା ଆମ ସମାଜରେ ଥୋକେ ଅବଶିଷ୍ଟଙ୍କ ଉପରେ ତଥା ସମ୍ପୂର୍ଣ୍ଣ କାଳଟାର ନିୟତି ଉପରେ ଘୋଡ଼ା ହୋଇ ବସିଛନ୍ତି, ପ୍ରାୟ ସେହି ସ୍ଥିତିଟି ରାଜତ୍ୱ କରୁଥିଲା ।

 

ପିଲାଦିନର କଣ୍ଢେଇମାନେ ଯେପରି ବଡ଼ ହେବାପରେ ଆଉ ମୋଟେ କାମରେ ଲାଗନ୍ତି ନାହିଁ, ସେ କାଳର ବହି, ସେ କାଳର ହିତବାଣୀ ଏବଂ ସେ କାଳର ଆଦର୍ଶମାନେ ପ୍ରକୃତରେ ଭାରତବର୍ଷରେ ଚାଲିବା ପାଇଁ ଅପେକ୍ଷା କରି ରହିଥିବା ପରବର୍ତ୍ତୀ ପଥଗୁଡ଼ିକରେ ଆଉ ମୋଟେ ବେଶୀ ସାହାଯ୍ୟ କରିପାରିବେ ନାହିଁ । ପୁରୁଣା ଆଦର୍ଶଗୁଡ଼ିକ ପେଡ଼ିରେ ରହିବେ, ସଂଗ୍ରହାଳୟରେ ରହିବେ । ସେଗୁଡ଼ିକ ବିଷୟରେ ଆଲୋଚନା ହେବ, ବିଶ୍ଳେଷଣ ମଧ୍ୟ ହେବ । ସେ କାଳର ଅଳଙ୍କାରକୁ ଆଉ କେହି ହେଲେ ଦେହରେ ପିନ୍ଧିବାକୁ ମନ କରିବେ ନାହିଁ । ହଁ, ସେଗୁଡ଼ିକୁ ଆଉଟିଲେ ଯେଉଁ ସୁନା ବାହାରିବ, ତାହା ଅବଶ୍ୟ କାମରେ ଲାଗିବ । ସେଥିରୁ ନୂଆ ଗହଣାମାନ ଅବଶ୍ୟ ତିଆରି ହୋଇପାରିବ ଓ ସେସବୁ ନିଶ୍ଚୟ କାମରେ ଲାଗିବ । ଏକତା, ସଂହତି, ସମଭାବନା, ବିନୟ, ସଦାଚରଣ, ଭକ୍ତିଭାବ, ବ୍ୟବସାୟାତ୍ମକା ବୁଦ୍ଧି,- ଏସବୁ ଏବେ ବହୁ ଅନ୍ୟ ନୂତନ ବ୍ୟଞ୍ଜନାକୁ ବୁଝାଇବ । ଆମେ ଯାହାକିଛି ଆମ ସମ୍ମୁଖରେ ଆଦର୍ଶ ବୋଲି ଆଣିଥିବା, ସେଥିରେ ମଣିଷମାତ୍ରେ ନିଶ୍ଚୟ ସମସ୍ତଙ୍କ ପାଇଁ ସ୍ଥାନ ରହିଥିବ । ଅତୀତରେ ପାରମ୍ପରିକ ସେ କାଳଟିରେ ବିଜ୍ଞାନ କହିଲେ ଯେତିକି ସତ୍ୟ ତଥା ଅନୁମାନକୁ ବୁଝାଉଥିଲା, ସେତେବେଳେ ତାହାରି ଅନୁସାରେ ସାମୂହିକ ମୀମାଂସକ ଅର୍ଥାତ୍ ଆଦର୍ଶମାନଙ୍କର ନିର୍ଣ୍ଣୟ ହେଉଥିଲା । ଏବେ ଏକାଳଟିରେ ବିଜ୍ଞାନ କହିଲେ ପରିବ୍ୟାପ୍ତ ଅର୍ଥରେ ଯେତେ ଯାହାକୁ ବୁଝାଇଲାଣି, ଏବର ଆଦର୍ଶଟା ତାହାରି ଅନୁସାରେ ହେବ । ନହେଲେ କନ୍ଦଳ ଲାଗି ରହିଥିବ ଏବଂ ଯାହାସବୁ ଆମ ଆଖିଆଗରେ ଘଟୁଛି, ଆମ ପୁରୁଣା angryମାନଙ୍କୁ ତାହା ଅରାଜକତା ପରି ହିଁ ଲାଗୁଥିବ ।

 

ଗଣତନ୍ତ୍ର ଦ୍ଵାରା ହିଁ ଯଥାର୍ଥ ଆଧ୍ୟାତ୍ମର ଅନୁକୂଳତମ ଭୂମିଟି ଉପଲବ୍ଧ ହୋଇପାରିବ । ଏବର ସମଗ୍ର ପୃଥିବୀରେ ଜନସମୂହ, ଏବର ରାଷ୍ଟ୍ରମାନେ ନୁହନ୍ତି, ଯେଉଁ ତନ୍ତ୍ରର ପ୍ରତିଷ୍ଠା ଲାଗି ପିପାସିତ ହୋଇ ରହିଛନ୍ତି ଏବଂ କ୍ରମେ ବିକ୍ଷୁବ୍ଧ ହୋଇ ଉଠିଲେଣି, ତାହା ହେଉଛି ଗଣତନ୍ତ୍ର । ରାଜତନ୍ତ୍ର, କର୍ତ୍ତୃତ୍ଵ ଦ୍ଵାରା ପ୍ରବଳମାନଙ୍କର ଶାସନ,- ଏସବୁ କ୍ରମେ ଭୁଶୁଡ଼ି ପଡ଼ିବେ । ମଣିଷ ଆଗକୁ ଆଗକୁ ଯାଇ ମସ୍ତିଷ୍କକୁ ନୁହେଁ, ହୃଦୟକୁ ହିଁ ଅଧିକରୁ ଅଧିକ ଅନୁରାଗ ସହିତ ଲୋଡ଼ିବ । ବିଜ୍ଞାନ ତାର ଅନୁରାଗରେ ଗୋଡ଼ହାତ ଖଞ୍ଜିଦେବ, ଡ଼େଣା ଲଗାଇଦେବ । ରାଜତନ୍ତ୍ର, ପ୍ରଭୁତ୍ୱରେ ଆସ୍ଥା ରହିଥିବା ଯେକୌଣସି ତନ୍ତ୍ର ଆମ ଆଦର୍ଶମାନଙ୍କୁ ବୋମା ଯାଏ ଆଣି ଆମ ସମସ୍ତଙ୍କୁ ବୋକା ବନାଇ ରଖିଛି । ଆମକୁ ବଡ଼ ସ୍ଥାନୀୟ ଏବଂ ଉଗ୍ର କରି ପକାଉଛି । ମହାକାଳ ଏଇଟିକୁ ବି ପାରି ହୋଇଯିବ । ମାତ୍ର ସେଥିପାଇଁ ଏକାବେଳେଳେ ଅନ୍ୟ ଆଦର୍ଶମାନେ କାମରେ ଲାଗିବେ, ଅନ୍ୟ ଏକ ହୃଦୟର ଉଦ୍ବୋଧନ ଦେବେ ।

Image

 

ସରକାର ଓ ସାହିତ୍ୟ

 

ଗତ ପଚାଶଟା ବର୍ଷ ଭିତରେ ସରକାର ଏତେ ଆଳରେ ସାହିତ୍ୟ ଭିତରକୁ ପଶି ଆସିଲେଣି ଏବଂ ଆମ ସାହିତ୍ୟ ଏକାଡ଼େମୀର ପିଣ୍ଡିଟା ଉପରେ ପ୍ରାୟ ଗୋଟାସୁଦ୍ଧା ରଜା ହୋଇ ବସିଲେଣି ଯେ, ସତେଅବା ଅଭ୍ୟାସରେ ପଡ଼ି ସରକାରଙ୍କ ବ୍ୟତୀତ ଆଉ ସାହିତ୍ୟ ବିଷୟରେ କୌଣସି ଚିନ୍ତା କରି ହେଉନାହିଁ । ବେକରେ ମାଳୀ ନଥିଲେ ଯେପରି ବେକଟା ଲଙ୍ଗଳା ଲାଗେ, ସରକାରଙ୍କ ପିଣ୍ଡାରେ ବହେ ଓଲ୍ ଦୋଲ୍ ନହୋଇ ପାରିଲେ ବହୁତ ସାହିତ୍ୟବାଲା ହୁଏତ ଏବେ ଆପଣାକୁ ମୋଟେ ସଧବା ବୋଲି ଭାବି ପାରୁନାହାନ୍ତି । କହ୍ନେଇଙ୍କ ବାଡ଼ିରେ କେତେବେଳେ ଦନେଇ ଚୋର ହୋଇ ଛପି ଛପି ପଶି ଯାଉଛନ୍ତି ଏବଂ ପୁଣି କେତେବେଳେ ଦନେଇଙ୍କ ବାଡ଼ିରେ କହ୍ନେଇ ଆସି ବି କର୍ତ୍ତା ହୋଇ ବସୁଛନ୍ତି ।

 

ସରକାର ସାହିତ୍ୟକୁ ଧରି ଦଣ୍ଡନାଟରେ ବାହାରିବାର କାହାଣୀଟି ଆଦୌ ବେଶୀଦିନର ନୁହେଁ । ରାଜ୍ୟରେ ପ୍ରଥମ ନିର୍ବାଚନ ପରେ ଗଠିତ ସରକାରର ଯିଏ ପାଟମନ୍ତ୍ରୀ ହୋଇ ଆସିଲେ, ଆମ ସମସ୍ତଙ୍କର ସୌଭାଗ୍ୟ ଅଥବା ଦୁର୍ଭାଗ୍ୟ ଯେଉଁ କାରଣରୁ ହେଉ ପଛକେ, ସିଏ ସ୍ୱୟଂ ସାହିତ୍ୟିକ ଥିଲେ । ଦ୍ୱିପତ୍ନୀକ ଭୂମିକାରେ ରାଜନୀତି ତଥା ସାହିତ୍ୟ ଉଭୟ ପ୍ରତି ତାଙ୍କର ପ୍ରବଳ ଦୁର୍ବଳତା ରହିଥିଲା । ଶାସନର ସର୍ବୋଚ୍ଚ ପଦରେ ବସି ସିଏ ତାଙ୍କର ସାହିତ୍ୟପ୍ରୀତିକୁ ମଧ୍ୟ ଦରବାରୀ ରୂପ ଦେଇପାରିବେ ବୋଲି ବୁଝିଲେ ଓ ନିଜ ହତା ଭିତରେ ବର୍ଷକୁ ଥରେ ଏକ ସାହିତ୍ୟିକ ନହବତ ବି ବସାଇଲେ । ଉଦ୍ୟମଟି ଭୀଷଣ ଭାବରେ ଆଦୃତ ହେଲା ଓ କ୍ରମେ ଆମ ରାଜ୍ୟରେ ଠାକୁରଙ୍କର ଚନ୍ଦନଯାତ ପରି ସାହିତ୍ୟ ପାଇଁ ବିଶେଷ ଅବସରଟିଏ ହୋଇ ରହିଲା । ଏବେ ତ ତାହା ନିଦାଘ ମିଳନ ରୂପେ ସାନ ବଡ଼ ସତୁରି କି ଶହେ ସତୁରି ଜାଗାରେ ପାଳିତ ହେଲାଣି ।

 

ସେତେବେଳେ ରାଜ୍ୟରେ ଏକାଡ଼େମୀ ଫେକାଡ଼େମୀ ଆଦୌ କିଛି ନଥିଲା । ଏକାଡ଼େମୀ ଆଗ ଦିଲ୍ଲୀ ସ୍ତରରେ ତିଆରି ହେଲା । ପଣ୍ଡିତ ଜବାହରଲାଲ୍ ଯେତେ ଯେଉଁଠି ଯାହାକିଛି ହୋଇଥିଲେ ମଧ୍ୟ ଲେଖିବାର ରୋଗଟିକୁ କେବେହେଲେ ଛାଡ଼ି ପାରିନାହାନ୍ତି । ନିଜର ପ୍ରଧାନତମ ଲେଖାଗୁଡ଼ିକୁ ସେ ବନ୍ଦୀଶାଳାରେ ବନ୍ଦୀ ହୋଇ ରହିଥିବା ସମୟରେ ଲେଖିଛନ୍ତି । ତେଣୁ ଏହି ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ସିଏ ସାହିତ୍ୟକୁ ଅବଶ୍ୟ ମନ କରିଥାନ୍ତେ-। କହିବା ବାହୁଲ୍ୟ, ତାଙ୍କରି ମନ୍ତ୍ରଣାରେ ଦିଲ୍ଲୀରେ ସାହିତ୍ୟ ଏକାଡ଼େମୀ ଗଠନ ହେଲା-। କହିବା ଅଧିକ ବାହୁଲ୍ୟ, ସ୍ୱୟଂ ନେହେରୁ ତାହାର ସର୍ବୋଚ୍ଚ କର୍ତ୍ତା ହେଲେ । ତା’ ପରେ ଯାଇ ରାଜ୍ୟସ୍ତରରେ ଏକାଡ଼େମୀଗୁଡ଼ିକର ଖନ୍ଦା ପୋତା ହୋଇଥିଲା । ଏମାନେ ସମସ୍ତେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଛାଞ୍ଚରେ ସମଧର୍ମୀ ଶାଖା ପରି ରହିଥିଲେ ଆଦୌ ମଠ ମାରା ହୋଇ ଯାଇ ନଥାନ୍ତା-। ମାତ୍ର, ତଦ୍ଦ୍ୱାରା ରାଜ୍ୟସ୍ତରୀୟ ସ୍ଥଳାଧିପତିମାନଙ୍କର ଆଉ କି ବାହାଦୁରୀ ଜଣା ପଡ଼ିଥାନ୍ତା-?

 

ତେଣୁ ରାଜ୍ୟରେ ଯାହା ଗଢ଼ା ହେଲା ତାହା ପୁରାପୂରି ନିଆରା ଭାବରେ ହେଲା । ସେଇଟା ସମ୍ପୂର୍ଣ୍ଣ ଭାବରେ ଆମ ଏଇଠିକାର ଜମିଦାରଙ୍କର ଛୁଆ ବୋଲି ଯେପରି ଠକ୍ କରି କହିଦେଇ ହେବ, ପୂର୍ଣ୍ଣ ନଜର ଦେଇ ଠିକ୍ ସେହିପରି ଭାବରେ ହିଁ ଏହି ଏକାଡ଼େମୀର ଅବୟବ-ସ୍ଥାପନା ହୋଇଥିଲା । ଏକାଡ଼େମୀଟିଏ ନ ହେଲେ ଯେ ସାହିତ୍ୟ ଅଚଳ ହୋଇ ରହିଯାଇଥାନ୍ତା, ସେକଥା ଆଦୌ ନୁହେଁ । ବରଂ କୁହାଯାଇପାରିବ ଯେ, ସଂଗ୍ରାମ ଅନ୍ତେ ଦେଶ ହାସଲ କରିଥିବା ସ୍ୱାଧୀନତା ଆମ ସାହିତ୍ୟିକଗଣଙ୍କୁ ନାନା ଅଭିନବ ଆହ୍ୱାନରେ ବାରତା ଶୁଣାଉଥିବାର ସେହି ମୁହୂର୍ତ୍ତଟିରେ ସାହିତ୍ୟ ସେଇଥିରୁ ହିଁ ଯଥେଷ୍ଟ ପ୍ରୋତ୍ସାହନ ଲାଭ କରିଥାନ୍ତା ଏବଂ ଅଭିନବ କେତେମନ୍ତେ ମୁକୁଳିତ ବି ହୋଇଉଠିଥାନ୍ତା । ହୁଏତ ପୃଷ୍ଠଦେଶଟାକୁ ନ୍ୟୁନ କରି ଦେଖାଇ ଲାଭବାନ୍ ହେବାକୁ ପୋଷକତା ମାଗି ସାହିତ୍ୟ ମୋଟେ ଦରବାର ଆଡ଼େ ମନ କରିନଥାନ୍ତା । ମାତ୍ର, ରାଜାଙ୍କ ଦରବାରରେ ସାହିତ୍ୟର ସିନା କିଛି ପ୍ରୟୋଜନ ନଥାଏ, ସାହିତ୍ୟଟା ମଧ୍ୟ ଆଦେଶ ପ୍ରମାଣେ ଆସି ହାଜର ହୋଇ ଯାଉନଥିଲେ ଏବଂ ହାତ ପତାଇ କିଛି ମାଗୁନଥିଲେ ରାଜାଙ୍କର ଆଶାଦଣ୍ଡଟା କିପରି ଥୟ ହୋଇ ରହିପାରନ୍ତା ? ପୁରା କାଳରେ ଖାରବେଳ ତାଙ୍କ ନିଜ ଶାସନ ଏବଂ ସାମର୍ଥ୍ୟ ବିଷୟରେ ନିଜ ବରାଦ ଅନୁସାରେ ଯେଉଁ ହାତୀଗୁମ୍ଫାର ବିବରଣୀ ଲେଖି ଯାଇଛନ୍ତି, ସେଥିରେ ସିଏ ନିଜକୁ ବଡ଼ ରାଜା, ବଡ଼ ବିଜେତା, ବଡ଼ ଭିକ୍ଷୁ ଓ ବଡ଼ କଳାବିଳାସୀ ବୋଲି ବର୍ଣ୍ଣନା କରାଇ ଯାଇଛନ୍ତି । ଏକାଳର ଖାରବେଳମାନେ କାହିଁକି ଯେ ଅଧିକ ଖରଗତି ହୋଇ ତାହା କରିବାକୁ ମନ ନକରିବେ, ସେପରି ଭାବିବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ । ରାଜ୍ୟରେ ଏକାଡ଼େମୀ ରହିବ; ଗୋଟାଏ ନୁହେଁ, ତିନିତିନିଟା ଏକାଡ଼େମୀ ରହିବ ଏବଂ ସେହିଗୁଡ଼ିକ ଅଛନ୍ତି ବୋଲି ଏଠି କଳା, ସାହିତ୍ୟ ଓ ସଂଗୀତ ବଂଚି ରହିଛି ବୋଲି ଚାହିଁଦେଲା ମାତ୍ରକେ କହି ହେଉଥିବ, ଏହି ବୁଦ୍ଧି ଯେଉଁ ମଣିମାଙ୍କୁ ଜୁଟିଲା, ସିଏ ସକଳ ସଙ୍ଗତି ସହିତ ନିଶ୍ଚୟ ଜଣେ ପୂରା ଚକ୍ରବର୍ତ୍ତୀ ହୋଇଥିବେ ।

 

ଖାରବେଳଙ୍କର ନିର୍ଦ୍ଦେଶ ଅନୁସାରେ ଶିଳାଲିପି ଖୋଦା ହୋଇଥିବା ପରି ମଣିମାଙ୍କର ନିର୍ଦ୍ଦେଶରେ ହିଁ ରାଜ୍ୟରେ ସାହିତ୍ୟ ଏକାଡ଼େମୀ ବସିଲା ଏବଂ ସୂଚନା ପ୍ରମାଣେ ବଳିବର୍ଦ୍ଦମାନେ ଏକ ଅନୁରୂପ ସଂବିଧାନଟିଏ ପ୍ରସ୍ତୁତ କରି ଥୋଇଦେଲେ । ରଥଙ୍କୁ ସେଥିପାଇଁ ସବୁଯାକ ଶ୍ରେୟଃ ଦେବାକୁ ପଡ଼ିବ । ସିଏ ପୁରୋଗାମୀ ହୋଇ ବହୁତ ଖଟିଥିଲେ, ଏଥିପାଇଁ ଘରେ ମଧ୍ୟ ବହୁତ ସମୟ ଦେଲେ । ଆମେ ସମସ୍ତେ କୃତଜ୍ଞତା ହିଁ ଜ୍ଞାପନ କରି ସେହି ଚିଠାରେ ସ୍ୱାକ୍ଷର କଲୁ ଓ ଏକାଡ଼େମୀର ପୂର୍ଣ୍ଣ ସଦସ୍ୟ-ସଭାରେ ଆଲୋଚନା ଲାଗି ପେଶ୍ କରିଥିଲୁ । ଆଗେ ତ ସରକାର ହିଁ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କରୁଥିଲେ ଓ ଇଚ୍ଛା ଅନୁସାରେ ସେମାନଙ୍କୁ ବାହାର କରି ଦିଆଯାଇପାରିବ ବୋଲି ନିୟମ ରହିଥିଲା । ନୂଆ ଚିଠାରେ ସେସବୁ ବଦଳିଗଲା । ଆଗ ସଦସ୍ୟମାନେ ପ୍ରତିନିଧିମୂଳକ ଭାବରେ ରାଜ୍ୟର ଚାରିଆଡୁ ମନୋନୀତ ହୋଇଆସିବେ ଏବଂ ନିର୍ବାହୀ କର୍ମକର୍ତ୍ତାମାନଙ୍କୁ ସେହିମାନେ ହିଁ ନିଜ ଭିତରୁ ବାଛିବେ । ସଦସ୍ୟମାନଙ୍କର ସହମତି ବିନା କେହି ମରଜୀ ଅନୁସାରେ କାହାକୁ ନିକାଲି ଦେଇପାରିବେ ନାହିଁ । ସରକାର ଅର୍ଥ-ରାଶି ଯୋଗାଇଦେବେ ଏବଂ ଖରଚର ହିସାବ ନେବେ । ମାତ୍ର ଏତିକି ବ୍ୟତୀତ ଏକାଡ଼େମୀର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ । ଆମେ ପୂରା କମିଟି ସଂବିଧାନ ଉପରେ ସ୍ୱାକ୍ଷର ଦେଲୁ ଓ ଅପେକ୍ଷା କରି ରହିଲୁ ।

 

ବିଗତ ଏତେ ବର୍ଷ ହେଲା ଆମେ ଅପେକ୍ଷା କରି ରହିଛୁ । ସେତେବେଳର ସଦସ୍ୟମାନେ ଯାଇ ନୂଆ ସଦସ୍ୟବୃନ୍ଦ ଆସିଲେଣି । ଚିଠା ସମ୍ବିଧାନଟି କୋଉଠି କାହା ଖୋଲରେ ରହିଯାଇଛି, ସେକଥା କେହି କହି ପାରୁନାହାନ୍ତି । ସେଇଟି ବୋଧହୁଏ ସଂପୃକ୍ତ ସମସ୍ତଙ୍କର ଜ୍ଞାତସାରରେ ଏକ ଗୁମ୍ଫା ଭିତରେ ଯାଇ ପଶିଯାଇଛି ଯେ ଆଉ ଆଦୌ ବାହାରିପାରୁନାହିଁ । ଅର୍ଥାତ୍ ପୁରାତନ ସମ୍ବିଧାନଟି ହିଁ ଚାଲୁ ରହିଛି । ଏକଥାଟା ତ ସେତେବେଳେ ପ୍ରଘଟ ହୋଇଗଲା, ଯେତେବେଳେ ଗଲା ବର୍ଷ ଆଉ କାହାକୁ ଏକାଡ଼େମୀର ସଭାପତି ରୂପେ ନିଯୁକ୍ତ କରିହେଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ୱୟଂ ନିଜକୁ ସଭାପତି ବୋଲି ନିଯୁକ୍ତ କଲେ । ଏକଥା ସିଏ ସମ୍ବିଧାନ ଅନୁସାରେ କଲେ ବୋଲି ଜନପଦମାନଙ୍କରେ ଶୁଣାଯାଇଥିଲା । ଯାହା ଅନୁମାନ କରାଯାଉଛି, ସଭାପତି ଆସନ ପାଇଁ ଲାଳସୀ ହୋଇ ମେଞ୍ଚାଏ ମଣିଷ ଦରବାରର ଗୋହିରୀମାନଙ୍କରେ ଯାଇ ପହଞ୍ଚି ଯାଇଥିବେ ଏବଂ ନିଜ ନିଜର ପିଇସା ମଉସାମାନଙ୍କ ମାଧ୍ୟମରେ ଜଗମୋହନରେ ନିଜ ତରଫରୁ ପ୍ରସ୍ତାବ ନେଇ ପକାଇଥବେ । ମୁଖ୍ୟମନ୍ତ୍ରୀ କାହାକୁ ବାଛିଥାନ୍ତେ ଏବଂ କାହାକୁ ବାଦ୍ ଦେଇଥାନ୍ତେ ? ତେଣୁ, ସମ୍ଭବତଃ ସଂଙ୍କଟଟିର ସମାଧାନ କରିବା ସକାଶେ ସିଏ ନିଜେ ଯାଇ ସିଂହାସନଟି ଉପରେ ବସିପଡ଼ିଲେ ଓ ଏକାଡ଼େମୀର ମାନ ରକ୍ଷା କଲେ । ଭଗବାନ କରନ୍ତୁ, ସମ୍ବିଧାନ ସେହିଭଳି ଅନୁକୂଳ ହୋଇ ରହିଥାଉ, ଯେପରିକି ନିଯୁକ୍ତକାରୀ ଏକ ସଂକଟର ସମାଧାନ କରିବାକୁ ଇଚ୍ଛା କରୁଛନ୍ତି ବୋଲି ପ୍ରତୀତି ଜନ୍ମାଇ ସ୍ୱୟଂ ଗାଦିରେ ବସିଯାଇପାରିବେ ଓ ସାହିତ୍ୟକୁ ଚଲାଇବେ ।

 

ସତକୁ ସତ ଏହିପରି ବରଷେ ଖଣ୍ଡେ ଚାଲିଲା । ତା’ପରେ ବିଧି ବାମ ହେଲା । ମୁଖ୍ୟମନ୍ତ୍ରୀ ବଦଳିଲେ । ପୁରୁଣା ଗଲେ, ନୂଆ ଜଣେ ମଥୁରା-କଟକରୁ ଆଜ୍ଞାମାଳ ନେଇ ସ୍ଥାନାଭିଷିକ୍ତ ହେଲେ । ପୁରୁଣା ଆଜ୍ଞା ଜଣକ ମୁଖ୍ୟମନ୍ତ୍ରୀ ନଥିଲେ ମଧ୍ୟ ଏକାଡ଼େମୀର ସିରସ୍ତାକୁ ତୁଲାଉଥିଲେ । ଗାଡ଼ି, ଘୋଡ଼ା, ଶାସନ ଓ ସାହିତ୍ୟ ସବୁ ଚାଲିଥିଲା । ସମ୍ବିଧାନରେ କେଉଁଠି କ’ଣ ମାରା ହୋଇଯାଇଛି ବୋଲି କାହାରି ଆଖିରେ ପଡୁନଥିଲା । ଅଥବା, ପଡୁଥିଲେ ମଧ୍ୟ କେହି ମୁହଁ ଖୋଲି କିଛି କହୁନଥିଲେ । ହଠାତ୍ ବୋଧହୁଏ କାହା ଆଖିରେ ପଡ଼ିଗଲା କିମ୍ବା ନୂଆ ଆଜ୍ଞା ସ୍ଵୟଂ ତାହାର ସୁରାଖ ପାଇଗଲେ । ସମ୍ବିଧାନ ଖିଲାପ ହେଉ ବୋଲି ସିଏ ଇଚ୍ଛା କଲେ ନାହିଁ । ପୁରୁଣାଙ୍କୁ ବରଖାସ୍ତ କରିଦେଲେ ଏବଂ ତାଙ୍କ ସ୍ଥାନରେ ନିଜକୁ ନିଯୁକ୍ତି କଲେ । ସମ୍ବିଧାନର ମାନରକ୍ଷା କରାଗଲା । ରାଜ୍ୟରେ ଏପରି ଗୋଟିଏ ଘଟଣା/ଦୁର୍ଘଟଣା ସର୍ବପ୍ରଥମ ଥର ପାଇଁ ଘଟିଲା । ହୁଏତ ବହୁକାଳକୁ କଥା ରହିଗଲା । ଦୁହେଁ ଗୋଟିଏ ବିରାଦରର ବ୍ୟକ୍ତି ହୋଇଥିଲେ ମଧ୍ୟ ବିଧାତା ସେମାନଙ୍କୁ ନିମିତ୍ତ ରୂପେ ବ୍ୟବହାର କରି ଏହି ନାଟକଟିକୁ ଆମ ଅନେକଙ୍କର ପ୍ରୀତ୍ୟର୍ଥେ ଅଭିନୀତ କରିବାକୁ ଆଗ୍ରହ ଦେଖାଇଲା ।

 

ଏଥିରେ ସାହିତ୍ୟର ବିଶେଷ କିଛି ଯିବ ନାହିଁ ବା ଆସିବ ନାହିଁ । ତଥାପି କୋଉଠି କ’ଣ ଆଘାତ ବାଜି ସାହିତ୍ୟଟା ଖଣ୍ଡିଆ ହୋଇଗଲା ପରି ଭାରି ଲାଗୁଛି । ଯୋଉମାନେ ସାହିତ୍ୟକୁ ମୁଖ୍ୟତଃ ଲେଖିବାର ଗୋଟାଏ ଧନ୍ଦା ବୋଲି ମାନି ନେଇଥାନ୍ତି, ସେମାନେ ହେଉଛନ୍ତି ଯୋଗୀ । ସେମାନେ ବିଚଳିତ ହୁଅନ୍ତି ନାହିଁ । ଚର୍ମ ଚକ୍ଷୁ ଆଗରେ କିଛି ଅଘଟଣ ଘଟିଲେ ସେମାନେ ଅନ୍ତର୍ଚକ୍ଷୁ ଖୋଲିଦିଅନ୍ତି ଓ ସାଧନାରେ ଲାଗିଥାନ୍ତି । ମାତ୍ର, ଯେଉଁମାନେ ଏହି ପୃଥ୍ୱୀଜୀବନ ବିଷୟରେ କ’ଣ ସବୁ ସ୍ୱପ୍ନ ଦେଖି ସାହିତ୍ୟ ପାଖରେ ଆସି ପହଞ୍ଚିଥାଆନ୍ତି, ସେମାନଙ୍କର ଯୋଗ ଏକ ଭିନ୍ନ ଧାତୁର । ସେମାନେ ଅବଶ୍ୟ ତାହାର ସାମ୍ନା କରିବେ, ପକ୍ଷ ନେବେ ଓ ପ୍ରତିବାଦ ବି କରିବେ ।

Image

 

ସାହିତ୍ୟ ଓ ସରକାର

 

ଆଗେ ରାଜା ଥିଲେ । ପ୍ରଜାପାଳନ କରୁଥିଲେ । ଶାସ୍ତ୍ର କହିଥିବା ଅନୁସାରେ ଦେବତାମାନେ ହିଁ ବିଧିନିର୍ଦ୍ଦିଷ୍ଟ ହୋଇ ନର ଶରୀରରେ ମର୍ତ୍ତ୍ୟକୁ ଆସୁଥିଲେ ଏବଂ ରାଜାର କାର୍ଯ୍ୟ ସମ୍ପାଦନ କରୁଥିଲେ । ପ୍ରଜାମାନେ ରାଜାନୁଗାମୀ ଥିଲେ । ଆଚାର ଓ ଆଦର୍ଶମାନେ ରାଜାନୁଗାମୀ ଥିଲେ । ହୁଏତ ଏପରି ବି ଅନୁମାନ କରାଯାଇପାରିବ ଯେ ଶାସ୍ତ୍ର ମଧ୍ୟ ରାଜାନୁଗାମୀ ହୋଇ ରହିଥିଲା । ନହେଲେ ଚାରା ନଥିଲା । ସାହିତ୍ୟ ସଭାରେ, ରାଜସଭାରେ ଥିଲା । ରାଜାଙ୍କର ବିନୋଦ ନିମନ୍ତେ ରହିଥିଲା । ବାହାରେ ଶ୍ଳୋକକାର ଓ କାବ୍ୟକାରମାନେ ଅବଶ୍ୟ ରହିଥିଲେ ସତ, ମାତ୍ର କାବ୍ୟ-ଫଳଟିକୁ ଆଗ ରାଜସଭାରେ ନିବେଦନ କରି ହିଁ କାବ୍ୟକାର ଯାହାକିଛି ଆତ୍ମପ୍ରତ୍ୟୟ ଲାଭ କରୁଥିଲା । ଆଦିମ ସମାଜରେ ବାଡ଼ିର ପ୍ରଥମ ଫଳଟି ସମେତ ଘରେ ରହିବା ପରେ ନିଜର କନ୍ୟାକୁ ମଧ୍ୟ ସର୍ବପ୍ରଥମ ମଣୋହି ପାଇଁ ରାଜା ପାଖରେ ଆଣି ପହଞ୍ଚାଇବାକୁ ପଡୁଥିଲା । ତାହା ହିଁ ଆଚାର ଥିଲା । ସେତେବେଳେ ସାହିତ୍ୟକାରକୁ ମଧ୍ୟ ସେ ନିଜର କୃତିଗୁଡ଼ିକୁ ନେଇ ରାଜାଙ୍କ ପାଖରେ ସର୍ବପ୍ରଥମେ ଚଖାଇ ଆଣିବାକୁ ପଡୁଥିଲା, ଏହି ରୀତିଟିକୁ ବି କ’ଣ ସେହି ଆଦିମ ଆଚାରଟିର ଗୋଟିଏ ଅଂଶବିଶେଷ ବୋଲି କୁହାଯିବ ?

 

ସେକାଳର ରାଜା, ଆମ ଏ କାଳର ସରକାର । ତଥାପି ଏ କାଳର ସରକାରମାନଙ୍କୁ ସେ କାଳର ରାଜାଙ୍କ ସହିତ ସମ୍ପୂର୍ଣ୍ଣ ସମତୁଲ ଭାବରେ ଆଦୌ ବିଚାର କରାଯାଇ ପାରିବ ନାହିଁ । ରଜା ଜଣେ ବ୍ୟକ୍ତି ଥିଲେ, ତେଣୁ ବେଶ୍ ହୁଗୁଳା ବି ଥିଲେ । ସରକାର ତ ଗୋଟାଏ ଯନ୍ତ୍ର । ରଜା ନିଜ ଖିଆଲର ଗୋଲାମ ଥିଲେ ଏବଂ ତେଣୁ ମନ କଲେ ଖିଆଲଗୁଡ଼ିକ ବଦଳି ଯାଉଥିଲେ ଓ ସେହି ଅନୁସାରେ ମୁକ୍ତିର କିଞ୍ଚିତ୍ ସ୍ୱାଦ ପାଇ ପାରୁଥିଲେ । ସରକାର ନାମକ ଯନ୍ତ୍ରରେ ଲାଗିଥିବା ଗୋଲାମମାନେ କଦାପି ତାହା କରିପାରିବେ ନାହିଁ । ଏମାନଙ୍କ ଜୀବନରେ ସମ୍ଭବତଃ ସବୁଠାରୁ ଅଧିକ ପୀଡ଼ାଦାୟକ ସ୍ଥିତିଟି ହେଉଛି ଯେ, ନିଜ କର୍ତ୍ତୃତ୍ୱର ଚଉବାଡ଼ ଭିତରେ ସେମାନେ ଯେତିକି ସବାବଡ଼ ମାର୍ତ୍ତଣ୍ଡଟିଏ ପରି ଆଚରଣ କରୁଥିବେ, ସେମାନଙ୍କ ଉପରେ ସେମାନଙ୍କୁ ଗୋଲାମବତ୍ ଯା’ ଆସ କରାଉଥିବା ଉଚ୍ଚତର କର୍ତ୍ତୃତ୍ୱଟି ପାଖରେ ନିଜେ ବି ନ୍ୟୁନ ହୋଇ ଲାଙ୍ଗୁଡ଼ ଜାକି ଛିଡ଼ା ହୋଇଥିବେ। ସେଥିପାଇଁ ଆଗକାଳର ରାଜତନ୍ତ୍ର ବେଳେବେଳେ ଭାରି ରାଢ଼ ପରି ଆଚରଣ କରିଥିଲେ ମଧ୍ୟ ଏବର ସରକାର ନାମରେ ବିଶେଷତଃ ଏକ ମନ୍ଥରଗତି ସମାଜରେ ଭୃତ୍ୟତନ୍ତ୍ର ମାନଙ୍କର କୋପନଗୁଡ଼ିକ ବସ୍ତୁତଃ ଅଧିକ ବୈକଲ୍ୟଯୁକ୍ତ ହୋଇ ରହିଥାଏ, ବହୁତ ଗ୍ରନ୍ଥିଳ ଏବଂ ବହୁତ ହୃଦୟହୀନ ହୋଇ ରହିଥାଏ । ଏବଂ, ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି ଯେ, ଆମ ଏଯୁଗ ଯାଏ ଆସୁ ଆସୁ ଆମ ସାହିତ୍ୟର ମଧ୍ୟ ଦୈର୍ଘ୍ୟପ୍ରସ୍ଥ ଓ ଅନ୍ଦାଜଗୁଡ଼ିକ କେତେ କେତେ ଅଭାବନୀୟ ପ୍ରକାରେ ବଦଳି ଯାଉଛି । ଆଉ ରାଜସଭା ନିମନ୍ତେ କେହି ସାହିତ୍ୟ ଲେଖୁନାହାନ୍ତି । ସାହିତ୍ୟ ଲେଖି ଆନନ୍ଦ ମିଳୁଛି ସତ, କିନ୍ତୁ ଚିତ୍ତବିନୋଦନକୁ କେହି ସାହିତ୍ୟର ସବା ଆଗ ବା ସବା ବଡ଼ କାର୍ଯ୍ୟ ବୋଲି ଆଦୌ ଭାବୁନାହାନ୍ତି । ଏବେ ସାହିତ୍ୟ ହେଉଛି ଏକ ମାଧ୍ୟମ, ଯାହାଦ୍ୱାରା ଜୀବନର ଉଦ୍ଘାଟନ କରାଯାଇ ପାରିବ । ସତ୍ୟର ସନ୍ଧାନ କରାଯିବ, ଯାହାକି ମନୁଷ୍ୟର ଭିତରେ ରହିଛି ଓ ମନୁଷ୍ୟର ବାହାରେ ମଧ୍ୟ ରହିଛି । ଭିତରେ ସମ୍ଭାବନା ରୂପେ ରହିଛି ଏବଂ ବାହାରେ ସମ୍ବନ୍ଧ ଭିତରେ ରହିଛି । ରାଜାମାନଙ୍କ ସମୟରେ ବ୍ୟକ୍ତିବୋଧ ଅପେକ୍ଷା ଭୂମିକାବୋଧ ଗୁଡ଼ିକ ହିଁ ଉଭୟ ରାଜା ଏବଂ ପ୍ରଜା, ଉଭୟ ଅସାଧାରଣ ତଥା ସାଧାରଣ ସମସ୍ତଙ୍କୁ ଅଧିକ କାମୁଡ଼ି ଧରିଥିଲା-। ସମସ୍ତେ ଗୁଳାରେ ସାହିତ୍ୟ କରୁଥିଲେ, ଗୁଳାରେ ରହି ଧର୍ମ ଆଚରୁଥିଲେ । ଏହି ପୃଥିବୀକୁ ତୁମେ ଯେତିକି ଅଧିକ ଗଭୀର ଓ ଅଧିକ ବିସ୍ତାରଯୁକ୍ତ ଭାବରେ ଦେଖିବ, ତାହା ତୁମକୁ ସେତିକି ଅଭିନବ ନାନା ପରିଚୟରେ ଆସି ଦୃଷ୍ଟିଗୋଚର ହେବ, ତୁମକୁ ସମ୍ଭାବ୍ୟ ନାନା ଉଦୟର ଦ୍ୟୋତନା ଆଣି ଦେଇଯିବ; ଏବଂ, ଯଦି ତୁମେ ସାହିତ୍ୟରେ ଥିବ, ତେବେ ତାହା ତୁମର ସାହିତ୍ୟକୁ ମଧ୍ୟ ଅନୁରୂପ ପ୍ରକାରେ ଏକ ଅନୁରୂପ ବହୁମୁଖିତା ଦ୍ଵାରା ଅବଶ୍ୟ ରଂଜିତ କରି ଦେଉଥିବ । ଏବଂ, ଏହି ସାହିତ୍ୟକୁ ମନକଲେ ରାଜାମାନେ କୁଆଡ଼େ ପଛରେ ପଡ଼ି ରହିବେ, ସତେ ଅବା କୋଉ ଏକାନ୍ତ ଆପଣାର ବିଧାତା ସହିତ ତୁମେ ମଧ୍ୟ ଆହୁରି ଆଗକୁ ବାହାରିଯିବ । ଯୁଗ-ବିବର୍ତ୍ତନର ଏହି କଥାଗୁଡ଼ାକୁ ଏବର ସରକାରିଆମାନେ ମଧ୍ୟ କାହିଁକି ବା ବୁଝିବେ ? ସେମାନେ ଏକାଡ଼େମୀ ଗଢ଼ି ସେମାନଙ୍କୁ ବର ଭଳି ବେଦୀରେ ବସାଇବାକୁ କହିବେ ଏବଂ ତୁମକୁ କନିଆଟିଏ ପରି ଚଳିବାକୁ ପରାମର୍ଶ ଦେବେ । ନିଜ ବରାଦରେ ସାହିତ୍ୟ ଏକାଡ଼େମୀର ସମ୍ବିଧାନଟିଏ ଲେଖାଇ ଯେଉଁମାନେ ସବା ଉଚ୍ଚ ପଦଟାକୁ ନିଜ ନିମନ୍ତେ ଦୋରସ୍ତ କରି ରଖିବାକୁ ଆଗ୍ରହ ରଖିଥାନ୍ତି, ସେମାନେ ହୁଏତ ବିବର୍ତ୍ତନର କ୍ରମରେ ସେଇ ରଜାରାଜୁଡ଼ାଙ୍କର ଆଦିମ ଯୁଗରେ ଯାଇ ରହିଥାନ୍ତି । ଆଗାମୀ ଚେତନାଗୁଡ଼ିକ ଆହ୍ୱାନ ଦେଉଥିଲେ ମଧ୍ୟ ସେମାନେ ତଥାପି ପୂର୍ବର କୋପନଗୁଡ଼ିକୁ ଛାଡ଼ି ପାରି ନଥାନ୍ତି । ପୃଥିବୀରେ ଏବେ ମଧ୍ୟ ବହୁତ ଦେଶ ରହିଛି, ଯେଉଁଠାରେ କି ମାନବିକ ଯଥାର୍ଥ ଜାଗରଣଗୁଡ଼ିକ ସବୁ ମଣିଷଙ୍କର ଚେତନା-ପରିସର ମଧ୍ୟକୁ ତଥାପି ଆସି ପାରି ନାହିଁ । ସେଠି ବଜାରକୁ ଡ଼ଉଲ ଦୁଶିବ ବୋଲି, ଏକ ଅତ୍ୟାଧୁନିକ ସମ୍ବିଧାନକୁ ଗାଦୀରେ ବସାଇ ପୂଜା କରାଯାଉଛି ସିନା, ମାତ୍ର ଆଦିମ ସାମନ୍ତବାଦୀମାନେ ହିଁ ସାମୁଦାୟିକ ଜୀବନର କୁଞ୍ଚିକାଠିଗୁଡ଼ାକୁ କାନିରେ ବାନ୍ଧି ବୁଲୁଛନ୍ତି । ସେହିସବୁ ମୁଲକରେ ଷୋଡ଼ଶ ଶତାବ୍ଦୀର ଅନ୍ୟାୟଟା ହିଁ ନ୍ୟାୟ ହୋଇ ବସିଛି । ଏସବୁ ଦେଶରେ ଆବଶ୍ୟକ ଉଦୟଗୁଡ଼ିକୁ ତ୍ୱରାନ୍ୱିତ କରାଇ ଆଣିବା ହିଁ ହୁଏତ ସାହିତ୍ୟ ତଥା ସାହିତ୍ୟକାରର ସର୍ବୋଚ୍ଚ ଧର୍ମ ହୁଅନ୍ତା । ସାହିତ୍ୟ ଯେପରି ଏସବୁ ଅନାଚରଣ ଭିତରକୁ ହୁଡ଼ି ନ ଯାଏ, ସେଥିଲାଗି ଏଠି ସରକାର ମଧ୍ୟ ସାହିତ୍ୟକୁ ଆଗକାଳର ସେଇ ରାଜାମାନଙ୍କ ପରି ନିଜ ନିୟନ୍ତ୍ରଣରେ ହିଁ ରଖିବାକୁ ଚାହୁଥାନ୍ତି । ହୁଏତ ଯୁଗଟା ମଧ୍ୟ ସମ୍ଭାବ୍ୟଟା ମଧ୍ୟକୁ ଲମ୍ଫ ପ୍ରଦାନ କରିବାକୁ ଉପଯୁକ୍ତ ପରିମାଣରେ ପାଚି ନଥାଏ ଏବଂ ତେଣୁ ସାହିତ୍ୟର ଶିବିର ଭିତରେ ମଧ୍ୟ ଥୋକେ ସର୍ବଦା ରହିଥାନ୍ତି, ଯେଉଁମାନେ କି ରାଜାଙ୍କ ପଟେ ଥାଆନ୍ତି ଓ ରାଜାଙ୍କୁ ତୁଷ୍ଟ କରି ନିଜର ଭାଗ୍ୟଟିକୁ ଉଜ୍ଜ୍ୱଳ ରଖିବାକୁ ଇଚ୍ଛା କରୁଥାନ୍ତି ।

 

ରାଜ୍ୟର ସାହିତ୍ୟ-ଅଳିନ୍ଦରେ ଏପରି ମାଳ ମାଳ ସାହିତ୍ୟିକ ଅର୍ଥାତ୍ ଲେଖକ ଆପଣଙ୍କୁ ଅବଶ୍ୟ ଦେଖିବାକୁ ମିଳିବ । ସେମାନେ ସାହିତ୍ୟକୁ କୌଣସି ଅନ୍ତଃପ୍ରେରିତ ଦୀକ୍ଷା ନେଇ ଆସି ନଥାନ୍ତି ଅଥବା ସାହିତ୍ୟର ମାଧ୍ୟମରେ ନିଜ ଜୀବନରେ ଆଦୌ କୌଣସି ସୋପାନ ଆରୋହଣ କରିବାରେ ମୋଟେ ଆଗ୍ରହୀ ନଥାନ୍ତି । ସେମାନେ ସତେଅବା ଅତ୍ୟନ୍ତ ଆକସ୍ମିକ ଭାବରେ ସଭାଟାରେ ଆସି ପହଞ୍ଚି ଯାଇ ଥାଆନ୍ତି ଓ ଏଠି ମଧ୍ୟ କିଛି ଆନନ୍ଦ ମିଳିଯିବ ବୋଲି ଏଠାରେ ନହରପହର ହେଉଥାନ୍ତି । ସାହିତ୍ୟ ଦ୍ଵାରା ବ୍ୟକ୍ତିଗତ ସିଦ୍ଧିଗୁଡ଼ିକୁ ଲାଭ କରିବାରେ ଯଦି କିଛି ମଦଦ ମିଳିଯାଉଛି, ତେବେ ସାହିତ୍ୟରେ କାହିଁକି ନ ରହିବା ବୋଲି ସେମାନେ ସାହିତ୍ୟରେ ଥାଆନ୍ତି । ତୋଷାମଦ କରନ୍ତି, ଡ଼ଗର କାମ କରନ୍ତି, ଚାରୁବାକ୍ୟ ଉଚ୍ଚାରଣ କରିବାରେ ବାତ୍ସାୟନଙ୍କର ଗୁରୁଙ୍କୁ ବଳି ଯାଇଥାନ୍ତି ଏବଂ ଅନୁରୂପ ଘଟଣାଟିଏ ମିଳିଗଲେ ମନ୍ଥରା ମଧ୍ୟ ହୋଇପାରନ୍ତି । ସେମାନେ ମହାମାନ୍ୟମାନଙ୍କ ପାଖରେ ସ୍ୱେଚ୍ଛାସେବୀ ହୋଇ ଖଟୁଥାନ୍ତି ଏବଂ ଦୃଷ୍ଟି ଆକର୍ଷଣ କରନ୍ତି । ବିଚରା ଗୁଣ୍ଡୁଚି ମୂଷାଟି ପ୍ରଭୁଙ୍କର ଆଖି ପାଆନ୍ତାରେ କୌଣସି ଜାଗାରେ ରହି ସେତୁବନ୍ଧର ପ୍ରକଳ୍ପରେ ଯେତେବେଳେ ସତକୁ ସତ ପ୍ରଭୁଙ୍କର ନଜରରେ ପଡ଼ିଯାଇଥିବ, ସେତେବେଳେ ସିଏ ନିଜର ଭାଗ୍ୟଟାକୁ ନେଇ ପ୍ରକୃତରେ କେଡ଼େ ମୋଟା ଦେଖାଯାଇ ନଥିବ । ତେଣୁ ରାଜ୍ୟରେ ସାହିତ୍ୟ ନାମରେ ଏକାଡ଼େମୀ ଗଢ଼ା ହୋଇ ସମ୍ବିଧାନ ଦ୍ୱାରା ସ୍ୱୟଂ ମୁଖ୍ୟମନ୍ତ୍ରୀ ଯେତେବେଳେ ସଭାପତିଙ୍କର ଆସନରେ ଯାଇ ବସିଥିବେ, ସେତେବେଳେ ଥୋକେ ସାହିତ୍ୟିକ ନିଶ୍ଚୟ ସେହି ବ୍ୟବସ୍ଥାଟିରେ ଗୁଡ଼ାଏ ଗଦଗଦ ହୋଇ ମଙ୍ଗଳାଷ୍ଟକ ପାଠ କଲା ପରି ମୁଦ୍ରାଟିଏ ପ୍ରକଟ କରିଥିବେ-

 

ଆମ ପରି ଏକ ଅନଗ୍ରସର ରାଜ୍ୟରେ ଲେଖକ ନାମକ ସେହି ଜୀବଟିର ବସ୍ତୁତଃ କେତେ ଶକତି ଯେ ସିଏ ନିଜେ ନିଜ ପାଖରେ ଟିକିଏ ଅଧିକ ବିଶ୍ୱାସଯୋଗ୍ୟ ହୋଇ ଦିଶି ପାରିବାକୁ ସାହିତ୍ୟକୁ ଏକ ଆତ୍ମ-ଉନ୍ନୟନକାରୀ ପଣ୍ୟ ରୂପେ ବ୍ୟବହାର କଲା ବୋଲି ଆପଣ ତାକୁ ଛି’ ବୋଲି କହିବେ? ଏକକାଳୀନ ଛଅଟା ସାତଟା ଧନ୍ଦାକୁ ଆଦରି ନପାରିଲେ ଖାଲି ସାହିତ୍ୟ କଲେ ଏଠି କେବଳ ନିର୍ବାଳ ହୋଇଯିବା ହିଁ ସାରହେବ ବୋଲି ତୁମକୁ ଏକାଧିକ ସାହିତ୍ୟିକ ସଭାରେ ସମସ୍ତେ ଶୁଣିବା ପରି ଅଲବତ କହିଦେଇ ପାରିବେ । ତେଣୁ, ଖାଲି ସାହିତ୍ୟର ଧାରାରେ ସାହିତ୍ୟ ଭିତରେ ରହିଲେ ମୋଟେ କିଛି ହେବ ନାହିଁ । ଆମ ସାହିତ୍ୟରେ ଆଧୁନିକ ଯୁଗର ସିନ୍ଦୂରା ଫାଟୁଥିବା ସମୟରେ ରାଧାନାଥ, ମଧୁସୂଦନ ଏବଂ ନନ୍ଦକିଶୋର ସମସ୍ତେ ଉଚ୍ଚ ଅନ୍ୟ ପଦରେ ରହିଥିଲେ । ତଥାପି, ଏତେ ପାଇ ଓ ଏତେ ଦାଇ କବିବର ରାଧାନାଥ ରାୟ ଜୀବନର ଶେଷ ଚରଣରେ ଲିଖିତ ଏକ ଚିଠିରେ ସିଏ ଓଡ଼ିଆରେ ନଲେଖି ବଙ୍ଗଳା ଭାଷାରେ ଲେଖିଥଲେ ଅଧିକ ଲାଭବାନ ହୋଇଥାଆନ୍ତେ ବୋଲି ଭାରି କ୍ଷୋଭ କରି ଲେଖିଥିଲେ । ହଁ, କବିବରଙ୍କର ସେହି ଚିଠିଟିକୁ ତାଙ୍କର ଜଣେ ସମସାମୟିକ ଭୀମଭୋଇଙ୍କୁ ପଢ଼ି ଶୁଣାଇଥିଲେ ଭୀମଭୋଇ କେଉଁଭଳି ପ୍ରତିକ୍ରିୟା ବ୍ୟକ୍ତ କରିଥାନ୍ତେ କେଜାଣି ? ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ଏଠାରେ ସରକାର ଦିନୁଦିନ ଅଧିକ ବଳବାନ୍ ହୋଇଛି । ନିୟମ ଅନୁସାରେ ଯେକୌଣସି ଗଣତନ୍ତ୍ରରେ ଲୋକଶକ୍ତି ହିଁ ମୁଖ୍ୟ ଶକ୍ତି ହୋଇ ରହିଥାନ୍ତା ଏବଂ ରାଷ୍ଟ୍ରଶକ୍ତି ଲୋକଶକ୍ତିର ଏକ ସହାୟକ ହୋଇ କାର୍ଯ୍ୟ କରୁଥାନ୍ତା । କିନ୍ତୁ ଏକାଧିକ ଅଭାବ ହେତୁ ଭାରତବର୍ଷରେ ତାହା ହୋଇପାରି ନାହିଁ । ସାହିତ୍ୟର ମଧ୍ୟ ସତକୁ ସତ ଏକ ଶକ୍ତି ରହିଛି ବୋଲି ପ୍ରତିପାଦିତ ହୋଇପାରି ନାହିଁ । ତେଣୁ, ଏପରି ପରିସ୍ଥିତିରେ କେତେକ ସାହିତ୍ୟିକ ଅବଶ୍ୟ ରହିବେ, ଯେଉଁମାନେ କି ନିଜର ଅସ୍ତିତ୍ୱ ଉପରେ ନିଜର ମଧ୍ୟ ଏକ ପ୍ରତ୍ୟୟ ସମ୍ଭବ କରାଇବା ନିମନ୍ତେ ସରକାର ଆଡ଼େ ବି ରହିବେ । ସରକାର ଆଡ଼େ ଥିଲେ ସେମାନେ ସରକାରଙ୍କୁ ତୋଷ କରି ରଖିବାକୁ ମଧ୍ୟ ପ୍ରାୟ ଏକ ସାହିତ୍ୟିକ କାର୍ଯ୍ୟ ବୋଲି ଅନୁଭବ କରୁଥିବେ ।

 

ଗତ ଜରୁରୀ ଅବସ୍ଥା ସମୟରେ ରାଜ୍ୟରେ ସେହି କଥାଟି ଅତ୍ୟନ୍ତ ସଫାହୋଇ ଯାଇଥିଲା । ସାହିତ୍ୟିକମାନେ କେତେ ଆନୁଗତ୍ୟ ଦେଖାଇ ରାଷ୍ଟ୍ର ଦ୍ଵାରା ଅନୁଗୃହୀତ ହୋଇ ରହିଲେ, ଚର୍ମରାଶି ଦ୍ୱାରା ଘେରି ରହିଥିବା ଏହି ପାର୍ଥିବ ନିରାପତ୍ତାଗୁଡ଼ିକୁ ସବା ଆଗ ଜଗିଲେ । ଏପରିକି ନିଜ ସାହିତ୍ୟ ପାଖରେ ଦୁରାଚାରୀ ହେଲେ । ସେମାନଙ୍କୁ ଦେଖି ବଡ଼ ହସ ମାଡୁଥିଲା ସିନା, ମାତ୍ର ତଥାପି ବୁଝି ହେଉଥିଲା । ଆମ ଶାସନଯନ୍ତ୍ର ଭିତରେ ହାକିମ ବର୍ଗର ଏପରି ଅନେକ ମୂର୍ତ୍ତି ଅନେକ ରହିଥିବେ, ଯେଉଁମାନେ କି ହାକିମ ହୋଇଥିବାରୁ ହିଁ କିଛି ସାହିତ୍ୟ କରି ସିଦ୍ଧିଲାଭ କରାଯିବାକୁ ଅତ୍ୟନ୍ତ ଉତ୍ସାହିତ ଅନୁଭବ କରୁଥିବେ । ଆଗେ ବେଳେବେଳେ ରାଜାମାନେ ଯେତେବେଳେ ସଅକ କରି କିଛି ଲେଖିବାକୁ ଇଚ୍ଛା କରୁଥିବେ, ସେତେବେଳେ ସଭାଯାକର ସମସ୍ତେ ଆବଶ୍ୟକ ପରିଚର୍ଯ୍ୟା କରିବା ସକାଶେ କଛା ଭିଡ଼ି ଅବଶ୍ୟ ଠିଆ ହୋଇ ଯାଉଥବେ । ନିଷ୍କର୍ଷ ହେଉଛି ଯେ, ଆମ ସାହିତ୍ୟରେ ଏବେ ମଧ୍ୟ ସରକାରୀ ରାଜାମାନେ ଅଛନ୍ତି, କାରଣ ସେମାନଙ୍କୁ ଏକ ବିଶ୍ୱସନୀୟତା ଆଣି ଦେବାପାଇଁ ଅନୁରୂପ ଲେଖକ ଓ ସାହିତ୍ୟିକମାନେ ରହିଛନ୍ତି-। ନିଜର କେତେ କେତେ ସନ୍ଧିର ପ୍ରିୟ ଅଭିପ୍ରାୟଗୁଡ଼ିକୁ ପୂରଣ କରିବା ନିମନ୍ତେ ସେମାନେ ସେଠାରେ ଅନୁସରଣିଆ ହୋଇ ପଶିଛନ୍ତି । ତେଣୁ, କ’ଣ ଅସୁନ୍ଦର କଥାଟାଏ ଘଟିଗଲେ ମଧ୍ୟ ସେମାନେ ଯେ ଛାମୁମାନଙ୍କର ପ୍ରତିବାଦ କରିବେ, ଆପଣ କେବେହେଲେ ସେଭଳି ଆଶା କରିବେ ନାହିଁଟି । ଆପଣ ଦୁଃଖଗୁଡ଼ିକୁ ନିଶ୍ଚୟ ବୁଝିବେ । ଗାଳି ଦେବେନାହିଁ ।

 

ତେଣୁ, ଏହି ସଂକଟକ୍ଷଣରେ ଆପଣ ହିଁ ସରକାରୀ ସାହିତ୍ୟ ଘରେ ସର୍ବୋଚ୍ଚ କନ୍ଦର୍ପ ହୋଇ ବସନ୍ତୁ ଓ ସାହିତ୍ୟକୁ ସଜାଡ଼ନ୍ତୁ, ରାଜ୍ୟରେ ଏପରି କହିବା ଲାଗି ଯଦି କେତେଜଣ ସାହିତ୍ୟିକ ଥିବେ, ତେବେ ଆମେ ସେଥିରେ ଆଦୌ ଆଚମ୍ବିତ ହେବାନାହିଁ । ସେମାନେ ଯାହାକୁ ବାସ୍ତବ ବୋଲି ଦେଖୁଛନ୍ତି, ସେହି ଅନୁସାରେ ଅବଶ୍ୟ ଆଚରଣ କରିବେ । ସେମାନେ ତୋଷାମଦ କରିବେ ଏବଂ ତଦ୍ଦ୍ୱାରା ଅନୁଗୃହୀତ ହେଉଥିବେ । ତୁମେ ଯଦି କର୍ତ୍ତାମାନଙ୍କୁ ଖୁସି କରି ରଖିଥିବ, ତେବେ କର୍ତ୍ତୃତ୍ୱର ପ୍ରୟୋଗ କରିବା ସମୟରେ କର୍ତ୍ତା ଅବଶ୍ୟ ତୁମ କଥାକୁ ମନେରଖିବେ, ତୁମକୁ ଅନ୍ୟମାନଙ୍କ ପରି ଆଦୌ ନିୟମ ଭିତରେ ପକାଇ ନଚାଇବେ ନାହିଁ ବା କଚାଇବେ ନାହିଁ । ତୁମର ବଦଳି ହେବନାହିଁ,- ଅର୍ଥାତ୍ ତୁମେ ଯଥାସମ୍ଭବ ଏହି ରାଜଧାନୀରେ ରହିବ ଓ ନିଜର ସୁଖ କଳ୍ପନା ଅନୁସାରେ ନିଜ ଜୀବନଟିକୁ ଗଢ଼ିବ । ଯାହା କିଛି ସାହିତ୍ୟ, ସବୁ ଏହି ପୃଥିବୀରେ ତ ହେବ; ତେଣୁ ପୃଥିବୀରେ ତୁମେ ଯଦି ସବା ଆଗ ସୁଖରେ ନ ରହିଲ, ତେବେ ଏହି ତଥାକଥିତ ସାହିତ୍ୟ କ’ଣ ତୁମକୁ ସ୍ୱର୍ଗକୁ ନେବ ? ନିଜ ପାଇଁ ଜୀବନଦର୍ଶନଟିଏ ଖୋଜି ଯିଏ ଏଇଠି ଅର୍ଥାତ୍ ଏତିକିରେ ଭାଡ଼ିଟିଏ ବାନ୍ଧି ରହିଯାଇଛି, ଆମେ ଅନ୍ୟ ପ୍ରକାରେ ବିଚାର ବା ଅନୁଭବ କରୁଥିବା ଲୋକମାନେ ଆଦୌ ତା’ ଉପରେ ବିଗିଡ଼ିଯିବା ନାହିଁ, ତାକୁ ଆମେ ବୁଝିବାକୁ ଚେଷ୍ଟା କରିବା ଏବଂ, ସେହି କାଟର ମଣିଷମାନେ ନ ରହିଲେ ଆମ ରଜାମାନେ ବି କିପରି କ’ଣ କରିବେ ?

 

ରାଜ୍ୟ ତାର ବରିଷ୍ଠ ଓ ବିଶିଷ୍ଟମାନଙ୍କୁ ସ୍ମରଣ କରିବ, ଏହା ହେଉଛି ସଂସ୍କୃତିର କଥା । ଏବେ ତାହାକୁ ପୂଜ୍ୟ ପୂଜା ବୋଲି କୁହାଯାଉଛି । ଏବଂ, କାଳକ୍ରମେ ପୂଜ୍ୟ ପୂଜା କରାଇବାର ସବୁଯାକ କର୍ମକୁ ସରକାର ପ୍ରାୟ ଏକଚାଟିଆ କରିନେଲେଣି । ପୂଜ୍ୟମାନଙ୍କର ପୂଜା କରିବା ଏବଂ ପୂଜ୍ୟମାନଙ୍କ ଠାରୁ ପ୍ରେରଣା ଲାଭ କରିବା,- ଏ ଦୁଇଟିଯାକ ଆଦୌ ଗୋଟିଏ କଥା ନୁହେଁ । ନିଜର ଅଗ୍ରଗଣ୍ୟମାନଙ୍କୁ ନେଇ ଗୌରବ ଅନୁଭବ କରିବା ଓ ସେମାନଙ୍କ ବିଷୟରେ ସଭାକକ୍ଷରେ ଗୁରାଏ ଏଣୁ ତେଣୁ ଉଦଗାରି ହେବା,- ଏ ଦୁଇଟା ମୋଟେ ଗୋଟିଏ କଥା ନୁହେଁ । ରାଜ୍ୟରେ ଏବେ ଯାବତୀୟ ପୂଜ୍ୟ ପୂଜାର ଅନୁଷ୍ଠାନ ସରକାର ରାଜଧାନୀ ସ୍ତରରେ କରୁଛନ୍ତି । ସରକାରୀ ଅମଲାଙ୍କ ତରଫରୁ ସେହି ବିଷୟରେ ସମ୍ବାଦପତ୍ରରେ ସ୍ଥୂଳ ବିଜ୍ଞପ୍ତିମାନ ବାହାରୁଛି । ଏବଂ, ସମ୍ପୃକ୍ତ ସଭାମାନଙ୍କରେ ଯୋଡ଼ାଏ ପୁଞ୍ଜାଏ ମନ୍ତ୍ରୀ ଭାଷଣ ଦେଉଛନ୍ତି । ସେମାନେ ଯେ ଆମ ସମସ୍ତଙ୍କ ତରଫରୁ ସଂସ୍କୃତିର ପ୍ରହରୀ ହୋଇ ମହଜୁଦ ରହିଛନ୍ତି, ସେମାନେ ସବାଆଗ ହୁଏତ ସେହି କଥାଟିକୁ ହିଁ ଘୋଷଣା କରିବାକୁ ଇଚ୍ଛା କରୁଛନ୍ତି । କାଳଟା ମଧ୍ୟ ସମଗ୍ର ସଭା-ପରିବେଶଟିକୁ ଏପରି ହାସ୍ୟାସ୍ପଦ ଭାବରେ ଯୋଡ଼ି ଯୋଡ଼ି ଛିଡ଼ା କରାଉଛି ଯେ, ସେଠାରେ ସତେ ଅବା ପୂଜ୍ୟମାନେ ଗୌଣ ହୋଇ ଯାଉଛନ୍ତି ଏବଂ ସରକାରୀ ପରଂତପମାନେ ବେଶୀ ଦୁଶୁଛନ୍ତି, ବେଶୀ ଫୁଟୁଛନ୍ତି । ଅଗି ଜଳୁଥିବା ସମୟରେ ଗିଲମାନେ ଯେଉଁପରି ଭଡ଼ଭାଡ଼ ହୋଇ ଫୁଟିବାରେ ଲାଗିଥାନ୍ତି ଓ ଭାରି ଅନ୍ୟମନସ୍କ କରନ୍ତି, ପ୍ରାୟ ସେହିପରି । ଏସବୁ ଦେଖିବା ସମୟରେ ନିଜ ଭିତରେ କୋଉଠି କ’ଣ ଭାରି ପ୍ରତିବାଦ କରି ଉଠୁଥିବା ପରି ଅନୁଭବ ହୁଏ ସିନା, ତଥାପି ସଂଯୋଗ ରଖିବାକୁ ହୁଏ । କାଲି ଯେତେବେଳେ ଏହି ଆଜ୍ଞାମାନେ କ୍ଷମତାରେ ନଥିବେ, ସେତେବେଳେ କେହି ସେମାନଙ୍କୁ ଡାକିଯିବ ନାହିଁ, ସେମାନେ ବିଚରା ନିଜେ ମଧ୍ୟ ଏସବୁ ଅନୁଷ୍ଠାନକୁ ସାଧାରଣ ଶ୍ରୋତା ଭାବରେ ଆସିବାକୁ କୁଣ୍ଠାବୋଧ କରିବେ । ତେଣୁ ଯେତେଦିନ ପାଗ ଦେଇଛି, ଟିକିଏ ଦୋଳିରେ ବସିଗଲେ ରାଜ୍ୟରେ ଆମ ସଂସ୍କୃତିର ଅଥବା ସାହିତ୍ୟର ଆଦୌ କୌଣସି କ୍ଷତି ହେବନାହିଁ । ତେଣୁ, ସରକାର ସବୁଠାରୁ ଅଧିକ ଛାଣ୍ଟ ଦେଖାଯାଉଥିବା ପର୍ଯ୍ୟନ୍ତ ସାହିତ୍ୟର କିଛି ଥାଟ ବି ସେଠି ଯାଇ ବିହିତ ପ୍ରକାରେ ଦେହ ଘଷି ହୋଇ ପାରୁଥିବା ଦରକାର । ରାଜାମାନେ ତ ସମ୍ଭ୍ରମ ହେତୁ ଆମକୁ ସବା ବଡ଼ ସମ୍ମାନରେ ବସାଅ ବୋଲି ମୁହଁ ଖୋଲି କଦାପି କିଛି କହିବେ ନାହିଁ, ତେଣୁ ସାହିତ୍ୟର କିଛି ଅଂଶ ମଧ୍ୟ ତାଙ୍କର ପାଖେ ପାଖେ ମାଆ ପରି ରହି ସେମାନଙ୍କର ଦୁଃଖ ବୁଝିପାରୁଥିବା ଆବଶ୍ୟକ । ଅବଶ୍ୟ ସାହିତ୍ୟରେ ନିଜର ପରିମଳ ବୋଲି ସର୍ବଦା ଅବଶ୍ୟ କିଛି ରହିଛି । ଆମ ସମାଜଟା ସେହି ପରିମଳକୁ ସାହସ କରିପାରି ନାହିଁ ବୋଲି ଆମ ସାହିତ୍ୟଟା ମଧ୍ୟ ଅନେକ ସମୟରେ କୋଉ ଜମିଦାର ଘରର ପେଟୁଆ ତକିଆଟାଏ ପରି ଦେଖାଯାଉଛି । ପ୍ରଧାନତଃ ପ୍ରସାଧନର କୌଣସି ସାମଗ୍ରୀ ପରି ମନେହେଉଛି ।

 

ଏକ ସମୂହ ହିସାବରେ ଆଧୁନିକ ଆହ୍ୱାନଗୁଡ଼ିକର ଯୋଗ୍ୟ ହୋଇ ଆସୁଥିବା ସଂଗେ ସଂଗେ ଏହି ରାଜ୍ୟରେ ଆମ ପାଇଁ ମଧ୍ୟ ଏକ ପାହାଚ ଉଠିବାର ଅନ୍ୟ ବେଳ ଆସି ପହଞ୍ଚିଯିବ । ଅସଲ ସମ୍ମାନ ଚଉକି ନୁହେଁ, ଆସନ ନୁହେଁ, ମନୁଷ୍ୟ ହିଁ ପାଇବ । ଏବଂ ସେ ପର୍ଯ୍ୟନ୍ତ ଅସଲ ସାହିତ୍ୟ ସେହି ଅନ୍ୟ ସମୟଟିକୁ ବରଣ କରି ଆଣିବାରେ ହିଁ ନିମିତ୍ତ ହୋଇ ରହିବାକୁ ଚେଷ୍ଟା କରୁଥିବ । ଏହି ନୂଆ ସାହିତ୍ୟ ସଭାରେ ଫୁଲେଇ ହେବାକୁ ଯିବନାହିଁ କିମ୍ବା ସାହିତ୍ୟକୁ ତୋଷାମଦର ସାମଗ୍ରୀ ରୂପେ ବ୍ୟବହାର କରିବାକୁ ମନ କରିବ ନାହିଁ । ଡୋର ଲଗାଇବାରେ ଲାଗିଥିବ, ବନ୍ଧୁ ଖୋଜୁଥିବ,- ସତ୍ୟ-ସମ୍ବନ୍ଧ ଗୁଡ଼ିକର କାଠି ଦେଇ ମଣିଷର ହୃଦୟକୁ ଛୁଇଁବାକୁ ପ୍ରୟାସ କରୁଥିବ । ନିଜର ହୃଦୟଟିକୁ ଯିଏ ସତକୁ ସତ ଛୁଇଁପାରିଛି ଓ ସଂସାରରେ ସାହିତ୍ୟକୁ ନେଇ ବାଟ ଚାଲୁଛି, ସିଏ ସିଧା ସେହି ହୃଦୟ ଯାଏ ଯିବ, ବାଟରେ ମୋଟେ ଅଟକି ରହିଯିବ ନାହିଁ-

Image

 

ଉପମା ଅତିରସିକସ୍ୟ

 

ଗଛକୁ ନଗି ନପାଇଲେ ଅନେକ ମଣିଷ ଉତ୍ତେଜିତ ହୋଇପଡ଼ନ୍ତି । ଉତ୍ତେଜିତ ହେବାରୁ କ୍ରମେ ଭାବପ୍ରବଣ ବି ହୁଅନ୍ତି । ଲେଖୁଥିବା ଲୋକେ, କହୁଥିବା ଲୋକେ ଯେତେବେଳେ ବର୍ଣ୍ଣନା କରିବାରେ ଅସମର୍ଥତା ଅନୁଭବ କରନ୍ତି, ସେତେବେଳେ ସେମାନେ ଉପମାର ଆଶ୍ରୟ ନିଅନ୍ତି ନାହିଁ ତ ? କୌଣସି ପଦାର୍ଥ ଅନିର୍ବଚନୀୟ, ତେଣୁ ଉପମା ଦ୍ଵାରା ହିଁ ବଚନୀୟ । ଏହି ରୀତି ବା ଧାରାଟି ପୁରାତନ କାବ୍ୟ କବିତାରେ ସତେ ଅବା ସମ୍ରାଟବତ୍ ଶାସନ କରୁଥିଲା । କେଉଁ ଅସମର୍ଥତା ହେତୁ ଜଣେ ବିଜ୍ଞ ବ୍ୟକ୍ତି ଯେ ନିଜ ବର୍ଣ୍ଣନାଭୂମିଟିକୁ ଛାଡ଼ିଦେଇ ହଠାତ୍କିନା ଉପମା ଭିତରକୁ ଡ଼େଇଁ ପଡ଼ନ୍ତି, ସେହି ବିଷୟରେ ଅଧିକ ଚିନ୍ତା କଲେ ଆମକୁ ଅନେକ ଭାରି କୌତୁହଳପ୍ରଦ ଅନୁଭବ ଅବଶ୍ୟ ମିଳିପାରନ୍ତା ଏବଂ ତାହାଦ୍ଵାରା ଆମକୁ ସତେଅବା ଗୋଟାଏ ଛାଞ୍ଚରେ ଢାଳି ରଖିଥିବା ସାମ୍ପ୍ରତିକ ହାଉଆଟାକୁ ମଧ୍ୟ କିଞ୍ଚିତ୍ ବାରି ହୁଅନ୍ତା । ଆମ ସାଧୁତାର ମଧ୍ୟ ଏକ ପରୀକ୍ଷା ହୋଇଯାଆନ୍ତା । ଏବର କବିତାକ୍ଷେତ୍ରରେ ଉପମା ଅଣ୍ଡାଳିବାର ମହାକୁପିତ ଦଉଡ଼ରେ ଏବେ ଯେପରି ପ୍ରତିଯୋଗିତା ଚାଲିଛି, ସେଇଟା ପଛରେ କୌଣସି ଅସାଧୁତା ହିଁ ଆମର ଚୁଟି ଧରି ଆମକୁ ବହକାଇବାରେ ଲାଗିଛି କି ?

 

କ୍ରିକେଟ୍ ଗୋଟିଏ ଖେଳ । ଏହାର ଜନ୍ମସ୍ଥାନ ଇଂଲଣ୍ଡରେ । ସେହି ଦେଶର ଅଳସୁଆବର୍ଗ ଏକଦା ପ୍ରାୟ ଗୋଟାସୁଦ୍ଧା ନିଜର ନିବୁଜ ଅଲଗା ସଂସାରଟିର ପ୍ରୀତ୍ୟର୍ଥ ଏହି ଖେଳଟିକୁ ଫାନ୍ଦି ଆଣିଥିଲେ । ନହେଲେ, ଏତେଗୁଡ଼ାଏ ଫୁରୁସତ୍ ସମୟ ସାଧାରଣ ମନୁଷ୍ୟମାନଙ୍କର କେଉଁଠି ରହିଥିଲା ଯେ, ସେମାନେ କ୍ରିକେଟ କ୍ରୀଡ଼ାକୁ ମନକରି ପାରିଥାନ୍ତେ ? କାଳ ଯହୁଁ ଯହୁଁ ଆଧୁନିକ ହେଲା, ସମ୍ପନ୍ନତା ବଢ଼ିଲା ଏବଂ ବଡ଼ ବଡ଼ କାମକୁ ଅଳପ ସମୟରେ ସାଧ୍ୟ କରିବା ସମ୍ଭବ ହେଲା, ତହୁଁ ତହୁଁ ଆଳସ୍ୟ ପ୍ରାୟ ଏକ ସର୍ବସାଧାରଣ ଫେଶନରେ ପରିଣତ ହୋଇଗଲା । କାଳପୁରୁଷଙ୍କର ଅଶେଷ କରୁଣାରୁ ତାହା ଇଂଲଣ୍ଡର ଜାତୀୟ କ୍ରୀଡ଼ା ରୂପେ ସନମାନ ପାଇଲା । ପୃଥିବୀରେ ଯେଉଁ ସବୁ ଦେଶ ଉପରେ ଇଂଲଣ୍ଡ ନିଜର ସାମ୍ରାଜ୍ୟ ଜମାଇ ରଖିଥିଲା, ସେହିସବୁ ଦେଶର ଅଳସୁଆ ବର୍ଗ କ୍ରିକେଟ୍କୁ ମାଲିକଙ୍କର ଖେଳ ବୋଲି ନିଜେ ବି ଖେଳିଲେ, ଏପରି କରି କିଛି ଖୁସି ମଧ୍ୟ ଅଲବତ ହେଲେ । ମଉକା ପାଇ ମାଲିକର ଟୋପିକୁ ଦୁଇ ଦଣ୍ଡ ପାଇଁ ଆପଣା ମୁଣ୍ଡରେ ପିନ୍ଧିବାକୁ କୋଉ ଭୃତ୍ୟକୁ ଉଷତ ନ ଲାଗିବ ? ଏବଂ, ଉପନିବେଶମାନେ ସ୍ୱାଧୀନତା ଲାଭ କରିବା ପରେ କ୍ରିକେଟ ମଧ୍ୟ ସତେ ଅବା ଏକ ଦ୍ୱିଜତ୍ୱ ଲାଭ କଲା । ସବୁ ଦେଶରେ ଯେହେତୁ ଏକ ଅଳସୁଆ ବର୍ଗ ରହିଛନ୍ତି, ଆମର ନୂଆ ପୃଥିବୀଟିରେ କ୍ରମେ ଆଉ ଆଉ ଦେଶମାନେ ମଧ୍ୟ ସରାଗ କରି କ୍ରିକେଟ ଖେଳ ଖେଳି ଶିଖିଲେ ଏବଂ ଏହି ପ୍ରବରମାନଙ୍କୁ ନେଇ ପୃଥିବୀରେ କେତେକ ଅଂଶରେ କ୍ରିକେଟ ଦେଖୁ ଦେଖୁ ପ୍ରାୟ ଏକ ଗୋତ୍ରରେ ପରିଣତ ହୋଇଗଲା । ରାଜକୀୟ ହିସାବରେ କ୍ରିକେଟୀୟ ଜୟଯାତ୍ରାମାନ ଚାଲିଲା ।

 

ସେଦିନ ଓଡ଼ିଶାର କୌଣସି ସ୍ଥାନରେ ରାଜଧାନୀରୁ ପଧାରିଥିବା ଜଣେ ବୀରବର ବକ୍ତା ରୂପେ ଏକ ସଭାରେ ଭାଷଣ ଦେଉଥିଲେ । ସିଏ ପିଲାମାନଙ୍କୁ ବକ୍ତୃତା ଦେଉଥିଲେ । ମାତୃଭାଷା ପ୍ରତି ଆଦର ରଖିବାକୁ ହେବ ବୋଲି ପିଲାମାନଙ୍କୁ ବୁଝାଇ କହୁଥିଲେ । ନିଜର ଭାବମୂର୍ତ୍ତ କଥାଗୁଡ଼ିକୁ କହି ପାରିବା ଲାଗି ସିଏ ସାମର୍ଥ୍ୟ ପାଇଲେ ନାହିଁକି କ’ଣ କେଜାଣି, ହଠାତ୍ ଉପମାର ଆଶ୍ରୟ ନେଲେ । କହିଲେ, ପିଲାମାନେ ତୁମେମାନେ କ୍ରିକେଟ ଖେଳକୁ ଯେଉଁପରି ଭଲ ପାଉଛ, ନିଜର ମାତୃଭାଷାକୁ ମଧ୍ୟ ସେହିପରି ଭଲ ପାଅ । କଥାଟି ଖବରକାଗଜରେ ବାହାରିଥିଲା । ସେଇଟିକୁ ପଢୁଥିବା ସମୟରେ ମୋର ଗଙ୍ଗାଧର ମେହେରଙ୍କ କଥା ମନେପଡ଼ିଲା, ସରସ୍ୱତୀ ଫକୀରମୋହନଙ୍କର କଥା ମଧ୍ୟ ମନେପଡ଼ିଗଲା । ବିଚରା ସେମାନେ ମାତୃଭାଷାର ଉନ୍ନତି ନିମନ୍ତେ କେତେ କଲବଲ ହୋଇ କେତେ କଥା କହିଛନ୍ତି । ସେତେବେଳେ ଓଡ଼ିଶାକୁ କ୍ରିକେଟ ଖେଳ ଆସିନଥିଲା କି ? ବରପାଲି ଏବଂ ବାଲେଶ୍ୱରରେ କ୍ରିକେଟ ଖେଳ ଦେଖିବାର ମହାନ୍ ସୁଯୋଗ ଲାଭ କରିଥିଲେ ଗଙ୍ଗାଧର ଓ ଫକୀରମୋହନ ଅବଶ୍ୟ ଉପମାଟିକୁ ହାତରପାଞ୍ଚ କରି ନେଇଥାନ୍ତେ ଏବଂ ସମ୍ପୃକ୍ତ ସମସ୍ତଙ୍କୁ ଦଶଗୁଣ ଅଧିକ ଆପ୍ୟାୟିତ କରିପାରିଥାନ୍ତେ । ବାସ୍ତବ କଥାଟି ହେଉଛି ଯେ, ସେତେବେଳେ ଓଡ଼ିଆ ଭାଷାକୁ ଯେଉଁ ସଂକଟ ଘୋଟିଥିଲା, ତାହାକୁ ବର୍ତ୍ତମାନ ମଧ୍ୟ ସେହିଭଳି ସଂକଟଟିଏ ଘୋଟିଛି ଏବଂ ସେଥିପାଇଁ ବଡ଼ମଥାମାନେ ଘୋର ଚିନ୍ତାରେ ପଡ଼ିଛନ୍ତି । ପିଲାଏ କିପରି ମାତୃଭାଷା ପ୍ରତି ଆକୃଷ୍ଟ ହେବେ, ସେଥିଲାଗି ସେମାନେ ଘୋର ଉଦ୍ୟମ କରୁଛନ୍ତି । ଉପମାଟିଏ ଖୋଜି ଖୋଜି ଶେଷକୁ କ୍ରିକେଟ କ୍ରୀଡ଼ା ପାଖରେ ଯାଇ ପହଞ୍ଚିଛନ୍ତି-

 

ମେହେର ଏବଂ ସେନାପତି ନିଜର ମାତୃଭାଷାକୁ ଯେ ଅତ୍ୟନ୍ତ ଭଲ ପାଉଥିଲେ, ସେ କଥାରେ ଆଦୌ କୌଣସି ସନ୍ଦେହ ନାହି; ମାତ୍ର ସେମାନେ ଯେ କ୍ରିକେଟ ପରି ମାତୃଭାଷାକୁ ଭଲ ପାଉଥିଲେ, ସେମାନଙ୍କର ମଞ୍ଜକୁ ଉଖାରି କିଏ ସେହି କଥାଟିର ଉତ୍ତର ଦେଇପାରିବ ? ତୁ ତୋ ଗଞ୍ଜେଇକୁ ଭଲ ପାଉଛୁ, ଏଣିକି ନିଜ ମାତୃଭାଷାଟିକୁ ମଧ୍ୟ ସେହିପରି ଭଲ ପାଇବୁ ବୋଲି ଯଦି ଜଣେ ଗଞ୍ଜୋଡ଼କୁ ଉପଦେଶ ଦିଆଯାଏ, ତେବେ ଏଥିରେ ସିଏ କିପରି ପ୍ରତିକ୍ରିୟା ଦେଖାଇବ କେଜାଣି ? ହଁ, ଗୋଟିଏ ପୁରାତନ ଉପନିଷଦରେ ଅବଶ୍ୟ ଏପରି କଥାଟିଏ କୁହାଯାଇଛି ଯେ ଜଣେ କାମାସକ୍ତ ପୁରୁଷ ତା’ ରମଣୀ ପ୍ରତି ଯେପରି ଆନୁଗତ୍ୟ ଦେଖାଇଥାଏ, ଜଣେ ଈଶ୍ୱରନିଷ୍ଠ ବ୍ୟକ୍ତି ଈଶ୍ୱରଙ୍କ ପ୍ରତି ସେହିପରି ଅନୁଗତ ହୋଇ ରହିବ । ଉପମାଟା କାହାକୁ କିଭଳି ଲାଗିବ କେଜାଣି ? ଈଶ୍ୱରାନୁଗତ୍ୟକୁ ସମୁଚିତ ଗୁରୁତ୍ୱ ଦେବାକୁ ଯାଇ ଉପନିଷଦକାର ଋଷି କାହିଁକି ରମଣୀ ଆଡ଼େ ମାଡ଼ିଗଲେ, ସେହି ବିଷୟରେ ହୁଏତ କେତେ ପ୍ରକାର କଳ୍ପନା ଜଳ୍ପନା କରିବାକୁ ଆଗ୍ରହ ମଧ୍ୟ ହେବ । ଆମ ଆଲୋଚ୍ୟ ବ୍ୟକ୍ତି ଯେତେବେଳେ ଉକ୍ତ ଉପମାଟି ସାହାଯ୍ୟରେ ପିଲାମାନଙ୍କୁ ଆପଣାର ପରାମର୍ଶଟିକୁ ଦେଇଥିବେ, ସେତେବେଳେ ପିଲାମାନେ ନିଶ୍ଚୟ କିଞ୍ଚିତ୍ ପୁଲକରେ କୁରୁଳି ଉଠିଥିବେ । ସେମାନଙ୍କୁ ହୁଏତ ବେଶ ସୁଲୁସୁଲିଆ ବି ଲାଗିଥିବ । କିନ୍ତୁ ହୁଏତ ତା’ପରେ ସେମାନେ କ୍ରିକେଟ ଖେଳଟିକୁ ହିଁ ଅଧିକ ସ୍ମରଣ କରିବେ, ଖୁସିରେ ଭାସିଯାଇ ମନେ ମନେ ସିଧା ପଡ଼ିଆକୁ ଯାଇ ଦି’ ବାଡ଼ି ବଲ୍ ବାଡ଼େଇ ଆସିବା ପରି ଅନୁଭବ କରିଥିବେ ଏବଂ ପରସ୍ପର ଆଡ଼େ ଅନାଅନି ହୋଇ ବକ୍ତା ଜଣେ ସମଝଦାର ଆଦମି ବୋଲି ଏକ ଆରେକୁ କେତେ ଇସାରା ଦେଇଥିବେ । ଏବଂ, ମାତୃଭାଷା କଥା ହୁଏତ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥିବେ । ଅର୍ଥାତ୍ ବକ୍ତାଙ୍କର ଉପମାଟା ଅବଶ୍ୟ କାମ କରିଥିବ ସିନା, ମାତ୍ର ଫଳ ଠିକ୍ ଓଲଟା ହୋଇଥିବ । ଉପମେୟ ଉପମାନକୁ ଗୋଟାପଣେ ଗିଳି ପକାଇଥିବ । ପିଲାମାନେ ଏବେ ଏପରି ଦୁଷ୍ଟ ହେଲେଣି ଯେ, ବକ୍ତାଙ୍କର ସାଧୁ ଉଦ୍ଦେଶ୍ୟଟିକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ପଣ୍ଡ କରି ଦେଇଥିବେ-

 

ଏବଂ ଏହି କ୍ରିକେଟ ଖେଳଟାକୁ ନେଇ ବଡ଼ମାନେ ଯେ ଆଦୌ କମ୍ ଦୁଷ୍ଟ ଓ କମ୍ କୁପିତ ହେଉନାହାନ୍ତି, ଏବେ ସେହି ଇଂଲଣ୍ଡର ରଙ୍ଗମଞ୍ଚରେ ଖେଳା ହୋଇଥିବା ବିଶ୍ୱକପ୍ କ୍ରିକେଟ୍ ଖେଳର ମହଡ଼ାଟା ଚାଲିଥିବା ସମୟରେ ସେହି କଥାଟା ଅତ୍ୟନ୍ତ ସ୍ପଷ୍ଟ ହୋଇଗଲା । ଆମ ଦେଶର ପ୍ରଧାନମନ୍ତ୍ରୀ ସତେ ଅବା କେଉଁ କଳ୍ପନା-ପ୍ରବଣ ଯୁବାକବିଙ୍କ ପରି ରାତ୍ରିକାଳରେ ଅଧୀର ହୋଇ ଉଠିଲେ ଏବଂ ଇଂଲଣ୍ଡରେ ଥିବା ଖେଳାଳିମାନଙ୍କର କୁଶଳ ପୁଚ୍ଛା କଲେ । ଆମ ଦଳ ଜିତିଲେ ବୋଲି ସେମାନଙ୍କୁ ସାବାସୀ ଜଣାଇଲେ । ଗୋଠ ମାତିଲେ ଖଣ୍ଡିଆ ମାତନ୍ତି ବୋଲି ଶାସ୍ତ୍ରରେ ଅପବାଦ ସିନା ରହିଛି, ମାତ୍ର ଗେଣ୍ଡାମାନେ ମାତିଲେ ବଉଳା କୁମ୍ଭୀର ମଧ୍ୟ ଯେ ମାତିବାକୁ ବାହାରିପଡ଼େ, ସେକଥାଟା ଏତେଦିନେ ଯାଇ ପ୍ରକଟ ହେଲା । ପ୍ରଧାନମନ୍ତ୍ରୀ ନିଜେ କେବେ କ୍ରିକେଟ ଖେଳିଛନ୍ତି କି ନାହିଁ ଅଥବା ତାଙ୍କ ଘରେ କେହି କେବେ କ୍ରିକେଟ ସାଧନା କରିଥିଲେ କି ନାହିଁ ସେକଥା ତାଙ୍କୁ ପଚାରିଲେ ଯାଇ ସିନା ଜାଣି ହୁଅନ୍ତା,- ମାତ୍ର ସିଏ ଯାହା କଲେ, ତଦ୍ଦ୍ୱାରା କ୍ରିକେଟର ପରମ୍ପରାରେ ଏକ ନୂଆ ଘଟଣା ଘଟାଇଲେ । ଇଂଲଣ୍ଡରେ କ୍ରିକେଟ ଦଳରେ କେହି ଜଖମ ହେଲେ ଇଂଲଣ୍ଡର ରାଣୀ ଟେଲିଫୋନ୍ ଧରି ଭଲ ମନ୍ଦ ପୁଛନ୍ତି କି ନାହିଁ, ସେକଥା ତେଣେ ଯାଇ ପଚାରିଲେ ଜଣାପଡ଼ନ୍ତା । ଇଂଲଣ୍ଡବାଲା କୋଉଠି ଖେଳ ଜିତିଲେ, ସେ ପ୍ରଧାନମନ୍ତ୍ରୀ ପ୍ରଜାଙ୍କର କୋଷରୁ ପଇସା ଖରଚ କରି ସେମାନଙ୍କୁ ସାବାସ୍ ବୋଲି କହିବାକୁ ଆବଶ୍ୟକ ଫୁରୁସତ୍ଟା ମଧ୍ୟ ସମ୍ଭବତଃ ପାଉନଥିବେ । ଗୋଟାଏ ଆସନ ବା ପଦରେ ଯାଇ ବସିବାକୁ ସତେଅବା ଏକ କ୍ରୀଡ଼ାର ବ୍ୟାପାର ବୋଲି ମନେକରୁଥିବା ଜଣେ ପାଟମନ୍ତ୍ରୀ ନିଶ୍ଚୟ ଏପରି କରିବାକୁ ହକ ହକ ହୋଇ ଉଠିବ । ପ୍ରଧାନମନ୍ତ୍ରୀ ପ୍ରାୟ ଜଣେ ପକ୍କା ଜାଦୁଗର ପରି ଏହି ଦେଶରେ ପଲ ପଲ ହୋଇ ବାସ କରୁଥିବା ଧୋବ ମଣିଷଙ୍କର ନାଡ଼ିଟାକୁ ଅତ୍ୟନ୍ତ ଉତ୍ତମ ଭାବରେ ଚିପି ସବୁକଥା ଜାଣିଥିବେ । ସେମାନେ ଯେ ପଡ଼ିଶା ମଣିଷଙ୍କର ଭୋକକୁ ଜାଣି ନପାରିଲେ ମଧ୍ୟ ରାତି ଅନିଦ୍ରା ହୋଇ ଖେଳ ଦେଖୁଥିବେ, ସିଏ ସେହି କଥାଟିକୁ ଭଲ ଭାବରେ ଜାଣିଥିବେ । ଦେଶର ନାଡ଼ିଟାକୁ ଜାଣିଥିଲେ ସିନା ତୁମେ ଦେଶଟାକୁ ଠିକ୍ ନବାବମାନଙ୍କ ପରି ଭୋଗ କରିପାରିବ ।

 

ଖେଳାଳିମାନେ ଯଦି ସମରକ୍ଷେତ୍ରରେ ଜିଣି ଶିରିପା ନେଇ ଦେଶକୁ ଫେରିବେ, ତେବେ ସେମାନଙ୍କୁ ସାଢ଼େ ଏତେ ଲକ୍ଷ ଟଙ୍କା ମିଳିବ ବୋଲି ସରକାରୀ ଦରବାରରୁ ଘୋଷଣା କରାଯାଇଥିଲା । ଆଗେ ଭାରହାଣ୍ଡି ଆଣି ଠିକଣା ଜାଗାରେ ପହଞ୍ଚାଇ ଦେଉଥିବା ଭାରୁଆମାନଙ୍କୁ ପାନଖିଆ ପଇସା ଦିଆଯାଉଥିଲା । ଏବେ ଗୁଣ୍ଡାମାନଙ୍କୁ ତଥା ସାହିର ନେତାମାନଙ୍କୁ କାମଟା ଫଇସଲା ହୋଇଗଲେ ହୁଏତ କିଛି ମଦଖିଆ ପଇସା ମଧ୍ୟ ମିଳିଲାଣି । ମାତ୍ର, ଖେଳାଳିମାନେ ଖେଳରେ ଜିତିଲେ ସେମାନଙ୍କୁ ଟଙ୍କା ମିଳିବ, ଚାକିରିଟାଏ ମିଳିବ, ଏସବୁ କଦର ସମ୍ଭବତଃ ପ୍ରଥମେ ଆଗର କମ୍ୟୁନିଷ୍ଟ ରାଷ୍ଟ୍ରମାନଙ୍କ ଠାରୁ ଆରମ୍ଭ ହୋଇଥିଲା । ଖେଳରେ ହାରିଲେ ଜିତିବା ଦ୍ଵାରା ଆଗରୁ ମିଳିଥିବା ଚାକିରି ଏବଂ ଅନ୍ୟାନ୍ୟ ସୁବିଧାକୁ ମଧ୍ୟ ଛଡ଼ାଇ ନିଆଯାଉଥିଲା । ବିଚାରାମାନଙ୍କୁ ସେତେବେଳେ ପ୍ରକୃତରେ ରାଣ୍ଡ ହେଲା ପରି ହିଁ ଅନୁଭବ ହେଉଥିବ । ଆମ ଗାଆଁରେ କେହି ରାଣ୍ଡ ହେଲେ ମଜବୁତିଆ ଅନ୍ୟ ମହିଳାମାନେ ତାକୁ ପ୍ରାୟ ମାଡ଼ିବସି ଶିଳୁପୁଆ ଦ୍ଵାରା ସିଏ ହାତରେ ପିନ୍ଧିଥିବା କାଚଗୁଡ଼ାକୁ ଛେଚି, ଭାଙ୍ଗି ପକାଉଥିଲେ । ବିଧବା ହୋଇଥିବା ଜାଣି ମଧ୍ୟ ଦୁଃଖିନୀ ମହିଳାଟି ତଥାପି ପିନ୍ଧିଥିବା କାଚଗୁଡ଼ାକ ଏପରି ଭାବରେ ଛେଚାହେଉ ବୋଲି ଆଦୌ ଇଚ୍ଛା କରୁନଥିଲା । ଖରା ନଇଁ ଆସିଲା ବେଳକୁ ଆମେ ଗାଆଁ ପିଲାଏ କିତିକିତି ଖେଳିବୁ ବୋଲି ଯେତେବେଳେ ନଈବାଲିକୁ ବାହାରି ପଡୁଥିଲୁ, ସେତେବେଳେ ଆମକୁ ଜିତିଲେ କ’ଣ ଏତାଟାଏ ମିଳିବ ବୋଲି କେହି ଲୋଭ ଦେଖାଉନଥିଲେ ଅଥବା ହାରିଲେ ରାଣ୍ଡ ହେବ ବୋଲି ଧମକ ବି ଦେଉନଥିଲେ । ଏ କାଳକୁ ସିନା ଖେଳରେ ଏହି ବୁଦ୍ଧିଆ ଯୁଗଟା ଆସି ପ୍ରବେଶ କଲା, ଆମେ କିନ୍ତୁ ପୂରା ହୁଣ୍ଡା ହୋଇ ଖେଳୁଥିଲୁ; ପୂରା ହୁଣ୍ଡା ହୋଇ ଜିତୁଥିଲୁ ବା ହାରୁଥିଲୁ । ଉଭୟ ସ୍ଥିତିରେ ସମାନ ଭାବରେ ଖୁସି ହୋଇ ପାରୁଥିଲୁ ।

 

ଏଥର ଭାରତ ମଇଦାନରେ ପ୍ରଥମେ ହାରିବାକୁ ଆରମ୍ଭ କଲା । ଏଠି ଭାରତରେ ଖର କ୍ରୀଡ଼ାପ୍ରେମୀମାନେ ରାଗି ଅଗ୍ନିଶର୍ମା ହୋଇଗଲେ । ସତେ ଯେପରି କାହାର ଗୋଲାମ ହୋଇ ଖେଳାଳିମାନେ ଖେଳ ଖେଳିବାକୁ ଯାଉଛନ୍ତି, ସେମାନଙ୍କ ଉପରେ ବହୁତ ଗାଳିଗୁଲଜ ହେଲା । ମନିଟରଙ୍କର କୁଶପୁତ୍ତଳିକା ଦାହ ମଧ୍ୟ କରାଗଲା । ନିଆଁ ପାଣି ଉପରେ ରାନ୍ଧୁଣିଆର ହାତ ନ ଥିଲା ପରି ଖେଳରେ ପରିଣାମ ଉପରେ ବି ଖେଳାଳିମାନଙ୍କର ପ୍ରକୃତରେ ସେତେ ବେଶୀ ଅକ୍ତିଆର ନଥାଏ । କାହାରି ଜଣକ ଉପରେ ବି ହାରଜିତ୍ ନିର୍ଭର କରେନାହିଁ । ଆମେ ଆମ ଗାଆଁ ଗୋଚରରେ ହାୟ ହାୟ ନିନାଦ କରି ଯାହାର କୁଶପୁତ୍ତଳିକା ଦାହ କରି ଅଯୋଗ୍ୟ ମାନବଜନ୍ମ ଲାଭ କରିଥିବାର ଦୈନ୍ୟକୁ ନିବାରଣ କରୁଥିଲୁ, ସେହିସବୁ ସମ୍ବାଦ ପାଇ ସେହି ଯୁବକଟି ଭିତରେ ହୁଏତ ଏକାବେଳେକେ କେତେ କେତେ ଦାହ ହୋଇଥିବ । ସେ ନିଜ ଉପରେ ରାଗିଥିବ; ଯୋଉ ଦେଶରେ ସିଏ ଜନ୍ମ ହୋଇଛି, ସେହି ଦେଶ ଉପରେ ରାଗିଥିବ ଏବଂ ସର୍ବୋପରି ଯେଉଁମାନେ ଆମ ଦଳଟିକୁ ପରାସ୍ତ କଲେ, ସେହି ଦେଶଟି ଉପରେ ମଧ୍ୟ ରକତଚାଉଳ ଚୋବାଇଥିବ । ଖଣ୍ଡ କ୍ଷୁର ନେଇ ମାନଚିତ୍ର ଉପରୁ ସେହି ଦେଶଟିକୁ କାଟି ଗେନା ଗେନା କରି ଦେବାକୁ ପ୍ରକୋପମାନ ହୋଇଥିବ । ଆଖିରୁ ଗରମ ଲୁହ ବାହାରି ପଡ଼ିଥିବ । ଖେଳ ହେଲେ ତ ହାରଜିତ୍ ଅବଶ୍ୟ ରହିବ । ଗୋଟାଏ ପଟ ହାରିଲେ ସିନା ଆଉ ଗୋଟାଏ ପଟ ଜିତିପାରିବ ? କୋଉ ଦୁଷ୍ଟ ଏହି ଖେଳମାନଙ୍କ ସହିତ ଦେଶମାନଙ୍କୁ ନେଇ ଯୋଡ଼ିଲା କେଜାଣି ? ବାଇଶଟା ଖେଳାଳି ଖେଳୁଥିବା ସମୟରେ ବାଇଶି ହଜାର ଦେଖଣାହାରି କାହିଁକି ନିଜ ନିଜ ଦେଶର ପତାକାମାନଙ୍କୁ ଉଡ଼ାଇ ପଶୁଙ୍କ ପରି ପେଁ ପେଁ ହେଉଥିବେ, ସେ କଥା ବାତ୍ସାୟନ ମୁନି ତାଙ୍କ ରତିଶାସ୍ତ୍ରରେ କିଛି ଲେଖିନାହାନ୍ତି । ଏଣେ କାରଗିଲ୍ ଓ ତେଣେ ଇଂଲଣ୍ଡ, ଦୁଇ ଜାଗାରେ ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧ ଲାଗିଛି ବୋଲି ହେଞ୍ଜେଡ଼ା ମେଡ଼ିଆମାନେ ସେତେବେଳେ କେତେ ଚିତ୍କାର କରୁଥିଲେ । ଏହି ଖେଳମାନେ ଯଦି ଆମକୁ ଏକାବେଳେକେ ଏପରି ବେହୋସ କରି ପକାଉଛନ୍ତି, ତେବେ ସେଇଟା ସେହି ଖେଳର ଦୋଷ ନା ଚାରିଆଡୁ ପ୍ରୋତ୍ସାହନ ପାଉଥିବା ଆମ କୋପନ ପ୍ରକୃତିର ଦୋଷ ?

 

ଆମ ରାଜ୍ୟର ଜଣେ ଦୁଲାଳ ଏଣିକି ଖେଳାଳି ଦଳରେ ସାମିଲ ହେବେ ବୋଲି ଖବର ବାହାରିବା ସଂଗେ ସଂଗେ ଆମ ଧୋବ ମେଡ଼ିଆଟା ମଧ୍ୟ ନାହିଁନଥିବା ମାତ୍ରାରେ ଆହ୍ଲାଦିତ ହୋଇଉଠିଲା । ପୁରୁଷୋତ୍ତମ ଦେବଙ୍କର କାଞ୍ଚିଯାତ୍ରା ସମୟରେ ଯଦି ଏତେ ମେଡ଼ିଆ ଥାଆନ୍ତା, ତେବେ ସେତେବେଳର ମେଡ଼ିଆ-ମହିଷମାନେ ସମ୍ଭବତଃ ଏତିକି ଧୂଳି ଉଡ଼ାଇ ପାରିଥାନ୍ତେ । ସାମ୍ବାଦିକମାନେ ସିଧା ତାଙ୍କ ଘରକୁ ଯାଇ ମେଳା ଜମାଇ ପକାଇଥିଲେ । ତୁଳସୀ ସତକୁ ସତ ଦୁଇ ପତ୍ରରୁ ବାସିଥିଲା କି ନାହିଁ, ସେହି ବିଷୟରେ ରବେଇ ଖବେଇ ସେମାନେ କେତେ ପ୍ରଶ୍ନ ପଚାରିଲେ । ସମସ୍ତେ ମିଶି ଏହି ଶେଷ ସିଦ୍ଧାନ୍ତରେ ପହଞ୍ଚିଲେ ଯେ କେବଳ ଦେବ ଦେବ ଜଗନ୍ନାଥଙ୍କର କୃପାରୁ ହିଁ ଏତେ କାଳପରେ ଏକଥା ସମ୍ଭବ ହେଲା । ମୁଁ ଭାବୁଥିଲି ପିଲାକାଳରେ ପାଠପଢ଼ା ଛାଡ଼ି କାହିଁକି ଏ ନେଫେଡ଼ା ଖେଳରେ ମାତିଛୁ ବୋଲି ପୁଅଟାକୁ ବାପାମାଆଙ୍କ ଠାରୁ କେତେ ଆକଟ ଶୁଣିବାକୁ ହୋଇଥିବ । ପେଣ୍ଡୁଲକର ଓ ଖେଣ୍ଡୁଲକର ସମସ୍ତଙ୍କୁ ଶୁଣିବାକୁ ପଡ଼ିଥିବ-। ତଥାପି ଗ୍ରହମାନେ ପ୍ରସନ୍ନ ଥିଲେ ବୋଲି ପିଲାଟା ସିନା ଏତେବଡ଼ ହେଲା ଓ ଆମ ସମସ୍ତଙ୍କର ନାଆଁ ରଖିଲା ! ମୁଁ ଭାବୁଥିଲି, ହିରୋମାନେ ବାହାରିବାରେ ପରମ୍ପରାଗତ ଅନ୍ୟାନ୍ୟ ପ୍ରାୟ ସକଳ କ୍ଷେତ୍ରରେ ବର୍ତ୍ତମାନ ଘୋର ମରୁଡ଼ି ପଡ଼ିଥିବା ସମୟରେ ଅନ୍ତତଃ କ୍ରିକେଟ ଭଗବାନ ଆମ ଗଗନରେ ଜଣେ ହିରୋ ଆଣି ଆମକୁ ଦେଲେ । ଏତିକି କ’ଣ କମ୍ ଭାଗ୍ୟର କଥା ? କ୍ରିକେଟ ଯେ ସତକୁ ସତ ଗୋଟିଏ ଖେଳ, କ୍ରମେ ସେ କଥା ସମସ୍ତେ ପାସୋରିଦେବେ । କ୍ରିକେଟ ମହାମଣ୍ଡଳର ସମସ୍ତେ ଆମ ପିଲାଙ୍କ ନିମନ୍ତେ ମାର୍ତ୍ତଣ୍ଡ ସଦୃଶ ଦୃଶ୍ୟମାନ ହେବେ । ଭାରତ ଜନନୀଙ୍କର ଦୁଃଖ ଯିବ । ସିଏ ତାଙ୍କର ଅନ୍ୟ ଯାବତୀୟ ଦୁଃଖକୁ କୁଆଡ଼େ ଭୁଲିଯିବେ । ଭାରି ଭଲ ହେବ। ବାରମାସ ଯାକ ଏହିପରି କ୍ରିକେଟ ଉତ୍ସବ ଲାଗିଥଲେ ଆମ ଦେଶ ନିତି ଉଲ୍ଲାସ ଅନୁଭବ କରୁଥିବ । ଏକ ଅଲକ୍ଷଣା ଦେଶରେ ତାହା ହିଁ ଆମର ଲଜ୍ଜାକୁ ବଜର କରି ରଖିବ ।

 

ସିଗାରେଟ୍ କମ୍ପାନୀମାନେ ଯେଉଁଦିନ ଠାରୁ କ୍ରିକେଟ ସାହିରେ ଆସି ପ୍ରବେଶ କଲେଣି, ସେହିଦିନ ଠାରୁ ଆମ ଖେଳୁଆଡ଼ମାନେ ଗୋଟାଏ ଗୋଟାଏ ଜୋକର ପରି ଦିଶିବାକୁ ଖୁବ୍ ଆଗ୍ରହ ଦେଖାଇଲେଣି । କୋଉ ମଣିଷଙ୍କୁ ପ୍ରଲୋଭିତ କରି ମନୋମତ ବେଶି ପିନ୍ଧାଯାଇ ପାରିବ, ସେ କଥା ଭଲ କରି ଠଉରାଇ ସାରିବା ପରେ ଯାଇ କମ୍ପାନୀ ଆସି ଏମାନଙ୍କୁ ଭାନୁମତୀ ବନାଇଛି । ପିଠିରେ, ବାହାରେ, ଖୁଆରେ, କ୍ରୀଡ଼ାର ଆୟୁଧଟି ଉପରେ- ଆମ ସଂଖାଳିମାନେ ସିଗାରେଟ୍ କମ୍ପାନୀର ନାମକରଣ ଗୁଡ଼ିକୁ ପରିଧାନ କରିଛନ୍ତି । ପଇସା ସବୁ କରୁଛି । ଏହି କଅଁଳ ଯୁବାବସ୍ଥାରୁ ସେମାନେ ଯେ ଟାଉ ଟାଉ ହୋଇ ଏହି ପାଲଟା ଭିତରେ ଆସି ପଡ଼ିଗଲେ, ସେଥିପାଇଁ ଆମର ଏହି ଯୁଗଟାକୁ ହିଁ ସର୍ବପ୍ରଧାନ ତାରିଫ ଦେବାକୁ ହେବ । ଯୁଗଟା ମଣିଷଙ୍କୁ ପଇସାରଙ୍କା କରେ ଅଥବା ପଇସାରଙ୍କା ମଣିଷମାନେ ଯୁଗଟାକୁ ରଙ୍କା କରିପକାନ୍ତି, ସେ ବିଷୟରେ ପଣ୍ଡିତମାନେ ଗବେଷଣା କରି ନାନାବିଧ ମତାଦି ଅବଶ୍ୟ ଦେବେ । ଖେଳରୁ ମଧ୍ୟ ଜୁଆଡ଼ିମାନଙ୍କ ଠାରୁ ପ୍ରଚୁର ପଇସା ମିଳୁଛି । କମ୍ପାନୀମାନଙ୍କ ଠାରୁ ମଧ୍ୟ ହୁଏତ ତିନି ସେତିକି ମିଳୁଛି । ତେଣୁ ବେଶଟା ଚିତ୍ରିତ ହୋଇଗଲା ବୋଲି ଦୁଃଖ କରିବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ । କ୍ରିକେଟ କ୍ରୀଡ଼ାର ଫନ୍ଦାଟାକୁ ଆଦରି ନେଇ ଆନୁସଙ୍ଗିକ ଲାଭ ସମେତ ଘଟୋତ୍କଚମାନେ କେତେକୋଟି ସମ୍ପତ୍ତିର ମାଲିକ ହେଲେଣି, ସେକଥା ହିସାବର ଫର୍ଦ୍ଦ ଆକାରରେ ଖବରକାଗଜରେ ବାହାରୁଛି । ଭାରତର କୋଟି କୋଟି ଅରକ୍ଷିତଙ୍କ ଆଖିରେ ଯଦି ସେହି ହିସାବଗୁଡ଼ିକ ପଡୁଥିବ, ତେବେ କ’ଣ ସବୁ ପ୍ରତିକ୍ରିୟା ଜାତ କରାଉଥିବ କେଜାଣି ? ସେମାନେ କାହିଁକି କ୍ରିକେଟ ନ ଖେଳି ରିକ୍ସ ବୋହିଲେ, ମେହେନ୍ତର ହେଲେ ଏବଂ ଝୁମ୍ପୁଡ଼ି ଆଦରି ରହିଲେ, ସେଥିଲାଗି ବିଧାତାକୁ କେତେ ଅଭିସମ୍ପାତ ଦେଉଥିବେ । ଏବଂ, ସର୍ବୋପରି, ତୁମକୁ ୨୫ ବର୍ଷ ନ ହେଉଣୁ ତୁମେ ଯଦି ଏତେ କୋଟିର ଏଡ଼େ ସହଜରେ ଅଧିକାରୀ ହୋଇପାରିଥିବ, ତାହା ତୁମର ଜୀବନ-ଦୃଷ୍ଟିଗତ ସ୍ୱାସ୍ଥ୍ୟ ନିମନ୍ତେ କେତେଦୂର କ’ଣ ଅନୁକୂଳ ହେବ ବିଜ୍ଞାନୀମାନେ ସେହି ବିଷୟରେ ମଧ୍ୟ ଅବଶ୍ୟ କିଞ୍ଚିତ୍ ଅନୁମାନ କରିପାରିବେ । ଗୋଟାଏ ଖେଳକୁ ଏହିସବୁ ଯାବତୀୟ ହଙ୍ଗାମା ଭିତରେ ଆଣି ଭର୍ତ୍ତି କରିଦେଇ ବାରପ୍ରକାର ଖଚଡ଼ାମି କାହିଁକି କରାଯାଉଛି, କମ୍ପାନୀ ତରଫରୁ ଘୁଙ୍ଗୁର ପିନ୍ଧି ପଡ଼ିଆକୁ ବାହାରିଥିବା ମହାମଣିମାନେ ମୋଟେ ସେହି କଥାଟିର ଉତ୍ତର ଦେଇପାରିବେ ନାହିଁ ।

 

ବର୍ତ୍ତମାନ ଆମେ ପୁନର୍ବାର ଆମ ଅତିରସିକ ମାତୃଭାଷାପ୍ରେମୀଙ୍କ ପାଖକୁ ଫେରିଆସିବା ! ଭଗବାନ କରନ୍ତୁ ଆମ ପିଲାମାନେ ମାତୃଭାଷାକୁ କ୍ରିକେଟ ପରି ମୋଟେ ଭଲ ନପାଆନ୍ତୁ । ସେମାନେ ମାତୃଭାଷାକୁ କେବଳ ମାତୃଭାଷା ପରି ହିଁ ଭଲପାଆନ୍ତୁ । ନହେଲେ ହୁଏତ ଆଉ ଗୋଟାଏ ମଉକା ପାଇ କମ୍ପାନୀମାନେ ଆମର ଏହି ଅନ୍ତରଙ୍ଗ କ୍ଷେତ୍ରଟିକୁ ମଧ୍ୟ ଚହଟି ଆସିବେ ଏବଂ ଏଇଟିକୁ ଦୂଷିତ କରି ପକାଇବେ । ଭଗବାନ କରନ୍ତୁ ସେମାନେ ଖାଲି କ୍ରିକେଟ ନୁହେଁ ଯାବତୀୟ ଖେଳକୁ ମଧ୍ୟ ଖେଳ ବୋଲି ଭଲପାଆନ୍ତୁ । ସେମାନେ ଖେଳୁଆଡ଼ ହୁଅନ୍ତୁ ସିନା, ଜୋକର ହେବାକୁ ମୋଟେ ମନ କରନ୍ତୁ ନାହିଁ । ଭାରତରେ ଏବେ ରାକ୍ଷସ ପରି ଏକ ବିଜ୍ଞାପନ ଯୁଗ ଆମ ଇଜ୍ଜତ ନେବାକୁ ଆସି ଆମକୁ ଉଭୟ ଦାଣ୍ଡପଟୁ ଓ ବାରିପଟୁ ଘେରି ପକାଇବାକୁ ଫିସାଦ କରୁଛି । ଧୋବମାନେ ସବାଆଗ ସେମାନଙ୍କର ଜାଲରେ ପଡ଼ିଯାଉଛନ୍ତି । ଭାରତର ଭାଗ୍ୟ ଭଲ ଯେ, ଏ ଦେଶରେ ଅଧିକାଂଶ ମଣିଷ ଧୋବ ହୋଇନାହାନ୍ତି । ଅଧିକ ମଣିଷଙ୍କୁ ଅସନୀ କରି ରଖି ଥୋକେ ମଣିଷ ଏଠାରେ ଅଧିକ ଧୋବ ହୋଇ ରହିବେ ବୋଲି ପରାକ୍ରମ ଦେଖାଉଛନ୍ତି । ପଇସା ଦେଖାଇ ମଣିଷର ଗୋଡ଼ ଖସାଇ ନେବେ ବୋଲି ଆଣ୍ଟ ବାନ୍ଧିଛନ୍ତି । ଏହି ଆଣ୍ଟବାଲାମାନେ ହିଁ କ୍ରିକେଟକୁ ଏକ ବାରନାରୀ ବେପାର ପ୍ରାୟ କରି ରଖିବାକୁ ଅଣ୍ଟା ଭିଡ଼ିଛନ୍ତି । ଯାହାର ଏମାନଙ୍କର ପାଉଡ଼ରକୁ ବୋଳିହୋଇ ନାଚିବାକୁ ଇଚ୍ଛା ହେବ, ସିଏ ଅବଶ୍ୟ ସେମାନଙ୍କର ଆଖଡ଼ାକୁ ମନକରିବ । ସମସ୍ତେ କଦାପି ତାହା କରିବେ ନାହିଁ । ଆଲୁଅ ଅବଶ୍ୟ ରହିବ, କାରଣ ଆଲୁଅ ନଥିଲେ ଅକାଳେ ସକାଳେ ଅନ୍ଧାରଟାକୁ ଚିହ୍ନିହେବ ପୁଣି କିପରି ?

Image

 

ଅଧର୍ମଘାଟର ଆଜ୍ଞାଗଣ

 

ପଛକୁ ଅନାଇ ପ୍ରାୟ ଆଖି ବୁଜି ଏହି କଥାଟିକୁ କହିଦେଇ ହେବ ଯେ, ଧର୍ମଘଟର ମାର୍ଗଟି ହିଁ ଆମ ଦେଶର ଅଧ୍ୟାପକମାନଙ୍କୁ ଆଜିର ଏହି ଶକ୍ତିଶାଳୀ ସ୍ଥିତିକୁ ଆଣିପାରିଛି । ଗୌତମ ବୁଦ୍ଧ ତାଙ୍କ ସେ କାଳରେ ସଂଘ କହିଲେ ଯାହା ବୁଝିଥାନ୍ତୁ ବା ନଥାନ୍ତୁ ପଛକେ, ସଂଘଶକ୍ତି କହିଲେ ଅଧ୍ୟାପକମାନଙ୍କର ଅଭିଧାନରେ ସମ୍ପୂର୍ଣ୍ଣ ଭାବରେ ଧର୍ମଘଟକୁ ହିଁ ବୁଝାଉଛି । ଅଧ୍ୟାପକଙ୍କ ଭିତରେ ମୁଁ ତଥାକଥିତ ଶିକ୍ଷକମାନଙ୍କୁ ବି ସାମିଲ କରିବି । କାମ ଏକ, ଧର୍ମ ଏକ । ଉଭୟଙ୍କର ସଂଘ ରହିଛି ଏବଂ ବିଜୟ ପରେ ବିଜୟ ହାସଲ କରିବାରେ ଲାଗିଛି । ଧର୍ମଘଟ-ଶକ୍ତି ବଳରେ ଆମ ଦେଶରେ ଅଧ୍ୟାପକମାନଙ୍କର ଯେତେ ଯେତେ ଉନ୍ନତି ସାଧିତ ହୋଇଛି, ତାହାର ବିବରଣୀ ସେହିମାନଙ୍କଠାରୁ ହିଁ ମିଳିପାରିବ । ଧର୍ମଘଟର ସିଡ଼ିଟା ହାତରେ ପଡ଼ିନଥିଲେ ଆଜ୍ଞାମାନେ ବର୍ତ୍ତମାନ ହୁଏତ ସେହି ସାତତଳେ ଯାଇ ପଡ଼ି ରହିଥାନ୍ତେ । ଦରମା ଅବଶ୍ୟ କିଛି ମାତ୍ରାରେ ବଢ଼ିଥାନ୍ତା । ମାତ୍ର, ବର୍ତ୍ତମାନ ଯେମିତି ସଂଘଶକ୍ତିର ଭୁଜାଲି ଦେଖାଇ ସରକାର ବାହାଦୁରଙ୍କୁ ବଶ କରି ରଖାଯାଇଛି, ସେକଥା କଦାପି ସମ୍ଭବ ହୋଇନଥାନ୍ତା । ସେହି ଆଦି ପର୍ଯ୍ୟାୟରେ ଯେଉଁ ତୀକ୍ଷ୍ଣବୁଦ୍ଧି କେତେଜଣ ଶିକ୍ଷକମାନଙ୍କ ତରଫରୁ ସଂଘଟିଏ ଗଢ଼ିଥିଲେ, ସେମାନେ ଇତ୍ୟବସରରେ ପ୍ରୌଢ଼ାବସ୍ଥା ସମାପ୍ତ କରି ବୃଦ୍ଧ ହେଲେଣି ସତ, ମାତ୍ର ସେମାନଙ୍କର କୀର୍ତ୍ତି ସକାଶେ ସେମାନେ ସର୍ବଦା ଆପଣାକୁ ଗୋଟିଏ ଗୋଟିଏ ହିରୋ ବୋଲି ଅନୁଭବ କରୁଥିବେ । ସରକାର ନିଜେ କହୁଛନ୍ତି ଯେ, ତାଙ୍କ ଶିକ୍ଷାବିଭାଗକୁ ଯେତେ ଅର୍ଥନିଧି ଯୋଗାଡ଼ଯନ୍ତ୍ର ହୋଇ ଆସୁଛି, ତାହାର କୋଡ଼ିଏରୁ ଉଣେଇଶି ଭାଗ ଶିକ୍ଷକମାନଙ୍କୁ ଦରମା ଗଣିବାରେ ଖର୍ଚ୍ଚ ହୋଇ ଯାଉଛି । ଆଉ ଅନ୍ୟ କିଛି ପାଇଁ ପ୍ରାୟ କିଛି ରହୁନାହିଁ । ଶିକ୍ଷା ବଦଳୁ, ଶିକ୍ଷା ଏମିତି ହେଉ ବା ସେମିତି ହେଉ ବୋଲି କମିଶନମାନେ ଫର୍ଦ୍ଦ ପୂରଣ କରି କହୁଛନ୍ତି ସିନା, ମାତ୍ର କଣାଟା ଏପରି ଭାବରେ ଆଁ କରି ରହିଛି ଯେ, ଯେତେ ଢାଳିଲେ ମଧ୍ୟ କୁଆଡ଼େ ଶୋଷି ହୋଇଯାଉଛି ।

 

ସରକାର ତ ସ୍ୱୟଂ ବ୍ୟାଧିଗ୍ରସ୍ତ, ତେଣୁ ଏଥିକୁ ସେମାନଙ୍କ ପାଖରେ କୌଣସି ବଳ ନାହିଁ-। ରାଜନୀତିକୁ କାଳକ୍ରମେ ପ୍ରଫେସନାଲ୍ କରି ପକାଇଥିବା ପ୍ରପଞ୍ଚମାନେ ତ ଏବେ ସରକାର ବନି ଦେଶକୁ ମାଡ଼ି ବସିଛନ୍ତି । ଦେଶଟାକୁ ଗଢ଼ିବା ନାଆଁରେ ସେମାନେ ନିଜର ଗୋଟିଏ ବାଟିକୁ ଚଉଦ ବାଟିରେ ପରିଣତ କରିବା ନିମନ୍ତେ ପ୍ରାୟ ନିଶାସକ୍ତ ହୋଇ ରହିଛନ୍ତି । ସେମାନଙ୍କୁ ପ୍ରାୟ ଏକ ମଉକା ବୋଲି ଧରିନେଇ ଶିକ୍ଷକ ଓ ଅଧ୍ୟାପକମାନେ ବି ପୂରା ପ୍ରଫେସନାଲ୍ ପାଲଟି ଗଲେଣି-। ଲାଜ ଛାଡ଼ିଲେଣି । ପେଟ ପୋଷ ନାହିଁ ଦୋଷ ବୋଲି ନୂଆ ସ୍ଲୋଗାନମାନ ଦେଲେଣି । ଘରେ ଶିକ୍ଷା ବିକ୍ରିର ବିପଣି ଖୋଲିଦେଲେଣି । ଭୟଙ୍କର ଭାବରେ ସଫଳ ହେଲେଣି । ତେଣୁ ଶିକ୍ଷା କହିଲେ ଏବେ କେବଳ ପରୀକ୍ଷାରେ ପାସ୍ କରିବାକୁ ହିଁ ବୁଝାଉଛି । ପରୀକ୍ଷାରେ ପାସ୍ କରିବା ନିମନ୍ତେ ଯୁଗର ଫରମାସ୍ ଅନୁସାରେ ଏତେ ଏତେ ନୂଆ କାଇଦା ସବୁ ବାହାରିଲାଣି ଯେ, ବରଷଯାକ ଅଧ୍ୟାପକର କାର୍ଯ୍ୟ କରିବା ଆଉ ଦରକାର ହେଉନାହିଁ ।

 

ଛାତ୍ରମାନେ ମଧ୍ୟ ନିଜକୁ କ୍ରମଶଃ ସେହି ଅନୁସାରେ ଖାପ ଖୁଆଇ ନେଉଛନ୍ତି । ସେମାନେ ଆଉ କ୍ଲାସ୍କୁ ଆସୁନାହାନ୍ତି । କାଳ ଅନୁସାରେ ଅନୁକୂଳ ଅନ୍ୟ ବ୍ୟବସ୍ଥାମାନ କଲେଣି । ନିଜର ପିଲାଟିକୁ ଯେକୌଣସି ପ୍ରକାରେ ସଂସାରଯୋଗ୍ୟ ପରି ଦେଖିବାର ବ୍ୟାକୁଳତାରେ ଅଭିଭାବକମାନେ ମଧ୍ୟ ଅନୁରୂପ ପ୍ରକାରେ ବାଧ୍ୟ ହେଲେଣି । ତଥାପି ଆଜ୍ଞାମାନଙ୍କର ଦରମା ବଢ଼ି ବଢ଼ି ଚାଲିଛି । ଦରମା ବଢୁ ବୋଲି ଋତୁ ଅନୁସାରେ ଧର୍ମଘଟମାନ ହେଉଛି । ବେଳ ଜାଣି ଧମକ ଦିଆଯାଉଛି । ସରକାର ନାମକ ଷଣ୍ଢଟାକୁ ଘୁଙ୍ଗାଳି ରଖି ତା ନାକରେ କଡ଼ା ପିନ୍ଧାଇ କାମ ହାସଲ କରିନେବାର କୌଶଳତନ୍ତ୍ରଟିକୁ ସଂଘର ନେତାମାନେ ଧୁରନ୍ଧର ଭାବରେ ଆୟତ୍ତ କରିନେଲେଣି । ସଂଘରୁ ମହାସଂଘ ବାହାରିଲେଣି । ସେଥିଲାଗି ମହାବଳୀୟାର ଓ ତହୁଁ ବଳୀୟାର ନିମିତ୍ତମାନଙ୍କର ଆବିର୍ଭାବ ହେଲାଣି ।
 

କଲେଜର ପିଲାମାନେ ବି ଆଜ୍ଞାମାନଙ୍କର ଏହି ନୂଆ ଧିସାରେ ମଣ ହୋଇଗଲେଣି । ଅଧ୍ୟାପକ ସଂଘର ଦାଦାମାନଙ୍କ ଠାରୁ ପ୍ରେରଣା ନେଇ ସେମାନେ ମଧ୍ୟ ନିଜ ଖୁଆଡ଼ ଭିତରେ ଦାଦାମାନଙ୍କୁ ଦମ୍ଭ ଦେଇ ଶିଖିଗଲେଣି । ଦାବି ଅସଂଖ୍ୟରୁ ସଂଖ୍ୟାତୀତ ହେଲାଣି । କାଲ ଛାତ୍ର ତାର କାଲ ଅଧ୍ୟାପକମାନଙ୍କୁ ନିଜର ଯୁଗୋପଯୋଗୀ ମାଆ ବୋଲି ଗ୍ରହଣ କରିନେଲାଣି । ଶିକ୍ଷା ଯେ ମଣିଷ ଭିତରେ ନୂଆ ନୂଆ ଆଖି ଆଣିଦିଏ, ନୂଆ ନୂଆ ପ୍ରକାରେ ଦେଖିବାକୁ ଶିଖାଏ, ଦାୟିତ୍ୱ ତୁଲାଇ ଶିଖାଏ ଏବଂ ଯୋଗ୍ୟ ହୋଇ ଶିଖାଏ, ଶିଖାଶିଖି ହୋଇ ଆମ କଲେଜମାନଙ୍କରେ ସମ୍ପୃକ୍ତ ସମସ୍ତେ ସେକଥା ଭୁଲିଗଲେଣି । ସକଳ ପ୍ରକାର ଲଜ୍ଜାକୁ ସମସ୍ତେ ଅଣ୍ଟା ଉପରୁ କାଢ଼ି ନେଇ ମୁଣ୍ଡରେ ଠେକା କରି ବାନ୍ଧିଲେଣି ଏବଂ ସଫଳତାର ବୈତରଣୀମାନଙ୍କୁ ପାରିହେବାରେ ଲାଗିଛନ୍ତି । ଆପଣ ଯେକୌଣସି କଲେଜକୁ ଯାଆନ୍ତୁ, ସବୁଠି ସେହି ଏକା ଅଭିନୟଟିକୁ ଦେଖିବାକୁ ପାଇବେ । ପୂରା ଜଖମ ହୋଇଯିବେ । କଲେଜମାନଙ୍କରେ ଖାଲି ଛାତ୍ରଛାତ୍ରୀମାନଙ୍କର ନୁହେଁ, ଅଧ୍ୟାପକମାନଙ୍କର ମଧ୍ୟ ସତେ ଅବା କାହାରି ବାପମାଆ ବୋଲି କେହି ନାହାନ୍ତି । ଭୂଇଁତଳେ ଚେର ବୋଲି କିଛି କୋଉଠି ନାହିଁ । ସଂଘ ହିଁ ଭାଗ୍ୟ ନିର୍ଦ୍ଧାରଣ କରୁଛି, ମାର୍ଗ ପ୍ରଦର୍ଶନ କରୁଛି, ବିବେକମାନଙ୍କୁ ପୂରା କିଣି ନେଇଛି । ଶିକ୍ଷାକୁ ଖାସୁକରି ରଖାଯାଇଛି । ଋତୁ ଆସିବାମାତ୍ରକେ ଋତୁବତୀମାନେ ରୁଷି ବସୁଛନ୍ତି, ଆମେ ପରୀକ୍ଷାଖାତା ଦେଖିବୁ ନାହିଁ, ପରୀକ୍ଷାରେ ପହରା ଦେବୁନାହିଁ ବୋଲି ନାରା ଦିଆଯାଉଛି ଓ ସରକାରଙ୍କ ସହିତ ବାଗୁଡ଼ି ଖେଳାଯାଉଛି । ଏବଂ ତା'ପରେ ମନ୍ତ୍ରୀଙ୍କ ଘର ଘେରାଉ କରିବା ପର୍ଯ୍ୟନ୍ତ କଥା ଯାଉଛି । ବିଚରା ମନ୍ତ୍ରୀ ବି ତ ଜଣେ ଚାକିରିଆ, ତାଙ୍କୁ ବିଭାଗଟି ଦିଆଯାଇଛି ବୋଲି ସିଏ ଶିକ୍ଷା ବିଭାଗର ମନ୍ତ୍ରୀ ହୋଇଛନ୍ତି । ନହେଲେ ସିଏ କିଏ ଏବଂ ଶିକ୍ଷା କିଏ ? ଏହି ଯାବତୀୟ ଅରାଜକତା କାହାର ମଥା ଅନୁସାରେ ଚାଲିଛି କେହି ଜାଣି ନାହାନ୍ତି । ତଥାପି ସଂଘଟା ହିଁ ସବୁଠାରୁ ବଡ଼ ସତ୍ୟ ବୋଲି ଦେଖାଯାଉଛି । ନାନା ଭୟରେ ଅଧ୍ୟାପକମାନେ ନିଜକୁ ନେଇ ସଂଘ ସହିତ ଗୁନ୍ଥି ରଖିଛନ୍ତି ।

 

ସେଦିନ କେତେଜଣ ଅଧ୍ୟାପକଙ୍କ ମେଳରେ ଆମର ଏହି କଥାଟା ପଡ଼ିଥିଲା । ଆଜ୍ଞାମାନେ ସଂଘର ହୁକୁମରେ ପିଲାମାନଙ୍କର ପରୀକ୍ଷାଖାତା ଦେଖିବାର କର୍ତ୍ତବ୍ୟଟିକୁ ବର୍ଜନ କରିଥିଲେ ଏବଂ ଏବେ ପୁଣି ସେହି ସଂଘର ହୁକୁମ ପାଇ ପରମ ନିଷ୍ଠାରେ ଖାତା ଦେଖାରେ ଲାଗି ଯାଇଛନ୍ତି । ସଂଘର ସଂଘର୍ଷ ଫଳରେ ଅଧ୍ୟାପକମାନଙ୍କର ବେତନ ବଢ଼ି ବଢ଼ି ଚାଲିଛି । ଏଣେ ଶିକ୍ଷା ଘରେ କୁଆ ଉଡୁଛନ୍ତି । ଏସବୁ ଯାଇ ଯାଇ କେଉଁଯାଏ ଯିବ ବୋଲି ମୁଁ ସେମାନଙ୍କୁ ପଚାରୁଥିଲି । ବର୍ତ୍ତମାନ ତ ବଢ଼ିବାର ପ୍ରକ୍ରିୟାରେ ନିଜକୁ ଅଧିକରୁ ଅଧିକ ସଫଳ ବୋଲି ମନେ ହେଉଥିବ । ବେତନ ବଢ଼ି ବଢ଼ି କୋଉଯାଏ ଯିବ । ଜଣେ ମଣିଷ ସେହି ପ୍ରକ୍ରିୟାରେ ନିଜେ ମଧ୍ୟ କ୍ରମଶଃ ପୋଲା ହୋଇ ଯିବନାହିଁ କି ? ଯେଉଁ ଦେଶରେ ତଳଟା ବିଷୟରେ ଆଦୌ କୌଣସି ଚିନ୍ତା ନକରି ଉପରେ ଥୋକେ ଚାକିରିଆ ଦରମାରେ ଉପରକୁ ଉଠି ଉଠି ଯାଉଥାନ୍ତି ଓ ସେହି ମାପରେ ନିଜକୁ ପ୍ରଭବସମର୍ଥ ବୋଲି ଅନୁଭବ କରୁଥାନ୍ତି, ସେହି ଦେଶରେ ବିଚରା ଅଧ୍ୟାପକମାନଙ୍କର ଦଇନିଗୁଡ଼ିକ ଅବଶ୍ୟ ବୁଝି ହେଉଛି । ପୃଥିବୀରେ ଦଇନିଗୁଡ଼ିକର ଦରବାରମାନେ ମଧ୍ୟ ରହିଛନ୍ତି । ଦଇନିମାନେ ଯେ ଦରମା ବଢ଼ିବାରେ ଛିଣ୍ଡି ଯାଉଛନ୍ତି, ସେଇଟା ହିଁ ସବୁଠାରୁ ଅଧିକ ବିଚିତ୍ର ବୋଧ ହେଉଛି । ଶିକ୍ଷାର ତରାଜୁରେ ହିଁ ଯାବତୀୟ ଗୁହାରିର ଓଜନ ହେଉଥାନ୍ତା । ଶିକ୍ଷାର ଘର ବୁଡ଼ି ବୁଡ଼ି ଯାଉଥିବ ଏବଂ ଆମ ସାହେବମାର୍କା ବୀର ଅବଧାନମାନଙ୍କର ବେତନ ବୃଦ୍ଧି ପାଉଥିବ, ଇଏ ପୁଣି କେଉଁ ହିସାବର କଥା ? ଯଦି ଦରମା ଅଧିକ ମିଳିବ, ତାହା ଧୁଆ ଅଧୁଆ ସମସ୍ତଙ୍କୁ ମିଳିବ କିପରି-? କାହିଁକି ବା ମିଳିବ ? ଅଧ୍ୟାପକମାନଙ୍କର ପ୍ରବୀଣତା ଏବଂ କ୍ରମୋତ୍ତର ଯୋଗ୍ୟତାକୁ ପରଖି ଦେଖିବାକୁ କୌଣସି କଷଟି ରହିବ ନାହିଁ କାହିଁକି ? ଖାଲି ବୟସଟା ବଢ଼ିଲେ ଜଣେ ମଣିଷ ଅଧିକ ସମର୍ଥ ହୋଇଯାଏ, କେବଳ ସେତିକି ମାନଦଣ୍ଡକୁ କେଉଁ ନ୍ୟାୟରେ ମାନି ନିଆଯିବ ? ମୁଁ ଅଧିକ ଯୋଗ୍ୟ ହେଉଛି ବୋଲି ମୋ ଠାରୁ ଅନ୍ତତଃ କିଛି ନା କିଛି ପରୀକ୍ଷା ଓ ପ୍ରମାଣ ନିଆଯିବା ଉଚିତ ।

 

ଏହି ଗୋଟିଏ ମାନଦଣ୍ଡରେ ଆମର ଶତକଡ଼ା ନବେ ଅଧ୍ୟାପକ ଯଦି ଫେଲ୍ ହୋଇଯିବାର ଆଶଙ୍କା ରହିଥିବ, ତେବେ ତଥାପି ବୟସ ବଢୁଥିବା ଅନୁସାରେ ବେତନ ବଢ଼ି ବଢ଼ି ଯାଉଥିବ କି ? ଜଣେ ଅଧ୍ୟାପକ ତାଙ୍କ ନିଜ ବିଷୟରେ ବିଗତ ଏତେ ବର୍ଷ ମଧ୍ୟରେ କ’ଣ ସବୁ ନୂଆ ବହି ପାଠ କରିଛନ୍ତି, ସ୍ୱୟଂ କ’ଣ ସବୁ ଲେଖିଛନ୍ତି, ସିଏ କେତେ ନିୟମିତ ଭାବରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଉପସ୍ଥିତ ହୋଇ ପାରିଛନ୍ତି, ଏବଂ ସର୍ବୋପରି, ଜଣେ ଅଧ୍ୟାପକ ହିସାବରେ ସିଏ ନିଜ ଛାତ୍ରମାନଙ୍କୁ କେତେ କ’ଣ ବିଦ୍ୟାଗତ ନେତୃତ୍ଵ ଦେଇ ପାରିଛନ୍ତି, ଇତ୍ୟାଦି ଇତ୍ୟାଦି କେତେ କଥାର ବିଚାର କରାଯାଇପାରେ । ଖାଲି ସରକାର ବିଚାର କଲେ ତାହା ମୋଟେ ଠିକ୍ ହେବ ନାହିଁ । ସ୍ଵୟଂ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ଏହି କ୍ଷେତ୍ରରେ ଏକ ମତାଧିକାର ଅବଶ୍ୟ ରହିବ । ଅତ୍ୟନ୍ତ ଲଜ୍ଜାର କଥା ଯେ, ଶିକ୍ଷକ ସଂଘ ନିଜ ଆଡୁ ଏହି ପ୍ରଶ୍ନଗୁଡ଼ିକ କେବେ ହେଲେ ଉଠାଏ ନାହିଁ । ଶିକ୍ଷାର ଅନୁରୂପ ଏକ ଶିକ୍ଷିତ ସାହସ ଥିଲେ ଏପରି କଦାପି ହେଉ ନଥାନ୍ତା । ନିଜ ସ୍ୱାର୍ଥର ଗାତଟା ଭିତରେ ପଶିବାକୁ ମନସ୍ଥ କରି ଆମ ଅଧ୍ୟାପକମାନେ ସ୍ୱାଧୀନ ଭାରତର ଏହି କେତେଟା ବର୍ଷ ମଧ୍ୟରେ ଏପରି ଭୀରୁ ଓ ଆତ୍ମକାତର କାହିଁକି ହୋଇ ପଡ଼ିଛନ୍ତି କେଜାଣି ? ଏହି ଦୁର୍ଦ୍ଦଶା ନିମନ୍ତେ କ’ଣ କେବଳ ସେହି ବଳୀୟାର ସଂଘଟାକୁ ଦାୟୀ କରାଯିବ ? ଗଦଟାକୁ ସୁଂଘି ଅଚେତ ହୋଇ ରହିଥିବା ମଣିଷଟାକୁ କ’ଣ ଏଥିପାଇଁ ଆଦୌ ଦାୟୀ କରାଯିବ ନାହିଁ ? ରାଜ୍ୟରେ କ’ଣ ଅନ୍ତତଃ କିଛି ସଂଖ୍ୟାର ଅଧ୍ୟାପକ ନାହାନ୍ତି, ଯେଉଁମାନେ ଏହି କଥାଟିକୁ ବିଚାରର ମଞ୍ଚ ଉପରକୁ ଆଣନ୍ତେ, ସଂଘର ଦରବାରରେ ଏହି କଥାଟିର ଚର୍ଚ୍ଚା ହେଉ ବୋଲି ଦାବି କରି ପାରନ୍ତେ ।

 

ସରକାରଙ୍କର ଖାତା ଅନୁସାରେ କଲେଜଗୁଡ଼ିକର କେତେ ପ୍ରକାର ଶ୍ରେଣୀବିଭାଗ କରାଯାଇଛି ଏବଂ ସେହି ଅନୁସାରେ ଅଧ୍ୟାପକମାନଙ୍କୁ ମଧ୍ୟ କେତେ ଥାକ କରି ରଖାଯାଇଛି । ଥାକବିଚାର ମୁତାବକ ଦରମା ମିଳୁଛି । କିଛି ଚାଟି ନେଉଛନ୍ତି ଓ ଆଉ କିଛି ଚାହିଁ ରହିଛନ୍ତି । ସେହି ଆଲୋଚନା ବେଳେ ଜଣେ ତରୁଣ ଅଧ୍ୟାପକ ବନ୍ଧୁ ମର୍ମବେଦନା ବ୍ୟକ୍ତ କରି କହିଲେ ଯେ, ତାଙ୍କ କଲେଜରେ ତାଙ୍କ ବିଭାଗରେ ସର୍ବମୋଟ ଦୁଇଜଣ ଅଧ୍ୟାପକ । ସିଏ କନିଷ୍ଠ ଓ ଆରଜଣକ ଜ୍ୟେଷ୍ଠ-। ଏକା ପରିମାଣର ଅଧ୍ୟାପନା ବୋଝ ମୁଣ୍ଡାଇବାକୁ ହେଉଛି । ହୁଏତ କନିଷ୍ଠଙ୍କୁ ବେଶୀ ମୁଣ୍ଡାଇବାକୁ ପଡୁଛି । ମାତ୍ର, ଜଣେ ପାଉଛନ୍ତି ସାତ କି ଆଠ ହଜାର ଏବଂ ଆଉ ଜଣେ ମୋଟେ ଆଠ ଶହ । ସଂପୃକ୍ତ ଛାତ୍ରଛାତ୍ରୀମାନେ କ’ଣ ସେ କଥା ଜାଣି ନଥିବେ ? ସେମାନେ ଜଣଙ୍କୁ କେଡ଼େ ଦୟା ଦେଖାଉ ନଥିବେ ଓ ଆର ଜଣଙ୍କୁ କେଡ଼େ କପାଳିଆ ବୋଲି ବିଚାରୁ ନଥିବେ ! ଗୋଟାଏ ଗୋଟାଏ କଲେଜ ଅଛି ଯେଉଁଠାରେ କି ବର୍ଷ ବର୍ଷ ଧରି ଅଧ୍ୟାପକ ବାପୁଡ଼ାମାନଙ୍କୁ ଆଦୌ କିଛି ବେତନ ମିଳେ ନାହିଁ । ସେମାନେ ହାତରୁ ଖାଇ ଖଟୁଛନ୍ତି । ପୁଣି ଆଉ କୋଉଠି ଖାତାରେ କେତେ ହଜାର ଲେଖି ପାଞ୍ଚଶହ ଦଶ ଶହ ମଧ୍ୟ ଆଣିବାକୁ ବାଧ୍ୟ ହେଉଛନ୍ତି । ଆମ କଲେଜ୍ମାନେ ଉପରେ ଏଡ଼େ ଚକ୍ ଚକ୍ ଓ ଜଗମଗ ଦିଶୁଥିଲେ ମଧ୍ୟ ଅଧିକାଂଶ କଲେଜ ଏହି ଦୁର୍ଦ୍ଦଶା ଭିତରେ ରହିଛନ୍ତି । ଭାଗ୍ୟଗୁଡ଼ିକ ଭାନୁମତୀ ହାତରେ ଝୁଲୁଛି । ଦୁର୍ଗତ ଏହି ଅଧ୍ୟାପକମାନେ ଶ୍ରେଣୀଗୃହମାନଙ୍କରେ ଜ୍ଞାନର ବିତରଣ କରି ଦେଶର ଭବିଷ୍ୟତକୁ ନିର୍ମାଣ କରୁଥିବା ସମୟରେ ସେମାନଙ୍କ ଦୁର୍ଗତିଟାର ଜବର ପ୍ରଭାବ ସେମାନଙ୍କର ଅଧ୍ୟାପନା ଉପରେ ପଡୁଥିବ । ସମ୍ଭବତଃ କେବଳ ବଂଶଲାଜଟାକୁ ବଜାୟ ରଖିବାକୁ କେହି ଏହି ବ୍ୟାପାରଟିର ଗବେଷଣା କରୁନାହାନ୍ତି । କଲେଜର ଛାତ୍ରଛାତ୍ରୀମାନେ ଏହି ଆଚାର୍ଯ୍ୟମାନଙ୍କୁ ହୁଏତ ଭାରି ଦୟାର ଚକ୍ଷୁରେ ଦେଖୁଥିବେ । ଶ୍ରେଣୀ-ଗୃହରେ ଜ୍ଞାନାଲୋକର ଆଦାନପ୍ରଦାନ ମଧ୍ୟ ଠିକ୍ ସେହି ଅନୁପାତରେ ପ୍ରପୀଡ଼ିତ ହୋଇ ରହିଥିବ ।

 

ସଂଘରେ ଏହି ଲାଜଟା ବିଷୟରେ କଥା ପଡ଼ନ୍ତା ନାହିଁ ? ଯେଉଁମାନେ ଦଶ ବା ପନ୍ଦର ହଜାର ପାଇଲେଣି, ସେମାନେ ଆହୁରି ପାଞ୍ଚ ହଜାର ପାଆନ୍ତୁ ବୋଲି ଦାବି ନକରି ଆଗ ନିଜର ଏହି ଅସରଣିଆ ଭାଇଭଉଣୀଙ୍କ ବିଷୟରେ ଟିକିଏ ଭାବନ୍ତେ ନାହିଁ ? ସଂଘ ତରଫରୁ ବାବୁ ଓ ବେହେରାଣିଆ ଦୁହିଁଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରାଇ ସରକାରଙ୍କ ପାଖରେ ଦାବି ହୋଇ ପାରନ୍ତା ନାହିଁ ଏବଂ ଏପରିକି ସେହି ଦାବି ଉପରେ ଆବଶ୍ୟକ ହେଲେ ଏକ ଧର୍ମଘଟ ହୋଇପାରନ୍ତା ନାହିଁ ? ତେବେ, ଏହାଦ୍ୱାରା ସେମାନଙ୍କର ନିଜ ପ୍ରତି ସମ୍ମାନବୋଧ ମଧ୍ୟ ବୃଦ୍ଧି ପାଆନ୍ତା, ଦେଶର ଲୋକମାନେ ମଧ୍ୟ ସେମାନଙ୍କୁ ଅଧିକ ସମ୍ମାନ ଦେଇ ଦେଖନ୍ତେ ଏବଂ ନିଜ ଛାତ୍ରଛାତ୍ରୀଙ୍କର ମୂଲ୍ୟତରାଜୁରେ ସେମାନେ କ୍ରମେ ଅଧିକ ଓଜନିଆ ହୋଇ ଦେଖାଯିବାକୁ ଆରମ୍ଭ କରନ୍ତେ । ଏତେ ଏତେ ପାଠୁଆଙ୍କ ଦ୍ଵାରା ଏହି ଦେଶରେ କିଛି ହେଉନାହିଁ ବୋଲି ଗତ କେତେବର୍ଷ ଭିତରେ ଯେଉଁ ଅପବାଦଟା ଚାରିଆଡ଼େ ଡ଼ିଣ୍ଡିମ ପରି ବାଜୁଛି, ତାହାର ଅବସାନ ଘଟନ୍ତା । କେଉଁଠି କିଛି ହେଲେ ସହୃଦୟତାର ଦର୍ଶନ ହେଲେ ଚାହାଣିଟା ହୁଏତ ଅନ୍ୟ ପ୍ରକାର ହୋଇପାରନ୍ତା । ବର୍ତ୍ତମାନ ତ ଯିଏ ଯେପରି ସୁବିଧା ପାଉଛି, ସିଏ ମାରି ନେବାରେ ଲାଗିଛି । ପାଠୁଆମାନେ ଦେଶରେ ସବୁଠାରୁ ଅଧିକ ଅଶିକ୍ଷିତ ବୋଲି କୁଖ୍ୟାତି ଅର୍ଜିଛନ୍ତି । ଅଧ୍ୟାପକମାନେ ସାହସ କରି ସବାଆଗ ପରସ୍ପରର କଥା ଭାବିଲେ ହୁଏତ ସେଇଥିରୁ ହିମତ ପାଇ ଶିକ୍ଷା ବିଷୟରେ ମଧ୍ୟ ଚିନ୍ତା କରି ଶିଖନ୍ତେ ।

 

ଏତେ ଏତେ ଆନ୍ଦୋଳନ ଖାଲି ଦରମା ବଢ଼ିବା ସକାଶେ ହେଉଛି, ସେଥିରୁ ଅଧ୍ୟାପକମାନଙ୍କୁ ନଗଦ କେତେ କେତେ ଲାଭ ମିଳିଛି । ମାତ୍ର ସେହି ଘଟଣାଟା ସେମାନଙ୍କୁ ଦେଶରେ ଏତେ ଅଧମ ସ୍ତରକୁ ନେଇ ଆସିଛି କି ? ଦେଶରେ ଅନ୍ୟାନ୍ୟ ଚାକିରିଆମାନଙ୍କର କ୍ଷେତ୍ରରେ ଯେତିକି ଯେତିକି ପଙ୍କ ଭର୍ତ୍ତି ହୋଇ ରହିଥିବାର ଦେଖିବାକୁ ମିଳୁଛି, ଉଚ୍ଚଶିକ୍ଷା ନାମକ ଆମର ଏହି ଗୋଦାମରେ ସେହି ସବୁକିଛିକୁ ପ୍ରତ୍ୟକ୍ଷ କରି ହେଉଛି । ଉଚ୍ଚଶିକ୍ଷା ନାମରେ ଯେତିକି ବଡ଼ ବଡ଼ କୋଠାଘର ତିଆରି ହେଉଛି, ସେହି ଶିକ୍ଷାକୁ ସେତିକି ସେତିକି ଭୂତ ଖାଇ ଖାଇ ଯାଉଛି ଏବଂ ଗୋଟିଏ ଦେଶର ଶିକ୍ଷା ସେହି ଦେଶକୁ ଯେ ଆଗକୁ ଆଗକୁ ଯିବା ଲାଗି ଆଖି ଯୋଗାଇଦିଏ, ସେହି ବିଶ୍ୱାସଟି କ୍ରମେ ଆମ ଦେଶରେ ମାଡ଼ ଖାଇଯିବାରେ ଲାଗିଛି । ଏଥିରେ ସ୍ୱୟଂ ଅଧ୍ୟାପକମାନଙ୍କର ମଧ୍ୟ କମ୍ କ୍ଷତି ହୋଇନାହିଁ ? ସାମୂହିକ ଜୀବନର ହୃଦୟକୁ ଉନ୍ନୟନମୁଖୀ କରାଇବା ପରିବର୍ତ୍ତେ ସେମାନେ ସତକୁ ସତ ଆମ ସାମୂହିକ ଉଦ୍ୟମର ଏକ ବିଶେଷ କ୍ଷେତ୍ରର ଦାୟିତ୍ୱରେ ରହିଛନ୍ତି ବୋଲି ବୁଝିବାକୁ ଆଉ କାହାରି ପ୍ରତ୍ୟୟ ହେଉନାହିଁ । ଶିକ୍ଷାର ମାନ ବଦଳୁ, ଶିକ୍ଷାକୁ ଶିକ୍ଷାର ଇଜ୍ଜତ ଦିଆଯାଉ, ଶିକ୍ଷା ସାର୍ବଜନୀନ ହେଉ- କାହିଁ ଏସବୁ ଦାବିର ଉପସ୍ଥାପନା କରି ଦେଶରେ ଗୋଟିଏ ବୋଲି ଧର୍ମଘଟ ହେଉ ନାହିଁ ତ ? ଶିକ୍ଷାକୁ ସାଧାରଣତଃ ସାମୂହିକ ଜୀବନ-ପରିମଳର ଏକ ଆଲୋକ ବୋଲି କୁହାଯାଏ । ଭାରତବର୍ଷର ଉଚ୍ଚଶିକ୍ଷା କ୍ଷେତ୍ରରେ ଯେଉଁ ଜନ୍ତୁମାନେ ଅଧିକରୁ ଅଧିକ ଦରମା ପାଇବାରେ ଲାଗିଛନ୍ତି ଓ କମ୍ କମ୍ ନିଜର ଉଚିତ ପରିଚୟ ଦେଉଛନ୍ତି, ସେମାନେ ସତେଅବା ଏଠି ଖାଲି ଅନ୍ଧାରଗୁଡ଼ାକୁ ଆହୁରି ଜବର ଓ ଅନମନୀୟ କରି ରଖିବାକୁ କୋଉ ଶଇତାନଠାରୁ ବଇନା ନେଇ ଆସିଛନ୍ତି । ଶିକ୍ଷାଘାଟକୁ ଏକ ଅଧର୍ମ ଘାଟରେ ପରିଣତ କରି ରଖିଛନ୍ତି ।

 

ଏହି ସବୁକିଛିର ଶେଷ ପରିଣାମ ପ୍ରକୃତରେ କ’ଣ ? ସେଦିନ ଅଧ୍ୟାପକ ବନ୍ଧୁମାନେ ତଳକୁ ମୁହଁ ପୋତି ବସି ରହିଲେ, କୌଣସି ଉତ୍ତର ଦେଲେ ନାହିଁ । ସେତେବେଳେ ସେମାନେ ଜଣେ ଜଣେ ବ୍ୟକ୍ତି ହିସାବରେ କଥାଟିକୁ ଭାବୁଥିଲେ, ନିଜକୁ ସଂଘଠାରୁ ଅଲଗା କରି ସମସ୍ୟାଟିର ବିଚାର କରୁଥିଲେ । ବଡ଼ ବିଚିତ୍ର ଏହି ଦେଶ, ଯେଉଁଠାରେ ବହେ ଅପାଠ ପଢ଼ି ଶହେରେ ଦଶ ଜଣ ମଣିଷ ବାକି ନବେ ଜଣଙ୍କର ଭାଗ୍ୟରଜ୍ଜୁକୁ ହାତରେ ଧରିଛନ୍ତି, ଏଡ଼େ ବଡ଼ ଦେଶଟାକୁ ଅନ୍ଧାର ଭିତରେ ରଖି ତଦ୍ଦ୍ୱାରା ଲାଭବାନ୍ ହେଉଛନ୍ତି । ସେମାନେ ଭାବୁଛନ୍ତି, ଏହିପରି ଭାବରେ ସେମାନଙ୍କର ଦରମା ବଢ଼ି ବଢ଼ି ଯାଉଥିବ, ସେମାନେ ସାହେବ ବନି ଆମର ଭାଗ୍ୟ-ଘରଗୁଡ଼ାକୁ ମାରା କରି ଦେବାରେ ଲାଗିଥିବେ ଏବଂ ତଥାପି କାଳର ବିଧାତା ନୀରବ ହୋଇ ରହିଥିବ । ଇତିହାସରେ ଅତୀତରେ ଏସବୁ ଖୁବ୍ ହେଉଥିଲା; ଦିନ ଆସି ପହଞ୍ଚି ଗଲାଣି ଯେତେବେଳେ କି ଏ ସବୁରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ଏହି ଦେଶରେ ଶିକ୍ଷା କିପରି ହେବ, ତାହା ନିଷ୍ପତ୍ତି କରିବାରେ ଦେଶବାସୀଙ୍କର ଭାଗ ରହିବ । ସେମାନେ ଖଣ୍ଟମାନଙ୍କୁ କଦାପି କ୍ଷମା ଦେବେ ନାହିଁ । ଶିକ୍ଷକକୁଳକୁ ଅନ୍ୟମନସ୍କ କରିବାରେ ସଂଘମାନେ ଯେତେ ଯାହା ଫିସାଦ କରି ଆସିଛନ୍ତି, ସେମାନେ ସେଗୁଡ଼ିକୁ ଆଉ ମୋଟେ ସେହିପରି ରହିବାକୁ ଦେବେ ନାହିଁ । ସମଗ୍ର ପୃଥିବୀକୁ ଯେଉଁ ସଚେତନତାର ସମୟ ଆସିବ ବୋଲି ବାରତା ଶୁଣାଗଲାଣି, ଭାରତବର୍ଷ ସେଥିରୁ କେବେହେଲେ ବାହାରେ ରହିଯିବ ନାହିଁ । ଏଠାରେ ମଧ୍ୟ ମୋହଭଙ୍ଗର ଅନ୍ୟ ପର୍ବଟି ଅବଶ୍ୟ ଆସି ପହଞ୍ଚିଯିବ ।

 

ଏବଂ, ନୂତନବାଦୀ, ପରିବର୍ତ୍ତନବାଦୀ ଓ ପ୍ରତିବାଦୀମାନେ ସେହି ଅଧ୍ୟାପକମାନଙ୍କ ଭିତରୁ ମଧ୍ୟ ବାହାରିବେ । ସେମାନଙ୍କୁ ବର୍ତ୍ତମାନର ଏହି ଧନ୍ଦା ମୋଟେ ଭଲ ଲାଗିବ ନାହିଁ । ଏକଦା ରତ୍ନାକରକୁ ଯେଉଁଭଳି ଭଲ ଲାଗି ନଥିଲା, ଠିକ୍ ସେହିପରି । ସେମାନେ ନିଜ ଭିତରୁ ହିଁ ଧକ୍କା ଖାଇବେ ଏବଂ ବ୍ୟାକୁଳତା ସହିତ ଆଉ କିଛି ଖୋଜି ବାହାରିବେ । ସଂଘର ଗଦକୁ ଫୋପାଡ଼ି ସେମାନେ ପୁରୁଷ ହେବେ । ଯାହାକିଛି ଯେପରି ହୋଇ ଆସିଛି, ସେହି ଅପରାଧରେ ନିଜକୁ ଭାଗୀଦାର ବୋଲି ଅନୁଭବ କରିବେ । ଏହି ଦେଶ ସୁନ୍ଦର ହେଲେ ଓ ସବୁ ମଣିଷଙ୍କ ନିମନ୍ତେ ଏକ ଅନୁକୂଳ ଭୂମି ରୂପେ ତିଆରି ହେଲେ ଯାଇ ଏଠାରେ ଯଥାର୍ଥ ସୁଖ ଓ ସଂପୂର୍ଣ୍ଣତା ପାଇଁ ଯେ ଉପଯୁକ୍ତ ଓ ସୁସ୍ଥ ଭିତ୍ତିଟିଏ ତିଆରି ହୋଇ ପାରିବ, ସେମାନଙ୍କର ସେହି ହୃଦ୍ବୋଧ ହୋଇଯିବ । ସେମାନେ ଆଉ ମୋଟେ ଝାମ୍ପି ନେବାକୁ ମନ କରିବେ ନାହିଁ । ମୋଟେ ନିଜର ଅଲଗା ଗାତଟା ଭିତରେ ତୁଚ୍ଛା ପଇସାରଙ୍କା ହୋଇ ରହିବାକୁ ଇଚ୍ଛା କରିବେ ନାହିଁ । ଏଠି ସମସ୍ତଙ୍କୁ ମଧ୍ୟ ଲୋଡ଼ିବେ-। ଏବଂ, ସମସ୍ତଙ୍କୁ ଲୋଡ଼ିବାର ସାହସ କରିପାରିଲେ ସେମାନେ ନିଜର ମଧ୍ୟ ଏକ ମହତ୍ତର ଓ ସତ୍ୟତର ପରିଚୟ ପାଇବେ ।

Image

 

ନୂଆ ଚାଷ ନୂଆ ବଳଦ

 

ଏବେ ପୃଥିବୀରେ ସବୁ ବଦଳି ଯାଉଛି । ସବୁ ନୂଆ ହେବାରେ ଲାଗିଛି । ପୁରୁଣାବାଦୀମାନେ ଯେତେ କାମୁଡ଼ି ରାମ୍ପୁଡ଼ି ହେଲେ ମଧ୍ୟ ସବୁ ନୂଆ ହୋଇଯାଉଛି । ପାଗ ବଦଳୁଛି, ତେଣୁ ପାଗ ବିଷୟରେ ଆମ ପୁରୁଣା ଅନୁମାନମାନେ ଭାରି ଝାମେଲା ଭିତରେ ଯାଇ ପଡ଼ିଯାଉଛନ୍ତି । ପରିବେଶ ବଦଳି ଯାଉଛି, ତେଣୁ ପରିବେଶବାଦୀମାନେ ବୃକ୍ଷକୁ ବାହୁନୁଛନ୍ତି, ବୃକ୍ଷମାନେ ସୁନ୍ଦର ହେଲେ ଜୀବନଟା ସୁନ୍ଦର ହେବ ବୋଲି ସେମାନେ ଫୁଲେଇ ହୋଇ କେତେ କ’ଣ କହୁଛନ୍ତି । ପୃଥିବୀଟା ହିଁ ବଦଳି ଯାଉଛି । ତଥାପି ପୁରୁଣା ଛାଞ୍ଚରେ ରାଷ୍ଟ୍ରଟାକୁ ଦେଶ ସହିତ ସମତୁଲ କରିଦେଇ ମାଆ ଓ ବାପା ବୋଲି ଡ଼କା ପାରିଲେଣି । ଆରେ ବାବୁ, ସୃଷ୍ଟି ଅବଶ୍ୟ ରହିବ-। ପୁରୁଣା ହାଣ୍ଡିଗୁଡ଼ାକ ଉଜୁଆଁ ହେବ ଏବଂ ନୂଆ ହାଣ୍ଡିରେ ନୂଆ ଅନ୍ନ ରନ୍ଧାହେବ । ତୁମେ ଯିଏସବୁ ପୁରୁଣା ହାଣ୍ଡିଟା ଭିତରେ ଯାଇ ପଶିଛ ଏବଂ ଆପଣାକୁ ଖାରବେଳଙ୍କର ଖାନ୍ଦାନ ବୋଲି କହୁଛ, ପୁରୁଣା ହାଣ୍ଡିଗୁଡ଼ିକ ସହିତ ତୁମେମାନେ ବି ଉଜୁଆଁ ହୋଇଯିବ ।

 

ଚାଷ ନୂଆ ବାଗରେ ହେବ, ନୂଆ ହିସାବରେ ହେବ । ତେଣୁ, କେବଳ ନୂଆ ବଳଦଙ୍କ ପାଇଁ ଯାହା ଅପେକ୍ଷା ରହିଛି । ପୁରୁଣା ବଳଦମାନେ ଯିବାକୁ ରାଜି ହେଉନାହାନ୍ତି । ବର୍ତ୍ତମାନ ପୃଥିବୀରେ ସେତିକି ଯାହା ଏକମାତ୍ର ପ୍ରକୃତ ସମସ୍ୟା । ଭାରତବର୍ଷରେ ଏକ ବିଶେଷ ସମସ୍ୟା । ବିହନ ମହଜୁଦ୍ ଅଛି, ଅକ୍ଷୟ ତୃତୀୟା ଗତ ହୋଇଗଲାଣି, ଜମିଟା ଅହଲ୍ୟା ହୋଇ ଅପେକ୍ଷା କରିଛି । ନୂଆ ବଳଦ କାହାନ୍ତି ? ପୁରୁଣାମାନେ ନାଆଁ ବଦଳାଇ କେତେ କେତେ ନୂଆ ଗୁହାଳ ତିଆରି କରିବାରେ ଲାଗିଛନ୍ତି ସତ, ମାତ୍ର ସେହି ପୁରୁଣା ଗୋବରଗୁଡ଼ାକୁ ହିଁ ହଗିବାରେ ଲାଗିଛନ୍ତି । ପୁରୁଣା ବଳଦମାନେ ନିଜ ଭିତରେ କେତେ ସଂଙ୍ଗ କଷାକଷି ହେଉଛନ୍ତି । ଭାବୁଛନ୍ତି, ଗତ ପଚାଶ ବର୍ଷଟାକୁ ଯେମିତି ଗଡ଼େଇ ଦେଇ ଆସିଲେ, ସେମାନେ ଆଉ ପଚାଶ ବର୍ଷକୁ ମଧ୍ୟ ସେହିପରି ଗଡ଼ାଇନେବେ । ସେମାନେ ଏହି ଭୂମିରେ ଭର୍ତ୍ତି ହୋଇ ରହିଥିବା ଧନସମ୍ପଦର କଥା କହିବେ, ଉଜ୍ଜ୍ୱଳ ଅତୀତର କଥା କହିବେ, ଆମକୁ କେଡ଼େ ଧୂର୍ତ୍ତ ଭାବରେ ଏକ ମିଛ ଜାତୀୟତାବାଦ ଭିତରେ ମଜାଇ ରଖିବାକୁ ଚକ୍ରାନ୍ତ କରିବେ । ତଥାପି ନୂଆ ବଳଦର ଭୂମିକାରେ ଅବତୀର୍ଣ୍ଣ ହୋଇ ପାରିବେ ନାହିଁ । ଗତ ପଚାଶ ବର୍ଷ ଭିତରେ ଭାରତବର୍ଷରେ ମୁଖ୍ୟତଃ ସେହି ଚକ୍ରାନ୍ତ ହୋଇ ଆସିଛି । ସେଇ ପୁରୁଣା ବଳଦମାନେ ନିଜ ନିମନ୍ତେ ଉଚ୍ଚ ଉଚ୍ଚ ଶୃଙ୍ଗଗୁଡ଼ାକୁ ଅକ୍ତିଆର କରିନେଇ ତାହାରି ଉପରେ ଆସନ ଭିଡ଼ି ବସିଛନ୍ତି । ଆସନ ନିମନ୍ତେ ନିଜ ନିଜ ଭିତରେ କେଡ଼େ ହାସ୍ୟାସ୍ପଦ ଭାବରେ ଭିଡ଼ାଓଟରା ବି ହୋଇଛନ୍ତି । ଆମ ଓଡ଼ିଶାରେ ମଧ୍ୟ କ’ଣ ଚକ୍ରାନ୍ତ ହୋଇଛି ? ଓଡ଼ିଶାରେ ସବୁ ମଣିଷଙ୍କର ପେଟ ପୂରିବା ନିମନ୍ତେ ବାଟ ଖୋଜିବା ପରିବର୍ତ୍ତେ ଏବଂ ସବୁ ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ପରିବର୍ତ୍ତେ ଡ଼ିଙ୍ଗରମାନେ ବୟସ୍ୟମାନଙ୍କୁ ସାଙ୍ଗରେ ଧରି ବାଲିଦ୍ୱୀପକୁ ବୋଇତରେ ଯାତ୍ରା କରିଛନ୍ତି ଓ ଓଡ଼ିଶାରେ ପୁନର୍ବାର ସେହି ସାଧବମାନଙ୍କର ଯୁଗ ଫେରି ଆସିଲା ବୋଲି ଆମକୁ ଭଣ୍ଡାଇ ରଖିବାର ଚେଷ୍ଟା କରିଛନ୍ତି । ଏବଂ, ଜମିଟା ପ୍ରାୟ ଅନାବାଦୀ ହୋଇ ପଡ଼ିଛି । ଗୋଟାଏ ଦେଶ ବିଦେଶୀ ଶାସନର କବଳରୁ ମୁକ୍ତ ହେବ, ସିଏ ଅବଶ୍ୟ ଏକ ସଂଗ୍ରାମ ଏବଂ ସେହି ସଂଗ୍ରାମକୁ ଲଢ଼ିଥିବା ବଳଦମାନଙ୍କୁ ଆମେ ଅବଶ୍ୟ ଅଶେଷ କୃତଜ୍ଞତା ସହିତ ମନେରଖିବା । ସେମାନଙ୍କୁ ସଂଗ୍ରାମୀର ମାନ ଦେବା, ତମ୍ବାପଟା ଦେଇ ସ୍ୱୀକାର କରିବା । ପଚାଶ ବର୍ଷ ହେଲା କରି ଆସିଲୁ, ଏବଂ ହୁଏତ ଆହୁରି ଶହେ ପଚାଶ ବର୍ଷ ଯାଏ କରିବା ।

 

ମାତ୍ର ଆମର ଏହି ଦେଶ ନାମକ ଜମିଟି ଯେଉଁ ନୂଆ ଚାଷ ଲାଗି ଅପେକ୍ଷା କରିଛି, ସେଥିରେ ଏହି ପୁରୁଣା ବଳଦମାନେ ମୋଟେ କୌଣସି କାମରେ ଲାଗିବେ ନାହିଁ । ସେମାନେ ଯେ କୌଣସି କାମରେ ଲାଗିବେ ନାହିଁ, ସେହି ବିଷୟରେ ଆମର ଆହୁରି ଯଥେଷ୍ଟ ପୂର୍ବରୁ ହୃଦ୍ବୋଧ ହୋଇଯିବାର ଉଚିତ ଥିଲା । ମାତ୍ର ଦୁର୍ଭାଗ୍ୟ ହେତୁ ସେହି ପୁରୁଣା ବଳଦମାନେ ହିଁ ସରକାରରେ ରହିଲେ, ରାଜନୀତିରେ ରହିଲେ, ବିଭିନ୍ନ ରାଜନୀତିକ ଦଳର ଛତା ତଳେ ରହିଲେ ମଧ୍ୟ ସେହି ଏକା ପ୍ରକାରର ଅପକର୍ମମାନ କଲେ ଏବଂ ନାବା ଅଭିସନ୍ଧିମୂଳକ ମାର୍ଗରେ ଆମକୁ ଭୁଲାଇ ରଖିଲେ ଯେ ପରବର୍ତ୍ତୀ ଚାଷଟି ମଧ୍ୟ ସେହିମାନଙ୍କ ଦ୍ଵାରା ହୋଇଯିବ । ବର୍ତ୍ତମାନ ତ ସମ୍ପୂର୍ଣ୍ଣ ଭାବରେ ଧରାପଡ଼ି ଯିବାରେ ଲାଗିଲାଣି ଯେ, ଏହି ପୁରୁଣା ବଳଦମାନେ ପୂରାପୂରି ହାଲିଆ ହୋଇ ପଡ଼ିଛନ୍ତି । ସମ୍ଭବତଃ ଦେଶକୁ ରାଜନୀତିକ ସ୍ୱାଧୀନତା ଆସିବା ସମୟରୁ ହିଁ ସେମାନେ ହାଲିଆ ହୋଇ ଯାଇଥିଲେ । ସେମାନେ ପଦ ଚାହୁଁଥଲେ, ପଦରେ ରହିଲେ; କ୍ଷମତା ଚାହୁଁଥିଲେ, କ୍ଷମତାରେ ରହିଲେ ଏବଂ ସତେଅବା ଗୋଟାଏ ଗୋଟାଏ ଏରଣ୍ଡ ପାଦପପ୍ରାୟ ଦେଖାଗଲେ । କ୍ଷମତା ବଳରେ ମହଲ ତିଆରି କଲେ, ଅକୁଳାଣ ସମ୍ପରି ଠୁଳ କଲେ, ନିଜର ସଂସ୍ରବ ଓ ସଂସ୍କାରରେ ଆଗକାଳର ପଟାଏତ ଓ ଟିକାଏତମାନଙ୍କ ପରି ହେଲେ । ବଡ଼ କଛା ଓହଳାଇ ବାଟ ଚାଲିଲେ, ବଡ଼ ଚଉକୀମାନଙ୍କ ଉପରେ ସଭାମାନଙ୍କରେ ବସି ନିଜକୁ ହାଡ଼ି ଦାସ ଅଥବା କାଳି ଦାସଙ୍କ ପରି ଭାବିଲେ । ସେମାନେ ଦେଶର ଶାସନଟାକୁ ଗୋଟାଏ ଶଇତାନ ବଗିଚାରେ ପରିଣତ କରିଦେଲେ ।

 

ଏଗୁଡ଼ାକ ପଦାରେ ପଡୁ ପଡୁ ଦୀର୍ଘ ପଚାଶ ବର୍ଷ ବିତିଗଲା । ଏହି ରାଜବୀଟମାନଙ୍କୁ ଦେଖି ସାମୂହିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ କୁନି ଓ କୁଜି ବିଟମାନେ ଆସି ବସିଲେ, ବଡ଼େଇ କଲେ ଓ ଏତେ କୋଟି ମଣିଷଙ୍କର ଯୁଗ ଯୁଗ ଧରି ଭଲ ଉପରେ, ଧର୍ମ ଉପରେ ଏବଂ ସତ୍ୟର ବିଜୟ ଉପରେ ଯେଉଁ ବିଶ୍ୱାସ ରହିଥିଲା, ତାହାକୁ ପାଷଣ୍ଡଙ୍କ ପରି ଭାଙ୍ଗି ପକାଇଲେ । ବିଲଟା ଖାଁ ଖାଁ କଲା । ପୁରୁଣା ବଳଦମାନେ କ୍ରମେ ସେହି ପୁରୁଣା ଚାଷଟାକୁ ମଧ୍ୟ ପାରିଲେ ନାହିଁ । ଯେତିକି ଚାଷ କରିବେ ବୋଲି ଆମକୁ ଜବାବ ଦେଇ ଆମଠାରୁ ଆଜ୍ଞାମାଳ ନେଇ ଭୁବନେଶ୍ୱର କିମ୍ବା ଦିଲ୍ଲୀ ଯାଇଥିଲେ, ସେମାନେ ସେତିକି ଚାଷର ଯୋଗ୍ୟ ବି ହୋଇପାରିଲେ ନାହିଁ । ପ୍ରତିନିଧି ସଭାମାନଙ୍କୁ ହେଟା ବିଲୁଆଙ୍କର ହାଟରେ ପରିଣତ କରିଦେଲେ । ସେମାନଙ୍କର ଦେଖାଦେଖି ଦେଶର ଅମଲାମାନେ ବି ମାତିଲେ । ରାଜନୀତି ଶାସନକୁ ବେଙ୍ଗା କରି ପକାଇଲା ଏବଂ ଶାସନଟା ବି ରାଜନୀତିକୁ ବେଙ୍ଗ କରି ରଖିଲା । ଦେଶଟା ଯାକ ଶୀତରାତି ପରି ନିରାଶିଆ ଲାଗିଲା । ଏହି ଦେଶରୁ ସବୁଯାକ ନିଆଁ ସତେଅବା ନିଭିଗଲା କି ? ଯେତେବେଳେ ପରବର୍ତ୍ତୀ ପୀଢ଼ିଟା ତା’ ଚୂଲିରେ କୁହୁଳା ପକାଇବା ନିମନ୍ତେ ଟିକିଏ ନିଆଁ ଆବଶ୍ୟକ କରିବ, ସେତେବେଳେ ପୁଣି କ’ଣ ହେବ ? ପୁରୁଣା ବଳଦମାନେ ଇଂରାଜୀକୁ ହିଁ ତାଙ୍କ ଗୁହାଳ କାରବାରର ଭାଷା କରି ରଖିଲେ । ଦେଶଟା ସ୍ୱାଧୀନ ହୋଇଥିଲେ ମଧ୍ୟ ଯେଉଁମାନଙ୍କର ପିତ୍ତପିଣ୍ଡରୁ ତଥାପି ଗୋଲାମୀ ଅଂଶ ଯାଇନଥିଲା, ସେମାନେ ପ୍ରବଳ ହେଲେ, ନୂଆ ଇଂରେଜଙ୍କ ପରି ଦେଖାଗଲେ । ଏବଂ ଏଡ଼େବଡ଼ ଦେଶଟା ଉପରେ ବାବୁ ହୋଇ ବସିଲେ । ବର୍ତ୍ତମାନ ପାଖରୁ ଭୁଲାଇ ରଖିବାକୁ ଖାଲି ଅତୀତ କଥା କହିଲେ । ଅତୀତର ମଣ୍ଡା ଖୁଆଇ ଆମକୁ ଅବୋଧ କରି ରଖିଲେ । ସ୍ୱାଭାବିକ ଭାବରେ ସଚେତନ ହୋଇ ପାରିଥିଲେ ଆମେ ଅତୀତରୁ ପ୍ରେରଣା ନେଇ ଏକ ଆଗ୍ନେୟ ଶପଥରେ ଏକ ଅନ୍ୟ ଭବିଷ୍ୟତକୁ ଗଢ଼ିଥାଆନ୍ତେ ଏବଂ ସେହି ପ୍ରକ୍ରିୟାରେ ବର୍ତ୍ତମାନଟା ମଧ୍ୟ ବଦଳି ଯାଇଥାନ୍ତା । ସେପରି ହୋଇଥିଲେ ଏହି ଦେଶର ମଣିଷମାନେ ହିଁ ଆଗ ଦେଖା ଯାଇଥାନ୍ତେ । ମଣିଷମାନଙ୍କୁ ସର୍ବାଗ୍ରେ ସ୍ଥାନ ଦିଆଯାଇ ପାରିଥାନ୍ତା ଏବଂ, କୋଟି କୋଟି ମଣିଷ ଏହି ଦେଶରେ ସତକୁ ସତ ଜଣେ ଜଣେ ନାଗରିକର ମର୍ଯ୍ୟାଦା ପାଇଥିଲେ ଦେଶ ବର୍ତ୍ତମାନ କଦାପି ସ୍ୱାର୍ଥବାଦୀ ସାମନ୍ତମାନଙ୍କର କବଳରେ ପଡ଼ି ଛଟପଟ ହେଉନଥାନ୍ତା । ଯେଉଁ ଦେଶରେ ସମସ୍ତଙ୍କର ପେଟ ପୂରିଲା ଭଳି ଯୋଜନା ହୁଏ ଏବଂ ସବୁ ପିଲା ନ୍ୟାୟତଃ ସ୍କୁଲକୁ ଯାଆନ୍ତି, ସେହି ଦେଶରେ ମଣିଷମାନଙ୍କୁ ଆଉ ଅତୀତ ମଧ୍ୟରେ ମୋଟେ ଭୁଲାଇ ରଖି ହୁଏନାହିଁ ।

 

ଯେଉଁ ନୂଆ ବଳଦଙ୍କ ଅପେକ୍ଷା ରହିଛି, ସେମାନେ କେଉଁଠାରୁ ଆସିବେ ? ସେମାନେ କ’ଣ ଆମେରିକା ବା ୟୁରୋପର କୌଣସି ହାଟରୁ କିଣାହୋଇ ଆସିବେ ? ବର୍ତ୍ତମାନ ଭାରତର ଇଂରାଜୀ ମିଡ଼ିୟମ ସ୍କୁଲମାନଙ୍କରେ ଯେଉଁ ପିଲାମାନେ ପାଠ ପଢୁଛନ୍ତି, ସେମାନେ ସାଆନ୍ତ ହେବାର, ଭୋଗ କରିବାର ଓ ଶୋଷକ ବନିବାର ପାଠ ପଢୁଛନ୍ତି । ଯେଉଁମାନେ ତଥାକଥିତ ଉଚ୍ଚଶିକ୍ଷାର ଅଳିନ୍ଦ ମାନଙ୍କରେ ରଣପା ପିନ୍ଧି ଫକ ଫକ ଡ଼େଉଁଛନ୍ତି, ସେମାନେ ତ ଖେଳରେ ଖେଳରେ ଖାସୁ ହୋଇ ପଡ଼ିବାକୁ ରାଜି ହୋଇ ଯାଉଛନ୍ତି । ଥିଲା ଘରର ପାଠପଢ଼ା ପିଲାମାନେ ନିଜେ ତିନିଟଙ୍କା କମାଇବାର ଯୋଗ୍ୟହେବା ପୂର୍ବରୁ ତିନିଶହ ବା ତେରଶହ ଟଙ୍କାର ପୋଷାକ ପିନ୍ଧିବାରେ ଅଭ୍ୟସ୍ତ ହୋଇପଡୁଛନ୍ତି । ଏମାନେ ଜାତି ହରାଉଛନ୍ତି । ସେମାନେ କଦାପି ନୂଆ ବଳଦ ହୋଇ ବାହାରିବାକୁ ରାଜି ହେବେନାହିଁ । ସେମାନେ ପୁରୁଣା ଧିସାରେ ଇଞ୍ଜିନିଅର ହେବେ, ଡାକ୍ତର ହେବେ, ପାଠୁଆ ତସ୍କର ହୋଇ ବାହାରିବେ । ସେହି ମୁତାବକ କଥା କହିବେ; ଏଡ଼େ ମୁଳାୟମ ହେବେ ଯେ ଅଣ୍ଟା ସିଧାକରି ଛିଡ଼ା ହୋଇପାରିବେ ନାହିଁ । ଏମାନେ ନୂଆ ଚାଷରେ ମୋଟେ କୌଣସି କାମରେ ଲାଗିବେ ନାହିଁ । ହଁ, ସେମାନେ ସାଧୁ ସନ୍ଥଙ୍କର ପୂଜା କରିବେ, ଭାରି ଭାବପ୍ରବଣ ହୋଇ ହୁଏତ ସାହିତ୍ୟ କରୁଥିବେ, ମାତ୍ର ନୂଆ ଚାଷ ପାଇଁ ବଳଦ ହେବାକୁ ସେମାନଙ୍କର ପ୍ରକୃତରେ କୌଣସି ଅକଲ ନଥିବ ।

 

ଆଗରେ କିଛି ମଣିଷ ନେତା ହୋଇଥିବେ, ଏବଂ ସକାଳ ପହରୁ ଦରବାର ବସାଇଥିବେ ଓ ଆଉ ଥୋକେ ସେମାନଙ୍କ ପଛରେ ଛତାବାଡ଼ି ଧରି ବାହାରିଥିବେ; ଓକିଲଙ୍କ ପଛରେ ଓକିଲଙ୍କର ବସ୍ତାନି ବୋହୁଥିବା ମୋହରିର ହୋଇଥିବେ, ବୋଲ ପାଇବା ମାତ୍ରକେ ଗୁଣ୍ଡା ବି ହୋଇ ପାରୁଥିବେ, ଦଲାଲ ହେବା ବ୍ୟତୀତ ଅନ୍ୟ କୌଣସି ରାଜନୀତି ଜାଣିନଥିବେ,- ଏମାନେ ଭୋଟ ସମୟରେ ନେଇ ଆଣି ଥୋଇ ଜାଣିବାରେ ବହୁତ କାମରେ ଆସିବେ ସିନା, କିନ୍ତୁ ନୂଆ ଚାଷ ପାଇଁ କଦାପି ନୂଆ ବଳଦ ହୋଇପାରିବେ ନାହିଁ । ବିଗତ ଅଧା ଶତାବ୍ଦୀ ଧରି ଏହି ଦେଶରେ ଅସଲ ଚାଷ ଓ ଅସଲ ବାଟଗୁଡ଼ିକୁ ଉଜୁଡ଼ାଇ ଦେବାରେ ଯେଉଁମାନେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛନ୍ତି, ସେମାନେ ବଳଦ ହେବାର ତାଲିମକୁ କଦାପି ମନ କରିବେ ନାହିଁ । କଚେରୀରେ ଯେପରି ଦଳେ ଥାଆନ୍ତି, ଯେଉଁମାନଙ୍କୁ କି ଓକିଲାତି ଫୋକିଲାତି କିଛି ଆସେନାହିଁ, ଅଥଚ ଯେଉଁମାନେ ମହକିଲମାନଙ୍କର ପିଛା ଧରି ସଂଜକୁ ପାକିଟି ଭର୍ତ୍ତି କରି ଘରକୁ ଫେରନ୍ତି, ପୁରୁଣା ବଳଦମାନେ ଆମର ଏହି ଦିଗ୍ଭ୍ରଷ୍ଟ ଦେଶଟାରେ ବୀର୍ଯ୍ୟବନ୍ତ ଭଳି ଦିଶିବାର ଏମିତି ସବୁ ଅନ୍ୟ ବାଗ ପାଇ ଯାଇଛନ୍ତି ଯେ, କୋଉଠି ଗୋଟାଏ ବିଲ ସତକୁ ସତ ଚାଷ ପାଇଁ ଅପେକ୍ଷା କରି ରହିଛି ବୋଲି ସେମାନଙ୍କର ଆଉ ହୋସ୍ ବି ନାହିଁ । ସେମାନେ ଜଣେ ଜଣେ ଧ୍ୱଜରଂଗୀଙ୍କ ପରି ଧ୍ୱଜା ଉଡ଼ାଇ ବୁଲିବାରେ ଲାଗିଛନ୍ତି । ଏହି ଦେଶ ସେମାନଙ୍କ କାରଣରୁ ପ୍ରକୃତରେ ବହୁତ କ୍ଳେଶ ଭୋଗ କଲାଣି । ସେମାନେ ଅପେକ୍ଷିତ ନୂଆ ଚାଷଟି ଲାଗି ନୂଆ ବଳଦ ହେବାକୁ ଆଦୌ ରାଜି ହେବେନାହିଁ ।

 

ତୁମେ ଇଚ୍ଛା କଲେ ହିଁ ତାହା ହୋଇପାରିବ । ଯିଏ ନୂଆ ବଳଦ ହେବାକୁ ଇଚ୍ଛା କରିବ, ଖାଲି ଆମରି ଏହି ଗୋଟିଏ ଦେଶରେ ନୁହେଁ, ସାରା ପୃଥିବୀରେ ହେବାକୁ ରହିଥିବା ନୂଆ ଚାଷଟି ଲାଗି ସେଇ ନୂଆ ବଳଦ ହୋଇ ବାହାରି ପାରିବ । ସେହି ଅଭିନବ ପ୍ରସ୍ତୁତିକ୍ରମଟି ପ୍ରକୃତରେ ପୃଥିବୀବ୍ୟାପୀ ଆରମ୍ଭ ହୋଇଗଲାଣି । ଏହି ପ୍ରସ୍ତୁତିରେ ମଧ୍ୟ ଏକ ରାଜନୀତି ରହିଛି, ମାତ୍ର ଆମେ ଅଭ୍ୟସ୍ତ ହୋଇ ଆସିଥିବା ରାଜନୀତିକ ପୁରୁଣା ଗୁଳାଗୁଡ଼ିକ ଭିତରେ ପୂରାଇ ତାହାକୁ କଦାପି ଅନ୍ଦାଜ କରି ହେବନାହିଁ । ତେଣୁ, ବାମ ଓ ଡାହାଣ ଉଭୟେ ଫସର ଫାଟିଯିବେ । ସତେଯେପରି ଏକ ନୂଆ ଆଧ୍ୟାତ୍ମ ଏକାବେଳେକେ ତଳୁ ଜନ୍ମଲାଭ କରିବ, ଏକ ନୂତନ କର୍ମଧାରାରେ ନିଜକୁ ଦୃଢ଼ କରିବ ଏବଂ ଅନେକଙ୍କୁ ଅବାକ୍ କରି ନିଜକୁ ପୃଥିବୀରେ ଆସି ପହଞ୍ଚିଲା ବୋଲି ଘୋଷଣା କରିବ-। ସେହି ନୂତନ ବିବେକଟିକୁ ଠଉରାଇ ନେଇପାରିଲେ ଯାଇ ଆମେ ନିଜ ଭିତରେ ମଧ୍ୟ ନୂଆ ବଳଦଟି ଅପେକ୍ଷା କରି ରହିଥିବାର ଅନୁଭବ କରି ବି ପାରିବା ଓ ପରମ ବିଶ୍ୱାସର ସହିତ ତାକୁ ବାହାରି ଆସିବା ନିମନ୍ତେ ବାଟ ଛାଡ଼ିଦେବା । ଆଗାମୀ ପରିବର୍ତ୍ତନଟିରେ ଭାଗ ନେବାକୁ ପଡ଼ିଲେ ତୁମକୁ ଯେ ପାଠୁଆ ହେବାକୁ ପଡ଼ିବ, ସେ କଥା ଆଦୌ ନୁହେଁ । ପାଠୁଆମାନେ ହିଁ ପୃଥିବୀର ଇତିହାସରେ ବେଶୀ ସ୍ୱାର୍ଥୀ ହୋଇଛନ୍ତି, ପୃଥିବୀକୁ ବେଶୀ ଠକିଛନ୍ତି ଓ ଅର୍ଗଳ ଦେଇ ଅସଲ ଉଦୟଗୁଡ଼ିକୁ ଅଟକାଇ ରଖାଯାଇ ପାରିବ ବୋଲି ବିଶ୍ୱାସ କରିଛନ୍ତି । ଭାରତବର୍ଷର ସ୍ୱାଧୀନତା ଯୁଦ୍ଧରେ ଅପାଠୁଆଙ୍କର ଅବଦାନ ହିଁ ଅଧିକ ରହିଛି । ସ୍ୱାଧୀନତା ପରେ ଚତୁରମାନେ ସେମାନଙ୍କୁ ଏପରି ନାନାବିଧ କାଇଦାରେ ବଂଚିତ କରି ରଖିଲେ ଯେ, ଦରିଦ୍ର ଅଧିକ ଦରିଦ୍ର ହେଲେ ଓ ଅସହାୟମାନଙ୍କର ଅସହାୟତା ଦୁଇଗୁଣ ବଢ଼ିଗଲା । ଦେଶକୁ, ଶାସନକୁ ଏବଂ ନିଷ୍ପତ୍ତିଗୁଡ଼ିକୁ ଖାଲି ନିଜ ପାଇଁ ହଡ଼ପ କରିନେଇ କୀର୍ତ୍ତନିଆମାନେ ଭୁବନେଶ୍ୱରକୁ ଆସିଲେ । ଭୁବନେଶ୍ୱରରେ ନାନା ପ୍ରଦୂଷଣର ବାଣ ମାରି କାଳଟାକୁ ଗନ୍ଧିଆ କରି ରଖିଲେ । ନୂଆ ଚାଷରେ ଏମାନେ ଖତ ହେବା ପାଇଁ ମଧ୍ୟ ଯୋଗ୍ୟ ହୋଇପାରିବେ ନାହିଁ, ବଳଦ ହେବା ତ ଆହୁରି ଦୂର ବାଟର କଥା ।

 

ନୂଆ ବଳଦ ହେବାକୁ ମନକଲେ ତୁମେ ଏହି ଦେଶରେ ସବାଆଗ ବର୍ତ୍ତମାନଟାକୁ ହିଁ ଦେଖିପାରିବ । ବର୍ତ୍ତମାନକୁ ଭୂମି ବୋଲି ଗ୍ରହଣ କରିବ ଓ ବର୍ତ୍ତମାନର ସମ୍ମୁଖୀନ ହେବାକୁ ରାଜି ହେବ । ଅନେକେ ଅଛନ୍ତି, ଯେଉଁମାନେ କି ବର୍ତ୍ତମାନର ବିଚାରାଳୟରୁ ରକ୍ଷା ପାଇଯିବେ ବୋଲି ଭବିଷ୍ୟତର ନାନା କଳ୍ପନାପ୍ରବଳ ଡାଳରେ ସତେଅବା ବାଦୁଡ଼ି ପରି ଲଟକି ରହିଥାନ୍ତି । ସାହିତ୍ୟର କ୍ଷେତ୍ରରେ ଏହି କଥାଟି ବହୁ ସମୟରେ ଦୃଷ୍ଟିଗୋଚର ହୋଇଥାଏ । ଏମାନେ ଆମର ଭୋକ ଭୁଲାଇବାକୁ ହିଁ ସେପରି କରିଥାନ୍ତି । ଆମ ଦେଶର ସାହିତ୍ୟ ଅନେକାଂଶରେ ପ୍ରାୟ ତାହା ହିଁ କରିଆସିଛି ଓ ଆମକୁ ନିଦ ଓଷଦ ଖୁଆଇ ବର୍ତ୍ତମାନ ପାଖରୁ ଭୁଲାଇ ନେଇଛି । ନୂଆ ଚାଷର ବଳଦ ହେବା ପାଇଁ ମନ କଲେ ଆମର ମନ ମୋଟେ ତେଣିକି ଯିବ ନାହିଁ । ଭବିଷ୍ୟତରେ କ’ଣ ହେବ ବା ନହେବ ତାହା ସବୁବେଳେ ଏହି ବର୍ତ୍ତମାନର ଆହ୍ୱାନ - କ୍ଷେତ୍ରଟିରେ ଆମର ଭୂମିକା ଉପରେ ହିଁ ନିର୍ଭର କରିବ । ନିପଟ ଧୂର୍ତ୍ତମାନେ ଖାସ୍ ଆମକୁ ଧ୍ୟାନଭ୍ରଷ୍ଟ କରିବା ନିମନ୍ତେ ଏହି ଦେଶ ସାରା ଜଗତରେ ଅଗ୍ରଗଣ୍ୟ କେତେ କ’ଣ ହେବାକୁ ଯାଉଛି ବୋଲି କେତେ ଭାବପ୍ରବଣ ହୋଇ ନକହିଛନ୍ତି; ଭାରତବର୍ଷ ସମଗ୍ର ପୃଥିବୀରେ ଶ୍ରେଷ୍ଠ ହେବ ବୋଲି ସିଧା ବିଶ୍ଵବିଧାତାଙ୍କ ଠାରୁ ଅନୁମତିପତ୍ର ନେଇ ଆସିଛି ବୋଲି ସେମାନେ ଆମକୁ ଭୁରୁଡ଼ାଇ ରଖିବାକୁ କେଡ଼େ ପାଟି କରି କହିଛନ୍ତି । ଏଣେ ଏହି ବର୍ତ୍ତମାନଟା ଉପରେ ଆମକୁ ଚିତା କାଟିଛନ୍ତି । ଆମ ଭାଗ୍ୟନିର୍ମାଣର ପଚାଶଟା ବର୍ଷକୁ ସେମାନେ ବରବାଦ କରିଛନ୍ତି । କୋଟି କୋଟି ପରିମାଣର ଅର୍ଥରାଶିକୁ ଆମ ହାତରୁ ଛଡ଼ାଇ ନେଇଛନ୍ତି । ଏହି ପୁରୁଣା ବଳଦମାନଙ୍କର ନାଟ ଏବେ ମଧ୍ୟ ଜଣା ପଡ଼ିନାହିଁ । ସେମାନେ ନିଜ ଅନ୍ତେ ନିଜ ପୁଅ, ପତ୍ନୀ ଓ ଦୁହିତା, ଭ୍ରାତାଙ୍କ ନାମରେ ଏହି ଦେଶଟାକୁ ଲେଖିଦେଇ ଯିବେ ବୋଲି ଫିକର କରୁଛନ୍ତି । ଆଗକୁ ଯେ ସେହି ଫିକରଗୁଡ଼ିକ ଆଦୌ ଚଳିବ ନାହିଁ, ମୋହମତ୍ତ ହୋଇ ସେକଥା ମୋଟେ ଭାବି ପାରୁନାହାନ୍ତି ।

 

ନୂଆ ସଂଗ୍ରାମଟି ତଳୁ ହେବ । ବିଗତ ପଚାଶ ବର୍ଷ ଯେଉଁମାନଙ୍କୁ ବୋକା ବନାଇ ରଖାଯାଇ ଆସିଛି, ଏଥର ସେଇମାନେ ହିଁ ଅଗ୍ରଗାମୀ ହୋଇ ବାହାରିବେ । ସେମାନଙ୍କୁ ଏଥିରେ ଯିଏ ସହାୟତା କରିବାକୁ ଇଚ୍ଛା କରୁଛି, ସିଏ ତାହା ଅବଶ୍ୟ କରୁ ପଛକେ, ମାତ୍ର ସେମାନଙ୍କୁ ଧୋକା ଦେଇ ନିଜେ ଆଗରେ ରହିବାକୁ ଆଦୌ ପ୍ରୟାସ ନକରୁ । ଧୋକା ଖାଇ ଖାଇ ଆସିଥିବା ମଣିଷମାନେ ସବାଆଗ ବର୍ତ୍ତମାନଟାକୁ ହିଁ ସଜାଡ଼ିବେ । ବର୍ତ୍ତମାନଟାକୁ ମାଡ଼ିବସିଥିବା ଡ଼ିକୁମାନଙ୍କର ଘେରିବନ୍ଧକୁ ସେମାନେ ଅବଶ୍ୟ ଭାଙ୍ଗିବେ । ସେମାନଙ୍କର ଜଙ୍ଗଲ ସେହିମାନଙ୍କର ହୋଇ ରହିବ । ସେହିମାନେ ହିଁ ସେଥିରେ ଇଚ୍ଛା କଲେ ମାଣ୍ଡିଆ ଲଗାଇବେ ଅଥବା ପଟାସ ଚାରା ରୋପଣ କରିବେ । ସେମାନଙ୍କର ପିଲା ଅବଶ୍ୟ ପାଠ ପଢ଼ିବେ । ହାକିମମାନେ ଯେ ସେହିମାନଙ୍କ ପାଇଁ ନିଯୁକ୍ତ ହୋଇ ରହିଛନ୍ତି, ସେହି ଖବରଟି ସେମାନଙ୍କ ପାଖରେ ଇତିମଧ୍ୟରେ ଯାଇ ପହଞ୍ଚି ସାରିଲାଣି । ତେଣୁ, ହାକିମମାନେ ସେମାନଙ୍କର ହିଁ ସେବା ଖଟିବେ, ସେମାନେ ବୁଝିପାରିବା ଭଳି ଭାଷାରେ କଥାବାର୍ତ୍ତା ହୋଇ ପାରିବେ, ନହେଲେ ନାଲାୟକ ବୋଲି ଘୋଷିତ ହେବେ । ସେମାନଙ୍କ ପାଇଁ ଆଗ ରାସ୍ତା ତିଆରି ହେବ, ପାନୀୟଜଳ ଯୋଗାଇ ଦିଆଯିବ, ବରଷ ଯାକର କାମ ମହଜୁଦ ରହିଥିବ ଏବଂ ତା’ ପୂର୍ବରୁ ଥୋକେ ଚାଲାଖଙ୍କ ପାଇଁ ଅୟସବିଳାସର ଆଦୌ କିଛି ବରାଦ ହୋଇପାରିବ ନାହିଁ । ଯିଏ ଠକିବ, ସିଏ ଦଣ୍ଡ ପାଇବ । ପଳାଇ ଯିବାକୁ ବାଟ ନଥିବ । କଚେରୀରୁ ପଳାଇଗଲେ ସମ୍ପୃକ୍ତ ମଣିଷମାନେ ସେମାନଙ୍କର ବିଚାର କରିବେ । ଲୋକଶକ୍ତି ଏକ କ୍ରିୟାଶୀଳ ଶକ୍ତି ରୂପେ ଜନ୍ମଲାଭ କରିଛି । ପ୍ରତ୍ୟକ୍ଷ ହେବା, ପ୍ରଭାବଯୁକ୍ତ ହେବା, ନୂଆ ଚାଷ କହିଲେ ଏବେ ପ୍ରକୃତରେ ଏହିସବୁ ପରିବର୍ତ୍ତନକୁ ବୁଝାଇବ । ଯେଉଁ ଶାସ୍ତ୍ରରେ ମଣିଷ ତା’ ଭାଗ୍ୟର ଅକାଟ୍ୟ ନିର୍ଣ୍ଣୟଗୁଡ଼ିକୁ ନେଇ ସଂସାରକୁ ଆସେ ଓ ତେଣୁ ତାକୁ ସେହି ନିର୍ଣ୍ଣୟଗୁଡ଼ିକୁ ସହ୍ୟ କରି ନେବାକୁ ପଡ଼ିବ ବୋଲି ଲେଖାଯାଇଛି, ସେହି ଶାସ୍ତ୍ରକୁ ବର୍ଜନ କରାଯିବ ।

 

ନୂଆ ଚାଷଟାକୁ ନେଇ ପୃଥ୍ଵୀଜୀବନରେ ମଣିଷର ଏହି ଯେଉଁ ପ୍ରୟୋଗ, ତାହାର ଇତିହାସ ମୋଟେ ଏହି ପ୍ରାୟ ଶହେ ବର୍ଷର । ତଥାପି ତାହାରି ମୁହୂର୍ତ୍ତଟି ଆସି ପହଞ୍ଚି ଯାଇଥିବା ପରି କ୍ରମେ ପୃଥିବୀଯାକ ତାହାରି ଅଧିକରୁ ଅଧିକ ଚର୍ଚ୍ଚା କରାଗଲାଣି । ଏହି ନୂଆ ଚାଷ ପାଇଁ ଯେଉଁଠି ବଳଦମାନେ ପ୍ରସ୍ତୁତ ହୋଇଗଲେଣି, ସେଠାରେ ପ୍ରତିରୋଧଶକ୍ତି ବଢୁଛି, ଆତ୍ମପ୍ରତ୍ୟୟ ବଢୁଛି, ବିଶ୍ୱାସ ବି ବୃଦ୍ଧି ପାଉଛି । ସେହି ବିଶ୍ୱାସଟି ବିଶ୍ଵ ଜୟ କରିବ ବୋଲି ଆଦୌ କୌଣସି ପରମାଣୁ ବୋମାର ପ୍ରୟୋଜନ ହେବନାହିଁ । ମଣିଷ ଚେଇଁ ପାରିଲେ ଏଡ଼େ ବଡ଼ ବୋମାଟାଏ ଫୁଟାଇ ତାକୁ ଉଠୁ ବୋଲି କହିବାରେ ମୋଟେ କୌଣସି ପ୍ରୟୋଜନ ହୁଏନାହିଁ । ଲୋକଶକ୍ତି ହିଁ ଯାବତୀୟ ପାଖଣ୍ଡକୁ ଦୂର କରେ, ସାମନ୍ତ ଆତ୍ମକାମୀମାନଙ୍କୁ ମଣିଷ ହେବାର ଆବାହନ ଦିଏ ଏବଂ ଅନ୍ୟ ଜାଗ୍ରତ ମନୁଷ୍ୟମାନଙ୍କର ଶିବିରରେ ଆସି ସାମିଲ ହେବାର ଉଦ୍ବୋଧନ ଦିଏ । ଭାରତବର୍ଷରେ ସେହି ଯୁଗଟି ସମାଗତ ହେବାକୁ ଯାଉଛି । ବିଲମାନେ ଅପେକ୍ଷା କରିଛନ୍ତି । ବିଧାତା ହଁ ବୋଲି କହି ସାରିଲାଣି । ଖାଲି ନୂଆ ବଳଦଙ୍କ ପାଇଁ ଅପେକ୍ଷା କରାଯାଉଛି ।

Image

 

Unknown

ସହୀଦ୍ର ଜାତି ନାହିଁ

 

ଯୋଗୀର କୌଣସି ଜାତି ନାହିଁ ବୋଲି ସନ୍ଥ କବୀର ଦାସ ଏହି ଭାରତବର୍ଷରେ କୋଉକାଳୁ କହିଯାଇଛନ୍ତି । ସମୁଦ୍ର ସହିତ ଯୁକ୍ତ ହେଲାପରେ ନଦୀର ପୁଣି ଆଉ କାହିଁକି କେଉଁ ଜାତି ରହିବ ? ତଥାପି ଏହି ଦେଶରେ ଯୋଗୀମାନଙ୍କର ଏତେ ଏତେ ଜାତି ହୋଇଗଲା କାହିଁକି କେଜାଣି ? ଏବେ ତ ଯୋଗୀଟିଏ ଦେଖିଲେ ଆମେ ସାଧାରଣ ଲୋକେ ତା’ ଜାତିଟାକୁ ହୁଏତ ସବା ଆଗ ଦେଖୁଛୁ ଏବଂ ତା’ପରେ ସେଇଥିରୁ ତାକୁ ଚିହ୍ନୁଛୁ । ସେହି ଅନୁସାରେ ଆମକୁ କିଏ କାନଫଟା, କିଏ କୁମ୍ଭୀପଟୁଆ, କିଏ ନାଗାନ୍ତୀ ବା ଆଉ କିଏ ଦଣ୍ଡୀ ବୋଲି ଦେଖାଯାଉଛନ୍ତି । ସେମାନେ ଜାତି ଅନୁସାରେ ଭଳି ଭଳି ଭେକ ଧାରଣ କରିଛନ୍ତି । ସତକଥାଟା ହେଉଛି ଯେ, ଆମେ ବାହାରିଆମାନେ ଭେକଟାର ମାଧ୍ୟମରେ ହିଁ ଯୋଗୀର ପରିଚୟଟିକୁ ଠଉରାଇ ନେଇପାରୁଛୁ । ଭେକଟାକୁ ଚିହ୍ନିଗଲେ ଯୋଗୀକୁ ଚିହ୍ନିହେବ ବୋଲି ଗୋଟାଏ ଅଭ୍ୟାସ ଆମ ଚିହ୍ନିବାର ଓ ଜାଣିବାର ପରମ୍ପରାରେ କୋଉଦିନରୁ ଆସି କାହିଁକି ପଶିଗଲା କେଜାଣି ? ଏବଂ, ଭେକଟାରୁ ଯେ ମଣିଷଟାକୁ ଚିହ୍ନିହେବ, ସେହି କାରଣରୁ ଏପରି ଏକ ଭ୍ରମ ମଧ୍ୟ ଆମ ଯାବତୀୟ ବିଶ୍ୱାସକୁ କାମୁଡ଼ି ଧରିବାକୁ ଆରମ୍ଭ କଲା କି ? ଅନେକ ସମୟରେ ଏପରି ଏକ ଡ଼ବଲ ଭ୍ରମ ମଧ୍ୟ ଆମକୁ ହୁଏତ ଆସି ଭାରି ମାଡ଼ି ବସୁଥିବ ଯେ, ତୁମେ ଯଦି ଅମୁକ ଭେକଟାକୁ ପିନ୍ଧିବ, ତେବେ ନିଶ୍ଚୟ ଅମୁକ ଯୋଗୀ ହୋଇପାରିବ । ସେହି କାରଣରୁ ସମ୍ଭବତଃ ଆମର ସଂସାରରୂପୀ କାରବାରଟାରେ ମଧ୍ୟ ତୀର୍ଥମାନଙ୍କରେ ଭକ୍ତ ହେବାର ସରଞ୍ଜାମମାନ ବିକ୍ରି ହେବାରେ ଲାଗିଗଲା । ତିଳକ ଲଗାଇଲେ ତୁମେ ଅବଶ୍ୟ ଗୋପୀଭାବକୁ ପ୍ରାପ୍ତ ହେବ ଏବଂ ତେଣୁ ଗୋପୀଜନବଲ୍ଲଭଙ୍କୁ ଅବଶ୍ୟ ଲାଭ କରିବ ବୋଲି ଗୋଟାଏ ଭେଳିକି ଆସି ବଣା କରିଦେବ । ଅସଲ ଯୋଗୀମାନେ ଏବଂ ଅସଲ ସନ୍ଥମାନେ ହୁଏତ ସେହି ପ୍ରମାଦଟିର ଆଶଙ୍କା ସର୍ବଦା ରହିଥିବାରୁ ବାହାର ଭେକଗୁଡ଼ାକ ବିଷୟରେ ଯୁଗେ ଯୁଗେ ଏତେ ସତର୍କ କରି ଦେଇଛନ୍ତି ।

 

ପ୍ରେମର ଜାତି ନାହିଁ, ଜ୍ଞାନର ଜାତି ନାହିଁ । ଏପରିକି ତ୍ୟାଗର ଜାତି ନାହିଁ କି ଧର୍ମର ମଧ୍ୟ ଜାତି ନାହିଁ । ଅସଲ ଧର୍ମକୁ ଚିହ୍ନି ନ ପାରିଥିବା ମଣିଷମାନେ ହିଁ ହୁଏତ ଧର୍ମକୁ ମାର୍କାଗୁଡ଼ିକ ଭିତରେ ଆଣି ପକାଇ ଦେଇଛନ୍ତି । ନିତାନ୍ତ ଖଳମାନେ ହିଁ ଧର୍ମକୁ ଥାକ ଥାକ କରି ସଜାଇଛନ୍ତି ଓ ଗୋଟାକୁ ବଡ଼ ବୋଲି କହିବା ନିମନ୍ତେ ଆଉ ଗୋଟାକୁ ନିମ୍ନ ବୋଲି କହିଛନ୍ତି । ଠାକୁରମାନଙ୍କର ବି କୌଣସି ଜାତି କାହିଁକି ଆସିବ? ଅଥଚ ଗୋଟାଏ ଧର୍ମର ମଣିଷମାନେ ଆଉ ଗୋଟାଏ ଧର୍ମକୁ ସାନ ବା ଅବର ବୋଲି ଜାତି ବାରି ଏତେ ପ୍ରସନ୍ନ କାହିଁକି ଅନୁଭବ କରିଥାନ୍ତି କେଜାଣି ? ଠାକୁରମାନେ ସଚରାଚର ଆମ ମନୁଷ୍ୟମାନଙ୍କର କଳ୍ପନାରୁ ହିଁ ସଞ୍ଜାତ ହୋଇଛନ୍ତି । ମଣିଷର ଅପାକଳ କଳ୍ପନାମାନେ ହିଁ ଏକଦା ନିଜର ଚିହ୍ନା ଠାକୁରମାନଙ୍କୁ ଅସଲ ବୋଲି ଦେଖାଇ ଅନ୍ୟମାନଙ୍କୁ ନିମ୍ନ ବୋଲି ଘୋଷଣା କରିଥିବେ । ଅପାକଳ ମନୁଷ୍ୟମାନେ ହିଁ କ’ଣ ଗୋଟାଏ ହୁଣ୍ଡାଳିଆ ପ୍ରେମରେ ପଡ଼ି ନିଜକୁ ବ୍ରାହ୍ମଣ ବୋଲି ଭାବିଛନ୍ତି ଏବଂ ତାହାରି ଅନୁସିଦ୍ଧାନ୍ତ ଅନୁସାରେ ଅନ୍ୟମାନଙ୍କୁ ଶୂଦ୍ର ବୋଲି କହି ଓ ଶୂଦ୍ର କରି ଦେଖି ଯୁଗେ ଯୁଗେ ଭାରି ଆତ୍ମପ୍ରସାଦ ପାଇ ଆସିଛନ୍ତି । ନିଶାଖିଆ ମଣିଷମାନେ ଏହିପରି ଭାବରେ ପୃଥିବୀଟାକୁ ଭାରି ବିଚିତ୍ର ପ୍ରକାରେ ଯେ କିପରି ଜମାଇ ରଖିଛନ୍ତି ବେଳେବେଳେ ଥିର ହୋଇ ସେହି କଥାଟିର ବିଚାର କଲେ ସତକୁ ସତ ବଡ଼ ହସ ମାଡ଼େ । ଅସଲ ଯୋଗୀ ବାଟ ଚାଲିବ, କଦାପି ଜାତିର ବ୍ୟାଖ୍ୟା କରି ଯୋଗର କୌଣସି ନୂଆଁ ବହି ଲେଖିବାର ମୋଟେ ଆଗ୍ରହ ଦେଖାଇବ ନାହିଁ । ଅସଲ ଉପାସକ ଉପାସନାରେ ହିଁ ରହିବ, ଉପାସନାର ମାଧ୍ୟମରେ ଉପାସ୍ୟଗୁଡ଼ିକର ମର୍ମଭେଦ କରୁଥିବ ଏବଂ ଅଧିକରୁ ଅଧିକ ଗଭୀରକୁ ଯାଇ ଅପାର ଆନନ୍ଦ ଲାଭ କରିବ । ଜାତି ଦେଖିବା ନିମନ୍ତେ ତା’ ପାଖରେ ଆଦୌ କୌଣସି ବେଳ ନଥିବ । ସେହି ପ୍ରକ୍ରିୟାରେ ସିଏ ନିଜ ଭିତରେ ମଧ୍ୟ ଗଭୀରରୁ ଗଭୀରତର ଭୂମିରେ ଯାଇ ପହଞ୍ଚି ପାରୁଥିବ, ନିଜର ମୂଳ ଘରଟିକୁ ଫେରି ଆସୁଥିବାର ଆନନ୍ଦରେ ହିଁ ଅଧିକ ବେଗ, ଅଧିକ ଦୃଷ୍ଟି ତଥା ଅଧିକ ସମ୍ପ୍ରସାରଣର ଅଧିକାରୀ ହେଉଥିବ । ଜାତି ବାରିବା ପାଇଁ ବେଳ ନ ଥିବ,- ଜାତି ବାରିବା ପାଇଁ ତା’ ଆଖିମାନେ ମଧ୍ୟ ସେତେବେଳେ ମୋଟେ ରାଜି ହେବେନାହିଁ ।

 

ଠିକ୍ ସେହିପରି ସହିଦ୍ର ମଧ୍ୟ କୌଣସି ଜାତି ନାହିଁ । ସହିଦ୍ ଯେଉଁ ଜାତିରେ ଜନ୍ମଗ୍ରହଣ କରିଥାଉ ପଛକେ, ସହିଦ ହେବାପରେ ସିଏ ସମଗ୍ର ମାନବଜାତିର ଗୌରବ ହୋଇ ରହେ, ସର୍ବକାଳର ଉପାସ୍ୟ ଏବଂ ସ୍ମରଣୀୟ ହୁଏ । ଆବ୍ରାହାମ୍ ଲିଙ୍କନ୍ ଆମେରିକାରେ କଳା ଗୋରା ବୈଷମ୍ୟ ଦୂର କରିବା ନିମନ୍ତେ, ଏକଦା ସହିଦ ହୋଇଥିଲେ । କଳାମାନଙ୍କୁ ଦାସ କରି ରଖିବାପାଇଁ ଜିଦ୍ କରୁଥିବା ରାଜ୍ୟଗୁଡ଼ିକ ବିରୋଧରେ ସିଏ ରାଷ୍ଟ୍ରପତି ହିସାବରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧରେ ଜୟଲାଭ କଲେ ଏବଂ ଆମେରିକାରୁ ଦାସପ୍ରଥା ବିଦାୟ ନେଲା । ମାତ୍ର ସେହି ଅକସ ରଖି ଜଣେ ଆତତାୟୀ ତାଙ୍କୁ ହତ୍ୟା କଲା । ପ୍ରାଣବଳି ଦେବା ପର୍ଯ୍ୟନ୍ତ ସେ ଆମେରିକାର ହୋଇ ରହିଥିଲେ । ମାତ୍ର, ପ୍ରାଣବଳି ଦେବାପରେ ସମସ୍ତ ମାନବଜାତିର ସମ୍ପଦରେ ପରିଣତ ହେଲେ । ପ୍ରତ୍ୟେକ ଦେଶର ସ୍ୱାଧୀନତା ସଂଗ୍ରାମରେ ଅନେକ ଅନେକ ଲୋକ ସେହିପରି ପ୍ରାଣବଳି ଦେଉଛନ୍ତି । ପ୍ରାଣ ଦେଇ ଅମର ହୋଇଛନ୍ତି । ପ୍ରାଣକୁ ପାଣି ଛଡ଼ାଇ ସେମାନେ ପୃଥିବୀର ମାନ ରଖିଛନ୍ତି । ପ୍ରତ୍ୟେକ ମନୁଷ୍ୟ ଭିତରେ ରହିଥିବା ଏକ ଚିରବନ୍ଦ୍ୟ ଗୁଣ-ସାମର୍ଥ୍ୟର ପରିଚୟ ଦେଇଛନ୍ତି । ପ୍ରତ୍ୟେକ ଦିନ ତ ଏହି ପୃଥିବୀରେ ସହସ୍ର ସହସ୍ର ଲୋକ ମରୁଛନ୍ତି । ପୃଥିବୀରେ ଆଉ କିଛିଦିନ ବଞ୍ଚିବେ ବୋଲି କିଏ କେତେ ପ୍ରଯତ୍ନ ଓ କେତେ ଉପଚାର କରିବାରେ ଲାଗିଛନ୍ତି । ମୃତ୍ୟୁକୁ ଡ଼ରି କେତେ ଭଳି ହାଣ୍ଡିରେ ଯାଇ ଲୁଚୁଛନ୍ତି । ଏଭଳି ମଣିଷ ବିଦେଶରେ ଅଛନ୍ତି ଏବଂ ଆମ ଦେଶରେ ମଧ୍ୟ ରହିଛନ୍ତି । ଭୀରୁର ମଧ୍ୟ କୌଣସି ଜାତି ନାହିଁ । ସାହସୀର ବି ଜାତି ନାହିଁ ।

 

ଏବଂ, ଜଣେ ଜଣେ ମନୁଷ୍ୟ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ କି ଯେଉଁ ବାଟଟିକୁ ନିଜର ବାଟ ବୋଲି ଗ୍ରହଣ କରିଛନ୍ତି, ସେହି ବାଟଟି ଉପରେ ଅତୁଟ ରହିବା ଲାଗି ଜୀବନପଣ କରି ଦେଇଛନ୍ତି । ଏହି ଲୋକମାନଙ୍କୁ କେହି ସେମାନଙ୍କର ଭେକରୁ ଆଦୌ ଚିହ୍ନି ପାରିବ ନାହିଁ । ବାହାରୁ ଦେଖିଲେ ସେମାନେ ତୁମ ଆମପରି ଏକାନ୍ତ ସାଧାରଣ ପରି ଦେଖାଯାଉଥିବେ । ସେମାନଙ୍କ ଭିତରେ କିନ୍ତୁ ଆକାଶଟିଏ ଥିବ ଓ ଆକାଶରେ ତାରାଟିଏ ଜଳୁଥିବ । ସେହି ତାରାଟିକୁ ଲୟ ରଖି ସେମାନେ ବାଟ ଚାଲୁଥିବେ । ସେମାନେ ସେହି ତାରାଟିର ପ୍ରେମରେ ପଡ଼ି ଯାଇଥିବେ । ଶହେରେ ଅନେଶ୍ୱତ ମଣିଷ ଯାହା କରିପାରନ୍ତି ନାହିଁ, ସେମାନେ ତାହା ସାଧ୍ୟ କରିଥିବେ । ନିଜର ଜୀବନଦେବତାଙ୍କ ପାଖରେ ଅଙ୍ଗୀକାରବଦ୍ଧ ହୋଇଥିବେ ଏବଂ ସମ୍ମୁଖସ୍ଥ ତାରାଟି ମଧ୍ୟରେ ଉକ୍ତ ଅଙ୍ଗୀକାରବଦ୍ଧତାକୁ ଜ୍ୱଳଜ୍ୱଳ କରି ଦେଖି ମଧ୍ୟ ପାରୁଥିବେ । ବାହାରେ ଆଦୌ କୌଣସି କୋଳାହଳ କରିବେ ନାହିଁ ସତ, ମାତ୍ର ଭିତରେ ଉତ୍ସର୍ଗୀକୃତ ହୋଇ ରହିଥିବେ । ସେହି ତାରାଟି କେତେ କ’ଣ ଯେ ହୋଇପାରେ ତାହାର ଆଦୌ କୌଣସି ସୁମାରି କରିହେବ ନାହିଁ । ତାହା ସତ୍ୟ ହୋଇପାରେ । ଅଢ଼େଇ ହଜାର ବର୍ଷ ପୂର୍ବେ ସତ୍ୟ ପାଇଁ ସହିଦ ହୋଇଥିବା ସକ୍ରେଟିସ୍ଙ୍କର ନାଆଁଟି ତତ୍କ୍ଷଣାତ୍ ମନେପଡ଼ି ଯାଇଥିବ । ସେହି ତାରାଟି ନିଜର ବିଶ୍ୱାସ ହୋଇପାରେ । ବିଶ୍ୱାସରେ ଦୃଢ଼ ରହିଥିବା କେତେ କେତେ ବ୍ୟକ୍ତି ଯେ ସେଇଥିପାଇଁ ମୂଢ଼ ଶାସକ ଏବଂ ଦଣ୍ଡଦାତାମାନଙ୍କ ଦ୍ୱାରା ସହିଦ ହୋଇଛନ୍ତି, ପୃଥିବୀର ଇତିହାସ ସେମାନଙ୍କର ଦୃଷ୍ଟାନ୍ତ ଦ୍ଵାରା ପୂର୍ଣ୍ଣ ହୋଇ ରହିଛି । ଇତାଲୀରେ ଶ୍ରୀଯୁକ୍ତ ଗୁଆର୍ଡ଼ିଆନୋ ବ୍ରୁନୋଙ୍କୁ ସେହି ସହିଦମାନଙ୍କ ତାଲିକାରେ ଆମେ ସବାଆଗ ଭେଟିପାରିବା । ସେମାନେ ସମସ୍ତେ ଗୋଟିଏ ଗୋଟିଏ ଦେଶରେ ଅବଶ୍ୟ ଜନ୍ମ ହୋଇଥିଲେ ସତ, ମାତ୍ର ଗଲାବେଳେ ସାରା ପୃଥିବୀର ହୋଇ ଏହି ପୃଥିବୀରୁ ବିଦାୟ ନେଇଗଲେ । ସେମାନେ ଆମ ସମସ୍ତଙ୍କର ହୋଇ ରହିଲେ ।

 

ହଁ, ସେହି ତାରାଟି ନିଜର ଦେଶ ମଧ୍ୟ ହୋଇପାରେ । ନିଜର ଦେଶ ନିମନ୍ତେ ଆମ ପୃଥିବୀର ଇତିହାସରେ ନିୟୁତ ନିୟୁତ ମନୁଷ୍ୟ ଜୀବନବଳି ଦେଇଛନ୍ତି, ଏବେ ମଧ୍ୟ ଦେଉଛନ୍ତି । ଦେଶର ମାନ ରଖିଛନ୍ତି, ଦେଶରେ କୌଣସି ଏକ ସତ୍ୟର ପ୍ରତିଷ୍ଠା କରାଇଛନ୍ତି । ମାତ୍ର ଦେଶ କହିଲେ ତ ମାନଚିତ୍ର ଉପରେ ସୀମାଙ୍କିତ ହୋଇ ରହିଥିବା ଚେନାଏ ଜାଗାକୁ ବୁଝାଏ ନାହିଁ ଅଥବା ପୃଥିବୀ ଉପରେ ଏତେ ହଜାର ବା ଏତେ ଲକ୍ଷ ବର୍ଗ କିଲୋମିଟର ପରିମିତ ଗୋଟିଏ ଭୂମି-ବିସ୍ତାରକୁ ବୁଝାଏ ନାହିଁ । ଦେଶ କହିଲେ ସର୍ବପ୍ରଥମେ ଏକ ଅଙ୍ଗୀକାରବଦ୍ଧତାକୁ ମଧ୍ୟ ବୁଝାଏ । ଏହି ଦେଶ ମୋର ବୋଲି କହିଦା ଆଗରୁ ମୁଁ ଏହି ଦେଶର ବୋଲି ଅନୁଭବ କରିବା,- ଦେଶର କ୍ଷେତ୍ରରେ ସମ୍ଭବତଃ ତାହାହିଁ ହେଉଛି ସର୍ବଶ୍ରେଷ୍ଠ ଅଙ୍ଗୀକାରବଦ୍ଧତା । ସେତେବେଳେ ନିଜର ଦେଶଟି କେତେ କେତେ ମୂଲ୍ୟସତ୍ୟର ଏକ ଗତିଶୀଳ ପ୍ରତୀକ ବୋଲି ବୋଧହୁଏ । ପ୍ରମାଣ କରିହୁଏ ନାହିଁ । କିନ୍ତୁ ସେହି ଅନୁସାରେ ଜୀବନ ବଞ୍ଚିହୁଏ । କିଛିକୁ ବା କାହାକୁ ଭଲ ପାଇଲେ ଯେପରି ସେଇଟାକୁ ମୋଟେ ପ୍ରମାଣ କରିହୁଏ ନାହିଁ ଅଥଚ ସେହି ଅନୁସାରେ ଜୀବନ ବଞ୍ଚିହୁଏ, ଏକଥାଟି ଠିକ୍ ସେହିପରି । ଦେଶକୁ ଭଲ ପାଇହୁଏ । ଦେଶ ପାଇଁ ବଞ୍ଚିହୁଏ । ସମ୍ଭବତଃ ସେହିଭଳି ଏକ କାରଣରୁ ଜାତୀୟତାବାଦୀ ଯୁଗରେ ଭାରତବର୍ଷର କେତେକ ମନୀଷୀ ଦେଶକୁ ଜନନୀ ବୋଲି ଘୋଷଣା କରିଥିଲେ ଏବଂ ସେହି ଜନନୀଙ୍କର ପ୍ରତିମା ଗଢ଼ି ପୂଜା କରିବା ଲାଗି ପରାମର୍ଶ ଦେଇଥିଲେ । ଆମେ ସମସ୍ତେ ଏହି ଦେଶର ଜଣେ ଜଣେ ସନ୍ତାନ, ଏହି ଅନୁଭବଟି ମଧ୍ୟରେ କେତେ କ’ଣ ଅର୍ଥ ଯେ ଭରି ରହିଛି, ଅଧିକରୁ ଅଧିକ ଗଭୀରକୁ ଯାଇ ପାରିଲେ ଆମକୁ ତାହାର ଯଥାର୍ଥ ବାରତାଟି ଅବଶ୍ୟ ମିଳିଯିବ ।

ଦେଶ ପାଇଁ ସହିଦ ହେବା,- ସିଏ ଏକ ଭାଗ୍ୟର କଥା । ନିଜର ଦେଶଟି ଯେଉଁସବୁ ମାନବମୂଲ୍ୟର ସନ୍ତକ ବା ପ୍ରତୀକ ହୋଇ ରହିଛି, ସେଗୁଡ଼ିକୁ ନିଜ ଜୀବନରେ ଅଥବା ନିଜର ନିକଟତମ ସମୂହରେ ବଞ୍ଚି ପାରିବାର ପ୍ରୟାସ କରି ସହିଦ ହେବା, ଏଇଟି ମଧ୍ୟ ଏକ ଭାଗ୍ୟର କଥା-। ଦେଶ ପାଇଁ ଯୁଦ୍ଧ କରି ପ୍ରାଣବଳି ଦେବା, - ଏକଥା ମଧ୍ୟ ସମସ୍ତଙ୍କ ଜୀବନରେ କଦାପି ଘଟେ ନାହିଁ । ଅତ୍ୟନ୍ତ ଅଳ୍ପ ବ୍ୟକ୍ତି ତାହା କରିପାରନ୍ତି । ଅବଶ୍ୟ ଅଧିକତର ସଂଖ୍ୟାରେ ଅନ୍ୟ ମନୁଷ୍ୟମାନେ ତାହାକୁ ବା ସେମାନଙ୍କୁ ସ୍ମରଣ କରନ୍ତି । ସ୍ମରଣ କରିବା ଲୋକେ ଯେ ସମସ୍ତେ ସ୍ଵୟଂ ସହିଦ ହେବାଲାଗି ଯୋଗ୍ୟତା ଅର୍ଜନ କରିଥାନ୍ତି, ସେକଥା ଆଦୌ ନୁହେଁ । ସେହି କଥାଟିକୁ ସମସ୍ତଙ୍କ ଠାରୁ ଦାବି ମଧ୍ୟ କରାଯାଇ ପାରିବ ନାହିଁ । ଅଳପ ବିପଦକୁ ବରଣ କରନ୍ତି, ବହୁତ ତାଳି ଦିଅନ୍ତି; ଅଳ୍ପ ସହିଦ ହୁଅନ୍ତି, ଅଧିକ ସ୍ମରଣ କରନ୍ତି, ଝୁରନ୍ତି ଓ ଭାବ ଉତ୍କ୍ଷେପିତ ହୋଇ କେତେ କ’ଣ କହନ୍ତି । ସମ୍ଭବତଃ ପ୍ରତ୍ୟେକ ମଣିଷ ଭିତରେ ନିଜର ସବୁକିଛି ଉତ୍ସର୍ଗ କରିଦେବାର ଭାବଟିଏ ପ୍ରଚ୍ଛନ୍ନ ରହିଥାଏ ଏବଂ ଉତ୍ସର୍ଗର ଏକ ଉଦାହରଣ ଘଟିଲେ ଆମର ସେହି ଭାବଟିର ସମ୍ପଦଟି ସ୍ପନ୍ଦିତ ହୋଇଉଠେ । ସତେ ଅବା ଏକ ସମଧର୍ମିତା ଅନୁଭବ କରୁଥାଏ । ଭାବଟି ଥାଏ, ମାତ୍ର ସମସ୍ତେ ସମାନ ଭାବରେ ଗତିଶୀଳ ହୋଇପାରନ୍ତି ନାହିଁ । ଆମ ଭିତରେ ନାନା କାରଣରୁ ପଡ଼ିକରି ରହିଥିବା ଗୁଡ଼ିଏ ଗଣ୍ଡି ଆମକୁ ସଦାକୁଣ୍ଡିତ ଏବଂ ଅମଙ୍ଗ କରି ରଖିଥାଏ । ବସ୍ତୁତଃ ଆମ ଜୀବନର ଯାବତୀୟ ସଂଗ୍ରହ ସେତିକିବେଳେ ସାର୍ଥକ ହୁଅନ୍ତି, ଯେତେବେଳେ ଆମେ ଆପଣାକୁ ଅକୁଣ୍ଠିତ ଭାବରେ ଦେଇଦେବା ପାଇଁ ରାଜି ହୋଇଯାଉ । ଯାବତୀୟ ଆତ୍ମସଂଗ୍ରହ ପରିଶେଷରେ ଏକ ଆତ୍ମନିବେଦନରେ ହିଁ ପରିପୂର୍ଣ୍ଣତା ଲାଭକରେ । ମାତ୍ର, ସମସ୍ତେ ଏହି ପୃଥିବୀରେ ସେପରି ଭାଗ୍ୟବନ୍ତ ହୋଇ ବଢ଼ିବାର ସୁଯୋଗ ପାଇନଥାନ୍ତି ଏବଂ ସେଥିଲାଗି ନାନା ଭୟ ଆମକୁ ବେଳେବେଳେ ଭାରି ଅପାକଳ କରି ରଖିଦେଇଥାଏ । ଆମର ଘର ଭର୍ତ୍ତି ହୋଇ ରହିଥାଏ, ମାତ୍ର ଆମେ କାମରେ ଲାଗି ପାରୁନାହିଁ । ଡାକ ଆସେ ଓ ବାରବାର ଲେଉଟିଯାଏ । ଠିକ୍ ଏହି କଥାଟି ପୃଥିବୀରେ ଅଧିକାଂଶଙ୍କର ଜୀବନରେ କାହିଁକି ଘଟେ କେଜାଣି ?

ହୁଏତ ତାହା ହିଁ ହେଉଛି କାରଣ, ଯେଉଁଥି ସକାଶେ ଆଉ କିଏ ନିଜକୁ ଅକୃପଣ ଭାବରେ ଦେଇପାରିଲେ ଆମ ନିଜ ଭିତରେ ମଧ୍ୟ ଶିହରଣ ଜାତହୁଏ, ଆମ ବେଢ଼ା ଭିତରେ ସତେଅବା ବହୁଦିନରୁ ବନ୍ଦ ହୋଇ ରହିଥିବା ଦୁଆରଟା ଧଡ଼ କରି ଖୋଲିଯାଏ । ଆପଣାକୁ କିଛି ପରିମାଣରେ ପବିତ୍ର ବୋଲି ମନେ ହୋଇଥାଏ । ଯିଏ ଗଲା, ପ୍ରାଣବଳି ଦେଲା, ସିଏ ଆମ ସମସ୍ତଙ୍କ ତରଫରୁ ଗଲା ବୋଲି ଅନୁଭବ ହୁଏ । ଆମର ଏକାନ୍ତ ଆପଣାର ବୋଲି ଅନୁଭବ ହୁଏ-। ନଦୀର ଅନତିଦୂରରେ ଅବସ୍ଥିତ ଥିବା ଗଡ଼ିଆଟିଏ ହୁଏତ ଏହିଭଳି ଅନୁଭବ କରୁଥିବ । ନିଜ ଭିତରେ ମଧ୍ୟ ନଈଟିଏ ରହିଛି ବୋଲି ଭାରି ଅକୃପଣ ଭାବରେ ଅନୁଭବ କରୁଥିବ । ହୁଡ଼ାଗୁଡ଼ାକ କାହାର ଶକ୍ତିବଳରେ ଭାଙ୍ଗିଯିବା ପରି ବୋଧ ହେଉଥିବ । ସତେ ଅବା ଏକ ପୂର୍ଣ୍ଣ ପଙ୍କୋଦ୍ଧାରର ଅନୁଭବ ଆଣି ଦେଉଥିବ । ଯେଉଁମାନେ ଆମକୁ ଏହିସବୁ ବହୁମୂଲ୍ୟ ଅନୁଭୂତି ଆଣିଦେଇ ଯାଉଛନ୍ତି, ଆମେ ସେମାନଙ୍କ ପାଖରେ କୃତଜ୍ଞ ରହିବା । ସେମାନେ ଆମ ଭିତରେ ରହିଥିବା ସେମାନଙ୍କର ଏକ ସୋଦରର ଯେ ପରିଚୟ ଦେଇ ଯାଉଛନ୍ତି, ଆମେ ସେହି କଥାଟିକୁ ବାରମ୍ବାର ସ୍ମରଣ କରିବା ଏବଂ କୃତଜ୍ଞ ରହିବା । ସେମାନେ ଆମକୁ ମଧ୍ୟ ଯୋଗ୍ୟ ହେବାରେ ଅବଶ୍ୟ ସାହାଯ୍ୟ କରୁଛନ୍ତି । ସାମୟିକ ଭାବରେ ହେଲେ ମଧ୍ୟ ଆମକୁ ଆମ ଭିତରେ ରହିଥିବା ଏକ ବୃହତ୍ତରର ପରିଚୟ ଆଣି ଦେଇ ଯାଉଛନ୍ତି । ଆମର ପରମବନ୍ଧୁ ପରି କାର୍ଯ୍ୟ କରୁଛନ୍ତି ।

ଏହି ଯୁଦ୍ଧରେ ଆମ ଓଡ଼ିଶାରୁ ଯେଉଁମାନେ ପ୍ରାଣବଳି ଦେଇ ସହିଦ ହେଲେ, ସେମାନଙ୍କୁ ଆମେ ସବାଆଗ ସହିଦ ବୋଲି ହିଁ ଚିହ୍ନିବା । ସେମାନଙ୍କୁ ଓଡ଼ିଆ ବୋଲି ଚିହ୍ନିବାର ଅବକାଶ ତ ବହୁତ ମିଳିବ । ଆଗ ଓଡ଼ିଆ ବୋଲି ଚିହ୍ନିଲେ ସେମାନଙ୍କର ଏହି ବଳିଦାନ ଦ୍ଵାରା ଆମମାନଙ୍କୁ ମିଳୁଥିବା ପ୍ରେରଣା ହୁଏତ ଏପରି ଅନ୍ୟ ଆଡ଼େ ତେରଛେଇ ଯିବ ଯେ, ଆମକୁ ତଦ୍ଦ୍ୱାରା ହୁଏତ କିଞ୍ଚିତ୍ ଅଧିକ ପରିମାଣରେ ଉତ୍ତେଜିତ ଏବଂ ଭାବପ୍ରବଣ ହେବାର ଅବସର ସିନା ମିଳିଯିବ, ମାତ୍ର ଆମେ ସେମାନଙ୍କୁ ସେମାନଙ୍କର ପରିପୂର୍ଣ୍ଣ ପ୍ରସ୍ଥଟି ଉପରେ ଆଦୌ ଦେଖିପାରିବା ନାହିଁ । ଏମାନେ ଓଡ଼ିଶାର ପିଲା, ଓଡ଼ିଶାରେ ଜନ୍ମ ହୋଇଥିଲେ । ସତ, ଏବଂ ସେଥିପାଇଁ ଓଡ଼ିଶାବାସୀ ଆମ ସମସ୍ତଙ୍କୁ ନିଶ୍ଚୟ ବହୁତ ନିକଟ ବୋଲି ଲାଗିବେ । ମାତ୍ର, ତା’ ବୋଲି ଆମେ ସେମାନଙ୍କୁ ଓଡ଼ିଆ ବୋଲି ହିଁ ଯଦି ସ୍ମରଣ କରୁଥାଉ ଓ ସେମାନେ କେବଳ ଓଡ଼ିଆ ବୋଲି ହିଁ ଯଦି ଗର୍ବ ଅନୁଭବ କରୁଥାଉ, ତାହେଲେ ଆମର ସେହି ସ୍ମରଣଟା ଭିତରେ ଅନେକ ଅସ୍ୱାଭାବିକତା ଆସି ପଶିଯିବ । ସେମାନେ ଓଡ଼ିଆ ହୁଅନ୍ତୁ ବା ଆଉ ଯେଉଁ ରାଜ୍ୟର ହୁଅନ୍ତୁ ପଛକେ, ସେମାନେ ସର୍ବପ୍ରଥମେ ସହିଦ ଏବଂ ତା’ପରେ ଯାଇ ଆଉ ଯାହାକିଛି । ଆମେ ସେମାନଙ୍କୁ ସେହି ପ୍ରଥମ ପରିଚୟରେ ହିଁ ଚିହ୍ନିବା । ସେହି ପରିଚୟରେ ହିଁ ସେମାନଙ୍କୁ ମନେ ପକାଇବା ଏବଂ ସେମାନଙ୍କ ଠାରୁ ପ୍ରେରଣା ପାଇବା । ଓଡ଼ିଶାରେ ଆମେ ଯେଉଁମାନେ ଜନ୍ମଗ୍ରହଣ କରିଛୁ, ସେମାନେ ବେଳେବେଳେ ଓଡ଼ିଶା ଆମର ବୋଲି କହି ମେଦିନୀ ଫଟାଉଥିବା ସମୟରେ କୋଉଠି ସତେ ଅବା ୟାଡୁ ସାଡୁ କ’ଣ ସବୁ ବିକୃତି ରହିଥିବା ପରି ଭାରି ଧରା ପଡ଼ି ଯାଉଥାଏ । ଭୂମି ପ୍ରତି ଅସଲ ପ୍ରୀତିଟି ମଧ୍ୟ ବସ୍ତୁତଃ ଏକ ଅଙ୍ଗୀକାରବଦ୍ଧତା; ଭୂମିଟାକୁ ଭୂମି ବୋଲି ନ ଚିହ୍ନି ଆଗ ମୋର ବୋଲି କହୁଥିବା ମଣିଷମାନେ ସତେ ଯେପରି କ’ଣ ଗୋଟାଏ ଆବରଣ ତଳେ ନିଜକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଥାନ୍ତି କି ?

ଓଡ଼ିଶାର ଦରିଦ୍ରମାନେ ଆଗ ଦରିଦ୍ର, ତା’ ପରେ ଯାଇ ଓଡ଼ିଆ । ଓଡ଼ିଶାରେ ବଞ୍ଚିତ ଏବଂ ନିରକ୍ଷରମାନେ ଆଗ ବଞ୍ଚିତ ଓ ନିରକ୍ଷର, ତା’ପରେ ଯାଇ ଓଡ଼ିଆ । ସେମାନଙ୍କୁ ସର୍ବପ୍ରଥମେ ପୃଥିବୀଯାକର ଦରିଦ୍ର, ବଞ୍ଚିତ ଏବଂ ନିରକ୍ଷରମାନଙ୍କ ସହିତ ଏକତ୍ର ମିଳାଇ ଦେଖିବାକୁ ଓ ଚିହ୍ନିବାକୁ ପଡ଼ିବ । ସେମାନଙ୍କୁ ଆଗ ଓଡ଼ିଆ ବୋଲି କହିଲେ ତା’ଭିତରେ ହୁଏତ ଏକ ପ୍ରତାରଣା କେଉଁ ବାହାନାରେ ଯାଇ ପଶି ଯାଇଥିବାର ଅନେକ ଆଶଙ୍କା ରହିଥିବ । ଓଡ଼ିଶାର ଶିଶୁ ଶ୍ରମିକ ଆଗ ଶିଶୁ ଶ୍ରମିକ ନା ଆଗ ଓଡ଼ିଆ ? ଯେଉଁମାନେ ନିଜ ପେଟର ଭରଣା କରିନପାରି ଦାଦନ ଖଟି ଓଡ଼ିଶାରୁ ବାହାରକୁ ଚାଲି ଯାଆନ୍ତି, ସେମାନଙ୍କୁ ଆମେ ଆଗ ଓଡ଼ିଆ ବୋଲି କହି ଭାବପ୍ରବଣ ହେବା ନା ଓଡ଼ିଶାରେ ଯେ କେତେ ମଣିଷଙ୍କୁ ଦାଦନ ଖଟିବାକୁ ବାଧ୍ୟ କଲାଭଳି ଅବସ୍ଥାଟାଏ ବଳବତ୍ତର ରହିଛି, ସେଥିଲାଗି ସଚେତନ ହେବା ? ଓଡ଼ିଶା ଅପେକ୍ଷା ସମଗ୍ର ଦେଶର ଯେକୌଣସି ରାଜ୍ୟର ବା ସ୍ଥାନର ଦାଦନ ଶ୍ରମିକମାନଙ୍କର ଭାଗ୍ୟ ସହିତ ସେମାନଙ୍କର ଭାଗ୍ୟ ଯେ ଅଧିକ ପରିମାଣରେ ଜଡ଼ିତ ହୋଇ ରହିଛି, ସେହି କଥାଟିକୁ ଅବଶ୍ୟ ଆମେ ସ୍ୱୀକାର କରିବା । ତେବେ ଯାଇ ସେମାନଙ୍କର ଉଚିତ ଦୈର୍ଘ୍ୟ ପ୍ରସ୍ଥ ଦେଇ ସେମାନଙ୍କୁ ଆମେ ବୁଝିବା ଲାଗି ସମର୍ଥ ହେବା । ଆମ ରାଜ୍ୟର ସହିଦମାନେ ପୃଥିବୀଯାକ ସହିଦମାନଙ୍କ ସହିତ ଏପରି ମେଳ ହୋଇ ଆମକୁ ଏକାଠି ଦେଖାଯିବେ ଯେ ଆମେ ତା’ ଭିତରୁ ଏତେଜଣ ଓଡ଼ିଆ ବୋଲି ଚିହ୍ନିବାର ସେହି ଅନ୍ୟ ବୁଦ୍ଧିଟିକୁ ଏକାବେଳେକେ ହରାଇ ବସିବା; ତାହାହିଁ ରୀତି, ତାହାହିଁ ସ୍ୱାସ୍ଥ୍ୟ । ଜଣେ ଭଲ ମଣିଷକୁ ଆମେ ଆଗ ଜଣେ ଭଲ ମଣିଷ ବୋଲି ଶ୍ରଦ୍ଧା କରିବା ନା ସିଏ ଆମ ସାହିର ଲୋକ ବୋଲି ଆଗ ଶ୍ରଦ୍ଧା କରିବା ? ସେହି ପରିମଳଟିରୁ ହିଁ ଆମ ଶ୍ରଦ୍ଧାର ମାନଟିର ପରୀକ୍ଷା ହେବ । ଆମ ନିଜ ଶିବିରଟିର ସହିଦମାନଙ୍କୁ ଆମେ ଯେତିକି ସମ୍ମାନ ପ୍ରଦର୍ଶନ କରିପାରୁଛୁ, ଆମର ଶତ୍ରୁ ବୋଲି କୁହାଯାଉଥିବା ସେହି ଅନ୍ୟ ଶିବିରର ସହିଦମାନଙ୍କୁ ମଧ୍ୟ ସେତିକି ସମ୍ମାନ ପ୍ରଦର୍ଶନ କରୁଛୁ କି ?- ତା’ପରେ ଆଉ ଗୋଟିଏ ପାହାଚକୁ ଆସି ଆମକୁ ସେହି ପ୍ରଶ୍ନଟିର ବି ସମ୍ମୁଖୀନ ହେବାକୁ ପଡ଼ିବ । ଆମର ଏକ ପରୀକ୍ଷା ହୋଇଯିବ । ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ସବୁ ମଣିଷ କଦାପି ଇଚ୍ଛୁକ ହେବେନାହିଁ । ସେମାନେ ଡ଼ରିବେ, ଏଡ଼ିଦେଇ ରହିଯିବେ ।

Image

 

ତପସ୍ୱୀମାନଙ୍କର ବାର୍ତ୍ତା

 

ଯିଏ ତପକରେ ସିଏ ତପସ୍ୱୀ । ଆଗେ ତପସ୍ୟା କରିବା ପାଇଁ ଘର ଛାଡ଼ି ଜଙ୍ଗଲକୁ ଯିବାକୁ ପଡୁଥିଲା । ତେଣୁ ସବୁ ତପସ୍ୟା ଜଙ୍ଗଲରେ ହେଉଥିଲା । ପ୍ରଧାନ ଲକ୍ଷ୍ୟ ଥିଲା ଏହି ସଂସାରରୁ ଯଥାଶୀଘ୍ର ମୁକ୍ତିଲାଭ କରି ସେପାରିକୁ ଚାଲିଯିବା । ସେପାରିକୁ ଅର୍ଥାତ୍ ସ୍ଵର୍ଗକୁ । ଏହି ମର୍ତ୍ତ୍ୟଧାମର ମଣିଷମାନେ ହିଁ ସ୍ଵର୍ଗର ଯାହା କିଛି କଳ୍ପନା କରିଯାଇଛନ୍ତି । ସ୍ୱର୍ଗରେ ସବୁ ଅଛି । ସୁଖ ଅଛି, ଭୋଗ ଅଛି, ଖଟଣି ବୋଲି କିଛି ନାହିଁ । ଭଗବାନଙ୍କର ଅନୁଗ୍ରହ ଅବାରିତ ଭାବରେ ଅଜାଡ଼ି ହୋଇ ପଡୁଥାଏ । କ୍ଳେଶ ବୋଲି ଆଦୌ କିଛି ନଥାଏ । ନିରନ୍ତର ବସନ୍ତ ଋତୁ ରାଜତ୍ୱ କରୁଥାଏ । ବିଭିନ୍ନ ସଭ୍ୟତା ଏବଂ ବିଭିନ୍ନ ଜଳବାୟୁର ମନୁଷ୍ୟମାନେ ଯେଉଁପରି ଚିତ୍ରମାନ ଥାପି ସ୍ୱର୍ଗର କଳ୍ପନାମାନ କରି ଯାଇଛନ୍ତି, ସେଗୁଡ଼ିକର ପରିଚୟରେ ଆସିଲେ ପ୍ରକୃତରେ ବଡ଼ ଆଶ୍ଚର୍ଯ୍ୟ ହେବାକୁ ହୋଇଥାଏ । ଏହି ସଂସାର ଯେଉଁମାନଙ୍କୁ ଭଲ ନଲାଗେ, କାଳେ କାଳେ ସେହିମାନେ ହିଁ ବହୁ ବୃହତ୍ କଳ୍ପନା ଦେଇ ଅବିକଳ କବିମାନଙ୍କ ଭଳି ସ୍ୱର୍ଗର ନକ୍ସାଗୁଡ଼ିକୁ ତିଆରି କରିଛନ୍ତି । ସ୍ୱର୍ଗରେ ଦେବତାମାନେ ବାସ କରନ୍ତି । ଠାକୁରମାନଙ୍କର ମୂଳ ମୁକାମଗୁଡ଼ିକ ମଧ୍ୟ ସେଇ ସ୍ଵର୍ଗରେ-। ଏଠାରେ ଏହି ପୃଥିବୀରେ ସବୁ ମାୟା, ସବୁ ମାତ୍ର ଦୁଇଟା ଦିନର । ସଂସାରରେ ତପସ୍ୟା କଲେ କାଳେ ମନ ଚଗଲା ହେବ ଏବଂ ତେଣୁ ଏଠାରୁ ମୁକ୍ତି ପାଇବା ବିଳମ୍ବିତ ହୋଇଯିବ, ଆଉ କ'ଣ ସେହିପରି ଏକ କାରଣରୁ ମୁନିମାନେ ଓ ତପସ୍ୱୀମାନେ ଘରଛାଡ଼ି ସଂସାର ଛାଡ଼ି ତେଣେ ପଳାଇ ଯାଆନ୍ତି କି ? ସ୍ଵର୍ଗର ଆଶାରେ ଜଙ୍ଗଲକୁ ଚାଲି ଯାଇଥିବା ତପଃବୀରମାନେ ସତକୁ ସତ ସ୍ୱର୍ଗ ଯାଏ ପହଞ୍ଚିପାରିଲେ କି ନାହିଁ, ସେ କଥା ଦୃଢ଼ ଭାବରେ କଦାପି କହିପାରିବେ ନାହିଁ । ତଥାପି ପୃଥିବୀବାସୀଙ୍କ ନିମନ୍ତେ ସେମାନେ ଗୋଟିଏ ଗୋଟିଏ କାହାଣୀ ହୋଇ ରହିଗଲେ-। ଏବଂ, ଆମେ ସଂସାରୀମାନେ ଯୁଗ ଯୁଗ ଧରି ସେମାନଙ୍କଠାରୁ ପ୍ରେରଣା ପାଇଆସୁଛୁ-

 

ଏବେ ତପସ୍ୟା ରହିଛି, ତେଣୁ ତପସ୍ୱୀମାନେ ମଧ୍ୟ ରହିଛନ୍ତି । ମାତ୍ର ମନୁଷ୍ୟର ମନ ଭିତରେ ସ୍ଵର୍ଗର ଧାରଣାଟି ବଦଳି ଯାଇଛି । ଏହି ପୃଥିବୀ ଉପରେ ହିଁ ସ୍ଵର୍ଗ ସମ୍ଭବ କରାଯାଇପାରିବ । ଏହି ଅନ୍ୟ ବିଚାରଟି ମଣିଷମାନଙ୍କୁ ଆସି ସଚଳ କରିବା ପରେ ପୃଥିବୀଟା କେଡ଼େ ବେଗରେ ବଦଳି ବଦଳି ଯାଇଛି । ଆମର ଏହି ପୃଥିବୀରେ ତପସ୍ୟାର ଇତିହାସ ହେଉଛି ପୃଥିବୀକୁ ବଦଳାଇବାର ଇତିହାସ । ମନୁଷ୍ୟମାନେ ତପସ୍ୟା ଦ୍ୱାରା ପୃଥିବୀରେ ସୁଖର ବୃଦ୍ଧିସାଧନ କରିଛନ୍ତି, ଦୂରତାଗୁଡ଼ିକୁ ଜୟ କରିଛନ୍ତି, ଅଜ୍ଞାନ ଓ ଅନ୍ଧାରଗୁଡ଼ିକୁ ଉଣା କରି ଆଣିଛନ୍ତି । ଆମେ ମନ କଲେ ପୃଥିବୀର ଇତିହାସକୁ ମୂଳତଃ ଏକ ତପସ୍ୟାର ଇତିହାସ ରୂପେ ଦେଖିପାରିବା । ଅବଶ୍ୟ ଏକଥା ସତ ଯେ, ଏଠି ପ୍ରଧାନତଃ ଭୋଗ ଓ ସୁଖ ଇଚ୍ଛା କରୁଥିବା ଲୋକେ କଦାପି ତାହା କରିପାରିବେ ନାହିଁ । ଏହି ଲୋକମାନେ ଅର୍ଥାତ୍ ସୁଖକୁ ହିଁ ଆହାର କରିବା ଲାଗି ପୃଥିବୀରେ କେଡ଼େ କୋଳାହଳ କରୁଥିବା ମନୁଷ୍ୟମାନେ ଅନ୍ୟମାନଙ୍କର ତପସ୍ୟାରେ ଯଥାସମ୍ଭବ ଅଧିକ ପରିମାଣରେ ଲାଭବାନ ହେଉଥିବେ ସତ, ମାତ୍ର ତପସ୍ୟାକୁ ଖୁବ୍ ବେଶୀ ମନ କରିବେ ନାହିଁ । ସେମାନେ ଭୋଗକୁ ହିଁ ସଫଳତା ବୋଲି କହୁଥିବେ । ପୃଥିବୀରେ ଆମର ଏହି ଆଧୁନିକ ଯୁଗରେ ଆରାମ ଏବଂ ଐଶ୍ୱର୍ଯ୍ୟର ପ୍ରାୟ ଯାବତୀୟ ଆୟୋଜନ ପଛରେ ଯେ ତପସ୍ୟାର ହିଁ ସର୍ବମୂଳ ଅବଦାନଟିଏ ରହିଛି, ସେ କଥାଟିକୁ ସେମାନେ କଦାପି ବୁଝିପାରିବେ ନାହିଁ । ଆଗେ ପୃଥିବୀରେ ମଣିଷମାନଙ୍କର ବଳ ଅତି ସୀମାବଦ୍ଧ ହୋଇ ରହିଥିଲା । ମଣିଷର ଅନ୍ଦାଜଗୁଡ଼ିକ ବଡ଼ ସ୍ଥାନୀୟ ଥିଲା, ଅତ୍ୟନ୍ତ ପରିମିତ ହୋଇ ରହିଥିଲା । ଏବଂ, ତପସ୍ୟା ବଳରେ ହିଁ ସେହି ଅଳ୍ପତା ଏବଂ ସ୍ଥାନୀୟତାଗୁଡ଼ିକ ଉପରେ ବିଜୟଲାଭ ସମ୍ଭବ ହେଲା, ମଣିଷର ଅନ୍ଦାଜ ବୃଦ୍ଧି ପାଇଲା, ପ୍ରସାରିତ ହେଲା । ତପସ୍ୟାର ବଳରେ ଆମେ ପୃଥିବୀକୁ ସ୍ୱର୍ଗରେ ପରିଣତ କରିପାରିବା ବୋଲି ବିଶ୍ୱାସଟି ମଧ୍ୟ ଆମ ବିଶ୍ୱାସର ଧରଣୀଟି ଭିତରେ ପ୍ରବେଶ କଲା । ଆମ ଉଦ୍ୟମଗୁଡ଼ିକର ପରିଧି ବଦଳିଲା, ପୃଥିବୀରେ ଭୟଗୁଡ଼ାକର ହ୍ରାସ ଘଟିଲା ।

 

ଜ୍ଞାନର ତପସ୍ୟା, ବିଜ୍ଞାନର ତପସ୍ୟ ଏବଂ କର୍ମର ତପସ୍ୟା; ବହୁ ଆରୋହଣ ତଥା ଅଗ୍ରଗତିର ତପସ୍ୟା । ତପସ୍ୱୀମାନେ ହିଁ ଏହି ପୃଥିବୀକୁ ଆଲୋକିତ ତଥା ସମର୍ଥ କରିବାର ସକଳ କ୍ଷେତ୍ରରେ ଅଗ୍ରଗାମୀ ଓ ପୁରୋଗାମୀ ରୂପେ କାର୍ଯ୍ୟ କରିଛନ୍ତି ଏବଂ ଆମ ସମ୍ଭାବନାର ଦିଗ୍ବଳୟଗୁଡ଼ିକୁ ପ୍ରସାରିତ କରି ଦେଇଛନ୍ତି । ସ୍ଥାନୀୟ ମଣିଷ ଏବଂ ତାତ୍କାଳିକ ମଣିଷ ନିଜର ସାନ ସ୍ଥାନ ଓ ସାନ କାଳଟି ମଧ୍ୟରେ ଏପରି କିଳି ହୋଇ ରହି ଯାଉଥିଲା ଯେ, ଖାଲି ନିଜଟିକୁ ହିଁ ସିଏ ସତ୍ୟ ବୋଲି ଜାଣୁଥିଲା-ଭାରି ନିବୁଜ ଭାବରେ ଅହଂକାରୀ ହୋଇ ରହିଯାଉଥିଲା । ଧନୀମାନେ ମଧ୍ୟ ଗୋଟିଏ ବାଟକୁ ହିଁ ଯଥାର୍ଥ ବାଟ ବୋଲି ଜାଣୁଥିଲେ ଏବଂ ସେହି ଉତ୍ତାପଟି ଦ୍ୱାରା ବିବେକକୁ ଭାରି ଅବିବେକୀ କରି ରଖିଥିଲେ । ସେହି ଅବିବେକଗୁଡ଼ିକର ଦୌରାତ୍ମ୍ୟକୁ ପୃଥିବୀରେ ଆମେ ଏବେ ମଧ୍ୟ କମ୍ ଭୋଗ କରୁନାହୁଁ । ପୃଥିବୀର ଅଧିକସଂଖ୍ୟକ କ୍ଷେତ୍ରରେ ପାଚେରୀଗୁଡ଼ିକ ଏବେ ମଧ୍ୟ କେଡ଼େ ଉଚ୍ଚ ହୋଇ ଛିଡ଼ାହୋଇ ରହିଛନ୍ତି । ଅତ୍ୟନ୍ତ ସ୍ପଷ୍ଟ ଯେ ଏହି ପାଚେରୀଧର୍ମୀ ଚିନ୍ତାଧାରାଟି ହିଁ ଚିରକାଳ ତପସ୍ୟା ଆଡ଼କୁ ପ୍ରାୟ ଆଖିବୁଜି ରହିଛି । ଯିଏ ବା ଯେଉଁମାନେ ନିଜକୁ ପୃଥିବୀର ଏକମାତ୍ର ଅମୁକ ବା ଏକମାତ୍ର ସମୁକ ବୋଲି କହି ସର୍ବାଧିକ ସନ୍ତୋଷ ଲାଭ କରୁଛନ୍ତି, ସେମାନେ ତପସ୍ୟାକୁ କଦାପି ମନ କରନ୍ତି ନାହିଁ । ଅନ୍ୟମାନଙ୍କର ତପସ୍ୟ-ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରୁଥାନ୍ତି, ସେମାନେ ତପସ୍ୟାକୁ ଯାବତୀୟ ଅର୍ଥରେ ଭୟ ହିଁ କରୁଥାନ୍ତି । ମଣିଷ ତପସ୍ୟାକୁ ଛାଡ଼ି ଭୋଗକୁ ମନ ବଳାଇଲେ ଗଧ ହୁଏ, ମେଷଟିଏ ପରି ମାନିନିଏ ଏବଂ ତେଣୁ ପ୍ରତିଷ୍ଠିତ କ୍ଷମତାଗୁଡ଼ିକ ନିମନ୍ତେ ଏକ ଭାରି ଅନୁକୂଳ ସ୍ଥିତି ମହଜୁଦ କରି ରଖିଥାଏ । ପୃଥିବୀରେ ସାମୂହିକ ବହୁ ଆଦର୍ଶ ମଣିଷମାନଙ୍କୁ ଏହିପରି ଗଧ କରି ରଖିବାରେ ହିଁ ହୁଏତ ଅଧିକ ସାହାଯ୍ୟ କରି ଆସିଛନ୍ତି । ତପସ୍ୱୀ ତପସ୍ୟା ଦ୍ୱାରା ସତ୍ୟ ଭିତରେ ପ୍ରବେଶ କରେ । ତେଣୁ ଅନ୍ଧ ଭାବରେ ଆଦୌ କିଛିହେଲେ ମାନି ନିଏନାହିଁ । ଆପଣାର ସତ୍ୟ-ପରିଚୟକୁ ଅଧିକ ନିବିଡ଼ କରି ରଖିବ ବୋଲି ସିଏ ଆବଶ୍ୟକ ହେଲେ ପ୍ରଶ୍ନ ବି କରେ । ନୂଆ ନିକଟବର୍ତ୍ତୀ ହେବ ବୋଲି ପୁରୁଣାକୁ ପ୍ରଶ୍ନ କରେ ।

 

ଭୋଗୀମାନେ ତପସ୍ୱୀକୁ ଡ଼ରନ୍ତି ଏବଂ ତେଣୁ ତପସ୍ୱୀମାନଙ୍କର ପୂଜା କରିବାକୁ ହିଁ କହିବାରେ ଲାଗିଥାନ୍ତି । ତପସ୍ୟା ହେଉଛି ଜଣେ ତପସ୍ୱୀର ପୃଥିବୀରେ ରହିଥିବା ଆମ ସମସ୍ତଙ୍କ ଲାଗି ଅସଲ ବାର୍ତ୍ତା । ମାତ୍ର ଆମେ ପ୍ରାୟ ପୃଥିବୀଯାକ କାଳେ କାଳେ ତପସ୍ୱୀକୁ ପୂଜା କରିବାକୁ ହିଁ କାହିଁକି ଅଧିକ ମନ କରିଆସିଛୁ କେଜାଣି ? ତପସ୍ୱୀ-ଜୀବନର ତପସ୍ୟାଟି ହିଁ ଆମକୁ ତା’ ଆଡ଼େ ସବୁଠାରୁ ଅଧିକ ଆକୃଷ୍ଟ କରି ପାରୁଥିବା ଉଚିତ । କୌଣସି କାରଣରୁ ଜଣେ ତପସ୍ୱୀକୁ ଆମେ ଅସାଧାରଣ ବୋଲି ମନେ କରିଥାଉ ବୋଲି ତାହାର ପୂଜା କରିବାକୁ ଇଚ୍ଛା କରିଥାଉ କି ? ଏହି ଇଚ୍ଛାଟିକୁ ଆମେ ବୀରପୂଜା ବୋଲି କହି ଆସିଛୁ, ଏବେ ତାହାକୁ କେହି କେହି ପୂଜ୍ୟପୂଜା ବୋଲି ମଧ୍ୟ କହିଲେଣି । ଯେଉଁ ଜାତି ତା’ର ପୂଜ୍ୟମାନଙ୍କୁ ପୂଜା କରି ନଜାଣିଛି, ସେହି ଜାତି ଏବେ ମଧ୍ୟ ବଡ଼ ଅପାକଳ ହୋଇ ରହିଛି ବୋଲି ବେଳେବେଳେ କୁହାଗଲାଣି । କୁହାଗଲାଣି ଯେ, ଜଗତକର୍ତ୍ତା ଅଳ୍ପ କେତେଜଣ ବଛା ବଛା ମଣିଷଙ୍କୁ ସେଇଆଡୁ ହିଁ ଯୋଗ୍ୟ କରି ପୃଥିବୀକୁ ପ୍ରେରଣ କରିଥାଆନ୍ତି-। ସେମାନଙ୍କ ଭିତରେ ଗୁଣ ଭରି ଦେଇଥାଆନ୍ତି, ପ୍ରତିଭାର ବିକାଶ ଦ୍ଵାରା ସେମାନେ ଅଧିକ ଭାଗ୍ୟବାନ ହେବେ ବୋଲି ଆଗରୁ ସତେଅବା ଖଡ଼ି ପକାଇ ସ୍ଥିର କରି ସାରିଥାନ୍ତି । ଅର୍ଥାତ୍ ଏହି ପୃଥିବୀକୁ ଆସିବା ପୂର୍ବରୁ ହିଁ ସିଏ ଯାହା ହେବାର କଥା, ତାହା ହୋଇସାରିଥାଏ । ସିଏ ଆଜ୍ଞା ପାଇ ଆସିଥାଏ, ଆଜ୍ଞା ପ୍ରମାଣେ ଜୀବନଟିଏ ବଞ୍ଚେ, ଅସାଧାରଣ ହୁଏ, ଲକ୍ଷ ଲକ୍ଷ ମଣିଷଙ୍କ ଭିତରେ ଜଣେ ବୋଲି ଗଣାହୁଏ । ଅର୍ଥାତ୍ ଲକ୍ଷ ଲକ୍ଷ ମନୁଷ୍ୟ ଯାହା ହୋଇପାରନ୍ତି ନାହିଁ ବା କଦାପି ହୋଇପାରିବେ ନାହିଁ, ସିଏ ତାହାହିଁ ହୁଏ ।

 

ଆମେ ଏହି ପୃଥିବୀଟାକୁ ଭୋଗ କରିବା ନା ନିଜର ତପସ୍ୟା ବଳରେ ଏହାକୁ ଆହୁରି ଯୋଗ୍ୟ ଏବଂ ଆହୁରି ସୁନ୍ଦର କରି ଗଢ଼ିବା ? ପ୍ରତ୍ୟେକ ମଣିଷ ଭିତରେ ଗୋଟିଏ ତପସ୍ଵୀ ଅନ୍ତର୍ନିହିତ ହୋଇ ରହିଥାଏ, ଯିଏକି ଉପଯୁକ୍ତ ଅର୍ଥାତ୍ ଅନୁରୂପ ଶିକ୍ଷା ତଥା ଅନୁରୂପ ପ୍ରେରଣା ପାଇଲେ କ୍ରମେ ସଂକଳ୍ପ ସହିତ ବାହାରକୁ ବାହାରି ଆସେ । ସିଏ ନିଜକୁ କର୍ଷଣ କରେ । ନିଜକୁ ସତେ ଅବା ପାହାଚ ପାହାଚ କରି ଆରୋହଣ କରୁଥାଏ । ସେହି ଆରୋହଣ ହିଁ ତପସ୍ୟା । ନିଜର ଜୀବନକୁ ଯେଉଁମାନେ ସତେ ଅବା ଭିତରୁ ବାସନା ପାଇ ସେହି ଆରୋହଣ ପଥରେ ପରିଚାଳିତ କରିନିଅନ୍ତି, ସେମାନେ ତପସ୍ୱୀ ହୁଅନ୍ତି । ସେମାନେ ଆମ ସାମୂହିକ ଜୀବନର ଖାସ୍ କେଉଁ କ୍ଷେତ୍ରରେ ରହିଲେ, ତାହା ମୋଟେ ବଡ଼ କଥା ନୁହେଁ । ସେମାନେ ଯେ ତପସ୍ୟାକୁ ଜୀବନର ଧର୍ମ ବୋଲି ଗ୍ରହଣ କରିନେଲେ, ତାହା ହିଁ ଅସଲ କଥା । ଗୋଟିଏ ଗୋଟିଏ କାଳ ବା ଗୋଟିଏ ଗୋଟିଏ ସମାଜ ହୁଏତ ଏକାଧିକ କାରଣରୁ ତପସ୍ୟା ନୁହେଁ, ଭୋଗକୁ ହିଁ ବଞ୍ଚିବାର ଅସଲ ଧନ୍ଦା ବୋଲି ଧରି ନେଇଥାଏ ଏବଂ ସେହି କାରଣରୁ ତପସ୍ୟ ନିମନ୍ତେ ଆରୋହଣ ନିମନ୍ତେ ବହୁତ ପ୍ରତିକୂଳ ହୋଇ ରହିଥାଏ । ସେତେବେଳେ ଭୋଗ ପାଇଁ ବଡ଼ ପ୍ରତିଯୋଗିତା ହୁଏ । ରାଜନୀତିରେ ଭୋଗକାରୀମାନେ ଥାଟ ସହିତ ଆସି ରାଜା ହୋଇ ବସିବେ ବୋଲି ପହଞ୍ଚି ଯାଆନ୍ତି । ମୁଁ ସବୁଠାରୁ କମ୍ ଦେବି ଏବଂ ସବୁଠାରୁ ଅଧିକ ମାରିନେବି,- ଆମେ ତାହାକୁ ହିଁ ଅନେକ ପରିମାଣରେ ଭୋଗଦୃଷ୍ଟିରୁ ଏକ ମୂଳ ଲକ୍ଷଣ ବୋଲି କହିପାରିବା । ଭାରତବର୍ଷର ରାଜନୀତିରେ ସମ୍ପ୍ରତି ସେହି ଲକ୍ଷଣଗୁଡ଼ିକ ସତେ ଅବା ଏଡ଼େ ଏଡ଼େ କାନ ବାହାର କରି ଆମ ଆଡ଼କୁ ଅନାଇ ରହିଛି । ଏବଂ, ସେହିଭଳି ଏକ ରାଜନୀତି ଆମ ଶାସନଟାର କାନ ଧରି ତାକୁ ବାଟ ଚଲାଉଥିବାରୁ ଦେଶରେ ପାରୁଥିବା ପ୍ରାୟ ସମସ୍ତେ ସତେ ଅବା ସେଇ ଭୋଗଟାକୁ ହିଁ ସ୍ଵର୍ଗରେ ପ୍ରବେଶ କରିବାର ନିଶ୍ଚିତତମ ଅନୁମତିପତ୍ର ସଦୃଶ ଗ୍ରହଣ କରି ନେଇଛନ୍ତି । ବିଶେଷତଃ, ଯେଉଁ ସମାଜରେ ବା ଯେଉଁ କାଳରେ ଅଳପ ମଣିଷ ଭୋଗର ପ୍ରାୟ ସବୁଯାକ ମହୁଡ଼କୁ ମାଡ଼ିବସି ଅଧିକ ଓ ଅନେକଙ୍କୁ ପ୍ରାୟ ଧର୍ମତଃ ବଞ୍ଚିତ କରି ରଖିଥାଆନ୍ତି, ସେଠାରେ ତପସ୍ୟାକୁ ସତେ ଅବା ଏତେ ଟିକିଏ ସ୍ଥାନ ମିଳେନାହିଁ । ସବୁଯାକ ବାଜା ଭୋଗୀମାନଙ୍କ ପାଇଁ ବାଜୁଥାଏ, ସବୁଯାକ ଖବରକାଗଜ ଭୋଗୀମାନଙ୍କର ହିଁ କଥାମାନଙ୍କୁ କହୁଥାଏ ଏବଂ ସବୁଯାକ ପାଠ ଭୋଗୀମାନଙ୍କର ବଜାରରେ ସର୍ବୋତ୍ତମ କାମ ଦେଇପାରିବ ବୋଲି ପଢ଼ା ହେଉଥାଏ ।

 

ପଢ଼ା ହେଉଥିବା ବହିମାନଙ୍କରେ ତପସ୍ୱୀମାନଙ୍କର ଜୀବନ-କଥାଗୁଡ଼ିକ କେଡ଼େ ବିଚକ୍ଷଣ ବାଗରେ ଲେଖା ହୋଇ ରହିଥାଏ । ପିଲାମାନେ ତାକୁ ପଢ଼ନ୍ତି, କଣ୍ଠ ଦ୍ଵାରା ବା ମଥା ଦ୍ୱାରା ଆୟତ୍ତ କରନ୍ତି ଏବଂ ପରୀକ୍ଷାରେ ସେଗୁଡ଼ିକୁ ପୂର୍ଣ୍ଣ ନିଖୁଣ ଭାବରେ ଲେଖିଦେଇ ପାରନ୍ତି । ଏହିସବୁ ପାଠ ପଢ଼ି ସେମାନେ ଏକ ଭୋଗୀ ସଂସାର ନିମନ୍ତେ ପ୍ରସ୍ତୁତ ହେଉଥାନ୍ତି । ତପସ୍ୱୀମାନେ ବହିରେ ଥାଆନ୍ତି, ଛକ ସ୍ଥାନମାନଙ୍କରେ ମୂର୍ତ୍ତି ହୋଇ ଶୋଭା ପାଉଥାଆନ୍ତି, ପୂଜ୍ୟ ପୂଜାର ତାଲିକାରେ ସବା ଆଗ ରହିଥାନ୍ତି । ତପସ୍ୱୀମାନେ ପୂଜା ପାଉଥାଆନ୍ତି, ସେହିମାନେ ହିଁ ଜାତିର ବା ଦେଶର ଟେକ ରଖିଲେ ବୋଲି ଆକାଶକୁ ଗୋଟାଏ ବାଣ ଛାଡ଼ିଲା ପରି କଥାମାନ କୁହାଯାଉଥାଏ, ଅଥଚ ଯାବତୀୟ ଆୟୋଜନ ଭୋଗ ପାଇଁ ହିଁ ଲାଗି ରହିଥାଏ । ଆମ କାଳରେ, ଆମ ଦେଶରେ ଅନେକ ସମୟରେ ସେହି କଥାଟି ହିଁ ସର୍ବଦା ଭାରି ଆଚମ୍ବିତ ଲାଗେ । ଜଣେ ଶିକ୍ଷକକୁ ସମ୍ଭବତଃ ବିଶେଷ ଭାବରେ ଆଚମ୍ବିତ ଲାଗୁଥିବ । ସିଏ ଭାବୁଥିବ, ଜଣେ ତପସ୍ୱୀ ବିଷୟରେ ଉଦାହରଣ ସ୍ଵରୂପ ଆମ ଭାରତବର୍ଷରେ ଗାନ୍ଧୀଙ୍କ ବିଷୟରେ ସିଏ ନିଜ ଅନ୍ତର ଭିତରୁ କେତେ କ’ଣ କଥା ପିଲାମାନଙ୍କ ଆଗରେ କହୁଛନ୍ତି; ସିଏ ଯେଉଁପରି ଗଦ୍ଗଦ୍ ହୋଇ କହୁଛନ୍ତି ପିଲାମାନେ ମଧ୍ୟ ଠିକ୍ ସେହିପରି ଗଦ୍ଗଦ୍ ହୋଇ ଶୁଣୁଥିବା ପରି ମନେହେଉଛି । ମାତ୍ର ପିଲାଟି ବଡ଼ ହୋଇ ତଥାପି ତପସ୍ୟାକୁ କ୍ଵଚିତ ମନ ବରୁଛି, ଯିଏ ସତେଅବା କୌଣସି ନିୟମକୁ ମାନି ଭୋଗକୁ ହିଁ ମନ କରୁଛି, ସଫଳତାକୁ ମନ କରୁଛି, ସ୍ୱାର୍ଥକୁ ହିଁ ମନ କରୁଛି । ବିଦ୍ୟାଳୟ ହାରି ହାରି ଯାଉଛି, ପିଲାଟା ଜୀବନରେ ତା’ ବାପାର କଥାଟାକୁ ଅଧିକ ମାନୁଛି, ଅଧିକ ସାର ଓ ପ୍ରକୃତ ବୋଲି ଗ୍ରହଣ କରୁଛି । ପିଲାଟି ବଡ଼ ହୋଇ ତା’ ବାପା ପରି ହେବାକୁ ଚେଷ୍ଟା କରୁଛି । ବାପା ବନାଇଥିବା ଘରଟି ଠାରୁ ହୁଏତ ଆହୁରି ଅଧିକ ଉଚ୍ଚ ଘରଟାଏ ନିଜେ ତିଆରି କରିବ ବୋଲି ସିଏ ନିଜକୁ କ୍ରମେ ମଣ କରି ନେଉଛି । ଏକ ଭୋଗୀ ସମାଜରେ ଜଣେ ଶିକ୍ଷକର ଜୀବନରେ ସମ୍ଭବତଃ ଏହାକୁ ହିଁ ସବୁଠାରୁ ବଡ଼ ବିଡ଼ମ୍ବନା ବୋଲି କୁହାଯାଇ ପାରିବ । ତପସ୍ୱୀମାନେ ପୂଜ୍ୟ ଓ ସେମାନଙ୍କର ପୂଜା କରାଯିବା ଉଚିତ ବୋଲି ବାପାମାନେ ବି କହୁଛନ୍ତି । ମାତ୍ର ସନ୍ତାନଟି ତାର ସତ ଜୀବନରେ ତପସ୍ୟାକୁ ନୁହେଁ, ଭୋଗକୁ ହିଁ ମନକରୁ ବୋଲି କାହିଁକି କେଡ଼େ ବିକଳ ହୋଇ ଚିନ୍ତା କରୁଛି ? ପୂଜାଟାକୁ କାହିଁକି ତପସ୍ୱୀମାନଙ୍କୁ ଗିଳି ଶେଷ କରିଦେବାର ଏକ ଉପାୟ ପରି ବ୍ୟବହାର କରୁଛି ? ଏଇଟା କାହାର ଭୁଲ, ବିଧାତାଙ୍କର ନା ଆଉ କାହାର ?

 

କାଳକାଳକୁ ଭୋଗ ରହିଥିବ, ଭୋଗୀମାନେ ବି ରହିଥିବେ । କାଳକାଳକୁ ଆମର ନିଲଠା ଶାସ୍ତ୍ରମାନେ ଭୋଗଟା ମଣିଷକୁ ଭାରି ଅମଣିଷ କରିପକାଏ ବୋଲି ଶ୍ଳୋକ ବୋଲି କହିବାରେ ଲାଗିଥିବେ । ଗୁରୁଜନମାନେ ବି ପ୍ରାୟ ସମାନ ନିଲଠାପଣ ସହିତ ଏହିପରି ଏକ ଦ୍ୱିବିଧାଚାର ସହିତ ପ୍ରାୟ ଏକ ସ୍ୱୈରାଚାରୀ ଆଗ୍ରହ ନେଇ ପୃଥିବୀଟାକୁ ନିର୍ମମ କରି ରଖିଥିବେ । ପାଠଗୁଡ଼ାକ ମଧ୍ୟ ହୁଏତ ଅନୁରୂପ ପଢ଼ା ହେଉଥିବ ଏବଂ ଜଣେ ସ୍ଵାଭିମାନୀ ଶିକ୍ଷକ ନିଜ ଭିତରେ କଷ୍ଟ ପାଇବାରେ ଲାଗିଥିବ । ସିଏ କାହିଁକି କେଉଁ ପାପର ଫଳରେ ବଜାରଟା ପାଇଁ ନିଜର ମହତମାନଙ୍କୁ ହରାଇବାକୁ ଏହି ଝଅକମରା ଧନ୍ଦାଟାକୁ ଆଦରି ନେଲା ବୋଲି ନିଜକୁ ଝିଙ୍ଗାସିବାରେ ବି ଲାଗିଥିବ । ଏବଂ, ତପସ୍ୱୀମାନେ ମଧ୍ୟ ଅଲବତ ରହିଥିବେ । ସେମାନେ ତପସ୍ୟାରତ ହୋଇ ରହିଥିବେ । ଦରବାରରେ ଥିବେ ସିନା, ତଥାପି ଦରବାର ପାଖରେ ଆପଣାକୁ ମୋଟେ ବିକିଦେଇ ନଥିବେ । ଭୋଗ ସହିତ ପ୍ରତିଯୋଗିତାରେ ଅବତରଣ କରିବାଟା କଦାପି ତପସ୍ୟାର କାର୍ଯ୍ୟ ହୋଇ ରହିନଥିବ । ତଥାପି ତପସ୍ୟା ପାକଳ ହେଉଥିବ, ଅପେକ୍ଷା କରିଥିବା ପୃଥିବୀକୁ ଏପରି ଗୋଟିଏ ଗୋଟିଏ ମୁହୂର୍ତ୍ତ ନାନା ଯୁଗସନ୍ଧି ସମୟରେ ଅବଶ୍ୟ ଆସି ପହଞ୍ଚି ଯାଇଛି, ଯେତେବେଳେ କି ମନୁଷ୍ୟମାନଙ୍କୁ, ଦେଶମାନଙ୍କୁ ଏବଂ ଉଦ୍ୟମମାନଙ୍କୁ ଭୋଗ ଏବଂ ତପସ୍ୟା ମଧ୍ୟରୁ ଏଇଟିକୁ ନଚେତ୍ ସେଇଟିକୁ ବାଛିନେବାକୁ ହୋଇଛି । ଗୋଟାଏ ବିଶେଷ ମୋଡ଼ରେ ଆସି ପହଞ୍ଚି ସମୂହଟିଏ ତପସ୍ୱୀର କଥା ଶୁଣିଛି । ତପସ୍ୟାକୁ ହିଁ ଧ୍ରୁବତାରା ବୋଲି ଗ୍ରହଣ କରିନେଇଛି । ଭାରତବର୍ଷରେ ସ୍ୱାଧୀନତାର ସଂଗ୍ରାମ ଲଢ଼ା ହେଉଥିବା ସମୟରେ ଏହି ଭୂମିର ଅଧିକତର ଆସ୍ପୃହାଟି ଯେପରି ତପସ୍ୱୀମାନଙ୍କର ଆହ୍ୱାନଟିକୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ବାଛି ନେଇଥିଲା, ଠିକ୍ ସେହିପରି । ବହୁ ଅଭିଳଷିତ ସ୍ୱାଧୀନତା ଆସି ପହଞ୍ଚିଯିବା ପରେ ଏଠାରେ ଭୋଗୀପଲଟା ହିଁ କାହିଁକି ପ୍ରାୟ ସର୍ବଶକ୍ତିଶାଳୀ ହୋଇ ମାଡ଼ି ଆସିଲେ ଏବଂ ତପର ମୁହଁ ବନ୍ଦ କରି ରଖିଲେ ? ଭୋଗୀମାନେ ନୁହନ୍ତି, ତପସ୍ୱୀମାନେ ହିଁ ଅଧିକ ସଂଗତିଯୁକ୍ତ ଭାବରେ ଆମକୁ ତାହାର କତିପୟ କାରଣ ବିଷୟରେ ଏକ ସତ୍ୟଧାରଣା ଦେଇପାରିବେ । ଦରବାରଗୁଡ଼ାକ ଏମିତି ଏକ ଅସାମର୍ଥ୍ୟ ସହିତ ନିଜକୁ ଗଢ଼ି ଆଣିଥାଆନ୍ତି ଯେ, ସେମାନେ ଆଉ ସବୁ କିଛି ପାରୁଥିଲେ ମଧ୍ୟ କଦାପି କୌଣସି ଆତ୍ମସମୀକ୍ଷା କରିପାରନ୍ତି ନାହିଁ । ପ୍ରାୟ ଧର୍ମତଃ ନିଶା ଖାଇଥିବା ଏବଂ କେବଳ ନିଜକୁ ଦେଖି ପାରୁଥିବା ମଣିଷଟାଏ କସ୍ମିନକାଳେ ତାହା କରିପାରନ୍ତା ନାହିଁ । ଚତୁର ହେବାରେ ବଳଯାକ ସାରି ବୟସ ସାରନ୍ତା ସିନା, ଆଉ ଅଧିକ କିଛି ଆଦୌ କରିପାରନ୍ତା ନାହିଁ ।

 

ଅତୀତର ତପସ୍ୱୀମାନେ ସତେ ଅବା କେଉଁ ଏକ ନିଦାରୁଣ ନଶ୍ୱରତାବୋଧ ଭିତରେ ଛନ୍ଦି ହୋଇ ରହିଥିଲେ କେଜାଣି, ସେମାନେ ତପସ୍ୟା ନିମନ୍ତେ ପୃଥିବୀ ବାହାରକୁ ଚାଲି ଯାଉଥିଲେ-। ପୃଥିବୀର ଗହଳିଗୁଡ଼ାକୁ ହୁଏତ ଭୟ କରୁଥିଲେ, ଦରବାରଗୁଡ଼ାକୁ ମଧ୍ୟ ଡ଼ରୁଥିଲେ । ସେମାନେ ଶାନ୍ତିଲାଭ କରିବେ ବୋଲି ଅଶାନ୍ତି ଭିତରୁ ବାହାରି ଯାଉଥିଲେ । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଭାରତବର୍ଷରେ ଏପରି ତପସ୍ୱୀମାନଙ୍କର ଆବିର୍ଭାବ ଘଟିଲା, ଯେଉଁମାନେ ଏହି ପୃଥିବୀ ଭିତରେ ହିଁ ରହିଲେ, ତପସ୍ୟା ବଳରେ ହିଁ ପୃଥିବୀର ପରିବର୍ତ୍ତନ ହୋଇପାରିବ ବୋଲି କହିଲେ; ସେମାନେ ସତ୍ୟର ପ୍ରତିଷ୍ଠା ନିମନ୍ତେ ସତ୍ୟାଗ୍ରହର କଥା କହିଲେ । ଏବଂ, ତାହାରି ବଳରେ ଭାରତବର୍ଷର ଭୂମିରେ ସଂଗ୍ରାମୀମାନଙ୍କର ଉଦ୍ୟମରୁ ଏକ ଏପରି ଅଭିନବ ଆଲୋକର ସମ୍ଭାବନାର ପ୍ରତ୍ୟୟ କ୍ରମେ ଆବିର୍ଭୂତ ହୋଇ ଆସିଲା, ଯାହାକି ସମଗ୍ର ପୃଥିବୀକୁ ଅନ୍ୟପ୍ରକାରେ ଚିନ୍ତାକରି ଶିଖାଇଲା ଏବଂ ଅନ୍ୟ ପ୍ରକାରେ ଆଗକୁ ପାଦ ପକାଇବାର ପ୍ରେରଣା ମଧ୍ୟ ଦେଇପାରିଲା । ଗତ ପଚାଶ ବର୍ଷର ଅବଧି ମଧ୍ୟରେ ପୃଥିବୀର ସାମୂହିକ ଭାଗ୍ୟଗୁଡ଼ିକରେ ଯେଉଁ ନୂତନ ପରିବର୍ତ୍ତନମାନ ହେବାରେ ଲାଗିଛି, ତାହାର ମୂଳରେ ତାହାରି ଦ୍ୟୋତନାଟି ସମ୍ଭବତଃ ସବାଆଗରେ ରହିଛି । ଅସ୍ତ୍ରବଳ ଆଗରେ ସତ୍ୟବଳ ଅଥାତ୍ ତପୋବଳ ଏକ ବିକଳ୍ପ ରୂପେ ପୃଥିବୀରେ କ୍ରମେ ଅଧିକରୁ ଅଧିକ ମନୁଷ୍ୟଙ୍କର ଚିଦ୍ଭୂମିକୁ ଏକ ନୂଆ ପ୍ରକାର ସ୍ପନ୍ଦନ ଦେବାକୁ ଆରମ୍ଭ କଲାଣି । ସେହି ବିଶ୍ୱାଙ୍ଗନର ପରିପ୍ରେକ୍ଷୀରେ ଆମେ ଭାରତବର୍ଷରେ ମଧ୍ୟ ଆମ ନିଜର ତପସ୍ୱୀମାନଙ୍କୁ ବୁଝିବାଲାଗି ପ୍ରୟାସ କରିବା । ସାମ୍ପ୍ରତିକ କୁରୁକ୍ଷେତ୍ରମାନଙ୍କରେ ପାଠଶାଳା ଠାରୁ ଆରମ୍ଭ କରି ଆମ ସାମୂହିକ ପରିମଳଗୁଡ଼ିକର କ୍ଷେତ୍ର ପର୍ଯ୍ୟନ୍ତ ତପସ୍ୱୀମାନଙ୍କର ବାର୍ତ୍ତାଟି ଅତ୍ୟନ୍ତ ପ୍ରାସଙ୍ଗିକ ହୋଇରହିଛି । ସାହିତ୍ୟରେ ରହିଛି, ରାଜନୀତିରେ ରହିଛି, ସାମାଜିକ ଉଦ୍ବେଳନ ଗୁଡ଼ିକର ଯାବତୀୟ ଆହ୍ୱାନକ୍ଷେତ୍ରରେ ରହିଛି । ଯେକୌଣସି ସମୂହଚର୍ଯ୍ୟାରେ ପାରସ୍ପରିକତା ନାମକ ଯେଉଁ ବିବେକଟି ଆମର ଅସଲ ମଙ୍ଗଗୁଡ଼ିକୁ ଯୋଡ଼ିପାରନ୍ତା, ଆମେ ମନ କଲେ ସେଠାରେ ମଧ୍ୟ ଜଣେ ତପସ୍ୱୀ ବସିଥିବାର ହିଁ ଦେଖିପାରିବା ।

Image

 

ଲେଖକ ମଧ୍ୟ ପାଠକଟିଏ

 

ସବୁଯାକ ପାଠକ କଦାପି ଲେଖକ ହୁଅନ୍ତି ନାହିଁ, ମାତ୍ର ଏପରି ଲେଖକ ଆପଣ ପୃଥିବୀଯାକ ଖୋଜି ବାହାର କଲେ, ଯିଏକି ପାଠକ ନୁହନ୍ତି । ପଢ଼ି ଶିଖିବାମାତ୍ରେ ବହି ପଢ଼ିବାକୁ ମନହୁଏ ଓ ବହିପଢାର ଜୀବନରେ ସାବାଳକତା ଆସୁ ଆସୁ ପାଠ୍ୟପୁସ୍ତକ ବାହାରେ ଆଉ ବହିଗୁଡ଼ିକୁ ବି ପଢ଼ିବାକୁ ମନହୁଏ । ସେତିକିବେଳେ ଯାଇ ସାହିତ୍ୟ ବୋଲି ପ୍ରାଣଧାତୁଟିଏ ହାତରେ ଆସି ବାଜୁଥିଲା ପରି ମନେହୁଏ ଏବଂ ସେତେବେଳେ ଆଉ କୌଣସି ପରୀକ୍ଷାରେ ବସିବାକୁ ମୋଟେ ନୁହେଁ, ସାହିତ୍ୟରେ ରମି ରହିବାକୁ ହିଁ ବହି ପଢ଼ିବାର ଏକ ଆବଶ୍ୟକତା ଆମ ଭିତରୁ ବିକଶିତ ହୋଇ ଆସିବାକୁ ଆରମ୍ଭ ମଧ୍ୟ କରେ । ପଢୁ ପଢୁ ଆମେ ସମୀକ୍ଷକ ବନୁ । ପ୍ରତ୍ୟେକ ସାହିତ୍ୟ, କବିତା, ଗପ ବା ଆଉ କେତେ କ’ଣକୁ ଏକ ମାଧ୍ୟମ ରୂପେ ବ୍ୟବହାର କରି ଆମକୁ କ୍ରମେ ଟାଣିବାକୁ ଲାଗନ୍ତି । ସେମାନେ ଆମକୁ ଜୀବନ ଆଡ଼କୁ ହିଁ ଟାଣନ୍ତି । କାରଣ ଯାବତୀୟ ସାହିତ୍ୟ ଜୀବନ ସହିତ ହିଁ ଯୁକ୍ତ ହୋଇ ରହିଥାଏ । ସାହିତ୍ୟ ଜୀବନକୁ ଦେଖିବାର ଅଭୂତପୂର୍ବ ନୂଆ ଆଖିମାନ ଆଣି ଯୋଗାଇଦିଏ, ଆମର ସମୀକ୍ଷା-ଶକ୍ତିକୁ ଏକ ନିର୍ଦ୍ଦିଷ୍ଟ ଆବେଦନ ଆଣି ଦେଇଯାଏ । ସେହି ଆବେଦନଗୁଡ଼ିକ ଯଦି ଆମକୁ ସେତିକି ନିବିଡ଼ ଭାବରେ ସ୍ପର୍ଶ କରେ, ଆମ ଘର ଭିତରେ ପଶି ଯଦି ତାହା ଏକ ସ୍ୱକୀୟତାର ପରିଚିତିରେ କ’ଣଟିଏ ରାନ୍ଧି ଥୋଇଦେବାର ଅନୁମତି ଆମଠାରୁ ପାଇଯାଏ, ସେତେବେଳେ ଆମେ ଲେଖକ ନାମକ ଏକ ଭୂମିକା ଭିତରକୁ ଉତ୍ତୀର୍ଣ୍ଣ ହୋଇଆସୁ । ଶାସ୍ତ୍ରର ଭାଷାରେ ‘ପ୍ରଭବସମର୍ଥ’ ହେଉ । ପ୍ରଥମେ କେବଳ ଜଣେ ପାଠକର ଭୂମିକାରୁ ଦ୍ୱିଜତ୍ୱ ଲାଭକରି ଲେଖକ ଓ ପାଠକ ଉଭୟ ଭୂମିର ଅଧିକାର ଲାଭକରୁ । ଅର୍ଥାତ୍ ଜଣେ ଲେଖକ ଲେଖକ ହୋଇସାରିବା ପରେ ମଧ୍ୟ ଅନବଚ୍ଛିନ୍ନ ଭାବରେ ପାଠକ ହୋଇ ରହିଥାଏ । ଆପଣ ପୃଥିବୀଯାକ ଜାଲ ପକାଇ ଆସନ୍ତୁ । ଏପରି ଗୋଟିଏ ଲେଖକକୁ ପାଇବେ ନାହିଁ, ଯିଏକି ନିଜକୁ ଖାଲି ଲେଖକ ବୋଲି କହିବ, ପାଠକ ବୋଲି ମୋଟେ ମାନିବ ନାହିଁ ।

 

ସେଦିନ ସଭାରେ ଲେଖକବନ୍ଧୁ କହିଲେ ଯେ, ଆମ ଏ ଯୁଗରେ ଲେଖକମାନେ ପାଠକମାନଙ୍କର ରୁଚି ବିଷୟରେ ଆଦୌ ଧ୍ୟାନ ଦେଲେନାହିଁ, ଅର୍ଥାତ୍ ପାଠକମାନେ ସତକୁ ସତ କ’ଣ ବା କେଉଁଭଳି ଲେଖା ପାଠ କରିବାକୁ ଇଚ୍ଛା କରୁଛନ୍ତି, ସେକଥା ପ୍ରତି କୌଣସି ଦୃଷ୍ଟି ଦେଲେନାହିଁ ଏବଂ ତେଣୁ ଆମ ରାଜ୍ୟରେ ଏବଂ ଆମ ସାହିତ୍ୟରେ ଲେଖକ ଓ ପାଠକ ଭିତରେ ଏକ ଦୂରତା ସୃଷ୍ଟି ହୋଇଗଲା । ଅତି ପରିଚିତ ବକ୍ତବ୍ୟଟିଏ,- ତଥାପି ତାହାକୁ ଗ୍ରହଣ କଲାବେଳକୁ ବଡ଼ ଖଟ୍କା ଖଟ୍କା ଲାଗିଲା । ଜଣେ ପାଠକ ହିସାବରେ ଯେକୌଣସି ଲେଖକର ମଧ୍ୟ କିଛି ରୁଚି ଅବଶ୍ୟ ରହିଥିବ । ପାଠକରୁଚିର କଳନା କଲାବେଳେ ଖୁବ୍ ସମ୍ଭବ ସେହିଟା ହିଁ ଲେଖକ ସାମନାରେ ସବା ଆଗରେ ଆସି ଛିଡ଼ା ହୋଇ ଯାଉଥିବ । ନିତାନ୍ତ ସ୍ୱାଭାବିକ ଭାବରେ ପ୍ରତ୍ୟେକ ଲେଖକ ତାହାକୁ ହିଁ ସମଗ୍ରତଃ ପାଠକର ରୁଚି ବୋଲି ଗ୍ରହଣ କରିବାକୁ ପ୍ରବୃତ୍ତ ମଧ୍ୟ ହେବ । ପାଠକ ତ କେତେ କେତେ ଜାତି ଏବଂ କେତେ କେତେ ପଂକ୍ତିର ଅଛନ୍ତି । ତେଣୁ, ଜଣେ ଲେଖକ ପାଠକ ହିସାବରେ ସ୍ଵୟଂ ଯେଉଁ ପଂକ୍ତିର, ସଚରାଚର ତାହାକୁ ହିଁ ଜଣେ ସାଧାରଣ ପାଠକର ରୁଚି ବୋଲି ଗ୍ରହଣ କରିବ ହିଁ କରିବ । ନିଜର ପାଠକୀୟ ପରିଚୟଟିକୁ ପୂରାପୂରି ଭୁଲିଯାଇ ଲେଖକ ଆଉମାନଙ୍କୁ ମାପି ପାଠକର ରୁଚି ବିଷୟରେ ତା’ ଅନୁମାନଗୁଡ଼ିକୁ ଗ୍ରହଣ ଯେ କରିବ, ଏଇଟା ପୃଥିବୀରେ ପ୍ରାୟ ଘଟିବ ନାହିଁ । ଅର୍ଥାତ୍ ଜଣେ ଲେଖକ ପ୍ରକୃତରେ ଯେଉଁ ମାନର ବା ଯେଉଁ ସ୍ତରର ପାଠକ, ସିଏ ଆଖର ଜଣେ ଲେଖକ ହିସାବରେ ସେହି ମାନର ଏବଂ ସେହି ସ୍ତରର ହୋଇ ରହିବ । ଆପଣାକୁ ହିଁ ପାଠକମାନଙ୍କର ପ୍ରତିନିଧି ବୋଲି ବିଚାର କରୁଥିବ ଏବଂ ସେହି ପ୍ରତିନିଧିତ୍ୱର ପ୍ରଚୋଦନାକୁ ସ୍ୱୀକୃତି ଜଣାଇ ହଁ ସିଏ ଯାହା କିଛି ଲେଖି ପାରୁଥିବ । ପାଠକମାନଙ୍କର ରୁଚି ଅନୁସାରେ ସିଏ ଲେଖା ଲେଖୁଛି ବୋଲି ସଭାରେ କହୁଥିବ ସିନା, କିନ୍ତୁ ଧର୍ମତଃ ନିଜ ରୁଚିକୁ ମାନି ହିଁ ଯାହାକିଛି ଲେଖୁଥବ । ତା’ପାଇଁ ତାରି ଭଳି ପାଠକବର୍ଗ ମଧ୍ୟ ଅବଶ୍ୟ ମିଳିଯାଉଥିବେ । ସେମାନଙ୍କୁ ସିଏ ଭ୍ରମ କରି ସବୁ ପାଠକ ବୋଲି ବିଚାରୁଥିବ, ବିଚାରି ଖୁସୀ ହେଉଥିବ ।

 

ସବୁ ମଣିଷ ଯେପରି ଭିନ୍ନ ଭିନ୍ନ, ସବୁ ପାଠକ ମଧ୍ୟ ସେହିପରି ସ୍ୱଭାବତଃ ଏକାନ୍ତ ଭାବେ ଭିନ୍ନ । ସେମାନେ ଜଣେ ଜଣେ ପାଠକ ହିସାବରେ ସାହିତ୍ୟ-କ୍ଷେତ୍ରରେ ସର୍ବଦା ଭିନ୍ନ ଭିନ୍ନ ଶିଖରକୁ ହିଁ ନଜର ରଖିଥାଆନ୍ତି । ପାଠକ ନିଜର ରୁଚି ଅନୁସାରେ ତା ଲେଖକକୁ ବାଛି ନିଏ । ପାଠକମାନେ ପ୍ରକୃତରେ ଲେଖକମାନଙ୍କୁ ଖୋଜନ୍ତି । ମଣିଷଟିଏ ନିଜ ପସନ୍ଦ ମୁତାବକ ସାଥୀ ଖୋଜିବା ଭଳି ଜଣେ ପାଠକ ତା ପସନ୍ଦର ଲେଖକକୁ ଖୋଜୁଥାଏ । ନିଜ ଭାଷାରେ ନ ପାଇଲେ ଆଉ କେଉଁ ଭାଷାରେ ବି ଖୋଜୁଥାଏ । ଏଥିରେ ଦୁଃଖିତ ହେବାର ପ୍ରକୃତରେ ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ କିମ୍ବା ଲେଖକ ଲେଖକ ମଧ୍ୟରେ କୌଣସି ବାଦ ରହିବା ମଧ୍ୟ ଉଚିତ ନୁହେଁ । ପ୍ରକୃତ ଅଧିକ ସୁସ୍ଥ ପରମ୍ପରାଟି ହେଉଛି ଯେ, ପାଠକମାନେ ସେମାନଙ୍କର ନିଜ ରୁଚି ଅନୁସାରେ ଲେଖକମାନଙ୍କୁ ଖୋଜି ନେବେ ଏବଂ ଲେଖକ ମଧ୍ୟ ଜଣେ ପାଠକ ହିସାବରେ ଯେଉଁ ସବୁ ରୁଚି ଅର୍ଜନ କରିଛି, ସେହିଗୁଡ଼ିକୁ ଆଖି ଆଗରେ ରଖି ଯାହାକିଛି ଲେଖୁଥିବ । ଏହି ସନ୍ଦର୍ଭରେ କେତୋଟି କଥାକୁ ଅବଶ୍ୟ ମନେ ରଖିବାକୁ ପଡ଼ିବ । ପୃଥିବୀରେ ଅଧିକାଂଶ ମଣିଷ କାଳେ କାଳେ କାହାଣୀକୁ ହିଁ ଭଲ ପାଇ ଆସିଛନ୍ତି । ସେହି କାରଣରୁ ସବୁକାଳେ ସର୍ବାଧିକ ପାଠକ ହେଉଛନ୍ତି କାହାଣୀର ପାଠକ ଏବଂ ହୁଏତ ସାହିତ୍ୟ ବଜାରର ସେହି ଚାହିଦାଟି ଅନୁସାରେ ଅଧିକାଂଶ ଲେଖକ ହେଉଛନ୍ତି କାହାଣୀର ଲେଖକ । ପ୍ରଥମେ କେବଳ କାହାଣୀ ଥିଲା ଏବଂ ମନୁଷ୍ୟମାନଙ୍କର ତୃଷା ମେଣ୍ଟାଇବା ନିମନ୍ତେ ତାହା କୁଳାଇଲା ନାହିଁ ବୋଲି ସାନ ମୁଚୁଳାରେ ଅଧିକ ତୁଳା ଭରି ବଡ଼ କରିବା ଭଳି କାହାଣୀ ପେଟରେ ଅଧିକ ଚୂନା ଦେଇ ଉପନ୍ୟାସ ନାମକ ଆଉ ଏକ ସାହିତ୍ୟବର୍ଗର ପ୍ରବର୍ତ୍ତନ କରିବାକୁ ପଡ଼ିଲା । ଏବଂ କାଳକ୍ରମେ କାହାଣୀ ମଧ୍ୟ କେତେ ପ୍ରକାରର ହୋଇଗଲାଣି । ସେହି ଅନୁସାରେ ଲେଖକ ମଧ୍ୟ କେତେ ପ୍ରକାରର ଏବଂ କେତେ ଥାକର ହୋଇ ବାହାରିଲେଣି ଏବଂ ପାଠକ ନିଜର ରୁଚି ଅନୁସାରେ ସେମାନଙ୍କୁ ବାଛିନେଇ ପାରୁଛନ୍ତି ।

 

ରୁଚି ବଦଳି ଯାଉଛି । ତାହାର କାରଣ ଏକାଧିକ । ଭଲ ମନ୍ଦ ବାଛିବାକୁ ବେଳ ବି ମିଳୁନାହିଁ । ଏଥିସକାଶେ ହୁଏତ ବହୁତ ମଣିଷ ଭାରି ନାକ ମଧ୍ୟ ଟେକୁଛନ୍ତି । ସାହିତ୍ୟରେ ନାକ ଟେକିବାର ଖୋଇଟା ସେଇ ପ୍ରଥମ କାଳରୁ ରହିଛି । ଯେତେବେଳେ ପଦ୍ୟ ସାଙ୍ଗକୁ ଗଦ୍ୟ ଆସି ପହଞ୍ଚିଲା, ସେତେବେଳେ ସେ କାଳର ସଭା-କବିମାନେ କ’ଣ କମ୍ ନାକ ଟେକିଥିବେ ? ଯେତେବେଳେ ଠାକୁରମାନଙ୍କୁ ଏବଂ ରାଜପୁତ୍ରମାନଙ୍କୁ ହିରୋ ନକରି ସମାଜର ମାମୁଲି ମଣିଷମାନଙ୍କୁ ହିରୋ କରି ପଦ୍ୟ ଓ ଗଦ୍ୟ ଉଭୟରେ କାହାଣୀ ସବୁ ଲେଖା ଯାଇଥିବ, ସେତେବେଳେ ବି କେତେ ମଣିଷ କ’ଣ କମ୍ ନାକ ଟେକିଥିବେ ? ଯେତେବେଳେ ସାଧାରଣ ଜୀବନରେ କଥିତ ଭାଷା ନିମନ୍ତେ ଗୌରବବୋଧ ବଢ଼ିବା ସଂଗେ ସଂଗେ ସଂସ୍କୃତ ଭାଷା ପରିବର୍ତ୍ତେ ସବୁଦିନର ଭାଷାରେ ଗ୍ରନ୍ଥ ପ୍ରଣୀତ ହେଲା, ସେତେବେଳେ ପଣ୍ଡିତମାନେ ତ ସୃଷ୍ଟି ଭାସିଗଲା ବୋଲି ଆର୍ତ୍ତନାଦ କରି ଉଠିଥିବେ । ପାଠକର ରୁଚି ବଦଳେ । ସେହି ଅନୁସାରେ ଭିନ୍ନ ଭିନ୍ନ ରୁଚିର ଚାହିଦା ଅନୁସାରେ ସାହିତ୍ୟରେ ସରଞ୍ଜାମ ଯୋଗାଇ ଦେବାକୁ ଭିନ୍ନ ଭିନ୍ନ ଲେଖକ ଅବଶ୍ୟ ତିଆରି ହୋଇ ଆସନ୍ତି । କିଏ କୋଉ ରୁଚିର ଚାହିଦା ପୂରଣ କରିବା ସକାଶେ ବାହାରିଆସେ, ସିଏ ସେ କଥାଟିକୁ ସ୍ୱୟଂ ବାଛେ । ଯିଏ ଖାଲି ଗରହାକ ଅର୍ଥାତ୍ କ୍ରେତା ଚାହୁଥାଏ, ସିଏ ଯାହା ଲେଖେ ବା ଯେପରି ଲେଖେ, ଯିଏ ପାଠକମାନଙ୍କୁ ସଖା ରୂପେ ପାଇବାକୁ ଇଚ୍ଛା କରୁଥାଏ, ସିଏ ଆଦୌ ତାହା ଲେଖେ ନାହିଁ । ଅଥବା ସେପରି ମଧ୍ୟ ଲେଖେ ନାହିଁ । ସାହିତ୍ୟକୁ ମନ୍ତ୍ରରୂପେ ଗ୍ରହଣ କରିଥିବା ଲେଖକ ସାହିତ୍ୟକୁ ଅବସର ବିନୋଦନର ପଣ୍ୟ ବୋଲି ଗ୍ରହଣ କରିଥିବା ପାଠକ ପାଇଁ ମୋଟେ ଲେଖେ ନାହିଁ । ସବୁ ସାପ କଦାପି କେଳାର ମନ୍ତ୍ରକୁ ଶୁଣିବା ମାତ୍ରକେ ବିଲରୁ ବାହାରି ଆସନ୍ତି ନାହିଁ । ତେଣୁ କେଉଁଭଳି ସାପ ବା ସାପମାନେ ଯେ ଆସିବେ, ସମଝି ପାରୁଥିବା କେଳା ତାହା ଭଲ କରି ଜାଣିଥାଏ ଓ ସେହିପରି ସାପମାନଙ୍କୁ ଦେଖିଲେ ପ୍ରକୃତରେ ଖୁସୀ ହୁଏ । ଏହିପରି ରୀତିଟିଏ ସାହିତ୍ୟରେ ନିତି କାର୍ଯ୍ୟ କରି ଆସିଛି । ଏବେ ମଧ୍ୟ କାର୍ଯ୍ୟ କରୁଛି । ଭଲ ସାହିତ୍ୟ ମନ୍ଦ ସାହିତ୍ୟ ବୋଲି କହିଲେ ପ୍ରକୃତରେ ନିର୍ଦ୍ଦିଷ୍ଟ ଆଦୌ କିଛି ବୁଝାଉ ନାହିଁ । ମୋ ରୁଚି ମୁତାବକ ସାହିତ୍ୟ, ମୋ ପାଇଁ ତାହା ହିଁ ଭଲ ସାହିତ୍ୟ । ମୁଁ କହୁଛି ତାହାରି ଦ୍ୱାରା ହିଁ ଜାତିର ଉନ୍ନତି ହୋଇପାରିବ । ମୋ ରୁଚିର ଯାହା ନୁହେଁ, ମୁଁ ବି ତାହାକୁ ନାକ ଟେକୁଛି-ଅର୍ଥାତ୍ ତାହା ମୋ ପାଇଁ ନୁହେଁ ବୋଲି ଘୋଷଣା କରିଦେଉଛି ।

 

ପଚାଶବର୍ଷ ତଳେ ଓଡ଼ିଆ ସଂଗୀତ ଯାହାଥିଲା ବର୍ତ୍ତମାନ ଆଉ ସେପରି ନାହିଁ ଏବଂ ପଚାଶବର୍ଷ ତଳେ ଓଡ଼ିଆ ସିନେମା ଯାହାଥିଲା, ବର୍ତ୍ତମାନ ଆଉ ସେପରି ନାହିଁ । ଏସବୁ କ୍ଷେତ୍ରରେ ମଧ୍ୟ ବୀରମାନେ ସେହି ଗୋଟିଏ ଉତ୍ତର ଦେଇଥାନ୍ତି, ସେମାନେ କହିଥାନ୍ତି, ଲୋକମାନଙ୍କର ରୁଚି ବଦଳିଗଲା ବୋଲି ଏସବୁ ମଧ୍ୟ ବଦଳିଗଲା । ଲୋକମାନେ ଚାହିଲେ, ତେଣୁ ଆମେ ସେହି ଅନୁସାରେ ସଂଗୀତ ଲେଖିଲୁ ଏବଂ ଗାଇଲୁ । ଅର୍ଥାତ୍ ଲୋକମାନେ ଆଗ ଖଚଡ଼ା ହେଲେ ବୋଲି ଆମେ ସେହି ପରିବର୍ତ୍ତନକୁ ସମ୍ମାନ ଦେଖାଇ ଖଚଡ଼ା ହେଲୁ । ଆଉ କାହାର ଖଚଡ଼ା ରୁଚିଟାକୁ ସମ୍ମାନ ଦେଖାଇ ତାହାର ପ୍ରୀତ୍ୟର୍ଥେ ଯେଉଁ ଗୀତଲେଖାଳି ଖଚଡ଼ା ଗୀତଗୁଡ଼ାକ ଲେଖିଥିବ ଓ ଯେଉଁ ଗାୟକ ଖାସ୍ ସେହିଗୁଡ଼ିକୁ ଗାଇଥିବ, ସିଏ ନିଜେ ଯେ କେଡ଼େ ଖଚଡ଼ା ହୋଇଥିବ ସେହି କଥାଟାକୁ ଫିତା ପକାଇ ମାପିବା ଉଚିତ । କଟକ ଦେବୀମେଢ଼ ପାଖରେ ଆମ ଗାୟକମାନେ ଅର୍ଦ୍ଧରାତ୍ର ସମୟରେ ମଣିଷର କାମମିଜାଜ ଗୁଡ଼ାକ ସହିତ ଖୁରି ଖାଇବା ଭଳି ଯେଉଁସବୁ କୁତୁକୁତିଆ ଗୀତ ଗାଇ ସମ୍ଭବତଃ ସ୍ୱୟଂ ଦେବୀଙ୍କୁ ମଧ୍ୟ ହଇରାଣରେ ପକାଇ ଦିଅନ୍ତି, ସେମାନେ ଏବେ ମଧ୍ୟ ବଞ୍ଚିଛନ୍ତି । ମତ୍ତଗଜ ପରି ଗୀତ ଲେଖୁଛନ୍ତି ଏବଂ ମତ୍ତଗଜ ପରି ଗୀତ ଗାଉଛନ୍ତି । ଏବେ ସେମାନେ ଗୋଟାଏ ଗୋଟାଏ ହିରୋ ପରି ହେଲେଣି । ସଂଗୀତ ଗାଇ ଯେ ଏ ଦୁନିଆରେ ଏତେ ପଇସା ରୋଜଗାର କରାଯାଇପାରେ, ପାରମ୍ପରିକ ଭାବରେ ବଡ଼ ଦରିଦ୍ର ବୋଲି କୁହାଯାଇ ଆସିଥିବା ଓଡ଼ିଶାରେ ସେମାନେ ପ୍ରମାଣ କରି ଦେଖାଇ ଦେଇଛନ୍ତି । ସେମାନେ ନିଜର ଅଭିସନ୍ଧିମାନ ଚରିତାର୍ଥ କରିବେ ବୋଲି ଓଡ଼ିଶାରେ ସଙ୍ଗୀତର ପରମ୍ପରାକୁ ବିଗାଡ଼ି ଦେଇଛନ୍ତି । ଏବଂ ଲୋକମାନେ ଚାହିଲେ ଓ ଏହିଭଳି ହେଲା ବୋଲି ଭୂତେଇ ବୁଲୁଛନ୍ତି ।

 

ଆମ ଏବର ଚଳଚ୍ଚିତ୍ରଗୁଡ଼ିକୁ ଯେଉଁ ପ୍ରବଳ ନିର୍ମାତାମାନେ ନିର୍ମାଣ କରୁଛନ୍ତି, ସେମାନେ ସିଧା ମୁମ୍ବାଇରୁ ମସଲା ଆଣି ଆମ ପୋଖରୀରେ ପକାଇଛନ୍ତି ଏବଂ ଆମର ପାରମ୍ପରିକ ରୁଚିର ମାଛମାନଙ୍କୁ ହତ୍ୟା କରିଛନ୍ତି । ଯାହାସବୁ ଆମେ ଚଳଚ୍ଚିତ୍ରମାନଙ୍କରେ ଦେଖିବାକୁ ପାଉଛୁ, ସେଗୁଡ଼ିକୁ ଆମ ଓଡ଼ିଶାର ଜୀବନାକାଶରେ ଆଦୌ ଦେଖିବାକୁ ପାଆନ୍ତେ ନାହିଁ । ସେହିସବୁ ଖଚଡ଼ାମିକୁ ଦେଖି ନିଜ କାମଘରେ କିଞ୍ଚିତ୍ ସୁଲୁସୁଲୁ ଅନୁଭବ କରିବେ ବୋଲି ଯଦି ଇଚ୍ଛା ହେଉଥିଲା, ତେବେ ଓଡ଼ିଶାର ଦର୍ଶକେ ଆଗେ ହିନ୍ଦି ସିନେମା ଦେଖି ଯାଉଥିଲେ । ଓଡ଼ିଆ ସିନେମାରେ ସେସବୁ ଦେଖିବାକୁ ମିଳିବ ବୋଲି ମୋଟେ ପ୍ରତ୍ୟାଶା ରଖୁନଥିଲେ ! ମାତ୍ର, ଏଇଠି କେତେଜଣ ପ୍ରାୟ ଏକ ବିଗିଡ଼ା ମତଲବ ନେଇ ବାହାରିପଡ଼ିଲେ, ଯେଉଁମାନେ କି ମୁମ୍ବାଇରୁ ଗନ୍ଧବାରୁଦ ବୋହି ଆଣିଲେ ଏବଂ ଆମ ଚଳଚ୍ଚିତ୍ର-ରୁଚିକୁ ଧୀରେ ଧୀରେ ଖଚଡ଼ା କରିଦେଲେ । ସ୍ପଷ୍ଟ ମନେ ପଡୁଛି ଆଗ୍ରାରେ ଗୋଟିଏ ପ୍ରେକ୍ଷାଳୟ କେବଳ ଇଂରାଜୀ ଛବିମାନ ଦେଖାଇବାକୁ ଆଣୁଥିଲା ଏବଂ ସେଥିରେ ଏପରି ମଣିଷମାନେ ଗୃହର ପ୍ରାୟ ଅଧେ ଅଂଶ ଭର୍ତ୍ତି କରି ଦେଉଥଲେ ଯେଉଁମାନେ କି ଇଂରାଜୀ ଭାଷା ମୋଟେ ବୁଝି ନଥିଲେ । ଭୀଷା ନବୁଝିଲେ କ’ଣ ହେଲା, ରୂପଗୁଡ଼ିକ ତ ଦେଖିହେବ ଏବଂ ଇଂରାଜୀ ଚିତ୍ରଗୁଡ଼ିକରେ ଦେହଗୁଡ଼ିକୁ ଅଧିକ ନଙ୍ଗଳା ଭାବେ ଦେଖାଯାଇ ପାରିବ ବୋଲି ସେହି ଅନ୍ୟ-ଅନୁରାଗୀ ମଣିଷମାନଙ୍କର ଧାରଣା ରହିଥିଲା । ସେତେବେଳେ ହିନ୍ଦି ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ଦେହାଂଶଗୁଡ଼ିକୁ ସେତେ ଫରଚା କରି ଦେଖାଇବା ଭଳି ଅଗ୍ରଗତି ତଥାପି ହୋଇନଥିଲା । ଭଗବାନ ଭାରି ଭଲ କଲେ, ଓଡ଼ିଶାରେ ମଧ୍ୟ କାମଦରଦୀମାନେ ମଣିଷମାନଙ୍କର ଦୁଃଖଟାକୁ ନିଜର ଦର୍ପଣ ଉପରେ ପକାଇ ଦେଖିଲେ ଏବଂ ସେତେବେଳେ ଅପ୍ରାପ୍ୟ ହୋଇ ରହିଥିବା ଉତ୍ତେଜକ କ୍ଷୁଧାନିବାରକଗୁଡ଼ିକୁ ଓଡ଼ିଶା ଯାଏ ନେଇ ଆସିଲେ । ଏବେ ତ ସେହି ଦିଗରେ ଲୋକମାନଙ୍କୁ ଅଧିକ ଉଲ୍ଲସିତ କରି ରଖିବା ପାଇଁ ଭଦ୍ର ଘରର ଖବରକାଗଜଗୁଡ଼ିକ ମଧ୍ୟ କ୍ରମେ ସେହି ପନ୍ଥା ଅବଲମ୍ବନ କଲେଣି । ଚଳଚ୍ଚିତ୍ର ସମ୍ବନ୍ଧରେ ସାପ୍ତାହିକ ସଚିତ୍ର ଫର୍ଦ୍ଦମାନ ବାହାର କଲେଣି । ହଁ, ଏସବୁ ଫର୍ଦ୍ଦରେ ସିନେମା ବିଷୟରେ ମୂଲ୍ୟାୟନସ୍ତରର ପାଠ୍ୟସାମଗ୍ରୀ ଯେତେ ନବାହାରୁଛି, ଆଖି ଏବଂ ଜିଭ ସତେ ଅବା ଚାହିଁ ଦେଲାମାତ୍ରେ ଚାଟି ପକାଇବାକୁ ମନ କରିବାର ଲେହମାନ ତାଠାରୁ ଅଧିକ ବାହାରୁଛନ୍ତି ।

 

ଭାରତବର୍ଷ ରାଜନୀତିକ ସ୍ୱାଧୀନତା ଲାଭ କରୁ କରୁ ଏଠି ଓଡ଼ିଶାର ସାହିତ୍ୟରେ କବିତାର ଆଧୁନିକ ଯୁଗ ବୋଲି ଯାହା ମାଡ଼ି ଆସିଲା, ତାହା କ'ଣ ଓଡ଼ିଆ କବିତାର ତତ୍କାଳୀନ ପାଠକମାନେ ଚାହିଲେ ବୋଲି ଆସି ପହଞ୍ଚି ଯାଇଥିଲା ? ନୂଆକବିତାର ସେହି ସମୟରେ ଯେଉଁମାନେ ଆଗୁଆ ଏବଂ ସାଞ୍ଜୁଆ ହୋଇ ବାହାରିଲେ, ଭାରତର ସ୍ଵାଧୀନତା ସଂଗ୍ରାମ ବେଳେ ସେମାନେ ପ୍ରକୃତରେ କେଉଁ ଭୂମିକାରେ କେଉଁଠାରେ ଥିଲେ, ତାହାର ଏକ ମୂଲ୍ୟାଙ୍କନ ଓ ଅଧ୍ୟୟନ ଏବେ ବି ହୋଇପାରନ୍ତା । ସେତେବେଳେ କେତେ କେତେ ନୂଆ ନିର୍ମାଣର ଆଶା ଏବଂ ଯୁଗ ଯୁଗ ଧରି ଦେଶର ଭାଗ୍ୟ ଉପରେ ବନ୍ଧଟାଏ ପରି ସବୁକିଛିକୁ ରୋକି ରଖିଥିବା ବାଧାମାନଙ୍କୁ ଭାଙ୍ଗିଦେବାର ସ୍ଵପ୍ନମାନେ ସତେ ଅବା ଯୌବନ ପରି ଏହି ଦେଶର ଦିଗନ୍ତଗୁଡ଼ିକୁ ସମ୍ଭାବନାମୟ କରି ରଖିଥିଲେ । ବିଦେଶୀ ଭାରତବର୍ଷକୁ ଛାଡ଼ ବୋଲି ହୁଙ୍କାର ଦିଆଗଲା ଏବଂ ବିଦେଶୀ ଭାରତବର୍ଷ ଛାଡ଼ିଲେ । ସେତିକିବେଳକୁ ଆମର ଏହି ନୂଆ କବିମାନେ କାହା ବରାଦରେ କେଉଁଠାରୁ ଆସି ପହଞ୍ଚିଲେ କେଜାଣି ? ସେମାନେ ସମସ୍ତେ ପାଠ ପଢୁଥିବା ବେଳେ ଇଂରାଜୀ କବିତା ଭିତରେ ପଶିଥିଲେ । ଭାରତ ସଂଗ୍ରାମ ଲଢୁଥିବା ସମୟରେ ଇଂରେଜମାନେ ହୁଏତ ଏଠୁ କଦାପି ହଟିବେ ନାହିଁ ବୋଲି ସେମାନେ ବିବିଧ ଡ଼ିଜାଇନ୍ ଭିତରେ ଭାସିବାରେ ଲାଗିଥିଲେ ଏବଂ, ଏକ ବିଡ଼ମ୍ବନା ପରି ଆମ କିବତା ଭିତରକୁ ସେମାନେ ସିଧା ରାୟ ବାହାଦୁର ଏବଂ ରାୟ ସାହେବ ହୋଇ ମାଡ଼ିଆସିଲେ । ସେହିଭଳି ଏକ ଅନ୍ୟ ସନ୍ଦର୍ଭ ଉପରେ ଆମ ଆଧୁନିକ କବିତାରେ ଏକ ଅତ୍ୟନ୍ତ ଚିନ୍ତାଉବ୍ଦୀପକ ଆଲୋଚନା ହୋଇପାରନ୍ତା । ଓଡ଼ିଆ କବିତା ସେହିଦିନଠାରୁ ବେଣୀ କାଟି ମୁହଁରେ ବହୁ ଅନୁକରଣର ବର୍ଣ୍ଣାଢ଼୍ୟତାକୁ ପିନ୍ଧି ଏପରି ଆମର ଅନ୍ଦାଜଗୁଡ଼ିକୁ ମାଡ଼ି ବସିଛି ଯେ, ଆମେ ହୁଏତ ଏବେ ମଧ୍ୟ ପଛଟି ସହିତ ଡୋର ଲଗାଇ ବର୍ତ୍ତମାନଟାର କଳନା କରି ପାରୁନାହିଁ । ସେହି ଦୌରାତ୍ମ୍ୟଟା କ୍ରମେ ଆଧୁନିକ ଗପ, ଉପନ୍ୟାସ ଏବଂ ନାଟକମାନଙ୍କୁ ମଧ୍ୟ ଆବୋରି ପକାଇଲା । ଆମ ଗଳ୍ପାକାରମାନେ ବି ବେଳେବେଳେ କ’ଣ ମନକରି ଆକାଶସୁନ୍ଦରୀ ହେବାଲାଗି ଠେକା ଭିଡ଼ି ବାହାରିଲେ ।

 

ତେଣୁ, ନିଷ୍କର୍ଷ ହେଉଛି, କୌଣସି ଲେଖକ ପାଠକର ରୁଚି ଅନୁସାରେ କଦାପି ଲେଖେନାହିଁ । ନିଜ ଭିତରେ ରହିଥିବା ପାଠକଟିର ରୁଚି ନିମନ୍ତେ ରସଦ ଯୋଗାଇବାକୁ ଯାଇ ସିଏ ଯାହାକିଛି ଲେଖେ । ଭିତରେ ଏହିପରି ମଙ୍ଗ ଧରିଥିବା ପାଠକଟିର ରୁଚି ଯଦି କୌଣସି କାରଣରୁ ତଳକୁ ଖସି ଆସେ, ତେବେ ତାହାର ଲେଖାମାନେ ମଧ୍ୟ କ୍ରମେ ପ୍ରାୟ ନିଃସଙ୍କୋଚରେ ସେହିପରି ହେବାକୁ ଆରମ୍ଭ କରନ୍ତି । ଏବଂ, ସେହି ଅସଲ କଥାଟା କହିବ ନାହିଁ ବୋଲି ହୁଏତ ସିଏ ଲୋକଙ୍କର ରୁଚିଗତ ଅନୁରୋଧକୁ ମାନି ଯାହାକିଛି ଲେଖୁଛି ବୋଲି ବାହାରେ କୈଫିୟତଟିଏ ଦେଇପକାଏ । ମାତ୍ର, ଜଣେ ଲେଖକ ଇଚ୍ଛା କଲେ ପାଠକମାନଙ୍କର ରୁଚିକୁ ବଦଳାଇ ଦେବାଲାଗି ପଣ କରି ଅବଶ୍ୟ ବାହାରିପାରେ । କେତେକ ଲେଖକ ଅନୁରୂପ ସଂକଳ୍ପଟିଏ ସହିତ ବାହାରିଲେ ସେମାନେ ଲୋକମାନଙ୍କର ଉପସ୍ଥିତ ରୁଚିଟିକୁ ବଦଳାଇ ଦେଇପାରନ୍ତି । ଏବଂ, ଯେତେବେଳେ ସାହିତ୍ୟ ହୁଡ଼ି ଯାଇଥାଏ, ତୁଚ୍ଛା ଭୁଲ ମଣିଷମାନେ ଆସି ସାହିତ୍ୟକୁ ପ୍ରାୟ ଏକ ଦରବାରମଣ୍ଡନରେ ପରିଣତ କରି ରଖିଥାନ୍ତି । ସେତିକିବେଳେ ସାହିତ୍ୟ ସେହି ସ୍ଥିତିଟିରେ ଏକ ପରିବର୍ତ୍ତନ ଆଣିବାର ପ୍ରୟୋଜନ ମଧ୍ୟ ଆସି ଉପସ୍ଥିତ ହୋଇଥାଏ । ଏହି ଘଟଣାଟି ପୃଥିବୀର ଏକାଧିକ ସାହିତ୍ୟରେ ଘଟିଛି, ଓଡ଼ିଆ ସାହିତ୍ୟରେ ମଧ୍ୟ ବେଳେବେଳେ ସେପରି ଘଟିଥିବାର ଆଭାସ ମିଳିପାରିବ । ଜଣେ ଲେଖକ ପ୍ରକୃତରେ ନିଜ ପାଇଁ କେଉଁଭଳି ପାଠକ ପାଇବ ବୋଲି ଇଚ୍ଛା କରୁଛି, ସବୁକିଛି ଅଧିକତଃ ତାହାରି ଉପରେ ହିଁ ନିର୍ଭର କରିବ । ପାଠକେ ସାହିତ୍ୟକୁ ଏକ ବିନୋଦନର ପଣ୍ୟ ବୋଲି ଗ୍ରହଣ କରିନିଅନ୍ତୁ ବୋଲି ଯେଉଁ ଲେଖକ ଇଚ୍ଛା କରୁଥିବ, ତେବେ ସିଏ ଏକ ଅନୁରୂପ ସଫଳତା କାମନା କରି ସେହି କାଟର ସାହିତ୍ୟ ଲେଖିବ । ସିଏ ସାହିତ୍ୟକୁ ପ୍ରାୟ ଏକ ରମଣସାମଗ୍ରୀ କରି ରଖିବାକୁ ଚେଷ୍ଟା କରୁଥିବ ଓ ଲାଭବାନ ହେଉଥିବ । ମାତ୍ର, ସାହିତ୍ୟ ପାଠକର ନିଜ ଭିତର ଆଡ଼କୁ ବାଟ ଦେଖାଇଦେଉ, ତା’ ଭିତରେ ରହିଥିବା ଶୁଭ ଓ ଶକ୍ତିଗୁଡ଼ିକୁ ଉଦ୍ବୋଧିତ କରିଆଣୁ ବୋଲି ଜଣେ ଲେଖକ ଇଛା କରୁଥଲେ, ଲେଖକ ପ୍ରକୃତରେ ପାଠକ ଲାଗି ଏକ ଅନ୍ୟ ଭଳି ସଖା ହୋଇ ବାହାରିବ, ସିଧା ତା’ କବାଟରେ ଯାଇ ଆଘାତ କରିବ ।

Image

 

ସବୁ ସଂସ୍କୃତରେ ଲେଖାହୋଇଛି

 

ଭାରତବର୍ଷ ଏଭଳି ଏକ ବିଚିତ୍ର ଦେଶ, ଏଠାରେ ସବୁକିଛି ସଂସ୍କୃତରେ ଲେଖାହୋଇ ରହିଛି । ସଂସ୍କୃତରେ ଲେଖା ହୋଇଛି, ତେଣୁ ତାହା ଅତ୍ୟନ୍ତ ପବିତ୍ର । ଯାହା ଅତ୍ୟନ୍ତ ପବିତ୍ର, ସେଥିରେ ବା ସେଥିକୁ ସମସ୍ତଙ୍କର କଦାପି ପ୍ରବେଶ ହୋଇପାରିବ ନାହିଁ । ପ୍ରବେଶ ଘଟିଲେ ପବିତ୍ରତା ମାରା ବି ହୋଇଯିବ । ଅର୍ଥାତ୍ ଧରା ପଡ଼ିଯିବ । ଧରା ପଡ଼ିଗଲେ ଆଉ କେହି କିଛି ମାନିବେ ନାହିଁ । ଅରାଜକତା ହିଁ ଚରିଯିବ । ତା’ପରେ କ’ଣ ହେବ, ସେକଥା କେହି କହିପାରିବେ ନାହିଁ । ତେଣୁ, କେହି ତାକୁ ନଛୁଅଁନ୍ତୁ ପଛକେ, ତାହା ସେହିଭଳି ପବିତ୍ର ହୋଇ ରହିଥାଉ, ପୂଜା ପାଉଥାଉ ।

 

ଦେଶ ସ୍ୱାଧୀନ ହେବା ପରେ ଆଗକୁ ପ୍ରୟୋଜନୀୟ ପାଦଗୁଡ଼ିକୁ ପକାଇପାରିବା ସକାଶେ ଏଠି ଗୋଟିଏ ସମ୍ବିଧାନ ଲେଖା ହୋଇଥିଲା । କେତେ କେତେ ମଥା ଲଢ଼ାଲଢ଼ି ହୋଇ ସେହି ସମ୍ବିଧାନକୁ ଲେଖିଥଲେ । ମହାଦେଶର ଦେବୋତ୍ତର ମହକୁମାରେ ତାହା ଏକ ପବିତ୍ର ଗ୍ରନ୍ଥ ହୋଇ ରହିଗଲା । ଦେଶର ତିନି ଚଉଠ ମଣିଷ ହୁଏତ ଏବେ ମଧ୍ୟ ସେଥରେ କ’ଣ ସବୁ ଲେଖାହୋଇ ରହିଛି, ସେକଥା ଜାଣିନାହାନ୍ତି । ଅର୍ଥାତ୍ ବିଗତ ପଚାଶବର୍ଷ ହେଲା ଦେଶର ଶାସନ କିଭଳି ଚାଲିଛି କେଜାଣି ? ସେହି ସମ୍ବିଧାନ ସଂସ୍କୃତ ପରି ଗୋଟିଏ ପବିତ୍ର ଭାଷାରେ ଲେଖା ହୋଇଛି । ତେଣୁ, ତାହାକୁ ଅତ୍ୟନ୍ତ ଗୋପ୍ୟ କରି ରଖାଯାଇଛି । ଲୋକସାଧାରଣ ତାହାକୁ ଜାଣିଗଲେ ତାହାର ଆଉ କୌଣସି ପବିତ୍ରତା ରହିବନାହିଁ ବୋଲି ଚାରିଆଡ଼ୁ ବିଚାର କରି ସେପରି କରାଯାଇଛି । ସମ୍ବିଧାନ ଅନୁସାରେ ଦେଶର ପ୍ରତିନିଧି ସଭା ଚାଲୁଛି । ମାତ୍ର, ସଂସଦର ପାଞ୍ଚଭାଗ ମଧ୍ୟରୁ ଭାଗେ ବ୍ୟକ୍ତି ହିଁ ସେହି ସମ୍ବିଧାନ ପାଠ କରିଥିବେ ଓ ତେଣୁ ସଂସଦୀୟ ବିଧିଚରିତ୍ରଗୁଡ଼ିକ ସମ୍ବନ୍ଧରେ ଆଦୌ ଅବଗତ ରହିଥିବେ ବୋଲି ସମ୍ଭବତଃ ଏକ ଦାବି ମଧ୍ୟ କରାଯାଇ ପାରିବନାହିଁ । ସମ୍ବିଧାନ ଅନୁସାରେ ଏକ ସରକାର ଚାଲୁଛି । ସରକାରଟା ଚାଲୁଛି ସିନା, କୌଣସି ସମ୍ବିଧାନ ଅନୁସାରେ ଚାଲୁଛି କି ନାହିଁ କେଜାଣି ? ଇଏ ପ୍ରକୃତରେ ଏକ ଅତ୍ୟନ୍ତ କୌତୁହଳପୂର୍ଣ୍ଣ କଥା ହୋଇଥିବ । ସରକାର ସାହେବମାନଙ୍କ ଦ୍ୱାରା ହିଁ ଚାଲୁଛି । ଏବଂ, ସାହେବମାନେ କେବଳ ସଂସ୍କୃତରେ ଯାହାକିଛି କହି ପାରୁଛନ୍ତି ଏବଂ କେବଳ ସଂସ୍କୃତରେ ଯାହାକିଛି ଲେଖି ପାରୁଛନ୍ତି । ଆଇଗୁଡ଼ାକୁ ସେହି ସଂସ୍କୃତ ଭାଷାରେ ହିଁ ଗଳ ଗଳ କହିଦେଇ ପାରୁଛନ୍ତି । ସେହି ଅନୁସାରେ ଚକ ରହିଯାଉଛି ଅଥବା ଚକ ଗଡ଼ିଯାଉଛି । ଆପଣ କେବେ ଶାସନର ଘରମାନଙ୍କରେ ଏହି ହାକିମମାନେ ଚଳପ୍ରଚଳ ହେଉଥିବା ଦାଣ୍ଡିଗୁଡ଼ିକୁ ଯାଇ ଦେଖିଛନ୍ତି ? ସେଠାରେ ତ ନାନା ପ୍ରକାର ମଣିଷ ରହିଥିବେ । ଅର୍ଦ୍ଦଳି, ପିଅନ, କିରାନି ବା କାରିନ୍ଦାମାନେ କେତେ ଦଉଡ଼ା ଧପଡ଼ କରୁଥିବେ । ସେମାନେ ତ ତୁମ ଆମ ସାଧାରଣଙ୍କ ପରି ଦିଶୁଥବେ, ମାତ୍ର ହାକିମମାନେ ବୋରାବୋରି ବରବେଶ ପିନ୍ଧିଥିବେ । ଓଠ ଚିପି ଚିପି କଥା କହୁଥିବେ । ତାଙ୍କୁ ସମସ୍ତେ ସନମାନ ଦେଖାଇ ସାର୍ ସାର୍ ବୋଲି କହୁଥିବେ । ସତକୁ ସତ ସେଇମାନେ ହିଁ ସାର, ଆଉ ସମସ୍ତେ ଅସାର । ସେମାନେ ସତେ ଯେପରି କେତେ କଷ୍ଟ ସ୍ୱୀକାର କରି ଆମ ଦେଶବାସୀଙ୍କୁ ଅନୁକମ୍ପା ଦେଖାଇ ଏଠାରେ ଆସି ପହଞ୍ଚି ଯାଇଛନ୍ତି, ସେହିପରି କାରୁଣ୍ୟପୂର୍ଣ୍ଣ ଧାରଣାଟିଏ ଆଣିଦେଇ ଯାଉଥିବେ । କେବଳ ସଂସ୍କୃତ କହୁଥିବେ, ସଂସ୍କୃତ ଲେଖି ପକାଉଥିବେ । ଆପଣ ଯୋଉଆଡ଼ୁ ବିଚାର କରନ୍ତୁ ପଛକେ, ସେମାନେ ମୋଟେ ଏ ଦେଶର ନୁହନ୍ତି । ଗୁରୁଣ୍ଡୁଥିବା ସମୟରେ ସେମାନେ ଯୋଉ ଭାଷାରେ ଆଦର ପାଉଥିଲେ, ସଂସ୍କୃତ ଶିଖିବା ପରେ ସେମାନେ ତାହାକୁ କୁଆଡ଼େ ପାସୋରି ପକାଉଥିବେ । ଭାରତବର୍ଷରେ ସଂସ୍କୃତିର ଇତିହାସ ପ୍ରାୟ ସେହିପରି ଗୋଟିଏ ଇତିହାସ । ଆଗେ ରାଜାମାନଙ୍କର ସଭାରେ ପ୍ରଜା ପାରିଷଦଙ୍କ କଥା ତେଣିକି ଥାଉ, ଅନେକ ସମୟରେ ସ୍ୱୟଂ ରାଜାମାନେ ମଧ୍ୟ ସଂସ୍କୃତ ଜାଣିନଥିଲେ । ତା’ ବୋଲି ସଭାର ପଣ୍ଡିତଟି ଯଦି ସଂସ୍କୃତ ବ୍ୟତୀତ ସମସ୍ତେ ଜାଣିଥିବା ଭାଷାରେ ପୟାରଟିଏ ବୋଲି ଦେଉଥିଲା, ତେବେ ତାକୁ ସେହି ସଭାରୁ ନିଜର ସ୍ଥାନଟିକୁ ହରାଇବାର ଏକ ଆଶଙ୍କା ମଧ୍ୟ ନିରନ୍ତର ରହିଥିଲା । ସଂସ୍କୃତ ଦେବଭାଷା ଥିଲା । ଏବେ ସରକାରଙ୍କର ଖାନଦାନୀ ଭାଷାଟା ମଧ୍ୟ ସେହି ସଂସ୍କୃତ ହୋଇ ରହିଛି । ସଂସ୍କୃତରେ ଯାହାକିଛି ହେଉଛି, ବିଚରା ମନ୍ତ୍ରୀମାନେ ମଧ୍ୟ ତା' ଭିତରକୁ ପଶି ପାରୁନାହାନ୍ତି । ବେଳେ ବେଳେ ଟିଉସନ ମାଷ୍ଟର ଲେଖି ଦେଇଥିବା ପରି ସାହେବମାନେ ଆଦିଷ୍ଟ ହୋଇ ସଂସ୍କୃତରେ ଯାହାକିଛି ଲେଖି ହାତରେ ଧରାଇ ଦେଉଛନ୍ତି, ବାପାମାନେ ତାହାକୁ ପଢ଼ିପକାଇ ଘାଟି ପାରି ହୋଇ ପାରୁଛନ୍ତି । ଦେଶ ସ୍ୱାଧୀନତା ହାସଲ କରିବାର ପଚାଶ ବର୍ଷ ଗତ ହୋଇଗଲାଣି ଏବଂ ସଂସ୍କୃତ ବଦଳରେ ସରକାର ଆମ ଘରଭାଷାକୁ ବ୍ୟବହାର କରିବେ ବୋଲି କେତେଥର ହୁଲିଆ ଜାରି କରି କହି ସାରିଲେଣି । ତେବେ ମଧ୍ୟ ଗ୍ରାହକମାନେ ଘୁଞ୍ଚୁନାହାନ୍ତି, ଅଥବା ଗ୍ରହକୂଟଟା ମୋଟେ ଯାଇ ପାରୁନାହିଁ । ମନେହେଉଛି ଭଗବାନ ନିଶ୍ଚୟ ସେଇ, ସଂସ୍କୃତ ପଟେ ରହିଛନ୍ତି । ତେଣୁ ତାହାକୁ ନିକାଲି ହେଉନାହିଁ । ଅର୍ଥାତ ଶହେରେ ପାଞ୍ଚଟା ଲୋକ ମଧ୍ୟ ସଂସ୍କୃତକୁ ଆୟତ୍ତ କରିନଥିଲେ ମଧ୍ୟ ପଞ୍ଚାନବେଙ୍କ ନାମରେ ତୁଣ୍ଡି ଗଳାଇ ସଂସ୍କୃତ ହିଁ ଜବର ହୋଇ ଦେଶ ଉପରେ, ବିବେକ ଉପରେ ଯାଇ ବସିଛି । ଏବଂ, ସେହି ଅନୁସାରେ ଅଧିକରୁ ଅଧିକ ମନୁଷ୍ୟ ମଧ୍ୟ କ୍ରମେ ଏ ଦେଶରେ ତରକା ହେଉଛନ୍ତି । ସେମାନଙ୍କ ପିଲାମାନେ ଯେପରି ଲାଳ ବୋହିବା ବୟସରୁ ହିଁ ସଂସ୍କୃତର ଘାଟମାନଙ୍କୁ ଯାଇ ପାଣି ପିଇପାରିବେ, ସେମାନେ ସେଥିପାଇଁ ଉଦ୍ୟମ କରୁଛନ୍ତି ।

 

ଆପଣ ଥାନାକୁ ଯାଆନ୍ତୁ - ଆପଣ କରୁଥିବା ଅଭିଯୋଗଟିକୁ ଥାନାବାବୁ ସଂସ୍କୃତରେ ଲେଖି ନେଉଛନ୍ତି । ତା’ ନହେଲେ ଉପରର ଭାଡ଼ିମାନଙ୍କରେ ଲିଖିତ ବିବରଣୀଟିକୁ କେହି ପଢ଼ିପାରିବେ ନାହିଁ ବୋଲି ହୁଏତ ସେଭଳି ହେଉଛି । ଆପଣ କ’ଣ କହିଲେ ଓ କାଗଜରେ କ’ଣସବୁ ଲେଖାହେଲା, ତାର ସନ୍ଦେହରେ ପଡ଼ି ଆପଣଙ୍କୁ ତଥାପି ଭଗବାନଙ୍କ ଉପରେ ବିଶ୍ୱାସ କରି ଘରକୁ ଫେରିବାକୁ ପଡୁଛି । କାନ୍ଦ ଯେମିତି ମାଡୁଛି, ତେଣେ ହସ ବି ସେତିକି ମାଡୁଥିବ । ଆପଣଙ୍କର ଓକିଲ, ଯାହାକୁ ଆପଣଙ୍କର ପକ୍ଷ ଲଢ଼ିବା ସକାଶେ ଆପଣ ବାର ଯୋଗାଡ଼ କରି ଟଙ୍କା ଆଣି ଦେଇଛନ୍ତି, ସିଏ ମଧ୍ୟ ସଂସ୍କୃତରେ କ’ଣ ସବୁ କହୁଛି, ଆପଣ ରାମ ବିଷ୍ଣୁ କିଛି ବୁଝି ପାରୁନାହାନ୍ତି । ଓକିଲ ଯାହାକିଛି ଆପଣଙ୍କ ତରଫରୁ ଇଜଲାସରେ ଛିଡ଼ାହୋଇ କହୁଛି, ତାକୁ ଯେତେବେଳେ ଏକ ପ୍ରଫୁଲ୍ଲମୁଖ ମୁଦ୍ରାରେ କହିଯାଉଛି, ଆପଣ ସରଳ ମନରେ ଭାବୁଛନ୍ତି ଯେ, ସିଏ ନିଶ୍ଚୟ ଆପଣଙ୍କ ପକ୍ଷରୁ କହୁଛି ଏବଂ ଏଥର ଭାଗ୍ୟଟା ନିଶ୍ଚୟ ପ୍ରସନ୍ନ ହେବ । ଏବଂ, ଫଳଟା ଓଲଟା ହେଲେ ଆପଣ ମୋଟେ ପ୍ରତ୍ୟୟ ଯାଉନାହାନ୍ତି; ଏହି ସଂସ୍କୃତ ଭାଷାର ଫିସାଦଟା ଆପଣଙ୍କୁ ସତେଅବା କୋଉଠୁ ଟେକିଆଣି କୋଉଠି କଚାଡ଼ି ଦେଉଛି । ଏହି ଦେଶରେ ଏଭଳି ଶହ ଶହ ବିପର୍ଯ୍ୟୟ ପ୍ରତ୍ୟହ ଘଟୁଛି । ସତ୍ୟର ଜୟ କେତେ କ’ଣ ହେଉଛି କେଜାଣି ? ସଂସ୍କୃତର ଧ୍ୱଜାଟା ଫର ଫର ଉଡ଼ିବାରେ ଲାଗିଛି । ଧର୍ମାବତାରମାନେ ବି ସଂସ୍କୃତ ବ୍ୟତୀତ ଆଉ ଅନ୍ୟ କୋଉଥିରେ କଥା କହିପାରୁ ନାହାନ୍ତି । ସେମାନେ ତ ସେଇ ଶହେରେ ପାଞ୍ଚଜଣଙ୍କ ଭିତରୁ ସଂସ୍କୃତର ନୋଳି ପିନ୍ଧି ଆସିଛନ୍ତି । ମୁଁ ବେଳେ ବେଳେ ଭାବେ ଯେ, ଯେଉଁମାନେ ନ୍ୟାୟ ଏବଂ ଅନ୍ୟାୟ ଭିତରେ ଏତେ ବିଚକ୍ଷଣ ଭାବରେ ମୀମାଂସା କରିବାକୁ ନିଯୁକ୍ତ ହୋଇଛନ୍ତି, ସେମାନେ କ’ଣ ଆମ ଦେଶର ସାଧାରଣ ମଣିଷଙ୍କ ଉପରେ ସଂସ୍କୃତ ତରଫରୁ ହେଉଥିବା ଅନ୍ୟାୟଟାକୁ ସତରେ ବୁଝି ପାରୁନାହାନ୍ତି ?

 

ଏମିତି ଯଦି କେବେ ହୁଅନ୍ତା ଯେ, ସେମାନଙ୍କ ମଧ୍ୟରୁ ଜଣେ ବା ଦୁଇଜଣ ଆଗରୁ ଫଇସଲା କରିଥିବା ପରି ସଂସ୍କୃତରେ ନକହି ଭାଷାରେ କହନ୍ତେ, ତେବେ ପ୍ରକୃତରେ କ’ଣ ସବୁ ଘଟନ୍ତା ? ଭାଷାଟା ଏମାନଙ୍କୁ ଖୁବ୍ ଭଲ କରି ଆସୁଥିବ, ହୁଏତ ଭଲ ଛାତ୍ର ହିସାବରେ ପାଠଶାଳାରେ ଏମାନେ ବି ଏକଦା ଶହେରୁ ସତୁରୀ କିମ୍ବା ଅଶୀ ନମ୍ବର ରଖିଥବେ । ତେଣୁ ଓକିଲ ସଂସ୍କୃତରେ କହୁଥିଲେ ମଧ୍ୟ ସେମାନେ ସର୍ବଜନ ଭାଷାରେ ଉତ୍ତର ଦିଅନ୍ତେ ଯଦି, ତେବେ କ’ଣ କେଉଁଠାରେ ପ୍ରଳମ୍ବ ଅଶୁଦ୍ଧି ହୋଇଯାଆନ୍ତା ? ମୁଁ ତ ଭାବୁଛି, ଦରବାରଟା ହଠାତ୍ ଅଭିନବ ଅନ୍ୟ ଏକ ଘଟଣା ଘଟିଥିବା ପରି ପୂରା ଶିହରି ଉଠନ୍ତା । ସେଠାରେ ଉପସ୍ଥିତ ବହୁ ମନୁଷ୍ୟ-ପ୍ରାଣୀ ଉଲ୍ଲସିତ ହୋଇ ଉଠନ୍ତେ । ଏପରି କ’ଣ ବିଶେଷ ଘଟଣାଟିଏ ଘଟିପାରିଲା ବୋଲି ଖବରକାଗଜରେ ବାହାରନ୍ତା ଏବଂ ଆଗକୁ ଆହୁରି କେତେ କେତେ ବାଟ ମଧ୍ୟ ଖୋଲିଯାଆନ୍ତା । କେବଳ ସଂସ୍କୃତରେ କାରବାର ହେବାକୁ ହିଁ ଚଳଣି ବୋଲି ମାନି ଆସୁଥିବା ଅମଙ୍ଗମାନଙ୍କର ଦୌରାତ୍ମ୍ୟରୁ ଦେଶଟା କ୍ରମେ ରକ୍ଷା ପାଇଯାଆନ୍ତା । ହାକିମଙ୍କର ସମ୍ଭବତଃ ମୋଟେ ଚାକିରି ଯାଆନ୍ତା ନାହିଁ । ଆମେ ସାଧାରଣମାନେ ତାଙ୍କୁ ହୁଏତ ବିଶେଷ ସମ୍ମାନ ଦେଇ ଦେଖି ଶିଖନ୍ତୁ । ପୁରୁଣାଟାର ପରମ୍ପରା ଭିତରୁ ଏହିପରି ଏକ ବ୍ୟତିକ୍ରମ ହୋଇ ବାହାରିପଡ଼ି ହିଁ ମନୁଷ୍ୟମାନେ ନୂଆ ନିମନ୍ତେ, ବିକଳ୍ପ ନିମନ୍ତେ ବାଟ ଫିଟାଇ ଦିଅନ୍ତି । ସଂସ୍କୃତର ଫାଶରେ ଏକ ଦୁଷ୍ଟ ସଂସ୍କାରବଶତଃ ବାନ୍ଧି ହୋଇ ରହିଥିବା ସେମାନଙ୍କ ମଧ୍ୟରୁ ସେମାନେ ଏକ ଅନ୍ୟ ସାହସ କଲେ ତାହା ଅବଶ୍ୟ କରିପାରନ୍ତେ । ଏବଂ ସେମାନେ ନିଜକୁ ଯାବତୀୟ ଅର୍ଥରେ ଏହି ଭୂମିର ବୋଲି ଭାବିଲେ ଯାଇ ସେହି ସାହସର ଲାୟକ ହୋଇପାରନ୍ତେ । ବାବୁମାନେ ସମସ୍ତେ କହୁଛନ୍ତି, ସଂସ୍କୃତ ଭାଷା ଭଳି ଭାଷା ସାରା ଜଗତରେ ନାହିଁ । ଆଗ ଆମ ଦେଶରେ ବ୍ରାହ୍ମଣମାନେ ସେହିକଥା କହୁଥିଲେ । ସଂସ୍କୃତ ହେଉଛି ଦେବତାମାନଙ୍କର ଭାଷା । ଏବେ ଭାରତବର୍ଷରେ ଯେଉଁମାନେ ଦେବତା, ଯେଉଁମାନେ ପ୍ରାୟ ଦଶହାତ ହୋଇ ବିଦ୍ୟା, ବୁଦ୍ଧି, ଧନ, ଗୌରବ ସବୁକିଛିକୁ ଅକ୍ତିଆର କରି ଧରିଛନ୍ତି, ସେହିମାନଙ୍କର ଭାଷା ହେଉଛି ସଂସ୍କୃତ । ଅଧିକାଂଶ ମଣିଷଙ୍କୁ ଯାହା ଅନ୍ତରାଳ କରି ରଖିଛି, ଅଧିକାରଚ୍ୟୁତ କରି ରଖିଛି ତାହା ସଂସ୍କୃତ ଭାଷା । ଦେଶରେ ପ୍ରଜାମାନଙ୍କ ସକାଶେ ଶାସନ ଚାଲୁଛି ବୋଲି ସଂସ୍କୃତର ମଞ୍ଚାରେ ବସିଥିବା ସାମନ୍ତମାନେ କହୁଛନ୍ତି । ଯେଉଁମାନେ ଏହି ଦେଶ ସ୍ୱାଧୀନତା ଲାଭ କରିବାର ପଚାଶବର୍ଷ ପରେ ମଧ୍ୟ ନିଜକୁ ସାମନ୍ତ ବୋଲି ମଣନ୍ତି, ସେମାନଙ୍କ ଆଖିରେ ତଳେ ସମସ୍ତେ ଅବଶ୍ୟ ପ୍ରଜାଙ୍କ ପରି ଦିଶୁଥିବେ । ଦେଶରେ ପ୍ରଜାଙ୍କ ପାଇଁ ଶାସନ ଚାଲିଛି, ପ୍ରଜାଙ୍କର ଶାସନ ଆଦୌ ଚାଲିନାହିଁ । ଭାରତବର୍ଷରେ ବର୍ତ୍ତମାନ କେହି ପ୍ରଜା ରହିବାର କଥା ନୁହେଁ । ବର୍ତ୍ତମାନ ଏଠାରେ ସମସ୍ତେ ନାଗରିକ । କିନ୍ତୁ, ଯେହେତୁ ସେମାନେ ସାମନ୍ତ ହୋଇ ରହିବେ ବୋଲି ଅନ୍ୟମାନଙ୍କୁ ପ୍ରଜାଜ୍ଞାନ କରି ଦେଖୁଛନ୍ତି ଓ ଶାସୁଛନ୍ତି, ସେଥିଲାଗି କୋଟି କୋଟି ଲୋକ ପ୍ରଜାର ସ୍ତରରେ ହିଁ ପଡ଼ିଛନ୍ତି, ନାଗରିକର ଅନ୍ୟ ସ୍ତରଟିକୁ ଆସିବା ନିମନ୍ତେ ସେମାନଙ୍କ ପାଖରେ ଆଉ କୌଣସି ସାମର୍ଥ୍ୟ ନାହିଁ । ସଂସ୍କୃତଟା ହିଁ ଏହି ସ୍ଥିତିଟାକୁ କାଏମ କରି ରଖିବାରେ ସବୁଠାରୁ ଅଧିକ ସାହାଯ୍ୟ କରୁଛି । ଯାବତୀୟ ଭୋଗ ଓ ସୁଯୋଗ ଅଳପ ମଣିଷଙ୍କର ପହୁଞ୍ଚ ଭିତରେ ରହିବ, ସଂସ୍କୃତରେ ସବୁକିଛି ଲେଖା ହୋଇ ରହି ସେହି ଅନ୍ୟାୟଟାକୁ ଦେଶରେ ପୂରା ଦୋରସ୍ତ କରି ରଖିଛି । ମାତ୍ର ସତ କଥା ହେଉଛି, ଆମେ ଏଠାରେ ଆଉ କାହାରି ପ୍ରଜା ହୋଇ ରହିବାକୁ ମୋଟେ ରାଜି ନୋହୁଁ । ଆମେ ନାଗରିକ ହୋଇ ସାରିଲୁଣି । ନିଜକୁ ନାଗରିକ ବୋଲି ଅନୁଭବ ବି କଲୁଣି । ଆମେ ଏଥର ଆମ ନିଜ ଭାଷାରେ କଥା କହିବୁ । ତୁମେ ଯିଏ ଆମକୁ ଶାସନ କରିବାକୁ ଆମ ପାଖକୁ ଆସିବ, ତୁମେ ଆଗ ଆମ ଭାଷାକୁ ଜାଣିବ ଓ ତା’ପରେ ଯାଇ ଆସିବ ।

 

ଆମ ଭାଷାକୁ ଜାଣିବାର ଅର୍ଥ ହେଉଛି, ତୁମେ ଆମକୁ ସମକକ୍ଷ ବୋଲି ଜାଣିବ । ଆମକୁ ଦୟା କରିବ ନାହିଁ । ପଛରେ ରହିଛୁ ବୋଲି ଦରଦ ଦେଖାଇ ଆମ ପାଇଁ ଏଇଟା ବା ସେଇଟାର ବରାଦ କରି ବାହାରିବ ନାହିଁ । ତୁମେ ଆମକୁ ସମ୍ମାନ ଦେବ, ସ୍ୱୀକୃତି ଦେବ । ଆମ ପାଇଁ ଦୟାକରି ଚାଉଳ କିଲୋକୁ ଦୁଇଟଙ୍କା ନକରିବ ପଛେ, ଆମକୁ ସ୍ୱୀକୃତି ଦେବ ଏବଂ ସମ୍ମାନ ଦେବ । ଆମ ପିଲାଏ ତୁମ ପିଲାମାନଙ୍କ ଠାରୁ ଯେ କୌଣସି ପ୍ରକାରେ ଊଣା ନୁହନ୍ତି, ସେହି ରାଜନୀତିକ ସତ୍ୟଟିକୁ ସବାଆଗ ସ୍ୱୀକାର କରିବ । ସବୁକିଛି ସଂସ୍କୃତରେ ଲେଖା ହୋଇ ରହିଥିବ । ତୁମେ ସହରମାନଙ୍କରେ ଓ ଉଚ୍ଚ ମଥାନମାନଙ୍କରେ ବସି ଏହି ଦେଶକୁ ମହାନ ବୋଲି କହୁଥିବ ଏବଂ ଆମକୁ ନାନା ପ୍ରକାରେ ବଞ୍ଚିତ କରି ରଖିଥିବ, ଏକଥା ଆଉ ମୋଟେ ହୋଇପାରିବ ନାହିଁ । ଏହି ଭୂମିର ସ୍ୱାଧୀନତା ଆମଯାଏ ଅଲବତ ଆସିବ । ଏହି ଭୂମିକୁ ଆମେ ଆମ ନିଜ ଭାଷାରେ ହିଁ ବୁଝିବୁ, ନିଜ ଭାଷାରେ ଚିହ୍ନିବୁ ଏବଂ ନିଜ ଭାଷାର ଅନୁରାଗ ଦେଇ ତାହାକୁ ନୂଆ ଭାବେ ଗଢ଼ିବୁ । ଏହି ଦେଶରେ ତୁମ ଆମ ସମସ୍ତଙ୍କର ଭାଗ ରହିବ, କେହି କାହାକୁ ଗିଳି ପକାଇବା ନିମନ୍ତେ ସଂସ୍କୃତକୁ ଆଦୌ ଗୋଟାଏ କୌଶଳ ରୂପେ ବ୍ୟବହାର କରିପାରିବେ ନାହିଁ । ଏପର୍ଯ୍ୟନ୍ତ ଯେଉଁମାନେ ସଂସ୍କୃତରେ ସବୁ ଲେଖିକରି ରଖିଛନ୍ତି ଏବଂ ଦେଶଟାକୁ ଏକାକୀ ଭୋଗକରି ଅଧିକ ବଡ଼ ଦେଖାଯିବେ ବୋଲି ଚକ୍ରାନ୍ତ କରି ଆସିଛନ୍ତି, ଆମେ ସେମାନଙ୍କୁ ଏଥର ବର୍ବର ବୋଲି ହିଁ ଘୋଷଣା କରିବୁ । ତାହା କିପରି ଏକ ଦେଶ, ଯେଉଁଠି ଅଧରୁ ଅଧିକ ମଣିଷ ବୋକା ହୋଇ ଅନାଇ ରହିଥିବେ ବୋଲି ସବୁକିଛି ସଂସ୍କୃତରେ ଲେଖାହୋଇ ରହିଥାଏ ? ସେମାନେ ପ୍ରକୃତରେ କିଭଳି ମନୁଷ୍ୟ, ଯେଉଁମାନେ ଧର୍ମ, ନୀତି, ସଂସ୍କୃତି, ସଭ୍ୟତା ସବୁକିଛିର ଡ଼ିଣ୍ଡିମ ବଜାଉ ଥାଆନ୍ତି ଏବଂ ଯୋଜନା କରି ଅଧରୁ ଅଧିକ ମଣିଷଙ୍କୁ ବଞ୍ଚିତ କରି ରଖିଥାନ୍ତି ? ସେଥିରେ ପୁଣି ନିତାନ୍ତ ଲଜ୍ଜାହୀନ ଭାବରେ ଦେଶରେ ସଂହତି ବିଷୟରେ ଢୋଲ ପିଟା ହେଉଥାଏ । ସଂହତିର ଅର୍ଥ ସବୁକିଛି ଏହି ତଳୁ ଆରମ୍ଭ ହେବ । ସମଭାବନାରୁ ଆରମ୍ଭ ହେବ ଏବଂ ସମସ୍ତଙ୍କୁ ନାଗରିକ ରୂପେ ସ୍ୱୀକୃତି ଦେଇ ଆରମ୍ଭ ହେବ ।

 

ଦୀର୍ଘ ପଚାଶବର୍ଷ କାଳ ସଂସ୍କୃତକୁ ଢାଲ ପରି ବ୍ୟବହାର କରି ଯେଉଁମାନେ ଦେଶଟାକୁ ଭୋଗ କରି ଆସିଲେ, ଆଗାମୀ ପଚାଶ ବର୍ଷ ଏହି ଦେଶର ଯାବତୀୟ ଲଢ଼େଇ ବସ୍ତୁତଃ ସେହିମାନଙ୍କ ସହିତ ହେବ । ସଂସ୍କୃତି ସହିତ ହିଁ ଲଢ଼େଇ ହେବ । ସମାଜକୁ ପାଞ୍ଚଟା ବା ସାତଟା ଥାକରେ ବିଭକ୍ତ ଏବଂ ଉଚ୍ଚନୀଚ କରି ରଖି ଯେଉଁମାନେ ତଥାପି ଦେଶରେ କୋଟି କୋଟି ମନୁଷ୍ୟଙ୍କୁ ଅନ୍ଧାର ଭିତରେ ଘୁଷୁରି କରି ରଖିଛନ୍ତି ଓ ତାହାକୁ ସେମାନଙ୍କର ଭାଗ୍ୟ ବୋଲି କହୁଛନ୍ତି, ଅସଲ ଲଢ଼େଇ ସେହିମାନଙ୍କ ସହିତ ହେବ । ଯୁଗବିଧାତା ସମଗ୍ର ପୃଥିବୀରେ ନାନା ପ୍ରକାରେ ଯେଉଁ ଲଢ଼େଇଟିକୁ ଆରମ୍ଭ କରିଦେଇ ସାରିଲାଣି, ଏବେ ଭାରତବର୍ଷରେ ମଧ୍ୟ ସେହି ଲଢ଼େଇଟି ଲାଗି ଡାକରା ଆସିବ । ମେଦିନୀ ଫାଟିବ । ପୁରୁଣା ମେଦିନୀଟା ଫାଟିବ ଏବଂ ସବୁ ମଣିଷଙ୍କୁ ସ୍ୱୀକୃତି ଦେଇ ଅନ୍ୟ ଏକ ଗଢ଼ଣରେ ନୂଆ ମେଦିନୀଟି ଗଢ଼ା ହେବ । ସେହି ମେଦିନୀରେ ଥୋକେ କଦାପି ଶିଷ୍ଟ ହୋଇ ରହିବେ ନାହିଁ ଓ ଆପଣାର ଏକ ଅଲଗା ବିବେକ ଏବଂ ଭାଷା ଦ୍ୱାରା ଆଗାମୀର ଅବଶ୍ୟମ୍ଭାବୀକୁ କଦାପି ପଥରୋଧି ରଖିପାରିବେ ନାହିଁ । ଅସଲ ଜଗତୀକରଣ ଏହିଭଳି ହିଁ ହେବ । ଅତିରିକ୍ତ ଭାବପ୍ରବଣତାକୁ ପ୍ରଶ୍ରୟ ଦିଆଯାଇ ନଥିଲେ ଭାରତବର୍ଷ ସ୍ଵାଧୀନତା ଲାଭ କରିବାର ପରବର୍ତ୍ତୀ ପାବଚ୍ଛରୂପେ ସତକୁ ସତ ତାହାହିଁ ହୋଇଥାନ୍ତା । ତାହା ହୋଇଥିଲେ ଭାରତବର୍ଷ ବର୍ତ୍ତମାନ ଏକାବେଳେକେ ଅନ୍ୟ ଭଳି ଦେଖା ଯାଉଥାନ୍ତା ଏବଂ ଖବରକାଗଜରେ ଅନ୍ୟ ପରିମଳ ତଥା ପ୍ରତିଶ୍ରୁତିର ଖବର ସବୁ ବାହାରୁ ଥାଆନ୍ତା । ବର୍ତ୍ତମାନ ଯାହାକିଛି ପ୍ରମୁଖ ଖବର ବୋଲି ବାହାରୁଛି, ଆମେ ଆମ ନିର୍ମାଣକ୍ରମରେ ପଚାଶବର୍ଷ କାଳ କେଉଁଠି କଣ ହୁଡ଼ିଛୁ ବୋଲି ତାହା ସମ୍ଭବ ହେଉଛି । ଆମେ ଚତୁରମାନେ ସଂସ୍କୃତକୁ ବ୍ୟବହାର କରି ଏଠାରେ ବହୁତ କିଛିକୁ ଲୁଚାଇ ରଖିଛୁ, ଅଟକାଇ ରଖିଛୁ । ଆମର ଅସଲ ସତ୍ୟଗୁଡ଼ିକୁ, ଅସଲ ଆହ୍ୱାନଗୁଡ଼ିକୁ ଆମେ ସଂସ୍କୃତରେ ପାଟକନା ଭିତରେ ପଙ୍ଗୁ କରି ରଖିଦେଇଛୁ । ଧର୍ମ, ରାଜନୀତି, ନୀତି, ସାହିତ୍ୟ ଓ ବିବେକ ସବୁକିଛିକୁ ପଙ୍ଗୁ କରି ରଖିଛୁ । ଏବଂ, ଶଇତାନମାନେ ସର୍ବତ୍ର ଯାହା କରନ୍ତେ, ଆମେ ମଧ୍ୟ ଏକ ବିବେକାପହାରୀ (ଗାନ୍ଧୀଙ୍କ ଭାଷାରେ ନପୁଂସକକାରୀ-emasculat-ing) ଶିକ୍ଷା ଦ୍ୱାରା ଆମର ପିଲାମାନଙ୍କୁ ଅନୁରୂପ ଭାବରେ ଜ୍ୟୋତିହୀନ, ବାଧ୍ୟ ଏବଂ ବର୍ତ୍ତମାନକାତର ହୋଇ ବଢ଼ିବା ନିମନ୍ତେ ଷଡ଼ଯନ୍ତ୍ର ମେଲାଇ ଦେଇଛୁ । ସେଠାରେ ମଧ୍ୟ ସଂସ୍କୃତ ନାମକ ସର୍ପଟି ମୁଖ୍ୟ ଭୂମିକା ଗ୍ରହଣ କରୁଛି ।

 

ଭାଷା ଯୋଡ଼େ । ମଣିଷମାନେ ଅବିବେକୀ ହୋଇଥଲେ ଭାଷା ବହୁବିଧ ଦୂରତାକୁ ମଧ୍ୟ ସୃଷ୍ଟ ହୋଇ ରହିବାରେ ସାହାଯ୍ୟ କରେ । ଶାସନ ଯୋଡ଼େ – ବହୁ ଉଦ୍ୟମକୁ ଏକାଠି ଯୋଡ଼େ, ଭବିଷ୍ୟତଟିକୁ ବର୍ତ୍ତମାନ ସହ ଯୋଡ଼ି କାଳଟିକୁ ସୁସ୍ଥକରି ରଖିବାରେ ନିମିତ୍ତ ରୂପେ କାର୍ଯ୍ୟକରେ । ମାତ୍ର ଶାସକମାନେ ଅବିବେକୀ ହୋଇଥିଲେ ଶାସନ ମଧ୍ୟ ବହୁ ଖାଇର ଷଡ଼ଯନ୍ତ୍ର କରିବାରେ ଲାଗିଥାଏ ଏବଂ ବହୁ ଫିସାଦକୁ ପ୍ରଶ୍ରୟ ଦେବାରେ ମଧ୍ୟ ଲାଗିଥାଏ । ଏକ ଭାଷା ହିସାବରେ ସଂସ୍କୃତର ଯୋଡ଼ିବାର ସୁନାମ ଯେତେ ନାହିଁ, ଭାଗ ଭାଗ ଏବଂ ଉଚ୍ଚ ନୀଚ କରି ରଖିବାର ବଦନାମଟା ତା'ଠାରୁ ସମ୍ଭବତଃ ଅଧିକ ରହିଛି । ଅବିବେକୀମାନଙ୍କର ହାତରେ ପଡ଼ି ହୁଏତ ତାହା ସେପରି ଘଟିଛି । ତେଣୁ ସାମନ୍ତମାନଙ୍କର ଖୁବ୍ କାମରେ ଆସିଛି । ଭାରତ ସ୍ୱାଧୀନ ହେବା ପରେ ଏଠି ସବୁ ମଣିଷଙ୍କୁ ଯହୁଁ ସ୍ୱୀକୃତି ଦେଇ ସମ୍ବିଧାନ ନାମକ ଖସଡ଼ାଟି ଲେଖାଗଲା, ସେତେବେଳେ ସାମନ୍ତମାନେ ହିଁ ତାହାକୁ ସଂସ୍କୃତରେ କିଳିଣି ଦେଇ ରଖିଦେଲେ । ତାହା ଉପରବାଲାଙ୍କ ନିମନ୍ତେ ବହୁ ଭାବପ୍ରବଣତାର କାରବାର ହୋଇ ରହିଲା ସିନା, କିନ୍ତୁ ଅଧିକସଂଖ୍ୟକ କୋଟି କୋଟିଙ୍କ ପାଇଁ ଡ଼ିମିରିଫୁଲ ପରି ଅଦୃଶ୍ୟ ହୋଇ ରହିଲା । ଉପରବାଲା ଭାରତକୁ ମହାନ୍ ବୋଲି କହି ଛଇ ଦେଖାଇଲେ ଏବଂ ତଳେ ସେହି ଭାରତବର୍ଷରେ ତାହା ମଧ୍ୟ ଦେଖିବାକୁ ମିଳିଲା ନାହିଁ ।

 

ଭାରତ ବୋଲି ଉପରବାଲା କେତେ କ'ଣ ଶୋଷି ନେଇଗଲେ । ଅସାଧୁ ହେଲେ ଓ ଲମ୍ପଟ ହେଲେ । ଲଜ୍ଜା ହରାଇଲେ । ଏଣିକି ସେମାନେ ଗୋଟାସୁଦ୍ଧା ନିଜ ରୂପଟାକୁ ପଦାକୁ ଆଣି ଦାଣ୍ଡରେ ନାଚିବାକୁ ଲାଗିଲେଣି । ସେମାନଙ୍କର କାଳ ସରିଗଲା ବୋଲି ପ୍ରମାଣ କଲେଣି । ଏଣିକି ଭାରତବର୍ଷରେ ଯାବତୀୟ ବ୍ୟାପାରରେ ଏକାବେଳେକେ ଅନ୍ୟ ବିବେକରେ ପତର ପଡ଼ିବ, ସମସ୍ତେ ପଂକ୍ତି ଭିତରକୁ ଆସିବେ । ସିଏ ଯାବତୀୟ ଅର୍ଥରେ ଦେଶରେ ଏକ ନୂଆ ପର୍ଯ୍ୟାୟକୁ ଆମନ୍ତ୍ରିତ କରି ଆଣିବ । କ୍ରମେ ଭାରତବର୍ଷରେ ମଧ୍ୟ ଶାସନ ଯୋଡ଼ିବ, ଭାଷା ବି ଯୋଡ଼ିବ । ଯାବତୀୟ ରାଜନୀତି ସମବେତ ବହୁ ପ୍ରୟାସର ପ୍ରତୀକ ଏବଂ ପ୍ରେରଣା ହୋଇ ରହିବ । ଏକାବେଳେକେ ଏକ ନୂଆ ଧାତୁରେ ନେତୃତ୍ୱମାନେ ଗଢ଼ା ହୋଇ ଆସବେ । କେବଳ କେତେ ଜଣ ବୁଝିପାରିବା ଭଳି ଏକ ଅଲଗା ଭାଷା ଭିତରେ ଏଠି ଆମ ଭାଗ୍ୟକୁ ଲୁଚାଇ ରଖିବାର ଆଉ ପ୍ରୟୋଜନ ହିଁ ରହିବ ନାହିଁ ।

Image

 

ଚାଲ ସମସ୍ତେ ଖ୍ରୀଷ୍ଟିଆନ୍ ହୋଇଯିବା

 

ଶହେ ବର୍ଷରୁ ଅଧିକ ତଳର କଥା । ସେତେବେଳେ ମୁଖ୍ୟତଃ କବିତା ଲେଖୁଥିବା ବ୍ୟାସକବି ଶ୍ରୀ ଫକୀରମୋହନ ସେନାପତି ମନ ଭିତରେ କ’ଣ ପାଞ୍ଚି ଖ୍ରୀଷ୍ଟିଆନ ହୋଇଯିବେ ବୋଲି ଚିନ୍ତା କଲେ । ତାଙ୍କ ଗାଆଁ ବାଲେଶ୍ୱରରେ ସେତେବେଳକୁ ଖ୍ରୀଷ୍ଟିଆନ ଧର୍ମର ଜାଲରେ ଅନ୍ୟଧର୍ମୀମାନଙ୍କୁ ଧରିବା ଲାଗି ପ୍ରଚାର କାର୍ଯ୍ୟ କରୁଥିବା ପାଦ୍ରୀମାନେ ଆସି ପହଞ୍ଚି ଗଲେଣି । ପାଦ୍ରୀମାନଙ୍କର ପ୍ରଚାରଟା ଏହିପରି କୌଣସି ଭାଡ଼ିବଦଳ ଲାଗି ସେନାପତିଙ୍କୁ ପ୍ରେରଣା ଏବଂ ପ୍ରବର୍ତ୍ତନା ଦେଇଥିଲା କି ? ତାଙ୍କ ସାଥିରେ ଆମ ପରିଚିତ ଶ୍ରୀ କବିବର ରାଧାନାଥ ମଧ୍ୟ ରହିଥିଲେ-। ଦୁହେଁ ଦୁହିଙ୍କୁ ନିଜର ବିଶ୍ୱାସ କଥାମାନ କହିପାରିଲା ଭଳି ପରସ୍ପରର ବନ୍ଧୁଥିଲେ । ଧର୍ମ ପରିବର୍ତ୍ତନ ଲାଗି ଉଭୟ ଏକାଠି ମନ୍ତ୍ରଣା କରିଥିଲେ । ରାଧାନାଥଙ୍କ ଘରେ ମଜା କରିବାରୁ ତାଙ୍କର ଉତ୍ସାହ ଭାଙ୍ଗିଗଲା ଏବଂ ଏକୁଟିଆ ଏଡ଼େ ବଡ଼ ଗୋଟାଏ ପଦକ୍ଷେପ ନେବାକୁ ଫକୀରମୋହନଙ୍କର ବି ଆଉ ଇଚ୍ଛା ହେଲା ନାହିଁ । ସାହସ କୁଳାଇ ନଥିବ । ଯଦି ବା ସାହସ କୁଳାଇ ଥାଆନ୍ତା, ତେବେ ମଧ୍ୟ କ’ଣ ଫରକ ହୋଇ ଯାଇଥାନ୍ତା ? ଫକୀରମୋହନ ଯାହାହେଲେ, ତା’ଠାରୁ ଆଉ କ’ଣ ଅଲଗା ହୋଇଥାନ୍ତେ ? ଏତେ ଏତେ ପଇସା ଖର୍ଚ୍ଚ କରି ପାଦ୍ରୀମାନେ ଯେ ପୃଥିବୀଯାକ ଚରି ଯାଇଛନ୍ତି ଓ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ପ୍ରଚାର କରିଛନ୍ତି, ତଦ୍ଦ୍ୱାରା ପୃଥିବୀରେ ବା କ’ଣ ସବୁ ହେଉଛି ? ସେହି ପ୍ରଚାରଟି ନ ହୋଇଥିଲେ ପୃଥିବୀର ଭାଗ୍ୟରେ ଆଉ ସବୁ କ’ଣ ଅଭାବ ରହିଯାଇଥାନ୍ତା ?

 

ଇଉରୋପର ଶ୍ରୀ ଆଲବର୍ଟ ଶ୍ୱାଇତ୍‌ଜର୍‌ ଅସହାୟମାନଙ୍କର ଶୁଶ୍ରୂଷା କରିବେ ବୋଲି ଦର୍ଶନଶାସ୍ତ୍ରର ଅଧ୍ୟାପନା ଛାଡ଼ି ଡାକ୍ତରୀ ପଢ଼ିଲେ ଏବଂ ଭିତରୁ ଭଗବାନଙ୍କର ଅନୁଜ୍ଞାକୁ ମାନି ଆଫ୍ରିକା ଗଲେ । ଡାକ୍ତରଖାନା ତିଆରି କଲେ, ଗୋରା ହୋଇଥିଲେ ମଧ୍ୟ କଳାମାନଙ୍କର ଚିକିତ୍ସା କଲେ । ନିଜର ସେହି ମହାନ୍ କାର୍ଯ୍ୟଟିରେ ଈଶ୍ଵରଙ୍କର ପ୍ରେରଣା ହିଁ ତାଙ୍କୁ ପରିଚାଳିତ କରିନେଉଛି ବୋଲି ସିଏ ନିରନ୍ତର ଅନୁଭବ କରୁଥିଲେ । ସହକର୍ମୀ ହିସାବରେ ଇଉରୋପରୁ ଆହୁରି କେତେ ବ୍ୟକ୍ତି ମଧ୍ୟ ତାଙ୍କ ଡାକ୍ତରୀ କାର୍ଯ୍ୟରେ ଯାଇ ଯୋଗ ଦେଇଥିଲେ । ଶ୍ରୀ ଶ୍ୱାଇତ୍‌ଜର୍‌ ଏହି ମହତ୍ କାର୍ଯ୍ୟ ପାଇଁ ପୃଥିବୀଯାକର ସାଧୁବାଦ ପାଇଲେ । ନିଜ ଈଶ୍ୱରଙ୍କର ବାଣୀକୁ ସେ କଳା ଲୋକମାନଙ୍କୁ ମଧ୍ୟ ଭାରି ଉତ୍ସାହର ସହିତ ଶୁଣାଉଥିଲେ ଏବଂ କଳାଙ୍କ ମଧ୍ୟରୁ କେହି ଜଣେ ତାଙ୍କ କଥାରେ ଉଦ୍ବୁଦ୍ଧ ହୋଇ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ ଶ୍ୱାଇତ୍‌ଜର୍‌ ହୁଏତ କେତେ ଖୁସି ହୋଇ ଯାଉଥିଲେ । ସେତିକିବେଳେ ଇଉରୋପରେ ଯୁଦ୍ଧ ଲାଗିଲା । ଇଉରୋପରେ ଖ୍ରୀଷ୍ଟିଆନ ଦେଶମାନେ ଦୁଇଟି ଜୋଟରେ ପରସ୍ପର ସହିତ ଯୁଦ୍ଧ କରି ବାହାରିଲେ, ଯାହାକୁ ଆମେ ପ୍ରଥମ ମହାଯୁଦ୍ଧ ବୋଲି କହୁଛୁ । ଇଉରୋପରେ ଯୁଦ୍ଧ ଲାଗିଛି ଓ ଖ୍ରୀଷ୍ଟିଆନମାନେ ପରସ୍ପରକୁ ହତ୍ୟା କରୁଛନ୍ତି ବୋଲି ଖବରଟି ଶ୍ୱାଇତ୍‌ଜର୍‌ଙ୍କର ଡାକ୍ତରଖାନାରେ ବି ଯାଇ ପହଞ୍ଚିଲା । ତାହା ଶୁଣି ଆଫ୍ରିକାବାସୀ ଭାରି ସଂକଟରେ ପଡ଼ି ଯାଇଥିଲେ । ଶ୍ୱାଇତ୍‌ଜର୍‌ ସେମାନଙ୍କୁ ଆଗରୁ କହି ଆସିଥଲେ ଯେ, ଖ୍ରୀଷ୍ଟିୟାନ୍ ଧର୍ମ ହେଉଛି ପ୍ରେମର ଧର୍ମ, କରୁଣାର ଧର୍ମ, ଶାନ୍ତିର ଧର୍ମ । ପ୍ରେମର, କରୁଣାର ଏବଂ ଶାନ୍ତିର ଧର୍ମରେ ରହିଥିବା ଲୋକମାନେ ପୁଣି ଯୁଦ୍ଧ କରି କେମିତି ବାହାରିଲେ ? ବିଚରା ଆଲବର୍ଟ ଶ୍ୱାଇତ୍‌ଜର୍‌ ସେହି କଳା ସଂଶୟପ୍ରକାଶକାରୀମାନଙ୍କୁ ପ୍ରକୃତରେ କୌଣସି ଉତ୍ତର ଦେଇପାରି ନଥିଲେ । ଗୋଟାଏ ନିର୍ଦ୍ଦିଷ୍ଟ ପ୍ରକାରର ପଇତା ପକାଇଦେଲେ ମଣିଷମାନେ ଯେ ପ୍ରେମ, କରୁଣା ଏବଂ କ୍ଷମାର ପଟକୁ ଆସିଯାଆନ୍ତି ନାହିଁ, ପୃଥିବୀର ଇତିହାସରେ ସେକଥା ଆଉଥରକ ପାଇଁ ପ୍ରମାଣିତ ହୋଇଗଲା ।

 

ଦେବାନାଂ ପ୍ରିୟ ରାଜା ଅଶୋକ ବୌଦ୍ଧ ଧର୍ମକୁ କେଡ଼େ ଉତ୍ସାହରେ ଭାରତର ବାହାରକୁ ପ୍ରଚାର ନିମନ୍ତେ ପ୍ରେରଣ କରିଥିଲେ । ନିଜର ଝିଅ ଓ ପୁଅମାନଙ୍କୁ ସିଏ ସେହି କାର୍ଯ୍ୟରେ ନିଯୁକ୍ତ କରିଥିଲେ । ସତେଅବା ନୋଟିସ୍ ଜାରି କରିଦେଇ ଅଶୋକ ସେତେବେଳେ ପୂରା ଉପମହାଦେଶଟାକୁ ଆବୋରି ରହିଥିବା ମଗଧ ରାଜ୍ୟଟିକୁ ବୌଦ୍ଧ ଧର୍ମର ରଜ୍ଜୁରେ ବାନ୍ଧି ପକାଇଥିଲେ । ତଥାପି, ସେହି ସମୟ ଠାରୁ କ’ଣ ସବୁ ଅନ୍ୟ ବିଧାନ ଆସି ଯୋଜନାଗୁଡ଼ିକୁ ବିଗାଡ଼ିଦେଲା ଯେ, ବୌଦ୍ଧଧର୍ମ ଭାରତବର୍ଷରୁ ମୂଳପୋଛ ହୋଇଗଲା । ସ୍ଵୟଂ ବୁଦ୍ଧଦେବ ବିଷ୍ଣୁଙ୍କର ଏକ ଅବତାର ହୋଇ କବିମାନଙ୍କର କାମରେ ଲାଗିଲେ, ଏବଂ ଉଚ୍ଚ ହିମାଳୟକୁ ଡ଼େଇଁ ମଧ୍ୟ ଏସିଆ ହୋଇ ଚୀନ ଓ ଜାପାନ ଯାଏ ପହଞ୍ଚି ଯାଇଥିବା ସାକ୍ୟମୁନିଙ୍କ ନାମକୁ ବହନ କରୁଥିବା ସେହି ମଉରସୀ ଧର୍ମଟି ଏଭଳି ଭଳିକି ଭଳି ସଂସ୍କରଣରେ ପରିଣତ ହୋଇଗଲା ଯେ, ବର୍ତ୍ତମାନ ଆମେ ଗବେଷକମାନଙ୍କର ବହିଗୁଡ଼ିକରୁ ହିଁ ବୌଦ୍ଧଧର୍ମର କିଛି ଅବଶେଷର ସୂଚନା ପାଇପାରିବା-। ଇତିହାସ କହୁଛି ଯେ, ଚେଙ୍ଗିଜ୍ ଖାଁ ମଧ୍ୟ ବୌଦ୍ଧ ଥିଲେ । ସିଏ ସ୍ୱୟଂ ନିଜ ଜୀବନରେ ସେହି ଧର୍ମଟି ଦ୍ୱାରା କେତେଦୂର କ’ଣ ପ୍ରଭାବିତ ହୋଇଥିଲେ କେଜାଣି ? ତଥାପି, ବୁଦ୍ଧଙ୍କ ଆଲୋକରୁ ଧାସେ ମଧ୍ୟ ବାଜିଥିବା ଏକ ଧର୍ମ ଯେ ମଣିଷଙ୍କୁ ଚେଙ୍ଗିଜ୍ ଖାଁ ହେବାକୁ ରସଦ ଯୋଗାଇଦେବ, ସାଧାରଣ ବୁଦ୍ଧିରେ ଯେତେ ଅଙ୍କ କଷିଲେ ମଧ୍ୟ ତଥାପି ତାହା ଅନୁମାନ କରିହେବ ନାହିଁ ।

 

ଆଗେ ରାଜାମାନେ ରାଜ୍ୟ ଜୟ କରୁଥିବା ସହିତ ବିଜିତ ରାଜ୍ୟଟିର ପ୍ରଜାମାନଙ୍କୁ ମଧ୍ୟ ସେହି ଅଧିକାରଟିର ବଳରେ ନିଜର ଧର୍ମଟି ଭିତରକୁ ଜୟକରି ନେଉଥିଲେ । ସେଥିରୁ ସେମାନେ ଭାରି ଆନନ୍ଦ ଲାଭ କରୁଥିଲେ । ସତେଅବା ଭଗବାନଙ୍କର କାମ କରୁଥିବା ପରି ଅନୁଭବ କରୁଥିଲେ । ଏହିଭଳି ଭଗବାନଙ୍କର କାମମାନ କରାଯାଇ ପୃଥିବୀଟା ନାନା ଧର୍ମରେ ବିଭାଜିତହୋଇ ରହିଛି । କଥିତ ଅଛି ଯେ, କଲମ୍ବସ୍ଙ୍କ ପରେ ପରେ କୁଆଡ଼େ ପାଦ୍ରୀମାନେ ମଧ୍ୟ ସମୁଦ୍ର ପାରିହୋଇ ଆମେରିକାରେ ଯାଇ ପହଞ୍ଚି ଯାଇଥିଲେ । ରାଜ୍ୟଜୟର ଅହଂକାରଟା ଫଳରେ ଅହଂକାରୀ ବିଜେତାମାନେ ପ୍ରାୟ ଏହିପରି ଭାବରେ ହିଁ ପୃଥିବୀଯାକ ହୃଦୟ ଜୟ କରିବାର ନାଟକଟାକୁ ଆଣି ମେଲାଇ ଦେଇଛନ୍ତି । ବୁଝି, ସତକୁ ସତ ଏକ ନିଷ୍ପତ୍ତି କରି କେତେଟା ମଣିଷ ନିଜର ଜନ୍ମିତ ମାର୍ଗଟିକୁ ଛାଡ଼ି ଆଉ ଏକ ମାର୍ଗରେ ଯେ ଦୀକ୍ଷିତ ହୋଇଥିବେ, ତାହା ଆମେ ଅନୁମାନ କରିବସିଲେ ସମ୍ଭବତଃ ଭାରି ହତାଶ ହେବାକୁ ପଡ଼ିପାରେ । ଭେକଟା ବଦଳିଯାଏ, ଦେଉଳଟାରେ ପରିବର୍ତ୍ତନ ହୁଏ, ଉପାସନାର ପୁସ୍ତକମାନେ ବି ଆଉ ପ୍ରକାରେ ହୋଇଯାଆନ୍ତି । ତଥାପି, ଅସଲ ଥାନଟିରେ ହୁଏତ ଆଦୌ କିଛିହେଲେ ବଦଳି ନଥାଏ । ଏବଂ, ଅସଲ ଥାନଟିରେ ଆଦୌ କିଛିହେଲେ ବଦଳି ନଥାଏ ବୋଲି ପୃଥିବୀରେ ବର୍ତ୍ତମାନ ଧର୍ମର ବା ଧର୍ମମାନଙ୍କର ଏଭଳି ନରଖର ଅବସ୍ଥା ହୋଇଛି କି ? କେହି କୋଉଥିରେ ଆଦୌ ବିଶ୍ୱାସ କରିନାହାନ୍ତି, କେତେଟା ଭେକ ହିଁ ପରିଧାନ କରିଛନ୍ତି । ରାଜାର ତାଡ଼ନାରେ ଏହି ଭେକଟା ବଦଳରେ ସେହି ଭେକଟାକୁ ଦେହ ଉପରେ ଆଣି ଗଳାଇ ଦେଇଛନ୍ତି । ଏହାଦ୍ୱାରା ସମ୍ପୃକ୍ତ ମଣିଷମାନଙ୍କର କିଛି ହୋଇନାହିଁ । ଭଗବାନଙ୍କର ବା କାହିଁକି କ’ଣ ହେବାକୁ ଯିବ ? କେବଳ ପୃଥିବୀଟା ଯାହା ଧର୍ମାନ୍ଧମାନଙ୍କର ଦୌରାତ୍ମ୍ୟରେ ବହୁ ତାଡ଼ନା ସହିବାକୁ ବାଧ୍ୟ ହୋଇଛି ।

 

ଠାକୁରମାନେ ନାଆଁ ଅନୁସାରେ ଅଲଗା ଅଲଗା ଜମିଦାରୀର ମାଲ ରୂପେ ବିଭାଜିତ ହୋଇ ଯାଇଛନ୍ତି । କବିମାନେ ଅଲଗା ଅଲଗା ସ୍ତ୍ରୋତ୍ର ଲେଖି ଦେଇଛନ୍ତି । ଝଗଡ଼ାଗୁଡ଼ିକ ଖାସା ଜମିବ ବୋଲି ଅଲଗା ଅଲଗା ବାଣମାନଙ୍କୁ ଆଣି ଖଞ୍ଜି ଦେଇଛନ୍ତି । ପ୍ରତିଦ୍ୱନ୍ଦିତାରେ ଗୋଟାଏ ଆରେକୁ ବଳିଯାଇଛି । ଗୋଟାଏ ହିନ୍ଦୁଧର୍ମ ଭିତରେ କିଏ ଶିବଙ୍କୁ ସବା ବଡ଼ କହିଛି ତ ଆଉ କିଏ ବିଷ୍ଣୁଙ୍କୁ । ତୃତୀୟ କିଏ କ’ଣ ପାଞ୍ଚି ଶକ୍ତିଙ୍କ ମାର୍ଗରେ ଯାଇଛି ଏବଂ ଶାକ୍ତ ବୋଲାଇଛି । ମିସ୍ତ୍ରୀମାନେ ଭଳିକି ଭଳି ମନ୍ଦିର ତୋଳି ଦେଇଛନ୍ତି । ଜାନିଯାତର ଚଉକଷ ଭିଆଣମାନ କରାଯାଇଛି । ରଜାମାନେ ନିଜକୁ ସେହି ଠାକୁରମାନଙ୍କର ଧର୍ମପୁତ୍ର ପରି ଧରି ନେଇଛନ୍ତି । କୋଉକାଳେ ଭାରତରେ ବହୁ ମନ୍ତ୍ରକୁ ଏକତ୍ର ଗୋଟିଏ ମହାମନ୍ତ୍ରରେ ବାନ୍ଧି ଆଣି ଗାୟତ୍ରୀ ମନ୍ତ୍ରର ବିଧାନ କରାଯାଇଥିଲା ଏବଂ ତା’ପରେ ଏହି ସାହି ଓ ଗଳିମାନେ ପୁନର୍ବାର ତାହାର ସତେଅବା ଏକ ଅହଂକାରପ୍ରଣୋଦିତ ବ୍ୟବଚ୍ଛେଦ କରି ଶିବ ଗାୟତ୍ରୀ, ବିଷ୍ଣୁ ଗାୟତ୍ରୀ ଆଦିରେ ଅଲଗା ଅଲଗା ହୋଇ ଯାଇଛନ୍ତି । ଆଧୁନିକ ଅହଂକାରୀମାନେ ମଧ୍ୟ ଅଲଗା ହୋଇ ଦିଶିବାର ନିଶାରେ ପୃଥିବୀ ସମ୍ମୁଖରେ ଆହୁରି କେତେ କେତେ ପଟୁତା ସହିତ ସେହି ପ୍ରହସନଟାକୁ ଜାରି ରଖିଛନ୍ତି । ଏବେ ତ ସେହି ପ୍ରହସନରୁ କ୍ରମେ ରାଜନୀତି ହେଲାଣି, ଭୁଜାଲି ଚାଲିଲାଣି, ବାହାରୁ ବନ୍ଧୁକ କିଣି ଆଣି ମନ୍ଦିର ଭିତରେ ଜନ୍ତାଳ ବସାଇ ନିପଟ ଧର୍ମହୀନ ମଣିଷମାନେ ପୃଥିବୀଟାକୁ ଆତଙ୍କିତ କରି ରଖିଛନ୍ତି । ଠାକୁରମାନେ ତ୍ରସ୍ତ ହୋଇ ଆଉ ପାଟି ମଧ୍ୟ ଫିଟାଉ ନାହାନ୍ତି ।

 

ହିନ୍ଦୁଧର୍ମ ନିଜ ମତଲବ ସକାଶେ ଯେଉଁମାନଙ୍କୁ ଅଚ୍ଛବ ଓ ଅବର କରି ରଖିଛି, ସେମାନେ ବୌଦ୍ଧଧର୍ମକୁ ଦୀକ୍ଷିତ ହୋଇଗଲେ ଧରାଧାମରୁ ବହୁ ପାତକ ଦୂର ହୋଇଯିବ ବୋଲି ମଝିରେ ଗୋଟାଏ ବଡ଼ ଧର୍ମାନ୍ତର-ପ୍ରଦର୍ଶନର ଆୟୋଜନ ବି ହୋଇଗଲା । ହଜାର ହଜାର ଅଛୁଆଁଙ୍କୁ ଭେକ ବଦଳାଇ ସାମ୍ବାଦିକମାନଙ୍କୁ ବରଗି ଦୀକ୍ଷାଭୂମିରେ ଦୀକ୍ଷା ଦିଆଯାଇଥିଲା । ଶହେବର୍ଷ ତଳେ ସେହିପରି ଏକ ଉତ୍ସାହରେ ଫକୀରମୋହନ ବୌଦ୍ଧଧର୍ମର ଏକ ଅନୁବାଦ ପୁସ୍ତକ ମଧ୍ୟ ରଚନା କରିଥିଲେ । ଏବେ, ଓଡ଼ିଶାରେ ଜଣେ କବି ସତେଅବା ଏକ ଅନୁରୂପ ପ୍ରେରଣାରେ ବୌଦ୍ଧଧର୍ମ ଓ ବୁଦ୍ଧ ଚରିତକୁ ପୁଞ୍ଜିକରି ବହି ଲେଖି ପକାଇଲେ । ସବୁ ହେଲା, ମାତ୍ର ଯାହା ହେବ ବୋଲି ଆଶା ରଖି ଏଗୁଡ଼ିକ ହେଲା, ସେଇଟି ହୋଇପାରିଲା ନାହିଁ । ପଚାଶବର୍ଷ ତଳେ ଭାରତ ସରକାର ଦରବାରୀ ସମାରୋହ ସହିତ କେତେ କ’ଣ ମଣ୍ଡନା କରାଇ ବୁଦ୍ଧଦେବଙ୍କର ଅଢେଇ ହଜାରତମ ଜୟନ୍ତୀ ପାଳନ କରାଇଥିଲେ । ଏବେ ସେହି ସରକାର ପ୍ରଜାମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ଦିଆଇବେ ବୋଲି ଅଲଗା ଅଲଗା ଖାତା ତିଆରି କରି ନୀରସ ଜାତି ଓ ପାଟକମାନଙ୍କର ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ସେହି ତାଲିକାରେ ରାଜନୀତି ନାମକ ଧଣ୍ଡସାପଟା ଧର୍ମନାମକ ମଣ୍ଡୁକଟାକୁ ପାଟିରେ ଧରି ଲାଙ୍ଗୁଡ଼ ହଲାଇବାରେ ଲାଗିଛି । ଛାଡୁନାହିଁ କି ପୂରା ମୋଟେ ଗିଳି ପକାଉନାହିଁ । ଦେଶର ଚାକିରିହାଟରେ ଏକ ନୂଆ ଉନ୍ମାଦନା ଆଣି ଦେଉଛି ।

 

ତେଣୁ, ଚାଲ ଆମେ ସମସ୍ତେ ଖ୍ରୀଷ୍ଟିଆନ ହୋଇଯିବା । ଆମକୁ କେହି ବାଧ୍ୟ କରିବ ନାହିଁ, କିନ୍ତୁ ଆମେ ଛାଏଁ ଛାଏଁ ଖ୍ରୀଷ୍ଟିଆନ ହୋଇଯିବା । କେବଳ ନିଜ ଧର୍ମଟା ହିଁ ଠିକ୍ ଧର୍ମ ବୋଲି ଗୋଟାଏ ଅନ୍ଧବିଶ୍ୱାସ ଦ୍ଵାରା ମତ୍ତପ୍ରାୟ ହୋଇ ପୃଥିବୀରେ ଉତ୍ସାହୀମାନେ କାଳେ କାଳେ ନିଜ ଆଡ଼କୁ ମୋଟେ ଅନାଇ ଦେଖିନାହାନ୍ତି; କେବଳ ଅନ୍ୟମାନେ ଆମଠାରୁ ଭିନ୍ନ ଏବଂ ତେଣୁ ସେମାନଙ୍କୁ ଭଗବାନଙ୍କ ନିମନ୍ତେ ନିଜର ପାଲଟା ଭିତରକୁ ଅଡ଼ାଇ ଆଣିବାକୁ ପଡ଼ିବ ବୋଲି ପ୍ରାୟ ଉତ୍ତପ୍ତ ହୋଇ ରହିଛନ୍ତି । ଜଣେ ଉତ୍ତପ୍ତ ମଣିଷ ନିଜଟିକୁ ବଞ୍ଚିବା ଲାଗି ଆଉ କିପରି କ’ଣ ଫୁରୁସତ ବା ପାଇଥାନ୍ତା । ତେଣୁ ଠାକୁରମାନେ, ମାର୍ଗମାନେ ପ୍ରାୟ ଅବ୍ୟବହୃତ ହୋଇ ରହିଯାଇଛନ୍ତି ଏବଂ ପୃଥିବୀରେ ଉପଦ୍ରବୀମାନଙ୍କର ବହୁବିଧ ଗୋଳ ବି ଲାଗି ରହିଛି । ଆମେ ପ୍ରତ୍ୟେକେ ଅନ୍ୟ ସଭିଙ୍କୁ ଆମ ପଲଟା ଭିତରକୁ ଆଣିବା ନିମନ୍ତେ ଲାଗି ପଡ଼ିଥିବା ପର୍ଯ୍ୟନ୍ତ ଏହି ଉପଦ୍ରବଟା ହିଁ ବେଶୀ ଲାଗି ରହିଥିବ । ତେଣେ ରାଷ୍ଟ୍ରର କର୍ତ୍ତାମାନେ ଆମକୁ ଅଧିକ ଅକ୍ତିଆର ଭିତରେ ରଖିପାରିବେ ବୋଲି ଆମର ସେହି ଆଗ୍ରହଟିର ପରିପୂର୍ଣ୍ଣ ଫାଇଦା ଉଠାଇବାରେ ଲାଗିଥିବେ । ରାଷ୍ଟ୍ର .ଯାହାକିଛି କରୁଛି ତାହା ଭଗବାନଙ୍କର ନିର୍ଦ୍ଦେଶରେ କରୁଛି ବୋଲି ସେହି ଦୁଷ୍ଟ ମିଥ୍ୟଟାକୁ ଭାରି ସହଜରେ ପ୍ରଚାର କରାଯାଇ ପାରୁଥିବ ଏବଂ ମନୁଷ୍ୟମାନଙ୍କର ବିବେକକୁ ଆଛନ୍ନ କରି ରଖାଯାଇଥିବ । ରଜାମାନେ ବହୁକାଳରୁ ତାହା କରି ଆସୁଥିଲେ ଏବଂ ଏବେ ଆମ ସାମ୍ପ୍ରତିକ କାଳର ରାଷ୍ଟ୍ରୀୟ କର୍ତ୍ତାକୁଳ କାହିଁକି ବା ସେଥିରୁ ଲାଭବାନ ନ ହୋଇଥାନ୍ତେ ? ତଥ୍ୟ କହୁଛି, ଜାପାନ ଦେଶର ଦୁଇ ସହର ଉପରେ ଅଣୁବୋମା ପକାଯିବ ବୋଲି ସମ୍ପୃକ୍ତ କର୍ତ୍ତାମାନେ ଗୀର୍ଜାରେ ଭଗବାନଙ୍କୁ ଜଣାଇ ଆଶୀର୍ବାଦ ଲାଭ କରିବା ଲାଗି ଗୀର୍ଜାକୁ ମଧ୍ୟ ଯାଇଥିଲେ । ସେମାନେ ସମସ୍ତେ ଖ୍ରୀଷ୍ଟିଆନ ଥିଲେ, ଅଥଚ ପ୍ରାୟ କେହି ହେଲେ ତାହା ଏକ ଅତି ଗର୍ହିତ କାର୍ଯ୍ୟ ବୋଲି ପ୍ରତିବାଦ କରିନଥିଲେ । ସେହି ପ୍ରଥମ ଦୃଷ୍ଟାନ୍ତଟିରୁ ପ୍ରେରଣା ନେଇ କ୍ରମେ ଅନ୍ୟ ଧର୍ମାନୁଗାମୀମାନେ ମଧ୍ୟ ତାହା ହିଁ କଲେଣି । ପୃଥିବୀର ପ୍ରବଳ ମଣିଷମାନେ ଅତି ପ୍ରବଳ ଭାବରେ ଭଗବାନଙ୍କୁ ନିଜର ନାନା କାର୍ଯ୍ୟ ଓ ମତଲବରେ ନିର୍ମଳ ବିବେକ ସହିତ ବ୍ୟବହାର କରିପାରିଲେଣି । ବିଜ୍ଞାନଟା ମଣିଷକୁ ଯେଉଁ ଅନ୍ୟଭଳି ଆଖି ଆଣି ଯୋଗାଇଦେବ ବୋଲି ଏକଦା ଚିନ୍ତା କରାଯାଉଥିଲା, ସେହି ବିଜ୍ଞାନ ମଧ୍ୟ ରାଷ୍ଟ୍ରଶକ୍ତି ହାତରେ ପୋଇଲୀ ହୋଇ ଖଟିଲାଣି । ଆଗକୁ ହୁଏତ ଆଉ କିଛିହେଲେ ମଙ୍ଗଳ କେଉଁଠି ରହିଛି ବୋଲି ଆଦୌ ଦେଖାଯାଉ ନାହିଁ । ପୂରା ପ୍ରମାଣିତ ହୋଇଗଲାଣି ଯେ, କୌଣସି ଭଗବାନ ନିଶାଖିଆ ମଣିଷମାନଙ୍କର ଆଉ କିଛି କରିପାରିବେ ନାହିଁ; ସେମାନଙ୍କୁ ଅଟକାଇ ରଖି ବି ପାରିବେ ନାହିଁ । ସେମାନେ ଅମଙ୍ଗଳର ବାଟରେ ଗଲେ ସିଏ ସେମାନଙ୍କୁ ମୋଟେ ଶାସ୍ତି ଦେଇପାରିବେ ନାହିଁ । ମଣିଷମାନେ ନିଜେ ଇଚ୍ଛା କଲେ ଯାଇ ସେପରି କରିପାରିବେ । ନିଜେ ଇଚ୍ଛା କଲେ ହିଁ ଭଗବାନଙ୍କୁ ନିଜ ଭିତରେ ବିଦ୍ୟମାନ ଥିବାର ଅନୁମାନ କରିପାରିବେ ଏବଂ ମଣିଷ ଆଡୁ ଆଗ ସେତିକି ଆରମ୍ଭ ହୋଇପାରିଲେ ଯାଇ କୌଣସି ଭଗବାନ ଯାହାକିଛି କରିବାକୁ ସମର୍ଥ ହେବେ । ଆଗ ଆମ ଭିତରକୁ ବାଟ ପାଇବେ, ତା’ପରେ ଯାଇ ଯାହାକିଛି କରିପାରିବେ । ଏବଂ, ସେତେବେଳେ ଯାଇ ପୃଥିବୀର ରକ୍ଷା ହୋଇପାରିବ । ସାର ସତ୍ୟଟି ହେଉଛି, ତୁମେ ଆଗ ବାଟ ଛାଡ଼ିଦେବ, ତେବେ ଯାଇ ଭଗବାନ ତୁମ ଭିତରେ ପ୍ରବେଶ କରିପାରିବେ ଏବଂ ତୁମକୁ ନିମିତ୍ତ ରୂପେ କାର୍ଯ୍ୟରେ ଲଗାଇ ପାରିବେ । ନହେଲେ ଯାବତୀୟ ଧର୍ମର ବେଢ଼ା ଭିତରେ କାନ ଅତଡ଼ା ପକାଇ ସଂକୀର୍ତ୍ତନ ଚାଲିଥିବ ସିନା, ମାତ୍ର ଭଗବାନ ସେଠାରୁ ଛୁ କରିଥିବେ । ସେଠାରେ କ୍ରୋଧ ରହିଥିବ, କୋପନମାନେ ରହିଥିବେ ଏବଂ ଦୀର୍ଘ ଘଣ୍ଟାର ନିନାଦରେ ସତ୍ୟ ବୁଡ଼ିଯିବାରେ ଲାଗିଥିବ ।

 

ତେଣୁ ଚାଲ ରାଜି ହୋଇଯିବା, ସମସ୍ତେ ଖ୍ରୀଷ୍ଟିଆନ ହୋଇଯିବା । ସମସ୍ତେ ରାଜି ହୋଇଯିବା ଓ ମୁସଲମାନ ବା ହିନ୍ଦୁ ହୋଇଯିବା । ତେବେ, ସତ୍ୟଟା କେବଳ ମୋ’ରି ଗୁହାଳ ଭିତରେ ବନ୍ଧା ହୋଇ ରହିଛି ବୋଲି ଦର୍ପ କରି କହିବା ପାଇଁ ଆଉ ଆଦୌ ମନ ହେବନାହିଁ । ସମ୍ଭବତଃ ମନଟା ଆଉ ଗୋଟାଏ ପ୍ରକାରର ହୋଇଯିବ । ସେହି ମନ ନେଇ ଆମେ ଆଉ ଜଣେ ଅନ୍ୟକୁ ମଧ୍ୟ ଦେଖିପାରିବା । ସେହି ଆଉଜଣେ ମନୁଷ୍ୟକୁ ମୋଟେ ଗିଳି ପକାଇବାକୁ ଇଚ୍ଛା ହେବନାହିଁ । ତା'ପରେ ସେହି ଆଉଜଣକୁ ପୃଷ୍ଠଭୂମି କରି ନିଜକୁ ଦେଖିବାର ବାଟଟିଏ ମଧ୍ୟ ମିଳିଯିବ । ଭିତରେ ବହୁ କର୍କଶତା ଭାଙ୍ଗିଯିବ । କର୍କଶ ଶିକ୍ଷକମାନେ ନିରନ୍ତର କେବଳ ନିଜକୁ ଏତେ ଅତିଲିପ୍ତ ଭାବରେ ଦେଖୁଥାନ୍ତି ଯେ ସେମାନେ ପାଠ ପଢ଼ାଉଥିବା ପିଲାଟିକୁ ବା ପିଲାମାନଙ୍କୁ ଆଦୌ ଦେଖି ପାରୁନଥାନ୍ତି । ଖାଲି ବୋଲ ମନାଇ ମଣ କରି ରଖିବାକୁ ଇଚ୍ଛା କରୁଥାନ୍ତି । କିନ୍ତୁ ଏକ ଅଲଗା ପ୍ରକାରର ମନ କରି ଯଦି ସେ କୌଣସି ସୂତ୍ରରେ ପିଲାମାନଙ୍କ ଭିତରକୁ ବାଟ ପାଇ ଯାଉଥାନ୍ତା, ତେବେ ତାହାରି ଆଳରେ ସିଏ ନିଜ ଭିତରକୁ ମଧ୍ୟ ବାଟ ପାଇଯାଆନ୍ତା । ପିଲାମାନଙ୍କର ଦର୍ପଣ ଉପରେ ନିଜର ଏକ ଅନ୍ୟ ଭଳି ପରିଚୟ ପାଆନ୍ତା । ପିଲାଟି ସହିତ ଏକତ୍ର ବାଟ ଚାଲୁଥିବା ପରି ଅନୁଭବ କରନ୍ତା । ଅର୍ଥାତ୍ ସିଏ ଅର୍ଥାତ୍ ପିଲାଟି ତା’ ସାଙ୍ଗରେ ମଧ୍ୟ ରହିଛି ବୋଲି ଅନୁଭବ କରିପାରନ୍ତା । ସିଏ ହେଉଛି ଏକ ଅନ୍ୟ ଅନୁଭବ, ଯାହା ମଣିଷକୁ ଅନ୍ୟ ମନୁଷ୍ୟମାନଙ୍କର ନିକଟ କରାଇ ଆଣିଥାଏ । ଯାହା ଶାସ୍ତ୍ରର ଅଫିମ ଦେଇ ପଡ଼ିଥିବା ଗଣ୍ଠିଗୁଡ଼ାକୁ ଫିଟାଇ ଦେଇପାରନ୍ତା । ବିଦ୍ୟାଳୟ ସେତେବେଳେ ଗୋଟିଏ ମନ୍ଦିରର ଅନୁଭବ ଆଣିଦେଇ ଯାଉଥାନ୍ତା । ପୃଥିବୀରେ ଏଭଳି ମନ୍ଦିରଟିଏ, ମସଜିଦ୍ଟିଏ ଅଥବା ଗୀର୍ଜାଟିଏ କେଉଁଠାରେ ଅଛି, ଯେଉଁଠାରେ କି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ସମସ୍ତେ ଏକାଠି ବାଟ ଚାଲି ପାରୁଥିବା ପରି ଲାଗି ପାରୁଥିବ ? ଯେଝା ଯେଝାର ସନ୍ତକ ହାତରେ ଥିବ, ଅଥଚ ସମସ୍ତେ ଏକତ୍ର ବାଟ ଚାଲି ପାରୁଥିବେ ? ବାହାରର ସନ୍ତକଗୁଡ଼ାକୁ ଦେଖି କେହି ଘାବରେଇ ଯାଉନଥିବ ।

 

ବର୍ତ୍ତମାନ ତ ହୁଏତ କାଳ ଏପରି ହେଲାଣି ଯେ, ସନ୍ତକମାନେ ମସ୍ତକରୁ କଟିଦେଶ ପର୍ଯ୍ୟନ୍ତ ଭର୍ତ୍ତି ହୋଇ ରହିଛନ୍ତି, ଅଥଚ ସମସ୍ତେ ପୂରା ଅଟକି ରହିଛନ୍ତି, କେହି ଆଗକୁ ଯାଇପାରୁ ନାହାନ୍ତି । ଅଥବା ଦୁର୍ଗତିଟି ଏପରି ଭାବେ ଘୋଟିଛି ଯେ, ଅନ୍ୟମାନେ ଅଟକି ରହିଥିବା ପରି ଦେଖାଯାଉଥିବା ବେଳେ କେବଳ ନିଜେ ହିଁ ବାଟ ଚାଲୁଥିବା ପରି ଅନ୍ଦାଜ ହେଉଛି । ଏପରି ନ ହୋଇ ଓଲଟା ହୋଇପାରନ୍ତା, ମଣିଷମାନଙ୍କ ଉପରେ ନିଘା ପଡୁ ପଡୁ ସେମାନେ ସମସ୍ତେ ବାଟ ଚାଲୁଛନ୍ତି ବୋଲି ଅନୁଭବ ହୁଅନ୍ତା ଏବଂ ହୁଏତ ସେତିକି ଦେଖିପାରିବା ମାତ୍ରକେ ସତେଅବା କାହାର ଆଶୀର୍ବାଦ ପାଇ ନିଜର ପାଦଗୁଡ଼ିକ ମଧ୍ୟ ସଚଳ ହୋଇ ଯାଉଥାଆନ୍ତେ । ଯେଉଁମାନେ ସାରା ପୃଥିବୀ ଓଟରା ହୋଇ ସେମାନଙ୍କର ନିଜ ବାଟଟିକୁ ଆସନ୍ତୁ ବୋଲି ଅଣନିଃଶ୍ୱାସୀ ହୋଇ ଧାଇଁଛନ୍ତି, ଭଗବାନ ସେମାନଙ୍କର କଥାରେ ମଙ୍ଗିଯାଇ ସତକୁ ସତ ସେହି ସ୍ଥିତିଟିକୁ ହିଁ ସମ୍ଭବ କରାଇଦେଲେ ହୁଏତ କିଛିକାଳ ନିମନ୍ତେ କେବଳ ନିଜଟିକୁ ବା ନିଜକୁ ଦେଖୁଥିବା ମଣିଷମାନେ ସେଥିରେ ବେଶ୍ ଉତ୍ଫୁଲ୍ଲ ଅନୁଭବ କରନ୍ତେ । ଉତ୍ସବ ପାଳନ କରନ୍ତେ । ମାତ୍ର ତା’ପରେ ସେମାନେ ମଧ୍ୟ ଭାରି ନୀରସ ଅନୁଭବ କରନ୍ତେ । ବାଟରେ ବୈଚିତ୍ର୍ୟ ଅବଶ୍ୟ ରହିବ, ମାତ୍ର ଭିତରେ ସୂତାଟିଏ ମଣିଷମାନଙ୍କୁ ଏକାଠି ସମ୍ଭାରି ଧରିଥିବ । ବଗିଚାରେ ଅଶେଷ ପ୍ରକାରର ଫୁଲ ଫୁଟିଥିବ ଏବଂ ପ୍ରତ୍ୟେକ ଫୁଲ ଏଡ଼େ ବଡ଼ ବଗିଚାରେ ଫୁଲଟିଏ ହୋଇ ଫୁଟିପାରିଛି ବୋଲି କୃତଜ୍ଞତାରେ ବିମୁଗ୍ଧ ହୋଇ ଉଠୁଥିବ । ତେଣୁ ଚାଲ ବାଟଟିଏ ଆବିଷ୍କାର କରିନେବା ଓ ତାହାକୁ ନିଜର ବାଟ ବୋଲି ଜାଣିବା ଏବଂ ଖୁସି ହୋଇ ସେଥିରେ ବାଟ ଚାଲିବା । ବାଟ ନ ଚାଲିବା ପର୍ଯ୍ୟନ୍ତ ବାଟକୁ ବାରୁଥିବା, ଅନ୍ୟମାନଙ୍କ ଉପରେ ଜାଲ ପକାଇ ନିଜେ ଛନ୍ଦିହୋଇ ବସିଥିବା ଥାନଟିକୁ ଟାଣି ଆଣିବାର ଅପଦମ୍ଭ କରୁଥିବା । ସେହି ଅପଦମ୍ଭକୁ ଭଗବାନଙ୍କର ଇଚ୍ଛା ବୋଲି କହିବାରେ ଲାଗିଥିବା ।

 

ଆମେ ସମସ୍ତେ ନିଜର ଇଚ୍ଛାଗୁଡ଼ିକୁ ଏପରି ଉଗ୍ରତା ସହିତ ଭଗବାନଙ୍କ ଇଚ୍ଛା ବୋଲି ଚଳାଇ ଦେବାକୁ ଜୀବନ ଭିତରେ ଆସି ପ୍ରବେଶ କରିଛୁ ଯେ, ଭଗବାନ ତାଙ୍କର ଇଚ୍ଛାଟି ଯେ ପ୍ରକୃତରେ କ’ଣ ଅର୍ଥାତ୍ ଆମକୁ ଏହି ଜଗତରେ ସିଏ କିଭଳି ବ୍ୟବହାର କରିବାକୁ ଇଚ୍ଛା କରୁଛନ୍ତି, ସେହି କଥାଟିକୁ ଆମକୁ କହିବା ନିମନ୍ତେ ବି ସିଏ ହୁଏତ କୌଣସି ବେଳ ପାଉନାହାନ୍ତି । ଆମ ଭିତରର ପଣ୍ଡାଟା ଆମକୁ ଜଗନ୍ନାଥ-ଦର୍ଶନ କରାଇଦେବ ବୋଲି ନିର୍ଭର ଦେଇ ଆମକୁ ଏପରି କାବୁକରି ଧରିଛି ଯେ, ଆମେ ମଧ୍ୟ ଭଗବାନଙ୍କର ଆମ ଲାଗି ଅଭିପ୍ରେତ କଥାଟିକୁ ଶୁଣିବାର ଅନୁକୂଳ କ୍ଷଣଗୁଡ଼ିକୁ ହରାଇ ବସିବାରେ ଲାଗିଛୁ । ସେହି କ୍ଷଣଗୁଡ଼ିକ ପ୍ରକୃତରେ ଫେରିଆସୁ । ସେଥିପାଇଁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଓ ଏପରିକି ନାସ୍ତିକ ଯାହା ହେବାକୁ ପଡ଼ୁ ପଛକେ, ଚାଲ ଆମେ ତାହା ହେବାକୁ ରାଜି ହୋଇଯିବା ।

Image

 

Unknown

ଯୁଦ୍ଧବେଳେ ଯୋଗ୍ୟତମ

 

ଦୁଇ ସରକାର କହିଲେ, ଯୁଦ୍ଧ ଲାଗି ନାହିଁ, କେବଳ ମୁକାବିଲା ହେଉଛି, ସଂଘର୍ଷ ହିଁ ଚାଲିଛି । ଏପାଖରୁ ଆମେ କହିଲୁ ଆମେ ସୀମା ଇଂଘନକାରୀଙ୍କୁ ନିକାଲି ଦେବାକୁ ଯାହା କରିବାର କରୁଛୁ, ସେ ପାଖରୁ ସେମାନେ କହିଲେ, ଆମେ ସେଥିରେ ମୋଟେ ନାହୁଁ । ଏମିତି ପୂରା ଦୁଇମାସ ଲାଗିଗଲା । ଏବେ ମଧ୍ୟ ଆମେ ଯୁଦ୍ଧଟାରେ ଜୟଲାଭ କଲୁ ବୋଲି ରଜା ପ୍ରତ୍ୟହ କହୁଥିବା ସମୟରେ ତଥାପି ଯୁଦ୍ଧର ବାସନାଟା ଆସୁଛି । ମନେହେଉଛି, ବୋଧହୁଏ କିଛି ସରିନାହିଁ-। ଯାହା ହୋଇଗଲା, ସେଥିରେ ଦିନକୁ କେତେ କୋଟିଯାଏ ବ୍ୟୟ ହେଉଥିଲା ବୋଲି ଦରବାର ପକ୍ଷ ଥରେ ଘୋଷଣା କରିଥିଲେ । ସେ ପାଖର ମଧ୍ୟ ସେହି ପରିମାଣରେ ବ୍ୟୟ ହୋଇଥିବ । ଉଭୟ ପକ୍ଷରୁ ହିଁ ମଣିଷ ମଲେ, କେତେ କେତେ ଯୁଦ୍ଧ ସରଂଜାମ ଜଳିଗଲା । ଆମର ଭାଗ୍ୟ ଯେ ଏହି ସଂକଟ ସମୟରେ ଆମ ଏପାଖେ ଜଣେ ପ୍ରକୃତରେ ପାରିବା ବଳି ସର୍ବମୁଖ୍ୟ ରହିଥିଲେ । ଦେଶଟା ଯାକକୁ ବହୁ ଉତ୍ସାହ ଦେଇ ତତାଇ ପଚାଇ ରଖିପାରିଲେ । ନିଜ ଭାଷଣରେ ସମସ୍ତଙ୍କୁ ଅନୁରୂପ ଭାବରେ ଉଦ୍ବୁଦ୍ଧ କଲେ । ଦେଶ ତମାମ ମାତିଗଲା । ଶୋଭାଯାତ୍ରା ବାହାରିଲା, କବିତାପାଠର ଉତ୍ସବମାନ ହେଲା । ସେପାଖର ପତାକାଟାକୁ କେତେ ରୋଷରେ ନିଆଁ ଲଗାଇ ପୋଡ଼ାଗଲା । ସେପାଖର ସର୍ବମୁଖ୍ୟଙ୍କର ପାଳଭୂତ ବନାଇ ପୋଡ଼ାଗଲା । ଦେଶଟାଯାକ ଏହି ଯୁଦ୍ଧ ଓ ଯୋଦ୍ଧାମାନଙ୍କ ପଛରେ ରହିଛି ବୋଲି ପ୍ରମାଣିତ ହୋଇଗଲା । ତାହାକୁ ଦରବାରୀମାନେ ଏକତା ବୋଲି କହିଲେ ।

 

ରାଷ୍ଟ୍ରର ରଜା ଆପଣାକୁ ସତକୁ ସତ କେଡ଼େ ଯୋଗ୍ୟ ବୋଲି ଦେଖାଇଦେଲେ । ସବୁ ମୁଖ୍ୟ ସବୁ କଥାକୁ ଆଦୌ ପାରନ୍ତି ନାହିଁ । ମାତ୍ର ଆମ ପଟର ରାଷ୍ଟ୍ରାଧିରାଜ ଯେ ଯୁଦ୍ଧବେଳ ନିମନ୍ତେ ବିଶେଷ ଭାବରେ ଯୋଗ୍ୟ, ସିଏ ସେକଥା ପ୍ରମାଣ କରିଦେଲେ । କାଳର ମତଲବଟାରେ ପ୍ରକୃତରେ କ’ଣ ଅଛି କେଜାଣି, ସିଏ ମୁଖ୍ୟତଃ ସେହି କଥାଟିକୁ ପରିଷ୍କାର କରିଦେବା ସକାଶେ ସୀମାନ୍ତରେ ଏକ ଗରମ ଯୁଦ୍ଧର ଅଭିନୟ କରାଇଲା, ବୀରକୁ ବୀର ବୋଲି ପ୍ରତିପାଦିତ କଲା । ଆମ କାଳରେ ରାଷ୍ଟ୍ରମାନଙ୍କର ଯୁଦ୍ଧ-ବ୍ୟାପାର ବିଷୟରେ ଗୋଟିଏ ବିଭାଗ ରହିଛି, ଯାହାକୁ ସାଧାରଣ ତମ ଆମ ବୁଝିବା ପାଇଁ ପ୍ରତିରକ୍ଷା ବିଭାଗ ବୋଲି କୁହାଯାଉଛି । ରାଷ୍ଟ୍ରମାନେ କୁଆଡ଼େ ନିଜଆଡ଼ୁ ଆଦୌ ଯୁଦ୍ଧ ହେଉ ବୋଲି ଇଚ୍ଛା କରୁନାହାନ୍ତି । ତଥାପି ପୃଥିବୀରେ ପ୍ରତ୍ୟେକ ରାଷ୍ଟ୍ର ଏହି ଯୁଦ୍ଧ ଏବଂ ପ୍ରତିରକ୍ଷା ବାବଦରେ ହିଁ ସର୍ବାଧିକ ଅର୍ଥ ବ୍ୟୟ କରୁଛନ୍ତି । ଏପରିକି, ତଥାକଥିତ ବିକାଶଶୀଳ ରାଷ୍ଟ୍ରମାନେ ମଧ୍ୟ ତାହାହିଁ କରିବାରେ ଲାଗିଛନ୍ତି । ପ୍ରତିରକ୍ଷା ସହିତ ଗୋଟିଏ ପ୍ରଚାର ବିଭାଗ ରହିଛି । ଏକ ଗୋଇନ୍ଦା ବିଭାଗ ରହିଛି । ପୃଥିବୀର ପଇସାଥିବା ଦେଶମାନେ ସାରା ପୃଥିବୀରେ ନିଜ ଗୋଇନ୍ଦା ବିଭାଗକୁ ବିଛାଇ ରଖିଛନ୍ତି । କେହି ଯେତେବେଳେ ଯୁଦ୍ଧ ଚାହୁନାହାନ୍ତି, ତେବେ କାହାଠାରୁ ଆପଣାକୁ ରକ୍ଷା କରିବା ନିମନ୍ତେ ବିଭିନ୍ନ ଦେଶର ସରକାରମାନେ ଏତେ ଏତେ ଖର୍ଚ୍ଚ କରୁଛନ୍ତି କେଜାଣି ? ଆଧୁନିକ ପୃଥିବୀରେ ଯେତେ ଯେତେ ଧର୍ମସଂକଟ ମଣିଷର ସାମୂହିକ ବ୍ୟାପାରଗୁଡ଼ିକୁ କାମୁଡ଼ି ଧରିଛି ଏବଂ ପ୍ରାୟ କାହାକୁ ହେଲେ ଆଗକୁ ଯିବାକୁ ଦେଉନାହିଁ, ଏହି ବିଡ଼ମ୍ବନାଟିକୁ ମଧ୍ୟ ଆମେ ସେଗୁଡ଼ିକ ମଧ୍ୟରେ ସାମିଲ କରି ବିଚାର କରିପାରିବା ।

 

ରାଷ୍ଟ୍ରର ମାଲିକ ଆମ ସରକାରଙ୍କୁ ପ୍ରକୃତରେ ଧନ୍ୟ ବୋଲି କହିବା ଯେ ସରକାର ଯୁଦ୍ଧଭୂଇଁ ସପକ୍ଷରେ ଦେଶବ୍ୟାପୀ ଏତେ ସହାନୁଭୂତି ସୃଷ୍ଟି କରି ପାରିଥିଲେ । ଏହି ସହାନୁଭୂତି ପ୍ରକାଶ କରିବା ସତେ ଅବା ଏକ ପୁଣ୍ୟକାର୍ଯ୍ୟରେ ଯାଇ ଏକତ୍ର ହୋଇଥିବା ପରି ଲାଗୁଥିଲା । ଆମେ ସମସ୍ତେ ଯେ ଆମ ସୈନ୍ୟବାହିନୀ ପଛରେ ରହିଛୁ, ସେହି କଥାଟିକୁ ବ୍ୟକ୍ତ କରିବାକୁ ଆମ ଇସ୍କୁଲମାନଙ୍କରେ ପଢୁଥିବା ସାନ ପିଲାମାନେ ମଧ୍ୟ ପଶ୍ଚାତପଦ ହେଲେ ନାହିଁ । ସେତେବେଳେ ଆମ ସମସ୍ତଙ୍କୁ କେତେ ଉଜାଗର ଲାଗୁଥିଲା । ଯୁଦ୍ଧଭଳି ଏକ ଅସ୍ୱାଭାବିକ ପରିସ୍ଥିତିରେ ଦେଶର ଏତେ ଏତେ ମଣିଷ କିଭଳି ସ୍ୱାଭାବିକ ଭାବରେ ଯେ ଏକତାବଦ୍ଧ ହୋଇ ଆସନ୍ତି, ଆଦୌ ପ୍ରୀତିକର ହୋଇ ନଥିଲେ ମଧ୍ୟ ସେତେବେଳେ ତଥାପି ଆଉ କିଛି ଆଗକୁ ଚିନ୍ତା କରିବାକୁ ଭାରି ଗୋଡ଼ ଖସି ଯାଉଥିଲା । ଦ୍ଵିତୀୟ ମହାଯୁଦ୍ଧ ସମୟରେ ବାବୁ ଚର୍ଚ୍ଚିଲଙ୍କ କଥା ଏଥର ଭାରି ମନେ ପଡ଼ିଯାଉଥିଲା । ସେତେବେଳେ ଇଉରୋପଟାର ଏପାଖକୁ ଗିଳିସାରି ହିଟଲରଙ୍କ ସେନାବାହିନୀ ଇଂଲଣ୍ଡକୁ ନିଜର ପରବର୍ତ୍ତୀ ଶିକାର ରୂପେ ଲକ୍ଷ୍ୟ ରଖି ସାଂଘାତିକ ବୋମାବର୍ଷଣ ଆରମ୍ଭ କରି ଦେଇଥାଏ । ସେହି ମାଡ଼କୁ ପାରିବା ଭଳି ତାକତ ଇଂଲଣ୍ଡର ଅଛି ବୋଲି ସେହି ଦେଶର ଅଧିବାସୀମାନଙ୍କର ବି ପ୍ରତ୍ୟୟ ହେଉନଥାଏ । ସେତିକିବେଳେ ରାଷ୍ଟ୍ରମୁଖ୍ୟ ହୋଇ ଚର୍ଚ୍ଚିଲ ଆସିଲେ ଏବଂ ଗଜନିସ୍ତାରଣ କଲେ । ଦେଶକୁ ଜାଗୃତ କରାଇବା ନିମନ୍ତେ ତାଙ୍କର ଓଜସ୍ୱୀ ଭାଷଣଗୁଡ଼ିକ ସତେଅବା ପୃଥିବୀର ସମର-ଇତିହାସରେ ପ୍ରାୟ ନିତ୍ୟସ୍ମରଣୀୟ ହୋଇ ରହିଗଲା । ଚର୍ଚ୍ଚିଲ୍ ନିଜକୁ ଯୁଦ୍ଧବେଳେ ଯୋଗ୍ୟତମ ବୋଲି ପ୍ରମାଣିତ କରିଦେଲେ । ସେତେବେଳର ଯୁଦ୍ଧାବହ ଭିତରୁ ପୃଥିବୀକୁ ରକ୍ଷା କରିବାରେ ପ୍ରମୁଖମାନଙ୍କ ମଧ୍ୟରେ ଜଣେ ହୋଇ ରହିଲେ । ଆମର ମହାଭାଗ୍ୟ ଯେ ଆମର ଏଥରର ଯୁଦ୍ଧ ସମୟରେ ମଧ୍ୟ ଆମକୁ ରାଷ୍ଟ୍ରମୁଖ୍ୟ ହିସାବରେ ଏପରି ଜଣେ ବ୍ୟକ୍ତି ମିଳିଗଲେ, ଯିଏକି ଖାସ୍ ଏହିଭଳି ଏକ ସଂକଟରେ ନିଜକୁ ସର୍ବୋପଯୁକ୍ତ ବୋଲି ପ୍ରତିପାଦିତ କଲେ ।

 

କିନ୍ତୁ ବିଚରା ଚର୍ଚ୍ଚିଲ । ମହାଯୁଦ୍ଧ ପରେ ବିଲାତରେ ଯେଉଁ ନିର୍ବାଚନ ହେଲା, ସେଥିରେ ଲୋକେ ତାଙ୍କ ଦଳକୁ ଜୟଯୁକ୍ତ କରାଇଲେ ନାହିଁ । ଚର୍ଚ୍ଚିଲ ଆଉ ପ୍ରଧାନମନ୍ତ୍ରୀ ହୋଇନଥିଲେ । ଚର୍ଚ୍ଚିଲ ନିଜେ କ’ଣ ଭାବିଥିବେ କେଜାଣି, ଏହି କାରଣରୁ ଆମେ ଇଂଲଣ୍ଡର ଭୋଟଦାତାମାନଙ୍କୁ କଦାପି କୃତଘ୍ନ ବୋଲି କହିପାରିବା ନାହିଁ । ଚର୍ଚ୍ଚିଲ ଯୁଦ୍ଧ ସମୟ ପାଇଁ ଯୋଗ୍ୟତମ ଅବଶ୍ୟ ଥିଲେ । ମାତ୍ର ଯୁଦ୍ଧ ପରେ ଯେଉଁ ଅନ୍ୟ ସମୟଟି ଆସି ପହଞ୍ଚିଲା, ଚର୍ଚ୍ଚିଲ ସେଥିପାଇଁ ମଧ୍ୟ ଯୋଗ୍ୟ ହେବେ ବୋଲି ତାଙ୍କ ଦେଶବାସୀଙ୍କର ପରତେ ହେଲାନାହିଁ । ଯୁଦ୍ଧବେଳର ଯୋଗ୍ୟତମ ବୋଲି ସେମାନେ ଏବେ ମଧ୍ୟ ଚର୍ଚ୍ଚିଲଙ୍କୁ ଯୋଗ୍ୟତମ ବୀରର ସମ୍ମାନ ଦେଉଛନ୍ତି । ମାତ୍ର, ଯୁଦ୍ଧବେଳର ବୀରଟି ଯେ ଶାନ୍ତି ସମୟରେ ମଧ୍ୟ ସମାନ ଭାବରେ ଯୋଗ୍ୟ ହୋଇପାରିବେ, ତାହାର ଆଦୌ କୌଣସି ସ୍ଥିରତା ନାହିଁ ବୋଲି ଇଂଲଣ୍ଡବାସୀ ଯୁଦ୍ଧ ପରେ ଆଉଜଣଙ୍କୁ ଏବଂ ଆଉ ଗୋଟିଏ ଦଳକୁ ବାଛି ନେଲେ । ଚର୍ଚ୍ଚିଲ ଅସ୍ତମିତ ହେଲେ । ଇଂଲଣ୍ଡ ରହିଲା, କାଳ ଆଗକୁ ଅଗ୍ରସର ହୋଇଗଲା ।

 

ଆମର ଏଠାରେ ବର୍ତ୍ତମାନ ଏକ ବିଶେଷ କୁହୁକ କାମ କରିଥିବା ପରି ସମସ୍ତଙ୍କର ନିଘା ଏହି ଯୁଦ୍ଧଟା ଉପରେ ହିଁ ରହିଛି । ଯୁଦ୍ଧଟାକୁ ହଁ ସତେଅବା ଏକମାତ୍ର କୁରୁକ୍ଷେତ୍ର ବୋଲି ବିଚାର କରାଯାଉଛି । ଆମେ ସମସ୍ତେ ଏକ ଅସ୍ୱାଭାବିକ ପୃଥ୍ଵୀସ୍ଥିତିରେ ବାସ କରୁଥିବା ସମୟରେ ସିନା ପୃଥିବୀର ସର୍ବାଧିକ ପଇସା ସେହି ସାମରିକ ଧନ୍ଦାଟା ପାଇଁ ଖରଚ କରାଯାଉଛି, ମାତ୍ର ତାହାକୁ କଦାପି କୌଣସି ଯୁକ୍ତିରୁ ମଧ୍ୟ ଆଦୌ ଲୋକଜୀବନର ସବାବଡ଼ ଉଦ୍ୟମ ବୋଲି କୁହାଯାଇ ପାରିବ ନାହିଁ । ଏହି ଯୁଦ୍ଧଟା ତ ବେଳେ ବେଳେ ଲାଗେ । ମାତ୍ର ଆଉଗୋଟାଏ ଯୁଦ୍ଧ ଯେ ପୃଥିବୀରେ ଆବହମାନ କାଳରୁ ଲାଗିରହିଛି, ସେଇଟା ବିଷୟରେ ଅନ୍ୟମନସ୍କ ହେବାକୁ ମନକଲେ ତାହା ପ୍ରକୃତରେ ଏକ ଚରମ ନିର୍ବୋଧତା ହିଁ ହୋଇ ରହିବ । ବେଳେ ବେଳେ ମନେ ହୋଇଥାଏ ଯେ, ରାଷ୍ଟ୍ରମାନେ ଏହି ଅସଲ ଯୁଦ୍ଧଟାକୁ ପାରନ୍ତି ନାହିଁ ବୋଲି ହୁଏତ କୌଣସି ପ୍ରକାରେ ଲୋକମାନଙ୍କର ଦୃଷ୍ଟିକୁ ଅନ୍ୟଆଡ଼େ ମୁହାଁଇ ରଖିବାକୁ ଏହି ଅନ୍ୟ ହତିଆର ଦ୍ୱାରା କରାଯାଉଥିବା ଯୁଦ୍ଧଗୁଡ଼ାକୁ ଆରମ୍ଭ କରିଦିଅନ୍ତି । ଭାରି ଭାବପ୍ରବଣ କରିଦିଅନ୍ତି ।

 

ତେଣୁ ସୈନ୍ୟସାମନ୍ତ ଓ ଗୁଳିବାରୁଦକୁ ନେଇ ଘଡ଼ିଏ ଦାନବବୃତ୍ତି କରି ସରକାର ସରକାର ଭିତରେ ଯେଉଁ ଯୁଦ୍ଧ ବେଳେବେଳେ ହୁଏ, ତାହା ଅସଲ ଯୁଦ୍ଧ ମୋଟେ ନୁହେଁ । ଭାରତବର୍ଷ ପାକିସ୍ତାନର ଅସଲ ଶତ୍ରୁ ନୁହେଁ କି ପାକିସ୍ତାନ ମଧ୍ୟ ଭାରତବର୍ଷର ଅସଲ ଶତ୍ରୁ ନୁହେଁ । ଆମର ଯୁଗ ଯୁଗର ଅସଲ ଶତ୍ରୁ ଆମ ଘରଭିତରେ । ଏହି ଅସଲ ଶତ୍ରୁଟି ସହିତ ଯୁଦ୍ଧ କରି ଆମେ ଆମ ନିଜ ନିଜ ଭୂଇଁରେ ଏକ ଅନ୍ୟଭଳି ନିୟତିର ନିର୍ମାଣ କରିବୁ ବୋଲି ଏକଦା ରାଜନୀତିକ ସ୍ୱାଧୀନତା ଲାଭ କରିଥିଲୁ । ଏହି ଯୁଦ୍ଧ ସାମାଜିକ ଅସମାନତା ବିରୋଧରେ ଯୁଦ୍ଧ, ସାମାଜିକ ନ୍ୟାୟ ପାଇଁ ଯୁଦ୍ଧ, ଅଶିକ୍ଷାର ଅନ୍ଧାର ସହିତ ଯୁଦ୍ଧ ଏବଂ ପ୍ରତ୍ୟେକ ମନୁଷ୍ୟକୁ ମନୁଷ୍ୟର ଅର୍ଥାତ୍ ଜଣେ ପୂର୍ଣ୍ଣ ନାଗରିକର ସ୍ୱୀକୃତି ଦେଇ ଏଠି ଯାବତୀୟ ଉଦ୍ୟମ ଏବଂ ପ୍ରତିଷ୍ଠାର କ୍ଷେତ୍ରରେ ଆଣି ଆସୀନ କରାଇବାର ଯୁଦ୍ଧ । ପାକିସ୍ତାନରେ ସେଇ ଯୁଦ୍ଧ, ଭାରତବର୍ଷର ସେଇ ଯୁଦ୍ଧ । କଟକରେ ସେଇ ଯୁଦ୍ଧ ଏବଂ କୋରାପୁଟରେ ମଧ୍ୟ ସେହି ଯୁଦ୍ଧ । ଆମ ଉତ୍କଳକୁ କଟକରୁ ଦେଖୁଥିବା କେତେକ ବାବୁ ଯେପରି କୋରାପୁଟକୁ ସତେଅବା କାହାଠାରୁ ଜୟକରି ଆଣି ନିଜର ଜମିଦାରୀଟା ଭିତରେ ମିଶାଇଥିବା ପରି ଏବେ ମଧ୍ୟ ଭାବନ୍ତି, ସେହି ବର୍ବରତା ସହିତ ସଭ୍ୟତାର ଯୁଦ୍ଧ, ମାନବସ୍ୱପ୍ନର ଯୁଦ୍ଧ । ସରକାରମାନେ କାରଗିଲ୍କୁ ପାରୁଛନ୍ତି, କାଶ୍ମୀରକୁ ପାରୁଛନ୍ତି, ମାତ୍ର ଏହି ଅସଲ ଯୁଦ୍ଧଟିକୁ କାହିଁକି ପାରୁନାହାନ୍ତି କେଜାଣି ? ଏଠି ପାରୁନାହାନ୍ତି ବୋଲି ସେଠି କାଢ଼ ଦେଖାଇବାକୁ ଦଶଭୁଜ ଓ ଦ୍ଵାଦଶମୁଣ୍ଡ ହୋଇ ବାହାରି ପଡୁଛନ୍ତି କି ? ବିଗତ ପଚାଶ ବର୍ଷ ହେଲା ରାଷ୍ଟ୍ର ଏହି ଯୁଦ୍ଧରେ ବସ୍ତୁତଃ କେବଳ ହାରି ହାରି ଆସିଛି । ଖାଲି ଧୋକା ଦେଇଛି । ଶତକଡ଼ା ପାଞ୍ଚ କି ଦଶ ଆମ ଜାତି ଓ ଆମ ଦେଶ କହି ଗଗନ ପ୍ରକମ୍ପିତ କରୁଛନ୍ତି । ଭାରତବର୍ଷ ତଥା ପାକିସ୍ତାନ ଉଭୟ ଦେଶରେ ଧୋକାଟା ହିଁ ରାଜତ୍ୱ କରୁଛି । ଅଳପ ମଣିଷ ବହୁତଙ୍କୁ ଧୋକା ଦେବାରେ ଲାଗିଛନ୍ତି ଏବଂ ଭାରତମାତାଙ୍କୁ ନେଇ ଶବ୍ଦର ମାଣିକ୍ୟରେ କବିତା ଲେଖି ଖୋଦ୍ ରଜାମାନେ ହିଁ ଆମକୁ ଅନ୍ୟମନସ୍କ କରିବାର ଫିକର କରୁଛନ୍ତି ।

 

ଏହି ଧୋକାଟା ହେଉଛି ସମ୍ପ୍ରତି ଆମ ପୃଥିବୀରେ ଅଧିକରୁ ଅଧିକ ଭୂମି ଗୁଡ଼ିକର ସମସ୍ୟା । ଖାଲି ଭାରତବର୍ଷ ଅଥବା ଖାଲି ପାକିସ୍ତାନର ସମସ୍ୟା ନୁହେଁ । ପୃଥିବୀର ଧର୍ମମାନେ, ପୃଥିବୀଯାକର ପାଠୁଆମାନେ, ପୃଥିବୀର ଯଖ ଏବଂ କୁବେରମାନେ ସେହି ଧୋକାକୁ ଦୀର୍ଘସ୍ଥାୟୀ କରି ରଖିବାରେ ଅମାତ୍ୟ ବନି ସାହାଯ୍ୟ ହିଁ କରୁଛନ୍ତି । ପୃଥିବୀଯାକର ସାହିତ୍ୟ ସେହି ଧୋକାଟା ପକ୍ଷରେ ବୟସ୍ୟ ସାଜି ବସିଛି । ଜାତୀୟତାବାଦର ଯାବତୀୟ ପ୍ରଦର୍ଶନ ବଟୁ ସାଜିଛି । ଭରଣ ଭରଣ ପଇସା ଖରଚ ହୋଇ ଗଦା ଗଦା ବୋମା ଓ ବୋମାର ଭଳି ଭଳି ବଡ଼ବୋପାମାନଙ୍କୁ ଗଦାକରି ରଖିବାକୁ ଅଧିକାଂଶ ବିଜ୍ଞାନ ମଧ୍ୟ ତାହାରି ପାଖରେ ଗୋଲାମୀ ଖଟୁଛି । ଅଳପ ମଣିଷ ରଜା ହୋଇ ରହିବେ ବୋଲି ବହୁତ ମଣିଷଙ୍କର ଘରକୁ ଅନ୍ଧାର କରି ରଖାଯାଇଛି । ଏସବୁକୁ ବଦଳାଇବା ନିମନ୍ତେ କୋଉ ରାଷ୍ଟ୍ରର ବଳ ନାହିଁ । ହୁଏତ ଇଚ୍ଛା ମଧ୍ୟ ନାହିଁ । ଜଣକ ପରେ ଜଣେ, ଗୋଟାଏ ଦଳ ପଛକୁ ଆଉ ଗୋଟାଏ ଦଳ ଲୋକଭାଗ୍ୟକୁ ବଦଳାଇ ଦେବେ ବୋଲି ସତେ ଅବା ପହିଲିମାନ ବନି ଗାଦିରେ ଆସି ବସି ଯାଉଛନ୍ତି । ମାତ୍ର ସତେ ଅବା ବିକି ହୋଇ ଯାଉଛନ୍ତି । ଯେଉଁ ଯୁଦ୍ଧରେ ପୃଥିବୀରେ ଶହେରେ ଅଶୀ ବା ନବେ ମଣିଷ ସମ୍ପୃକ୍ତ, ସେହି ଯୁଦ୍ଧକୁ ଏହି ସରକାରୀ ପହିଲିମାନମାନେ ଯେ ମୋଟେ ଲଢ଼ିପାରିବେ ନାହିଁ, କିଣିହୋଇ ସେପଟକୁ ଆଉଜି ପଡ଼ିବେ, ଆମ ନିଜ ଘର ଏହି ଭାରତବର୍ଷରେ ମଧ୍ୟ ଅନାଇଦେବା ମାତ୍ରକେ ସେଥିରୁ ପୁଞ୍ଜାଏ ବା ପଚିଶିଟା ଦୃଷ୍ଟାନ୍ତ ନିଶ୍ଚିତ ଭାବରେ ନଜରରେ ଆସି ପଡ଼ିଯିବେ । ଭାଗ୍ୟ ବଦଳିବାର ସେହି ଅସଲ ଯୁଦ୍ଧଟି ହୁଏତ ବହି ଭିତରେ ରହିଯିବ, କବିମାନଙ୍କର କବିତା ହୋଇ ରହିଯିବ । ପଦେ ପଦେ ଧୋକାଟା ହିଁ ଅଙ୍କୁଶ ହୋଇ ଶାସନ କରିବାରେ ଲାଗିଥିବ ।

 

ତେଣୁ ଗୋଟାଏ ପାଖରେ ପ୍ରତିରକ୍ଷା ଆଉ ଗୋଟାଏ ପାଖରେ ଲୋକରକ୍ଷା । ରାଷ୍ଟ୍ରମାନେ ପ୍ରତିରକ୍ଷା କହିଲେ କାହିଁକି ଦେଶରକ୍ଷାକୁ ବୁଝନ୍ତି କେଜାଣି ? ଅସଲ ଦେଶରକ୍ଷା ହେଉଛି ଲୋକମାନଙ୍କର ରକ୍ଷା । ଲୋକନିର୍ମାଣ ଦ୍ୱାରା ଲୋକମାନଙ୍କର ରକ୍ଷା । ଏହି ନିର୍ମାଣ ଶିକ୍ଷା ଦ୍ୱାରା ହେବ, ବିଜ୍ଞାନ ଦ୍ଵାରା ହେବ, ଆର୍ଥିକ ଏବଂ ସାମାଜିକ ନ୍ୟାୟର ପ୍ରତିଷ୍ଠା ଦ୍ଵାରା ହୋଇପାରିବ-। ଭାରତବର୍ଷରେ ସ୍ୱାଧୀନତା ପରେ ଶିକ୍ଷା ନାମରେ ବାବୁମାନେ ଯାହାର ପ୍ରବର୍ତ୍ତନ କରିଛନ୍ତି, ତଦ୍ଦ୍ୱାରା କେବଳ କେତେକଙ୍କୁ ଅଧିକ ଚତୁର ଓ ଅଧିକ ଲମ୍ପଟ ହେବାଲାଗି ହିଁ ଫନ୍ଦିମାନ ବତାଇ ଦିଆଯାଇଛି । ଦେଶର ସବୁ ପିଲାଙ୍କୁ ଗୋଟିଏ ଘରେ ବସାଇବାର ଯାବତୀୟ ଆନୁଷ୍ଠାନିକ ଶିକ୍ଷାର ଯେଉଁ ସର୍ବନିମ୍ନ ଭଦ୍ରତା, ଆମ ବାବୁମାନେ ନାନା କୌଶଳ ଦ୍ୱାରା ଏଠି ସେତିକିକୁ ମଧ୍ୟ ସମ୍ଭବ ହେବାକୁ ଦେଇନାହାନ୍ତି । ବିଜ୍ଞାନଟା ତ ପୃଥିବୀରେ ସାମନ୍ତମାନଙ୍କର ପାରିଜାତପୁଷ୍ପ ହୋଇ ରହିଛି ଏବଂ ଭାରତବର୍ଷ ତଥା ପାକିସ୍ତାନରେ ବୈଜ୍ଞାନିକ ସାମନ୍ତମାନେ ଅନ୍ତରୀକ୍ଷ ଗସ୍ତ କଲେଣି, ଆମେରିକା ପରି ବ୍ରହ୍ମାସ୍ତ୍ର ଗଢ଼ି ବି ଥୋଇଦେଲେଣି ଏବଂ ଦୂରଦର୍ଶନରେ ଜଗନ୍ନାଥଙ୍କ ଦର୍ଶନ ସିନା କଲେଣି, ମାତ୍ର ନିକଟଦର୍ଶନ ନିମନ୍ତେ ପ୍ରାୟ କୌଣସି ଉଦ୍ୟମ ଆରମ୍ଭ ହୋଇନାହିଁ । ଲୋକମାନଙ୍କର ଅବସ୍ଥା ବଦଳାଇବାକୁ ବିଦେଶରୁ ଋଣ ଅଥବା ସହାୟତା ସୂତ୍ରରେ କୋଟି ପରିମାଣରେ ପଇସା ଆସୁଛି, କିନ୍ତୁ ତାହା ତଳଯାଏ ପହଞ୍ଚିପାରୁନାହିଁ । ତାପରେ ଆର୍ଥିକ ସମୃଦ୍ଧି ଆଉ କୋଉ ବାଟରେ ହୁଅନ୍ତା ? ପୁରୁଣା ସମାଜଟା ସେହି ଆଦିମ ଯୁଗର ନିର୍ମମ ଗଣ୍ଡାରଟା ପରି ପଡ଼ିରହିଛି । ଶିକ୍ଷିତମାନେ ସତେଅବା ପରସ୍ପର ସହିତ ଆଲୋଚନା କରି ଦେଶରେ ସବୁଠାରୁ ଅଧିକ ରକ୍ଷଣଶୀଳ ହୋଇ ରହିଛନ୍ତି । ଭାରି ଦୟନୀୟ ଭାବରେ ଭୀରୁ ହୋଇ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଯେଉଁମାନେ ହାକିମ ଓ ଅମଲା ହୋଇ ସରକାରୀ ଯନ୍ତ୍ରଗୁଡ଼ାକୁ ଚଲାଉ ଚଲାଉ ପ୍ରାୟ ଯନ୍ତ୍ରପରି ହୋଇଗଲେଣି, ସେମାନେ ମଧ୍ୟ ନିଜ ନିରାପତ୍ତା ଦୃଷ୍ଟିରୁ ଲୋକମାନଙ୍କ ପଟେ ନାହାନ୍ତି । ଅବିବେକୀ ଶାସନଟାକୁ ନିତ୍ୟ ଅବିବେକୀ କରି ରଖିବାରେ ସେମାନେ ଆବଶ୍ୟକ ଦୁଷ୍ଟବୁଦ୍ଧି ଗୁଡ଼ିକୁ ଯୋଗାଇ ଦେଉଛନ୍ତି । ନିଜକୁ ଲୋକମାନଙ୍କ ସହିତ ସାମିଲ କରିବା ନିମନ୍ତେ ସେମାନଙ୍କୁ ଲାଜ ବି ମାଡୁଛି । ଆପଣାର ଧୋବ ଉଦାସୀନତା ଗୁଡ଼ାକ ହିଁ ସେମାନଙ୍କୁ ପ୍ରାୟ ଉଦ୍ୟମହୀନ କରି ରଖିଛି । ପୁରୁଣା ଗୁଳାଗୁଡ଼ାକରେ ସେମାନେ ନାକ ପର୍ଯ୍ୟନ୍ତ ପୋତି ହୋଇ ରହିଛନ୍ତି । ଭଦ୍ର ଦିଶୁଛନ୍ତି, ଭଦ୍ର ହୋଇ ପାରୁନାହାନ୍ତି । ଭୀରୁ ମଣିଷମାନେ ଖାଲି ଖାପ ଖାଇଯିବାରେ ଲାଗିଥାନ୍ତି ସିନା, ଯଥାର୍ଥରେ ଭଦ୍ର ହୋଇ ପାରନ୍ତି ନାହିଁ । କେବଳ ବୋଲ ମାନୁଥିବା ସାଧୁମାନେ ଆପଣାର ବିବେକ ପାଖରେ ସର୍ବଦା ଚୋର ହୋଇ ରହିଥାନ୍ତି ।

 

ସବାଶେଷକୁ ରହିଲେ ସେହି ସଂଖ୍ୟାଧିକମାନେ । ଯେଉଁମାନେ ଘୁଷୁରି ହୋଇ ରହିଛନ୍ତି, ବଂଚିତ ହେଉଛନ୍ତି । ସେମାନଙ୍କ ପାଇଁ କର୍ମବାଦ କାଳ ହୋଇଛି । ମଣିଷ ବା ମଣିଷମାନେ ନିଜେ ଚେତିଲେ ଯେ କର୍ମର ଚକକୁ ଗଡ଼ାଇଦେଇ ପାରନ୍ତି, ସେମାନଙ୍କୁ କିଏ ଏହି ସର୍ବମୂଳ କଥାଟି କହିବାର ଯୋଗ୍ୟ ହୋଇପାରିବ ? ଏକଦା ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ଅନୁସାରେ ସର୍ବହରା ବୋଲି କୁହାଯାଉଥିଲା । ସେହି ସର୍ବହରା ପକ୍ଷର ପ୍ରତିନିଧତ୍ୱ କରି ଯେଉଁମାନେ କ୍ଷମତାକୁ ଆସିଲେ, ସେମାନଙ୍କ ଭିତରେ କେଉଁଠାରେ କ’ଣ ଖୁଣ ରହିଯାଇଥିବା ପରି ସେମାନେ ସତେଅବା ସର୍ବଭକ୍ଷ ହେଲେ, କାଳଟାକୁ ବଡ଼ ହନ୍ତସନ୍ତ କରି ପଛକୁ କେତେ ପାଦ ଗଡ଼ାଇ ନେଇଗଲେ । ଭାରତବର୍ଷରେ କେତେଜଣ ସନ୍ଥ ଓ ମହାପୁରୁଷ ସବାତଳ ମଣିଷମାନଙ୍କର କଥାକୁ ଧର୍ମୀୟତାର କିଞ୍ଚିତ୍ ସୁଗନ୍ଧି ଲଗାଇ କହିଥଲେ ସିନା, ମାତ୍ର ସେମାନେ ବି ଉପରବାଲାଙ୍କର ଚାଲାଖି ଦ୍ୱାରା ନିର୍ମିତ ଦେଉଳମାନଙ୍କରେ ମୂର୍ତ୍ତି ହୋଇ ରହିଲେ । ପାଠ୍ୟ ପୁସ୍ତକରେ ପିଲାମାନେ ସେମାନଙ୍କର କଥାକୁ ପଢ଼ିବାକୁ ପାଇଲେ ସିନା, ମାତ୍ର ଉପେକ୍ଷିତମାନେ ତଥାପି ଉପେକ୍ଷିତ ହୋଇ ରହିଲେ । କୋଉ ରାଷ୍ଟ୍ରର ହିମ୍ମତ ଅଛି, ସେମାନଙ୍କ ପାଖକୁ ଯିବ, ସେମାନଙ୍କୁ ଆଗାମୀ ଉଦ୍ୟମଗୁଡ଼ିକର ସବାଆଗ ଧାଡ଼ିରେ ରଖିବ ? କୋଉ ରାଜନୀତିର ହିମ୍ମତ୍ ଅଛି, ନିଜ ନିଜର ଦଳ ଭିତରେ ମଣ୍ଡୁକବତ୍ ନରହି ସେମାନଙ୍କୁ ଲୋଡ଼ିବ, ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ସେମାନଙ୍କର ବିଶ୍ୱାସଭାଜନ ହେବ ? କୋଉ ସ୍ୱେଚ୍ଛାସେବୀ ସଂଗଠନର ହିମ୍ମତ ଅଛି, ବାରିଆଡୁ ସାଉଁଟି ଆଣୁଥିବା ଅର୍ଥ ଏବଂ ଜ୍ଞାନକୁ ପୂର୍ଣ୍ଣ ସଂକଳ୍ପର ସହିତ ସେହିମାନଙ୍କୁ ଶକ୍ତି-ସଚେତନ କରି ଆଣିବାରେ ହିଁ ନିୟୋଜିତ କରିବ । ଭାରତବର୍ଷରେ ଏହାହିଁ ସମ୍ଭବତଃ ସବୁଠାରୁ ବଡ଼ ସମସ୍ୟା ଓ ସବୁଠାରୁ ବଡ଼ ଆହ୍ୱାନ । ଯିଏ ଏହି ଜାଗାକୁ ଆସି ତଥାପି ହାରିଯିବ, ସିଏ ଯାବତୀୟ ଅର୍ଥରେ ଆମର ଏହି କାଳରେ ସର୍ବାଧିକ ପକ୍ଷଟିକୁ ଧୋକା ଦେଇ ଆସିଥିବା ଶିବିରଟି ଭିତରେ ହିଁ ସାମିଲ ହୋଇଯିବ । କାଳର ପୁନରାବୃତ୍ତି ହେବାରେ ସହାୟକ ହେବ । ପାକିସ୍ତାନରେ ଏବଂ ଭାରତବର୍ଷରେ ବିଗତ ପଚାଶବର୍ଷ ହେଲା ସେହି ଅନ୍ୟ ଯୋଦ୍ଧାମାନଙ୍କ ଲାଗି ଅପେକ୍ଷା ରହିଛି । ଅସଲ ଯୋଦ୍ଧାମାନେ କାଳେ କାଳେ ରାଷ୍ଟ୍ରଶକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି । ଆମ ଭାରତବର୍ଷ ଓ ପାକିସ୍ତାନରେ ମଧ୍ୟ ଅସଲ ମୁହୂର୍ତ୍ତଟି ଆସି ପହଞ୍ଚିଲେ ତାହାହିଁ ହେବ ।

Image

 

ଭାବ ବୋହିଗଲେ ଯାହା ହୁଏ

 

ଏବର୍ଷ ଆରମ୍ଭରେ ଏକ ଓଡ଼ିଆ ପତ୍ରିକାରେ କୌଣସି ହିନ୍ଦି କବିତାର ଏକ ଅନୁବାଦ ପ୍ରକାଶ ପାଇଥିଲା । ଠିକେ ଠିକେ କବିତାଟିର ମର୍ମଭାବଗୁଡ଼ିକ ହେଉଛି, ତୁମେ ଭଲ କଲ ଏତେଗୁଡ଼ିଏ କବିତା ଲେଖିଲ । ଭଲ କଲ ଏତେଗୁଡ଼ିଏ ବହି ଛପାଇଲ । କିନ୍ତୁ କହିଲ, ତୁମେ କେତୋଟି ଗଛ ଲଗାଇଛ । କାରଣ, ତୁମର ଗୋଟାଏ ବହି ଛପାହେବ ବୋଲି ଯେଉଁ କାଗଜ ଲାଗିଥିବ, ସେଥିପାଇଁ ଶହେଟି ଗଛ କଟାହୋଇ ଥିବ । ଏବଂ, ଶହେ ଗଛ କଟା ହେବା ଫଳରେ କେତେ ନଈ ଶୁଖି ଯାଇଥିବେ, କେତେ ପାହାଡ଼ ଭୁଷୁଡ଼ି ପଡ଼ି ମାଟିରେ ମିଶିଥିବେ । ଏହାର ଅର୍ଥ ହେଉଛି, ତୁମେ କବିତା ଲେଖୁନାହଁ ଯେ, ପ୍ରକୃତିରେ ଭାରସାମ୍ୟ ରହିବାର କ୍ଷେତ୍ରରେ ବାଧା ସୃଷ୍ଟି କରୁଛ, ମରୁଭୂମିକୁ ଜନ୍ମ ଦେଉଛ । ତୁମର ଏହି ଅପରାଧ ନିମନ୍ତେ ଉତ୍ତର ପୁରୁଷ ଓ ଇତିହାସ ହୁଏତ ତୁମକୁ କ୍ଷମା କରିପାରନ୍ତି । କିନ୍ତୁ ଏହି ଗଛମାନେ କଦାପି କ୍ଷମା କରିବେ ନାହିଁ । କବିତା ସବୁ ଲେଖିଲ ବୋଲି ତୁମେ ସମ୍ଭବତଃ ପୁରସ୍କାର ଓ ସମ୍ମାନ ପାଇବ, ମାତ୍ର ଗଛମାନଙ୍କର ଅଭିଶାପ ମଧ୍ୟ ତୁମ ଉପରେ ପଡ଼ିବ । ତେଣୁ ହେ କବି, ଏବେ ମଧ୍ୟ ସମୟ ଅଛି, ତୁମେ ଅଟକିଯାଅ । ଅର୍ଥାତ୍, ଆଉ କୌଣସି କବିତା ନ ଲେଖିବାକୁ ଏତଦ୍ଦ୍ୱାରା ସତର୍କ କରି ଦିଆଯାଇଛି କି ? ପୁନଶ୍ଚ, କବିତାର ଶେଷ ପଂକ୍ତି ଗୁଡ଼ିକରେ କୁହାଯାଇଛି, ଗଛର ବିଚ୍ଛେଦରେ ଏବେ ଗଛରେ ବସୁଥିବା ଚଢ଼େଇମାନେ ସିନା ଶୋକ ପାଳନ କରିବେ, କିନ୍ତୁ କବି ମରିଯିବା ପରେ ତାଙ୍କର କବର ଉପରେ ପତରେ ଘାସ ମଧ୍ୟ କେବେହେଲେ କଅଁଳିବ ନାହିଁ ।

 

ଏବେ କାରଗିଲ୍ରେ ଯୁଦ୍ଧ ଲାଗିଥିବା ସମୟରେ ସାନ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ଗୋଟିଏ ପତ୍ରିକାରେ ମଧ୍ୟ ଗୋଟିଏ ଏପରି କବିତା ବାହାରିଥିଲା, ଯାହାକି ଓଡ଼ିଶାରେ ସମସ୍ତେ ଶୁଣିଥିବା କାଞ୍ଚି କାବେରୀ ଉପାଖ୍ୟାନଟିକୁ ମନେପକାଇ ଦେଉଥିଲା । ଓଡ଼ିଶାର ରାଜା କାଞ୍ଚି ଅଭିଯାନରେ ବାହାରିଥିଲେ । ସେଠାରେ ସିଏ କାଞ୍ଚି ରାଜାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ପରାସ୍ତ କରିବେ ଓ ରାଜକନ୍ୟାକୁ ଓଡ଼ିଶାକୁ ଆଣିବେ । ରାଜା ପୁରୁଷୋତ୍ତମ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ । ତେଣୁ, ଭକ୍ତ ଯୁଦ୍ଧକୁ ଅନୁକୂଳ କରିବା ପୂର୍ବରୁ ଜଗନ୍ନାଥ ତାଙ୍କ ବଡ଼ଭାଇଙ୍କୁ ସାଙ୍ଗରେ ନେଇ ଦୁଇଟା ଘୋଡ଼ାରେ ସବାର ହୋଇ ଆଗ କାଞ୍ଚି ବାହାରି ଯାଇଥିଲେ । ପ୍ରାୟ ସେହି ସମୟରେ ରଚିତ ଗୋଟିଏ ପୋଥି ଅନୁସାରେ ପୁରୁଷୋତ୍ତମ କାଞ୍ଚିରେ ପହଞ୍ଚିବା ପୂର୍ବରୁ ହିଁ କାର୍ଯ୍ୟ ହାସଲ ହୋଇ ସାରିଥିଲା । ଜଗନ୍ନାଥ ବଳଭଦ୍ର କାଞ୍ଚିରାଜାଙ୍କ ଇଷ୍ଟଦେବ ଗଣେଶଙ୍କୁ ପରାସ୍ତ କରିଦେବାରୁ ରାଜା ପୁରୁଷୋତ୍ତମଙ୍କ ପାଖରେ ଛାଏଁ ଛାଏଁ ପରାଜୟ ସ୍ୱୀକାର କରିଥିଲେ । ଏବେ ବାହାରିଥିବା କବିତାରେ ମଧ୍ୟ ପିଲାଙ୍କର ମନକୁ ଉଷତ କରିବା ନିମନ୍ତେ ଜଗନ୍ନାଥ ବଳଭଦ୍ର ଭାରତ ପକ୍ଷରୁ ଘୋଡ଼ାରେ ଚଢ଼ି କାରଗିଲ୍ ରଣକ୍ଷେତ୍ରକୁ ଅବଶ୍ୟ ଯାଇଛନ୍ତି ବୋଲି କୁହାଯାଇଥିଲା । ମତଲବ ହେଉଛି, ଆମେ ଯେତେବେଳେ ନ୍ୟାୟରେ ଯୁଦ୍ଧଟିଏ ଲଢୁଛୁ, ଆମ ଠାକୁରେ ମଧ୍ୟ ଅଲବତ ଆମ ପଟେ ରହିଛନ୍ତି । ଠାକୁରେ ଘୋଡ଼ା ଚଢ଼ି କାରଗିଲ୍ ଯାଇଛନ୍ତି ବୋଲି ପତ୍ରିକାରୁ ପଢ଼ି ପିଲାମାନେ ବଡ଼ ଚମତ୍କୃତ ହୋଇଥିବେ । ଭାବ ବୋହିଗଲେ ଠିକ୍ ଏହିପରି ହୋଇଥାଏ । ଏବଂ, ପାକିସ୍ତାନରେ ମଧ୍ୟ ଯେ ଏହିପରି ଭାବବିଗଳିତ ଭାବରେ ସେପଟ ଠାକୁରଙ୍କୁ ବ୍ୟବହାର କରି କବିତା ବା ଆଉ କିଛି ଲେଖା ହୋଇନଥିବ, ସେକଥା ନାହିଁ ବୋଲି କିଏ କାହିଁକି କହିବ ? ସମ୍ଭବତଃ ଯୁଦ୍ଧ ହେଉଛି ଏପରି ଗୋଟିଏ ବେଳ, ଯେତେବେଳେ ଭାବମାନେ ଆଦୌ ଥୟ ହୋଇପାରନ୍ତି ନାହିଁ ଏବଂ ବାଲୁ ବାଲୁ ହୋଇ ବୋହି ଯାଆନ୍ତି ।

 

ପଞ୍ଚଷଠି ମସିହାରେ ଯେତେବେଳେ ପାକିସ୍ତାନ ଓ ଭାରତ ଭିତରେ ଗୋଟାଏ ଯୁଦ୍ଧ ଲାଗିଥିଲା, ସେତେବେଳେ ଉତ୍ତର ଭାରତରେ ଗୋଟିଏ ଛବି ବିକ୍ରି ହେଉଥିଲା । ଛବିରେ ଚାରି ପାଞ୍ଚବର୍ଷର ଗୁଲୁଗୁଲିଆ ଫୁଲାମୁହଁ ପୁଅ ପିଲାଟିଏ, ମୁହଁଟା ସତେ ଅବା ଗୋଟାଏ ବ୍ରାହ୍ମଣୀ ବେଙ୍ଗ ପରି ତୋରା ଚକ୍ଚକ୍ ଦେଖାଯାଉଛି । ହାତରେ କେଡ଼େ ବନ୍ଧୁକଟାଏ ଧରିଛି ଏବଂ ମାଆକୁ ଗେହ୍ଲେଇ ହୋଇ କହୁଛି- ମାଆ ମତେ ବନ୍ଧୁକଟାଏ ଦେ, ମୁଁ ପାକିସ୍ତାନ ସହିତ ଲଢ଼େଇ କରିବାକୁ ଯିବି । ପିଲାଙ୍କ ମନରେ ଦେଶପ୍ରେମ ଏବଂ ଦେଶ ପାଇଁ ଆତ୍ମବଳିଦାନ ଭାବର ଜାଗୃତି ଘଟାଇବାକୁ ବିଜ୍ଞାପନୀ ବ୍ୟବସାୟୀମାନେ କେତେ ବୁଦ୍ଧି ଖରଚ କରି ସେହି ଛବିଟିକୁ ଫାନ୍ଦିଥିବେ । ଅନେକଙ୍କ ମତରେ ସାହିତ୍ୟ ବି କୁଆଡ଼େ ସେହିପରି ଫାନ୍ଦେ । କେତେକ କବି ମଧ୍ୟ ହୁଏତ ସେହିପରି ଫାନ୍ଦନ୍ତି ଓ ଭାବୋଦ୍ରେକର ସତ ଉଦ୍ଦେଶ୍ୟଟିଏ ରଖି ଭାବକୁ ଗୋଟା ସୁଦ୍ଧା ଭେଷରା କରିଦିଅନ୍ତି । ଏବଂ, ସେହି ଉପଦ୍ରବ ଭିତରେ ପଡ଼ି ଆମ ବଡ଼ଠାକୁରେ ପୂରା ଛେଚେରା ହୋଇ ଯାଉଥବେ । ଆମ ଭକ୍ତମାନେ ବି ଯୁଗେ ଯୁଗେ ଆରାଧ୍ୟ ଠାକୁରମାନଙ୍କୁ ଏହିପରି ଛେଚେରା ହେବାକୁ ବାଧ୍ୟ କରି ଆସିଛନ୍ତି । ତାଙ୍କୁ ଗୋଟାସୁଦ୍ଧା ଆମର ବୋଲି କହି ତାଙ୍କ ନାଆଁରେ ବେସର ବାଟିଛନ୍ତି ।

 

ଯୁଦ୍ଧ ହେଉଛି ଏକ ଅସ୍ୱାଭାବିକ ପରିସ୍ଥିତି । ପୃଥିବୀର ବଡ଼ ଭାଗ୍ୟ ଯେ ଏହି ଯୁଦ୍ଧ ଆଦୌ ସବୁବେଳେ ଲାଗି ନଥାଏ । ଦେଶ ଦେଶ, ଆହୁରି ନିର୍ଭୁଲ ଭାବରେ କହିଲେ ସରକାର ସରକାର ମଧ୍ୟରେ ସବୁବେଳେ ଖୁମ୍ପାଖୁମ୍ପି ଲାଗିଥାଏ ସିନା, ମାତ୍ର ସବୁବେଳେ ଯୁଦ୍ଧ ଲାଗିନଥାଏ । ଦୁଇ ପକ୍ଷ ଏକ ଆରେକୁ ତତେଇ ଓ ଛଳେଇ କେତେକଥା କହୁଥାନ୍ତି ଓ ନିଜ ଡ଼ିହଟା ଉପରେ କେତେ ବାଡ଼ି ସିନା ବୁଲାଉଥାନ୍ତି । କିନ୍ତୁ ଆଦୌ ଯୁଦ୍ଧ ଭିତରେ ପଶନ୍ତି ନାହିଁ । ସବୁବେଳେ ଯୁଦ୍ଧ ଲାଗି ରହିବା ନିମନ୍ତେ ସରକାରମାନଙ୍କ ପାଖରେ ସେତେ ଅପର୍ଯ୍ୟାପ୍ତ ଧନ ଯେ ନଥାଏ, ତାହାକୁ ବିଧାତାର ଏକ ଆଶୀର୍ବାଦ ବୋଲି କୁହାଯାଇ ପାରିବ । ସ୍ଵାଭାବିକ ଜୀବନ ହେଉଛି ଭାବଗୁଡ଼ିକର ଜୀବନ । ଭାବ ଥାଏ । ସେଥିପାଇଁ ଭାବଗୁଡ଼ିକର ପ୍ରଦର୍ଶନ ହୁଏ ନାହିଁ । ହୁଏତ ଏପରି ବି ଅନୁମାନ କରାଯାଇ ପାରିବ ଯେ, ପ୍ରକୃତରେ ଭାବର ଅଭାବ ରହିଥିଲେ ହିଁ ଭାବର ପ୍ରଦର୍ଶନ କରିବାକୁ ମନବଳେ । ସତକୁ ସତ ଭଲ ପାଇଲେ ଭଲ ପାଇବାଟାର ପ୍ରଦର୍ଶନ ଏକାବେଳେକେ କମିଯାଏ । ଆଗେ ସଭାମାନଙ୍କରେ ରାଜାମାନଙ୍କର ପ୍ରୀତିପାଟଣାର ଚୋଦନା ନିମନ୍ତେ ତତ୍କାଳୀନ କବିମାନେ ଯେଉଁସବୁ ଶୃଙ୍ଗାରମୂଳକ କବିତା ବା ଆହୁରି କ’ଣ ସବୁ ଲେଖି ଶୁଣାଉଥିଲେ, ସେଥିରେ ସେମାନେ ଶୃଙ୍ଗାରକୁ ଗୋଟାସୁଦ୍ଧା ବୁହାଇ ଦେଉଥିଲେ । କିପରି ଭାବରେ ବୁହାଇ ଦେବାକୁ ପଡ଼ିବ, ସେଥିଲାଗି ରୀତିମତ ରୀତିଶାସ୍ତ୍ରମାନ ଲେଖାହୋଇ ରହିଥିଲା । ଅସଲ ରୀତିଟି ଯେଉଁଠାରେ ରହିଥାଏ, ସେଠାରେ ଲେଖି ବୁହାଇ ଦେବାର ରୀତିଟା ପ୍ରାୟ ଗୌଣ ହୋଇ ଯାଇଥାଏ । ଦେଶପ୍ରୀତି ନଥିଲେ ହିଁ ଅନେକ ମଣିଷ ଦେଶପ୍ରୀତିକୁ ଦେଖାଇ ହେବାକୁ ମନ କରନ୍ତି କି ? ସୋଗ ନଥିଲେ ହିଁ ସୋଗ ଦେଖାଇ ହେବାର ପ୍ରୟୋଜନ ହୋଇଥାଏ କି ?

 

ବିଚାରା ଆମ ଦେଶର ପିଲାମାନେ ! ଯୁଦ୍ଧଟାଏ ଲାଗିଲେ ଯାଇ ଯୋଉ ଲେଖକମାନେ ସେମାନଙ୍କୁ ଦେଶପ୍ରୀତିରେ ଉଦ୍ବୁଦ୍ଧ କରିବା ନିମନ୍ତେ ଜଗନ୍ନାଥ ବଳଭଦ୍ରଙ୍କୁ ଘୋଡ଼ା ଉପରେ ବସାଇ ସିଧା କାରଗିଲ୍ ପଠାଇ ଦିଅନ୍ତି, ସେମାନଙ୍କର କବିତ୍ୱବୁଦ୍ଧିକୁ ପ୍ରକୃତରେ ଧନ୍ୟ ବୋଲି କହିବା । ଏହି କାରଗିଲ ଅବସରରେ କେବଳ ପିଲାମାନଙ୍କ ପ୍ରସଙ୍ଗରେ ନୁହେଁ, ବଡ଼ମାନଙ୍କୁ ବସାଇ ମଧ୍ୟ କେତେ କବିତା ପଠନ ହେଲା । କାବ୍ୟର କାଠଫାଳିଆ ଦ୍ଵାରା ଶତ୍ରୁର ପିଠିକୁ ଗୋଟାସୁଦ୍ଧା ଉଝାଳି ଦିଆଗଲା । ଆମର ଏହି ନାଟକଗୁଡ଼ିକର ମାଧ୍ୟମରେ ଆମର ଆସରଘରମାନଙ୍କରେ ବିଚରା ଶତ୍ରୁଟା ମଧ୍ୟ କେତେ କେତେ ଥର ଚିତ୍ ହୋଇଆସି ଯେ ପଡ଼ୁଥିଲା ଓ ଆମକୁ ପ୍ରାୟ ଏକ ରତିସୁଖ ଆଣି ଦେଉଥିଲା, ସେ କଥାର ସୁମାରି ବି କରିହେବ ନାହିଁ । ସାହିତ୍ୟକୁ, ଦେଶପ୍ରୀତିକୁ, ଆଦର୍ଶକୁ, ଧର୍ମ ବା ଭଗବାନଙ୍କୁ ମଧ୍ୟ ବହୁତ ମଣିଷ କ’ଣ ଅସୁବିଧାରେ ପଡ଼ି ଏମିତି ବୁହାଇ ଦିଅନ୍ତି କେଜାଣି-? ବୁହାଇ ଦେଉଥିବା ମଣିଷମାନେ ସବୁଦିନେ ଆମ ସ୍ୱାଭାବିକ ସଂସାର-ଚାରଣାର କ୍ଷେତ୍ରରେ ଏକ ବଡ଼ ପ୍ରମାଦ ହୋଇ ରହିଥାନ୍ତି । ନିଜେ ନାବାଳକ ପ୍ରାୟ ରହିବାକୁ ସୁଖ ପାଉଥାନ୍ତି ବୋଲି ଆମ ସମସ୍ତଙ୍କୁ ମଧ୍ୟ ତାହାହିଁ ହୋଇ ରହିବାର ପ୍ରରୋଚନା ଦେବାରେ ଲାଗିଥାନ୍ତି । ସାହିତ୍ୟ, ଧର୍ମ, ଦେଶପ୍ରୀତି, ଏମାନେ ସମସ୍ତେ ମଣିଷମାନଙ୍କୁ କ୍ରମଶଃ ପାକଳ ହୋଇ ଆସିବାରେ ହିଁ ସତକୁ ସତ, ସାହାଯ୍ୟ କରି ଆସିଥାନ୍ତେ । ଏବଂ, ଆମେ ସମସ୍ତେ ସେହିଗୁଡ଼ିକରୁ ବଳ ପାଇ ପାକଳ ହୋଇ ପାରିଥିଲେ ଆମ ପୃଥିବୀଟା ମଧ୍ୟ କଦାପି ବର୍ତ୍ତମାନ ପରି ଅଣଅକ୍ତିଆର ଭାବରେ ଏଣିକି ତେଣିକି ମୋଟେ ଲୋସଡ଼ି ପଡୁନଥାନ୍ତା । ପାକଳ ହେଉଥଲେ ଆମେ ପରସ୍ପରକୁ ଅଧିକ ବୁଝନ୍ତେ; ମତଭେଦ ରହିଥିଲେ ମଧ୍ୟ ପରସ୍ପରର ନିକଟବର୍ତ୍ତୀ ହୋଇପାରୁଥାନ୍ତେ । ତଥାକଥିତ ମୌଜବାଦୀ ହୋଇ ବୋହିଯିବାକୁ ଆମକୁ ଆଉ କୌଣସି ଫୁରସତ ମିଳୁନଥାନ୍ତା ।

 

ଭାବ ବୋହିଗଲେ ମଣିଷମାନେ ଭାବପ୍ରବଣ ହୁଅନ୍ତି । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କର ଗହଳ ଲଗାଇ ଠାକୁରମାନଙ୍କର ରଥ ଯେତେବେଳେ ଘିଡ଼ ଘିଡ଼ ହୋଇ ଚାଲି ଯାଉଥାଏ, ସେତେବେଳେ ରେଡ଼ିଓ ଏବଂ ଦୂରଦର୍ଶନ ତରଫରୁ ମୁତୟନ ହୋଇ ରହିଥିବା ପୃଷ୍ଠବକ୍ତାମାନଙ୍କର ତୁଣ୍ଡରୁ ବାହାରି ଆସୁଥିବା କଥାଗୁଡ଼ିକୁ ଶୁଣିଛନ୍ତି କି ? ବେଉସାରେ ପଣ୍ଡିତ ଏବଂ ବିଦ୍ୱାନ ହୋଇଥିଲେ ମଧ୍ୟ ସେମାନେ ସତେ ଅବା ଜଣେ ଜଣେ ଭାଟ ପାଲଟି ଯାଇଥାନ୍ତି । ଗୋଟାସୁଦ୍ଧା ନାଟୁଆଙ୍କ ପରି କଥା ଭିତରେ ବୋହି ଯାଉଥାନ୍ତି । ଭକ୍ତିର ଘର ଭିତରେ ସତେ ଅବା ଗୋଟାଏ ମୂଷାପଲ ଆଣି ପୂରାଇ ଦେବାକୁ ଆଦେଶ ପାଇ ସେଠାକୁ ଆସିଥାନ୍ତି । ମୁଁ ଭାବେ, ଭଗବାନଙ୍କୁ ଯେ ଭାବଗ୍ରାହୀ ବୋଲି ଏକଦା କୁହାଯାଇଛି, ଏହି ଭାଟମାନେ କ’ଣ ସେତେବେଳେ ସେକଥାକୁ ସଂପୂର୍ଣ୍ଣ ଭାବରେ ଭୁଲି ଯାଇଥାନ୍ତି ଓ ତେଣୁ ଭାବପ୍ରବଣତାର ଭାଙ୍ଗ ଖାଇ ମଞ୍ଚକୁ ଆସିଥାନ୍ତି ? ସେମାନେ ହୁଏତ ଆଉ ପ୍ରକାରେ କଥା କହୁଥିଲେ ଜଗନ୍ନାଥଙ୍କ ନାମରେ ଆମକୁ ଧ୍ୟାନସ୍ଥ କରି ଆଣୁଥାନ୍ତେ । ଆମକୁ କେଡ଼େ ସ୍ୱାଭାବିକ ଭାବରେ ଅସଲ ରଥସ୍ପର୍ଶ ଆଣି ଦେଉଥାନ୍ତେ । ଆମକୁ ନିଜର ଅସଲ ଘରମାନଙ୍କରେ ଆଣି ପହଞ୍ଚାଇ ଦେଇ ପାରୁଥାନ୍ତେ । ଏବଂ, ଏହାଠାରୁ ବଳି ଜଗନ୍ନାଥ ନାମକ ଠୁଳ କଳ୍ପନାଟିର ଆଉ ଅଧିକ କି ପ୍ରୟୋଜନ ରହିଛି, କେହି ଚିନ୍ତା କରି କହୁ ତ !

 

ଓଡ଼ିଶାରେ ନିଜକୁ ଓଡ଼ିଆ ବୋଲି ଅନୁଭବ କରିବା ବସ୍ତୁତଃ ଏକ ଭାବର ବ୍ୟାପାର । ଶତକଡ଼ା ଯେଉଁ ପାଞ୍ଚଜଣ ସମ୍ଭ୍ରାନ୍ତମାନଙ୍କର ମଞ୍ଚରେ ଛିଡ଼ା ହୋଇ ଆମକୁ ସ୍ୱାଭିମାନ ବିଷୟରେ ପଞ୍ଚଶର ମାରନ୍ତି, ସେମାନେ ସେତେବେଳେ ଓଡ଼ିଶାରେ ମୋଟେ ନଥାନ୍ତି, ସତେ ଅବା ବୋହିଯାଇ ଆଉ କୋଉ ମୁଲକରେ ମୃଗୟା କରିବାରେ ଲାଗିଥାନ୍ତି । ସେମାନେ ଖାରବେଳଙ୍କ କଥା କହନ୍ତି- ସତେଅବା ଆମେ ସମସ୍ତେ ସେହିମାନଙ୍କୁ ଖାରବେଳ ବୋଲି କହି ହରିବୋଲ ଦେଉ ବୋଲି ସେମାନେ ଆମଠାରୁ ଆଶା କରୁଥାନ୍ତି । ହଁ, ଓଡ଼ିଶାର ସାଧବମାନେ ବୋଇତ ନେଇ ସମୁଦ୍ରପାରିକୁ ବାଣିଜ୍ୟ କରି ଯାଉଥିଲେ ବୋଲି କହୁଥିବା ସମୟରେ ନିଜ ଛାତି ଭିତରେ ସତେ ଅବା ଲୁଚି ଛପି କୋଉଠି ବସିଥିବା ଏକ ସାଧବକୁ ହିଁ ଅନୁଭବ କରନ୍ତି । ସାଧବର ଗଭା ପିନ୍ଧି କୋଉ ନଦୀରେ ଜ୍ୟୋତ୍ସ୍ନା ବିହାର କରିବାକୁ ଯାଇଥାନ୍ତି କେଜାଣି, ହଠାତ୍ ବାରବାଟୀରେ ଲଳନାମାନେ ବିଦେଶରୁ ପ୍ରତ୍ୟାଗତ ବୋଇତଗୁଡ଼ିକୁ ବନ୍ଦାଇବାକୁ ଆସୁଥିବାର ପ୍ରତ୍ୟକ୍ଷ କରନ୍ତି ଏବଂ ଉତ୍ଫୁଲ୍ଲ ହେଉ ହେଉ ହାହାକାର ମଧ୍ୟ କରନ୍ତି । ସେମାନେ ଆମର ବର୍ତ୍ତମାନଟାକୁ ଟେକିନେଇ ଅତୀତ ଭିତରେ ବୁହାଇ ଦିଅନ୍ତି ଏବଂ ପ୍ରତାରିତ କରନ୍ତି । ଏକଦା ଏହିପରି ବୋହିଯିବାକୁ ଏବଂ ବୁହାଇ ନେଇଯିବାକୁ ହିଁ ଜାତୀୟତାବାଦ ବୋଲି କୁହାଯାଉଥିଲା । ଏକ ଜାତୀୟତାବାଦୀ ଆଧୁନିକତାର ବିସ୍ମରଣ ଭିତରେ ଆମର ଚିତ୍ପ୍ରତ୍ୟୟଗୁଡ଼ିକୁ ସତେ ଅବା ଭାରି ଖଦଡ଼ା କରି ରଖିବାର ପ୍ରଚେଷ୍ଟା କରାଯାଉଥିଲା । ଏହିପରି ଏକ ଭାବ ବୋହିଯାଉଥିବା ମଞ୍ଚ ଉପରେ ବସି ଏହି ଓଡ଼ିଶା ଭୂମିର ରାଜା ଓ ଜମିଦାରମାନେ ଉତ୍କଳଗୌରବଙ୍କୁ ମଝିରେ ବସାଇ ଓଡ଼ିଶା କଥା ଚିନ୍ତା କରୁଥିଲେ ।

 

ତୁମେ ବାବୁ ଭାବରେ ବଞ୍ଚିବ ତ ପ୍ରକୃତିସ୍ଥ ହୁଅ । ଏମିତି ଅଣଆୟତ୍ତ ଭାବରେ ମୋଟେ ବୋହିଯିବାକୁ ମନ କରନାହିଁ । ଏହି ପୃଥିବୀ ଅମିତ ଭାବ-ସମ୍ଭାବନାରେ ପୂର୍ଣ୍ଣ ହୋଇରହିଛି । ଆମ ସାହିତ୍ୟ, ଦେଶପ୍ରୀତି ଏବଂ ଯାବତୀୟ ଅନ୍ୟ ଅନୁରାଗ ସେହି ସମ୍ଭାବନାଗୁଡ଼ିକର ଉନ୍ମୀଳନ ନିମନ୍ତେ ନିମିତ୍ତ ହୋଇ ବାହାରିବାର ଯୋଗ୍ୟ ହେଉ | ଆମ ନିଜ ଭିତରେ ଯାବତୀୟ ଭାବ ସୁସ୍ଥ ଅନୁକୂଳତା ପାଇ ଏପରି ଭାବରେ ପଲ୍ଲବିତ ହୋଇ ଆସନ୍ତୁ, ଯାହା ଫଳରେ କି ଆମର ଯାବତୀୟ କ୍ରିୟାଶୀଳତା ପୃଥିବୀରେ ଭାବର ଅଭିବୃଦ୍ଧି ଉଦ୍ଦେଶ୍ୟରେ କାମରେ ଲାଗୁ । ଏହି ଦେଶରେ ଅଥବା ଆମ ଦେଶପ୍ରୀତିର ଯାବତୀୟ କ୍ଷେତ୍ରରେ ଯଦି ଭାବରେ ଅଭିବୃଦ୍ଧି ପ୍ରକୃତରେ ଘଟୁଥାନ୍ତା, ତେବେ କେବଳ ସାହିତ୍ୟ କିମ୍ବା ସ୍ୱଦେଶାନୁରାଗ ନୁହେଁ, ଆମ ରାଜନୀତିଟା ମଧ୍ୟ ଏବେ କଦାପି ଏହି ଅଲକ୍ଷଣା ସ୍ତରରେ ଆସି ପହଞ୍ଚି ନଥାନ୍ତା । ଭାବ ବଢ଼ିଲେ କୃତ୍ରିମତା ହ୍ରାସ ପାଏ, କଦାପି ବଢ଼େ ନାହିଁ । ଆମ ଆଧୁନିକ କାଳରେ ଜୀବନର ଏହି ଅଗଣାଗୁଡ଼ାକ ଯେ ଏଡ଼େ କୃତ୍ରିମ ହୋଇଯାଇଛି ଏବଂ ବିଶ୍ୱସନୀୟତା ହରାଇଛି, ଆମେ ଅସଲ ଭାବର କର୍ଷଣଟିକୁ କେଉଁଠି କେତେ ପଛରେ ପକାଇ ଦେଇ ଆସିଛୁ ବୋଲି ସେହିପରି ହୋଇଛି କି ? ସଂପୃକ୍ତ ସମସ୍ତେ ଏହି ବିଷୟରେ ଏକତ୍ର ବିତର୍କରେ ବସନ୍ତୁ । ଭାବ ବୋହି ଯାଉଥିବ ଏବଂ ତେଣେ ମଣିଷ ମଣିଷ ଭିତରେ ସମ୍ବନ୍ଧଗୁଡ଼ିକ ଫାଟିଯାଉଥିବ ଏବଂ ବ୍ୟବଧାନମାନ ଆଁ କରି ରହିଥିବ, - ଏସବୁ କିପରି ସମ୍ଭବ ହୁଅନ୍ତା ? ତେଣୁ, ଏଥର ଆମେ ଆମର ବୋହି ଯାଉଥିବା ଭାବଗୁଡ଼ିକୁ ସାଉଁଟି ଆଣିବା, ପ୍ରକୃତିସ୍ଥ ହେବା, ସତ ଡୋରଗୁଡ଼ିକୁ ବାନ୍ଧିବା ଓ ସତ କଥାଗୁଡ଼ିକୁ ପକାଇ କଥାବାର୍ତ୍ତା ହେବା । ବୋହି ଯିବାନାହିଁ ଓ ଅଲାଜୁକ ହେବା ନାହିଁ । ଆମ ଦେଶରେ ଆମ ଅସଲ ଲାଜର ଥାନମାନଙ୍କରେ ଏଡ଼େ ବଡ଼ ବଡ଼ ମଣିଷ କୋଉ ପାପ ଫଳରେ ଏମିତି ଅଲାଜୁକ ହୋଇଗଲେ କ’ଣ ପାଇଁ କେଜାଣି ? କେଡ଼େ କେଡ଼େ ଆସନରେ ବସିଲେ, ଗଳାରେ ରଙ୍ଗ ଉତ୍ତରୀୟ ପକାଇ ଦାଉଦାଉ ଦେଖାଗଲେ, ମାତ୍ର ତଥାପି କୋଉ ଗ୍ରହମାନଙ୍କର ଅଭିଶାପ ହେତୁ ଏମିତି ଅଲାଜୁକ ହେଲେ କେଜାଣି ?

 

ଏବଂ, ଆଉ ସମସ୍ତେ ଅଲାଜୁକ ହୁଅନ୍ତୁ ପଛକେ, ସାହିତ୍ୟ ଅଲାଜୁକ ନହେଉ, ଦେଶପ୍ରୀତି ଅଲାଜୁକ ନହେଉ । ଆମର ଇଶ୍ୱରାନୁରାଗ ମଧ୍ୟ ଅଲାଜୁକ ନହେଉ । ପୁନଶ୍ଚ, ଆଧୁନିକତାର ଛଟା ଗାଳି ସାହିତ୍ୟରେ କବିତା, ଗପ, ଉପନ୍ୟାସ ଓ ନାଟକମାନେ ଅଲାଜୁକ ହୁଅନ୍ତୁ ପଛକେ, ଅନ୍ତତଃ ଶିଶୁସାହିତ୍ୟ ଅଲାଜୁକ ଏବଂ କୃତ୍ରିମ ନହେଉ । ଶିଶୁ ସାହିତ୍ୟ ଭିତରେ ବେଜାଏ ମସ୍ତିଷ୍କ ପଶିଯାଇ ହୃଦୟଟାକୁ ଅପ୍ରସ୍ତୁତ କରି ନପକାଉ । ବିଗତ ପଚାଶବର୍ଷ ମଧ୍ୟରେ ଆମ ସାହିତ୍ୟରେ ସୁଦୃଶ୍ୟ କେଡ଼େ କେଡ଼େ ଡାକବଙ୍ଗଳା ଗଢ଼ି କରିତ୍କର୍ମାମାନେ ଥୋଇ ଦେଇଥିଲେ ମଧ୍ୟ ଆମ ସାମୂହିକ ଭାବ ଘରଗୁଡ଼ିକୁ ତାହା ଭାରି ଦରିଦ୍ର କରି ପକାଇଛି । ଆମେ କାରିନ୍ଦାମାନେ ବଡ଼ କୃତ୍ରିମ ହୋଇପଡ଼ିଛୁ । ଶିଶୁ ସାହିତ୍ୟ ଆଗାମୀ କାଳର ବିହନ ମାନଙ୍କ ପାଇଁ । ସେମାନେ ବଡ଼ ହୋଇ ଅନ୍ତତଃ ଆମପରି କୃତ୍ରିମ ନହୁଅନ୍ତୁ, ଅଲାଜୁକ ନହୁଅନ୍ତୁ । ସେମାନେ ଆମକୁ ପ୍ରତ୍ୟାଖ୍ୟାନ କରନ୍ତୁ । ଆପେ ଭୀରୁମାନଙ୍କର ପଙ୍ଗତ ଭିତରେ ରହିଥିବ ଓ ତଥାପି ଆଗାମୀମାନଙ୍କୁ ଯଥାର୍ଥ ସାହସ ଏବଂ ଯଥାର୍ଥ ପ୍ରତ୍ୟୟଗୁଡ଼ିକୁ ଯୋଗାଇ ପାରୁଥିବ, ଏହି କାର୍ଯ୍ୟଟି ମୋଟେ ସହଜ ନୁହେଁ । ତଥାପି, ଯଦି କେହି ପିଲାମାନଙ୍କ ପାଇଁ କିଛି ଲେଖିବାକୁ ମନ କରୁଛି, ସିଏ ମଧ୍ୟ ସେହି ଦୁଃସାଧ୍ୟ ସାଧନଟିକୁ ପ୍ରକୃତରେ ମନ କରୁ । ମାତି ନଯାଉ, ବୋହି ନଯାଉ । ଆଗକାଳର ସେହି ବିଷ୍ଣୁଶର୍ମାମାନଙ୍କର ନକଲ କରିବାର ମିଛ ପ୍ରେରଣାରେ ବୋହିଯାଇ ସିଏ ଆଗାମୀ ନିମନ୍ତେ ଭାଟ ହୋଇ ନବାହାରୁ । ଏବର ପିଲାମାନେ ଆମକୁ ଆମ ଇସ୍କୁଲ ଓ କଲେଜମାନଙ୍କରେ କେତେ ଦିନରୁ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି । ଆମ ପରିବାରମାନଙ୍କରେ ଆମେ ସେମାନଙ୍କ ପାଖରୁ ଯେତିକି ଯେତିକି ଲୁଚି ବୁଲୁଛୁ, ସେମାନେ ଆମପାଖରୁ ସେତିକି ଦୂରଛଡ଼ା ହୋଇ ଯାଉଛନ୍ତି । ଅନ୍ତତଃ ସାହିତ୍ୟ ସେମାନଙ୍କୁ ପୁନର୍ବାର ଘରକୁ ଡାକି ଆଣିବାକୁ ବାଟମାନଙ୍କୁ ଖୋଜୁ । ନେତ୍ରଗୁଡ଼ିକୁ ପ୍ରସାରିତ କରୁ । ଭାବଗୁଡ଼ିକୁ ପାକଳ କରୁ । ପଦାରେ ପଡ଼ିବାକୁ ଆଉ ଆମକୁ ମୋଟେ ଲାଜ ନମାଡୁ । ଏତିକି ମଧ୍ୟ କମ୍ ସାହସର ବ୍ୟାପାର ନୁହେଁ । ଆମ ଭିତରେ ରହିଥିବା ବହୁକାତରତା ମଧ୍ୟରୁ ମୁକୁଳିପାରିଲେ ଯାଇ ଆମ ଆଗାମୀମାନେ ଆମ କଥା ଶୁଣିବେ ନଚେତ୍ ବଡ଼ ହୋଇ ତୁଚ୍ଛା ଆମକୁ ଅନୁକରଣ କରିବେ ଓ ପ୍ରତିଶୋଧ ନେବେ ।

Image

 

ସରକାର ଘର ଜଗିବ

 

ଏହି ଦେଶଟା ସରକାରଙ୍କର ଜମିଦାରୀ ନୁହେଁ । ଦେଶଟା ବାସ କରୁଥିବା ମଣିଷମାନଙ୍କର । ସରକାର ଗୋଟାଏ ଯନ୍ତ୍ର । ସେହି ଯନ୍ତ୍ରକୁ ଚଳାଇବା ସକାଶେ ଥାକୁ ଥାକ ହୋଇ ଯେଉଁ ମଣିଷମାନେ ନିଯୁକ୍ତ ହୋଇ ରହିଛନ୍ତି, ସେମାନେ ସେଥିପାଇଁ ବେତନ ପାଉଛନ୍ତି । ଏହି ଦେଶର କୋଟି କୋଟି ମଣିଷ ହିଁ ସେହି ବେତନ ପାଇଁ ଖଜଣା ଦେଉଛନ୍ତି । ଦେଶ ଏକ ଘର-। ଘରକୁ ଜଗିବା ହେଉଛି ଯେକୌଣସି ସରକାରଙ୍କର ସର୍ବନିମ୍ନ କାର୍ଯ୍ୟ, ସର୍ବପ୍ରଥମ କାର୍ଯ୍ୟ । ସେହି କାର୍ଯ୍ୟଟିକୁ ତୁଲାଇ ପାରୁନଥିବା ସରକାର ଯାବତୀୟ ଅର୍ଥରେ ଏକ ଅଯୋଗ୍ୟ ସରକାର । ଆନ୍ଧ୍ରପ୍ରଦେଶରେ ସରକାରଙ୍କୁ ତେଲୁଗୁ ଭାଷାରେ ପ୍ରଭୁତ୍ୱ ବୋଲି କୁହାଯାଏ । ଏବେ ଭାରି ମନେହେଉଛି, ଘର ଜଗିବାକୁ ନିଯୁକ୍ତ ସରକାର ବିଗତ ପଚାଶବର୍ଷ ମଧ୍ୟରେ ବଡ଼ ହାଉଲେ ହାଉଲେ ମଣିଷମାନଙ୍କ ଉପରେ ପ୍ରଭୁତ୍ୱ କରିପାରିବାକୁ ହିଁ ସବୁ ପ୍ରକାରର ଧନ୍ଦାକୁ ମେଲାଇ ରଖିଛନ୍ତି । ସରକାରଙ୍କ ନିମନ୍ତେ ଗୋଟାଏ ବଡ଼ ଅଡୁଆ ହୋଇ ରହିଛି ଯେ, ଦେଶର ସମ୍ବିଧାନ ଗଣତନ୍ତ୍ରକୁ ହିଁ ସର୍ବବିଧ ସାମୂହିକ ବ୍ୟବସ୍ଥାର ଛାଞ୍ଚ ଭାବରେ ଗ୍ରହଣ କରିଛି । ସେହି ଛାଞ୍ଚଟି ଉପରେ ଆଖି ରଖି ପଚାଶ ବର୍ଷ ହେଲା ଆମର ଗୋଟିଏ ସମ୍ବିଧାନ ତିଆରି ହୋଇ ରହିଛି । ମନେରହିବା ଉଚିତ, କୌଣସି ସରକାର ସେହି ସମ୍ବିଧାନର ଖସଡ଼ାକୁ ତିଆରି କରିନାହାନ୍ତି । ଆମ ସମ୍ବିଧାନକୁ ଦେଶବାସୀଙ୍କ ତରଫରୁ ମନୋନୀତ ସଭ୍ୟମାନେ ପ୍ରଣୟନ କରିଛନ୍ତି । ସରକାରର ଦ୍ଵିତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟି ହେଉଛି, ସେହି ସମ୍ବିଧାନକୁ କ୍ରିୟାଶୀଳ କରାଇବା ।

 

ଅର୍ଥାତ୍, ଦେଶରେ ଯେଉଁପରି ଏକ ମୂଳ ପରିବେଶ ସମ୍ଭବ ହେଲେ ଗଣତନ୍ତ୍ର ସଚଳ ଏବଂ ବିଶ୍ୱାସଯୋଗ୍ୟ ହୋଇପାରନ୍ତା, ଦେଶର ସରକାର ସେଥିପାଇଁ ମଧ୍ୟ ଉଦ୍ୟମ କରିବେ । ଏଇଟି ବିଷୟରେ ସମ୍ବିଧାନରେ ସଫା ନିର୍ଦ୍ଦେଶନାମାମାନ ରହିଛି । ଦେଶରେ ଏକ ସକ୍ରିୟ ଗଣତାନ୍ତ୍ରିକ ସହମତି ଏବଂ ସର୍ବସମ୍ମତିର ଭୂମି ସମ୍ଭବ କରି ଆଣିବା ନିମନ୍ତେ ଦେଶବାସୀ ସାକ୍ଷର ହେବେ । ଅର୍ଥାତ୍ ସଚେତନ ହେବେ । ରାଜନୀତିକ ସାକ୍ଷରତା କହିଲେ ସମଗ୍ର ଭାବରେ ଯାହା ବୁଝାଇବା ଉଚିତ୍, ସରକାର ସେହି ପରିବେଶକୁ ବାସ୍ତବ କରି ଆଣିବା ଦିଗରେ ଯୋଜନାବଦ୍ଧ କାର୍ଯ୍ୟକ୍ରମମାନ ଗ୍ରହଣ କରିବେ ।

 

ଏହି ଦେଶରେ ଯାହା ହେଉଛି, ଦେଶବାସୀ ତାହାକୁ ବୁଝିବେ, ତାହାର ଭଲ ଓ ଭେଲ ନିରୂପଣ କରିପାରିବେ । ଏବଂ ସେଥିପାଇଁ ସବା ଆଗ ଯାହା ଅବଶ୍ୟ ହେବା ଉଚିତ, ଯଥାସମ୍ଭବ ସବୁ ଲୋକ ବୁଝିବା ଭାଷାରେ ହିଁ ସରକାର ଚାଲିବ । ଏବେ ତ ଆମ ଘରେ ଆମ ନାମରେ ଯେଉଁ ସରକାରୀଶାସନ ଚାଲିଛି, ତାହାକୁ କେବଳ ସରକାରୀ ଉଚ୍ଚ ଚାକିରିଆମାନେ ବୁଝୁଛନ୍ତି, ଧୋବଲା ଅସାଧୁମାନେ ଏବଂ ଅଧିନସ୍ଥ ଆତ୍ମକାମୀମାନେ ହିଁ ବୁଝୁଛନ୍ତି । ଦେଶର ହାକିମମାନେ ପ୍ରାୟ ନିଜର ଏକ ଅର୍ଥମୁହାଁ ମତଲବ ଦ୍ୱାରା ଅଧିକ ମଣିଷ ବାଟ ଚାଲୁଥିବା ଭାଷାରେ ଆଉ କଥା ହଁ କହିପାରୁ ନାହାନ୍ତି । ନିଜ ମୁଣ୍ଡରେ ସେମାନେ ଆଉ ଯେଉଁ ତାଙ୍କ ପ୍ରିୟ ଭାଷାଟିର ଫୁଲଟାକୁ ଖୋସିଛନ୍ତି, ବସ୍ତୁତଃ ତାହାରି ଜରିଆରେ ଚରମ ପରିମାଣରେ ଅସାଧୁ ଏବଂ ବିଶ୍ୱାସଘାତକ ହୋଇପାରୁଛନ୍ତି । ଗଣତନ୍ତ୍ର ପାଇଁ ଅନୁକୂଳ ଭିତ୍ତିଭୂମିଟିଏ ତିଆରିକରି ଆଣିବାରେ ଏକ ଦ୍ଵିତୀୟ ଆବଶ୍ୟକ କର୍ତ୍ତବ୍ୟ ରୂପେ ସେମାନେ ଦେଶର ସବୁ ପିଲାଙ୍କୁ ସ୍କୁଲକୁ ଆଣିପାରି ଥାଆନ୍ତେ । ସେହି ଦିଗରେ ସରକାର କେତେଭଳି ମିଛ ସଂସ୍ଥାଗଢ଼ି କେତେ କେତେ ହାକିମଙ୍କୁ ଦୁଆରୀ କରି ସେଠାରେ ନେଇ ବସାଇ ଦେଉଛନ୍ତି ଏବଂ ଆଦୌ ନିଦା କିଛି ନ କରିବା ନାଆଁରେ କୋଟି କୋଟି ଟଙ୍କା ବୁହାଇ ଦେଉଛନ୍ତି । ଶଗଡ଼ ଶଗଡ଼ କାଗଜବିଡ଼ା ଭିତରେ ଇଂରାଜୀରେ ଲେଖାହୋଇ ତାହାର ଫୁଲେଇ ବିବରଣୀମାନ ସାଇତା ହୋଇ ରହୁଛି । କାହିଁକି କ’ଣ ହେବାର ଥିଲା ଓ କାହିଁକି ନହେଲା, ତାର ଜବାବ ଦେବାକୁ କେହି ବାଧ୍ୟ ହେଉନାହାନ୍ତି । ନିତାନ୍ତ ଗୋବରମାନେ ହାକିମ ହୋଇ ଆସୁଛନ୍ତି, ଘଡ଼ିଏ ଫଟର ଫଟର ହେଉଛନ୍ତି ଓ ତା’ପରେ ସବୁ ବରବାଦ କରି ପଦୋନ୍ନତି ପାଇ ଆଉ କୁଆଡ଼େ ଚାଲି ଯାଉଛନ୍ତି । ଯେଉଁ ଘରକୁ ଜଗିବେ ବୋଲି ନିଜ କାମରେ ଢୋଲେ ଦରମା ପାଉଛନ୍ତି, ସେହି ଘରକୁ ସେମାନେ ଧୋକା ଦେଉଛନ୍ତି । ଯଦି ଲୋକସ୍ତରର ତଳଟା ପ୍ରକୃତରେ ସଚେତନ ହୋଇଥାନ୍ତା, ତେବେ ସେହି ବଡ଼ମାନଙ୍କୁ ରାସ୍ତା ଉପରକୁ ଆଣି କାନ ଧରାଇ ବସ ଉଠ କରାଇପାରନ୍ତା ।

 

ଇଂରାଜୀରେ Watchdog ବୋଲି ଗୋଟିଏ ଶବ୍ଦ ଅଛି । ସରକାର ଏହି watchdog ଭୂମିକାରେ ରହି ନିଜର କର୍ତ୍ତବ୍ୟକୁ ସର୍ବୋତ୍କୃଷ୍ଟ ଭାବରେ ସମ୍ପାଦନ କରିପାରିବେ । ଜଗୁଆଳି କୁକୁର ଯେପରି ଘରକୁ ଜଗେ, ଆମ ସରକାର ସେହିପରି ଆମ ସାମୂହିକ ଜୀବନର ଘରଟିକୁ ଜଗିବାରେ ହିଁ ଆପଣାକୁ ନିଯୁକ୍ତ କରି ରଖିବେ । ଆମର ପରମ ଦୁର୍ଭାଗ୍ୟ ଅଥବା ଆମ ହାକିମ ବାବୁମାନଙ୍କର ପରମ ସୌଭାଗ୍ୟ ଯେ ସେମାନେ ସେହି ମୂଳ କାର୍ଯ୍ୟଟିକୁ ଛାଡ଼ିଦେଇ ବାକି ସବୁ କାମ କରୁଛନ୍ତି । ସରକାରୀ କଳଟାର ଏକାବେଳେକେ ମଥାନଟି ଉପରେ ଯେଉଁ ମନ୍ତ୍ରୀମାନେ ରହିଛନ୍ତି, ସେମାନେ ଆମ ଘର ଜଗିବାକୁ ରହିଛନ୍ତି ବୋଲି ସେମାନଙ୍କୁ କହିଲେ ସେମାନେ ସମ୍ଭବତଃ ଭାରି ଅପମାନିତ ବୋଧ କରିବେ । ସେମାନେ ତ ଆସନସ୍ଥ ହୋଇ ରହିବାର ଏହି ମିଆଦଟାକୁ ସତେ ଅବା ଏକ ବୃହସ୍ପତି ଯୋଗ ବୋଲି ଧରି ନେଉଛନ୍ତି ଏବଂ ଘର ଜଗିବା କାମଟିକୁ ବାଦ୍ ଦେଇ ଆଉ ସବୁକିଛି କରୁଛନ୍ତି । ଭାଷଣ ଦେଉଛନ୍ତି, ସାନ ପିଲାମାନଙ୍କୁ ଦେଶପ୍ରୀତି ବିଷୟରେ ଉଦ୍ବୋଧନ ଦେଉଛନ୍ତି, ସାହିତ୍ୟ, ଧର୍ମ, କ୍ରୀଡ଼ା, କ୍ରିକେଟ, ଶ୍ରାଦ୍ଧସଭା, କୌଣସି ବ୍ୟାଙ୍କ ଶାଖା ଅଥବା ବସ୍ତ୍ରାଳୟର ଉନ୍ମୋଚନ ପ୍ରଭୃତି ସକଳ ଅବସରେ ସର୍ବମୁଖ୍ୟ ହୋଇ ପହଞ୍ଚି ଯାଉଛନ୍ତି । ତେଅବା ସବୁକିଛିକୁ ଗିଳି ପକାଇବାକୁ ମନ କରୁଛନ୍ତି । ଏହି ଅନିତ୍ୟ ଜୀବନରେ ଭଗବାନ ଯେତିକି ସମୟ ଏଠି ଗାଦୀଟିଏ ମାଡ଼ି ବସିବାର ମଉକାଟିଏ ଜୁଟାଇ ଦେଇଛନ୍ତି, ତାହାର ପୂର୍ଣ୍ଣ ସଦ୍ବ୍ୟବହାର କରିବାକୁ ସେମାନେ ପ୍ରାୟ କାମାକୁଳ ବ୍ୟାଘ୍ରବତ୍ ହେବାରେ ଲାଗିଛନ୍ତି । ହଁ, ସେମାନେ ନିଜେ ପ୍ରକୃତରେ ଭାରି ଅନିତ୍ୟ । ମାତ୍ର ଦେଶ ମୋଟେ ଅନିତ୍ୟ ନୁହେଁ, ତେଣୁ ଉଚିତ ପରିମଳଟି ବିଷୟରେ କିଞ୍ଚିତ ଶିକ୍ଷାଲାଭ କରିଥିଲେ ସେମାନେ ଘର ଜଗିବାରେ ହିଁ ସର୍ବାଧିକ ସମୟ ଦେଉଥାନ୍ତେ । ଘର ଜଗିବା ଛାଡ଼ି ସଭାରେ ୟାଡୁସାଡୁ କହିବାକୁ ମୋଟେ ଆସୁନଥାନ୍ତେ ।

 

ଯଦି ସରକାର ଆମ ପିଲାଙ୍କ ଶିକ୍ଷା ବିଷୟରେ ନିଜକୁ Watchdog ବୋଲି ବିଚାରୁ ଥାଆନ୍ତେ, ତେବେ ଶିକ୍ଷା ଏଠାରେ ପ୍ରକୃତରେ ଶିକ୍ଷା ପରି ଚାଲୁଥାନ୍ତା, ନିତାନ୍ତ ମ୍ଳେଚ୍ଛମାନଙ୍କର ଉପଦ୍ରବ ଭିତରେ ପଡ଼ିଯାଇ କଲବଲ ହେଉନଥାନ୍ତା । ଇସ୍କୁଲ ଘର ଥାଆନ୍ତା, ସହର ଓ ଗାଆଁରେ ଜଣେ ଶିକ୍ଷକଙ୍କୁ କେତେ ପିଲା ରହିବେ, ସେହି ନିର୍ଦ୍ଧାରଣ ଅନୁସାରେ ଶିକ୍ଷକ ନିଯୁକ୍ତ ହୋଇ ରହୁଥାନ୍ତେ, ଶିକ୍ଷାର ଯଥାର୍ଥ ଆବଶ୍ୟକତାଗୁଡ଼ିକ ସହିତ ପରାମର୍ଶ କରାଯାଇ ଶିକ୍ଷାଳୟ ନିମନ୍ତେ ସବୁକିଛି ଯୋଗାଇ ଦିଆଯାଉ ଥାଆନ୍ତା ଏବଂ ସବୁଠାରୁ ବଡ଼ କଥା ହେଉଛି, ଶିକ୍ଷାରେ ରାଜନୀତିର ଦଶାନନମାନେ ସତକୁ ସତ କୌଣସି ହସ୍ତକ୍ଷେପ କରୁନଥାନ୍ତେ । ଯେଉଁମାନେ ଶିକ୍ଷାର ଭଳି ଭଳି ମଣ୍ଡଳାସନମାନଙ୍କରେ ବସି ଶିକ୍ଷକମାନଙ୍କ ଠାରୁ ଉତ୍କୋଚ ଗ୍ରହଣ କରିବାରେ ସିଦ୍ଧହସ୍ତ ହୋଇ ରହିଛନ୍ତି, ସେମାନେ ଆମ କଳିଯୁଗରେ ମଧ୍ୟ Watchdog ହେବାର କାର୍ଯ୍ୟଟିକୁ ମୋଟେ ତୁଲାଇ ପାରିବେ ନାହିଁ । ଏବଂ, ଏଠି ଆପଣ ଆମ ଶିକ୍ଷକମାନଙ୍କ ଭିତରେ ଦବି ଦଗ୍ଧ ହେଉଥିବା ବ୍ରହ୍ମଟାକୁ ଯଦି ପଚାରିବେ, ତେବେ ଉତ୍ତର ଅବଶ୍ୟ ପାଇବେ ଯେ, ଖାଲି ଏହି ଅବରମାନଙ୍କୁ ନୁହେଁ, ପ୍ରବର ମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ମଧ୍ୟ ସେମାନେ ଫରମାସ ଅନୁସାରେ ଭୋଗ ଲଗାଇ ପାରିଛନ୍ତି ବୋଲି ନିଜ ଚାକିରିଟାକୁ ଯେକୌଣସି ପ୍ରକାରେ ନେଇ ଆଣି ଥୋଇ ପାରିଛନ୍ତି । ପ୍ରବରମାନେ କ’ଣ କମ୍ ଭାଷଣ ଦେଉଛନ୍ତି ଓ କମ୍ ହିତବାଣୀ ଶୁଣାଉଛନ୍ତି ? ସେମାନେ କାଳକ୍ରମେ ଆମ ଶିକ୍ଷକମାନଙ୍କ ଭିତରୁ ଶିକ୍ଷକର ଅସଲ ପରିଚୟଟିକୁ ମଧ୍ୟ ଅପହରଣ କରି ସାରିଲେଣି । ସିଏ ଯେ ପାଠ ହାଟରେ ନାନା ଲମ୍ପଟଗିରି ଶିଖିବାକୁ ଯୁଗର ଧର୍ମ ବୋଲି ଜାଣି କେବଳ ତିଷ୍ଠି ରହିବାକୁ ହିଁ ଯାବତୀୟ ଅପକାଇଦାକୁ ଆୟତ୍ତ କରିନେଉଛି, ତାହାର ବିବରଣ ତାହାରି ଠାରୁ ହିଁ ମିଳିଯିବ । ପିଲାମାନଙ୍କର ପରୀକ୍ଷା ଏକ ସର୍ବନିମ୍ନ ସାଧୁତା ସହିତ ହେବ, ନାନା ସ୍ତରରେ ଏଥିରେ ନାନା ସ୍ତରର ତସ୍କର ପଶି ତାହାକୁ ଭଣ୍ଡୁର କରିଦେବେ ନାହିଁ; ଏଇଟା ମଧ୍ୟ ସେହି Watchdog ହିସାବରେ ସରକାରଙ୍କର କାର୍ଯ୍ୟ ହିଁ ହୁଅନ୍ତା । ମାତ୍ର ତାହା ହୋଇପାରୁନାହିଁ କାହିଁକି କେଜାଣି ? ଶିକ୍ଷା ବାବତରେ ଖର୍ଚ୍ଚ ହେଉଥିବା ଭରଣପୋଷଣ ପଇସା କାହିଁକି କୋଉ ଅସୁରୁଣୀମାନଙ୍କର ପେଟକୁ ଯାଇଛି, ଗତ ପଚାଶବର୍ଷର ପଙ୍କକୁ ଉଝାଳିଲେ ତାହାର ଗଦା ଗଦା ସାକ୍ଷ୍ୟ ଅବଶ୍ୟ ମିଳିପାରନ୍ତା ।

 

ଖବରକାଗଜରୁ ପଢୁନାହାନ୍ତି, ତେବେ ଜାଣିବାକୁ ପାଆନ୍ତେ ଯେ ଏହି ଦେଶଟା ବସ୍ତୁତଃ ତୁଚ୍ଛା ଅପରାଧୀମାନଙ୍କ ଦ୍ୱାରା ଚାଲିଛି । ତଥାପି ଅପରାଧକୁ ରୋକିବା ପାଇଁ ଏବଂ ଅପରାଧକୁ ପକଡ଼ିବା ପାଇଁ ସରକାର କେତେ ନା କେତେ ବ୍ୟବସ୍ଥା କରି ରଖିଛନ୍ତି । ଆଇନ ଅଛି, ଆଇନକୁ କେହି ମାନୁନାହାନ୍ତି । କଚେରୀମାନଙ୍କରେ ଦରବାରୀ ମହାଡ଼ମ୍ବରରେ ନ୍ୟାୟ-ନିଷ୍ପତ୍ତି କରାଯାଉଛି, ଅଥଚ ତାହାକୁ ଫାଙ୍କି ଦିଆଯାଇ ପାରୁଛି । ଦିନ ଦିପହରେ ଲୁଟି ହୋଇ ପାରୁଛି, ଘରେ ଡ଼କାଏତ ପଶିଯାଇ ପାରୁଛନ୍ତି, ମଣିଷମାନେ ହଣାହଣି ହୋଇ ପାରୁଛନ୍ତି, ଲୋକହତ୍ୟାର ସୁମାରି ନାହିଁ । ଆତଙ୍କ ଭିଆଇ ପାରୁଥିବା ବିଶେଷ କାଟର ମଣିଷମାନଙ୍କ ହାତରେ ଏତେ ଅସ୍ତ୍ରଶସ୍ତ୍ର କିପରି କେଉଁଠାରୁ ଆସିଲା, ତାହା ଭାବିଲା ବେଳକୁ ତୁମ ଆମ ବୁଦ୍ଧି ପାଉନାହିଁ । ଅପରାଧୀମାନେ ନିଃଶଙ୍କ ହୋଇ ବୁଲୁଛନ୍ତି ଏବଂ Watchdogମାନେ କିଛି କରିପାରୁ ନାହାନ୍ତି ବୋଲି ଖବରକାଗଜରେ ଖବର ବାହାରୁଛି । ସବୁଯାକ ଯୋଜନା ଭିତରେ ପୋକମାନେ ପ୍ରବେଶ କରି ଗର୍ତ୍ତଯାଏ ଖାଇଯାଉଛନ୍ତି । ସରକାରୀ କାମ ହେଉଛି ସିନା, ମାତ୍ର ଖାଲି କାଗଜପତ୍ରରେ ହେଉଛି । ବିଦେଶରୁ ଋଣ କରି ଖର୍ଚ୍ଚ ହେଉଥିବା କୋଟି ପ୍ରମାଣ ଅର୍ଥ କୁଆଡ଼େ ଖପିଯାଉଛି, ତାହାର ପତ୍ତା ହିଁ ମିଳୁନାହିଁ । ମନେ ହେଉଛି, ପାଠୁଆମାନେ ଓ ଧୋବମାନେ ସତେ ଅବା ସମୁଦି ବସି ସବୁ ଶୋଷି ନେଉଛନ୍ତି । ତେବେ ସରକାର ଆଉ କୋଉଠି ଘରକୁ ଜଗିଛନ୍ତି ? ଏବେ ତ ସବା ଉପରେ ରହିଥିବା ଜଣେ ହାକିମ କହିଦେଲେଣି ଯେ, ତାଙ୍କ ବିଭାଗୀୟ ଲୋକଙ୍କର ଅପରାଧୀମାନଙ୍କ ସହିତ ଅନେକ ସମୟରେ ଗୋପନ ବୁଝାମଣାମାନ ରହିଛି । ତେଣୁ ଉପରକୁ ମାଳ ମାଳ dogs ରହିଥିଲେ ମଧ୍ୟ ଘର ଖୋଳ ହୋଇ ଯାଉଛି । ଯେଉଁ ଅପରାଧୀମାନଙ୍କ ସହିତ ଜଗୁଆଳୀ ବିଭାଗର ବୁଝାମଣା ରହିଛି, ସେମାନେ ଖାଲି ଆମ୍ବ ପଣସ ଚୋରି କରି ଥରେ ଅଧେ ଧରାପଡ଼ି ଦାଗୀ ହୋଇଥିବା ସାଧାରଣ ଚୋର ଆଦୌ ନୁହନ୍ତି । ସେମାନଙ୍କ ଭିତରେ ସତକୁ ସତ ବଡ଼ ଚୋରମାନେ ଅଛନ୍ତି, ଯେଉଁମାନେ ମୋଟେ ଚୋରଉ ଚୋରଉ ବଡ଼ ଚୋର ହୋଇନାହାନ୍ତି, ସିଧା ବଡ଼ ଚୋରର ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ ନିଜକୁ ନିଜେ ଅନୁମତି-ପତ୍ର ପ୍ରଦାନ କରିଛନ୍ତି ।

 

ବିହାରରେ ଏକ ନ୍ୟାୟାଳୟର ବିଚାରପତି ଦୁଇଜଣ ଏବେ ଗୋଟିଏ ନିଆରା କିସମର ରାୟ ଦେଇ ଭାରତବର୍ଷର ଲୋକମାନଙ୍କୁ ପ୍ରକୃତରେ ଭାରି ବିଡ଼ମ୍ବନା ଭିତରେ ପକାଇ ଦେଇଛନ୍ତି । ସେମାନେ ସିଧା ସିଧା ଭାଷାରେ କହିଛନ୍ତି ଯେ, ଲୋକେ ଏଣିକି ସ୍ଵୟଂ ରାସ୍ତା ଉପରକୁ ବାହାରନ୍ତୁ ଏବଂ ବିପ୍ଳବ କରନ୍ତୁ । ସେମାନଙ୍କ ମତରେ ତେବେ ଯାଇ ହୁଏତ ନ୍ୟାୟ ମିଳିପାରିବ । ନ୍ୟାୟାଳୟ ଦେଉଥିବା ନ୍ୟାୟକୁ ଆଉ କ୍ଷମତାସୀନ ଏବଂ କ୍ଷମତାଧୀଶମାନେ ମାନିବାକୁ ରାଜି ହେଉନାହାନ୍ତି ବୋଲି ବିରକ୍ତ ହୋଇ ସତେ ଅବା ନିଜର ଚଉକିଟାକୁ ଧିକ୍କାର ଦେଇ ଏହି ନ୍ୟାୟମୂର୍ତ୍ତିମାନେ ସେଭଳି କହିଛନ୍ତି । ଶୁଣିବାକୁ ତ କେଡ଼େ ପ୍ରଗତିଶୀଳ ଲାଗୁଛି । ତଥାପି ପ୍ରଶ୍ନ କରିବାକୁ ଖୁବ୍ ମନ ହେଉଛି, ତେବେ ଏହି କୋଠାଘରମାନଙ୍କରେ ଆଉ କ’ଣ ହେଉଛି ? ଏତେ ଏତେ ଦରମା ନେଇ ସାକ୍ଷାତ ଭବ୍ୟବେଶ ହୋଇ ବସିଥିବା ଏହି ଜଗୁଆଳୀମାନେ ପ୍ରକୃତରେ କ’ଣ କରୁଛନ୍ତି ? ବିଗତ ପଚାଶ ବର୍ଷରେ ଆମ ଭାଗ୍ୟଟାକୁ ଏହି ବାବୁମାନେ କଣ ପାଇଁ ଏତେ ସରି କରିଦେଲେ ? ଗଣଙ୍କଠାରୁ ପଇସା ଖାଇ ସେମାନେ କାହିଁକି ଏହି ଦେଶକୁ ଧୋକା ଦେଲେ ? ଦେଶ ସ୍ଵାଧୀନତା ଲାଭ କରିବା ପରେ କୋଟି କୋଟି ଭାରତବାସୀ ଯେଉଁ ବୃହତ୍ ଆସ୍ଥାମାନ ପୋଷଣ କରି ଭବିଷ୍ୟତକୁ ଦେଖିବାକୁ ଆଗ୍ରହୀ ହୋଇଥିଲେ, ଆମ ଯନ୍ତ୍ରଟାର ଦାୟିତ୍ୱରେ ରହିଥିବା ଏମାନେ କଣ ପାଇଁ ଏହି ଆସ୍ଥା ଉପରେ ପ୍ରହାର କଲେ ? ଯେକୌଣସି ବିକାଶଶୀଳ ଭବିଷ୍ୟକାମୀ ଦେଶରେ ଯଥାର୍ଥ ରାଜନୀତି କହିଲେ ନ୍ୟାୟତଃ ଯେଉଁ ସଚେତନତାକୁ ସବୁବେଳେ ବୁଝାନ୍ତା, କଣ ପାଇଁ ସରକାର ନାମରେ ଆମ ପିଠିରେ ବସିଥିବା ଏହି ଶହେରେ ତିନି ଚାରିଜଣ ମଣିଷ ଅମଣିଷ ପାଲଟିଲେ ଏବଂ ସେହି ସଚେତନତାକୁ ନଷ୍ଟଭ୍ରଷ୍ଟ କରିଦେଲେ ? ସେମାନେ କଣ ପାଇଁ ଆମ ଘରଟାକୁ ଏପରି ଅନ୍ଧାର କରି ରଖିଲେ ? ଧର୍ମତଃ ଆମ ନଉକରମାନେ କଣ ପାଇଁ ଆମର ଯାବତୀୟ ଭବିଷ୍ୟଚିତ୍ରକୁ ଭଣ୍ଡୁର କରି ପକାଇଲେ ? ଭାରତବର୍ଷର ଜୀବନରେ କାଳ କାଳରୁ ବହୁ ତ୍ରୁଟି ରହିଥିଲେ ମଧ୍ୟ ତଥାପି ଏଠାରେ ଯେଉଁ ପାରସ୍ପରିକ ଶୁଭାକାଙ୍କ୍ଷାଟି ରହି ଆସିଥିଲା, କ୍ରମେ ସରକାରୀ ଦୌରାତ୍ମ୍ୟ କାହିଁକି ସେଇଟିକୁ ନଷ୍ଟ କରିଦେଲା ?

 

ଜମି ହେଉଛି ଜମିରେ ଖଟି ଫସଲ ଫଳାଉଥିବା ଚାଷୀର । ଅଣଚାଷୀ ଜମିମାଲିକର ମୋଟେ ନୁହେଁ । ପଚାଶବର୍ଷର ସ୍ଵାଧୀନତା ପରେ ଆମ ଦେଶରେ ସେତିକି ମଧ୍ୟ ହୋଇପାରିଲା ନାହିଁ । ଅଥଚ ସ୍ଵାଧୀନତାର ସଂଗ୍ରାମ ଲଢ଼ା ହେଉଥିବା ସମୟରେ ଦେଶ ସ୍ୱାଧୀନ ହେଲେ ସବା ଆଗ ତାହା ହିଁ ହେବ ବୋଲି ଘୋଷଣା କରାଯାଇଥିଲା । ପୁରୁଣା ଜମିଦାର ଗଲେ, ମାତ୍ର ସେହି ପୁରାତନ ଜମିମାଲିକାନା ବଦଳିଲା ନାହିଁ । ସରକାର ବୋଲାଇ ଯେଉଁମାନେ ଆମ ଉପରେ ପ୍ରଭୁତ୍ଵ ଜମାଇ ବସିଲେ, ସେମାନେ ଆମର ନୂଆ ଜମିଦାର ହୋଇ ରହିବାକୁ ମନ କଲେ । ଦେଶକୁ ଦେଶବାସୀ ସମସ୍ତଙ୍କର କରାଇ ଦେଲେ ନାହିଁ । ସରକାର ଦୟା କଲେ, ଦୟାର ଅତ୍ୟୁଦାର ଯୋଜନାମାନ ଆରମ୍ଭ କଲେ ଓ ଦେଶଟା ଯାକ ଘୋଟି ରହିଥିବା ଅନ୍ଧାରର ସୁଯୋଗ ନେଇ ପଇସା ମାରିନେଲେ ।

 

ଧନୀ ଅଧିକ ଧନୀ ହେଲା ଓ ଦରିଦ୍ରମାନେ ଅଧିକ ଦରିଦ୍ର ହେଲେ । ନିଃସମ୍ବଳ ଏବଂ ନିର୍ଭରଶୀଳ ହୋଇ ରହିଲେ । ଆମ ଦେଶରେ ଉପରେ ଶହେରେ ପାଞ୍ଚଜଣ ଯେଉଁ ପାଠ ପଢ଼ିଲେ, ସେହି ପାଠ ସେମାନଙ୍କୁ ପାଷଣ୍ଡ ବନିବାରେ ହିଁ ଖୋରାକ ଯୋଗାଇ ଦେଲା । ଘରଟାକୁ ଉଜୁଡାଇ ଦେବାରେ ହିଁ ପାଠୁଆମାନେ ଭଳି ଭଳି ଚକ୍ରାନ୍ତ କଲେ ଓ ଏବେ ମଧ୍ୟ କରୁଛନ୍ତି । ଯଦି ନାଗରିକ ସମ୍ମାନର ସହିତ ଜଣେ ନାଗରିକ ଭାବରେ ସଚେତନ ହୁଅନ୍ତା, ତେବେ ସିଏ ସଂଗଠିତ ଭାବରେ ଏହି ସବୁ ଚାଲାଖି ବନ୍ଦ କରବୋଲି କହିପାରନ୍ତା । ସରକାର ନାମକ Watchdogକୁ ସିଏ Watchdog ଭାବରେ ହିଁ ଦେଖନ୍ତା । ତା’ ଊତ୍ପାତ ଗୁଡ଼ିକୁ ବନ୍ଦ କରିପାରନ୍ତା । ସିଏ ଯଦି ଜଗୁଆଳୀର କାମଟିକୁ ସାଧୁତାର ସହିତ ନିର୍ବାହ କରି ନପାରିଲା, ତେବେ ତାକୁ କୈଫିୟତ ମାଗନ୍ତା । ପ୍ରକୃତ ଲୋକତନ୍ତ୍ର ଚାଲୁଥିବା ଦେଶମାନଙ୍କରେ Watchdog ମାନଙ୍କର ଯାବତୀୟ ଦୌରାତ୍ମ୍ୟ ବିରୋଧରେ କେତେ ଭଳି କଟକଣା ରହିଛି । ସେମାନଙ୍କ ଠାରୁ ଉଚିତ ସମୟରେ କୈଫିୟତ ମାଗି ପାରିବାର କାନୁନ୍ଟିଏ ରହିଛି । ତା’ ବରାଦ ଅନୁସାରେ କାମ ନକଲେ ସଂଗଠିତ ଭାବରେ ନିଜର ପ୍ରତିନିଧିଙ୍କୁ ଆସନଚ୍ୟୁତ କରିବାର ଅଧିକାର ମଧ୍ୟ ରହିଛି ।

 

ବଡ଼ ବଡ଼ ନିଷ୍ପତ୍ତିମାନଙ୍କରେ Watchdogମାନେ ଲୋକମାନଙ୍କର ମତ ନେଉଥାନ୍ତେ ଏବଂ ସେହି ମତ ଅନୁସାରେ କାର୍ଯ୍ୟ କରୁଥାନ୍ତେ । ଭାରତବର୍ଷରେ ଆମେ ପରମାଣୁ ବୋମାର ପରୀକ୍ଷା କରିବା, ଏହି ନିଷ୍ପତ୍ତି ଦେଶବାସୀ ହିଁ କରିଥାନ୍ତେ । କୌଣସି ଅଞ୍ଚଳରେ ଏକ ମନୁଷ୍ୟସଂସାରର ଘରଡ଼ିହ ଓ ଜମିବାଡ଼ିକୁ ଉଚ୍ଛନ୍ନ କରି ସେଠାରେ ଖଣି ଖୋଳା ହେବ କି ନାହିଁ ସେହି ନିଷ୍ପତ୍ତିରେ ସ୍ଥାନୀୟ ସ୍ଥାୟୀ ଅଧିବାସୀମାନଙ୍କର ମଧ୍ୟ ଏକମତ ରହିଥାନ୍ତା । ନିଜ ଜମିରେ ଫସଲ ଫଳିଲେ ତ ପିଲାମାନେ ଖାଇବେ, ବଂଚିବେ, ବଡ଼ ହେବେ । ମାତ୍ର ବାହାରୁ କୋମ୍ପାନୀ ଆସି ହାତରେ ତେଣୁ ଅନୁମତିପତ୍ରଟାଏ ଧରି ତା ଜମିକୁ ଯଦି ଖୋଳିବାକୁ ଆରମ୍ଭ କରିବ, ତେବେ ତାହାକୁ ସକଳ ଅର୍ଥରେ ଏକ ଅତ୍ୟାଚାର ବୋଲି ହିଁ କୁହାଯିବ । କୌଣସି ଅଂଚଳରେ ମଦ ଦୋକାନ ଖୋଲିବ କି ନାହିଁ, ସେହି ବିଷୟରେ ସେଠାରେ ବାସ କରୁଥିବା ଅଧିବାସୀମାନେ ହିଁ ନିଷ୍ପତ୍ତି କରିବେ । ଭୁବନେଶ୍ୱରରେ ଛାଟ ଧରି ବସିଥିବା ଛାର ଜଗୁଆଳୀମାନେ ସେକଥା କଦାପି କରିପାରିବେ ନାହିଁ । ଏଥିପାଇଁ ତଳୁ ଲୋକସ୍ତରରୁ ପ୍ରତିବାଦ ହେବ । ଆଗ ତୁଣ୍ଡକୁ ଆହାର ଦରକାର ନା ପ୍ରଶୁ ହେବାକୁ ମଦ ଦୋକାନ ଖୋଲିବା ଦରକାର, ସେ କଥା ସ୍ଥାନୀୟ ନାଗରିକମାନେ ହିଁ ଠିକ୍ କରିବେ । ସରକାରଙ୍କର ଆୟ ବଢ଼ିବ ବୋଲି ସରକାରୀ କଳର ଶଇତାନମାନେ ଯାଇ ଉପରୁ ତାହା କଦାପି ଲଦି ପାରିବେ ନାହିଁ ।

 

ଯେଉଁ ସରକାର ନିଜର ସୀମାକୁ ଜାଣେ ଏବଂ ସୀମାଟାକୁ ମାନେ, ତାହା ଏକ ସୁସ୍ଥ ସରକାର । ଆମ ଦେଶରେ ସରକାର ତାହା କରୁନାହିଁ ଓ ମଉକା ପାଇବା ମାତ୍ରକେ ଆମ ଉପରେ ଆସି ଚଢ଼ାଉ କରୁଛି । ତାହାର କାରଣ ହେଉଛି ଯେ, ଏଠି ଦେଶର ସବୁ, ଅଧିବାସୀ ଜାଗରୂକ ନୁହନ୍ତି । ଅତି ଅଳପ ମଣିଷ ଏଠାରେ ସବୁକିଛିକୁ ମାଡ଼ି ବସିଛନ୍ତି ଏବଂ ଅଧିକଙ୍କ ପାଖରୁ ସେମାନଙ୍କର ଅଧିକାରକୁ ଅପହରଣ କରି ନିଆଯାଉଛି । ସମସ୍ତଙ୍କୁ ନାଗରିକର ମର୍ଯ୍ୟାଦା ମିଳିନାହିଁ । ନାନା ଅସମାନତା, ଆମର ସାମୂହିକ ଜୀବନଗ୍ରାମଗୁଡ଼ିକୁ ଭାରି ବିକାରଯୁକ୍ତ କରି ରଖିଛି । ଗଣତନ୍ତ୍ର ବା ଲୋକତନ୍ତ୍ର କହିଲେ ସର୍ବପ୍ରଥମ ଭୂମି ରୂପେ ଯେଉଁ ପାରସ୍ପରିକତାକୁ ବୁଝାଏ, ଏଠାରେ ତାହା ସମ୍ଭବ ହୋଇପାରିନାହିଁ । ଏହିଗୁଡ଼ିକୁ ସମ୍ଭବ କରିବା ଲାଗି ହିଁ ଭାରତବର୍ଷ ସ୍ଵପ୍ନ ଦେଖି ସଂଗ୍ରାମଟିଏ ଲଢ଼ିଥିଲା । ସ୍ୱାଧୀନତା ପରେ ଏଠି ଲୋକ-ଭୂମିଟିକୁ ସତକୁ ସତ ମର୍ଯ୍ୟାଦାବନ୍ତ କରି ଗଢ଼ିବା ଲାଗି ସବଳ ପଦକ୍ଷେପମାନ ଗ୍ରହଣ କରାଯାଇନାହିଁ । ଆମର Watchdogମାନେ ଆମ ବାଟଟାକୁ ଓଗାଳି ରଖିଛନ୍ତି ।

Image

 

ପଛୁଆ ଆଧୁନିକତା

 

ଏବେ ଓଡ଼ିଆ ସାହିତ୍ୟରେ ସାଂପ୍ରତିକ କେତେଜଣ କବିଙ୍କ ବିଷୟରେ କରାଯାଇଥିବା ଏକ ଆଲୋଚନା ପଢୁଥିଲି । ଆଲୋଚକ ସେହି କବିମାନଙ୍କୁ ଉତ୍ତର ଆଧୁନିକ କାଳର କବି ବୋଲି କହିଛନ୍ତି । ହଠାତ୍ ନିଜକୁ ନିଜେ ପ୍ରଶ୍ନ କରିବାକୁ ଇଚ୍ଛା ହେଲା, ଆମ ସାହିତ୍ୟରେ ଆଧୁନିକଟା ମଧ୍ୟ କେବେ ଆସିଲା ଯେ ଆମେ ଆମର କେତେକ କବିଙ୍କୁ ଉତ୍ତର-ଆଧୁନିକ ବୋଲି କହିବା ? ଉତ୍ତର-ଆଧୁନିକ ଅର୍ଥାତ୍ ଆଧୁନିକ ପରେ ଯେଉଁ ପର୍ଯ୍ୟାୟଟି ଆସେ । ଆଧୁନିକଟି ଭୋଗ ହୋଇସାରିବା ଅନ୍ତେ ଏହି ଉତ୍ତର-ଆଧୁନିକ ଆସି ପହଞ୍ଚେ । ଆଲୋଚନାଟି ପାଠ କରିବା ପରେ ଯେତିକି ବୁଝିଲି, ସେଥିରୁ ଅନୁମାନ କଲି ଯେ, ଏହି କବିମାନଙ୍କ ପୂର୍ବରୁ ଆଉ ଏକ କବିସମଷ୍ଟିକୁ ଆଧୁନିକ ବୋଲି ଗ୍ରହଣ କରିନେଇ ପରବର୍ତ୍ତୀ ସମୟର ଏହି ଆଲୋଚ୍ୟମାନଙ୍କୁ ଉତ୍ତର ଆଧୁନିକ ଭାବରେ ନାମକରଣ କରାଯାଇଛି । ଏହି ଦୁଇଟିଯାକ ଶବ୍ଦ ଆମ ସାହିତ୍ୟବାଲା ବିଦେଶରୁ ଆଣିଛନ୍ତି । ନିଜ ସାହିତ୍ୟକୁ ସତକୁ ସତ କିପରି ଏବଂ କେଉଁ ସବୁ ବାଡ଼ି ପକାଇ ଚିହ୍ନଟ କରାଯାଇ ପାରିବ ବୋଲି ନିଜେ କିଞ୍ଚିତ୍ ଶ୍ରମ କରି ନଭାବି ଇଉରୋପରୁ ବା ଖାସ୍ ବିଲାତରୁ ଅଭିଧାଗୁଡ଼ିକୁ ଆଣି ଅଭିପ୍ରାୟଟିକୁ ସିଦ୍ଧ କରି ଦିଆଯାଇଛି । ଆମ ଭିତରୁ ଯେଉଁମାନେ ବିଲାତରୁ ହିଁ ସାହିତ୍ୟାଲୋଚନାର ପ୍ରେରଣା ପାଇଛନ୍ତି ଏବଂ ସେହି ଅନୁସାରେ ହିଁ କିଛି ଜଡ଼ୀବୁଟି ସଂଗ୍ରହ କରି ଆଣିଛନ୍ତି, ସେମାନେ କ'ଣସବୁ ବାଧ୍ୟତା ଭିତରେ ଯେ ସେପରି କରିଛନ୍ତି, ସେହି କଥାଟିକୁ ବୁଝି ପାରୁଥିଲେ ଆମେ ସେମାନଙ୍କର ଏହି ପ୍ରବୃତ୍ତିଟିକୁ ମଧ୍ୟ ଅଳ୍ପବହୁତ ଅବଶ୍ୟ ବୁଝିପାରିବା ।

 

ଓଡ଼ିଆ ସାହିତ୍ୟରେ କିଏ ବା କେଉଁମାନେ କବିତାକୁ ଆଧୁନିକ ଗାରଗୁଡ଼ିକୁ ପକାଇ ଗଢ଼ିଲେ, ସେହି ବିଷୟରେ ଏବେ ମଧ୍ୟ ମତାନ୍ତରମାନ ରହିଛି, ସେଥିରୁ ନିଷ୍ପନ୍ନ ହୋଇଥିବା ବା ହେଉଥିବା କିଞ୍ଚିତ୍ ମନାନ୍ତର ମଧ୍ୟ ରହିବା ଅତ୍ୟନ୍ତ ସ୍ୱାଭାବିକ । ମାତ୍ର ତଥାପି ପ୍ରଶ୍ନଟିଏ ପଚରା ହୋଇପାରିବ ଯେ, କବିମାନେ କ’ଣ କେବେ ଏହିପରି କୌଣସି ଧାରାରେ ଗାର ପକାଇ କବିତାକୁ ଗଢ଼ନ୍ତି, ଅଥବା ଆଗ କବିମାନସରେ କିଛି ନୂଆ ହୋଇ ଅନୁଭୂତ ହୋଇଥାଏ ବୋଲି କବିତାର ସମଗ୍ର ଆବେଦନଟି ଅନ୍ୟପ୍ରକାର ହୋଇଯାଇଥାଏ ? ବାହାରେ ବୃହତ୍ତର ଲୋକଜୀବନରେ କ’ଣ ସବୁ ପ୍ରାୟ ଚାକ୍ଷୁଷ ଭାବରେ ଘଟେ, ଯାହାକି ଏକ କବିମାନସକୁ ପ୍ରାୟ ଏକ ଅଭୂତପୂର୍ବ ରୀତିରେ ଆଲୋଡ଼ିତ କରିବାକୁ ଆରମ୍ଭ କରେ ଏବଂ ତାହା ଫଳରେ ତେଣିକି ତା’ର କବିତା ଅନ୍ୟପ୍ରକାରେ ହୋଇଯାଏ । ସିଏ ନିଜ କବିତାର ମାଧ୍ୟମରେ ସେହି ଅନ୍ୟ ଆବେଗ ଓ ଅନ୍ୟ ସମ୍ପଦଟିକୁ ପ୍ରକାଶ କରିବାକୁ ପ୍ରୟାସ କରେ । ପ୍ରୟାସଟି ଅତ୍ୟନ୍ତ ସାବଲୀଳ ଏବଂ ସ୍ୱତଃସ୍ଫୁର୍ତ୍ତ ଭାବରେ ହୁଏ । ପିଲାଏ ଆଗରେ ଥୁଆ ହୋଇଥିବା ମାଠିଆଟିକୁ ଦେଖି ମାଠିଆଟିର ଚିତ୍ର ଆଙ୍କିବା ଭଳି ଏହି କ୍ଷେତ୍ରରେ ଆଦୌ କିଛି ହେଲେ ଘଟେ ନାହିଁ । ଏକ ସଂବେଦନଶୀଳତାକୁ ନିଜସ୍ୱ କରିବା ଦ୍ଵାରା ତାହା ଘଟିଥାଏ । ଏବଂ, ମୂଳତଃ ସେହି ସଂବେଦନଶୀଳତାକୁ ମାଧ୍ୟମ କରି କବିମାନଙ୍କୁ ବୁଝିହୁଏ, ଏକ ପ୍ରାସଙ୍ଗିକତା ବି ମିଳିଯାଇଥାଏ । ଓଡ଼ିଆ କବିତାରେ ଅଧିକାଂଶ ଆଲୋଚନାରେ ଯାହାକୁ ଆଧୁନିକ ଯୁଗ ବୋଲି ଚିହ୍ନଟ କରାଯାଉଛି ଏବଂ ସେହି ଅନୁସାରେ କେତେକ କବିଙ୍କୁ ଶନାକ୍ତ କରାଯାଉଛି, ତାହାର ମୂଳ ପ୍ରଚୋଦକରୂପେ କୋଉଠି କ’ଣ ସମ୍ବେଦନଶୀଳତା ରହିଥିଲା ବୋଲି ତଥାପି ଠଉରାଇ ହୁଏନାହିଁ । ସମ୍ବେଦନଶୀଳତାର ବିଶେଷ ପ୍ରକାରଟି ପ୍ରକୃତରେ ସବାଆଗ ସଂପୃକ୍ତ କବିର ତଥା କବିମାନଙ୍କର ଚେତନାରେ ରହିଥାଏ, ଅର୍ଥାତ୍ ସେମାନଙ୍କର ଜୀବନ ଭିତରକୁ ତାହା ପ୍ରବେଶ କରିଥାଏ । ଜୀବନ ଭିତରେ ଠାବ କରି ହେଉନଥିଲା ପର୍ଯ୍ୟନ୍ତ ତାହାକୁ ବୁଦ୍ଧି ଖର୍ଚ୍ଚ କରି ଖାଲି କବିତା ମଧ୍ୟରେ ଠାବ କରିବାକୁ ଚେଷ୍ଟା କରୁଥିବା ସମୟରେ ସତେଅବା ନିଜକୁ କୋଉଠି ଠକି ଦେଉଥିବା ପରି ମନେ ହେଉଥାଏ । ବୁଦ୍ଧିଆମାନେ ପ୍ରକୃତରେ ନିଜକୁ ଭାରି ଠକନ୍ତି । ବୁଦ୍ଧି ନାମକ ସପତ୍ନୀଟି ଅଧିକ ପରାକ୍ରମ ସହିତ ଆମ ଭିତରେ କଥା କହିବାକୁ ଆରମ୍ଭ କଲେ ବିବେକର ସବୁତକ ଯୁକ୍ତି ସତେଅବା ଅନ୍ତରାଳକୁ ପଳାଇ ଯାଆନ୍ତି, ଆତ୍ମଗୋପନ କରନ୍ତି । ତେଣୁ ଆଲୋଚନାରେ ବୁଦ୍ଧିଟା ଭାରି ଖର ହୋଇ ମାଡ଼ି ବସିବାରେ ଲାଗିଥାଏ । କିନ୍ତୁ ବିବେକ ତାହାରି ପ୍ରକୋପରେ ଅଣ୍ଟା ଭାଙ୍ଗି ପଡ଼ିଥାଏ, ଆଦୌ ତୁଣ୍ଡ ଖୋଲେ ନାହିଁ ।

 

ଏମିତି କେବେ ହୋଇପାରିବ ଯେ, ଏହି ଆଧୁନିକତା କେବଳ ଆମ କବିତା ବା ସାହିତ୍ୟ ଭିତରକୁ ପ୍ରବେଶ କଲା ଏବଂ ଆମର ବୃହତ୍ତର ଜୀବନ ତଥା ସମ୍ବନ୍ଧଗୁଡ଼ିକୁ ସ୍ପର୍ଶ କରିପାରିଲା ନାହିଁ ? ଏବଂ ଯଦି ସେହି ଆଧୁନିକତା ହିଁ ନ ଆସିଛି, ତେବେ ଉତ୍ତର ଆଧୁନିକତା ମଧ୍ୟ ଆଉ କିପରି କେଉଁବାଟେ ଆସି ଆମକୁ ପ୍ରଭାବିତ ଅଥବା ପ୍ରେରିତ କରିପାରିବ ? ହଁ, ଯଦି ଆମେ ପଢ଼ିଥିବା କୌଣସି ବହି ଅନୁସାରେ ନିଜକୁ ମାପିବାକୁ ବା ନାମାଙ୍କିତ ହେବାକୁ ମନା କରିବା, ତେବେ ତାହା ହୁଏତ ଏକ ଅନ୍ୟକଥା ହୋଇପାରିବ । ବର୍ତ୍ତମାନ ଯେଉଁମାନେ ଏବକା ଅର୍ଥରେ ଆଧୁନିକ ବୋଲାଉଛନ୍ତି, ଆମ ପିଲାଦିନେ ଏମାନଙ୍କ ଭିତରୁ ଜଣକ ବ୍ୟତୀତ କେହି କବିତାର ଉଦ୍ୟାନରେ ପ୍ରବେଶ କରିନଥିଲେ । ଯେଉଁ ଜଣକ ଥିଲେ, ସିଏ ମଧ୍ୟ ଏପରି ଏକ ଅନ୍ୟ ଧିସାରେ ସେତେବେଳେ କବିତା ଲେଖୁଥଲେ, ଯାହାକୁ କି ସିଏ ହୁଏତ ନିଜେ ମଧ୍ୟ ହାତରେ ଧରିଥିବା ଦର୍ପଣଟି ଉପରେ ଆଧୁନିକ ବୋଲି କହିବାକୁ ମୋଟେ ରାଜି ହେବେ ନାହିଁ । ହୁଏତ ତାହାକୁ ଅନ୍ୟ ଏକ ମରହଟିଆ କିସମର ଆଧୁନିକ ବୋଲି କହିବେ । ସେତେବେଳେ ଆମେ ଜାଣିବାରେ କବିବର ରାଧାନାଥଙ୍କ ସମୟରୁ ତାଙ୍କର ସମସାମୟିକଙ୍କୁ ଏକତ୍ର ନେଇ ଓଡ଼ିଆ କବିତାକୁ ଆଧୁନିକ ଆବେଦନଟି ଆସି ପ୍ରବେଶ କରିଥିଲା । ସେଇଟି ଗଡ଼ି ଗଡ଼ି ସତ୍ୟବାଦୀ ଓ ସବୁଜଙ୍କ ମଧ୍ୟବର୍ତ୍ତୀ ପାହାଚଗୁଡ଼ିକ ଉପରେ ଗୋଡ଼ ପକାଇ ଶେଷକୁ ଏପରି ଏକ ଆହ୍ୱାନ ପାଖରେ ଆସି ପହଞ୍ଚିଥିଲା, ଯେତେବେଳେ ସତକୁ ସତ ଆଧୁନିକ ନାମରେ ପତ୍ରିକାଟାଏ ମଧ୍ୟ ବାହାରିଥିଲା-। ଏହି ଧାରାଟିରୁ ଉପାଦାନ ନେଇ ଆଧୁନିକ ଗପ, ଉପନ୍ୟାସ ଓ ନାଟକମାନେ ଲେଖା ହୋଇଥିଲେ । ସେତେବେଳେ ସେହି କବି ଓ ଲେଖକମାନଙ୍କୁ ସେମାନଙ୍କର ଆସ୍ପୃହା ଦେଇ ଚିହ୍ନି ହେଉଥିଲା । ସେମାନଙ୍କ ଆସ୍ପୃହାରେ ସେମାନଙ୍କର ଲେଖା ସହିତ ଏକ ସହଜବୋଧ ସଂହତି ମଧ୍ୟ ରହିଥିଲା । ତା’ପରେ ଭାରତବର୍ଷ ସ୍ୱାଧୀନ ହେଲା ।

 

ସେହି ସ୍ୱାଧୀନତା ପରେ କେତେ କେତେ ପରିବର୍ତ୍ତନ ଆମର ଏହି ଜୀବନ-ଭୂମିଟି ଲାଗି ଅପେକ୍ଷା କରି ରହିଥିଲା । ଚେତନାର ଡ଼େଣାରେ କେତେ କେତେ ନୂଆ ପ୍ରସ୍ଥ ଆସି ଯୋଡ଼ି ହୋଇଗଲା । ଭାରତୀୟ କବିତା କେଜାଣି କ’ଣ ପାଇଁ ନିଜକୁ ସେଥିରୁ ଅଲଗା ହୋଇ ରହିବାକୁ ମନ କରି ପକାଇଲା । ସେତେବେଳେ ଇଉରୋପରେ ମହାଯୁଦ୍ଧ ସରିଥାଏ । ଇଉରୋପର ସେହି ମୁହଁଟା ଗୋଟାସୁଦ୍ଧା ଯୁଦ୍ଧର ସେହି କଳାରଙ୍ଗ ଗୁଡ଼ାକ ଲାଗି ବାନ୍ଦର ପରି ଦିଶୁଥାଏ । ଇଉରୋପର ମଣିଷ ଏକ ନିଦାରୁଣ ମୋହଭଙ୍ଗ ଭିତରୁ ଆଗକୁ ଆଉ ବାଟ ପ୍ରକୃତରେ ରହିଛି ବୋଲି ଅନ୍ଦାଜ ବି କରିପାରୁନଥାଏ । ଜଣେ କବି ସେହି ଗ୍ଲାନି ଗୁଡ଼ାକୁ ଉପାଦାନ ରୂପେ ଆତ୍ମସ୍ଥ କରି କବିତାରେ ପୋଡ଼ା ଭୂଇଁକୁ ଯାବତୀୟ ଶ୍ଳେଷର ଶୈଳୀ ପ୍ରୟୋଗ କରି ଇଉରୋପୀୟ ମାନସ ସମକ୍ଷରେ ଆଣି ଉପସ୍ଥାପିତ କରିବା ପାଇଁ ଚେଷ୍ଟା କଲେ । ଇଂରେଜମାନେ ପ୍ରାୟ ସେତିକିବେଳେ ଭାରତବର୍ଷରୁ ବିଦା ହୋଇ ଯାଇଥାନ୍ତି । ସେତେବେଳେ ଯେଉଁମାନେ ତଥାପି ଉପନିବେଶ ବେଳର ପୁରୁଣା ନେଞ୍ଜରାଗୁଡ଼ାକୁ ଆଖିରୁ ଛଡ଼ାଇ ପାରିଲେ ନାହିଁ ଓ ଏକ ସ୍ଵାଧୀନ ଦେଶର ଆହ୍ୱାନଗୁଡ଼ିକୁ ହୁଏତ ସମଝି ମଧ୍ୟ ସମଝି ପାରିଲେ ନାହିଁ, ସେମାନେ ମୁହଁ ମୋଡ଼ିଦେଲେ । ସାହିତ୍ୟରେ ସେହିମାନେ ହିଁ ଏଠି ଏକ କାବ୍ୟିକ ପୋଡ଼ାଭୂଇଁର ଫିସାଦିଆ ଅମରାବତୀ ଗଢ଼ି ଥୋଇଦେବାକୁ ବାହାରିଲେ । ଘୋର ଅନୁକରଣ କଲେ, ପ୍ରାୟ କସରତ କରି ଏଠି ସିଆଡ଼ର ମସଲାରେ କବିତା ରାନ୍ଧିଲେ । ସିଏ ବସ୍ତୁତଃ ଏକ ଅଭୁଲା ଅନୁଭୂତି ହୋଇଥିବ । ଇଂରାଜୀର କବିତାକାଶକୁ ଏହିପରି ଓଡ଼ିଆରେ ଆଣି ଥାପିଦେବାକୁ ପ୍ରାୟ ଏକ ଅନମନୀୟତା ସହିତ ଏହି ଜଗତଜିତାମାନେ ଆଧୁନିକ ବୋଲି କହିଲେ-। ତାହାରି ଖାତିରିରେ ଏହି ଭୂମିରେ ଆଗରୁ ଚଳି ଆସିଥିବା ସବୁ ଖାତାକୁ ଅତ୍ୟନ୍ତ ଅଶାଳୀନ ଭାବରେ ଫାଡ଼ି ଦିଆଗଲା । କବିତାର ଫେଶନ ବଦଳିଗଲା । ପିତାମାତା ବଦଳିଗଲେ । କବିତା ଘରେ ଏହି ନୂତନ ଉଚ୍ଚାଟନାଗୁଡ଼ିକୁ ଦେଖି ଧୀଷଣାକୁ ସତେଅବା ମନ୍ଦରପର୍ବତ କରି ନୂଆ ଫେସନରେ ଗପ ଲେଖାଗଲା । ନାଟକ ମଧ୍ୟ ପୁରୁଣା ଗୁଳାଗୁଡ଼ାକରୁ ଚାଣ୍ଡେ ବାହାର ହୋଇ ଆସିଲା । ତେଣିକି ଆଦତଟା ବି ଏପରି ବଦଳିଗଲା ଯେ ଗପରେ ବା ନାଟକରେ ପ୍ରକୃତରେ ବକ୍ତବ୍ୟ ବୋଲି କିଛି ଅଛି କି ନାହିଁ ଖୋଜିବା ପୂର୍ବରୁ ତାହାର ଶୈଳୀଟାକୁ ହିଁ ନିର୍ଣ୍ଣୟ କରାଗଲା । ସେମାନଙ୍କର ବର୍ଣ୍ଣ ନିରୂପଣ କରିବା ଲାଗି ବିଲାତ ବା ଇଉରୋପରୁ ଅନୁରୂପ ଖିଅଗୁଡ଼ିକୁ ମଗାଇ ଅଣାଗଲା । ଆମରି ଭାଷାରେ ଲିଖିତ ହୋଇଥିଲେ ମଧ୍ୟ ଏସବୁ ଆମ ଘରେ କୁଣିଆ ପରି ଲାଗିଲେ । ଏମାନଙ୍କୁ ଖାସ୍ କୁଣିଆର ସମ୍ମାନ ଦେବା ନିମନ୍ତେ ବସିବା ଲାଗି ପୀଢ଼ା ପକାଇ ଦିଆଗଲା । ନୂଆ ସମୀକ୍ଷକମାନେ ବାହାରିଲେ, ଯେଉଁମାନେ କି ବିଲାତରୁ ଲେଖି ଓ ଉଦ୍ଧାର କରି ଆଣି ଏହି ନୂତନ ଦୌଲତଗୁଡ଼ିକୁ ମାପିବାର ଚେଷ୍ଟା କଲେ । ଆମ ସମସ୍ତଙ୍କୁ ଭାରି ବିଡ଼ମ୍ବନାରେ ଆଣି ପକାଇଲେ ଏବଂ ଗୋଟାପଣେ କାଙ୍ଗାଳ କରିଦେଲେ ।

 

ଆଧୁନିକତା ସାମାଜିକ ଚେତନା ଭିତରକୁ ଆସିନଥାଏ, ଆଧୁନିକତା ସାମାଜିକ ସମ୍ବନ୍ଧ ଭିତରକୁ ଆସିନଥାଏ,- ଏବଂ ତେଣେ ସାହିତ୍ୟ ଏବଂ କବିତା ଭିତରେ ଆଧୁନିକତା ଆସି ପଶିଯାଏ,- ଯଦି ଏପରି କେଉଁଠାରେ ଘଟୁଥାଏ, ତେବେ ତାହାକୁ ଗୋଟିଏ ଜବରଦସ୍ତ ଉଦ୍ଭଟ ଘଟଣା ବୋଲି ହିଁ କହିବାକୁ ପଡ଼ିବ । ଏବଂ ସେଇଥିରୁ ପ୍ରେରଣା ନେଇ ଓ ସେଠାରୁ ଦେଢ଼ଚାଖଣ୍ଡ ଉଠିଯାଇ ଯେଉଁମାନେ ନିଜକୁ ଉତ୍ତର ଆଧୁନିକ ବୋଲି କହୁଛନ୍ତି, ସେମାନଙ୍କୁ ବାଇଆ ବୋଲି କୁହାଯିବ । ସ୍ୱାଧୀନତା ଆସିବା ସହିତ ଯେଉଁ ପରିବର୍ତ୍ତନ ଗୁଡ଼ିକର ଏଠାରେ ପ୍ରତୀକ୍ଷା ରହିଥିଲା, ଯାବତୀୟ ଆଧୁନିକ ଅନୁରାଗ ସତକୁ ସତ ସେହି ପ୍ରତୀକ୍ଷାର କଥାଟି ହଁ କହିଥାଆନ୍ତା, ସେହି ପ୍ରତୀକ୍ଷାଟିର ବୃହତ୍ତର ବ୍ୟଞ୍ଜନା ବିଷୟରେ ଏହି ଭୂଇଁର ମନୁଷ୍ୟମାନଙ୍କୁ ସଚେତନ କରାଇ ଥାଆନ୍ତା-। ସ୍ଵାଧୀନ ଦେଶର କବିତା ପାଇଁ ସିଏ ନୂଆ ଏବଂ ଯଥାର୍ଥ ଶବ୍ଦ ତଥା ଶୈଳୀଗୁଡ଼ିକୁ ଖୋଜି ବାହାରିଥାନ୍ତା । ଭାଷାର ପାରମ୍ପରିକ ଗନ୍ତାଘରୁ ସିଏ ଅଭିବ୍ୟକ୍ତିର କେତେ କେତେ ନୂତନ ସମ୍ଭାବନା ଉଦ୍ଭାବନ କରି ଆଣି ପାରିଥାନ୍ତା । ନୂଆ ହୋଇ ଜନ୍ମ ହେଉଥିବା ଦେଶଟିର ସାଥୀ ଓ ସୁହୃତ ହୋଇ ଆମ ସାହିତ୍ୟ ବାଟ ଚାଲିବାକୁ ଯାବତୀୟ ଅର୍ଥରେ ଆପଣାର ଧର୍ମରୂପେ ଗ୍ରହଣ କରି ନେଇଥାନ୍ତା-। ଦ୍ଵିତୀୟ ଯୁଦ୍ଧ ପରେ ଇଂଲଣ୍ଡରେ ଅଥବା ଇଉରୋପରେ ଯେଉଁ ଆଧୁନିକ ଯୁଗପର୍ଯ୍ୟାୟ ଆସି ପହଞ୍ଚିଥିଲା, ତାହାକୁ ଶୂନ୍ୟେ ଶୂନ୍ୟେ ଟେକି ଯେଉଁମାନେ ବହିଗୁଡ଼ାକ ମଧ୍ୟରୁ ଆମ କବିତା ଭିତରକୁ ନେଇ ଆସିଲେ, ସେମାନେ ସେହି ଅକାର୍ଯ୍ୟଟିକୁ କରିଥିଲେ ବୋଲି ଏବେ ମଧ୍ୟ ଭାରି ହୃଷ୍ଟ ହୋଇ କହି ପାରୁଛନ୍ତି । ବର୍ତ୍ତମାନର ବିନ୍ଦୁଟି ଉପରେ ଛିଡ଼ାହୋଇ ପଚାଶବର୍ଷ ପଛକୁ ଚାହିଁ ଦେଖିଲେ ଲାଗୁଛି, ଏଭଳି କରି ସେମାନେ ଆମ ଦେଶରେ ସେହି ପୁରୁଣା ଔପନିବେଶିକତାର ମୋହଟାକୁ ବଞ୍ଚାଇ ରଖିବାକୁ ମନ କରି ଏକଥା କଲେ କି ? ହଁ, ସ୍ୱାଧୀନ ଭାରତଟା ଆସି ଆମକୁ ହାବୁଡୁ ହାବୁଡୁ ଆମର ଏକାଧିକ କ୍ଷେତ୍ରରେ ନେତୃତ୍ଵ ମଧ୍ୟ ତଥାପି ଏହି ଦେଶର ବହୁସଂଖ୍ୟକଙ୍କ ଉପରେ ପ୍ରାୟ ଏକ ଉପନିବେଶତୁଲ୍ୟ ଶାସନ ଜାରି କରି ରଖିବା ପ୍ରଚେଷ୍ଟା ଆରମ୍ଭ କରି ଦେଇଥିଲା । ଆମର ଏହି କବିମାନେ ମଧ୍ୟ ସାହିତ୍ୟ ତରଫରୁ ସେଥିରେ ପ୍ରାୟ ଏକ ପ୍ରୟୋଜନ ମନେକରି ସାମିଲ ହୋଇଗଲେ କି ?

 

ଆମ ପାଠ ବଦଳିଲା ନାହିଁ, ଆମ ଦେଶରେ ପ୍ରାୟ ଏକ ଈଶ୍ୱରୀୟ ବ୍ୟବସ୍ଥା ପରି ରହି ଆସୁଥିବା ଅସମତାଗୁଡ଼ିକ ବଦଳିଲା ନାହିଁ, ନୂଆ ନୂଆ ନ୍ୟସ୍ତସ୍ୱାର୍ଥମାନେ ଆମ ସାମୂହିକ ଭାଗ୍ୟର ପ୍ରାୟ ସବୁଯାକ ଚାବିକାଠିକୁ ନିଜ ହାତରେ ଏକଚାଟିଆ କରି ରଖିଲେ । ଆମେ ଯେଉଁମାନଙ୍କୁ ସଂଗ୍ରାମଟିଏ ଲଢ଼ି ଦେଶରୁ ହଟାଇଥିଲୁ, ପୁନର୍ବାର ସେହିମାନଙ୍କର ମଡ଼େଲଗୁଡ଼ାକୁ ବଙ୍କା ସିଧା ନାନାଭାବେ ଆମର ମତଲଗୁଡ଼ିକର ଭିତରକୁ ଡାକି ଆଣିଲୁ । ଆମ ସାହିତ୍ୟରେ ମଧ୍ୟ ଆଧୁନିକମାନେ ସେଠା ସାହିତ୍ୟର ମଡ଼େଲଗୁଡ଼ିକୁ ଆଣି ଏକ ନୂଆ ନବରଙ୍ଗଟାଏ ଲଗାଇ ଦେବାକୁ ଇଚ୍ଛା କଲେ । ନିଜକୁ ପୁରୋଗାମୀ ହିରୋ ବୋଲି କହିଲେ । ଭାରି ଅଭିମାନୀ ହେଲେ । ମଫସଲର କୌଣସି କଲେଜରେ ଇଂରାଜୀ ଭାଷାକୁ ଯେତେ ଗିଳିଥିଲେ ମଧ୍ୟ ତଥାପି ହଜମ କରିପାରି ନଥିବା ପିଲାମାନଙ୍କର ସେହି ଅସମର୍ଥତାକୁ ଉପହାସପ୍ରାୟ କରି ଅଧ୍ୟାପକମାନେ ଇଂରାଜୀ ଭାଷାର ଠୋ’ ଠା’ ଗିଲ ଫୁଟାଇ ଏବେ ଯେଉଁପରି ଏକ ଆତ୍ମସନ୍ତୋଷ ଅନୁଭବ କରନ୍ତି, ଇଏ ପ୍ରାୟ ସେହିପରି ଘଟଣାଟିଏ ଘଟିଲା । ମୂର୍ଖ ପିଲାଗୁଡ଼ାକ ଆମ କଥାଗୁଡ଼ିକୁ କିପରି ବୁଝିପାରିବେ ବୋଲି ଉଲୁଗୁଣା ଦେଖାଇ ଅଧ୍ୟାପକମାନେ ଯେପରି ତାହାକୁ ହିଁ ନିଜର ସତେଅବା କେଡ଼େବଡ଼ ଗଡ଼ଜୟ ବୋଲି ମନେ କରନ୍ତି, ଆଧୁନିକ କବି ପ୍ରାୟ ସେହିପରି ଏକ ଆହ୍ଲାଦରେ ହୁଏତ କାଳାତିପାତ କରୁଥିବ । ଓଡ଼ିଶାର ଆମ ଆଧୁନିକ କବିମାନଙ୍କର ଯୁଗଟିର ଆହୁରି ଅଧିକ ନିକଟରୁ ଆଲୋଚନା କରାଯାଇ ପାରିବା ଉଚିତ । ସେମାନଙ୍କ କବିତାକୁ ଦର୍ପଣ କରି ସେମାନଙ୍କର ଜୀବନଟିର ମୂଲ୍ୟାଙ୍କନ ହୋଇପାରିବା ଉଚିତ ଏବଂ ସେମାନଙ୍କ ଜୀବନକୁ ଦର୍ପଣ ପରି ବ୍ୟବହାର କରି ସେମାନଙ୍କ କବିତାର ମଧ୍ୟ ମୂଲ୍ୟାୟନ କରାଯିବା ଉଚିତ । ଜଣେ କବିର ଜୀବନ ସହିତ ସିଏ ଲେଖୁଥିବା କବିତାର ସେପରି ଉଲ୍ଲେଖଯୋଗ୍ୟ କୌଣସି ସମ୍ବନ୍ଧ ରହିବା ବାଧ୍ୟ ନୁହେଁ ବୋଲି ଯଦି ଆପତ୍ତି ହୁଏ, ତେବେ ସେଥିରେ ଆଉ ଅଧିକ କିଛି ହେଲେ କୁହାଯାଇ ପାରିବ ନାହିଁ । ଜଣେ ମଣିଷର ଖାଇବା ସହିତ ତା’ର ବାନ୍ତି କରିବାର କୌଣସି ସମ୍ବନ୍ଧ ରହିଛି କି ନାହିଁ, ସେକଥା ଆୟୁର୍ବେଦୀମାନେ ଅବଶ୍ୟ କହିପାରିବେ । ଆମ ସାହିତ୍ୟର ମଧ୍ୟ ସୁନିଶ୍ଚିତ ଭାବରେ ଏକ ଆୟୁର୍ବେଦ ରହିଥିବ ଓ ଆମେ ମନ କଲେ ଯାବତୀୟ ସାହିତ୍ୟାଲୋଚନାରେ ସେହି ପ୍ରକରଣଟିକୁ ମଧ୍ୟ ଚର୍ଚ୍ଚା ବି କରିପାରିବା । ଏବଂ ସ୍ୱାସ୍ଥ୍ୟର ସଂଜ୍ଞାଟି ଜଣା ନଥିଲେ ରୋଗ ବିଷୟରେ ଆମେ ପ୍ରକୃତରେ ମୋଟେ କିଛି ଜାଣି ପାରିବା ନାହିଁ। ସମୁଦାୟ ଭାରତବର୍ଷ ସାମନ୍ତବାଦର ସେହି ପୁରୁଣା ଗାଡ଼ିଆଟା ଭିତରେ ପଡ଼ି ରହିଥିବା ବେଳେ ଆମ ସାହିତ୍ୟକୁ ଯେଉଁ ତଥାକଥିତ ଆଧୁନିକ ଯୁଗଟି ଆସିଲା, ପ୍ରାୟ ସେହି କାରଣରୁ ହିଁ ତାହା ଏକ କ୍ଷୟ ଏବଂ ଅବକ୍ଷୟର ସୂଚକ ହୋଇ ରହିଲା । ଏହି ପର୍ଯ୍ୟାୟଟିର ସମଗ୍ର ଅବକ୍ଷୟକୁ ବଢ଼ାଇବାରେ ତାହା ଏକାଧିକ ଅର୍ଥରେ ଅଧିକ ସାହାଯ୍ୟ କଲା । ଆଧୁନିକମାନେ ସତେଅବା ଗୋଟାଏ ଅଲଗା ଜାତି ହୋଇ ରହିଲେ ଏବଂ ସେହି କଳୁଷ ବଳରେ ଆମ ସାହିତ୍ୟକୁ ମଧ୍ୟ ସେହି ଅଲଗା ଜାତିଟାର ପ୍ରାୟ ଗୋଟିଏ ଏକ ଚାଟିଆ ଇଲାକା କରି ରଖିଲେ । କବି ସାମାଜିକ ହେବାକୁ ବାଧ୍ୟ ନୁହେଁ । ସିଏ କେବଳ ନିଜ ସିଂହାସନରେ ବସିବ ଓ ସେଇଠୁ ଏକଚାଟିଆ ବାଦଶାହ ହୋଇ ପୃଥ୍ଵୀ ଆଡ଼କୁ ଶବ୍ଦ କ୍ଷେପଣ କରିବାରେ ଲାଗିଥିବ, ତେଣିକି ଏହିପରି ଅବାନ୍ତ ଖିଆଲତତ୍ତ୍ୱମାନ ଉଦ୍ଘୋଷିତ ହେବାକୁ ଲାଗିଲା । ଆଧୁନିକମାନେ ଜୀବନ ଅପେକ୍ଷା ବେଶୀ ମୃତ୍ୟୁର କଥା କହିଲେ, କାଳ ଭିତରେ ନରହି ଚମ୍ପଟ କଲେ, ସମସ୍ତଙ୍କ ମେଳକୁ ଡ଼ରି ସ୍ଵଗତରେ ବାଟ ଚାଲିଲେ, ତୁଚ୍ଛା ଆପଣା ସହିତ ରତିରତ ହୋଇ ରହିଲେ, ଗୋଟାଏ ଶାବ୍ଦିକ ଗଉଁରେ ଅସ୍ପୃଶ୍ୟ ହେଲେ । ସତେଅବା ସେହି ଗରଜରେ ପଡ଼ି ସେମାନେ ନିଜ ଜୀବନରେ ମଧ୍ୟ ଏକାବେଳେକେ କେତେ ଫାଳ ହୋଇଗଲେ ଏବଂ କେବଳ ଗୋଟିଏ ଫାଳରେ କବି ହୋଇ ଅନ୍ୟ ଫାଳଗୁଡ଼ିକରେ ଆହୁରି କେତେ କ’ଣ ହୋଇ ରହିଲେ । ନିଜର ଏହି ତଥାକଥିତ କଳାଶକ୍ତିକୁ ସେମାନେ ଏକ କାଳିସୀଶକ୍ତି ବୋଲି କହି ଖୁସି ହେଲେ । ଏକ ସମଗ୍ରତାର ଅନୁଭବକୁ ଯେ ସ୍ଵାସ୍ଥ୍ୟ ବୋଲି କୁହାଯାଏ, ସେହି ସତ୍ୟଟିକୁ ଫାଙ୍କି ବି ଦେଲେ । ମଣିଷର ଅହଂ ବୋଲି ଯେଉଁ ଅପଶକ୍ତିଟି ଯୁଗେ ଯୁଗେ ତାକୁ ଏକୁଟିଆ ଅଧୀଶ୍ୱର କରି ରଖିବାର ଲୋଭ ଦେଖାଇ ମନୁଷ୍ୟ-ସମଗ୍ରର ସଂସାରରେ ବହୁ ପ୍ରମାଦର କାରଣ ହୋଇଛି, ଏମାନେ ଆଉ ତାହାରି କବଳରେ ଯାଇ ପଡ଼ିଗଲେ କି ? ସେ ଯୁଗର ଆଧୁନିକମାନେ କ୍ରମେ ଯେତେବେଳେ ନିଜ ଜୀବନର ଚତୁର୍ଥ ଚରଣରେ ପ୍ରବେଶ କରିବେ, ସେତେବେଳେ ସେମାନେ ଯାହା କହିବେ ବା ଲେଖିବେ, ହୁଏତ ସେହି ପର୍ଯ୍ୟାୟରେ ସେମାନଙ୍କର ଅସଲ ଧାତୁଟିର କିଞ୍ଚିତ ପରିଚୟ ମିଳିବ । ଜୀବନଯାକ ନାସ୍ତିକ ହୋଇ, ସତ୍ୟ ବୋଲି, ଡୋର ବୋଲି କେଉଁଠି କିଛି ନାହିଁ ବୋଲି ଏକ କଳାତ୍ମକ ଦର୍ପରେ ଘୋଷଣା କରି ବାନପ୍ରସ୍ଥରେ ପଦାର୍ପଣ କରିବା ପରେ ଈଶ୍ୱରାଶ୍ରୟ ଲୋଡୁଥିବା ବା ଅନ୍ତତଃ ନିଜ ଶୈଳୀରେ ଏକ ବୈରାଗ୍ୟଶତକ ଲେଖୁଥିବା ଅଥବା ଭଜୁଥିବା ବ୍ୟକ୍ତିମାନଙ୍କର ଏକାଧିକ ଉଦାହରଣ ଏଇଠି ଆମ ଓଡ଼ିଶାରେ ମଧ୍ୟ ରହିଛି । ଆଧୁନିକ ପୋଷାକ ପିନ୍ଧିଲେ କେତେ ମଣିଷ ଆଧୁନିକ ହୋଇଗଲେ ବୋଲି ଭାବି ଖୁସୀ ହୁଅନ୍ତି । ସମ୍ଭବତଃ ସେହିଭଳି ଏକ କାରଣରୁ ଆମ ସମୟର ଥୋକେ ମନୁଷ୍ୟଜୀବ ପୋଷାକର ନିଶାରେ ଯାଇ ପଡ଼ିଯାଆନ୍ତି । ପ୍ରାୟ ସେହିମାନଙ୍କର ପ୍ରୀତ୍ୟର୍ଥେ ଏବେ ଆମ କପଡ଼ାଦୋକାନମାନଙ୍କରେ ପୃଥିବୀଯାକର ଭାନୁମତିଆ ପୋଷାକମାନ ଆସି ଠୁଳ ହୋଇଗଲେଣି ଏବଂ ଏକ ନିର୍ଦ୍ଦିଷ୍ଟ ମିଜାଜର ତରୁଣଚିତ୍ତକୁ ଟାଣିବାରେ ଲାଗିଛନ୍ତି । ଆମ ଦୂରଦର୍ଶନ, ଚଳଚ୍ଚିତ୍ର ଓ ଏପରିକି ଆମ ନିତିଦିନିଆ ଖବରକାଗଜରେ ଆଧୁନିକତାର ସନ୍ତକ ନାମରେ ଯେଉଁସବୁ ନୂଆ ରଙ୍ଗ ଓ ନୂଆ ଢ଼ଙ୍ଗମାନେ ଉକୁଟି ଉଠୁଛନ୍ତି, ସେଗୁଡ଼ିକୁ ମଧ୍ୟ ଆମେ ନିଜକୁ ଆଧୁନିକ ପରି ଦିଶିବାର ଗୋଟିଏ ଗୋଟିଏ ଅପପ୍ରୟାସ ବୋଲି ଜାଣିବା । ଆମର ପୌରଜୀବନ ବର୍ବର ହେଉଛି, ପ୍ରତିବେଶଟା ନାନା ଭାବେ ଆମ ସମୟର ସଫଳ ଦୁଷ୍ଟମାନଙ୍କ ଦ୍ଵାରା ଉତ୍ପୀଡ଼ିତ ହୋଇ ରହିଛି, ସବଳର ଟଙ୍କାରେ ଦୁର୍ବଳ ବିକି ହୋଇ ଯାଉଛି । ଅସହାୟ ମଣିଷଙ୍କର ସଂଖ୍ୟା ତଥାପି ବୃଦ୍ଧି ପାଉଛି, ରାଜନୀତିର ଧନୁଯାତ୍ରାରେ ଆଦୌ ଇଜ୍ଜତ ନଥିବା କଂସାସୁରମାନେ କେତେ ଲଣ୍ଡଭଣ୍ଡ ହେଉଛନ୍ତି ଓ କେଡ଼େ ତୋରା ଦିଶୁଛନ୍ତି, କ୍ଷମତା-ଘରର ମାରୀଚମାନେ ଅନଙ୍ଗ ଦହିବା ମାତ୍ରକେ ଆମ ସାହିତ୍ୟକୁ ମଧ୍ୟ ଆସି ମାଡ଼ି ବସୁଛନ୍ତି । ଆଧୁନିକଠାରୁ ଅଲଗା ବାଟଟାଏ କାଟି ନିଜକୁ ଉତ୍ତର-ଆଧୁନିକ ବୋଲି କହୁଥିବା ଏହି ନୂତନ ଗୀତିକାରମାନେ ପ୍ରକୃତରେ କିପରି ଭାବରେ ଏଗୁଡ଼ିକର ସାମନା କରିବାକୁ ଯାଉଛନ୍ତି ? ସେମାନେ ବି କ’ଣ ସେମାନଙ୍କର ପୂର୍ବଜମାନଙ୍କ ପରି ଛଅଫାଳ ହୋଇ ରହିବେ, ଛଅପ୍ରକାର ଜୀବନ ବଞ୍ଚିବେ ନା ସତକୁ ସତ କୌଣସି ସମଗ୍ରତାର ଆକାଂକ୍ଷୀ ହେବେ ? ସାହିତ୍ୟକୁ, କବିତାକୁ କୋରଡ଼ ପରି ବ୍ୟବହାର କରି ସେମାନେ ଘଡ଼ିଏ ଘଡ଼ିଏ ତା’ ଭିତରକୁ ପଳାଇ ଯିବେ ନା ମେରୁଦଣ୍ଡ ସିଧା କରି ଜୀବନଟିଏ ବଞ୍ଚିବେ ଏବଂ ଅନୁରାଗ ସହିତ ସେହି ଜୀବନର ସତକଥାଗୁଡ଼ିକୁ କହିବାର ପ୍ରୟାସ କରିବେ ? ଅସଲ ସାହିତ୍ୟ ଜୀବନ ପରି ପ୍ରଶସ୍ତ ହେବ ଓ ଜୀବନ ସହିତ ବନ୍ଧୁ ବାନ୍ଧିବ । ଅସଲ ଆଧୁନିକତା ସମଗ୍ର ଚଳନ୍ତିଟାକୁ ଏକ ନୂତନ ସମ୍ଭାବନାର ଚାଲେଞ୍ଜ ଦେଇ ପୃଥିବୀକୁ ଯେଉଁଠି ଯେଉଁଠି ଆସିଛି, ସେଠାରେ ତାହା ଖାଲି ସାହିତ୍ୟ ଭିତରେ ନିଜକୁ ମୋଟେ ସୀମାବଦ୍ଧ କରି ରଖିନାହିଁ । ଖାଲି ସାହିତ୍ୟର ଏହି ଆଧୁନିକତା, ଖାଲି ଫେଶନର ଆଧୁନିକତା ମଧ୍ୟ ବସ୍ତୁତଃ ଏକ ପଛୁଆ ଆଧୁନିକତା । ତେଣୁ ନିଜକୁ ଉତ୍ତର-ଆଧୁନିକ ବୋଲି କହିବାକୁ ଇଚ୍ଛା କରୁଥିବା ଏମାନଙ୍କୁ ବାଛି ନେବାକୁ ପଡ଼ିବ । ଖଣ୍ଡ ଖଣ୍ଡ କରି ଦେଖିବା ପ୍ରକୃତରେ ସତ୍ୟକୁ ଏଡ଼ାଇ ରହିବାର ଚେଷ୍ଟା କରୁଥାଏ । ସେହି ପ୍ରକ୍ରିୟାରେ ମଣିଷ ମଧ୍ୟ ନିଜକୁ ଏଡ଼ାଇ ରହିଯାଏ । ଆମ ଦେଶର ଶିକ୍ଷିତମାନେ ଯେପରି ଏଠି ନିୟତିର ମୁଖ୍ୟ ସ୍ରୋତଟି ଠାରୁ ନିଜକୁ ଏଡ଼ାଇ ରଖିଛନ୍ତି, ପ୍ରାୟ ସେହିପରି । ଯେଉଁମାନେ ଆସୁଛନ୍ତି, ସେମାନେ କ’ଣ କରିବେ କେଜାଣି ?

Image

 

ଜିନ୍ନାମାନେ ଯୁଦ୍ଧ ବନ୍ଦ କର

 

ଏଠାରେ ସ୍ୱାଧୀନତା ସଂଗ୍ରାମ ଲଢ଼ା ହେଉଥିବା ସମୟରେ ଭାରତବର୍ଷ ଗୋଟିଏ ଥିଲା-। ସେହି ସଂଗ୍ରାମ ସାମ୍ରାଜ୍ୟବାଦ ବିରୋଧରେ ଲଢ଼ା ଯାଉଥିଲା । ସେହି ସଂଗ୍ରାମ ଶେଷରେ ଦେଶକୁ ସ୍ୱାଧୀନତା ମିଳିବା ସମୟରେ ଯାଇ ଗୋଟିଏ ଭୂମି ଦୁଇଖଣ୍ଡ ହେଲା । ଏବେ ତାହା ତିନିଖଣ୍ଡ ବି ହେଲାଣି । ଗୋଟିଏ ଭୂମି ଘଟଣାପ୍ରବାହର ଆଘାତରେ ତିନୋଟି ଦେଶରେ ପରିଣତ ହେଲାଣି । ଏବେ ତିନି ଦେଶରେ ତିନିଟା ପତାକା, ଜାତୀୟ ସଂଗୀତ ମଧ୍ୟ ତିନୋଟି । ତିନୋଟି ରାଷ୍ଟ୍ରର ଅଧିନରେ ମଣ ହେଉଥିବା ତିନି ଯୂଥ ନାଗରିକ । ଏସବୁ ଏପରି ହେବ ବୋଲି ସଂଗ୍ରାମଟି ସମୟରେ କେହି ଚିନ୍ତା କରିନଥିଲେ । ସତେଯେପରି ଅସଲ କୌଣସି ନିୟତିର ବିରୋଧାଚରଣ କରି ୧୯୪୭ ମସିହାରେ ଭୂମିଟା ଦୁଇଭାଗ ହୋଇଗଲା । ସ୍ୱାଧୀନତା ସଂଗ୍ରାମଟି ସତେ ଅବା ଧକ୍କା ଖାଇଗଲା ପରି ଅନୁଭବ ହେଲା । ମିଳିବାର ଆନନ୍ଦ ଅବଶ୍ୟ ଥିଲା । ମାତ୍ର ଗୋଟିଏ ଘର ଦୁଇଟା ହୋଇଗଲା ବୋଲି ଚେତିବା ବେଳକୁ ନିଜର ହୃଦୟ ଭିତରେ ଭାରି ଖାଁ ଖାଁ ଲାଗୁଥିଲା । ଆମେ ପ୍ରକୃତରେ ନିଜକୁ ନିଜେ ଧୋକା ଦେଇ ପକାଇଲେ କି ? ବୋଲି ନିଜକୁ ପଚାରିବାକୁ ଇଚ୍ଛା ହେଉଥିଲା । ଏବଂ, ସେହି ପ୍ରଶ୍ନଟିର ହୁଏତ ଏବେ ମଧ୍ୟ ଏକ ପ୍ରାସଙ୍ଗିକତା ରହିଛି ।

 

ସେହି ସଂଗ୍ରାମ ସମୟର ଦୁଇଜଣ ବ୍ୟକ୍ତି ଏବେ ମଧ୍ୟ ଭାରି ମନେ ପଡୁଛନ୍ତି । ଜଣେ ହେଉଛନ୍ତି ଶ୍ରୀ ମହମ୍ମଦ ଅଲ୍ଲୀ ଜିନ୍ନା ଓ ଆଉ ଜଣେ ହେଉଛନ୍ତି ଶ୍ରୀ ଭୀମରାଓ ଆମ୍ବେଦକର । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଏ ଦୁହେଁ ଭାରତ ପକ୍ଷରେ ନଥିଲେ । ସେମାନେ ବ୍ରିଟିଶ ପକ୍ଷରେ ରହିଥିଲେ । ଅର୍ଥାତ୍, ବ୍ରିଟିଶ ସରକାର ସ୍ୱାଧୀନତା ଆନ୍ଦୋଳନକୁ ଯୁକ୍ତିରେ କାଟି ଫୋପାଡ଼ି ଦେବାର ତାଲିକାରେ ସେହି ଦୁଇଜଣଙ୍କୁ ଗେହ୍ଲାପୁଅ ପରି ବ୍ୟବହାର କରୁଥିଲେ । ଜିନ୍ନା କିମ୍ବା ଆମ୍ବେଦକର କେହି ଜଣେ ହେଲେ ଭାରତବର୍ଷ ସ୍ଵାଧୀନତା ଲାଭ କରୁ ଏବଂ ବ୍ରିଟିଶ ଶାସନର ଅନ୍ତ ହେଉ ବୋଲି ଇଚ୍ଛା କରୁନଥିଲେ । ସେମାନେ ତ ଓଲଟି କେଡ଼େ ବଡ଼ ପାଟିରେ କହୁଥିଲେ ଯେ, ହେ ବ୍ରିଟିଶ ସରକାର, ତୁମେ ଭାରତବର୍ଷ ଛାଡ଼ି ମୋଟେ ଯାଅନାହିଁ । ତୁମେ ଗଲେ କଂଗ୍ରେସ ନାମକ ହିନ୍ଦୁ-ସଂଖ୍ୟାଗରିଷ୍ଠତା ଆମର ଆଉ ସତ୍ତା ରଖିବ ନାହିଁ । ତୁମେ ଏହି ଦେଶରେ ରହିଥିବା ପର୍ଯ୍ୟନ୍ତ ଏଠାରେ ମୁସଲମାନ ଏବଂ ଅସବର୍ଣ୍ଣ ମାନଙ୍କୁ ସୁରକ୍ଷା ମିଳିପାରିବ । ସେତେବେଳେ ଭାରି ମନେ ହେଉଥିଲା ଯେ, ବ୍ରିଟିଶ ସରକାର ଭାରତର ସ୍ୱାଧୀନତା ସଂଗ୍ରାମକୁ ଖୁମ୍ପା ମାରିବାରେ ଲାଗିଥିବେ ବୋଲି ଉକ୍ତ ଦୁଇଜଣ ବ୍ୟକ୍ତିଙ୍କୁ ପ୍ରାୟ କଣ୍ଢେଇପରି ନଚାଇବାରେ ଲାଗିଥିଲେ । ଭାରତର ବାହାରେ ସେମାନଙ୍କୁ ଶିଖଣ୍ଡୀ କରି ଛିଡ଼ା କରାଇ ଦେଉଥିଲେ । ଏବଂ ଭାରତବର୍ଷର ସମସ୍ତେ ବ୍ରିଟିଶ ହୁକୁମତ ଏଠାରୁ ଚାଲିଯାଉ ବୋଲି, ଯେ ମୋଟେ ଇଚ୍ଛା କରୁନାହାନ୍ତି, ସେଥିପାଇଁ ପ୍ରମାଣ ବାଢ଼ି ଦେଉଥଲେ ।

 

ଭାରତୀୟ ଜାତୀୟ କଂଗ୍ରେସରେ ଅଧିକ-ସଂଖ୍ୟକ ବ୍ୟକ୍ତି ହିନ୍ଦୁ ଘରୁ ଆସିଥିଲେ ସତ, ମାତ୍ର କଂଗ୍ରେସ ଆଦୌ ହିନ୍ଦୁମାନଙ୍କର ଏକ ସଂଗଠନ ବା ଅନୁଷ୍ଠାନ ନଥିଲା । ସ୍ଵାଧୀନତା ସଂଗ୍ରାମଟି କେବଳ ହିନ୍ଦୁମାନଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିନଥିଲା | ସେହି ସଂଗ୍ରାମର ମାନଚିତ୍ରରେ ସମଗ୍ର ଭାରତବର୍ଷ ହିଁ ରହିଥିଲା ଏବଂ ଏହି ଭୂମିରେ ବାସ କରୁଥିବା କୋଟି କୋଟି ମନୁଷ୍ୟଙ୍କର ସ୍ୱାଧୀନ ହେବାର ପିପାସାକୁ ବ୍ୟକ୍ତ କରୁଥିଲା । ସେହି ସଂଗ୍ରାମରେ ମୌଲାନା ଆଜାଦ୍ ଥିଲେ, ଖାଁ ଅବଦୁଲ ଗଫର ଖାଁ ମଧ୍ୟ ଥିଲେ । ଭାରତୀୟ ଏହି ସ୍ୱାଧୀନତାର ଦୀର୍ଘ ଇତିହାସରେ ଲାହୋର ଓ ଚଟ୍ଟଗ୍ରାମ ପ୍ରଭୃତି ନାମ ଚିରଦିନ ନିମନ୍ତେ ନିତ୍ୟ-ସ୍ମରଣୀୟ ହୋଇ ରହିଥିବ । ବିଶେଷ ଭାବରେ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶରେ ସୀମାନ୍ତ ଗାନ୍ଧୀଙ୍କର ବଳିଷ୍ଠ ନେତୃତ୍ୱରେ ଯେଉଁ ଲାଲ୍କୁର୍ତ୍ତା ବାହିନୀ ନିଜକୁ ଖୁଦାଇ ଖିଦମ୍ଗାର (ଭଗବାନଙ୍କର ସେବକ) ବୋଲି କହୁଥିଲା, ଜାତୀୟ ସଂଗ୍ରାମରେ ତାହା ଏକ ଅତି ବଳିଷ୍ଠ ଅଣ୍ଟା ପରି ହୋଇ ରହିଥିଲା । ସେହିପରି ଅସବର୍ଣ୍ଣ ସମାଜରୁ ମଧ୍ୟ ବହୁ ଲୋକ ଆମ ସ୍ୱାଧୀନତା ସଂଗ୍ରାମରେ ରହିଥିଲେ । ତଥାପି ଭାରି ସିଆଣିଆ ବ୍ରିଟିଶ୍ ଶାସନ ଜିନ୍ନାଙ୍କୁ ମୁସଲମାନ ମାନଙ୍କର ଏବଂ ଆମ୍ବେଦକରଙ୍କୁ ଅସବର୍ଷ ମାନଙ୍କର ଏକମାତ୍ର ପ୍ରତିନିଧି ଓ ମୁଖପାତ୍ର ବୋଲି ମାନୁଥିଲେ । ଏହି ଦୁଇ ବ୍ୟକ୍ତି ଅଜାଣତରେ ଯେ ସାମ୍ରାଜ୍ୟବାଦୀଙ୍କ ହାତର ଖେଳନା ହୋଇ ଏଠି ସ୍ଵାଧୀନତା ପଥର ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଥିଲେ ସେକଥା ଆଦୌ ନୁହେଁ, ସେମାନେ ସମ୍ପୂର୍ଣ୍ଣ ଜାଣତରେ ହିଁ ସେହି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଜିନ୍ନାଙ୍କର ମୁସଲିମ୍ ଲିଗ୍କୁ ବ୍ରିଟିଶ ମାଲିକମାନେ ମୁସଲମାନ ମାନଙ୍କର ଏକମାତ୍ର ମାନ୍ୟତାପ୍ରାପ୍ତ ପ୍ରତିନିଧି ବୋଲି ସ୍ୱୀକାର କରୁଥିଲେ ଏବଂ ସେହିପରି ଆମ୍ବେଦକର ସାହେବଙ୍କୁ ଅସବର୍ଣ୍ଣଙ୍କର ଏକମାତ୍ର ପ୍ରତିନିଧି ବୋଲି ମାନୁଥିଲେ । ଭାରତୀୟ ସ୍ଵାଧୀନତା ଦାବିକୁ ପ୍ରତ୍ୟାଖ୍ୟାନ କରିବାରେ ବ୍ରିଟିଶ୍ ସରକାର ସେମାନଙ୍କୁ ସର୍ବଦା ନିଜ ପକ୍ଷର ଦୁଇ ସାକ୍ଷୀ ରୂପେ ବ୍ୟବହାର କରୁଥିଲେ ।

 

ଧପାଇ ଧପାଇ ଶେଷକୁ ବିଦେଶୀ ଶାସକ ଯେତେବେଳେ ଆମ ଦେଶର ସ୍ଵାଧୀନତା ସମର ଏବଂ ଦ୍ଵିତୀୟ ମହାଯୁଦ୍ଧର ପରବର୍ତ୍ତୀ ପୃଥିବୀର ରାଜନୀତିକ ଚାପରେ ପଡ଼ି ଭାରତବର୍ଷ ଛାଡ଼ିବାକୁ ବାଧ୍ୟ ହେଲେ, ସେତେବେଳେ ସତେଅବା ଦ୍ୱେଷବୁଦ୍ଧିର ଶେଷ ଅସ୍ତ୍ର ପ୍ରୟୋଗ କରି ଭାରତକୁ ଦୁଇଭାଗ କରାଇଲେ । ଏହି ଭୂମିକୁ ସତେଅବା ସେହି ସମୟରୁ ହିଁ ଯାବତୀୟ ଅମଙ୍ଗଳ ଆସି ଗ୍ରାସ କରି ପକାଇଲା । ସେହି ଅମଙ୍ଗଳର କଷାଘାତ ସମ୍ଭବତଃ ଏବେ ମଧ୍ୟ ସରି ଯାଇନଥିବା ପରି ବୋଧ ହେଉଛି । ମଣିଷ ମଣିଷ ହାଣକାଟ ହେଲେ । ପରସ୍ପରକୁ ଗୋଟିଏ ଗୌରବର ଉତ୍ତରାଧିକାରୀ ବୋଲି ନ ଚିହ୍ନି ସେମାନେ ଦୁଷ୍ଟ ନେତୃତ୍ଵ ଗୁଡ଼ିକର ପ୍ରରୋଚନାରେ ଧର୍ମର ମାର୍କା ଦେଇ ଚିହ୍ନିଲେ । ସେ ପାଖରେ ପାକିସ୍ତାନ ହେଲା । ଏ ପାଖଟାକୁ ହିନ୍ଦୁସ୍ତାନ ବୋଲି କୁହାଗଲା । ସେ ପାଖରେ ହିନ୍ଦୁମାନେ ଓ ଏପାଖରେ ମଧ୍ୟ କୋଟି କୋଟି ମୁସଲମାନ ରହିଥିଲେ । ପାକିସ୍ତାନକୁ ପୃଥିବୀର ଇତିହାସରେ ହୁଏତ ଏକମାତ୍ର ଏପରି ରାଷ୍ଟ୍ର ବୋଲି କୁହାଯିବ, ଯେଉଁଠାରେ କି ସେପରି ଗୋଟିଏ ରାଷ୍ଟ୍ର ପାଇଁ କୌଣସି ସ୍ୱାଧୀନତା ସଂଗ୍ରାମ ଲଢ଼ାଯାଇ ନାହିଁ । ସେଠା ନେତାମାନଙ୍କୁ ସତେଅବା ଗୋଟାଏ ନିମକହାରାମ ଜାଗିରି ହିଁ ମିଳିଯାଇଛି । ସେହି ଅଞ୍ଚଳରେ ଯେଉଁ ସହସ୍ର ସଂଖ୍ୟାର ମଣିଷ ସ୍ଵାଧୀନତା ସଂଗ୍ରାମର ଶିବିର ମଧ୍ୟରେ ଥିଲେ, ସେମାନେ ପାକିସ୍ତାନ ପାଇଁ ସଂଗ୍ରାମ କରିନଥିଲେ, ସେମାନେ ଏହି ସମ୍ପୂର୍ଣ୍ଣ ଭୂମିଟିର ବନ୍ଧନମୋଚନ ନିମନ୍ତେ ହିଁ ସଂଗ୍ରାମ କରିଥିଲେ । ପାକିସ୍ତାନ ଫନ୍ଦା ହେବା ପରେ ସେମାନେ ଜେଲ ଭିତରେ ରହିଲେ । ଭାରତବର୍ଷର ସ୍ଵାଧୀନତା ଲାଭ କରିବାର ଅବସରରେ ଘଟିଥିବା ଏହି ବିଡ଼ମ୍ବନାଟିକୁ ଏହି ସମଗ୍ର ଭୂମିଟିକୁ ନିଜର ନିୟତି ଓ ନିଜର ଜନନୀ ବୋଲି ସ୍ୱୀକାର କରୁଥିବା କୌଣସି ବ୍ୟକ୍ତି କେବେହେଲେ ହଜମ କରିପାରିବ ନାହିଁ ।

 

ଅର୍ଥାତ୍, ପାକିସ୍ତାନରେ ସ୍ଵାଧୀନ ରାଷ୍ଟ୍ରରେ ଯେଉଁମାନେ କ୍ଷମତାକୁ ଆସିଲେ, ସେମାନେ ସ୍ୱାଧୀନତା ସକାଶେ ପ୍ରକୃତରେ କୌଣସି ସଂଗ୍ରାମ କରିନଥିଲେ । ମାଙ୍କଡ଼ ପିଠା ବାଣ୍ଟୁଥିବା ବେଳେ ଯୋଗକୁ ସେମାନଙ୍କ ଭାଗରେ ଯେଉଁ ଚେନାଟି ପାଇଲେ, ସେମାନେ ସେଇଟାକୁ ମୂଳତଃ ଗଢ଼ିବାକୁ ଇଚ୍ଛା କରୁନଥିଲେ, ସେଇଟାକୁ ଭାଗ କରିବାକୁ ହିଁ ଚାହୁଥିଲେ । ମହମ୍ମଦ ଅଲ୍ଲି ଜିନ୍ନା ଯେ ପାକିସ୍ତାନ ହେଉ ହେଉ ନିଜ ଭିତରେ ନିଜେ ଭାରି କାଇଲି ହୋଇ ଯାଉଥିଲେ ଓ ତାହାରି ଆଘାତରେ ନିଜକୁ ସମଗ୍ର ଦୃଶ୍ୟପଟଟିରୁ ପ୍ରତ୍ୟାହାର କରି ନେଉଥିଲେ, ଏପର୍ଯ୍ୟନ୍ତ ତାଙ୍କୁ ସେହି ସମୟର ଜୀବନ ବିଷୟରେ ଯେତିକି ତଥ୍ୟାଦି ମିଳୁଛି, ସେଥିରୁ ସେହିଭଳି ଅନୁମାନ କରିବା ଲାଗି ପ୍ରକୃତରେ ଯଥେଷ୍ଟ କାରଣ ମିଳିପାରିବ । ଶ୍ରୀ ଲିଆକତ୍ ଅଲ୍ଲୀଙ୍କର ହତ୍ୟା ପରେ ଖୁବ୍ ସୂଚନା ମିଳିଯାଉଥିଲା ଯେ ଏଣିକି ସେପାଖର ସେହି ଖଣ୍ଡଟାକୁ ରାଜନୀତି ନୁହେଁ, ଗୋଟିଏ ଭୂମିକୁ ଶ୍ରଦ୍ଧାର ସହିତ ଗଢ଼ି ଆଣିବାର ବୁଦ୍ଧିମତ୍ତା ବି ନୁହେଁ, ପ୍ରଧାନତଃ ଏକାଧିକ ମାର୍କାର ଅବିବେକ ହିଁ ଶାସନ କରିବ । ସତକୁ ସତ ସବୁ କିଛି ସେହି ଆଡ଼କୁ ହଁ ଢଳି ପଡ଼ିଲା । ଧର୍ମ ନାମକ ଗୋଟାଏ ଆଦିମ ଅଫିମ ଭାରି କାମ ଦେଲା ! ଭାରତ ନାମକ ଏପାଖ ଭାଗଟା ପ୍ରତି ଘୃଣାଟା ହିଁ ଲୋକମାନଙ୍କୁ ଏକ ସ୍ୱାଧୀନ ଦେଶର ଅସଲ ପ୍ରତ୍ୟାଶାଗୁଡ଼ିକ ବିଷୟରେ ଅନ୍ଧାରକଣା କରି ରଖିଲା । ଏବଂ, ସେନା ବାହିନୀଟା ମଉକା ପାଇ ରାଜା ହେଲା । କେତେଟା ସାମନ୍ତ ପୂରା ମସନଦଟାକୁ ମାଡ଼ି ବସିଲେ । ସରକାରଟା ଉଗ୍ରବାଦ ଉପରେ ଭରସା କରି ରହିବାରୁ ସାନ ସାନ ଉଗ୍ରବାଦର ବି ଉଦୟ ହେଲା । ପୃଥିବୀର ଶୀତଳ ଯୁଦ୍ଧଜନିତ ରାଜନୀତିରୁ ସେଠାକାର ଶାସନାଧୀଶମାନେ ଖୁବ୍ ଫାଇଦା ଉଠାଇଲେ । ଏପାଖ ଭାଇଟା ସହିତ ଖୁବ ଖୁରି ଖାଇଲେ ।

 

ଏବଂ, ହିନ୍ଦୁସ୍ତାନର କ’ଣ ହେଲା ? ଅନ୍ତତଃ ଚେନାକରେ ପୂର୍ଣ୍ଣ ସୁଯୋଗ ପାଇ ସେମାନେ ଭୁମିଟିଏ ବା ଭାଗ୍ୟଟିଏ ସମସ୍ତଙ୍କର ମନୋମତ କରି ଗଢ଼ିବେ ବୋଲି ନିଜକୁ ଆଶ୍ୱାସନା ଦେଇ ଦେଶ-ବିଭାଜନରେ ରାଜି ହୋଇଥିବା ନେତାମାନେ ପ୍ରଥମେ ପ୍ରଥମେ କେତେ କଥା କହିଲେ । ଗାନ୍ଧୀ ନାମକ ଗୋଟାଏ ଆଉ ପ୍ରକାରର ବିବେକ ସେମାନଙ୍କୁ କାନ ଧରି ଚେତାଇ ଦେବାକୁ ମଧ୍ୟ ସଶରୀର ଆଗରେ ଛିଡ଼ା ହୋଇ ରହିଥିଲା । ଗାନ୍ଧୀ ଥିଲେ ବୋଲି ସ୍ୱୟଂ ଆମ୍ବେଦକରଙ୍କୁ ସମ୍ବିଧାନ ତିଆରି କରିବାର କାର୍ଯ୍ୟରେ ପୁରୋଧା କରି ଅଣାଗଲା ଓ ତାହାରି ଫଳରେ ଅନ୍ତତଃ ତାଙ୍କ ପଟୁ କିଛି ପଥରୋଧ ହେବାର ଆଶଙ୍କା ରହିଲା ନାହିଁ । ଦାଦାସାହେବ ମଧ୍ୟ ଧର୍ମ ଆଡ଼କୁ ଢ଼ଳିଲେ ଏବଂ ଅସବର୍ଣ୍ଣମାନେ ବୌଦ୍ଧଧର୍ମ ଗ୍ରହଣ କରିନେଲେ ସବୁବିଛିର ସମାଧାନ ହୋଇଯିବ ବୋଲି କହି ଅସଲ ସାମାଜିକ ଏବଂ ଅର୍ଥନୈତିକ ଉତ୍କଟ ତାତ୍କାଳିକ ଅବଶ୍ୟସଂଗ୍ରାମ ଗୁଡ଼ିକରୁ ସେମାନଙ୍କର ଦୃଷ୍ଟିକୁ ଅନ୍ୟଆଡ଼େ କରିଦେଲେ । ସେମାନଙ୍କର ନେତାମାନେ ସବାତଳର ଆହ୍ୱାନ ଗୁଡ଼ିକୁ ଏଡ଼ିଦେବା ପରି ତେଣିକି ଦିଲ୍ଲୀରେ ରାଜନୀତି କଲେ ଏବଂ ଆପଣାକୁ ସମ୍ଭବତଃ ଅସବର୍ଣ୍ଣ ମାନଙ୍କ ମଧ୍ୟରେ ସବର୍ଣ୍ଣ ପରି ମଣିଲେ । ଘୋଷଣା ଅନୁସାରେ ଏପାଖ ଭାରତବର୍ଷଟା ସମାଜବାଦୀ ଛାଞ୍ଚରେ ଗଢ଼ା ହୋଇଥାନ୍ତା । ଗାନ୍ଧୀ ଚାଲିଯିବା ପରେ ସେଇଟାକୁ ପାଶୋରି ଦେବା ନିମନ୍ତେ ହିଁ ଅଧିକ ଚକ୍ରାନ୍ତ ହେଲା । ଗାନ୍ଧୀମାର୍ଗୀ ଓ ସମାଜବାଦୀମାନେ କ୍ରମେ ଶରଶଯ୍ୟା କଲେ ଏବଂ ଭୂମିଟାକୁ ପ୍ରାୟ ଗୋଟାସୁଦ୍ଧା ଆଦୌ କୌଣସି ଅସଲ ରାଜନୀତି ବିଷୟରେ ଅଜ୍ଞ ରହିଥିବା ନେତାମାନଙ୍କର ପାଷଣ୍ଡତା ଭିତରକୁ ସମର୍ପି ଦେଲେ । ଅମଲାମାନେ ଏହି ଅଧୋଗମନରେ ବୃକୋଦର ପରି ସହାୟତା କଲେ । ଭାରତରେ ଏକ ନୂଆ କିସମର ଔପନିବେଶିକ ଶାସନ ଆରମ୍ଭ ହୋଇଗଲା । ଉପରଟା ଗରୁରୁ ଅଧିକ ଗରୁ ହୋଇ ଲୋକମାନଙ୍କ ଉପରେ ଲଦି ହୋଇ ରହିଲା । ଏପାଖେ ମଧ୍ୟ ଅଫିମିଆମାନେ ବାହାରିଲେ । ଖୁବ୍ ସମ୍ଭବ ଆରପଟଟାରୁ ଶିକ୍ଷାଲାଭ କରି ସେମାନେ ଏ ପାଖଟାରେ ମଧ୍ୟ ଏକ ସମାନ ପ୍ରକାରର ଉତ୍ତେଜନା ସୃଷ୍ଟି କରିବାରେ ନିମିତ୍ତ ହେଲେ । କ୍ରମେ କେତେଟା ବର୍ଷ ଭିତରେ ଦେଶବାସୀଙ୍କ ମୁଣ୍ଡରେ ଏପରି ଗୋଟାଏ ଧାରଣା ଭରି କରି ଦିଆଗଲା ଯେ କେବଳ ସେପାଖଟା ଆମକୁ ହଇରାଣ କରୁଛନ୍ତି ବୋଲି ଆମେ ଏପାଖରେ ହଇରାଣ ହେଉଛୁ । ଆମର ସବୁଯାକ ଦୁର୍ଗତିର କାରଣ ବାହାରେ ଆଉ କୋଉଠି ରହିଛି ବୋଲି ମଣିଷମାନଙ୍କୁ ଫୁସୁଲେଇ ଦେଇ ନେତାମାନେ ଯୁଗେ ଯୁଗେ ନିରଙ୍କୁଶ ଭାବରେ ରାଜତ୍ୱ କରିପାରିଛନ୍ତି । ପାକିସ୍ତାନରେ ହୁଏତ ସେହି ଆରମ୍ଭରୁ ହିଁ ଏହି ଗଦଟା ଅଧିକ କାମ ଦେଇଆସିଛି ।

 

ଆମକୁ ଅନ୍ୟମନସ୍କ କରିବାର ଏହି ଫନ୍ଦିଟା ହିଁ ସତକୁ ସତ ଏପାଖ ତଥା ସେପାଖ ଉଭୟଙ୍କୁ ହିଁ ଧର୍ମଭ୍ରଷ୍ଟ କରିବାରେ ସର୍ବପ୍ରଧାନ କାରଣ ପରି କାର୍ଯ୍ୟ କରିଛି । ସହସ୍ର ସହସ୍ର ବର୍ଷ ଧରି ଗୋଟିଏ ପ୍ରାଣକୁ ବହନ କରି ଆସିଥିବା ଭୂମିଟିକୁ ଆମେ ଏବେ ଦୁଇଟା ବୋଲି ଭାବିଲୁଣି, ରାଷ୍ଟ୍ର ଓ ଭୂମିକୁ ସେଇ ଗୋଟିଏ କଥା ବୋଲି ଭ୍ରମ କଲୁଣି, ନିଃସନ୍ଦେହ ଭାବରେ ତାହାହିଁ ଉଭୟଙ୍କୁ ଅଲକ୍ଷଣା ହୋଇ ରହିବାରେ ଖୁବ୍ ସାମଗ୍ରୀ ଯୋଗାଇ ଆସିଛି । ପାକିସ୍ତାନର ପିଲାମାନେ ଇସ୍କୁଲରେ ଯେଉଁ ଇତିହାସ ବହି ପଢୁଥିବେ, ସେଥିରେ ସେହି ଇତିହାସକୁ କଦାପି ୧୯୪୭ରୁ ଆରମ୍ଭ କରାଯାଇ ନଥିବ । ଆମ ଭୂଇଁଟା ଯେତିକି ପୁରୁଣା, ଆମର ଇତିହାସ ମଧ୍ୟ ସେତିକି ପୁରୁଣା । ପାକିସ୍ତାନ ଓ ଭାରତ ଉଭୟ ପଟର ପିଲାମାନେ ଯେତେବେଳେ ହରପ୍ପା ଓ ମହେଞ୍ଜୋଦାରୋ ବିଷୟରେ ପଢୁଥିବେ, ସେତେବେଳେ କ’ଣ ତାହାକୁ ତାଙ୍କର ଓ ଆମର ବିଚାରରେ ଅଲଗା ଅଲଗା କରି ପଢୁଥିବେ ? ୧୯୪୭ ଯାଏ ଏଠି ଯାହା କିଛି ଘଟିଛି, ତାହା ହେଉଛି ଯାବତୀୟ ଅର୍ଥରେ ଗୋଟିଏ ଭୂମିର ସମ୍ପଦ । ଯାବତୀୟ ଲଜ୍ଜା ଉଭୟଙ୍କର, ଯାବତୀୟ ଗୌରବ ମଧ୍ୟ ଉଭୟଙ୍କର । ରାଷ୍ଟ୍ର ଦୁଇଟା ହୋଇଥିଲେ ମଧ୍ୟ ଆମେ ଭୂଇଁଟିକୁ ମଧ୍ୟ ଦୁଇଟା କରି ଦେଖିବାର ଧୃଷ୍ଟତା କେବେହେଲେ କରିବା ନାହିଁ । କଲେ, ଯୁଗର ବିଧାତା ପାଖରେ ନିଜର ମହତ ସାରିବା ଯାହା ସାର ହେବ । ପରସ୍ପରକୁ ଗୋଟିଏ ଭୂମିର ବୋଲି ଚିହ୍ନିବାର ମହତଟି ରହିଥିଲେ ଯାଇ ଆମେ ପରସ୍ପରକୁ ଯଥାର୍ଥ ଭାବରେ ଚିହ୍ନିବା । ରାଷ୍ଟ୍ରର ସ୍ତରରେ ରହିଥିବା ଯାବତୀୟ ବୈମନସ୍ୟ ସତ୍ତ୍ୱେ ଦୁଇଟିଯାକ ପଟରେ ମୂଳ ସମସ୍ୟା ଗୁଡ଼ିକର କ୍ଷେତ୍ରରେ ହୁଏତ ଅଧିକତର ପରିମାଣରେ ଖାଲି ସାମଞ୍ଜସ୍ୟ ହିଁ ରହିଛି । ଦୁଇଟିଯାକ ପଟରେ ବାସ କରୁଥିବା ଏହି କୋଟି କୋଟି ମନୁଷ୍ୟମାନଙ୍କୁ ସବାଆଗ ଦେଖି ପାରୁଥିଲେ ଯାଇ ଅମେ ଦୁଇ ପାଖର ଅସଲ ସମସ୍ୟା ଗୁଡ଼ିକ ବିଷୟରେ ସଜ୍ଞାନ ହୋଇପାରିବା । ଭାରତ ଏବଂ ପାକିସ୍ତାନ ଉଭୟଙ୍କର ଅସଲ ସମସ୍ୟା ଧର୍ମ ନୁହେଁ, କାଶ୍ମୀର ବି ନୁହେଁ, ଯୁଦ୍ଧ ତ ଆଦୌ ନୁହେଁ ।

 

ଅସଲ ସମସ୍ୟା ହେଉଛି ଦାରିଦ୍ର୍ୟ, ଅଶିକ୍ଷା ଏବଂ ଅସହାୟତା । ଉଭୟ ଦେଶରେ ବହୁସଂଖ୍ୟକ ମନୁଷ୍ୟ ଦରିଦ୍ର ହୋଇ ରହିଛନ୍ତି । ଆଖି ଖୋଲିଦେଇ ପାରୁଥିବା ଶିକ୍ଷାରୁ ବଂଚିତ ହୋଇ ରହିଛନ୍ତି ଏବଂ ପ୍ରାୟ ମିଛଟାରେ ବହୁ ଅସହାୟତାରେ ସଢୁଛନ୍ତି । ଗତ ପଚାଶଟା ବର୍ଷ ମଧ୍ୟରେ ସଂପୃକ୍ତ ରାଷ୍ଟ୍ରଦ୍ୱୟ ଏହି ଦିଗରେ ଖୁବ ବେଶୀ ଉଦ୍ୟମ କରିନାହାନ୍ତି । ଉଭୟପଟେ ଲମ୍ପଟମାନେ ହିଁ ଆସନ ଉପରେ ଜମି ରହିଛନ୍ତି । ପାଠୁଆ ଏବଂ ଧନଶାଳୀ ଅଳପ ମଣିଷ କୋଟି କୋଟି ବହୁତଙ୍କୁ ଅରକ୍ଷ କରି ରଖିଛନ୍ତି । ଅସଲ ସମସ୍ୟାଗୁଡ଼ିକ ପ୍ରତି ଆଗ ଦୃଷ୍ଟି ଦେଇ ସବୁ ମଣିଷଙ୍କୁ ସମ୍ମାନ ତଥା ସ୍ୱୀକୃତି ଦେବାର କ୍ଷେତ୍ରରେ ପ୍ରତ୍ୟେକ ରାଷ୍ଟ୍ରର ଯେଉଁ ସର୍ବନିମ୍ନ କର୍ତ୍ତବ୍ୟ ରହିଛି, ଦୁଇଟି ମଧ୍ୟରୁ କୌଣସି ରାଷ୍ଟ୍ର ସେ ଦିଗରେ ସାଧୁତାର ସହିତ ବେଶୀ କିଛି କରି ପାରୁନାହିଁ ଏବଂ ତେଣେ, ଗୋଟିକୁ ଆରଟିର ଶତ୍ରୁ ରୂପେ ଛିଡ଼ା କରାଇ ଲୋକମାନଙ୍କୁ ବହୁ ପ୍ରତାରଣାର ଶିକାର କରି ରଖିଛି । ବ୍ରିଟିଶ ସାମ୍ରାଜ୍ୟବାଦ କ’ଣ ଏହିପରି କୌଣସି ଅଭିସନ୍ଧି ରଖି ଏଠି ଗୋଟିଏ ଭୂଇଁ ଦୁଇଭାଗରେ ଏପରି ଭାଗ ହେଉ ବୋଲି ଜିଦ୍ ଧରି ବସିଲା ଏବଂ ଦୁହିଁଙ୍କୁ ନିର୍ବୋଧ ବନାଇଲା-? ଏହି ଉପମହାଦେଶରେ ସମ୍ଭବତଃ ଏପରି ଗୋଟିଏ ଅନ୍ୟ ନେତୃତ୍ୱ ଲାଗି ପ୍ରତୀକ୍ଷା ରହିଛି, ଯାହାକି ସବାଆଗ ସେହି ଗୋଟିଏ ଭୂମିକୁ ହିଁ ଦେଖିବ । ରାଷ୍ଟ୍ରମାନେ କେତେପ୍ରକାରେ ବଦଳି ଯାଉଥାନ୍ତି, ତଥାପି ଭୂମି ସେଇ ଗୋଟିଏ ହୋଇ ରହିଥାଏ ବୋଲି ସେହି ନେତୃତ୍ୱ ବୁଝିବାକୁ ସମର୍ଥ ହେବ ।

 

ସଂପ୍ରତି ଯେଉଁମାନେ ଯେତେ ଯେତେ ପ୍ରକାରେ ଦୁଇଟା ଅଲଗା ଅଲଗା ରାଷ୍ଟ୍ରକୁ ଦେଖି ଏହି ଭୂଇଁଟା ସକଳ ଦୃଷ୍ଟିରୁ ଗୋଟିଏ ହୋଇ ରହିଥିଲା ଓ ରହିଛି ବୋଲି ପାସୋରି ପକାଇବେ, ସେହିମାନେ ହିଁ ଏହି ଭୂଇଁଟାର ସବୁଠାରୁ ଅଧିକ କ୍ଷତି କରିବେ । ସେମାନେ ଆମକୁ ଏକାନ୍ତ ଭୁଲ୍ ନିଶାଗୁଡ଼ାକୁ ଖୁଆଇ ରଖିଥିବେ । ଏପାଖରେ ତାଙ୍କ ପତାକା ଏବଂ ସେପାଖରେ ଆମ ପତାକାରେ ନିଆଁ ଲଗାଇ ଦିଆଯାଉଥିବା ସମୟରେ ସେହି ଖଳମାନେ ହିଁ ହୃଷ୍ଟ ହୋଇ ଉଠୁଥିବେ । ପଥଭ୍ରଷ୍ଟ ହୋଇ ପଚାଶବର୍ଷ ଗଲା ଏବଂ ସେମାନେ ଏଠାରେ ଆହୁରି ବହୁବର୍ଷ ସବୁକିଛି ଅନ୍ଧାର ଭିତରେ ହିଁ ରହିଥାଉ ବୋଲି କାମନା କରିବାରେ ଲାଗିଥିବେ । ଅସଲ ଧର୍ମ ଏକାଠି କରାଇ ଆଣିବ, ଅସଲ ଧର୍ମ ପ୍ରୀତିକୁ ହିଁ ବଢ଼ାଇବ, ଅସଲ ଧର୍ମ ଅବିବେକ ସମ୍ମୁଖରେ ଛିଡ଼ା ହୋଇ ପାରବା ଲାଗି ବଳ ଏବଂ ସାହସ ଆଣିଦେବ । ପାକିସ୍ତାନ ଓ ଭାରତବର୍ଷ, ଉଭୟ ପଟେ ମଣିଷମାନଙ୍କର ଅସଲ ଅର୍ଥନୈତିକ ଏବଂ ସାମାଜିକ ସଂଗ୍ରାମଗୁଡ଼ିକ ଆଗକୁ ଆସିବାର ଏକ ଅନ୍ୟ ପରିବେଶ ସୃଷ୍ଟି କରାଯାଇ ପାରିଲେ ଯାଇ ଆମେ ବାଟକୁ ଆସିବା ଓ ଘରକୁ ଫେରିଆସିବା । ଧର୍ମକୁ ମଧ୍ୟ ଫେରିଯାଇ ପାରିବା ।

 

ଆଗାମୀ କାଳରେ ରାଷ୍ଟ୍ର ନୁହେଁ, ମନୁଷ୍ୟ ହିଁ ଯାବତୀୟ ସାମୂହିକ ନବଗଠନରେ ସର୍ବପ୍ରଧାନ କେନ୍ଦ୍ର ହୋଇ ରହିବ ବୋଲି ବିଶ୍ୱାସ କରିପାରିଲେ ଯାଇ ଆମେ ଏକ ସୁସ୍ଥତାର ଆଖିରେ ଏହି ଉପମହାଦେଶଟିକୁ ଦେଖି ପାରିବା । ଏବେ ତ ସମଗ୍ର ପୃଥିବୀରେ ମଧ୍ୟ ରାଷ୍ଟ୍ରୀୟତାର ବାଡ଼ଗୁଡ଼ିକୁ ଡ଼େଇଁ ମନୁଷ୍ୟମାନଙ୍କର ଚିନ୍ତା କରାଗଲାଣି । ଯଥାର୍ଥ ଜାତୀୟତାବାଦ ମଧ୍ୟ ସବାଆଗ ସ୍ୱୀକାର କରି ଶିଖିଲାଣି । ଆମେ ବି କାହିଁକି ଏହି ଗୋଟିଏ ଘରେ ଅଧାକାନ୍ଥିଟିଏ ଉଠାଇ ଆଦିମ ମାନଙ୍କ ପରି ପରସ୍ପରକୁ ଘୃଣା କରୁଥିବା, ମାତ୍ର ପଚାଶଟା ବର୍ଷର ଇତିହାସକୁ ହିଁ ଆମର ସମଗ୍ର ଇତିହାସ ବୋଲି ମାନିନେଇ ଏହି ଆତ୍ମଘାତୀ ନିର୍ବୋଧତାଗୁଡ଼ିକ ଭିତରେ ପଡ଼ି ରହିଥିବା ?

Image

 

Unknown

କଳୌ ନାମସଂକୀର୍ତ୍ତନମ୍

 

କଳିଯୁଗ ଆସିବାରୁ ତା' ସହିତ ନାମସଂକୀର୍ତ୍ତନର ବିଶେଷ ରୀତିଟି ବି ଆସି ପହଂଚିଗଲା ଅଥବା ଲୋକମାନେ ନାମସଂକୀର୍ତ୍ତନରେ ମାତିବାରୁ ଯୁଗଟା କଳିଯୁଗରେ ପରିଣତ ହୋଇଗଲା, ସେକଥା କିଏ ନିର୍ଭୁଲ ଭାବରେ କହିପାରିବ ? ମାତ୍ର, ଏ କଥାଟି ଏକାନ୍ତ ସତ ଯେ, ଏବେ ଏହି ନାମସଂକୀର୍ତ୍ତନର ରୀତିଟା ପ୍ରାୟ ଏକ ରାଜସିକ ଗାରିମାରେ ଆମ ଧର୍ମବିନୋଦନର ଜଗତରେ ଏକାବେଳେକେ ବହୁତ ଥାନ ମାଡ଼ି ବସିଲାଣି । ପିଲାଦିନେ ଆମ ଠାକୁରଙ୍କ ଦେଉଳରେ ଦଶହରା ପରେ ପୂରା ତିନିଦିନ ନାମସଂକୀର୍ତ୍ତନ ହେଉଥିଲା । ଦିନ ରାତି ଆଠ ପହର ଏବଂ ତିନି ଦିନରେ ମୋଟ ଚବିଶ ପ୍ରହର । ଗରୁଡ଼ଙ୍କ ପାଖରେ ଏହି ଚବିଶ ପ୍ରହରୀର ସାଜସରଞ୍ଜାମ ବସୁଥିଲା ଓ ଲୋକେ ଚାରିପାଖେ ବୁଲି ହରେକୃଷ୍ଣ ହରେ ରାମ ନିତାଇଗୌର ରାଧେ ଶ୍ୟାମ ଗାନ ଓ କୀର୍ତ୍ତନ କରୁଥିଲେ । ଜଣେ ଖୋଳ ବାଡ଼ୋଉଥିଲେ ଏବଂ ଆଉ ସମସ୍ତେ ପଛେ ପଛେ ଗିନି ବଜାଇ ଯାଉଥିଲେ । ଜଣେ ଗାଉଥିଲେ, ଆଉ ସମସ୍ତେ ପାଳି ଧରୁଥିଲେ । ମନେଅଛି, ସେତେବେଳେ ଆମ ପିଲାମାନଙ୍କୁ ଭୋକଶୋଷ ଜଣାପଡୁ ନଥିଲା । ଆମେ ଯେତେବେଳେ ଇଚ୍ଛା କରୁଥିଲୁ, ସେହି ଘୋ ଘୋ ଭିତରେ ଯାଇ ସାମିଲ ହୋଇ ଯାଉଥିଲୁ । ଗାଆଁକୁ ବାହାରୁ ମଧ୍ୟ ସଂକୀର୍ତ୍ତନ ଦଳମାନ ନିମନ୍ତ୍ରିତ ହୋଇ ଆସୁଥିଲେ । ଗିନି ବାଡ଼ିଆ ଆଉ ମୃଦଙ୍ଗ ପିଟାରେ ଖୋଦ୍ ଭକ୍ତି ଅଣନିଶ୍ୱାସୀ ହୋଇ ଯାଉଥିଲା । ପୃଥିବୀରେ ଏହି ନାମଟାକୁ ଛାଡ଼ିଦେଲେ କୋଉଠି କିଛି ରହିଛି ବୋଲି ସୋର ରହୁନଥିଲା । ଭଗବାନଙ୍କଠାରୁ ତାଙ୍କ ନାମଟା ଅଧିକ ଶକ୍ତିଶାଳୀ ବୋଲି ମନେହେଉଥିଲା ।

 

ଏବେ ତିନିଦିନର ନାମସଂକୀର୍ତ୍ତନ ମାତ୍ର ଗୋଟିଏ ଦିନରେ ବଢ଼ିଯାଉଛି । ଚବିଶ ପ୍ରହରୀ ଅଷ୍ଟ ପ୍ରହରୀ ହୋଇଗଲାଣି । ଆଗେ ଗାଆଁରେ ଦଶହରା ସମୟକୁ ପ୍ରବାସରୁ ସମସ୍ତେ ଆସି ପହଞ୍ଚି ଯାଉଥିଲେ । ଏବେ ତ ସହରରେ ଦେବୀ ମେଢ଼ର ମଜାଗୁଡ଼ାକ ଅଧିକ ଭଲ ଲାଗିଲାଣି । ତେଣୁ ଗାଆଁରେ ତିନିଦିନ ଯାବତ୍ ନାମ ଗାଇବାକୁ ଲୋକ କୁଳୋଉ ନାହାନ୍ତି । ଆଧୁନିକ ସାଧନ-ସାମଗ୍ରୀର ମୁହାଁସ ପାଇ ନାମ ସଂକୀର୍ତ୍ତନ ସହରକୁ ଆସିଲାଣି । ଗାଆଁରେ ଠାକୁରଙ୍କର ଜମିଜମା ଉଜୁଡ଼ି ଗଲାଣି ବୋଲି ତିନିଦିନ ନାମସଂକୀର୍ତ୍ତନକୁ ବଳ ପାଉନାହିଁ । ମାତ୍ର ସହରରେ ଲକ୍ଷ୍ମୀଙ୍କ ପ୍ରସାଦରୁ ତାହା ସମ୍ଭବ ହୋଇଯାଉଛି । ସେଦିନ ଆମ ବଜାର ବା ନଗରରେ ଦେବୀ ମନ୍ଦିରରେ ଏହିପରି ଗୋଟିଏ ଅଧିବାସ ହୋଇଥିଲା । ସହରରେ ଏହିସବୁ ଅନୁଷ୍ଠାନ ସ୍ଥାନୀୟ ମାନବସମ୍ବଳ ଉପରେ ମୋଟେ ନିର୍ଭର କରୁନାହିଁ । ପଇସା ପକାଇଲେ ସଂକୀର୍ତ୍ତନିଆଙ୍କ ଦଳ ମିଳି ଯାଉଛନ୍ତି । ଏକାବେଳେକେ ଖାଣ୍ଟି ପେଷାଦାରିଆ ଦଳ । ସେମାନେ କୀର୍ତ୍ତନ ଗାଇବେ । ଏବଂ ଯନ୍ତ୍ର ସାହାଯ୍ୟରେ ସେହି ଧ୍ୱନିଟା ସାହିଟାଯାକର କାନ ଅତଡ଼ା ପକାଇ ପାରିବ । ଅନ୍ୟମନସ୍କ ହେବାକୁ ବାଟ ନଥିବ । ନିଦ ମଧ୍ୟ ଛାଡ଼ି ପଳାଇବ । ତୁମେ ନିଜର ଘର ଭିତରେ ଥିବ ଏବଂ ନାମସଂକୀର୍ତ୍ତନର ମହାଫଳ ଅର୍ଜନ କରିପାରିବ । ତୁମ କାନରେ ନାମ ଅଜାଡ଼ି ହୋଇ ପଡୁଥିବ ଏବଂ ତୁମକୁ ଆଉ କିଛିହେଲେ କରିବାକୁ ପଡ଼ିବ ନାହିଁ ।

 

ଆଗକାଳର ଋଷି ଆଶ୍ରମରେ ନାମ ସଂକୀର୍ତ୍ତନ ହେଉଥିବାର କୌଣସି ଉଲ୍ଲେଖ ଶାସ୍ତ୍ରମାନଙ୍କରେ କରାଯାଇ ନାହିଁ । ନୀରବ ହୋଇ ଆସିଲେ, ନିର୍ବାତ ଦୀପଟିଏ ପରି ଥିର ହୋଇ ଆସିଲେ ଅନ୍ତର-କନ୍ଦରରେ କୁଆଡ଼େ ନାଦଟିଏ ଶୁଣାଯାଏ । ସେହି ନାଦକୁ ସନ୍ଥମାନେ ଅନାହତ ବୋଲି କହିଛନ୍ତି । ମଣିଷ ଆପଣାକୁ କୋଳାହଳ ଭିତରୁ ପ୍ରତ୍ୟାହାର କରି ଆଣିଲେ ଭିତରେ ନିଜର ଅସଲ କେନ୍ଦ୍ରଟିକୁ ଆବିଷ୍କାର କରେ, ସେହି କେନ୍ଦ୍ରରେ ଏକ ନିବିଡ଼ ଅନୁଭବ ଦ୍ଵାରା ଖୋଜୁଥିବା ଦ୍ରବ୍ୟଟିକୁ ପାଇଯାଏ । ସେଇ କେନ୍ଦ୍ରଟିକୁ ଚିହ୍ନ ଚିହ୍ନ ସିଏ ତାହାରି ସହିତ ଏପରି ରମିଯାଏ ଯେ, ଲୋକଗହଳି ଭିତରେ ମଧ୍ୟ ସିଏ ତଥାପି କେନ୍ଦ୍ରଟିକୁ ସ୍ପର୍ଶ କରି ରହିଥାଏ । ବିନା ଚେଷ୍ଟାରେ ଶାନ୍ତ ହୋଇ ରହିପାରେ । ସେହି କେନ୍ଦ୍ରଟିକୁ ମାଧ୍ୟମ କରି ସିଏ ଭଗବାନଙ୍କର ଏହି ପୃଥିବୀଟିକୁ ମଧ୍ୟ ସାର୍ଥକ ଭାବରେ ଚିହ୍ନେ, ସିଏ ଭିତରେ ଆଉ ବାହାର ମଧ୍ୟରେ ସଂଲଗ୍ନକାରୀ ସେତୁଟିଏ ସମ୍ଭବ କରି ପାରିଥାଏ ବୋଲି ଏକଥା ସମ୍ଭବ ହୁଏ । ଏସବୁ ପ୍ରସଙ୍ଗକୁ ତ ଖୁବ୍ ଭଲ କରି ବୁଝି ହେଉଛି ଏବଂ ଅଙ୍ଗେ ନିଭାଇଥିବା ଜୀବନ ଭିତରୁ ସେଥିସକାଶେ ପୂରା ସ୍ୱୀକୃତି ମଧ୍ୟ ମିଳିଯାଉଛି । ମାତ୍ର ଭଗବାନଙ୍କ ଦାଣ୍ଡ ଆଗରେ ପଲ ବାନ୍ଧି ଝାଞ୍ଜ ମୃଦଙ୍ଗ ବାଡ଼େଇଲେ ଅଥବା ଫଟା ଅତାଳିଆ ଗଳାରେ ତାଙ୍କ ନାମଟାକୁ ପୁନରାବୃତ୍ତି କରି ପାଟି କଲେ ସେଇଟା ଯୋଉ କିସମର ଭଗବାନଙ୍କୁ ଭଲ ଲାଗିବ, ପ୍ରାଚୀନ କାଳର ମୁନିଋଷିମାନେ ସମ୍ଭବତଃ ସେହି ଭଗବାନଙ୍କୁ ଭେଟିପାରୁ ନଥିଲେ । ପ୍ରେମିକକୁ ଦେଖିଲେ ଗୋଟାଏ ପ୍ରକାରର ମଣିଷ ଗୋଟାସୁଦ୍ଧା ଚୁପ ହୋଇ ଯାଆନ୍ତି । ଗୋଟାସୁଦ୍ଧା ଖୁସି ହୋଇଯାଆନ୍ତି ବୋଲି ସମ୍ଭବତଃ ଗୋଟାସୁଦ୍ଧା ଚୁପ୍ ହୋଇ ଯାଆନ୍ତି । ଆଉ ପ୍ରକାରେ ମଣିଷ ଅବଶ୍ୟ ରହିଥିବେ, ଯେଉଁମାନେ କି ଭଗବାନଙ୍କର ସ୍ମରଣ ହେବା ମାତ୍ରକେ ତାରସ୍ୱରରେ ଡ଼କା ପାରିବାକୁ ଆରମ୍ଭ କରନ୍ତି ଓ ଚିଲେଇ ଉଠନ୍ତି । ସତେଅବା ଭଗବାନ ବୁଦା ଭିତରେ କୋଉଠି ଲୁଚି ରହିଛନ୍ତି ଏବଂ ତୁମେ ଝାଞ୍ଜ ମୃଦଙ୍ଗ ପିଟିଲେ ଯାଇ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିବ ଏବଂ ସିଏ ଅତର୍ଚ୍ଛ ହୋଇ ପଦାକୁ ବାହାରି ଆସିବେ । କଳିକାଳରେ ଏହି ଦ୍ୱିତୀୟ ପ୍ରକାରର ମଣିଷମାନେ ଆମ ଭକ୍ତିର ହାଟଗୁଡ଼ାକୁ ଏପରି ପରାକ୍ରମ ସହିତ ଦଖଲ କରିନେଲେ କାହିଁକି କେଜାଣି ? କଳିକାଳକୁ ଡ଼ରୁଛନ୍ତି ବୋଲି ଭଗବାନ କୋଉ ବୁଦା ଭିତରେ ଯାଇ ଆତ୍ମଗୋପନ କରିଛନ୍ତି ଓ ବାହାରୁ ମାଦଳ ନ ପିଟିଲେ ତାଙ୍କ ନାମ ନେଇ ତାଙ୍କୁ ଅତର୍ଚ୍ଛ କରି ନଦେଲେ ହୁଏତ ସିଏ ମୋଟେ ପଦାକୁ ବାହାରିବେ ନାହିଁ ।

 

ସନ୍ଥ କବୀରଙ୍କର ଗୋଟିଏ ଭଜନରେ ସିଏ ପ୍ରାୟ ଛିଗୁଲେଇଲା ପରି ଏହି ପ୍ରସଙ୍ଗଟିର ଅବତାରଣା କରିଛନ୍ତି । ସକାଳୁ ନମାଜ ପଢ଼ିବାର ସମୟ ଉପଗତ, ମଣିଷମାନଙ୍କୁ ସେହି ବିଷୟରେ ସ୍ମରଣ କରାଇଦେବାକୁ ପଡ଼ିବ । ସେଥିଲାଗି ସ୍ୱତନ୍ତ୍ର ମଣିଷ ମୁକରର ହୋଇ ରହିଛନ୍ତି । ସେମାନେ ଏଡ଼େ ପାଟିରେ ଆଲ୍ଲାଙ୍କର ନାମ ଉଚ୍ଚାରଣ କରି ମସ୍ଜିଦ୍ର ତୁଳି ଉପରୁ ଭକ୍ତମାନଙ୍କୁ ତାଗିଦ କରି ଦେଉଛନ୍ତି । ଏମିତି ଚାରି ପାଞ୍ଚଟା ଏହିପରି ଥାନ ଯଦି କେଉଁଠି ଅଳପ ଆକ୍ରାନ୍ତରେ ରହିଥିବ, ସେଠାରେ ସତକୁ ସତ ଗୋଟାଏ କୋଳାହଳ ହିଁ ଜମିଯିବ । କବୀର ଦାସ ପ୍ରତିବାଦ କଲାପରି କହୁଛନ୍ତି, କିରେ ବାବୁ, ତୁ ସକାଳଟାରୁ ଏମିତି ଚିଲୋଉଛୁ କାହିଁକି, ଭଗବାନ କ’ଣ ବଧିର ହୋଇଛନ୍ତି ଯେ ତୁ ଏଡ଼େ ବଡ଼ ପାଟିରେ ନ ଡାକିଲେ ସିଏ ତୁ ତାଙ୍କୁ ଡାକୁଛୁ ବୋଲି ମୋଟେ ଅନ୍ଦାଜ କରିପାରିବେ ନାହିଁ । ଭଗବାନଙ୍କର ନାମକୁ ହୁଏତ ଅଧିକ ଆକର୍ଷକ କରିବାର ଉଦ୍ଦେଶ୍ୟରେ ବିଷ୍ଣୁ, ଶିବ ତଥା ଦେବୀଙ୍କର ମଧ୍ୟ ସହସ୍ରନାମ ରଚନା କରାଯାଇଛି । ଏ ନାମରେ ବଶ ନହେଲେ ସିଏ ସେ ନାମରେ ହୁଏତ ବଶ ହେବେ ବୋଲି ସେହିପରି କରାଯାଇଛି କି ? ଅଥବା, କେଉଁ କବି ମଜ୍ଜୁ ମଜ୍ଜୁ ତାଙ୍କର ଏତେଗୁଡ଼ିଏ ନାମକୁ ଠାବ କରିପାରିଛି ଓ ସେଗୁଡ଼ିକୁ ଛନ୍ଦପ୍ରବନ୍ଧରେ ଲିପିବଦ୍ଧ କରି ରଖିଛି ? ଅଥବା କୋଉ ମଣିଷକୁ କୋଉ ନାମଟି ଖାସ୍ ମଧୁର ଓ ଉପଯୁକ୍ତ ବୋଲି ଲାଗିବ ଓ ସିଏ ସେହି ନାମରେ ଭଗବାନଙ୍କୁ ଡାକିପାରିବ ବୋଲି ମନୁଷ୍ୟ ମାନଙ୍କର ଆବଶ୍ୟକତାକୁ ବୁଝି ସେଭଳି କରାଯାଇଛି ?

 

ନାମ ସଂକୀର୍ତ୍ତନ ଖୁବ୍ ସମ୍ଭବ ଆମ ଧର୍ମରେ ମୋଟେ ତିନି ଚାରିଶହ ବର୍ଷର ଏକ ଘଟଣା । ବୈଷ୍ଣବ ଧର୍ମ ତ ଭାରତବର୍ଷରେ ସୁଦୂର ଅତୀତରେ ମଧ୍ୟ ରହିଥିଲା । ମାତ୍ର ସେତେବେଳେ ଦୀକ୍ଷାଧାରୀମାନେ ଭଗବାନଙ୍କ ଆଡ଼କୁ ଢଳିବା ମାତ୍ରକେ ସଂସାର ପରିତ୍ୟାଗ କରୁଥିଲେ ଓ ସମ୍ପ୍ରଦାୟ ନାମକ ବିଶେଷ ବେଢ଼ାମାନଙ୍କରେ ଅଲଗା ହୋଇ ରହୁଥିଲେ । ଭଗବାନ ନିରୋଳାରେ ମିଳନ୍ତି ବୋଲି ପରମ୍ପରାଟିକୁ ସମ୍ଭବତଃ ସେଇମାନେ ଆରମ୍ଭ କରିଥିଲେ । ସେହି ସମ୍ପ୍ରଦାୟମାନଙ୍କର ପ୍ରବୀଣମାନେ ପର୍ଯ୍ୟଟନରେ ବାହାରୁଥିଲେ, ଶିଷ୍ୟ ଗ୍ରହଣ କରୁଥିଲେ । ମାତ୍ର ସମ୍ଭବତଃ ଚୈତନ୍ୟଦେବଙ୍କ ସମୟରୁ ନଗର ପରିକ୍ରମାର ପଦ୍ଧତିଟି ଆରମ୍ଭ ହେଲା । ସାଧନାର ସର୍ବଜନୀକରଣ କରିବାର ଏକ ପ୍ରୟାସରେ ହୁଏତ ନାମ ସଂକୀର୍ତ୍ତନର ପରମ୍ପରାଟି ଜନ୍ମଲାଭ କଲା-। ସେଇଟି ପଛରେ ଏକ ଯୁଗୋଚିତ ଅଭିପ୍ରାୟ ମଧ୍ୟ ରହିଥିଲା । ଚୈତନ୍ୟ ଦେବଙ୍କର ଉତ୍କଳ ଆଗମନ ଫଳରେ ସେହି ଚଳଣିଟି ଆମର ଏଠି ମଧ୍ୟ ଆସି ପହଞ୍ଚିଗଲା କି ? ଧର୍ମାବେଗକୁ ଲୋକପ୍ରିୟ କରିବାର ଅଭିପ୍ରାୟରେ ତାହାକୁ ପ୍ରାୟ ଗୋଟିଏ କୋଳାହଳରେ ପରିଣତ କରିଦେବାରେ ନାନା ଆପଦ ମଧ୍ୟ ରହିଛି । କେବଳ ଏକ ଆବେଗ ପ୍ରଦର୍ଶନ ଆଦୌ ଧର୍ମ ନୁହେଁ । ଧର୍ମ କହିଲେ ସତକୁ ସତ ଏକ ବିଶ୍ୱାସକୁ ବୁଝାଏ, ଏକ ବିବେକକୁ ବୁଝାଏ ଏବଂ ସେହି ବିବେକର ସନ୍ତୋଷଭାଜନ ହେଲାଭଳି ଏକ ବାଟ ଚାଲିବାକୁ ମଧ୍ୟ ବୁଝାଏ । ଭାରତବର୍ଷରେ ସେହି ବିବେକଟି ଏବେ ଯେତେ ଅଣ୍ଡାଳିଲେ ମଧ୍ୟ ସତେଅବା ହାତକୁ କେଉଁଠାକୁ ହେଲେ ବାଜୁନାହିଁ । କୋଳାହଳଟା ହିଁ ପ୍ରାୟ ଏକ ରାଜସିକ ମର୍ଜିରେ ରାଜତ୍ୱ କରିବାରେ ଲାଗିଛି । କୋଳାହଳ ମନୁଷ୍ୟମାନଙ୍କୁ ସବୁ ସିଦ୍ଧ ଓ ସଂପନ୍ନ ହୋଇଯିବାର ଏପରି ଏକ ମିଛ ପ୍ରତ୍ୟୟ ଦେଇଯାଉଛି, ଯାହାଦ୍ୱାରା ସେମାନେ ଜୀବନ ବଂଚିବାର ଅସଲ ଜାଗାଗୁଡ଼ିକରେ ଗର୍ଦ୍ଦଭ ପରି ହିଁ ବଞ୍ଚୁଛନ୍ତି । ସାମାଜିକ ଜୀବନରେ ବହୁ ଅଧର୍ମ ଓ ଅବିବେକକୁ ପ୍ରଶ୍ରୟ ଦିଆଯାଉଛି ଏବଂ ଏଣେ ଅପରିମିତ ଭାବରେ ହିଁ କୋଳାହଳମାନ ବୃଦ୍ଧି ପାଉଛି । ଭାରତବର୍ଷ ପରି ଏକ ବହୁଧର୍ମୀୟ ଦେଶରେ କୋଳାହଳଟାକୁ ହିଁ ଏକ ଧର୍ମପାଳନ ବୋଲି ଧରିନେବାରେ ଦୁରନ୍ତ ଆପଦମାନ ଜଡ଼ିତ ହୋଇ ରହିଛି । କୋଳାହଳରେ ଏକ ଆରେକୁ ଟପିଯିବା ପାଇଁ ଉତ୍ସାହ ଦେଖାଉଛନ୍ତି ଏବଂ ଅସଲ ଧର୍ମଚାରଣା ଲଟାରେ ଯାଇ ପଶିଲାଣି ।

 

ଠାକୁର ମନ୍ଦିରରେ ଉଚ୍ଚକୁହା ଯନ୍ତ୍ର ନଲାଗିଲେ ଆଉ ମୋଟେ ଭଲ ଲାଗୁନାହିଁ । ମେଢ଼ ଏବଂ ମୂର୍ତ୍ତିମାନଙ୍କୁ ସଂଗୀତର ଯାନ୍ତ୍ରିକ କୋଳାହଳରେ ରାତି ରାତି ଅନିଦ୍ରା କରି ରଖାଯାଉଛି । ସତେ ଯେପରି ଆମ ନିଜର ଭୋଗଘର ଗୁଡ଼ିକର ଆନନ୍ଦବର୍ଦ୍ଧନ ନିମନ୍ତେ ଏହିସବୁ ପୂଜା ଓ ଉତ୍ସବର କୋଳାହଳପୂର୍ଣ୍ଣ ଭିଆଣଗୁଡ଼ିକ ତୁଚ୍ଛା ଆମରି ଦ୍ଵାରା କରାହୋଇଛି । ପୂଜାର ପ୍ରାଙ୍ଗଣମାନେ ସଂଖ୍ୟାରେ ବଢ଼ିବାରେ ଲାଗିଛନ୍ତି; ଦେବତାମାନଙ୍କ ପ୍ରତି ପ୍ରୀତି ବଢୁଛି ବୋଲି ନୁହେଁ, ଦେବତାମାନଙ୍କୁ ବ୍ୟବହାର କରି କୋଳାହଳରେ ମାତିବା ନିମନ୍ତେ ହିଁ ସେସବୁ ହେଉଛି । ଦେବତାମାନେ ସତକୁ ସତ କେଉଁଠି ଥିଲେ କେଉଁଦିନୁ ଏହି ଅନାଚାରର ପ୍ରତିବାଦ କରି ସାରନ୍ତେଣି । ଭାଗ୍ୟକୁ ସେମାନେ ନାହାନ୍ତି, ତେଣୁ ଆମେ ଆମ ନିଜ ଦିମାକ ଅନୁସାରେ ଭାରି ଟହଟହ ହୋଇପାରୁଛୁ, ନିଜର ଧର୍ମ ଉପରେ ବୁଲଡୋଜର ଚଲାଇ ଦେଉଛୁ । ମେଢ଼ରେ ଯଦି ସତକୁ ଦେବୀ କି ମହାଦେବ ଥାଆନ୍ତେ, ତେବେ ଆମେ ରାତିଯାକ ନିତମ୍ବଗୁଡ଼ିକୁ ମଞ୍ଜୁଳ ଭାବରେ ହଲାଇ ମେଲୋଡ଼ି କୀର୍ତ୍ତନ କରିବାକୁ ବସିଲେ ସେମାନେ ସମ୍ଭବତଃ କୋପ କରି ଝଡ଼ତୋଫାନ ପଠାଇ ଆମ ମଚଂ ସହିତ ଆମକୁ ମଧ୍ୟ ଉଡ଼ାଇ ନେଉଥାଆନ୍ତେ । ତେଣୁ ଭାରି ଭଲ ହେଲା, ଏହି କଳିଯୁଗରେ ଆମେ ସ୍ୱୟଂ ଆମ ଠାକୁରମାନଙ୍କର ଗତି ଓ ମତିକୁ ନିର୍ଦ୍ଧାରଣ କରିବାର ମାରଫତରେ ରହିଲୁ । ସେମାନଙ୍କୁ ଆମ ସହିତ ରଖିଥଲେ ହୁଏତ ବହୁତ ଶଙ୍କା ସହକାରେ ଆମେ ଆମ ପସନ୍ଦର ଏହି ଜୀବନଗୁଡ଼ିକୁ ବଂଚୁଥାଆନ୍ତୁ ଓ ଆମ ଭିତରେ ବହୁତ ଅତୃପ୍ତି ରହିଯାଉଥାଆନ୍ତା-। ଭଲହେଲା ଆମ ମନ ଜାଣି ଆମ ଠାକୁରମାନେ ଏଡ଼େ ଦୟାପରବଶ ହୋଇ ଆମକୁ ଛାଡ଼ି ଚାଲିଗଲେ, ଆମକୁ ଆମ କୋଳହଳମୟ ଅରାଜକତା ମଧ୍ୟରେ ଯାହା ଇଚ୍ଛା ତାହା ହେବାକୁ ପୂର୍ଣ୍ଣରୂପେ ସ୍ୱାଧୀନ କରିଦେଇ ଗଲେ ।

 

ତେଣୁ ଏହି କୋଳାହଳ ପ୍ରକୃତରେ ଆମର ପ୍ରୀତି ପାଇଁ । ଏହି ନାମ ସଂକୀର୍ତ୍ତନ ପ୍ରକୃତରେ ସ୍ଵୟଂ ଆମରି ହର୍ଷବର୍ଦ୍ଧନ ନିମନ୍ତେ । । ପ୍ରତିଦିନ ପାହାନ୍ତା ପହରରୁ ମନ୍ଦିରର ତୁଳି ଉପରୁ ଯନ୍ତ୍ର ସାହାଯ୍ୟରେ ଯେଉଁ ମନ୍ତ୍ରସଂଗୀତ ସବୁ ବାଜି ଉଠୁଛି, ତାହା ଠାକୁରଙ୍କ ପାଇଁ ଆଦୌ ନୁହେଁ ତାହା କେବଳ ଆମର କୋଳାହଳପ୍ରିୟ ଗଉଁଟାର ତୃପ୍ତିବିଧାନ ପାଇଁ । କୋଉ ଦୁଃଖରେ ଆମକୁ ଏହି କୋଳାହଳ ଏତେ ଭଲ ଲାଗୁଛି କେଜାଣି ? ପୃଥିବୀରେ ସବୁଥାଇ ତଥାପି ଆଦୌ କିଛିକୁ ସତକୁ ସତ ଛୁଇଁ ପାରିନଥିବା ମଣିଷମାନେ ହେଉଛନ୍ତି ପ୍ରକୃତରେ ଦୁଃଖୀ ମଣିଷ । ସେମାନେ ଆପଣାର ପ୍ରୀତି ନିମନ୍ତେ ଏତେ ଏତେ ସୁଖ ଭିତରେ ପୋତି ହୋଇରହିଥାନ୍ତି, ତଥାପି ଭିତରର ଅସଲ ଖାଲିଜାଗା ଗୁଡ଼ାକ ପୂର୍ଣ୍ଣ ହୋଇ ପାରିନଥାଏ ବୋଲି ସେମାନେ ନିଜ ପାଖରେ ନିଜେ ଛଟପଟ ହେଉଥାନ୍ତି । ଭୋଗ ଖୋଜି ଦାଣ୍ଡକୁ ବାହାରନ୍ତି, ଦେଉଳ ପରେ ଦେଉଳ ଥାପନ୍ତି, ତଥାପି ଦେବାଳିଆ ହୋଇ ରହିଥାନ୍ତି । ନିଜ ପାଖରେ ନିଜର ହିସାବ ଦେଇପାରନ୍ତି ନାହିଁ । ଭିତରେ ଥାଇ କାଳେ କିଏ ହିସାବ ମାଗିବ ବୋଲି ଭୟ କରି ସେମାନେ ବାହାରେ ନାନା କୋଳାହଳ ମେଲାଇ ରଖିଥାନ୍ତି । କୋଳାହଳକୁ ଭାଙ୍ଗ କରି ପିଅନ୍ତି । ଆମ ଧର୍ମାଚାରଗୁଡ଼ିକ ଅନେକ ସମୟରେ ଏହି ଭାଙ୍ଗ ପିଇ ଭୁଲି ରହିବାର ଚାତରଗୁଡ଼ାକୁ ହିଁ ଧରାପକାଇ ଦେଇଥାନ୍ତି ।

 

ମାତ୍ର, କଳିଯୁଗରେ ଅର୍ଥାତ୍ ଆମର ଏହି ସାଂପ୍ରତିକ ସମୟଟାରେ ନାମ ସଂକୀର୍ତ୍ତନକୁ କାହିଁକି ଏକମାତ୍ର ଉଦ୍ଧାରମାର୍ଗ ବୋଲି କୁହାଯାଇଛି, ଏବେ ମଧ୍ୟ ସେହି ପ୍ରଶ୍ନଟିର ଉତ୍ତର ଦେବା ବାକି ରହିଛି । ଏଇଟାକୁ ଆମେ ଆମ ଗୁରୁମାନଙ୍କର ଫିକର ବୋଲି କହିପାରିବା । କଳିଯୁଗ ଅନୁସାରେ ହିଁ କଳିଯୁଗର ଗୁରୁମାନେ । ଏହି ଗୁରୁମାନେ ହିଁ ଗୁରୁଙ୍କୁ ଈଶ୍ୱର ଜ୍ଞାନରେ ଦେଖିବ ବୋଲି କାଳେ କାଳେ ଗୋଟିଏ ଭାରି ମନ୍ଦ ପରାମର୍ଶ ଦେଇ ଆସିଛନ୍ତି । ସେଇମାନେ ହିଁ ବାହ୍ୟାଚାର ଉପରେ ବାହ୍ୟାଚାରକୁ ଲଦି ଦେଇ ଆମ ପୃଥିବୀରେ ତୁମକୁ ଓ ଆମକୁ ଅଳପ ଭିତରେ ବାନ୍ଧି ହୋଇ ରହିଯିବାର ବୋଲଣା ବତାଇଛନ୍ତି । ଅସଲ ଗୁରୁ ଆମକୁ ଆମ ନିଜ ଆଡ଼କୁ ବାଟ ବତାଇ ଦିଅନ୍ତା । ଆମର ଶୁଭ ମନାସି ଆମକୁ ଅଗ୍ରସର ହୋଇଯିବାକୁ କହନ୍ତା ଓ ଆପେ ପଛରେ ରହିଯାଆନ୍ତା । ନିଜର ସାରସତ୍ୟଟିକୁ ପ୍ରତ୍ୟେକେ ଆପଣା ଭିତରେ ଖୋଜନ୍ତେ, ସେଇ ଆପଣା ଭିତରେ ପାଆନ୍ତେ ଏବଂ ପୂର୍ଣ୍ଣ ବିଶ୍ୱାସରେ ବାଟଟିଏ ଚାଲନ୍ତେ । କିନ୍ତୁ, ଯଦି ଏହି ପୃଥିବୀରେ ପ୍ରକୃତରେ ସମସ୍ତେ ବାଟ ଚାଲିବେ, ନିଜ ଭିତରେ ଅସଲ ସତ୍ୟର ସଦନଟିକୁ ଠାବ କରିବେ, ତେବେ ଗୁରୁମାନେ ଭାରି ଅଲୋଡ଼ା ହୋଇ ରହିଯିବେ । ଏତେ ଏତେ ସମ୍ପ୍ରଦାୟର ମଧ୍ୟ କୌଣସି ପ୍ରୟୋଜନ ରହିବ ନାହିଁ । ସଂପ୍ରଦାୟ ନ ରହିଲେ ବାହ୍ୟାଚାର ଗୁଡ଼ାକର ଏ ମଗଜ ଆଉ ରହିବ ନାହିଁ ଏବଂ ବାହ୍ୟାଚାର ପାତଳା ହୋଇଆସିଲେ କୋଳାହଳ ମଧ୍ୟ କମି ଆସିବ । ସମାଜର ଅଧିକସଂଖ୍ୟକ ମଣିଷଙ୍କୁ ଏହି ଅସଲ ଅଧ୍ୟାତ୍ମ୍ୟରୁ ଅଜ୍ଞ କରି ରଖିବାକୁ ହିଁ ଏତେ ଏତେ କୋଳାହଳର କଳ୍ପନା କରାଯାଇଛି କି ?

 

ଭଗବାନ ମୋଟେ ଗୁରୁଙ୍କର ଆଙ୍ଗୁଠି ଅଗରେ ନାହାନ୍ତି । ସିଏ ମୋ’ ଭିତରେ ମଧ୍ୟ ଅଛନ୍ତି । ଗୁରୁଙ୍କ ଭିତରେ ରହିଥିବା ଭଗବାନ ମୋ ଭିତରେ ରହିଥିବା ଭଗବାନଙ୍କର ଆଦୌ ଜଣେ ଗୁରୁଜନ ନୁହନ୍ତି ଯେ ସିଏ ବାଡ଼ିଟାଏ ଦେଖାଇ ମୋତେ କୋଳାହଳ ଭିତରେ ପଶିଯିବାକୁ କହିଲେ ମୁଁ ତାଙ୍କର ସେହି ଆଜ୍ଞାକୁ ପାଳନ କରିବି । ଆଗର ଅସମାନ ସମାଜଟାରେ ଗୁରୁ ମଧ୍ୟ ତୁମ ଆମ ସାଧାରଣମାନଙ୍କୁ ଅବର ବୋଲି ଦେଖୁଛନ୍ତି ବୋଲି ଆମକୁ କୋଳାହଳ ଭିତରକୁ ଭଣ୍ଡାଇ ଦେଉଛନ୍ତି । ଅସଲ ଗୁରୁ ଯାବତୀୟ ଅର୍ଥରେ ଜଣେ ଯଥାର୍ଥ ବନ୍ଧୁ, ଜଣେ ଶ୍ରଦ୍ଧାବାନ ଓ ଅଧିକ ଅନୁଭବ ରହିଥିବା ଜଣେ ସହଚାରୀ । ସିଏ ମୋତେ ନିଜର ଯାବତୀୟ ଉଦ୍ବୋଧନରେ ହିଁ ମୋ ନିଜ ଘରକୁ ବାଟ ବତାଇଦେବ । ସେହି ଘରକୁ ଫେରି ଆସିବା ଲାଗି ମୋତେ ସାହସ ଏବଂ ଭରସା ଦେବ । ମୋତେ ସକଳ କୋଳାହଳର ଅନ୍ୟମନସ୍କତା ମଧ୍ୟରୁ ଏକ ଗତିଶୀଳ ଓ ଅନେକ ପ୍ରତିଶ୍ରୁତିପୂର୍ଣ୍ଣ ସର୍ଜନାତ୍ମକ ନୀରବତା ମଧକୁ ବନ୍ଧୁ ପରି ବାଟ ଦେଖାଇଦେବ । କଦାପି ମୋତେ ଗିଳିପକାଇବାକୁ ବା କୌଣସି ଏକ ସଂପ୍ରଦାୟ ମଧ୍ୟରେ ମୋତେ ଛେଳିଟିଏ କରି ରଖିବାକୁ ଆଗ୍ରହ ବି ଦେଖାଇବ ନାହିଁ । ଆମ ଏ ଯୁଗରେ କୋଳାହଳ ବଢୁଛି, ସଂକୀର୍ତ୍ତନ ବଢୁଛି, କାରଣ ବଡ଼ ଶିଙ୍ଗ ଥିବା ଛେଳିମାନେ ଆମ ସମସ୍ତଙ୍କୁ ମଧ୍ୟ ଛେଳି ହୋଇ ରହିଯିବାକୁ ହିଁ ପରାମର୍ଶ ଦେବାରେ ଲାଗିଛନ୍ତି । ପୁରୁଣା ସମାଜଟାରେ ଏହି ରୀତିଟା ଭାରି ସୁହାଉଥିଲା । ଏବେ ମଧ୍ୟ ଯେଉଁସବୁ ସମାଜ ଅଭିଶାପ ପାଇଥିବା ପରି ସେହି ପୁରୁଣାଟା ଭିତରେ ପଡ଼ି ରହିବାକୁ ମନ୍ତ୍ରଣା କରୁଛନ୍ତି, ସେହିମାନେ ହିଁ ଆମକୁ ଆହୁରି ଅଧିକ କୋଳାହଳ ଭିତରେ ବଧିରା ହୋଇ ରହିଯିବାକୁ ଫୁସୁଲାଉଛନ୍ତି । ଆମକୁ ମୃଦଙ୍ଗ ଗିନି ଧରାଇ ଦେଉଛନ୍ତି । ଆମେ ନିଜ ଭିତରକୁ ଅନାଇବା, ସେଇଟି ପାଖରୁ ବଳ ପାଇବା । ଏହି ପୃଥିବୀଟିର ମଧ୍ୟ ଏକ ହୃଦୟ ରହିଛି ଏବଂ ସେହି ହୃଦୟର ଏକ ନିୟତି ମଧ୍ୟ ରହିଛି । ଆମେ ସେହି ନିୟତି ସହିତ ସହଯୋଗ କରିବା । ଆମକୁ ବି ଆମ ମନଲାଖି ସଙ୍ଗୀ ଅବଶ୍ୟ ମିଳିଯିବେ ।

Image

 

ପରିବେଶ ସମାଜର ଅଧୀନ

 

ଏବେ ଆମ ଦେଶରେ ମଧ୍ୟ ଧୋବ ଭଲ ମଣିଷମାନେ ପରିବେଶ ବିଷୟରେ କହିଲେଣି । ସେହି ଧୋବ ଓ ଭଲ ମଣିଷମାନଙ୍କର ତତ୍ତ୍ଵାବଧାନରେ ପେଙ୍ଗେଇ ପେଙ୍ଗେଇ ଚାଲୁଥିବା ଆମ ସରକାରୀ ମାହାଲଗୁଡ଼ାକ ମଧ୍ୟ ପରିବେଶ ବିଷୟରେ ଚିନ୍ତା କଲେଣି । ସରକାରୀ କଳରେ ଖାସ୍ ପରିବେଶର ଯାବତୀୟ ମାମଲତକୁ ବୁଝିବା ସକାଶେ ଜଣେ ଜଣେ ମନ୍ତ୍ରୀ ମଧ୍ୟ ପାଞ୍ଜି ଧରି ବସିଛନ୍ତି । ବିଚରା କେତେ ସେଚ୍ଛାସେବୀ ଅନୁଷ୍ଠାନ ବି ପ୍ରାୟ ଏକ ଧର୍ମନିଷ୍ଠା ସହିତ ପରିବେଶ ପଛରେ ଲାଗିଛନ୍ତି । ସରକାର ପଇସା ଯୋଗାଇ ଦେଉଛନ୍ତି, ସେଚ୍ଛାସେବୀମାନେ ବରାଦ ମୁତାବକ ସେହି ପଇସାକୁ ଖର୍ଚ୍ଚ କରୁଛନ୍ତି । ଏବର୍ଷର ପଇସା ଖରଚ ହୋଇଗଲା ବୋଲି ଦେଖାଇ ପୁନର୍ବାର ଆଉ ଏକ ବର୍ଷ ପାଇଁ ପଇସା ନେଉଛନ୍ତି । ପରିବେଶ ସୁରକ୍ଷା କହିଲେ ପ୍ରାୟ ଗଛ ଲଗାଇବାକୁ ହିଁ ବୁଝାଉଛି । ଅନ୍ଦାଜ ଥିବା ମଣିଷମାନେ କହୁଛନ୍ତି ଯେ, ଯଦି କାଗଜର ହିସାବରୁ ମିଳୁଥିବା ସଂଖ୍ୟା ଅନୁସାରେ ଦେଶରେ ଗଛ ଲଗାଯାଇଥାନ୍ତା, ତେବେ ସେସବୁ ଏତେ ଏତେ ଜାଗା ମାଡ଼ି ବସନ୍ତେଣି ଯେ, ମଣିଷମାନେ ଆଉ ଜାଗା ନପାଇ ଏହି ପୃଥିବୀରୁ ଆଉ କେଉଁଠାକୁ ପଳାନ୍ତେଣି । ତଥାପି ଆନ୍ଦୋଳନ ଚାଲିଛି । ଇସ୍କୁଲ ପିଲାମାନେ ପରିବେଶ ବିଷୟରେ ରଚନା ଲେଖୁଛନ୍ତି । ବିତର୍କ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ବୈଜ୍ଞାନିକମାନେ ମୋଟା ଦରମାରେ ସରକାରୀ ପରିବେଶ ବିଭାଗରେ ଚଉକୀ ମାଡ଼ି ବସୁଛନ୍ତି, ରାତି ଦିନ ଚିନ୍ତା କରୁଛନ୍ତି । ଗଛମାନେ ଲାଗୁଛନ୍ତି ଓ ବଡ଼ ହେଉଛନ୍ତି । ଲଣ୍ଡା ଲଣ୍ଡା ପାହାଡ଼ମାନେ ସବୁଜ ଦିଶିଲେଣି । ସେଗୁଡ଼ିକୁ ଦେଖି ସାନ୍ତ୍ୱନା ଲାଭ କରିବାକୁ ସ୍ୱତନ୍ତ୍ର ଫିଲ୍ମମାନ ନିର୍ମିତ ହେଲାଣି । କିଛି ନା କିଛି ହେଉଛି ବୋଲି ପ୍ରତ୍ୟୟ ଜନ୍ମାଇବାର ଚେଷ୍ଟା କରାଯାଉଛି ।

 

ଜଙ୍ଗଲରେ ବାଘ, ହାତୀ, ଗଣ୍ଡାର ଓ ହରିଣମାନଙ୍କୁ ଗଣାଯାଉଛି । ନଈମୁହାଣରେ କୁମ୍ଭୀରମାନଙ୍କର ଗଣତି ଚାଲିଛି । କଇଁଛମାନେ ସମୁଦ୍ର କୂଳକୁ ଆସି ଅଣ୍ଡା ଦେଲେଣି ଏବଂ ସାଇବେରିଆରୁ ଚଢ଼େଇ ଆସି ଚିଲିକାରେ ପଡ଼ିଲେଣି ବୋଲି ସଚିତ୍ର ସମ୍ବାଦମାନ ଖବରକାଗଜରେ ବାହାରୁଛି । ପଇସା ଢେର ଖର୍ଚ୍ଚ ହେଉଛି ଏବଂ ଆଉକିଛି ପଇସା ଥିଲେ ସମ୍ଭବତଃ କାଉ, କଜଳପାତି, ହଳଦୀବସନ୍ତ, ଓଧ ଓ କଟାସମାନଙ୍କର ମଧ୍ୟ ସୁମାରି କରାଯାଇ ପାରୁଥାନ୍ତା । ସୁକୁମାରିଆ ବିଜ୍ଞାନର ମହାପଣ୍ଡିତମାନେ ପୃଥିବୀ ସ୍ତରରେ ମହାସମ୍ମିଳନୀମାନ ମଣ୍ଡାଇ ଜୀବବୈଚିତ୍ର୍ୟ ବିଷୟରେ ଘୋର ଆଲୋଚନାମାନ କରୁଛନ୍ତି । ଫେଶନ ଏପରି ହୋଇଗଲାଣି ଯେ, ନିତାନ୍ତ ଦରିଦ୍ର ଦେଶମାନଙ୍କରେ ମଧ୍ୟ ଏହିସବୁ ବିଷୟକୁ ନେଇ ସୁକୁମାରିଆ ଆଲୋଚନାମାନ ଆରମ୍ଭ ହେଲାଣି । ଏହି କ୍ଷେତ୍ରରେ ମଧ୍ୟ ଦରିଦ୍ର ଦେଶମାନେ ଧନୀ ଦେଶମାନଙ୍କର ଅନୁକରଣ କଲେଣି । ପୃଥିବୀରେ ଧନୀ ଦେଶମାନଙ୍କ ଆଖିରେ ପରିବେଶ ସମସ୍ୟା ଯେପରି ଦେଖାଯାଉଛି, ଦରିଦ୍ର ଦେଶଗୁଡ଼ିକର ଆଖିରେ ତାହା ମୋଟେ ଠିକ୍ ସେହିଭଳି ଦେଖାଯିବା ଉଚିତ ନୁହେଁ । ଧନୀ ଦେଶମାନଙ୍କରେ ଧନୀ ବେଶୀ, ବୁଦ୍ଧି-କୌଶଳ ବେଶୀ, ଅସ୍ତ୍ରଶସ୍ତ୍ର ମଧ୍ୟ ବେଶୀ । ପୃଥିବୀଯାକର ହାଟବଜାରକୁ ସେହିମାନେ ନିୟନ୍ତ୍ରଣ କରୁଛନ୍ତି । ସେହିସବୁ ଦେଶ ସମାଜରେ ସବୁ ମଣିଷଙ୍କ ସକାଶେ ସର୍ବନିମ୍ନ ସାମାଜିକ ନିରାପତ୍ତା ଯୋଗାଡ଼ କରି ପାରିଛନ୍ତି ଏବଂ ସେହିସବୁ ଦେଶର ଶିକ୍ଷାବ୍ୟବସ୍ଥା ସେଠାକାର ସବୁ ମଣିଷଙ୍କ ନିମନ୍ତେ ଏକ ସର୍ବନିମ୍ନ ନ୍ୟାୟବିଚାରର ଗ୍ୟାରେଣ୍ଟି ମଧ୍ୟ ଦେଇପାରିଛି । ସେମାନେ ମୂଳତଃ, ସତେଅବା ସବୁ କାଳ ଲାଗି ସେଇମାନଙ୍କର ଏହି ସ୍ଥିତିଟିକୁ ପୃଥିବୀରେ ଯେକୌଣସି ପ୍ରକାରେ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି । ସମ୍ଭବତଃ ସେହି ଇଚ୍ଛାରେ ତେଣେ ବୋମାଗୁଡ଼ିକୁ ମଧ୍ୟ ବିଜ୍ଞାନଶାଳରେ ପଜାଇ ସାଇତି ରଖିଛନ୍ତି । ଯଦି ସେମାନେ ସତକୁ ସତ ପୃଥିବୀର ସବୁ ମଣିଷଙ୍କ ନିମନ୍ତେ ପରିବେଶକୁ ସ୍ୱାସ୍ଥ୍ୟକର କରି ରଖିବାକୁ ଇଚ୍ଛା କରୁଥାନ୍ତେ, ତେବେ ଏକାଠି ବସି ଭଗବାନଙ୍କ ରାଣ ପକାଇ ନିଜ ନିଜ ଗୋଦାମରେ ସାଇତା ହୋଇ ରହିଥିବା ମାରଣା ବୋମାଗୁଡ଼ାକୁ ନଷ୍ଟ କରିଦେବାର ଗୋଟାଏ ଭଦ୍ର ବାଟ ବାହାର କରିବାକୁ ଚିନ୍ତା କରନ୍ତେ । ସେମାନେ ସେତିକି କରିପାରିଲେ ସମୁଦାୟ ପୃଥିବୀଯାକ ମଣିଷଙ୍କର ଚେତନାରେ ଏତେ ଏତେ ଶୁଭ ବିଶ୍ୱାସର ବୃଦ୍ଧିସାଧନ ହୁଅନ୍ତା ଯେ, ତାହା ହିଁ ପରିବେଶ ସୁରକ୍ଷାର ଟିକିନିଖି କଥାଗୁଡ଼ିକୁ ଭାରି ସହଜରେ ସମ୍ଭାଳି ନେଇପାରନ୍ତା । ଧନୀ ଦେଶର ସରକାରମାନେ ସେକଥା କରିବାକୁ ହୁଏତ ଏକ ନିର୍ବୋଧତା ବୋଲି ବୁଝୁଥିବେ । ସେମାନେ ବର୍ତ୍ତମାନ ଏହି ମର୍ତ୍ତ୍ୟଭୁବନରେ ବହୁତଙ୍କ ଠାରୁ ଏତେ ଉପରେ ଯାଇ ରହିଛନ୍ତି ଯେ ପୃଥିବୀରେ ସମସ୍ତଙ୍କ ସହିତ ସମାନ ହୋଇ ଦିଶିବାକୁ ସେମାନଙ୍କୁ ପ୍ରାୟ ଏକ ନିତାନ୍ତ ପତନ ସଦୃଶ ହିଁ ଲାଗିବ-। ତେଣୁ, ଗଛ ଓ ଆହୁରି ଗଛ ଲଗାଇବାର କଥା କହ ଓ ଦରକାର ହେଲେ ନଥିଲା ସରକାରମାନଙ୍କୁ କିଛି ହାତଗୁଞ୍ଜା ଦେଉଥାଅ, ତାହା ହିଁ ବିଜ୍ଞତା ।

 

ଭାରତବର୍ଷରେ କେଉଁଦିନ ପରିବେଶଟା ଠିକ୍ ଥିଲା ଯେ, ଆଜି ତାହା ଖରାପ ହୋଇଗଲା ? ହଁ, ଆଗେ ଜଙ୍ଗଲ ଭର୍ତ୍ତି ହୋଇ ରହିଥିଲା, ଜଙ୍ଗଲରେ ପ୍ରାଣୀମାନେ ଭର୍ତ୍ତି ହୋଇ ରହିଥଲେ, ଦିନରେ ବି ନିକାଞ୍ଚନ ରାସ୍ତାରେ ବାଘର ଭୟ ଥିଲା । ଏହି ସବୁଜିମା କବି ଆଖିକୁ ବଡ଼ ସୁନ୍ଦର ଦେଖାଯାଉଥିଲା । କିନ୍ତୁ ସମାଜର ପରିବେଶଟା କିଭଳି ଥିଲା ? ରାଜାମାନେ ରହିଥଲେ, ସାମନ୍ତମାନେ ଥିଲେ, ଧରାଟା ତମାମ ସେମାନଙ୍କର ଭୋଗଭୂମି ହୋଇ ରହିଥିଲା । ଠାକୁରମାନେ ସେହି ରଜା ଓ ସାମନ୍ତମାନଙ୍କର ସମ୍ପତ୍ତି ହୋଇ ରହିଥିଲେ । ଧର୍ମର ସବୁକଥା କେବଳ ବଡ଼ମାନଙ୍କୁ ସୁହାଉଥିଲା । ଦରିଦ୍ର ବହୁ ସଂଖ୍ୟାରେ ଥିଲେ । ସେମାନେ ଭାଗ୍ୟ ଦ୍ୱାରା ନାଚିବାରେ ଲାଗିଥିଲେ । ଭାଗ୍ୟର ବିଧାନକୁ ହିଁ ଧର୍ମର ବିଧାନ ବୋଲି ବିଶ୍ୱାସ କରିବାକୁ ସେମାନଙ୍କୁ ଶିକ୍ଷା ଦିଆଯାଉଥିଲା । ଅଧିକ ମଣିଷ ସେମାନଙ୍କର ସେବା ଖଟୁଥିଲେ । ପ୍ରାଚୀନ ଗ୍ରୀକ୍ ସମାଜରେ ଯେପରି ଜଣେ ନାଗରିକ ସୁଖ ସମ୍ଭ୍ରମରେ ରହିବ ବୋଲି ହାରାହାରି ଅନ୍ତତଃ ଚାରିଜଣ ଅନ୍ୟ ମଣିଷଙ୍କୁ ଦାସ ହୋଇ ରହିବାକୁ ପଡୁଥିଲା, ଇଏ ପ୍ରାୟ ସେହିପରି ଗୋଟିଏ ବ୍ୟାପାର । ଉପରେ ଥିବା ଅଳପଙ୍କୁ ପୃଥିବୀ ଭାରି ସୁନ୍ଦର ଦିଶୁଥିବ । ତଳେ ଥିବା ବହୁତ ମଣିଷ ବିଧିଗୁଡ଼ିକୁ ମାନି ଘୁଷୁରି ପରି ଖଟୁଥିବେ, ଘୁଷୁରି ପରି ବଞ୍ଚୁଥିବେ । ପୁରାତନ ସଭ୍ୟତା, ସଂସ୍କୃତି ଓ ସାହିତ୍ୟ ଇତ୍ୟାଦିକୁ ଆମକୁ ନ୍ୟାୟତଃ ସେହି ପରିପ୍ରେକ୍ଷୀରେ ହିଁ ବିଚାର କରିବାକୁ ହେବ ।

 

ପରବର୍ତ୍ତୀ ଯୁଗରେ ବିଜ୍ଞାନ ଆସି ପହଞ୍ଚିଲା । ଧର୍ମ ଭିତରୁ ଅଧ୍ୟାତ୍ମ ନାମକ ସେହି ଅସଲ ସତ୍ୟଟିର ମଧ୍ୟ ଉନ୍ମେଷ ଘଟିଲା । ପୃଥିବୀ ଠୋ’ ଠୋ’ ବଦଳି ଗଲା । ଭାରତବର୍ଷ ମଧ୍ୟ କ’ଣ ପାଇଁ ବଦଳି ନଥାନ୍ତା । ଯେଉଁମାନେ ଧର୍ମକୁ ମାନି ଯୁଗ ଯୁଗ ଧରି ତଳଟାକୁ ଆଦରି ରହିଥିଲେ, କ୍ରମେ ସେମାନଙ୍କ ଭିତରେ ମଧ୍ୟ ନୂଆ ଚେତାଟିଏ ପଶିଲା । ସେମାନେ ବି ନାଗରିକ ହେଲେ । ଏବଂ, ସେମାନଙ୍କୁ କାଗଜରେ ନାଗରିକ ବୋଲି କୁହାଯାଉଥିବ ଅଥଚ ପୁରୁଣା ଅବିଚାରଗୁଡ଼ିକ ଅତ୍ୟନ୍ତ ନିର୍ମମ ଭାବରେ ସେମାନଙ୍କୁ ନାନା ପ୍ରକାରେ ବଂଚିତ କରି ରଖିଥିବ, ଏହି ବିଡ଼ମ୍ବନାଟି ହିଁ ପଦେ ପଦେ ଆସି ଆହ୍ୱାନ ଦେବାକୁ ଆରମ୍ଭ କଲା । ଉପରବାଲା କିଂଚିତ୍ ଦୟା ଦେଖାଇଲେ, ଉଦାର ହେଲେ । ସେଇଟାକୁ ତଳବାଲା ମଧ୍ୟ ଗୋଟିଏ ଭଲକଥା ବୋଲି ସ୍ୱୀକାର କଲେ । କିନ୍ତୁ ଆତ୍ମା ମୋଟେ ବୋଧ ହେଲାନାହିଁ । ଆତ୍ମାଟା ଏପରି ଗୋଟିଏ ପଦାର୍ଥ, ଥରେ ଚେତିଗଲେ ସିଏ ଏକାବେଳେକେ ତୁମ ସହିତ ସଙ୍ଗୀ ହୋଇ ଏକାଠି ବାଟ ଚାଲିବାକୁ ଅସ୍ଥିର ହୋଇ ଉଠିବ । ଦୟା ବା ଉଦାରତାରେ ମୋଟେ ଥର ହୋଇ ରହିବ ନାହିଁ । ସ୍ୱାଧୀନ ଭାରତବର୍ଷରେ ସବୁ ମଣିଷଙ୍କୁ ଯେ ମଣିଷର ସ୍ୱୀକୃତି ପାଇବାକୁ ହକଦାର ବୋଲି ସ୍ୱୀକାର କରାଯାଉନାହିଁ, ଆମର ଏଠାରେ ତାହାହିଁ ପରିବେଶ ଗୁଡ଼ିକୁ ନିତାନ୍ତ ଶୟତାନସ୍ତରୀୟ କରି ରଖିଛି । ତୁମେ କାଗଜରେ ଯୋଉ କଥା ଲେଖିବ, ତାହାକୁ ତୁମ ଗାଆଁ ବା ସହରର ସମାଜରେ ସ୍ୱୀକାର କରାଯିବ ନାହିଁ, କେହି ହକ୍ ମାଗି ଆସିଲେ ତାକୁ ବୋଲୁଅ ମାରିବ, ଏହି ପରିବେଶଟାକୁ ଗଛ ଲଗାଇ ଯେଉଁ ବାବୁମାନେ ସମାଧାନ କରିଦେବେ ବୋଲି ଚିନ୍ତା କରୁଛନ୍ତି, ସେମାନଙ୍କର ବୁଦ୍ଧିଗୁଡ଼ାକ ଆଉ ଜାଣିଶୁଣି ଛତରା ହୋଇ ରହିବାକୁ ଇଚ୍ଛା କରୁଛି କି ? ସେମାନେ କ’ଣ ପାଇଁ କାଳର ପଥଟାକୁ ରୋକିବେ ବୋଲି ବାହାରିଛନ୍ତି କେଜାଣି ?

 

ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ କାର୍ଯ୍ୟତଃ ଦରିଦ୍ର ଓ ବଂଚିତ ମନୁଷ୍ୟମାନଙ୍କ ଭିତରେ କାମ କରୁଛନ୍ତି । ସେହି ମନୁଷ୍ୟମାନେ ଅଗମ୍ୟ ବଣପାହାଡ଼ ଭିତରେ ରହି ଆସିଛନ୍ତି । ସଭ୍ୟ ଓ ଚତୁର ଲୋକମାନେ ସେମାନଙ୍କୁ କାଳ କାଳ ହେଲା ବଂଚିତ କରି ଆସିଛନ୍ତି । ସେମାନଙ୍କଠାରୁ ସେମାନଙ୍କର ଶ୍ରମଲବ୍ଧ କ୍ଷେତକୁ ଛଡ଼ାଇ ନିଆଯାଇଛି । ବଗଡ଼ ଓ ଡ଼ଙ୍ଗର ଭିତରକୁ ପଳାଇଯିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରାଯାଇଛି । ସେମାନେ ଶିକ୍ଷାରୁ ବଂଚିତ ହୋଇ ରହିଛନ୍ତି । ପଶୁଠାରୁ ମଧ୍ୟ ଅଧିକ ଭୟ କରୁଛନ୍ତି । ହାକିମ, ଏପରିକି ଉପକାରୀ ହାକିମମାନେ ମଧ୍ୟ ସେମାନଙ୍କର ଭାଷାରେ ସେମାନଙ୍କ ସହିତ କଥା କହୁନାହାନ୍ତି । ସେମାନଙ୍କୁ ସଜ୍ଞାନ ଏବଂ ସଚେତନ କରାଇବା ସକାଶେ ହିଁ ସ୍ୱେଚ୍ଛାସେବୀମାନେ କାର୍ଯ୍ୟ କରୁଛନ୍ତି । ସେମାନଙ୍କର ପ୍ରକୃତ ବାସ୍ତବଟାକୁ ଆଖିରେ ଦେଖିବା ସତ୍ତ୍ୱେ ଯଦି ସେମାନେ ସେମାନଙ୍କୁ ପରିବେଶ ସୁରକ୍ଷା ଅର୍ଥାତ୍ ଗଛ ଲଗାଇବା ବିଷୟରେ କହିବେ, ତେବେ ସେମାନେ ସମ୍ଭବତଃ ସେହି ଆଗର କୋଉ କାଳର ବିଦ୍ୟାପତି ବନି ବିଶ୍ୱାବସୁ ଘରେ ଯାଇ ପହଂଚିଛନ୍ତି ବୋଲି କୁହାଯାଇ ପାରିବ । ସେମାନେ ସମ୍ବନ୍ଧ ସ୍ଥାପନ କରି ଜଗନ୍ନାଥଙ୍କୁ ହଡ଼ପ କରି ନେଇ ଆସିବେ ବୋଲି ଯାଇଛନ୍ତି । ପାରମ୍ପରିକ ସମାଜର ସାହୁକାର ତ କୋଡ଼ିଏ ଟଙ୍କା କରଜ ଦେଇ ଦୁଇଶହର ଫସଲ ଆଦାୟ କଲାବେଳେ ସେମାନଙ୍କୁ କେବଳ ଅର୍ଥରେ ହିଁ ଶୋଷଣ କରୁଥିଲା । ଆମ ସ୍ୱେଚ୍ଛାସେବୀ ବନ୍ଧୁମାନେ କ’ଣ ସେମାନଙ୍କର ଆତ୍ମାଟାକୁ ସେମାନଙ୍କ ଠାରୁ ଛଡ଼ାଇ ଆଣିବାକୁ ସେଠାରେ ପହଂଚିଛନ୍ତି କି ?

 

କୌଣସି ଏକ କାର୍ଯ୍ୟକ୍ରମର ମୂଲ୍ୟାୟନ ନିମନ୍ତେ ପନ୍ଦର କୋଡ଼ିଏ ବର୍ଷ ଅବଶ୍ୟ ଯଥେଷ୍ଟ ହେବ । କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟଗୁଡ଼ିକୁ ଓଜନ କରି ଦେଖିବା ପାଇଁ ଆମେ କେଉଁସବୁ କଥାକୁ ତରାଜୁ ଭଳି ବ୍ୟବହାର କରିବା ? ଦରିଦ୍ର ଅରଣ୍ୟବାସୀ ତାହାର ସେବାଦ୍ୱାରା ହୁଏତ ଏକାଧିକ ଭାବରେ ଉପକୃତ ହୋଇଛି । ତା’ର ପିଲାମାନେ ଗାଆଁର ରାତି ସ୍କୁଲରେ ପଢ଼ିଛନ୍ତି । ନାନାଭଳି ଆୟକାରୀ ଯୋଜନାରେ ସହାୟତା ଲାଭ କରି ନିଜ ପାଇଁ ଓ ଗାଆଁ ପାଇଁ ପାଣ୍ଠି ବି ସମ୍ଭବ କରିଛନ୍ତି । ଆଦିବାସୀମାନେ ଅଧିକ ସତର୍କ ହେଲେଣି, ସେମାନଙ୍କୁ ସରକାରୀ ନଉକରମାନେ ଆଉ ଆଗଭଳି ସେତେ ଠକି ପାରୁନାହାନ୍ତି । ଏହି ସବୁକିଛି ଅବଶ୍ୟ ସତ । ମାତ୍ର ସେମାନଙ୍କର ନିଜ ବିଷୟରେ ସାହସ ଏବଂ ସମ୍ମାନବୋଧ ସନ୍ତୋଷଜନକ ଭାବରେ ବୃଦ୍ଧି ପାଇଛି କି ? ସେହି ବଂଚିତମାନଙ୍କ ମଧ୍ୟରୁ କେହି ଶିକ୍ଷିତ ସ୍ୱେଚ୍ଛାସେବୀମାନଙ୍କ ସହିତ ନିଜକୁ ସମକକ୍ଷ ଭାବି ନିଜେ ମଧ୍ୟ ଜଣେ ସ୍ୱେଚ୍ଛାସେବୀ ହେବାକୁ ବାହାରି ଆସିଛି କି ? ଅର୍ଥାତ୍ ନିଜର ଦରିଦ୍ର ଅବସ୍ଥାରେ କିଞ୍ଚିତ ଉନ୍ନତିବିଧାନ ମୋଟେ ସମାଧାନ ନୁହେଁ, ସମ୍ପୂର୍ଣ୍ଣ ସିଷ୍ଟମଟାକୁ ହିଁ ବଦଳାଇବାକୁ ହେବ- ସେମାନଙ୍କ ଭିତରୁ କେତେ ମଣିଷ ପ୍ରକୃତରେ ଏକଥା ହୃଦୟଙ୍ଗମ କଲେଣି-? ଅନ୍ୟପଟୁ ସେହିକଥାଟିକୁ କହିଲେ, ସ୍ୱେଚ୍ଛାସେବୀମାନେ କ’ଣ ଯଥେଷ୍ଟ ପରିମାଣରେ ଏତେ ତଳକୁ ପହଂଚି ପାରିଛନ୍ତି, ଯେପରିକି ଜଣେ ଆଦିବାସୀ ନିଜକୁ କେବଳ ଜଣେ ଦୀନ ହିତାଧିକାରୀ ବୋଲି ନଭାବି ସେମାନଙ୍କ ଭଳି ଜଣେ ସମର୍ଥ ମନୁଷ୍ୟ ଭଳି ହିଁ ଭାବିବ ? ଏବେ ସେହି କଥାଟିକୁ କେହି ସର୍ବପ୍ରଥମ ଗୁରୁତ୍ୱ ଦେଉନାହାନ୍ତି । ହିତାଧିକାରୀମାନଙ୍କର ହିତ କରିବାକୁ ବେଉସା କରିଥିବା ଯାଏ ପରିବେଶଗୁଡ଼ିକ ଯେପରି ଭାବରେ ବଦଳୁ ବୋଲି ଆମ ସମ୍ବିଧାନରେ ସ୍ୱପ୍ନ ଦେଖାଯାଇଛି, ତାହା ସମ୍ଭବ ହୋଇପାରିବ କି ?

 

ଗୋଟିଏ ଗାଆଁରେ ଜାତିଭେଦ ନଥିବ, ସେହି ଗାଆଁର ପରିବେଶ ଜାତିଭେଦ ରହିଥିବା ଆଉ ଏକ ଗାଆଁର ପରିବେଶଠାରୁ ନିଶ୍ଚୟ ଅନ୍ୟ ପ୍ରକାରର ହେବ । ପ୍ରତ୍ୟେକ ସ୍ଥିତିରେ ମନୁଷ୍ୟମାନେ ଏକ ସମାଜରେ ହିଁ ବାସ କରୁଥାନ୍ତି । ସେହି ସମାଜର ପରିମଳଟି ଯେପରି ହୋଇଥିବ, ତାହାର ପରିବେଶ ମଧ୍ୟ ତାହାରି ଅନୁରୂପ ହେବାକୁ ବାଧ୍ୟ ହେବ । ଆମ ଗାଆଁ ଗୋଟିଏ ସମାଜ, ଆମ ସହର ଗୋଟିଏ ସମାଜ, ଆମର ଇସ୍କୁଲ ଓ କଲେଜମାନେ ଗୋଟିଏ ଗୋଟିଏ ସମାଜ । ଏହି ଅମଲାତନ୍ତ୍ର ଗୋଟିଏ ସମାଜ, ଏ ସରକାର ମଧ୍ୟ ଗୋଟିଏ ସମାଜ । ଏଗୁଡ଼ିକରେ ପରିବେଶଟି କେତେଦୂର ମନୁଷ୍ୟୋଚିତ ହୋଇ ରହିଛି କି ନାହିଁ, ଅର୍ଥାତ୍ ଜଣେ ଜଣେ ମନୁଷ୍ୟ ହିସାବରେ ସମସ୍ତଙ୍କୁ ସ୍ୱୀକୃତି ଦିଆଯାଉଛି କି ନାହିଁ, ତାହାରି ଉପରେ ହିଁ ପରିବେଶ ନିର୍ଭର କରିବ ହିଁ କରିବ । ଆମ ରାଜନୀତିଟା ସାମନ୍ତବାଦୀ ରୀତିରେ ଚାଲୁଥିବା ପର୍ଯ୍ୟନ୍ତ ଏହି ଦେଶରେ ରାଜନୀତିକ ପରିବେଶଟା ମଧ୍ୟ କଦାପି ସୁସ୍ତ ହୋଇପାରିବ ନାହିଁ । ନିୟମ କାନୁନ୍, ରୀତିବିଧି ସବୁ ରହିଥିବ, ଅଥଚ ବିଲୁଆମାନେ ଗଳି ଯିବାରେ ଲାଗିଥିବେ ଓ କାଳଟା ବୋକା ହୋଇ ଅନାଇ ରହିଥିବ । ରକ୍ଷକ ଥିବେ, ଅଥଚ ରକ୍ଷା ମିଳୁନଥିବ । ନ୍ୟାୟମାନେ ବହିରେ ଲେଖା ହୋଇ ରହିଥିବେ । ଅର୍ଥାତ୍ ମଣିଷ ମାତ୍ରକେ ସମସ୍ତଙ୍କୁ ନ୍ୟାୟ ମିଳିବା କ୍ଷେତ୍ରରେ ସବୁ ପସରଫାଟି ଯାଉଥିବ । ଆମ କାଶୀପୁରର କେତେ ଗାଆଁରେ ପିଲାମାନେ ଯେପରି କହନ୍ତି, ସେମାନଙ୍କ ଗାଆଁରେ ସରକାରୀ ଇସ୍କୁଲ ରହିଛି, ଗୁରୁମାନଙ୍କ ପାଖରେ ଖାତାପତ୍ର ବିହିତ ଭାବରେ ରହିଛି, ସେମାନେ ନିୟମିତ ଭାବରେ ଉପସ୍ଥାନ ଖାତାରେ ପିଲାମାନଙ୍କର ଉପସ୍ଥାନ ପକାଉଛନ୍ତି । ଏପରିକି ବର୍ଷକୁ ବର୍ଷ ପିଲାମାନେ କ୍ଲାସ ବି ଉଠି ଉଠି ଯାଉଛନ୍ତି । ସବୁ ହେଉଛି ମାତ୍ର ଇସ୍କୁଲ କେବେହେଲେ ଫିଟୁନାହିଁ । ଗୁରୁମାନେ ରାସ୍ତାକଡ଼ର ଢାବାରେ ରହୁଛନ୍ତି । ମାସକୁ ମାସ ବେତନ ଆଣି ଯାଉଛନ୍ତି, କୁଜି ହାକିମମାନଙ୍କୁ ବଟି ଦେଇ ସଂସାରଟାକୁ ନିରାପଦ ରଖିଛନ୍ତି । ତୁମର ଯଦି ହୃଦୟ ବୋଲି ପଦାର୍ଥଟିଏ ଥିବ, ତେବେ ତୁମେ ସେହି ପିଲାମାନଙ୍କୁ କଦାପି ଗଛ ବିଷୟରେ ଗୀତ ଫାନ୍ଦି ବୋଲାଇବ ନାହିଁ; ବରଂ ପିଲାମାନଙ୍କୁ ଧରି ଗୁରୁମାନେ ରହୁଥିବା ଢାବାକୁ ଯିବ ଏବଂ ସେଠାରେ ଧାରଣା ଦେଇ ବସିବ । ତେବେ ଯାଇ ତୁମେ ବଞ୍ଚିତ ସେହି ପିଲାମାନଙ୍କର ହୃଦୟରେ ଥାନଟିଏ ପାଇବ । ସେହି ଅରଣ୍ୟ ଓ ପାହାଡ଼ ଜୀଇ ଉଠିବେ, ତୁମକୁ ଆପଣାର କରିନେବେ । ଏବଂ ସେତେବେଳେ ତୁମେ ସେମାନଙ୍କୁ କେବେହେଲେ ଜଣେ ଜଣେ ହିତାଧିକାରୀ ବୋଲି କହିବ ନାହିଁ । ତୁମେ ସେମାନଙ୍କ ଭିତରେ ରହିଥିବା ନାଗରିକଟିକୁ ପ୍ରଣାମ କରିବ । ପାଖରେ ବସାଇବ । ଏହି ଦେଶଟା ଯେ ସମସ୍ତଙ୍କର, ଏହି ନୂଆ ବୋଧଟି ତୁମକୁ ପବିତ୍ର କରିଦେବ । ତୁମ ଭିତରର ସଂସ୍କାରଗତ ଯାବତୀୟ ପ୍ରଦୂଷଣକୁ ତାହା ଦୂର କରିଦେବ । ତାହା କୋଟିଏ ଗଛ ଲଗାଇବାଠାରୁ ଅଧିକ କାମ ଦେବ । ପ୍ରଦୂଷିତ ସମାଜଟା ବଦଳିଲେ ପରିବେଶ ବି ବଦଳିଯିବ । ଅଲବତ ବଦଳିବ-। ମାତ୍ର, କାହାର ଉପକାର କରୁଛି ବୋଲି ଭାବନାର ପୋକଟା ତୁମକୁ ଯଦି ଭିତରେ କାମୁଡ଼ି ଧରିଥିବ, ତେବେ ତୁମେ କଦାପି ସେକଥା କରିପାରିବ ନାହିଁ । ତୁମେ ଯାବତୀୟ ପରିବର୍ତ୍ତନର କ୍ଷେତ୍ରରେ ପୁରା ଡ଼ିକୁ ହୋଇ ରହିଯିବ । ଆମ ସମାଜର ତଥାକଥିତ ତନ୍ତ୍ରଗୁଡ଼ିକ ଏହି ଦେଶରେ ପ୍ରାୟ ଡ଼ିକୁ ହୋଇ ରହିଆସିଛି । ଆମକୁ ହିତାଧିକାରୀ ବୋଲି ଗୋଟାଏ ଅଲଗା ନାଆଁରେ ଡାକୁଛି ଆମକୁ ଅନ୍ଧାରରେ ରଖିଛି । ଆମେ ତ ଏପରି ଏକ ଅନ୍ୟ ପରିବେଶ ଚାହୁଛୁ, ଯାହାକି ଅଲୋକର ବାର୍ତ୍ତାବହ ହେବ । ସବୁ ମଣିଷଙ୍କୁ ସେହି ଆଲୋକର ଦର୍ପଣ ଉପରେ ଦେଖି ପାରୁଥିବ ।

Image

 

ଭୟମୁକ୍ତିର ଶିକ୍ଷା

 

ଅଥର୍ବ ବେଦରେ ଋଷି ଏକ ଭୟମୁକ୍ତିର ମନ୍ତ୍ରର ଉଲ୍ଲେଖ କରିଛନ୍ତି । ତାହାର ମୋଟାମୋଟି ଅର୍ଥ ହେବ; ମୁଁ ମିତ୍ରକୁ ଡ଼ରିବି ନାହିଁ, ଅମିତ୍ରକୁ ଡ଼ରିବି ନାହିଁ, ଜାଣିଥିବା କଥାଗୁଡ଼ିକୁ ଡ଼ରିବି ନାହିଁ, ଯାହାସବୁ ପୁରୋଭାଗରେ ଅର୍ଥାତ୍ ଆହୁରି ଆଗକୁ ରହିଛି ଅର୍ଥାତ୍ ଯାହାକିଛି ମୁଁ ଏପର୍ଯ୍ୟନ୍ତ ଜାଣିନାହିଁ, ସେଗୁଡ଼ିକୁ ମଧ୍ୟ ଡ଼ରିବି ନାହିଁ । ରାତ୍ରିକୁ ଡ଼ରିବି ନାହିଁ ବା ଦିନକୁ ମଧ୍ୟ ଡ଼ରିବି ନାହିଁ । - ଇତ୍ୟାଦି, ଇତ୍ୟାଦି । ଶିକ୍ଷା ଅର୍ଥାତ୍ ବିଦ୍ୟା ବିନୟ ଦିଏ ବୋଲି ପରବର୍ତ୍ତୀ କାଳରେ ସେହି ସଂସ୍କୃତ ଭାଷାରେ ପରବର୍ତ୍ତୀ ଆଚାରୀମାନେ ମଧ୍ୟ ଲେଖିଛନ୍ତି । ଅସଲ ବିନୟ ଏବଂ ଭୟଶୂନ୍ୟତା ମଧ୍ୟରେ ପ୍ରକୃତରେ କୌଣସି ଫରକ ରହିବା ଉଚିତ ନୁହେଁ । ମାତ୍ର ଯଦି ଭୀରୁ ଡ଼ରକୁଳା ମନୁଷ୍ୟଟିଏ ବହିରୁ ବିନୟ ଶିଖି ମୁଖସ୍ଥ କରି ରଖିଥିବ, ତେବେ ସେହି ବିନୟ ହୁଏତ ଏକ ମାରାତ୍ମକ କପଟାଚରରେ ବି ପରିଣତ ହୋଇପାରେ । ଆମ ଏବ ଯୁଗରେ ଚୋଖା ତୋଷାମଦକାରୀମାନେ ଯେଉଁ ବିନୟର ପ୍ରଦର୍ଶନ କରିଥାନ୍ତି, ସାମ୍ପ୍ରତିକ ଯେକୌଣସି ଦରବାର ଭିତରକୁ ପଶିଗଲେ ତାହାରି ଭୁରି ଭୁରି ପ୍ରମାଣ ମିଳିଯିବ ।

 

ସ୍ୱାଧୀନତା ପରେ ଆମ ଦେଶର ଶିକ୍ଷାରେ ଭୟଟା ହିଁ ଅଧିକ ପରିମାଣରେ ପଶିଯାଇଛି-। ଆଗେ ଗୁରୁଭକ୍ତି ନାମରେ ଆମ ସମାଜରେ ଯାହା ଚଳି ଆସିଥିଲା, ଅନେକ ସମୟରେ ଅପାତ୍ର ଏବଂ ଅସ୍ଥାନମାନଙ୍କରେ ସେଥିରେ ଉପରେ ତୋଷାମଦ ଏବଂ ଭିତରେ ଘୃଣା ପରସ୍ପର ସହିତ ନିରନ୍ତର ବାଡ଼ିଆବାଡ଼ି ହେଉଥିଲେ ଓ ସମଗ୍ର ସମ୍ପର୍କଟିକୁ ଏକ ହାସ୍ୟାସ୍ପଦତାରେ ପରିଣତ କରି ରଖିଥିଲେ । କେବଳ ବୋକା ଗୁରୁମାନେ ହିଁ ସେହି ତାମସାଟାକୁ ବୁଝି ପାରୁନଥିବେ-। ଆମ ଏ ଯୁଗରେ ମଧ୍ୟ ବୋକା ଗୁରୁମାନଙ୍କର ସଂଖ୍ୟାଟା ଆଦୌ କମ୍ ହେବନାହିଁ । ସମ୍ଭବତଃ କୌଣସି କାରଣରୁ ଏବର ଗୁରୁମାନେ ଗୁର୍ଦୁ ବୋକା ହୋଇଯିବାରୁ ହିଁ ପିଲାମାନେ ଅଧିକ ଚାଲାଖ ହୋଇ ଯାଇଥିବା ପରି ମନେ ହୋଇଥାନ୍ତି । ଅସଲ ଗୁରୁ ତେଣୁ ମୂଳରୁ ସାବଧାନ ରହିବ ଏବଂ ଅଭୟ ଦେବ । ଛାତ୍ରମାନଙ୍କୁ ନିର୍ଭୟ ହେବାରେ ସାହାଯ୍ୟ କରିବ । ତା'ହେଲେ ଖାଲି ବିଦ୍ୟାଳୟଗୁଡ଼ିକରୁ ନୁହେଁ, ଆମ ଯାବତୀୟ କାରବାରର ଏହି ପୃଥିବୀରୁ ମଧ୍ୟ ଭୟଟା ବହୁମାତ୍ରାରେ ଦୂର ହୋଇଯିବ । ପାଠ କହିବ, ଯୋଉ ଶିକ୍ଷକ ତା’ ପିଲାମାନେ ତାକୁ ଭୟ କରନ୍ତୁ ବୋଲି ଇଚ୍ଛା କରୁଥାଏ, ସିଏ ବିଚରା ନିଜ ଭିତରେ ବହୁ ବହୁ ଭୟ ଦ୍ଵାରା ପ୍ରପୀଡ଼ିତ ହୋଇ ରହିଥାଏ । ସାହସୀ ଗୁରୁକୁ ଛେରୁଆ ପିଲା ମୋଟେ ଭଲ ଲାଗିବେ ନାହିଁ । ଅସଲ ଭକ୍ତି କେବଳ ଜଣେ ସାହସୀ ମଣିଷ ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଭଗବାନ ତ ସ୍ୱୟଂ ଭକ୍ତିରେ ଅସଲି ଏବଂ ନକଲିକୁ ସିଧା ଜାଣି ପାରୁଥିବେ । ତେଣୁ ନିଶ୍ଚୟ ସାହସୀ ହୋଇଥିବେ ।

 

କେତେ ସାହସର ସହିତ ଭାରତବର୍ଷରେ ସ୍ୱାଧୀନତା ସକାଶେ ସଂଗ୍ରାମଟିଏ ଲଢ଼ାଗଲା, କିନ୍ତୁ ସେହି ସ୍ଵାଧୀନତା ହାସଲ ହୋଇଯିବା ପରେ ଏଠି ମଣିଷମାନେ ଏଡ଼େ ଭୟାଳୁ ହୋଇପଡ଼ିଲେ କିପରି ? ନେତା ଭୀରୁ ହେଲେ, ହାକିମ ଭୀରୁ ହେଲେ, ରାଜନୀତି ଭୀରୁ ହୋଇଗଲା । ପାଠୁଆମାନେ ଅପାଠୁଆଙ୍କୁ ଏହି ଭୀରୁତାରେ ପୂରା ଟପିଗଲେ । ଅପାଠୁଆମାନେ ଅନେକ ସମୟରେ ଅନ୍ତତଃ ଯେତିକି ହୁଣ୍ଡା ବି ହୁଅନ୍ତି, ଆମ ଉଚ୍ଚତମ ପାଠୁଆମାନେ ବେଳ ପଡ଼ିଲେ ସେହିପରି ଟିକିଏ ହୁଣ୍ଡା ବି ହୋଇ ପାରିଲେ ନାହିଁ । ଗୋଟାସୁଦ୍ଧା ଗୁଳାରେ ଚାଲିଲେ, ଗୁଳା ପ୍ରତି ପୂରା ଆନୁଗତ୍ୟ ରହିଛି ବୋଲି ସେମାନେ କାଗଜପତ୍ରରେ କେଡ଼େ ଦୋରସ୍ତ କରି ରଖଲେ । ତେଣେ ନିଜର ସାହସଘରେ ଏକାବେଳେକେ ଶୁଖିଗଲେ । ଏତେ ପରିମାଣରେ ଶୁଖିଗଲେ ଯେ, ନିଜର ବ୍ୟକ୍ତିଗତ ଭବିଷ୍ୟତଟି ଛଡ଼ା ସେମାନେ ଆଉ ମୋଟେ କିଛି ଦେଖିପାରିଲେ ନାହିଁ । ଉଚ୍ଚ ପାହିଆ ମାନଙ୍କରେ ପଶି ଗୋଟାଏ ଗୋଟାଏ ଜୁଆନ ଭଳି ଦେଖାଗଲେ ସିନା ମାତ୍ର ସାହସଘରେ, ବିଶ୍ୱାସଘରେ ଏବଂ ଆତ୍ମପ୍ରତ୍ୟୟର ଘରେ ଅତ୍ୟନ୍ତ ମର୍ମନ୍ତୁଦ ଭାବରେ ବୁଢ଼ା ହୋଇଗଲେ । ମୋଟେ କାଦୁଅକୁ ଗଲେନାହିଁ, କଳାକୁ କଳା କହିପାରିଲେ ନାହିଁ । ନିଜକୁ ହସିପାରିବାର ସେହି ମହନୀୟ ଐଶ୍ୱର୍ଯ୍ୟଟାକୁ ପାସୋରି ପକାଇଲେ ।

 

ଅସଲ ପାଠ ଯଦି ମଣିଷକୁ ସତକୁ ସତ ସାମର୍ଥ୍ୟଯୁକ୍ତ କରୁଥାନ୍ତା, ତେବେ ଆମ ଦେଶରେ ଏଠି ପାଠ ପଢ଼ିଥିବା ମଣିଷମାନେ ବଡ଼ ହୋଇ ତଥାକଥିତ କର୍ମଜୀବନରେ ପ୍ରବେଶ କରି ପ୍ରାୟ ଏକ ଧ୍ଵଜଭଙ୍ଗ ରୋଗର ଶିକାର ହୋଇ ପଡୁଛନ୍ତି କିପରି ? ସେମାନଙ୍କର ସତେ ଯେପରି କୌଣସି ଆଗ୍ରହ ହିଁ ରହୁନାହିଁ । ନିଜ ଚାକିରିଟାକୁ ସେମାନେ ଅଧିକରୁ ଅଧିକ ବୋହି ନେଇ ନିଜର ଗାଡ଼ଟିକୁ ପୂର୍ଣ୍ଣକରି ରଖିବାର ଏକ ସୁଯୋଗପ୍ରାୟ ବିଚାର କରୁଛନ୍ତି । ନିଜର ପିଲାମାନଙ୍କୁ ମଧ୍ୟ ସେମାନେ ଅବିକଳ ନିଜ ପରି ଏକ ନିରାପଦ ଖୋଲ ଭିତରେ ଆବଦ୍ଧ କରି ରଖିବାକୁ ଇଚ୍ଛା କରୁଛନ୍ତି । ହୃଦୟ ନାମକ ବସ୍ତୁଟି କ’ଣ ପାଇଁ ଏପରି ଶୁଖିଯାଉଛି ଯେ, ସେମାନେ ପୃଥିବୀରେ କେବଳ ନିଜଟା ବ୍ୟତୀତ ଆଉ କିଛି ହେଲେ ଦେଖିପାରୁ ନାହାନ୍ତି । ସଫଳତା କହିଲେ ଗୋଟାସୁଦ୍ଧା ନିଜର ସଫଳତାକୁ ବୁଝୁଛନ୍ତି । ଭାଗ୍ୟ କହିଲେ ନିଜର ଭାଗ୍ୟଟାକୁ ବୁଝୁଛନ୍ତି । ଅସଲ ସତ୍ୟଟି, ଅସଲ ଐଶ୍ୱର୍ଯ୍ୟଟି ଏବଂ ଅସଲ ଦେଶଟି ଯେ ଏଠି ସମସ୍ତଙ୍କୁ ଏକତ୍ର ଛନ୍ଦି ଉତ୍ତୋଳିତ କରି ଧରିଛି, ସେମାନେ ସେକଥାଟି ଭାବିବାକୁ ମଧ୍ୟ ଆତଙ୍କ ଗଣୁଛନ୍ତି । ସ୍ୱାଧୀନ ଭାରତବର୍ଷରେ ଭାଗ୍ୟକୁ ଅତି ଅଳ୍ପଙ୍କର ଭାଗ୍ୟରେ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ମିଳିଲା । ଯଦି ସମସ୍ତେ ଶିକ୍ଷାନାମରେ ଉଚ୍ଚ ଶିକ୍ଷା ପାଉଥାନ୍ତେ, ତେବେ ଏହି ଦେଶ ପାଇଁ ଆଗକୁ ଆଉ କିଛି ଆଶା କରିବା ସକାଶେ ମଧ୍ୟ ହୁଏତ ବାଟଟିଏ ନଥାନ୍ତା । ନିତାନ୍ତ ଭୟାଳୁଟିଏ ନହେଲେ କେହି ଖାଲି ନିଜର ସୁଖ ଲାଗି ଭଗବାନଙ୍କୁ ଏତେ କାତର ଭାବରେ ଡାକିବାକୁ ମନ କରିବ ନାହିଁ । ସୁସ୍ଥ ମଣିଷଟିଏ ତ ଭଗବାନଙ୍କର ପାଦଦେଶକୁ ଅନାଉ ଅନାଉ ତାକୁ ସହସ୍ର ସଂଖ୍ୟାରେ ଅନ୍ୟମାନେ ମଧ୍ୟ ଦିଶି ଯାଉଥବେ । ଯଦି ସିଏ ଭଗବାନ ସତକୁ ସତ କଲ୍ୟାଣକାରୀ ବୋଲି ଅନୁଭବ କରୁଥିବ, ତେବେ ତାଙ୍କୁ ସ୍ୱତନ୍ତ୍ର ଭାବରେ ନିଜର ଦୁଃଖଗୁଡ଼ାକୁ ଜଣାଇବାଟା ନିତାନ୍ତ ଅନାବଶ୍ୟକ ବୋଲି ମନେହେବ-

 

ଆମ ଦେଶରେ ପାଠୁଆମାନେ କାହିଁକି ଦିନକୁ ଦିନ ଅଧିକ ଭୟାଳୁ ଓ ତେଣୁ ପ୍ରତିକ୍ରିୟାଶୀଳ ହୋଇ ପଡ଼ୁଛନ୍ତି, ସେକଥା ଭାବିବା ସକାଶେ ମଧ୍ୟ ଆମ ଭିତରେ କିଞ୍ଚିତ୍ ସାହସ ରହିଥିବା ଦରକାର । ଜଣେ ଭୟାଳୁ ମଣିଷ କଦାପି ଭୟର ନିଦାନକୁ ବାହାର କରିପାରିବ ନାହିଁ । ପାଠୁଆମାନେ ଏତେ ଦରମା ପାଉଛନ୍ତି, ଏତେ ଏତେ ପାଠକୁ ପହଁରି ପାର ହୋଇଛନ୍ତି, ସାଧାରଣ ମଣିଷଙ୍କ ତୁଳନାରେ କେଡ଼େ ଧୋବ, ନିକ ଆଉ ଫୁର୍ତ୍ତି ଦେଖାଯାଉଛନ୍ତି, ତଥାପି ନିଜ ଭିତରେ ପୁଚୁପୁଚୁ ହେଉଛନ୍ତି । ନିଜର ସତ ମିଛ ବେଦନାଗୁଡ଼ିକରେ ଏତେ ବିଭୋର ହୋଇ ରହିଛନ୍ତି ଯେ ସମ୍ବେଦନା ବୋଲି ଆର ପଦାର୍ଥଟିକୁ ପୂରାପୂରି ହଜାଇ ସାରିଲେଣି । ପୃଥିବୀର ଅନ୍ୟ ଦେଶମାନଙ୍କରେ କଣ ଭୃତ୍ୟମାନେ ନାହାନ୍ତି ? ସେମାନେ ମଧ୍ୟ ସରକାର ଚଳାଉଛନ୍ତି, ଶାସନ ନାମକ କଳଟିକୁ ସମର୍ଥ କରି ରଖିପାରୁଛନ୍ତି । ଅଥଚ ଆମ ଦେଶର ପାଠୁଆ ଭୃତ୍ୟମାନେ ତାହା କରିପାରୁ ନାହାନ୍ତି କ'ଣ ପାଇଁ ? ସାହସୀ ମଣିଷର, ସମ୍ବେଦନଶୀଳ ମଣିଷର ହୃଦୟ ଆଗେ ଆଗେ ଥାଏ ଏବଂ ମସ୍ତିଷ୍କଟା ହୃଦୟର ବୋଲ ମାନୁଥାଏ । ହୃଦୟର ବୋଲ ମାନି ହିଁ ବୁଦ୍ଧି ତାର ଅସଲ କର୍ତ୍ତବ୍ୟଟି କରିପାରେ । ଆମ ଦେଶରେ ନୂତନ ନିର୍ମାଣର ଯେଉଁ ଅପ୍ରମିତ କ୍ଷେତ୍ରମାନ ମଣିଷର ହାତ ବାଜିବ ବୋଲି ଅପେକ୍ଷା କରି ରହିଛି, ସେଠାରେ ଏକାଧିକ କାରଣରୁ ହୃଦୟଟାର ହିଁ ଅଧିକ ଭୂମିକା ରହିଛି । ଏବଂ, ପାଠ ପଢ଼ିଥିବା ଆମ କାରିନ୍ଦାମାନେ ସତେଅବା ସେହି ହୃଦୟଟାକୁ ହିଁ କୋଉଠି ଚାଳରେ ଖୋଷିଦେଇ ଆସିଛନ୍ତି । ସେମାନେ ନିର୍ମମ ହାକିମ ହୋଇପାରୁଛନ୍ତି ସତ ମାତ୍ର ମଣିଷ ପାଖକୁ ଯାଇପାରିବା ଲାଗି ସାହସ ପାଉନାହାନ୍ତି । ବଡ଼ ହୀନିମାନ ଅବସ୍ଥାରେ ରହିଛନ୍ତି । ସରକାରଙ୍କ ଶାସନଶାଳରେ ଚାଣୁର ହୋଇଛନ୍ତି, ମାତ୍ର ଅଣ୍ଟା ଭାଙ୍ଗି ପଡ଼ିଛନ୍ତି, କାମରେ ଲାଗିପାରୁ ନାହାନ୍ତି ।

 

ଆମ ବାବୁମାନେ ପାଠ ପଢ଼ିଲାବେଳେ ଯେଉଁ ଗଣିତ, ସାହିତ୍ୟ, ବିଜ୍ଞାନ କିମ୍ବା ଭୂଗୋଳ ପଢ଼ିଛନ୍ତି, ଏହି ଅବସ୍ଥା ପାଇଁ କ’ଣ ସେହି ବିଷୟମାନେ ଦାୟୀ ? ସେହି ବିଷୟଗୁଡ଼ିକୁ ଜଗତଯାକ ପିଲାମାନେ ମଧ୍ୟ ପଢୁଛନ୍ତି । ତେବେ ଅସଲ କେଁ’ଟା କେଉଁଠି ରହିଛି, ଯାହାକି ଏଠି ସବୁକିଛିକୁ ବିଗାଡ଼ି ଦେଉଛି ? ପାଠୁଆମାନେ ଅଳସୁଆ ହୋଇ ବାହାରୁଛନ୍ତି, ଠକିଦେଇ ପାରୁଛନ୍ତି ବୋଲି ଖୁସି ହେଉଛନ୍ତି ଏବଂ ସବୁକିଛି ଫୁସକି ଯାଉଥିଲେ ମଧ୍ୟ ସେଥିପାଇଁ ନିଜକୁ ଆଦୌ ଦାୟୀ କରୁନାହାନ୍ତି । ଦରିଦ୍ରଙ୍କର ଏହି ଦେଶରେ ବାବୁ ପଂକ୍ତିରେ ଗଣା ହେଉଛନ୍ତି, ଉଚ୍ଚରେ ଦୂରଛଡ଼ା ରହିବାକୁ ହିଁ ସେମାନଙ୍କୁ ଭଲ ଲାଗୁଛି । ଚାକିରିଟିଏ ପାଇଯିବା ମାତ୍ରକେ ସକଳ ଅର୍ଥରେ ବାବାଜୀ ଦୀକ୍ଷା ଗ୍ରହଣ କରୁଛନ୍ତି ଏବଂ ବୀତସ୍ପୃହ ହୋଇ ରହୁଛନ୍ତି । ଭାରତବର୍ଷର ଏହି ଅଳ୍ପ କେତେ ପ୍ରତିଶତ ପାଠୁଆ ଆମ ଶାସନର ସବୁ ସୂତାକୁ ନିଜ ହାତରେ ଧରିଛନ୍ତି । ଦେଶବାସୀ ସେମାନଙ୍କୁ ମୋଟା ବେତନ ଗଣୁଛନ୍ତି । ଏବଂ ଯଦି ସେମାନେ ଗରୁ ଓ ନିକିମା ହୋଇ ରହିଥିବେ, ଯାବତୀୟ କର୍ତ୍ତବ୍ୟବୋଧର ସୁହାଟିକୁ ବର୍ଜନ କରିଥିବେ, ତେବେ ଏହି ଦେଶରେ ଆଉ କି ପରିବର୍ତ୍ତନ ସମ୍ଭବ ହେବ ? ପଚାଶବର୍ଷ ପରେ ଆହୁରି ପଚାଶବର୍ଷ ସେହି କ୍ଲୈବ୍ୟ ହିଁ ରାଜତ୍ୱ କରିବାରେ ଲାଗିଥିବ । ଦେଶର ପିଲାମାନଙ୍କୁ ଯଥାର୍ଥ ଶିକ୍ଷା ଦିଆଯାଉନାହିଁ । ବୋଲି ଖୋଦ୍ ସରକାର ଫୁଲେଇ ହୋଇ କହୁଥିବେ ଓ କ୍ଲୀବ ହୋଇ ବସିଥିବେ ।

 

ଏବେ ତ ପୁଣି ସବୁ ପିଲା ଯେପରି ଇସ୍କୁଲକୁ ଆସି ପାଠ ପଢ଼ିବେ, ତାହାର ବିଚାରମାନ ମଧ୍ୟ ସରକାରଙ୍କର ବେଢ଼ା ଭିତରେ କିଛି କିଛି ପଡ଼ିଲାଣି । ସେଥିପାଇଁ କୋଟି କୋଟି ଟଙ୍କାର ବରାଦ ହେଲାଣି । ନିତାନ୍ତ ଦରିଦ୍ର ଘରର ପିଲାମାନେ ବି କ୍ରମେ ସ୍କୁଲକୁ ଆସିବେ । ଆକର୍ଷଣ ହିସାବରେ ସେମାନଙ୍କୁ ଇସ୍କୁଲରେ ରାନ୍ଧିବାଢ଼ି ଖାଇବାକୁ ମଧ୍ୟ ଦିଆଯିବ । ଏହିସବୁ ମାମଲତକୁ ନେଇ ରାଜଧାନୀମାନଙ୍କରେ ଚିନ୍ତା କରାଗଲାଣି । ଖାସ୍ ବାବୁମାନେ ଏସବୁ କଥା ଚିନ୍ତା କରୁଛନ୍ତି । ଖାସ୍ ପଦବୀମାନ ସୃଷ୍ଟି କରାଗଲାଣି । ଏସବୁକୁ ନେଇ ଭଳି ଭଳି କାଗଜ ଲେଖାଗଲାଣି । ତେଣୁ ଆହୁରି ଗୋଟାଏ ନୂଆ ସୁଅ ଆସିବ ବୋଲି ମନେ ହେଉଛି । ଏଣିକି ଗରିବ ପିଲା ପାଠ ପଢ଼ିବେ । ଆଦିବାସୀ ପିଲା ପାଠ ପଢ଼ିବେ, ଅପାଠୁଆ ବାପା ମାଆଙ୍କର ପିଲାମାନେ ପାଠ ପଢ଼ିବେ । ସେମାନଙ୍କ ଘରକୁ ପ୍ରଥମ ଥର ପାଇଁ ପାଠର ପ୍ରବେଶ ଘଟିବ । ପାଠ ଏଣିକି ସାର୍ବଜନୀନ ହୋଇଯିବ । ଏଥିରେ ବି ସମ୍ଭବତଃ ଏକ ବିପଦ ନିହିତ ହୋଇ ରହିଛି । ଏହି ନୂଆ ପିଲାମାନେ କ’ଣ ସେହି ପୁରୁଣା ଧାରାରେ ହିଁ ପାଠ ପଢ଼ିବେ ? ଏବେ ଯେଉଁ ଦରିଦ୍ର ଆଦିବାସୀ ଘରର ପିଲାମାନେ ସରକାରୀ ବିଦ୍ୟାଶ୍ରମ ମାନଙ୍କରେ ପାଠ ପଢୁଛନ୍ତି, ସେମାନେ ପାଠ ଯାହା ପଢ଼ନ୍ତୁ ବା ନପଢ଼ନ୍ତୁ ପଛକେ, ସେମାନେ ଇସ୍କୁଲ ଘରେ ପଶୁ ପଶୁ ଧୋବ ହୋଇ ଯାଉଛନ୍ତି-। ନିଜକୁ ଭାବର ଯାବତୀୟ କ୍ଷେତ୍ରରେ ନିଜ କୁଟୁମ୍ବଠାରୁ ଓ ଗାଁ ଠାରୁ ଅଲଗା କରି ନେଉଛନ୍ତି । ସେମାନେ ଆଗରୁ ଚଳି ଆସୁଥିବା ସେହି ପରୀକ୍ଷାଗୁଡ଼ିକ ପାଇଁ ମଣ ହେଉଛନ୍ତି । ସରକାରଙ୍କର ଦୟାପାତ୍ରରେ ସେମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥାମାନ ରହିଛି ବୋଲି ସେମାନେ ଅଧିକ ସହଜରେ ଚାକିରି ବି ପାଇ ଯାଉଛନ୍ତି । ଚାକିରି ପାଇଯିବା ପରେ ଚାକିରିଆ ମାନଙ୍କର ଦାଣ୍ଡି ଭିତରକୁ ଆସି ଅନ୍ୟ ଚାକିରିଆଙ୍କ ପରି ବାବୁ ହେଉଛନ୍ତି । ନିଜ ପରିବାରରୁ ଯାବତୀୟ ଭାବରେ ଅଲଗା ହୋଇ ଯାଉଛନ୍ତି । ଉପରେ ଅନ୍ୟ ପାଠୁଆଙ୍କର ସମକକ୍ଷ ପରି ଦିଶିବାକୁ ଚେଷ୍ଟା କରି ନିଜ ଭିତରେ ବହୁ ହୀନମନ୍ୟତାର ଶିକାର ହୋଇଛନ୍ତି । ସେମାନଙ୍କୁ ଇସ୍କୁଲରେ ବସାଇ ଆସିଥିବା ସମାଜଟା ଆଁ କରି ଅନାଇ ରହିଛି ।

 

ଦ୍ରୋଣମାନେ ତିଆରି କରିଥିବା ସିଲାବସ୍ ଅନୁସାରେ ଏକଲବ୍ୟମାନେ ଆଦୌ ଉପକୃତ ହୋଇ ପାରିବେନାହିଁ । ପରାଧୀନ ଭାରତର ଶିକ୍ଷାରୀତିଟା ଏବେ ମଧ୍ୟ ଭାରତବର୍ଷରେ ଅଳ୍ପବହୁତ ଆସନ ମାଡ଼ି ବସିଛି ବୋଲି ଏଠାରେ ଆମ ନିୟତିର କେଡ଼େ କେଡ଼େ ଯୋଜନା ପାଣି ଫାଟି ଯାଉଛି । ପାଠୁଆମାନେ ବିକି ହୋଇ ଯିବାକୁ ହିଁ ରାଜି ହୋଇଯାଉଛନ୍ତି ଏବଂ ନାନାବିଧ ପ୍ରଦୂଷଣରେ ଶାସନ ଏବଂ ସମାଜକୁ ବିପନ୍ନ ପ୍ରାୟ କରି ରଖିଛନ୍ତି । ଶିକ୍ଷା ଯଦି ମଣିଷକୁ ନିଜର ବଳ ବିଷୟରେ ସାହସ ଓ ଅଭୟ ଦେଇ ନପାରିଲା, ତେବେ ସେହି ଶିକ୍ଷାଦ୍ଵାରା ଆମ ଭାଗ୍ୟର ଜରୁରୀ ପରିବର୍ତ୍ତନଗୁଡ଼ିକ କଦାପି ସମ୍ଭବ ହୋଇ ପାରିବନାହିଁ । ଏବଂ ଦରିଦ୍ରଙ୍କ ପାଇଁ, ପଛରେ ପଡ଼ିଥିବା ମଣିଷମାନଙ୍କ ପାଇଁ ଓ ଆଦିବାସୀଙ୍କ ପାଇଁ ଏବେ ମଧ୍ୟ ସେହି ଲୋକମାନେ ହିଁ ସରକାରଙ୍କ ତରଫରୁ ଯାବତୀୟ ପାଠଯୋଜନା କରୁଛନ୍ତି । ସେହି ଯୋଜନା ଅନୁସାରେ ପଢ଼ିଲେ ସେମାନେ ଚିରଦିନ କେବଳ ପଛରେ ହିଁ ପଡ଼ିଥବେ । ବାବୁମାନେ ଆଗକୁ ଆଗକୁ ଚାଲିଯାଉଥିବେ ଓ ଏମାନେ ଅନୁସରଣିଆ ହୋଇ ପଛରେ ଦୌଡ଼ିବାରେ ଲାଗିଥିବେ । ଅର୍ଥାତ୍ ସବୁଦିନ ପାଇଁ ବାବୁମାନଙ୍କର ବୋଲକରା ହୋଇ ରହିଥିବେ । ତେଣୁ ଅନୁକରଣ ଦ୍ଵାରା ଆଦୌ ଅସଲ ସମସ୍ୟାଟିର ସମାଧାନ ହେବନାହିଁ କିମ୍ବା ଅସହାୟତା ଯିବନାହିଁ । ପୁରୁଷ ପୁରୁଷ ଧରି ଯେଉଁ ସିଷ୍ଟମଟା ସେମାନଙ୍କୁ ଜଡ଼ କରି ରଖିଛି, ସେହି ସିଷ୍ଟମ୍କୁ ବଦଳାଇ ପାରିବାର ଶିକ୍ଷାହିଁ ସେମାନଙ୍କ ଲାଗି ଅସଲ ଶିକ୍ଷା ହେବ । ତେଣୁ ଅସଲ ଶିକ୍ଷା ଭୟମୁକ୍ତିର ଶିକ୍ଷା । ଯାହାକିଛି ସଂସ୍କୃତି ନାମରେ ମଣିଷମାନଙ୍କୁ କେବଳ ସହିବା ଲାଗି ବାଧ୍ୟ କରେ ଏବଂ ଭୟ ଭର୍ତ୍ତି କରି ରଖିଥାଏ, ତାହା ହେଉଛି ଏକ ଅପସଂସ୍କୃତି । ଏକ ଅସମାନ ସମାଜ ହେଉଛି ଏକ ଅସୁସ୍ଥ ଏବଂ ଦୂଷିତ ସମାଜ । ଏପରି ଗୋଟିଏ ସମାଜରେ ଯିଏ ଅତ୍ୟାଚାର ସହୁଥାଏ ଓ ଯିଏ ଅତ୍ୟାଚାର କରୁଥାଏ, ପ୍ରକୃତରେ ଉଭୟେ ଅନ୍ଧାର ଭିତରେ ରହିଥାନ୍ତି । ମାନବର ମାନବତ୍ୱ ଉଭୟ ଜାଗାରେ ହିଁ ଅପମାନିତ ହୋଇ ରହିଥାଏ-। ଏହି ଦେଶର ଜଣେ ଜଣେ ନାଗରିକ ହିସାବରେ ପ୍ରତ୍ୟେକ ମନୁଷ୍ୟ ଯେଉଁସବୁ ସୁଯୋଗର ଅଧିକାରୀ ହୋଇଛି, ବଞ୍ଚିତ ବର୍ଗର ପିଲାମାନେ ସର୍ବପ୍ରଥମେ ସେହି କଥାଟିକୁ ଜାଣିବେ-। ସେମାନେ ଗଣତନ୍ତ୍ରର ତାତ୍ପର୍ଯ୍ୟଗୁଡ଼ିକୁ ବୁଝିବେ । ଦେଶ ଚଳିବା ପାଇଁ, ଶାସନ ଚଳିବା ପାଇଁ ଗୋଟିଏ ସମ୍ବିଧାନ ତିଆରି ହୋଇ ରହିଛି, ମାତ୍ର ଦେଶର ଅଧେ ମଣିଷଙ୍କୁ ତାହାର ବେଢ଼ା ଭିତରୁ ବାହାରେ ରଖାଯାଇଛି, ସେମାନେ ସେକଥା ମଧ୍ୟ ଜାଣିବେ ଏବଂ ନିଜ ଚାରିପାଖରେ ଅଶାସନରୁ ତାହାର ପ୍ରମାଣ ମଧ୍ୟ ପାଇ ଶିଖିବେ । ଭୟ କରୁଥିବା ପର୍ଯ୍ୟନ୍ତ ଭୟ ଦେଖାଇବାକୁ ଯେ ଥୋକାଏ ମଣିଷ ଅବଶ୍ୟ ରହିବେ, ସେମାନେ ସେହି ବିଷୟରେ ଯଥେଷ୍ଟ ସଜ୍ଞାନ ହେବେ । ସରକାର ଦେଶର ମାଲିକ ନୁହେଁ, ସରକାର ହେଉଛି ଦେଶରୂପୀ ଗୃହର ଜଗୁଆଳୀ, ମାଲିକ ହେଉଛନ୍ତି ଦେଶର ଅଧିବାସୀମାନେ ଏବଂ ସେହିମାନଙ୍କର ମତ ମୁତାବକ ସରକାର ଗଢ଼ା ହେଉଥିବ ଏବଂ ଭଙ୍ଗା ହେଉଥିବ । ସେହି କଥାଟିକୁ ଦେଶର ସମସ୍ତେ ପୂର୍ଣ୍ଣ ତାତ୍ପର୍ଯ୍ୟର ସହିତ ଅନୁଭବ କରିନାହାନ୍ତି ବୋଲି ତ ଏହି ଦେଶରେ ସମ୍ପଦ ପୂରି ରହିଥିବା ସତ୍ତ୍ୱେ, କୋଟି କୋଟି ମଣିଷ ବଞ୍ଚିତ ହୋଇ ରହିଛନ୍ତି । ଏପର୍ଯ୍ୟନ୍ତ ସତେଅବା ଅନୁଗ୍ରହ ପ୍ରଦର୍ଶନ କଲାପରି ଉପରୁ ହିଁ ଯାବତୀୟ ବ୍ୟବସ୍ଥା ହେଉଛି ଏବଂ ମଝିରେ ତସ୍କରମାନେ ତାହାକୁ ଲୁଟି ନେଉଛନ୍ତି । ଲୁଟିନେବା ପାଇଁ ଡାକୁମାନେ ଏକ ଆରେକ ସହିତ ପ୍ରତିଦ୍ୱନ୍ଦିତା କରୁଛନ୍ତି ଓ ଆମ ଦେଶରେ ସତେଅବା ତାହାକୁ ହିଁ ରାଜନୀତି ବୋଲି କୁହାଯାଉଛି । ସେହି ରାଜନୀତିରେ ତୁଚ୍ଛା ପଟି ମାରିନେବା ଲୋକମାନେ ହିଁ ନେତା ହୋଇଛନ୍ତି । ଦେଶଟାକୁ ଖୋଳି କରି ପକାଇଲେଣି ।

 

ଶିକ୍ଷା ମଣିଷମାନଙ୍କର ଭୟକୁ ଭାଙ୍ଗିଦେବ, ଶିକ୍ଷା ଜଡ଼ତାକୁ ଦୂର କରିବ, ସତେତନ କରାଇବ, ଆଖିଗୁଡ଼ିକୁ ଖୋଲିଦେଇ ପାରୁଥିବ । ଏବେ ଯେଉଁମାନେ ଦେଶଟାକୁ ଶାସନ କରୁଛନ୍ତି, ଦେଶ କହିଲେ ସେମାନେ କେବଳ ନିଜକୁ ହିଁ ବୁଝୁଛନ୍ତି । ଅଧିକ ମଣିଷ ଠକି ହୋଇ ଯାଉଛନ୍ତି । ଥୋକେ ମଣିଷ ସତେଅବା ଅନ୍ୟମାନଙ୍କୁ ତୁଚ୍ଛା ଠକିବା ନିମନ୍ତେ ହିଁ ପାଠ ପଢୁଥିଲେ । ସେମାନେ ଜୀଅନ୍ତା ମନୁଷ୍ୟମାନଙ୍କୁ ପ୍ରଧାନତଃ ଉପେକ୍ଷା କରି ହିଁ ଶିଖିଥିଲେ । ଅତ୍ୟନ୍ତ ନିର୍ମମ ହୋଇ ରହୁଥଲେ, ଏବେ ମଧ୍ୟ ରହିଛନ୍ତି । ଏହାର ପ୍ରତିକାର ନିମନ୍ତେ ଏକଲବ୍ୟମାନେ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ଶିକ୍ଷା ପାଇବେ, ଏକ ଅନ୍ୟ ବ୍ରତରେ ଦୀକ୍ଷିତ ହେବେ, ଏସବୁର ପରିବର୍ତ୍ତନ ନିମନ୍ତେ ଏକାବେଳେକେ ତଳୁ ତିଆରି ହୋଇ ଆସିବେ । ଯେଉଁମାନେ ସେମାନଙ୍କୁ ସତକୁ ସତ ସାହାଯ୍ୟ କରିବେ, ସେମାନେ ଏଣିକି ଏହି ଦୃଷ୍ଟିରେ ଚିନ୍ତା କରନ୍ତୁ । ସେଇ ପୁରୁଣା ଧିସାରେ ହିସାବ, ଅକ୍ଷର ବା ଆଉସବୁ କ’ଣ ଶିଖାଇ ସେମାନଙ୍କୁ ଚିରଦିନ ଗୋଲାମ କରି ରଖିବାରେ ବରାଦ ନକରନ୍ତୁ । ସେମାନେ ଯେପରି ସଳଖ ହୋଇ ଛିଡ଼ା ହୋଇ ପାରିବେ, ସଳଖ ଆଖିରେ ଅନାଇ ପାରିବେ, ଧୋବ ଲୁଗା ଦେଖି ବା ଇଂରାଜୀ କହୁଥିବା ଲୋକଙ୍କୁ ଦେଖି ଦବିଯିବେ ନାହିଁ, ସେମାନଙ୍କୁ ସେହି ଶିକ୍ଷାରେ ସଚେତନ କରି ଆଣନ୍ତୁ । ଏବଂ ଯେତେବେଳେ ତଳେ ରହିଥିବା ଅଧିକଙ୍କର ଭୟ ଭାଙ୍ଗିଯିବ, ସେତେବେଳେ ଉପରର ଏହି ମାତ୍ର ଅଳପ କେତେଜଣଙ୍କର ଆଚରଣ ମଧ୍ୟ ଅଲବତ ବଦଳିବ । ଦେଶଟା ସତେଅବା ଗୋଟିଏ ପାଦ ପକାଇ ଆଗକୁ ଚାଲିବ ଏବଂ ଗୋଟିଏ ମୂଳଦୁଆ ଉପରେ ଗଢ଼ାହେବ । ଜଡ଼ ଭିତରେ ମଧ୍ୟ ଈଶ୍ୱର ରହିଛନ୍ତି ବୋଲି ଭାରତବର୍ଷର ଅଧ୍ୟାତ୍ମ କାଳେ କାଳେ ଘୋଷଣା କରିଆସିଛି । ତେଣୁ ଯେତେବେଳେ ଜଡ଼ବତ୍ ରହିବାକୁ ବାଧ୍ୟ ହୋଇ ଆସିଥିବା ମନୁଷ୍ୟମାନଙ୍କର ଚେତା ଆସିବ ଓ ସେମାନେ ନିଜ ଭିତରୁ ହିଁ ନିଜ ଶକ୍ତିର ସଙ୍କେତ ଲାଭ କରିବେ, ସେତେବେଳେ ଯାଇ ଦେଶର ଭାଗ୍ୟ ଫେରିବ, ମଣିଷମାନେ ଏକାଠି ନିର୍ଭୟ ହୋଇ ବାଟ ଚାଲିପାରିବେ ।

Image

 

ଗାନ୍ଧୀଙ୍କ କଥା ରହିଲା

 

ଭାରତୀୟ ଜାତୀୟ କଂଗ୍ରେସ ଯେ କେବଳ ଏକ କୌଶଳ ହିସାବରେ ଗାନ୍ଧୀଙ୍କୁ ଗ୍ରହଣ କରିଛି, ଗାନ୍ଧୀଙ୍କର ନେତୃତ୍ୱକୁ ନିଜ ଭିତର ବିଶ୍ୱାସର ସମର୍ଥନ ଦେଇ ଯେ ଆଦୌ ଗ୍ରହଣ କରିନାହିଁ, ଏକଥା ମହାତ୍ମା ଗାନ୍ଧୀ ଏକାବେଳେକେ ଶେଷ ଆଡ଼କୁ ଯାଇ ଜାଣିଲେ । ତାଙ୍କର ସକଳ ଅର୍ଥରେ ଏକ ମୋହଭଙ୍ଗ ହୋଇଥିଲା । ଭିତରେ ମଧ୍ୟ ସିଏ ଏହି ଘଟଣାଟିର ଆଘାତଟାକୁ ଅବଶ୍ୟ ଖୁବ୍ ଅନୁଭବ କରିଥିବେ । ସେହି ସମୟରେ ଗାନ୍ଧୀଙ୍କର ଏକାଧିକ ମନ୍ତବ୍ୟର ତାହା ଅତ୍ୟନ୍ତ ସ୍ପଷ୍ଟ ହୋଇଯିବ । ସିଏତ ଶହେ କୋଡ଼ିଏ ବର୍ଷ ବଞ୍ଚିବେ ଏବଂ ପୃଥିବୀରେ ଅର୍ଥାତ୍ ଭାରତବର୍ଷରେ ଭଗବାନଙ୍କର କାମ କରିବେ ବୋଲି ଆଗରୁ କେତେଥର କହିଥିଲେ । ମାତ୍ର ଏଣିକି ସିଏ ଆଉ ଗୋଟିଏ ବର୍ଷ ମଧ୍ୟ ବଞ୍ଚିବାକୁ ଇଚ୍ଛା କରୁନାହାନ୍ତି ବୋଲି ଏକାଧିକ ଅବସରରେ କହିଲେ । ସତ୍ୟାଗ୍ରହ ହେଉଛି ମୂଳତଃ ଏକ ବିଶ୍ୱାସ ଏବଂ ତାହାକୁ ଯଦି କେହି କେବଳ ଏକ ତାତ୍କାଳିକ କୌଶଳ ରୂପେ ଗ୍ରହଣ କରିବ, ତେବେ ଆଗ୍ରହଗୁଡ଼ିକ ଏକାନ୍ତ ଅନ୍ୟପ୍ରକାର ହୋଇଯିବ ଏବଂ ସେଥିରେ ସତ୍ୟ ନିମନ୍ତେ ହୁଏତ ଆଉ ଯଥେଷ୍ଟ ଜାଗା ମୋଟେ ରହିବ ନାହିଁ । ସେତେବେଳକୁ ସ୍ଵାଧୀନତା ନାମକ ଫଳଟି କଂଗ୍ରେସର ତୁଙ୍ଗମାନଙ୍କର ପ୍ରାୟ ଆଖି ଆଗରେ ହିଁ ଡାଳରୁ ଓହଳିଥିବା ପରି ଦେଖା ଯାଉଥିବା ଫଳଟା ପରି ସେମାନଙ୍କୁ ଏଡ଼େ ଟହ ଟହ ଦେଖାଯାଇଥିବ ଯେ, ସେତେବେଳେ ସେମାନେ ଏକଦା ଗାନ୍ଧୀଙ୍କୁ ସଂଗ୍ରାମର ସେନାପତି କରି ବାଛିଥିଲେ ବୋଲି ପ୍ରାୟ ପୂରାପୂରି ପାସୋରି ଯିବାକୁ ଇଚ୍ଛା କରିବେ । ଗାନ୍ଧୀ ପୂରା ଏକୁଟିଆ ହୋଇ ଯାଇଥିବେ ।

 

ଆତତାୟୀର ଗୁଳିରେ ନିହତ ହେବା ପୂର୍ବରୁ ମହାତ୍ମା ଗାନ୍ଧୀ ନିଜର ଗୋଟିଏ ଲେଖାରେ ଭାରତୀୟ ଜାତୀୟ କଂଗ୍ରେସର ସ୍ୱାଧୀନତା ପରେ ଆଉ କୌଣସି ପ୍ରାସଙ୍ଗିକତା ନାହିଁ ଏବଂ ତେଣୁ ସେହି ସଂଗଠନ ନିଜ ଆଡୁ ହିଁ ନିଜକୁ ଭାଙ୍ଗିଦେବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ତାଙ୍କର ସେହି ଘୋଷଣାଟିରେ ମଧ୍ୟ ଆଦୌ କୌଣସି ଅସ୍ପଷ୍ଟତା ନଥିଲା । ଭାରତରୁ ବିଦେଶୀ ଶାସନ ଅପସରି ଯାଉ ଓ ଭାରତବାସୀ ହିଁ ଭାରତବର୍ଷର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ ବୋଲି ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶର ବହୁତ ଲୋକ ଇଚ୍ଛା କରୁଥିଲେ ଏବଂ ତେଣୁ ଭାରତୀୟ ଜାତୀୟ କଂଗ୍ରେସ ନାମକ ସଂଗ୍ରାମଶିବିର ଭିତରେ ଏକାଠି ହୋଇଥିଲେ । ଭାରତବର୍ଷ ସ୍ଵାଧୀନତା ଲାଭ କରୁ, ଏହି ବିଷୟରେ ସେମାନଙ୍କ ଭିତରେ ସମ୍ପୂର୍ଣ୍ଣ ସହମତି ରହିଥିଲା ସିନା, ମାତ୍ର ସ୍ୱାଧୀନତା ପରେ ଦେଶ କେଉଁ ଛାଞ୍ଚରେ ବା ଆଦର୍ଶରେ ଗଢ଼ା ହେବ, ସେହି ଅନ୍ୟ ବିଷୟଟିରେ ବହୁ ମତଭେଦ ରହିଥିଲା । କେତେଭଳି ଲୋକ ନିଜ ନିଜର କେତେଭଳି ଚିତ୍ର ଆଙ୍କୁଥିଲେ । ଗାନ୍ଧିଜୀ କହିଲେ ଯେ, ସ୍ଵାଧୀନତା ପରେ ଏମାନେ ସମସ୍ତେ କଦାପି ଗୋଟିଏ ସଂଗଠନ ମଧ୍ୟରେ ଏକତ୍ର ରହିପାରିବେ ନାହିଁ । ଏଣିକି ଅନ୍ୟ ପ୍ରକାର ଦଳମାନ ଗଠିତ ହେବ । ଦଳଗୁଡ଼ିକର ଆଗରେ ଅଲଗା ଅଲଗା ଭବିଷ୍ୟଚିତ୍ର ଅବଶ୍ୟ ରହିବ । ତେଣୁ ଜାତୀୟ କଂଗ୍ରେସ ଆପଣାକୁ ଭାଙ୍ଗିଦେଉ ଏବଂ ନୂତନ ପରିପ୍ରେକ୍ଷୀରେ ଭିନ୍ନ ଭିନ୍ନ ସାମାଜିକ ଏବଂ ଆର୍ଥିକ ସମ୍ମୁଖଚିତ୍ର ଅନୁସାରେ ଅନ୍ୟପ୍ରକାରର ଦଳଗୁଡ଼ିକ ଜନ୍ମଲାଭ କରିବା ସକାଶେ ବାଟ ଛାଡ଼ି ଦିଆଯାଉ । ମହାତ୍ମା ଗାନ୍ଧୀ ଲୋକସଂଘ ନାମରେ ଏକ ବିକଳ୍ପ ସଂଗଠନର ପ୍ରସ୍ତାବ ଦେଇଥିଲେ । ସିଧା ରାଜନୀତିକୁ ଯେଉଁମାନଙ୍କର ଆଗ୍ରହ ନଥିବ, ସେହିମାନେ ହିଁ ଲୋକସେବକ ହେବେ, ଲୋକମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ଏବଂ ଏକ ଯଥାର୍ଥ ଗଣତନ୍ତ୍ର କାର୍ଯ୍ୟକାରୀ ହୋଇପାରିବା ନିମନ୍ତେ ଲୋକସାଧାରଣଙ୍କ ଭିତରେ ଯେଉଁ ସଚେତନତା ଏବଂ ଜାଗରୂକତା ରହିବା ଦରକାର, ସେମାନେ ଲୋକମାନଙ୍କୁ ସେଇଥିରେ ପ୍ରଶିକ୍ଷିତ କରି ଆଣିବେ । ବ୍ରିଟିଶ୍ ଶାସନରେ ପ୍ରଜା ମୂଳତଃ ଭୟାଳୁ ହୋଇ ରହିଥିଲେ, ଲୋକସେବକ ସେହି ଭୟ ଛଡ଼ାଇବାର କାର୍ଯ୍ୟଟିକୁ କରିବେ । ଏକ ସ୍ୱାଧୀନ ଦେଶରେ ଅସଲ କ୍ଷମତା ଯେ ଲୋକଙ୍କ ହାତରେ ରହିଛି, ସେମାନେ ଭାରତବର୍ଷରେ ଲୋକମାନଙ୍କୁ ସେହି ଶକ୍ତିମୟ ସତ୍ୟ-ବିଶ୍ୱାସରେ ହିଁ ମଣ କରିଆଣିବେ । ଗୋଟିଏ କଥାରେ କହିଲେ, ଲୋକସେବକମାନେ ଲୋକମାନଙ୍କର ରାଜନୀତିକ ଶିକ୍ଷାର ଦାୟିତ୍ୱ ଗ୍ରହଣ କରିବେ ।

 

ଲୋକସେବକ ସ୍ଵୟଂ କ୍ଷମତାରେ ବା ଶାସନରେ ରହିବ ନାହିଁ, ଅଥଚ କ୍ଷମତା ଏବଂ ଶାସନ ଯେପରି ଦେଶର ପରବର୍ତ୍ତୀ କାର୍ଯ୍ୟସୂଚୀରେ ରହିଥିବା ଆବଶ୍ୟକ ପରିବର୍ତ୍ତନଗୁଡ଼ିକୁ ସମ୍ଭବ କରିବାରେ ସାଧୁତାର ସହିତ ନିଜକୁ ନିୟୋଜିତ କରି ରଖିବେ, ସେଥିଲାଗି ଆବଶ୍ୟକ ସଚେତନତା ଗୁଡ଼ିକୁ ଲୋକମାନଙ୍କର ପକ୍ଷରେ ସଚଳ କରି ରଖିବା ପାଇଁ କାର୍ଯ୍ୟ କରିବ,- ପୃଥିବୀର ରାଜନୀତିକ ଇତିହାସରେ ଏହାକୁ ପ୍ରକୃତରେ ଏକ ଅଭିନବ ପୁରୋଦୃଷ୍ଟିମୂଳକ କାର୍ଯ୍ୟକ୍ରମ ବୋଲି କୁହାଯାଇ ପାରିବ । ନିର୍ବାଚନ ସମୟରେ ମଧ୍ୟ ଲୋକସେବକମାନେ ଲୋକଶିକ୍ଷକ ତଥା ସହାୟକାରୀ ବିବେକ ରୂପେ କାର୍ଯ୍ୟ କରିବେ । କୋଉ ଦଳ ବା କୋଉ ପ୍ରାର୍ଥୀ କ’ଣ ସବୁ ପ୍ରତିଶ୍ରୁତି ସହିତ କାହିଁକି ନିର୍ବାଚନ ଲଢ଼ୁଛନ୍ତି, ଲୋକସେବକ ସେକଥା ଲୋକମାନଙ୍କୁ ବୁଝାଇ ଦେଉଥିବେ, ଯେପରିକି ସେମାନେ ଆଦୌ କୌଣସି ଭୁରୁଡୁ ଭିତରେ ଭରମି ଯିବେନାହିଁ । ନିର୍ବାଚନରେ ପଶିଥିବା ବିଭିନ୍ନ ପ୍ରାର୍ଥୀ ଦଳର କେଉଁସବୁ ରାଷ୍ଟ୍ରୀୟ ଅଥବା ଶାସନଗତ ଆଭିମୁଖ୍ୟମାନ ରହିଛି, ଲୋକଶିକ୍ଷକ ରୂପେ ଲୋକସେବକମାନେ ତାହା ସାଧାରଣ ଜନସମୂହକୁ ବୁଝାଇ ଦେଇପାରୁଥିବେ । ମହାତ୍ମା ଗାନ୍ଧୀ ଯଦି ତଥାପି ସଶରୀର ଆଉ କେତେବର୍ଷ ଏଠି ରହିଥାନ୍ତେ, ତେବେ କେତେକ ବ୍ୟକ୍ତି ଏହି ପ୍ରସ୍ତାବଟିକୁ ଏକ ମୂର୍ତ୍ତି ରୂପ ଦେଇ ଗାନ୍ଧିଜୀଙ୍କୁ କେନ୍ଦ୍ର କରି ହୁଏତ ଅବଶ୍ୟ ଆସି ଠୁଳ ହୋଇଥାନ୍ତେ ଏବଂ ସ୍ୱାଧୀନ ଭାରତବର୍ଷରେ ଲୋକତନ୍ତ୍ରର ଏକ ଅନ୍ୟପ୍ରକାର ମୂଳଦୁଆ ପଡ଼ିପାରିଥାନ୍ତା । ମାତ୍ର ତାହା ହେବାର ନଥିଲା । ମହାତ୍ମାଙ୍କୁ ଭାରତବର୍ଷରୁ ଅପସରାଇ ଦିଆଗଲା । ଜାତୀୟ କଂଗ୍ରେସ ଭାଙ୍ଗିଲା ନାହିଁ । କ୍ଷମତା ଓ ଶାସନର ଘରମାନଙ୍କରେ ଲୋକବିଶ୍ୱାସର ପୂର୍ଣ୍ଣ ଫାଇଦା ଉଠାଇଲା । ଯେଉଁ ସଂଗଠନଟି ସଂଗ୍ରାମର ନେତୃତ୍ଵ ଦେଇ ଦେଶକୁ ସ୍ୱାଧୀନ କରିଛି, ଲୋକମାନେ ତାହାକୁ ହିଁ ସ୍ୱାଧୀନ ଭାରତରେ ମଧ୍ୟ ସେମାନଙ୍କର ସମର୍ଥତମ ପ୍ରତିନିଧି ବୋଲି ଗ୍ରହଣ କରିନେବା ଅତ୍ୟନ୍ତ ସ୍ଵାଭାବିକ ଥିଲା । ତେଣୁ କଂଗ୍ରେସ ହିଁ ପ୍ରାୟ ଏକାକୀ ଶାସନର ଆମ ଘରଟାକୁ ଭୋଗ କଲା,- କ୍ରମେ ଅନ୍ଧ ହେଲା, ଗେହ୍ଲାଗିରି କଲା, ତାକୁ ଆଉ କେହି ହଟାଇ ପାରିବେ ନାହିଁ ବୋଲି ଆଣ୍ଟକରି ରହିଲା ଓ ନିଜର ଗାଡ଼ ନିଜେ ଖୋଳିଲା । ବିଗତ ପଚାଶ ବର୍ଷର ଇତିହାସ ହେଉଛି ସେହି ଗାଡ଼ଟା ହିଁ ଖୋଳା ହୋଇଥିବାର ଇତିହାସ । ଥିରିଥିରି ହୋଇ ତଳକୁ ଗୋଡ଼ ଖସାଇବାର ଇତିହାସ ।

 

କଂଗ୍ରେସ ଭାଙ୍ଗିବା ବେଳେ ଭାଙ୍ଗିଲା ନାହିଁ । ଏକ ଅନ୍ୟ ରାଜନୀତିକ ନିର୍ମାଣରେ ପୁରୋଗାମୀ ହୋଇ କାର୍ଯ୍ୟ କରିବାର ସୌଭାଗ୍ୟରୁ ନିଜକୁ ବଞ୍ଚିତ କରି ରଖିଲା । ଗାନ୍ଧୀଙ୍କର ନିର୍ଦ୍ଦେଶ ମାନିନଥିବା ହେତୁ ହୁଏତ ଯେତିକି କୌଣସି ବିବେକର ଦଂଶନ ଅନୁଭବ କରୁଥିଲା, ଗାନ୍ଧୀ ଚାଲିଯିବା ପରେ ସେହି ଦଂଶନଟା ମଧ୍ୟ କ୍ରମେ ଅପସରି ଗଲା । ତାପରେ ଠେଁସାଠେସିଁ ଚାଲିଲା, ଠେଲାଠେଲି ଚାଲିଲା । ଏକାନ୍ତ ଅନୁଗତମାନଙ୍କ ଭିତରେ ଅସହିଷ୍ଣୁମାନେ କୋଉଠି ଲୁଚିକରି ରହିଥିଲେ, ବେଳ ଜାଣି ବାହାରକୁ ଆସିଲେ । ପରସ୍ପର ମଧ୍ୟରେ ଠେଲାଠେଲି ଆରମ୍ଭ ହେଲା । ବୁଝାମଣା କମିଲା, କ୍ଷମତାଟି ହିଁ ନିର୍ଣ୍ଣାୟକ ହେଲା । ଅଧିକ କ୍ଷମତାରେ ଥିବା ମଣିଷମାନେ ଅଳପ କ୍ଷମତାବାଲାଙ୍କ ଉପରେ ହାକିମୀ କଲେ । ତା’ପରେ ହାଇକମାଣ୍ଡ ନାମକ ସେହି ଅତି ଗନ୍ଧିଆ ଆଚାରଟା ହିଁ ଘରଟା ଯାକର ପ୍ରାୟ ସବୁ ପରିମଳକୁ ଗିଳି ପକାଇଲା । ଦେଶର ପ୍ରଧାନମନ୍ତ୍ରୀ ନିଜ ଦଳର ସଭାପତିଙ୍କୁ ସହି ପାରିଲେ ନାହିଁ । ରାଜତ୍ୱଟାକୁ କଣ୍ଟକଶୂନ୍ୟ ଅର୍ଥାତ୍ ନିରଙ୍କୁଶ କରି ରଖିବାକୁ ଏଣିକି ଦୁଇଟିଯାକ ପଦ ଜଣକର ହାତର ପାଞ୍ଚ ହୋଇ ରହିଲା । ଅପରିମଳଟା ତଳେ ସାନମାନଙ୍କ ଭିତରକୁ ମଧ୍ୟ ସଂକ୍ରମିତ ହୋଇ ଆସିଲା । ତୋଷାମଦ ପଶିଗଲା । ସବାଉପରଟାକୁ ଖୁସିକରି ରଖିବା ପର୍ଯ୍ୟନ୍ତ ସବୁ ନିରାପଦ ହୋଇ ଅବଶ୍ୟ ରିହବ ବୋଲି ସେହି ନିତାନ୍ତ ଦୁଷ୍ଟ କଥାଟା ନିୟମ ହୋଇ ରହିଲା । ଗୋଟାଏ ସତ୍ୟ ଆଉ ଗୋଟାଏ ସତ୍ୟକୁ ସହି ପାରିଲା ନାହିଁ । ତେଣୁ ଅସଲ ସତ୍ୟ ମାଡ଼ ଖାଇଗଲା । କଂଗ୍ରେସ ଦୁଇଭାଗ ହେଲା, ତା’ପରେ ନାନା ଭାଗରେ ଖଣ୍ଡ ଖଣ୍ଡ ହୋଇଗଲା । ଉପରେ ବହପ ଦେଖାଇବାକୁ ଗୋଟିଏ ଦିଶୁଥିଲେ ମଧ୍ୟ ଭିତରେ ସତରଫଟା ହୋଇ ରହିଲା । ମଝିରେ ଥୋକେ ଥୋକେ ବାହାରିଯାଇ ଅଲଗା ସାହି କଲେ ଓ ଅଲଗା ସନ୍ତକମାନଙ୍କରେ ନିର୍ବାଚନ ଲଢ଼ିଲେ । ଆମର ଏହି ଗୋଟାଏ ରାଜ୍ୟ ଓଡ଼ିଶାରେ ହିଁ ଗୋଟାଏ କଂଗ୍ରେସ ଭିତରୁ ଜନକଂଗ୍ରେସ, ଉତ୍କଳ କଂଗ୍ରେସ, ଜନତା ଏମିତି କେତେ କେତେ ନୂଆ ପିଣ୍ଡୁଳାମାନ ବାହାରିଲେ । ଲୋକମାନଙ୍କୁ ମିଛ ପ୍ରବୋଧନାମାନ ଦେଇ ରାଜ୍ୟ ଭୋଗ କଲେ । ଆହୁରି କେତେ କ’ଣ କଲେ ।

 

ଯେତେବେଳେ ନିଜ ସଂଗଠନକୁ ନିଜେ ଭାଙ୍ଗିଦିଅ ବୋଲି ଗାନ୍ଧୀ କହୁଥିଲେ, କଂଗ୍ରେସ ନେତାଏ ତାହା କଲେ ନାହିଁ । ଆଖର ଅବସ୍ଥା ଏପରି ହେଲା, ଯେ, ସଂଗଠନଟି ଆପେ ନୁହେଁ, ଆପଣାର ଦୁଷ୍କୃତ ଫଳରେ ଭାଙ୍ଗିଯିବାକୁ ବସିଲାଣି ।ଏହା ଫଳରେ କ’ଣ ହେବ ? ବିଗତ ପଚାଶ ବର୍ଷର ଇତିହାସ ହେଉଛି ସେହି ଦୁଷ୍କୃତମାନଙ୍କର ଇତିହାସ । ଗୋଟାଏ ଦେଶରେ ସବୁ ଥିବ, ଅଥଚ ପ୍ରକୃତରେ ଆଦୌ କିଛି ନଥିବ,– ଭାରତବର୍ଷରେ ଏହିପରି ଗୋଟିଏ ଭୟାନକ ଅବସ୍ଥା ପାଖରେ ଆଣି ପହଞ୍ଚାଇ ଦେଇ ଥିବାର ପୂର୍ଣ୍ଣ ବାହାଦୂରୀଟାକୁ ସେହି କଂଗ୍ରେସକୁ ହିଁ ଦେବାକୁ ହେବ-। ଯାବତୀୟ ଦୁଃସାହସ କରିବାର ଧାରାଟିକୁ କଂଗ୍ରେସ ହିଁ ସର୍ବପ୍ରଥମେ ଏଠାରେ ଲୋକଜୀବନ ମଧ୍ୟକୁ ଡାକି ଆଣିଛି । ପାରମ୍ପରିକ ଭାବରେ ଏଠାରେ ସାମୂହିକ ପରିମଳଟି ମଧ୍ୟରେ ଜନମାନସର ଭଲ ଉପରେ ଯେତିକି ବିଶ୍ୱାସ ରହିଥିଲା, କଂଗ୍ରେସ ନାମକ ନେତୃତ୍ୱ ହିଁ ସେହି ବିଶ୍ୱାସଟାକୁ ଭାଙ୍ଗି ଦେଇଛି । ଦେଶର ଉଚ୍ଚ ଅମଲାତନ୍ତ୍ର ମଧ୍ୟ ସେହି ନେତୃତ୍ୱରୁ ତାହାର ଯାବତୀୟ ଅବିଗୁଣକୁ ଶିକ୍ଷା କରିଛି । ଏବଂ, ଅନ୍ୟ ରାଜନୀତିକ ଦଳଗୁଡ଼ିକ ଅଧିକାଂଶତଃ ଏହି ଦଳଟିରୁ ପ୍ରେରଣା ପାଇ କ୍ରମେ ନିଜ ନିଜକୁ ତାହାରି ପରି ଅନୁକୂଳିତ କରିଆଣିଛନ୍ତି । କ୍ଷମତାରେ ରହିଲେ ତୁମେ ଯାହା ମନ ତାହା କରିପାରିବ, ପୂର୍ଣ୍ଣ ନିର୍ଲଜ୍ଜ ଭାବରେ ତାହା କରିପାରିବ, ଏକାଧିକ ଅର୍ଥରେ କଂଗ୍ରେସ ହିଁ ପ୍ରଥମ ଅପରାଧୀ ହୋଇ ସମ୍ପୃକ୍ତ ବାକୀ ସମସ୍ତଙ୍କୁ ଶିକ୍ଷା ଦେଇଛି । କଂଗ୍ରେସର ଶିବିର ଭିତରେ ଯେ କାଳର ଅଭିଶାପ ପାଇଲା ପରି ସମସ୍ତେ ଏକାବେଳେକେ ଏପରି ଜଙ୍ଗଲୀ ହୋଇଗଲେ, ସେ କଥା ମୋଟେ ନୁହେଁ । ହୁଏତ ଅନ୍ୟଭଳି ମଣିଷ ବି ଥିଲେ, ମାତ୍ର ସେମାନେ ଦୁରାଗ୍ରହୀମାନଙ୍କ ସହିତ ଟକ୍କର ଦେବାରେ ପାରିଲେ ନାହିଁ ଏବଂ ତେଣୁ ଉଦାସୀନ ହୋଇ ରହିଗଲେ, ଅସତ୍ୟ ସହିତ ଅସହଯୋଗ କରିନପାରି ଅସତ୍ୟ ପଟକୁ ଢ଼ଳିଗଲେ ଏବଂ କାଳଟା ଖରାପ ହୋଇଗଲା ବୋଲି କହି ବୈରାଗୀ ହେଲେ ।

 

କଥିତ ଅଛି, ନିଖିଳ ଭାରତୀୟ ସ୍ତରରେ କଂଗ୍ରେସର ଏକ ବୈଠକରେ ଓଡ଼ିଶାର ଶ୍ରୀ ନବକୃଷ୍ଣ ଚୌଧୁରୀ, କ’ଣସବୁ କେଡ଼େ ନିଷ୍ଠା ଓ ବ୍ୟାକୁଳତା ସହିତ ଏକଦା କହିସାରିବା ପରେ ତତ୍କାଳୀନ ତୁଙ୍ଗତମ ପ୍ରଧାନମନ୍ତ୍ରୀ ତାଙ୍କୁ ସିଏ School Boy ପରି ଅନେକ ଭଲ କଥା କହିଲେ କହି ପରିହାସ କରିଥିଲେ । ସ୍ୱାଧୀନତା ପରେ ପ୍ରଥମ କେତେଟା ବର୍ଷ କଂଗ୍ରେସର ବୃହତ୍ମାନେ ସମ୍ଭବତଃ ଧରି ନେଇଥିଲେ ଯେ, ଯେହେତୁ ସେମାନେ ଦେଶକୁ ସ୍ୱାଧୀନତା ଆଣି ଦେଇଛନ୍ତି, ତେଣୁ ସେମାନେ ଯାହାକିଛି କଲେ କିମ୍ବା ହେଲେ ମଧ୍ୟ ସତେଅବା ଚିରକାଳ ନିମନ୍ତେ କ୍ଷମତାରେ ରହିବେ । ମାତ୍ର କାଳ ସେ କଥାକୁ ମୋଟେ ସହିଲା ନାହିଁ । ସେମାନେ ନିଜ ନିଜ ଭିତରେ ତକରାଳ ଆରମ୍ଭ କରିଦେଲେ,- ସଂଗଠନଟିର ଦାୟିତ୍ୱ ଏବଂ ମର୍ଯ୍ୟାଦାକୁ ପାଣିରେ ପକାଇ ସମ୍ଭବତଃ ଆପଣାର ଗଉଁଟାକୁ ସବାଆଗ ଦେଖିଲେ । ତେଣୁ ଭାଗ ଭାଗ ହୋଇଗଲେ । ଦେଶ ପାସୋର ହୋଇଗଲା । କୋଟି କୋଟି ଲୋକ କରି ବସିଥିବା ପ୍ରତ୍ୟାଶାମାନ ପାସୋର ଗଲା । ରାଜନୀତି କହିଲେ ଏହି ଦେଶରେ ନିତାନ୍ତ ଅନାମଧେୟ ଜଣେ ଖଳ ମଣିଷ ମଧ୍ୟ - ନିତାନ୍ତ ଉପରେ ଥାଇ ରଜ୍ଜୁଗୁଡ଼ାକୁ ହାତରେ ଧରି ଭିଆଉଥିବା ନାନାବିଧ ଦୈତ୍ୟଗିରିକୁ ବୁଝାଇଲା । ଦୈତ୍ୟମାନେ ସେହି ଉପରେ ଥାଇ ସବୁ ଗିଳି ପକାଇଲେ । କୋଟି କୋଟି ଟଙ୍କାର ପ୍ରତିଶ୍ରୁତିଗୁଡ଼ିକୁ ଗିଳି ପକାଇଲେ । ସ୍ଵୟଂ ମୋଟା ହେଲେ । ନିତାନ୍ତ ଅଯୋଗ୍ୟ ହେଲେ । ରାଜନୀତିକ ସ୍ୱପ୍ନ ବୋଲି ଆଉ ପ୍ରାୟ କିଛି ହେଲେ ରହିଲା ନାହିଁ । ନିର୍ବାଚନଟା ହିଁ ଅସଲ ବେପାର ହୋଇଗଲା । ଯେକୌଣସି ପ୍ରକାରେ ନିର୍ବାଚିତ ହୋଇ କ୍ଷମତାକୁ ଆସିବା ଏବଂ କ୍ଷମତାରୁ ଫାଇଦା ଉଠାଇ ଯଥାସାଧ୍ୟ ନିଜର ଗାଡ଼ଗୁଡ଼ାକୁ ଭର୍ତ୍ତି କରିବା - କାଳହସ୍ତୀ ମାନଙ୍କର କ୍ରମେ ତାହାହିଁ ଧ୍ୟେୟ ହୋଇ ରହିଗଲା । ସାମୂହିକ ଜୀବନର ସର୍ବନିମ୍ନ ବିଶ୍ୱସନୀୟତା ଗୁଡ଼ିକ ମାଡ଼ ଖାଇଗଲା, ସାମୂହିକ ଜୀବନର ସବୁଯାକ କ୍ଷେତ୍ରକୁ ଗ୍ରାସ କଲା । ଶିକ୍ଷାଳୟମାନେ ବି ସେହି ହୋ’ଗୁଡ଼ାକ ଭିତରେ ମାରା ହୋଇଗଲେ । ସେଠାରେ ମଧ୍ୟ ବହୁବିଧ ଅଶିକ୍ଷା ପ୍ରଶ୍ରୟ ପାଇଲା, ସାହସ ପାଇଲା ।

 

ତେଣୁ, ନିଜର ସ୍ଥାନଗୁଡ଼ିକୁ ମଜବୁତ କରି ରଖିବାକୁ ଶାସନାସୀନ ଉଚ୍ଚମାନେ ଗୁଣ୍ଡା ପୋଷିଲେ । ବାହୁବଳ ଉପରେ ନିର୍ଭର କଲେ । ସାନ ଓଡ଼ିଶାରେ ଏସବୁ ଅବ୍ୟାପାର କେଉଁଠାରୁ ଆରମ୍ଭ ହୋଇ କିପରି କ୍ରମେ ଏକ ନିୟମରେ ପରିଣତ ହୋଇଗଲା, ତାହା ଅନାଇଦେବା ମାତ୍ରକେ ପାହାଚ ପ୍ରମାଣେ ଜଳ ଜଳ ହୋଇ ଦିଶି ଯାଉଥିବ । ଲାଉ କଖାରୁ ଚୋରାଉ ଚୋରାଉ ଆଜ୍ଞାମାନେ ନିଜ ନିଜକୁ କେଡ଼େ ମହାନ୍ ସ୍ଥାନମାନଙ୍କୁ ଉନ୍ନୀତ କରିନେଲେ । ପଇସା ଥିଲେ ତୁମେ ଏ ପୃଥିବୀରେ ସବୁକିଛି କରିପାରିବ ବୋଲି ଏକ ବିପଜ୍ଜନକ ବିଶ୍ୱାସ ହିଁ ଏଠି ମଣିଷମାନଙ୍କୁ ପଶୁ କରିଦେଲା । ସେହି ଗୋଟିଏ ଦଳ ଭିତରେ ହିଁ ଗୁଣ୍ଡା ଗୁଣ୍ଡାଙ୍କ ସହିତ ଲଢ଼େଇ । ନିତାନ୍ତ ବ୍ୟକ୍ତିଗତ ଈର୍ଷା ଏବଂ ହୀନମନ୍ୟତା ଗୁଡ଼ାକୁ ରାଜନୀତିକ ରୂପ ଦିଆଗଲା । ଗୋଟାସୁଦ୍ଧା ପ୍ରମତ୍ତ ହୋଇ ସାରିବା ପରେ ଏହି ବଳବାନ୍ମାନେ ନିଜ ଅନ୍ତେ ମଧ୍ୟ ବଞ୍ଚି ରହିବାକୁ ମନ କଲେ । ସେମାନେ ନିଜର ଦୁଲାଳ ଓ ଦୁଲାଳୀ ମାନଙ୍କୁ ମଧ୍ୟ କ୍ଷେତ୍ରପାଳ ହେବାକୁ ଡାକି ଆଣିଲେ । ଦୁଲାଳ ଏବଂ ଦୁଲାଳୀମାନେ ହୁଏତ ଏପରି ଦୁଃଖଦ ଭାବରେ ସାନରୁ ବଡ଼ ହୋଇଥିଲେ ଯେ, ରାଜନୀତି ଅଥବା ବ୍ୟବସାୟରେ ପଶିବା ବ୍ୟତୀତ ଏମାନଙ୍କ ପାଖରେ ଆଉ ଅନ୍ୟ କୌଣସି ଯୋଗ୍ୟତା ନଥିଲା । ପ୍ରମାଣ ବି ମିଳିଗଲା ଯେ ରାଜନୀତିକ ଦଳଟିର ଆଉ ଲୋକଭିତ୍ତି ବୋଲି ଆଉ ଆଦୌ କିଛି ହେଲେ ନଥିଲା । ତେଣୁ, ସତକୁ ସତ ଦାୟିତ୍ୱ ନେବା ଲାଗି ସତେଅବା ଆଉ କେହିହେଲେ ନଥିଲେ । ଆଉ କାହାରି ରହିବା ହୁଏତ ଆବଶ୍ୟକ ବି ନଥିଲା । ପଇସା ଦେଇ ତୁମେ ସମସ୍ତଙ୍କୁ କିଣିପାରିବ ବୋଲି ଏକ ମନ୍ଦବିଶ୍ୱାସ ଏପରି ଦୃଢ଼ ଭାବରେ ଭିତରଟାକୁ କାମୁଡ଼ି ଧରିଥିଲା ଯେ, ଉପରେ ତୁମ ନିଜର ଦୁଲାଳ କିମ୍ବା ଦୁଲାଳୀଟିଏ ରହିଲେ ସବୁ ଅପ୍ରତିହତ ଭାବରେ ଅଲବତ ଚାଲିବ ବୋଲି ଶାର୍ଦ୍ଦୂଳମାନେ ବିଶ୍ୱାସ ମଧ୍ୟ କରୁଥିଲେ । ଏବଂ, ରାଜନୀତି ଉପରେ ଯହୁଁ ଆଉ କୌଣସି ଭୂମିପରିଚୟ ମଧ୍ୟ ରହିଲା ନାହିଁ, ଉପରୁ ଆକର୍ଷକ ଖାନଦାନୀ କଣ୍ଢେଇଟିଏ ଆଣି ବସାଇଦେବା ଦ୍ୱାରା ହିଁ ସମସ୍ତେ ସେହି ଇନ୍ଦ୍ରଜାଲ ଦ୍ୱାରା ବଶ ହୋଇ ରହିବେ ବୋଲି କଚେରୀରେ ସମସ୍ତେ ଏକ ଅମୋଘ ସତ୍ୟ ବୋଲି ମାନିନେଲେ । ବିଚରା କଣ୍ଢେଇମାନେ ବି ନାହିଁ ନାହିଁ ବୋଲି କହୁ କହୁ ରାଜି ହୋଇଗଲେ । ଯୁଗ ହସିଲା, ତଥାପି କେହି ସମଝି ପାରିଲେ ନାହିଁ ।

 

ତେଣୁ, ଗାନ୍ଧୀଙ୍କ କଥା ରହିଲା । କଂଗ୍ରେସ ଭାଙ୍ଗିଲା । କାଳ କଂଗ୍ରେସକୁ ଭାଙ୍ଗିଲା । ସେତେବେଳେ ସିନା ଗାନ୍ଧୀ କଂଗ୍ରେସବାଲାଙ୍କ ଆଗରେ ସଙ୍ଗଠନଟିକୁ ଭାଙ୍ଗି ଲୋକସେବକ ହେବାକୁ ପରାମର୍ଶ ଦେଇଥିଲେ । ଏବେ ଘରଟି ଏପରି ଦୟନୀୟ ଭାବରେ ଭାଙ୍ଗି ଯାଉଥିବା ସମୟରେ ଏମାନେ ଆଉ କେଉଁଠାକୁ ଯିବେ କେଜାଣି ? ଅନେକେ, ଯେଉଁମାନେ ବାନପ୍ରସ୍ଥରେ ଆସି ପହଞ୍ଚିଲେଣି, ସେମାନେ ଶରଶଯ୍ୟରେ ବସିବେ ଓ ହୁଏତ ଇଂରାଜୀ ଭାଷାରେ ନିଜର ସ୍ମୃତିକଥାମାନ ଲେଖିବେ । ଦୁଲାଳମାନେ ଯିଏ ଯେଉଁଠାରୁ ଆସିଥିଲେ, ସେମାନେ ସେହିସବୁ କ୍ଷେତ୍ରକୁ ଫେରିଯିବେ । ଗୋଟାଏ ଅର୍ଥରେ କୁହାଯାଇ ପାରିବ ଯେ ସେମାନେ ସ୍ୱଧର୍ମକୁ ଲେଉଟିଯିବେ। ବାକୀମାନେ ଭାଗରୁ ଚାରିଭାଗ କି ଚଉଦଭାଗ ହେବେ । ହୁଏତ ଜଣେ ଜଣେ ଗୋଟାଏ ଗୋଟାଏ ଦଳ ଗଢ଼ିବେ ଏବଂ ଲୋକେ ସେମାନଙ୍କର ଯାବତୀୟ ପୂର୍ବ ପରିଚୟକୁ ପାସୋରି ଦେବା ପୂର୍ବରୁ ହୁଏତ ଆଉ କୌଣସି ଦଳରେ ଯାଇ ପଶିଯିବେ । ଖାଲି ଓଡ଼ିଶାରେ ନୁହେଁ, ସମସ୍ତ ଦେଶଟାରେ ତ ଏହି କଥାଟାର ଚାକ୍ଷୁଷ ଅଭିନୟ ପ୍ରତ୍ୟହ ହେଉଛି । ଏମାନେ ବି ସେତିକିରୁ ଅଧିକ ଆଉ କ’ଣ କରିପାରନ୍ତେ । ସିଦ୍ଧି ଖୋଜି ଖୋଜି ଭଗବାନଙ୍କ ଆଡ଼କୁ ଆଖି ବୁଜିଦେଇ ଯେଉଁମାନେ ଏଯାଏ ଆସିଲେଣି ଏବଂ ଏତେସରି ହେଲେଣି, ସେମାନଙ୍କ ଭିତରେ ଆଉ ମଞ୍ଜ ବୋଲି କ’ଣ ରହିଛି ଯେ, ସେମାନେ ଆଉକିଛି ହୋଇପାରିବେ ? କଂଗ୍ରେସ ପଛେ ପଛେ କଂଗ୍ରେସର ଚତୁରତା ଗୁଡ଼ାକୁ ଉଧାର କରି ଆଉ ଯେଉଁମାନେ ନୂଆ ଡ଼ିଆଣୀ ହୋଇ ଦରବାରକୁ ଆସିଛନ୍ତି, ବେଳସୁଁ ଅନ୍ୟ ପ୍ରକାର ନହେଲେ ସେମାନେ ବି ଯିବେ । ଏମାନେ ଯିବେ, ଭାରତବର୍ଷ ରହିବ । ଅନ୍ୟମାନେ ନିମିତ୍ତ ହେବେ । ଦେଶ ନାମକ ଏହି ଘରଟିକୁ ସମ୍ଭାଳିବେ, ଏକ ନୂଆ ପରିମଳରେ ଏଠି ନିୟତିଟାକୁ ଗଢ଼ିବେ ।

Image

 

ରାଜନୀତିରୁ ଉର୍ଦ୍ଧ୍ୱରେ

 

ଏଥର ନିର୍ବାଚନ ସମୟରେ ପାଲାରେ ପଶିଥିବା ଦଳମାନେ ଯେପରି ଅସହଜ ଭାବରେ ଲଣ୍ଡଭଣ୍ଡ ହେଉଥିଲେ, ସେଥିରୁ ସେମାନେ ଆଦୌ ରାଜନୀତିରେ ଅଛନ୍ତି କି ନାହିଁ, ସେହି ବିଷୟରେ ଭାରି ସନ୍ଦେହ ହେଉଥିଲା । ରାଜନୀତିକ କୌଣସି ଦଳର ଅର୍ଥ ହେଉଛି ଯେ ତା’ପଛରେ ଏକ ରାଜନୀତିକ ପରିଚୟ ମଧ୍ୟ ରହିଥିବ । ଏବଂ, ସେହି ପରିଚୟରୁ ହିଁ ତାକୁ ଚିହ୍ନି ହେଉଥିବ । ଏଥର ନିର୍ବାଚନ ସମୟରେ ସେହି ପରିଚୟଟି ଆଦୌ ପାଇହେଲା ନାହିଁ । ଏପରିକି ତଥାକଥିତ ଗୋଟିଏ ଦଳରେ ଯେଉଁମାନେ ରହିଛନ୍ତି ବୋଲି ନିର୍ବାଚନ ରାଜନୀତିର ବଜାରରେ ସମସ୍ତେ କୁହାକୁହି ହେଉଥିଲେ, .ସେମାନେ ସତକୁ ସତ ଏକାଠି ଗୋଟିଏ ଦଳରେ ଅଛନ୍ତି କି ନାହିଁ, ସେହି ବିଷୟରେ ବି ସବୁବେଳେ ସଂଶୟ ରହିଥିଲା । ଯଦି ତୁମେ ସମସ୍ତେ ଗୋଟିଏ ଦଳରେ ରହିଛ ଏବଂ ତେଣୁ ଗୋଟିଏ ସନ୍ତକରେ ନିର୍ବାଚନ ଲଢୁଛ, ତେବେ ତୁମମାନଙ୍କର ରାଜନୀତିକ ବିଶ୍ୱାସରେ ତ ଅନ୍ତତଃ କିଛି ମେଳ ରହିଥିବା ଦରକାର । ନିର୍ବାଚନରେ ଆଶା-ଅନୁରୂପ ଫଳ ଦେଖାଇନଥିବା ଗୋଟାଏ ପୁରୁଣା ଦଳର ବହୁତ ଲୋକ ତ ବର୍ତ୍ତମାନ କହୁଛନ୍ତି ଯେ, ଦଳ ଭିତରେ ଘୋର ଅନ୍ତର୍ଘାତୀ ଚକ୍ରାନ୍ତ ହେଲା ବୋଲି ପ୍ରାର୍ଥୀମାନେ ଭକୁଆ ହୋଇଗଲେ, ଅର୍ଥାତ୍ ବାହାରକୁ ସେହି ଗୋଟାଏ ଦଳ ବୋଲି ପରିଚିତ ଶିବିରଟା ଭିତରେ କାହାରି ସହିତ କାହାରି ପଡୁନଥିଲା ଓ ତେଣୁ ସେମାନେ ଏକ ଆରେକ ନିମନ୍ତେ ଗାତ ଖୋଳିବାକୁ ଲାଗିଥିଲେ । ନିହାତି ଗୋଟାଏ ଦଳର ମାର୍କା ପିଠିରେ ପିନ୍ଧିନଥିଲେ ସରକାରୀ ବ୍ୟବସ୍ଥା ଅନୁସାରେ ନିର୍ବାଚନରେ ପ୍ରବେଶ କରିବା ସକାଶେ ଅନୁମତି ମିଳିବ ନାହିଁ ବୋଲି ସେମାନେ ଅଗତ୍ୟା ଗୋଟାଏ ଦଳରେ ନାମ ଦରଜ କରି ରହିଥିଲେ କି ? ସେମାନେ ସମସ୍ତେ ନିଜକୁ ହିଁ ଜିତାଇବାରେ ଲାଗିପଡ଼ିଥିଲେ । ସତେଅବା ନିର୍ବାଚନରେ ଜୟଲାଭ କରିବାଟାକୁ ସେମାନେ ଏକ ବ୍ୟକ୍ତିଗତ ଭାଗ୍ୟର ବ୍ୟାପାର ବୋଲି ବୁଝୁଥିଲେ । ଅସଲ ମତଲବ ରାଜନୀତି ନୁହେଁ, ଅସଲ ମତଲବ ସୌଦାଗରୀ । ପାଞ୍ଚ ବରଷର ଏକ ଠିକାଦାରୀ, ନିଜ ଭାଗ୍ୟର ନିର୍ମାଣ, ନିଜ ପାଇଁ କିଛି ଆର୍ଥିକ ଅଥବା ସ୍ଥୂଳ ଲାଭର ଅର୍ଥରେ ନିର୍ବାଚନ ନାମକ ଏକ ହାଟ ଭିତରେ ପ୍ରବେଶ ଏବଂ ଅର୍ଥ ଲଗାଣ, ଏବଂ ହାରିବା ଜିତିବା ତ ଯେକୌଣସି ବ୍ୟବସାୟ ଭଳି ଏଇଟାରେ ମଧ୍ୟ ରହିଛି । ଆଶାୟୀ ମାନଙ୍କର ଆଚରଣ ଦେଖି ଦେଖି ଦେଶବାସୀ ସାଧାରଣମାନେ କ୍ରମେ ସେହି କଥା କହିଲେଣି ।

 

ରଣରତ ସେମାନେ ଏହି ନିର୍ବାଚନରେ ରାଜନୀତି କଥା ପ୍ରାୟ କିଛି ହେଲେ କେହି କହୁନଥିଲେ । ଆମେ ଅମୁକ ବା ଅମୁକଙ୍କର ସ୍ୱପ୍ନକୁ ସଫଳ କରିବାକୁ ବାହାରିଛୁ, ତେଣୁ ସମସ୍ତେ ଆମକୁ ଭୋଟ ଦେଇ ଜୟଯୁକ୍ତ କରନ୍ତୁ, ସମସ୍ତେ ତୁହାକୁ ତୁହା ସେହି କଥା କହୁଥିଲେ । ସ୍ଵପ୍ନ ତ ସେତିକିବେଳେ ଅତି ସ୍ପଷ୍ଟ ଭାବରେ ରହିଥିଲା, ଯେତେବେଳେ ଏହି ଦେଶରେ ସ୍ୱାଧୀନତାର ସଂଗ୍ରାମ ଲାଗିଥିଲା । ସମ୍ମୁଖରେ ନବ-ନିର୍ମାଣର ନକ୍ସାଟିଏ ରହିଥିଲା । ସଂଗ୍ରାମୀମାନେ ସ୍ୱୟଂ ସେହି ନକ୍ସାରେ ବିଶ୍ୱାସ କରୁଥିଲେ । ସେଥିରେ ଅଧିକ ସଂକଳ୍ପବୋଧ ଭରିଦେଇ ତାହାକୁ ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ବୋଲି କୁହାଯାଉଥିଲା । ଏକ ସ୍ୱଚ୍ଛ ଆନ୍ତରିକତା ରହିଥିଲା । ଏମାନେ ସତକୁ ସତ ସେହିପରି ଏକ ସ୍ୱପ୍ନକୁ ତାରାଟିଏ ପରି ସମ୍ମୁଖରେ ରଖି ସଂଗ୍ରାମରେ ବାହାରିଛନ୍ତି, ସେମାନଙ୍କ ଜୀବନରେ ସଦର ମଫସଲକୁ ଦେଖି ସେକଥା ନିର୍ଭୁଲ ଭାବରେ ବୁଝି ହେଉଥିଲା । ବର୍ତ୍ତମାନ ତ ତୁଚ୍ଛା ଠକମାନେ ଅମୁକ ବା ସମୁକଙ୍କର ସ୍ୱପ୍ନର କଥା କହୁଛନ୍ତି । ଏମାନଙ୍କର ଅସଲ ସ୍ୱପ୍ନ ବ୍ୟକ୍ତିଗତ କ୍ଷମତାଲାଭର ସ୍ଵପ୍ନ ଏବଂ ସେହି କ୍ଷମତାକୁ ଢ଼ାଲ ପରି ବ୍ୟବହାର କରି କେବଳ ବ୍ୟକ୍ତିଗତ ଅର୍ଥ ଓ ଯଶ ଅର୍ଜନ କରିବାର ନାନାବିଧ ମତଲବ । ସ୍ୱାଧୀନ ଭାରତରେ ଲୋକନିର୍ମାଣ ଅର୍ଥାତ୍ ଗୋଟିଏ ଲୋକକଲ୍ୟାଣମୁଖୀ ପରିବେଶର ଭିତ୍ତି ନିର୍ମାଣରେ ଯେଉଁ ବହୁ କୋଟି ପଇସା ଖରଚ ହୋଇଛି, ତାହାର ଏକ ମୁଖ୍ୟ ଅଂଶ ସେହି ଚତୁରମାନେ ହିଁ ଖଇରାତ କରି ନେଇଛନ୍ତି । ଗୋଟାଏ ଗୋଟାଏ ଢୋଲ ମଝିରେ ମଝିରେ ଫାଟି ସର୍ବପ୍ରଧାନ ସେହି କଥାଟା ହିଁ ଗୋଚର ହେଉଛି । ଏହି ତଥାକଥିତ ରାଜନୀତି ଭିତରକୁ ଆସିବା ନିମନ୍ତେ ଆଉ ରାଜନୀତି ମୋଟେ ଦରକାର ହେଉ ନାହିଁ ଏବଂ ଅନ୍ୟ ଯେଉଁସବୁ ବିଦ୍ୟା ଦରକାର ହେଉଛି, ରାଜନୀତି ସହିତ ସେଗୁଡ଼ିକର ଆଦୌ କୌଣସି ସମ୍ବନ୍ଧ ନାହିଁ ।

 

ଭାରତୀୟ ସାମୂହିକ ଭାଗ୍ୟର ଜଙ୍ଗଲରେ ରାଜନୀତିକୁ ନିଜର କ୍ୟାରିୟର ବୋଲି ଗ୍ରହଣ କରି ଯେଉଁମାନେ ଶାଳ, ପିଆଶାଳ ପରି ଛିଡ଼ା ହୋଇ ରହିଛନ୍ତି, ଭାରତୀୟ ରାଜନୀତିକୁ ସେଇମାନେ ହିଁ ଖାଇ ଗିଳି ଭସ୍ମ କରି ସାରିଲେଣି । ବିଗତ ୫୦ ବର୍ଷକୁ ଅବଧି ରୂପେ ଗ୍ରହଣ କରି ତାହାର ଏକ ଚମତ୍କାର ଇତିହାସ ଲେଖାଯାଇ ପାରିବ । ଭାରତବର୍ଷର ରାଜନୀତିକ ପରିବର୍ତ୍ତନକୁ ଯେଉଁ ନେତୃତ୍ଵ ସାମାଜିକ ପରିବର୍ତ୍ତନ ଆଡ଼କୁ ମୁହାଁଇ ଦେବାରେ ପ୍ରତିବନ୍ଧକ ହୋଇ ଛିଡ଼ା ହେଲା, ସିଏ ଏବର ଏହି ବିକଟ ସ୍ଥିତିରେ ଆସି ପହଞ୍ଚି ଥିବାର ନିମ୍ନମୁଖୀ ଧାରାଟିରେ ସବା ଆଗ ସବା ବଡ଼ ଅପରାଧୀ ରୂପେ ହିଁ ଆମର ଦୃଷ୍ଟି ଗୋଚର ହୋଇପାରିବ । ଦେଶକୁ ସ୍ୱାଧୀନ କରିବା ପାଇଁ ଆବଶ୍ୟକ ହେଉଥିବା ତୁଚ୍ଛା ଜାତୀୟତାବାଦୀ ଉତ୍ସାହଟା ଦେଶ ସ୍ୱାଧୀନ ହେବା ପରେ ପରବର୍ତ୍ତୀ ଆହ୍ୱାନ ରୂପେ ସମ୍ମୁଖରେ ଛିଡ଼ା ହେବାକୁ ଆସୁଥିବା ନିର୍ମାଣକ୍ରାନ୍ତିର ଆହ୍ୱାନଟି ପାଖରେ ଯେ ଆଦୌ ଯଥେଷ୍ଟ ହୋଇପାରେ ନାହିଁ, ଖାଲି ଭାରତବର୍ଷରୁ ନୁହେଁ, ସଦ୍ୟ ସ୍ଵାଧୀନ ହୋଇଥିବା ତୃତୀୟ ବିଶ୍ୱର ପ୍ରାୟ ସବୁ ଦେଶରେ ଆମକୁ ସେହି ସତ୍ୟଟିର ଉଦାହରଣ ମିଳିଯାଇପାରିବ । ସଂଗ୍ରାମୀମାନେ ସଂଗ୍ରାମର ପ୍ରଥମ ଅଧାଟା ସରିବା ପରେ ଏପରି ଭୋଗୀ ଓ ବୁଢ଼ା ହେବାକୁ ଯେ ଇଚ୍ଛା କରନ୍ତି, ତାହା ଆଦୌ କୌଣସି ଭଗବାନଙ୍କର ଅଭିଶାପ କିମ୍ବା ଚକ୍ରାନ୍ତ ଆଦୌ ନୁହେଁ; ତାହାର ମୂଳ କାରଣଟି ହେଉଛି ପରବର୍ତ୍ତୀ ପଦକ୍ଷେପଟି ନେବା ପାଇଁ ସମ୍ପୃକ୍ତ ସେହି ନେତୃତ୍ୱ ପାଖରେ ଅନୁରୂପ ଏକ ରାଜନୀତିକ ସାହସର ଅଭାବ । ସ୍ଵାଧୀନତା ପରେ ଭାରତୀୟ ହୀରୋମାନେ ମଧ୍ୟ ସେହି ସାହସଟିକୁ କରିପାରିଲେ ନାହିଁ । ସେମାନେ ବୟସ ସହିତ ଇଚ୍ଛାଶକ୍ତିର କ୍ଷେତ୍ରରେ ବି ବୁଢ଼ା ହୋଇ ରହିଗଲେ । ଏମାନେ ବା କି ସ୍ୱପ୍ନ ଦେଖିଥାନ୍ତେ, ତେଣୁ ନିତାନ୍ତ ଭାବପ୍ରବଣ ହୋଇ ଉଚ୍ଚ ଉଚ୍ଚ କଥାମାନ କହିଲେ । ସ୍ଵାଧୀନତାପୂର୍ବ ସମରରୁ ସେମାନେ ଯେତିକି ସ୍ୱପ୍ନର ଉତ୍ତରାଧିକାର ପାଇଥିଲେ, ସେତିକିର ମଧ୍ୟ ଯୋଗ୍ୟ ହୋଇପାରିଲେ ନାହିଁ ।

 

ସେମାନେ ସତେଅବା ଫାଙ୍କି ଦେବା ପାଇଁ ଅଧିକରୁ ଅଧିକ ଜାତୀୟତାବାଦର କଥା କହିଲେ ଏବଂ ସେହି ପ୍ରକ୍ରିୟା ଭିତରେ ସ୍ୱୟଂ ସାମନ୍ତବାଦୀ ହୋଇଗଲେ । ତାପରେ ପ୍ରାୟ ଏପର୍ଯ୍ୟନ୍ତ ଆମକୁ ସେହି ସାମନ୍ତବାଦୀମାନେ ହିଁ ଶାସନ କରିବାରେ ଲାଗିଛନ୍ତି । ଉପରେ ଦଶ ପ୍ରତିଶତଙ୍କ ପାଇଁ ଦେଶସମ୍ବଳର ଅଶୀ ପ୍ରତିଶତ ଛାଡ଼ି ଦିଆଯାଇଛି । ସେହି ଦଶ ପ୍ରତିଶତ ଯେପରି ସତେଅବା ଚିରଦିନ ସକାଶେ ଘରମାନଙ୍କରେ ମାଲିକ ହୋଇ ରହିବେ, ସେଥିଲାଗି ପ୍ରାୟ ଏକ ରାଜକୀୟ ଅବମୃଷ୍ୟକାରିତାରେ ଦେଶର ବିଧାନ ଓ ବ୍ୟବସ୍ଥାମାନ ଚାଲିଛି । ତଳବର୍ଗରୁ ଯେଉଁ କାଁ ଭାଁ କେତେଜଣ କ୍ଷମତାର ବେଢ଼ା ଭିତରକୁ ଆସୁଛନ୍ତି, ସେମାନେ ମଧ୍ୟ ଗଦ ଶୁଘିଂ ଏହି ଉପର ଘରଟାରେ ହିଁ ଗୋଲାମ ହୋଇ ରହିଯାଉଛନ୍ତି । ଯେଉଁଠାରୁ ଆସିଥଲେ, ସେଠାକୁ ଫେରୁନାହାନ୍ତି । ତଳେ ଛିଡ଼ାହୋଇ ଉପରର ଭ୍ରଷ୍ଟ ବିବେକମାନଙ୍କୁ ବଦଳାଇ ମଙ୍ଗ ମୋଡ଼ିବା ସକାଶେ ଯେତିକି ରାଜନୀତିକ ଶିକ୍ଷା ତଥା ସଂପ୍ରତ୍ୟୟ ରହିବା ଦରକାର, ସେମାନଙ୍କ ଭିତରେ ସେଇଟି ନଥିବାରୁ ସେମାନେ ବାବୁ ମାନଙ୍କର ଗହଣରେ ଗୋଟିଏ ଗୋଟିଏ ଗୋଲାମବତ୍ ଖପି ଯାଉଛନ୍ତି, ପ୍ରାୟ ଏକ ଅପମାନଜନକ ଆଡ଼ମ୍ବର ଭିତରେ ଆପଣାର ଅସଲ କ୍ରୋଧ ଏବଂ ଅସଲ ଲକ୍ଷ୍ୟଗୁଡ଼ିକୁ ଭୁଲି ଯାଉଛନ୍ତି । ମେରୁଦଣ୍ଡ ହରାଇ ଭାରି ହୀନମନ୍ୟ ଏବଂ ହାସ୍ୟାସ୍ପଦ ହୋଇ ରହୁଛନ୍ତି । ଯେଉଁ ପୋଖତ ସାମନ୍ତମାନଙ୍କ ଆଗରେ ନିଜକୁ ହୀନ ବୋଲି ଭାବୁଛନ୍ତି, ସେହିମାନଙ୍କୁ ଅନୁକରଣ କରୁଛନ୍ତି । ପରିଣାମ ଏହିଭଳି ହେଉଛି ଯେ, ଅଶୀଭାଗ ଜନଗଣଙ୍କ ପାଇଁ ଆଉ ପ୍ରାୟ ବଳିଷ୍ଠ ନେତୃତ୍ୱ ବୋଲି କିଛି ନାହିଁ । ସେମାନଙ୍କ ପାଇଁ ଉପରୁ ଯାହାକିଛି ହିଁ କରାଯାଉଛି । ଅଶୀଭାଗ ମଣିଷ ଯେପରି ସର୍ବବିଧ ହିସାବରେ ଉପରର ଦଶଭାଗ ଉପରେ ନିତାନ୍ତ ଅସହାୟ ଭାବରେ ନିର୍ଭରଶୀଳ ହୋଇ ରହିବେ, ସାଆନ୍ତିଆ ରାଜନୀତି ଏବଂ ସାଆନ୍ତିଆ ସରକାର ଉଭୟ ଥାନରେ ସତେ ଅବା ତାହାରି ଆଡ଼ମ୍ବରପୂର୍ଣ୍ଣ ପ୍ରଦର୍ଶନମାନେ ହେବାରେ ଲାଗିଛି । ବହୁ ଶତାବ୍ଦୀ ଧରି ଅସମାନ ହୋଇ ରହି ଆସିଥିବା ଗୋଟାଏ ସମୂହ ସବୁ ମଣିଷଙ୍କ ପାଇଁ ସମସୁଯୋଗରେ ଏକ ସର୍ବନିମ୍ନ ଭିତ୍ତିର ପ୍ରକୃତ ଅର୍ଥାତ୍ ଚାକ୍ଷୁଷ ଭରସାଟିଏ ଆଣିଦେଇ ପାରିବ, ଧର୍ମର ଅଫିମ ଦ୍ଵାରା ଚଳି ଆସିଥିବା ଏକ ସମାଜ ଅଧ୍ୟାତ୍ମ ଦ୍ଵାରା ଚାଲିବ, ଉପରୁ ଦୟାର ପ୍ରଦର୍ଶନ ଦ୍ୱାରା ତାହା କଦାପି ସମ୍ଭବ ହେବ ନାହିଁ । ଉଦାରତାର ଗର୍ଭରେ ପ୍ରାୟ ସର୍ବତ୍ର ଏକ ଉପେକ୍ଷା ଓ ଅବଜ୍ଞାଭାବ ରହିଥାଏ, ଯାହାକି ଅସଲ ସତ୍ୟଗୁଡ଼ିକୁ ମଧ୍ୟ ଗଡ଼ାଇ ଦେବାରେ ଲାଗିଥାଏ । ଭାରତବର୍ଷର ଇତିହାସରେ ପ୍ରଧାନତଃ ତାହାହିଁ ହୋଇଆସିଛି କି ?

 

ରାଜନୀତିଟାକୁ ସତେଅବା କଣ୍ଢେଇ ବୋଲି ଭାବୁଥିବା ବିରାଟ ନେତାମାନେ ଏହି ଦେଶଟାରେ ସତେଅବା ଯାହା ଇଚ୍ଛା ତାହା କରିହେବ ବୋଲି ଧରିନେଇ ସ୍ଥାନେ ସ୍ଥାନେ ନିଜର ବଉଁଶଯାକଙ୍କୁ ସାଙ୍ଗରେ ନେଇ ଆଖଡ଼ା ଭିତରେ ଆସି ପହଞ୍ଚି ଯାଉଛନ୍ତି । କମାର ପୁଅ କମାର ହୁଏ, ପୁରୋହିତ ପୁଅ ପୁରୋହିତି କରେ, ମାତ୍ର ସେଥିଲାଗି ସେମାନଙ୍କୁ ପିଲାଦିନରୁ ତାଲିମ ନେବାକୁ ବି ହୁଏ । ସାପ ଧରି ସାପ ଖେଳାଉଥିବା କେଳାମାନଙ୍କର ପୁଅ ସିଧା ଆସି ସାପ ଧରି ସାପ ଖେଳାଇ ପାରୁଛି, ସେକଥା କେଉଁଠାରେ ହେଲେ , ଦେଖାଯାଏ ନାହିଁ । ମାତ୍ର ଭାରତବର୍ଷରେ ରାଜନୀତିର କାରବାରଟା ଭିତରେ ସେକଥା କିପରି ସମ୍ଭବ ହେଉଛି କେଜାଣି ? ଏହି ବାପାମାନେ ଯଦି ସତକୁ ସତ ରାଜନୀତିର ମର୍ମ ବୁଝିଥାନ୍ତେ ଏବଂ ଏହି ଦେଶର ରାଜନୀତିକ ନିୟତିଟି ପ୍ରତି କିଞ୍ଚିତ୍ ସମ୍ମାନ ଯଦି ସେମାନଙ୍କର ଥାଆନ୍ତା, ତେବେ ସେମାନେ କଦାପି ଏସନ ବଳାତ୍କାର କରନ୍ତେ ନାହିଁ । ସମ୍ଭବତଃ ବହୁ ବର୍ଷ କ୍ଷମତା ଭିତରେ ରହି ଯାହା ଇଚ୍ଛା ତାହାମାନ କରି ଆସିଥିବାରୁ ସେମାନେ ଏଥିକୁ ମଧ୍ୟ ସାହସ କରିପାରୁଛନ୍ତି । ଜଣେ ନାଗରିକର ରାଜନୀତିରେ ପ୍ରବେଶ କରିବା ନିମନ୍ତେ ନିଶ୍ଚୟ ସକଳ ଅଧିକାର ରହିଛି । ମାତ୍ର, ଜଣେ ସିନା ନାଗରିକ ହିସାବରେ ଘରଟା ଭିତରକୁ ଆସିବ ଏବଂ ନିଜ ପାଇଁ ଆସ୍ଥାନଟିଏ ତିଆରି କରିବାର ପ୍ରୟାସ କରିବ, ନିଜ ଦକ୍ଷତାର ପ୍ରମାଣ ଦେବ । ମାତ୍ର, ଅମୁକଙ୍କର ପୁତ୍ର କିମ୍ବା ଅମୁକଙ୍କର ପତ୍ନୀ ହିସାବରେ ଆସି ପହଞ୍ଚିଯାଇ ମୁଁ ତୁମମାନଙ୍କ ଉପରେ ଘୋଡ଼ା ହେବାକୁ ଆସିଛି, ତୁମେମାନେ ମୋତେ ଭୋଟ ଦିଅ ଓ ପ୍ରତିନିଧି କର, ରାଜନୀତିଟା ନିତାନ୍ତ ପ୍ରଦୂଷିତ ନହେଲେ ଏପରି କଦାପି ହୁଅନ୍ତା ନାହିଁ । ବାପା ବା ବାପୁଡ଼ାମାନଙ୍କର ବିଚାରକୁ ତଥାପି ବୁଝି ହେଉଛି । ଆତ୍ମଜମାନଙ୍କର ହିତ ଚିନ୍ତା କରି ସେମାନେ ହୁଏତ ସେମାନଙ୍କ ପାଇଁ ଅରାଏ ଡ଼ିହ ଯୋଗାଇ ଦେବାକୁ ତଥାପି ଇଚ୍ଛା କରିବେ,- ମାତ୍ର, ନିତାନ୍ତ ନିର୍ଲଜ୍ଜ ହୋଇନଥିଲେ ସେହି ଆତ୍ମଜମାନେ କିପରି ସେଥିରେ ରାଜି ହୋଇ ବାହାରି ଯେ ପଡ଼ିବେ, ସେକଥା ମୋଟେ ବୁଝିହୁଏ ନାହିଁ ।

 

ଭାରତବର୍ଷରେ ଅନ୍ୟ ରାଜ୍ୟ ପରି ଆମ ଏ ରାଜ୍ୟଟାରେ ମଧ୍ୟ ଏକାଧିକ ଦୃଷ୍ଟାନ୍ତ ରହିଛି, ଯେଉଁଠି ପ୍ରାୟ ବାନପ୍ରସ୍ଥ ନେବା ବୟସରେ ତଥାପି ଲୋଭରେ ପଡ଼ି କେତେ ଇଏସିଏ ନିର୍ବାଚନ ବେଦୀରେ ଆସି ବସିଯିବାକୁ ହକ-ହକ ହେଉଥିଲେ ଏବଂ ବିଧାନସଭାରେ ଯାଇ ଥରେ ପଶିପାରିଲେ ସେମାନଙ୍କ ଜୀବନ-ଦେଉଳରେ ମୁଣ୍ଡି ମାରିପାରିବ ବୋଲି ବିଶ୍ଵାସ ବି କରୁଥିଲେ । ନିତ୍ୟ ସ୍ମରଣୀୟ ଡ଼କ୍ଟର ପ୍ରାଣକୃଷ୍ଣ ପରିଜା ତାହା କରିଥିଲେ । ଡ଼କ୍ଟର ଶ୍ରୀରାମଚନ୍ଦ୍ର ଦାସ କରିଥିଲେ-। ସେହିଧାଡ଼ିରେ ବଞ୍ଚିଥିବା ବ୍ୟକ୍ତିମାନଙ୍କ ଭିତରୁ ବି ଆହୁରି ଅଧଡ଼ଜନେ ସରିକି ହୁଏତ ଏହି ସୁମାରି ଭିତରକୁ ଆସିପାରିବେ । ତଥାପି, ବୁଢ଼ାମାନଙ୍କର ଲୋଭକୁ ତ ବୁଝିହେଉଛି । ମାତ୍ର, ଗଜା ମଣିଷଗୁଡ଼ାକ ସେମାନଙ୍କର ସାରା ଜୀବନଟା ଆଗରେ ରହିଥିଲେ ମଧ୍ୟ ତଥାପି କିପରି ନିଜର କୋଉ ଆତ୍ମୀୟଟାର ଆଶାବାଡ଼ି ଉପରେ ଲଦି ହୋଇ ଆସି ଯେ ପହଞ୍ଚି ଯାଉଛନ୍ତି, ଦେଖିଲେ ବିକଳ ଲାଗୁଛି । ସେମାନେ ନିଜକୁ କାହିଁକି ଏପରି ଗେହ୍ଲା ବୋଲି ଭାବୁଛନ୍ତି କେଜାଣି ? ରାଜନୀତି କାହାରି ଜମିଦାରୀ ନୁହେଁ, ଦେଶଟା ମଧ୍ୟ କୋଉ ଦର୍ପୀ ନେତାର ହସ୍ତମୁଦି ନୁହେଁ ଯେ, ତୁମେ ଘରୁ ସଲା କରି ଆସି ଏମିତି ଜାଲ ପଡ଼ିବା ବେଳେ ଆସି ପହଞ୍ଚିଯିବ ଏବଂ ମାଛରେ ଭାଗ ମାଗିବ । ସାନ ହେଲେ ମଧ୍ୟ, ଯେଡ଼େ ଗେହ୍ଲା ହୋଇଥିଲେ ମଧ୍ୟ ଯିଏ ନିଜର ଏକ କେନ୍ଦ୍ର ଅଛି ବୋଲି ଅନୁଭବ କରିଥିବ, ଯିଏ ସେହି କେନ୍ଦ୍ରରୁ ହିଁ ସମ୍ମାନଜନକ ଭାବରେ ବଞ୍ଚୁଥିବ, ସିଏ ନିଜ ଧର୍ମରେ ହିଁ ରହିବ, ରାଜନୀତିକୁ ଏକ ଧର୍ମ ବୋଲି ବିଚାର କରୁଥିଲେ ସିଏ ସେହି ଧର୍ମର ନିଜ ମାର୍ଗରେ ହିଁ ଆସିବ । କେଉଁ ଦୁର୍ଯୋଗରେ ଏକଦା ମୂଳରେ ସେହି ନେହେରୁ ନିଜ ଝିଅଙ୍କୁ ସେହି ଦିଲ୍ଲୀରୁ ହିଁ ଦେଶଟା ଉପରେ ଆଣି ଲଦି ଦେଇଥିଲେ ଯେ ତାହା ନେହେରୁଙ୍କର ନେଣ୍ଡି ହେବାର ଯୋଗ୍ୟତା ନଥିବା ତୁମ ଆମଙ୍କ ସକାଶେ ସତେଅବା ଏକ ପରମ୍ପରାରେ ପରିଣତ ହୋଇଗଲା ଏବଂ ରାଜନୀତିର ଘରଟାକୁ ମାରା କରିଦେଲା, ସେକଥା ଚିନ୍ତା କଲେ ନେହେରୁଙ୍କ ଉପରେ କମ୍ ରାଗ ହୁଏ ନାହିଁ । ଏହିଭଳି ତଳକୁ ଖସୁ ଖସୁ ଭାରତର ରାଜନୀତି କ୍ରମେ ରସାତଳକୁ ଚାଲିଗଲା ଏବଂ ବିଶୁଦ୍ଧ ଆତ୍ମାଚାରୀମାନେ ଏଠି ରାଜନୀତିକୁ ରକ୍ଷିତା କରି ରଖିଲେ । ଦେଶ ପାସୋର ହୋଇ ରହିଗଲା । ବିଟ ବିଟ ଭିତରେ ପ୍ରତିଦ୍ୱନ୍ଦିତା ହେଲା । ଯିଏବି କ୍ଷମତାକୁ ଆସିଲେ ତଥାପି ଯେ ମୂଳ ଦୁର୍ଦ୍ଦଶାମାନେ ମୋଟେ ଯିବେ ନାହିଁ, ସେହି କଥାଟି ସ୍ପଷ୍ଟ ପ୍ରାୟ ହୋଇଗଲା ।

 

ରାଜନୀତି କରୁଥିବା ନେତାମାନେ ରାଜନୀତିରେ ନାହାନ୍ତି, ରସାତଳରେ ଯାଇ ଅଛନ୍ତି । ଏବଂ, ଯେଉଁମାନଙ୍କ ପାଇଁ ଏହି ଯାବତୀୟ ରାଜନୀତି, ଏହି ଶାସନ, ଏହି ଦେଶ ଓ ଏହି ଗଣତନ୍ତ୍ର, ସେମାନେ ଯାଇ କେଉଁଠି ଅଛନ୍ତି ? ପଚାଶ ବର୍ଷର ସ୍ୱାଧୀନତା ପରେ ସେମାନେ ଇତିମଧ୍ୟରେ ଗଣତନ୍ତ୍ରରେ ମଣ ହୋଇ ସାରନ୍ତେଣି, ସଚେତନ ହୁଅନ୍ତେଣି, ସକ୍ରିୟ ହୁଅନ୍ତେଣି । ରାଜନୀତିର ଧଳା ଓ କଳା ବିଷୟରେ ସେମାନେ କିଛି କିଛି ହୃଦୟଙ୍ଗମ କରିପାରିଲେଣି ସିନା, ମାତ୍ର ତାଙ୍କ ଦେଇ ଯେ ସତକୁ ସତ କିଛି ଠୋସ୍ ପରିବର୍ତ୍ତନ ହୋଇପାରିବ, ସେ କଥା ସେମାନେ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରି ନାହାନ୍ତି । ଗଣତନ୍ତ୍ରର ପ୍ରାୟ ସବୁଯାକ ଅର୍ଥ ହେଉଛି ଯେ ଲୋକଙ୍କର ସମ୍ମତିରେ ଶାସନ ଚାଲିବ । ଭାରତ ସ୍ୱାଧୀନ ହେବାର ବହୁ ବର୍ଷ ପୂର୍ବରୁ ଉତ୍କଳମଣି ନିଜର ଗୋଟିଏ କବିତା ବହିରେ ସେହିକଥା ଘୋଷଣା କରିଯାଇଥିଲେ । ପଚାଶବର୍ଷର ବାବୁ ଶାସନରେ ସେତିକି ମଧ୍ୟ ହୋଇପାରିଲା ନାହିଁ । ଲୋକମାନଙ୍କର ଶକ୍ତିକୁ ନାନା ଭୟ ଓ ଅନ୍ଧବିଶ୍ୱାସ ଭିତରେ ଖଞ୍ଜ କରି ରଖି ଦିଆଗଲା । ଯେଉଁ ଭାଷାକୁ ଲୋକେ ବୁଝନ୍ତି, ସେହି ଭାଷାରେ ଶାସନ ଚାଲିଲା ନାହିଁ । ଯେଉଁ ସର୍ବନିମ୍ନ ଶିକ୍ଷା ପାଇଲେ ମଣିଷ ନିଜ ଆଖି ଦେଇ ସଂସାର ଆଡ଼କୁ ଅନାଇ ଶିଖେ, ଏକ ସମୂହ ଭିତରେ ଆପଣାକୁ ଠାବ କରି ଶିଖେ, ଦେଶର ଅଧେ ମଣିଷ ସେହି ଶିକ୍ଷାରୁ ବଞ୍ଚିତ ହୋଇ ରହିଲେ-। ସେମାନେ ଘୁଷୁରି ପରି ଖଟିଲେ, ଅଥଚ ଯାବତୀୟ ପ୍ରକାରେ ବଂଚିତ ହୋଇ ରହିଲେ । କଚେରୀରୁ ନ୍ୟାୟ ମିଳିଲା ନାହିଁ, ପାଠୁଆମାନେ ମଣିଷକୁ ନ ଲୋଡ଼ି ପଇସାକୁ ଆଗ ଲୋଡ଼ିଲେ,- ପାଠୁଆମାନେ ହିଁ ସକଳ ପ୍ରକାରର ସଂବେଦନାକୁ ସତେଅବା ଏକ ନିର୍ବୋଧତା ବୋଲି ମଣିଲେ । ତେଣୁ, ରାଜନୀତି ପୋକ ଖାଇଗଲା, ଶାସନ ପୋକ ଖାଇଗଲା, ବିଶ୍ୱାସମାନେ ପୋକ ଖାଇଗଲେ-। ଅସଲ ରାଜନୀତି କୋଟି କୋଟି ମଣିଷଙ୍କୁ ତଳୁ ତିଆରି କରି ଆଣିଥାନ୍ତା । ଏହି ଦେଶର ମୂଳଦୁଆଟା ତଳୁ ମଜବୁତ ହୋଇ ତିଆରି ହୋଇଥାନ୍ତା, ତଳଟା ହିଁ ଲଗାମ ଧରି ଉପରମାନଙ୍କୁ ଚଲାଇ ଥାଆନ୍ତା । ତାହା ହେଲା ନାହିଁ । ପାଠ କେତେକ ମଣିଷଙ୍କୁ ସିଆଣିଆ କଲା, କ୍ଷମତା କେତେ କେତେ ଅପାଂକ୍ତେୟଙ୍କୁ ଆସନରେ ଆଣି ବସାଇଲା ଏବଂ ଗୋଟାସୁଦ୍ଧା ନିର୍ମମ କରି ରଖିଲା ।

 

ସବୁଠାରେ ଅନ୍ଧାର ମାଡ଼ି ବସିଥିଲେ ମଧ୍ୟ ଆଲୋକଟା ହିଁ ସତ୍ୟ ବୋଲି ସାହସର ସହିତ କହିବା, ସବୁଯାକ ଶାସନଘରେ ମିଥ୍ୟା ଚରି ଯାଇଥିଲେ ମଧ୍ୟ ତଥାପି ସତ୍ୟର ବିଜୟ ଦ୍ଵାରା ହିଁ ଯୁଗ ଅଲବତ ରହିବ ବୋଲି କହିପାରିବା - ଏଇଟା ମଧ୍ୟ ରାଜନୀତି । ମାତ୍ର, ବର୍ତ୍ତମାନ ରାଜନୀତି ବୋଲି ଯାହା ବଜାରରେ ଚାଲୁଛି, ଏହି ରାଜନୀତି ସେହି ରାଜନୀତି ଠାରୁ ବହୁତ ଉର୍ଦ୍ଧ୍ୱରେ । ପ୍ରତିବାଦର ଏହି ରାଜନୀତି ହିଁ ଆଗାମୀ ବିଶ୍ୱରେ ସବୁଠାରୁ ଅଧିକ ଶକ୍ତିଶାଳୀ ରାଜନୀତି ହେବାକୁ ଯାଉଛି । ଆମ ଭାରତବର୍ଷରେ ରାଜନୀତିଟା ମଣିଷମାନଙ୍କୁ ସେଇଥିରେ ହିଁ ଶକ୍ତିମନ୍ତ କରି ଆଣିଥାନ୍ତା । ସେଥିଲାଗି ଯେଉଁ ସର୍ବନିମ୍ନ ଭିତ୍ତି ବା ଭୂମିଟିଏ ସବାଆଗ ଦରକାର, ବିଗତ ପଚାଶ ବର୍ଷରେ ସେହି ଭୂମିଟି ହିଁ ଏଠାରେ ତିଆରି ହୋଇଥାଆନ୍ତା । ବାବୁମାନଙ୍କର, ଦୟାଳୁମାନଙ୍କର ଯେଉଁ ରାଜନୀତି, ତାହା ଉପରେ ରହି ଲୋକମାନଙ୍କୁ ପ୍ରକୃତରେ ଦୁର୍ବଳକରି ପକାଇଲା । ଏଣିକି ନେତୃତ୍ୱ ଉପରୁ ଆସିବ ନାହିଁ । ଉପରୁ ଲଦି ଦିଆଯାଉଥିବା ନେତୃତ୍ୱର ପ୍ରତିବାଦ ହେବ । ଏକଲବ୍ୟମାନେ ହିଁ ନେତୃତ୍ଵ ଦେବେ । ଏକାବେଳେକେ ନୂଆ ଏକଲବ୍ୟମାନେ-। ବ୍ରହ୍ମ ତାତିଲେ ଯେଉଁ ଏକଲବ୍ୟମାନେ ଜନ୍ମଗ୍ରହଣ କରନ୍ତି, ସେହିମାନେ । ସେମାନେ ପରସ୍ପରର ସାଥୀ ହୋଇ ବାହାରିବେ । ଉପରୁ ଏ ଦଳ କିମ୍ବା ସେ ଦଳର ଷଣ୍ଢମାନଙ୍କ କଥାକୁ ଆଉ କେହିହେଲେ ମୋଟେ ବିଶ୍ୱାସ କରିବେ ନାହିଁ । ମଣିଷମାନେ ନିଜ ଶକ୍ତିର ପରିଚୟ ପାଇଲେ ଏବଂ ପରସ୍ପରକୁ ଲୋଡ଼ିଲେ ଯେଉଁ ନେତୃତ୍ୱ ଅବଶ୍ୟମ୍ଭାବୀ ଭାବରେ ଆବିର୍ଭୂତ ହୋଇଆସେ, ସାରା ପୃଥିବୀରେ ସେହି ନେତୃତ୍ୱର ବେଳଟି ଆସି ପହଞ୍ଚିଲାଣି । ଭାରତବର୍ଷ ବି ଏଣିକି ସେଥିଲାଗି ଯୋଗ୍ୟ ହୋଇ ଉଠିବ । ପୁରୁଣା ରାଜନୀତିଆ ମାନଙ୍କୁ ବର୍ଜନ କରି ଶିଖିବ । ସାହସକୁ ଗୁରୁ କରିବ-। ବର୍ତ୍ତମାନ ରାଜନୀତି ନାଆଁରେ ଚାଲିଥିବା ମାୟାରେ ମୋଟେ ଭଳିଯିବ ନାହିଁ ।

Image

 

Unknown

ସଂସ୍କୃତର ସମର୍ଥନରେ

 

ଭାଷାର ତୁଳନାତ୍ମକ ହାଟରେ ସଂସ୍କୃତର ସ୍ଥାନ ଯେ କେଡ଼େ ଉଚ୍ଚରେ ଏବେ ସେହି ବିଷୟରେ ଜଣେ ଅଧ୍ୟାପକ ବନ୍ଧୁଙ୍କର ଲେଖାଟିଏ ପଢୁଥିଲି । ଗୋଟିଏ ଭାଷା ହିସାବରେ ସଂସ୍କୃତର ଯେ କେତେ କେତେ ବିଶେଷ ମର୍ଯ୍ୟାଦା ରହିଛି, ଭିନ୍ନ ଭିନ୍ନ ଉଦାହରଣ ଦେଇ ସିଏ ସେହି କଥାଟିକୁ କହିଛନ୍ତି । ସଂସ୍କୃତ ଏକ ଖାସ୍ ମର୍ଯ୍ୟାଦାବନ୍ତ ଭାଷା ବୋଲି ପୃଥିବୀର ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ନିଜ ଶିକ୍ଷାକାର୍ଯ୍ୟକ୍ରମ ଭିତରେ ସେହି ଭାଷାର ଅଧ୍ୟୟନ ଏବଂ ଅଧ୍ୟାପନାକୁ ସ୍ଥାନ ଦେଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ତାଙ୍କ ମତରେ, ସଂସ୍କୃତ ଭାଷାର ବିଶ୍ୱସ୍ତରରେ ଯେ କେତେବେଶୀ ଆଦର ରହିଛି, ଏଥିରୁ ତାହାରି ସଙ୍କେତ ମିଳିଯିବା ଉଚିତ । ଏହି କଥାଟି ପଛରେ ରହିଥିବା ଭାବପ୍ରବଣତାଟାକୁ ଭାରି ବୁଝି ହେଉଛି ଏବଂ ନିଷ୍ଠାପର ଭାବରେ ପ୍ରକଟ କରାଯାଉଥିବା ଭାବପ୍ରବଣତାକୁ ମଧ୍ୟ ସମ୍ଭବତଃ ସମ୍ମାନ ବି ଦିଆଯାଇପାରେ । ସତ କଥାଟି ହେଉଛି, ସଂସ୍କୃତି ହେଉଛି ପୃଥିବୀର ଏକ ପ୍ରାଚୀନ ଭାଷା ଏବଂ, ସେଥିପାଇଁ ହିଁ ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟ ମାନଙ୍କରେ ଅନ୍ୟ ପ୍ରାଚୀନ ଭାଷାଗୁଡ଼ିକ ସହିତ ସଂସ୍କୃତ ଭାଷା ପାଇଁ ଏକ ବିଭାଗ ରହିଛି । ଏବଂ, ସ୍ମରଣ ରହିବା ଉଚିତ, କେବଳ ବିଶ୍ଵବିଦ୍ୟାଳୟ ସ୍ତରରେ ସେହି ବ୍ୟବସ୍ଥା ରହିଛି । ଉଦାହରଣ ସ୍ଵରୂପ, ଗ୍ରୀକ୍ ରହିଛି, ଲାଟିନ୍ ରହିଛି, ଆରବୀ ଓ ଫରାସୀ ରହିଛି, ଇତ୍ୟାଦି, ଇତ୍ୟାଦି । ଅଧିକାଂଶତଃ ଏକ ପ୍ରତୀକାତ୍ମକ ସ୍ୱୀକୃତି ଦୃଷ୍ଟିରୁ ହିଁ ରହିଛି । ବେଳେ ବେଳେ, ପ୍ରାୟ ସେହି ନ୍ୟାୟରେ, ଗୋଟାଏ ଗୋଟାଏ ବର୍ଷ ଗୋଟିଏ ବୋଲି ଛାତ୍ର ଏକ ପ୍ରାଚୀନ ଭାଷାକୁ ଅଧ୍ୟୟନ କରିବା ଲାଗି ଆସୁନଥିଲେ ମଧ୍ୟ ସେହି ପ୍ରାଚୀନ ଭାଷାର ବିଭାଗଟି ରହିଛି । ଯେପରି, ଯଜମାନ ଜଣେ ହେଲେ ଆସୁନଥିଲେ ମଧ୍ୟ ଦେଉଳଟିଏ ରହିଥିଲେ ଆବଶ୍ୟକ ବର୍ତ୍ତନ ସହିତ ଜଣେ ପୂଜକ ଓ ଆଉ ଜଣେ ସେବାକାରୀ ନଉକର ଅବଶ୍ୟ ନିୟୋଗରେ ରହିବା ଆବଶ୍ୟକ ହୁଏ, ଇଏ ପ୍ରାୟ ସେହିଭଳି କଥାଟିଏ । ତେଣୁ, ଭାରତବର୍ଷରେ ଥାଇ ଆମ ବିଶେଷ ଭାଷା ସଂସ୍କୃତ ଭାଷା ପୃଥିବୀର ଏଡ଼େ ଏଡ଼େ ଜାଗାରେ ରହିଛି ବୋଲି ଆତ୍ମଶ୍ଳାଘା ଅନୁଭବ କରିବା ପଛରେ ସେଥିରୁ ପରମାନନ୍ଦ ଲାଭ କରିଥିବା ମନୁଷ୍ୟମାନେ ରହିଛନ୍ତି ବୋଲି ଏକ ନଜିର ସିନା ମିଳୁଛି, ମାତ୍ର ଏପରି କହିବା ପଛରେ ସତେ ଅବା ଅସଲ କଥାଗୁଡ଼ାକୁ ଲୁଚାଇ ରଖିବାର ଏକ ଚେଷ୍ଟା ବି କରାଯାଉଛି ।

 

ସେହି ବହୁ ପ୍ରାଚୀନ କାଳରେ ସଂସ୍କୃତରେ ବିଚରଣ କରୁଥିବା ବିଶେଷଜ୍ଞମାନେ ଭାଷାଟିକୁ ଦେବଭାଷା ବୋଲି କହି କିଞ୍ଚିତ୍ ଆତ୍ମବିସ୍ଫୋରଣ ଯେ ଅନୁଭବ କରୁଥିଲେ, ସେ କଥା ତଥାପି ବୁଝି ହେଉଛି । ସେତେବେଳେ ସଂସ୍କୃତ ସମାଜରେ ଉଚ୍ଚ ଓ ଅତ୍ୟୁଚ୍ଚମାନଙ୍କର ଏକ ମୋହଦାୟକ ସନ୍ତକ ହୋଇ ରହିଥିଲା । ନାନା ପ୍ରକାରେ ନିଜକୁ ଅବଶିଷ୍ଟଙ୍କଠାରୁ ଦୂରଛଡ଼ା କରି ରଖିଥିବା ଶିଷ୍ଟ ଓ ସମ୍ପନ୍ନମାନେ ନିଜ ପଂକ୍ତିଗତ ଭାଷାଟିକୁ ଦେବଭାଷା, ଶିଷ୍ଟ ଭାଷା ଅଥବା ଗୀର୍ବାଣ ଭାଷା କହି ଆପଣାକୁ ଯେ ଅଲଗା ବୋଲି ଅନୁଭବ କରିବାକୁ ଏକ ଯୁକ୍ତି ପାଇ ଯାଉଥିଲେ, ସେହି କଥାଟିର କାରଣ- ମର୍ମଟିକୁ ତଥାପି ବୁଝି ହେଉଛି । କିନ୍ତୁ, ଏହି ବିଂଶ ଶତାବ୍ଦୀର ଭାରତବର୍ଷରେ ତଥାପି ଯେଉଁମାନେ ସଂସ୍କୃତିକୁ ସୁରଭାରତୀ (ସୁର ଅର୍ଥାତ୍ ଦେବତାମାନଙ୍କର ଭାଷା) ବୋଲି କହି ଆନନ୍ଦିତ ଓ ଆପ୍ୟାୟିତ ଅନୁଭବ କରୁଛନ୍ତି, ସେମାନେ ସେପରି କରିବା ଦ୍ଵାରା ନିଜକୁ ହୁଏତ ବୃହସ୍ପତିଙ୍କର ବଂଶଧର ବୋଲି ଭାବି କ୍ଷଣେ ପୁଲକ ପାଉଥିବେ ସିନା, ମାତ୍ର ତଦ୍ଦ୍ୱାରା ସଂସ୍କୃତ ଭାଷାର ପ୍ରଭୂତ କ୍ଷତି ହିଁ କରୁଛନ୍ତି । ତଳର ମଣିଷମାନଙ୍କୁ ପ୍ରଧାନତଃ ନାକଟେକି ଅଚ୍ଛବ ପ୍ରାୟ କରି ରଖିଥିବା ଏକ ସମାଜରେ ସଂସ୍କୃତ ଭାଷାର ପ୍ରବକ୍ତାମାନେ ନିଜର ସେହି ଅବିବେକଟି ନିମନ୍ତେ ହିଁ ତାହାକୁ ସଭା ଭିତରେ ଆବଦ୍ଧ କରି ରଖିଥିଲେ ଏବଂ ନିଜକୁ ଗୁମ୍ଫା ଭିତରେ କିଳି ରଖି ଏକ ମିଛ ପବିତ୍ରତାର ଅଧ୍ୟାସ ମଧ୍ୟରେ ଦୟନୀୟ କରି ରଖିଥିଲେ । ଭାଷାରେ ସମସ୍ତଙ୍କୁ ଭାଗ ଦେଉନଥିଲେ । ଏକ ଅସମାନ ସମାଜରେ ଅତ୍ୟନ୍ତ ନିପାତନସିଦ୍ଧ ଭାବରେ ସଂସ୍କୃତ ଭାଷା ସେତେବେଳେ ତଥାକଥିତ More equal ମାନଙ୍କର ପଟରେ ହିଁ ରହିଥିଲା,- ଅନେକଙ୍କ ପ୍ରତି ଅଶ୍ରଦ୍ଧା ପ୍ରକାଶ କରୁଥିଲା । ଏବଂ, ମଣିଷ, ପ୍ରତ୍ୟେକ ମଣିଷ ଭିତରେ ଉଦୟର ସମ୍ଭାବନା ରହିଛି ବୋଲି ଅତ୍ୟନ୍ତ ନିର୍ମମ ଭାବରେ ଅସ୍ୱୀକାର କରୁଥିଲା । ଏବର ସଂସ୍କୃତ ପ୍ରବକ୍ତାମାନେ ସେହି ଅପବାଦ କଥାଟିକୁ ସ୍ୱୀକାର କରିବାକୁ ଏତେ ସଂକୋଚ କରୁଛନ୍ତି କାହିଁକି ? ଅନ୍ୟପକ୍ଷରେ, ସଂସ୍କୃତର ମହନୀୟତାକୁ ସାବ୍ୟସ୍ତ କରିବା ନିମନ୍ତେ ଯେତେବେଳେ ସେମାନେ ଏହି ସମ୍ପର୍କରେ ଶ୍ରୀ ଅରବିନ୍ଦଙ୍କ ଠାରୁ ଆରମ୍ଭ କରି ଧର୍ମଶାଳା ଅଥବା ଧର୍ମଗଡ଼ର ବିଧାୟକଙ୍କର ବକ୍ତବ୍ୟଗୁଡ଼ିକୁ ଆଣି ଦର୍ଶାଉଛନ୍ତି, ସେତେବେଳେ ପ୍ରସଙ୍ଗଟାକୁ ସତେ ଅବା ଏକାନ୍ତ ଅପ୍ରାସଙ୍ଗିକ କରି ପକାଉଛନ୍ତି ।

 

ସଂସ୍କୃତ ସମ୍ମୁଖରେ ତଥାପି ନିଜକୁ ସ୍ୱୀକୃତ ଏବଂ ପ୍ରତିଷ୍ଠିତ କରିବାର କ୍ଷେତ୍ରରେ ଭାରତର ଭାଷାମାନଙ୍କୁ ବହୁ ଗଞ୍ଜଣା ଭୋଗ କରିବାକୁ ପଡ଼ିଛି । ଭାଗ୍ୟକୁ ସେତେବେଳେ ସାରା ଭୂଖଣ୍ଡଟିରେ ସନ୍ଥମାନଙ୍କର ଏକ ଆନ୍ଦୋଳନ ଅତ୍ୟନ୍ତ ବଳିଷ୍ଠ ଭାବରେ ଏକ ବିମୋଚନକାରୀ ସନ୍ଦେଶ ବହନ କରି ଆପଣାକୁ ପ୍ରକଟ କରି ଆଣିଥିଲା, ଯାହାକି ଲୋକଭାଷା ମାନଙ୍କୁ ଫୁଟି ଆସିବାର ଏକ ପ୍ରଶସ୍ତ କ୍ଷେତ୍ର ଯୋଗାଇ ଦେଇଥିଲା । ସନ୍ଥ କବୀର ସାହସଦୀପ୍ତ ଭାବରେ ସଂସ୍କୃତକୁ କୂପଜଳ ବୋଲି କହିଲେ ଏବଂ ଚଳନ୍ତି ଲୋକମୁଖର ଭାଷାକୁ ଜୀବନ୍ତ ବହମାନ ଏକ ଜଳସ୍ରୋତ ବୋଲି କହିଲେ । ସନ୍ଥମାନେ ଜାତି ମାନିଲେ ନାହିଁ । ଏକାଧିକାରୀ ଉଚ୍ଚ ଜାତିଟା ସହିତ ସେମାନଙ୍କର ଭାଷାଟାକୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ । ମହାରାଷ୍ଟ୍ରର ସେହି ସମୟର ଜଣେ ସନ୍ଥ ଏକନାଥଙ୍କର କଥାଗୁଡ଼ିକୁ ଏହି ପ୍ରସଙ୍ଗରେ ସ୍ମରଣ କରାଯାଇପାରିବ । କେଡ଼େ ନିଶ୍ଚଳ ଭାବରେ ସିଏ ଘୋଷଣା କରିଥିଲେ: ଯଦି ସଂସ୍କୃତଭାଷାକୁ ଦେବତାମାନେ ତିଆରି କରିଛନ୍ତି, ତେବେ ପ୍ରାକୃତକୁ କ’ଣ ଚୋର ଏବଂ ନିର୍ବୁଦ୍ଧିଆମାନେ ତିଆରି କରିଛନ୍ତି ? ତେଣୁ, ଏହିସବୁ ଦମ୍ଭୋକ୍ତିର ସମାପ୍ତି ଘଟିବା ଉଚିତ । କାରଣ, ସଂସ୍କୃତ ହେଉ କିମ୍ବା ପ୍ରାକୃତ ହେଉ, ଯେଉଁ ଭାଷାରେ ଈଶ୍ଵରଙ୍କ କଥା କୁହାଯାଇଛି, ସେହି ଭାଷାକୁ ଅବଶ୍ୟ ପବିତ୍ର ବୋଲି କୁହାଯିବ ଏବଂ ତାହାକୁ ଅବଶ୍ୟ ଉପଯୁକ୍ତ ସମ୍ମାନ ଦେବାକୁ ହେବ । ମହାନ୍ ଈଶ୍ୱର କଦାପି କୌଣସି ଭାଷାକୁ ପକ୍ଷପାତ ପ୍ରଦର୍ଶନ କରୁନଥିବେ । ସଂସ୍କୃତ ଓ ପ୍ରାକୃତ ଦୁଇଟିଯାକ ଭାଷା ତାଙ୍କୁ ଅବଶ୍ୟ ସମାନ ଦେଖାଯାଉଥବେ । ମୋ ନିଜ ଭାଷା ମରାଠୀ ଭାଷାରେ ଉଚ୍ଚତମ ଭାବ ଓ ଭାବନାଗୁଡ଼ିକୁ ପ୍ରକାଶ କରିବାର ପୂର୍ଣ୍ଣ ସାମର୍ଥ୍ୟ ଅବଶ୍ୟ ରହିଛି ଏବଂ ଦିବ୍ୟ ଯାବତୀୟ ଜ୍ଞାନର ସମ୍ପଦଗୁଡ଼ିକ ମଧ୍ୟ ସେଥିରେ ପରିପୂର୍ଣ୍ଣ ହୋଇ ରହିଛି । ଓଡ଼ିଶାରେ ଜଗନ୍ନାଥ ଦାସଙ୍କଠାରୁ ଆରମ୍ଭ କରି ଭୂପତି ପଣ୍ଡିତଙ୍କ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଲେଖୁଥିବା କବିମାନଙ୍କୁ କେତେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଛି । ଏବଂ ସଂସ୍କୃତର ପଟଟା ପ୍ରାୟ ଏକ ନିୟମର ଅନୁସରଣ କରୁଥିବା ପରି ପବିତ୍ର ଅସମାନତା ଗୁଡ଼ିକୁ ବଜାୟ ରଖିବାର ଭୂମିକାଟିକୁ ହିଁ ଗ୍ରହଣ କରିଆସିଛି । ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଦେବତା ହିଁ ତାହାର ଆତ୍ମା ରୂପେ ଅଧିଷ୍ଠିତ ରହିଛନ୍ତି ବୋଲି ଏକଦା ଏକ ପ୍ରାଚୀନ ସଂସ୍କୃତଶାସ୍ତ୍ରରେ ଉଚ୍ଚାରିତ ହୋଇଥିଲା । ମାତ୍ର ଆଚରଣର ଇତିହାସରେ ସଂସ୍କୃତ ଏପରି ଅନ୍ୟ ଭଳି ହୋଇ କାହିଁକି ରହିଆସିଛି ?

 

ବର୍ତ୍ତମାନର ଇଟାଲୀ ହେଉଛି ପ୍ରାଚୀନ ଲାଟିନ୍ ଭାଷାର ମୂଳ ଭୂମି । ସେହି ଦେଶର କାଥୋଲିକ୍ ଗୀର୍ଜାମାନଙ୍କରେ ଏବେ ମଧ୍ୟ ପାଦ୍ରୀମାନେ ଲାଟିନ୍ ଭାଷାରେ ଈଶ୍ଵର-ଉପାସନାର କାର୍ଯ୍ୟଟିକୁ ସମ୍ପନ୍ନ କରୁଛନ୍ତି । ସେହି ଦେଶର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଲାଟିନ୍ ଭାଷାର ଅଧ୍ୟୟନ ତଥା ଅଧ୍ୟାପନା ହେଉଛି ଏବଂ ଲାଟିନ୍ ସାହିତ୍ୟର ଆଲୋଚନା କରାଯାଉଛି । ଅତ୍ୟନ୍ତ ସ୍ୱାଭାବିକ ଭାବରେ ତାହା କରାଯାଉଛି । କିନ୍ତୁ, ସେଠାରେ ସ୍କୁଲର ପିଲାମାନଙ୍କ ନିମନ୍ତେ ଲାଟିନ୍ ଆଦୌ ବାଧ୍ୟତାମୂଳକ ହୋଇ ରହିନାହିଁ, ଅଥବା ସେହି ଭାଷାକୁ କେହି ଲୋକଭାଷା ବୋଲି କହିବାର ଧୃଷ୍ଟତା ମଧ୍ୟ ଦେଖାଉନାହାନ୍ତି । ତେଣୁ, ଓଡ଼ିଶାରେ ଏବଂ ଭାରତବର୍ଷରେ କାହିଁକି ଥୋକାଏ ସଂସ୍କୃତ ପକ୍ଷର ଲୋକେ ସେହି ଭାଷାକୁ ଲୋକଭାଷା ବୋଲି କହିବାରେ ଲାଗିଛନ୍ତି ଏବଂ ଚାରିଆଡ଼େ ବୁଲି ତାହା ପ୍ରଚାର କରୁଛନ୍ତି ? ଯେତେଦୂର ମନେହୁଏ, ସଂସ୍କୃତଭାଷା ବିଲୁପ୍ତ ହୋଇଯିବ ବୋଲି ଗୋଟିଏ ପ୍ରକାରର ଅଶୁଭ ଚିନ୍ତା ସେମାନଙ୍କୁ ଭିତରେ କାମୁଡ଼ି ଧରିଛି ଓ ତେଣୁ ସେମାନେ ଭାରି ଜ୍ୱରାକ୍ରାନ୍ତ ଭାବରେ ସଂସ୍କୃତର ପ୍ରଚାର କରି ବାହାରିଛନ୍ତି । ଏକ ଭାଷା ହିସାବରେ ସଂସ୍କୃତ କଦାପି ଲୁପ୍ତ ହେବ ନାହିଁ । ତାହାର ଅଧ୍ୟୟନ ବୃଦ୍ଧି ପାଇବ, ପ୍ରଶସ୍ତରୁ ପ୍ରଶସ୍ତତର ବହୁ ପରିଧିରେ ସଂସ୍କୃତ ସାହିତ୍ୟର ଗବେଷଣା ମଧ୍ୟ ହେବ । ମାତ୍ର, ଅସଲ ଏବଂ ସମୀଚୀନ କାର୍ଯ୍ୟଗୁଡ଼ିକ ଅଗ୍ରସର ହୋଇ ଯାଉଥିବା ସଙ୍ଗେ ସଙ୍ଗେ ସଂସ୍କୃତକୁ ଲୋକଭାଷା କରିବାର ହାସ୍ୟାସ୍ପଦ ପ୍ରଚେଷ୍ଟାଟି ମଧ୍ୟ କ୍ରମେ ଊଣା ହୋଇଆସିବ । ଦେଶର ସବୁ ପିଲା ସଂସ୍କୃତ ପଢ଼ନ୍ତୁ ବୋଲି ଆଉ କେହିହେଲେ ଦାବି କରି ବାହାରିବେ ନାହିଁ । ଦେଶରେ ପ୍ରାୟ ଅଧେ ମଣିଷ ଏବେ ମଧ୍ୟ ନିରକ୍ଷର ହୋଇ ରହିଛନ୍ତି । ସେମାନେ ଆଗ ସାକ୍ଷର ହେବେ । ସଂସ୍କୃତ ଭାଷାରେ ନୁହେଁ, ନିଜେ ଦୈନନ୍ଦିନ ବ୍ୟବହାର କରୁଥିବା ଭାଷାରେ ସାକ୍ଷର ହେବେ । ଦେଶର ଅଧେ ପିଲା ବର୍ତ୍ତମାନ ସ୍କୁଲକୁ ଆସୁନାହାନ୍ତି । ସେମାନେ ସ୍କୁଲକୁ ଆସିବେ ଏବଂ ସଂସ୍କୃତ ଭାଷାରେ ନୁହେଁ, ନିଜର ଭାଷାରେ ପାଠ ପଢ଼ିବେ । ସେଥିମଧ୍ୟରୁ ଆଗକୁ ଯାଇ କେତେ ବିଦ୍ୟାର୍ଥୀ ସଂସ୍କୃତକୁ ଅବଶ୍ୟ ମନ କରିବେ । ସେମାନେ ଶ୍ରଦ୍ଧାର ସହିତ ସଂସ୍କୃତକୁ ମନ କରିବେ । ଇଂଲଣ୍ଡର କେତେକ ବିଶ୍ୱବିଦ୍ୟାଳୟରେ ଯିଏ ଇଂରାଜୀ ଭାଷା ଓ ସାହିତ୍ୟରେ ବିଶେଷ ଅଧ୍ୟୟନ କରିବାକୁ ଇଚ୍ଛା କରେ, ତାକୁ ମଧ୍ୟ ନିଜ ଶିକ୍ଷାର ମାଧ୍ୟମିକ ସ୍ତରରୁ ଗ୍ରୀକ୍ ଏବଂ ଲାଟିନ୍ ଶିକ୍ଷା କରିବାକୁ ପଡ଼ିଥାଏ । ଓଡ଼ିଶାରେ ଯେଉଁମାନେ ଓଡ଼ିଆ ଭାଷା ଓ ସାହିତ୍ୟରେ ସର୍ବୋଚ୍ଚ ପାହାଚକୁ ଯିବାକୁ ଚାହିବେ, ସେମାନେ ପ୍ରୟୋଜନ ଦୃଷ୍ଟିରୁ ବି ସଂସ୍କୃତ କାହିଁକି ନପଢ଼ିବେ ? ଲୋକଭାଷାର ସ୍ଲୋଗାନ ଦେଇ ପ୍ରବ୍ରଜ୍ୟା କରୁଥିବା ଉତ୍ସାହୀମାନେ ସଂସ୍କୃତର ହିତ ଦୃଷ୍ଟିରୁ ମଧ୍ୟ ଏହି ଦିଗରେ ଅଧିକ ଚିନ୍ତା କରନ୍ତୁ । ଓଡ଼ିଶାରେ ଓଡ଼ିଆକୁ ପାସୋରି ପକାଇ ସମସ୍ତେ ସଂସ୍କୃତରେ କଥା କୁହନ୍ତୁ, ସେମାନେ କ’ଣ ସେହିପରି କୌଣସି କଳ୍ପନା କରୁଛନ୍ତି କି ?

 

ସଂସ୍କୃତ ସାହିତ୍ୟର ମହାନ୍ ସଂପଦ ସହିତ ଭାରତବର୍ଷର ସାଧାରଣ ମନୁଷ୍ୟ ମଧ୍ୟ ପରିଚିତ ହେବା ଉଚିତ । ଭାରତରେ ସଂସ୍କୃତ କେବେହେଲେ ଏକ ଲୋକଭାଷାରେ ପରିଣତ ହୋଇ ପାରିବ ନାହିଁ । ସମ୍ଭବତଃ ପ୍ରଦର୍ଶନର କିଞ୍ଚିତ୍ ନମୁନା ସ୍ୱରୂପ କର୍ଣ୍ଣାଟକ କିମ୍ବା ଉତ୍ତର ପ୍ରଦେଶର କୌଣସି ଗାଆଁରେ ସମସ୍ତେ ସଂସ୍କୃତରେ କଥାବାର୍ତ୍ତା କଲେଣି ବୋଲି ଦୂରରୁ ଶୁଣିବାକୁ ମିଳୁଥିବ । ସଂସ୍କୃତ ସାହିତ୍ୟରେ ଯେଉଁସବୁ ଗ୍ରନ୍ଥରେ ଚିରନ୍ତନ ମୂଲ୍ୟବୋଧର ଆହ୍ୱାନମାନ ରହିଛି, ସଂସ୍କୃତ ସାହିତ୍ୟକୁ ଏକଦା ପ୍ରେରଣା ଦେଇଥିବା ଏହି ଭୂମିର ପ୍ରକୃତ ଲୋକଭାଷାମାନଙ୍କରେ ସେଗୁଡ଼ିକର ଅନୁବାଦ ହେଉ । ଯାହା ପ୍ରାଚୀନ ତାହା ଯେ ସବୁଯାକ ସୁବର୍ଣ୍ଣ, ଏହି ମିଛ ବିଶ୍ଵାସଟିକୁ ଆବଶ୍ୟକ ହେଲେ ଚେଷ୍ଟା କରି ପରିହାର କରାଯାଉ । ଉଦାହରଣ ସ୍ଵରୂପ, ବିଷ୍ଣୁଶର୍ମାଙ୍କୁ ପାର ହୋଇ ଚାଲି ଆସିଥିବା ଆମର ଏହିଭଳି ଆହ୍ୱାନର ଯୁଗରେ ମିତ୍ର ଲାଭ ଏବଂ ହିତୋପଦେଶକୁ ପିଲାମାନଙ୍କ ନିମନ୍ତେ ଉପାଦେୟ ବୋଲି କହି ସେମାନଙ୍କ ଉପରେ ଲଦି ଦିଆନଯାଉ । ସଂସ୍କୃତବାଲାଏ ମଧ୍ୟ ନୀତି ତଥା ନୈତିକତାକୁ ନୂଆ ନୂଆ ଆଖିରେ ଦେଖି ଶିଖନ୍ତୁ । ସଂସ୍କୃତକୁ ଆମ ଏକାଳ ଲାଗି ଯୋଗ୍ୟ କରି ଆଣନ୍ତୁ । ତାତ୍କାଳିକ ଏବଂ ସର୍ବସାମୟିକ ମଧ୍ୟରେ ସର୍ବଦା ରହି ଆସିଥିବା ଅନ୍ତରଟାକୁ ଏକ ଗ୍ରହଣଶୀଳ ବିବେକର ସହିତ ହୃଦୟଙ୍ଗମ ବି କରନ୍ତୁ । ସଂସ୍କୃତବାଲା ପାଶ୍ଚାତ୍ୟକୁ ମଧ୍ୟ ଲୋଡ଼ନ୍ତୁ, ପାଶ୍ଚାତ୍ୟର ଚିତ୍ପ୍ରବେଶ କରନ୍ତୁ, ପାଶ୍ଚାତ୍ୟରୁ ବସ୍ତୁବାଦର ଭୂତମାନେ ଆସି ଭାରତବର୍ଷର ମହାମୂଲ୍ୟ ଜୀବନଧାରାଟାକୁ ଖରାପ କରି ପକାଇଲେ ବୋଲି ପାଟି ନକରନ୍ତୁ-। ସଂସ୍କୃତ ପ୍ରାୟ ଚିରକାଳ ଭାରି ସ୍ପର୍ଶକାତର ହୋଇ ରହିଆସିଛି । Holier than thouର ଏକ ଅସୁସ୍ଥ ଦୃଷ୍ଟିକୋଣର ଅଧୀନ ହୋଇ ଭାରତବର୍ଷର ତଥା ନିଜର ମଧ୍ୟ ବହୁତ କ୍ଷତି କରିଛି । ଭାରତବର୍ଷର ଲୋକଭୂମିଟି ଆଧୁନିକ ପୃଥିବୀର ମାନବଧର୍ମୀ ଆବେଦନ ଗୁଡ଼ିକ ଆଡ଼କୁ ଯଥାର୍ଥ ପ୍ରକାରେ ଉନ୍ମୋଚିତ ହୋଇପାରିଲେ ହୁଏତ ଅଧିକ ଯୋଗ୍ୟ ଭାବରେ ନିଜର ଅତୀତକୁ ଲୋଡ଼ି ବାହାରିବ । ସଂସ୍କୃତ କମ୍ ରକ୍ଷଣଶୀଳ ହେବାକୁ ଚେଷ୍ଟା କଲେ ହୁଏତ କମ୍ ଘୃଣା କରି ବି ଶିଖିଯିବ-

 

ଯାବତୀୟ ସାହିତ୍ୟରେ ଅସଲ ରହିଛି, ଅଣଅସଲ ମଧ୍ୟ ରହିଛି; ଯାବତୀୟ ଅତୀତରେ ସଦର ଓ ମଫସଲ ଉଭୟ ରହିଛି । ତେଣୁ ସଂସ୍କୃତ ସାହିତ୍ୟକୁ ଆମକୁ ରଙ୍କୁଣୀର ଧନ ପରି ପ୍ରାୟ ଗୋଟାଏ ବେକା ପରି କୁଣ୍ଡାଇ ଧରିବାର ମନ୍ଦ ସଂସ୍କାରଟିକୁ ମଧ୍ୟ ତ୍ୟାଗ କରିବାକୁ ହେବ । ବେଦକୁ ମହାନ୍ ବୋଲି କହି ସଂସ୍କୃତର ଆଗ୍ରହୀମାନେ ଯେତେବେଳେ ଭାବଉଚ୍ଛ୍ୱାସରେ ଉଜ୍ଜ୍ୱଳ ହୋଇ ଉଠନ୍ତି, ବେଦ ଯେ ଏକ ବହୁଜାତୀୟ ସାହିତ୍ୟ ଦ୍ରବ୍ୟଗୁଡ଼ିକର ଏକ ସଂକଳନ, ସେମାନେ କେଡ଼େ ଚମତ୍କାର ଭାବରେ ସେହି ସତ୍ୟଟିକୁ ଭୁରୁଡ଼ାଇ ଦେବାକୁ ଇଚ୍ଛା କରୁଥାନ୍ତି କି ? ଏବଂ ଆହୁରି ଦୋଷାବହ କଥାଟି ହେଉଛି, ସେମାନେ ସତ୍ୟ ଏବଂ ବିବିଧ ପ୍ରତୀକଗୁଡ଼ିକ ମଧ୍ୟରେ ରହିଥିବା ପାର୍ଥକ୍ୟଗୁଡ଼ିକୁ ଲୁଚାଇ ରଖିବାକୁ ବାସନା ରଖିଥାନ୍ତି କି ? ଯେତେବେଳେ ଈଶୋପନିଷଦ ଏବଂ ମନୁସ୍ମୃତି ଦୁଇଟାଯାକକୁ ପବିତ୍ର ସଂସ୍କୃତ ଭାଷାରେ ଲେଖା ଯାଇଥିବା ଦୁଇଟି ଅଧ୍ୟାତ୍ମଶାସ୍ତ୍ର ବୋଲି ସେମାନେ ଗଦ୍ଗଦ୍ ଭାବରେ କହିବାକୁ ବାହାରନ୍ତି, ସେତେବେଳେ କାମ୍ୟ ବିବେକଟିର ଅଭାବରୁ ବିଚାରକୁ ପ୍ରମାଦପୀଡ଼ିତ କରି ରଖିବାର ଅକାର୍ଯ୍ୟଟି ଭରି ଦିଶି ଦିଶି ଯାଉଥାଏ । ଯଦି ରାମାୟଣ ଏକ ଅଧ୍ୟାତ୍ମଶାସ୍ତ୍ର ହୁଏ, ଠିକ୍ ସେହି ସେର ଓ ମାଣ ଅନୁସାରେ ସରଳମିଜାଜ ଶ୍ରୋତାମାନଙ୍କ ଆଗରେ ବେଦାନ୍ତକୁ ମଧ୍ୟ ସମତୁଲ କରି ଥୋଇଦେବା ହୁଏତ ଏକ ଅପରାଧ ବୋଲି ଗଣ୍ୟ ହେବ-। ଏହି ଦୃଷ୍ଟିରୁ ସଂସ୍କୃତ ସାହିତ୍ୟର ମଧ୍ୟ ଏକ ସମୀକ୍ଷା ହେଉ । ଆଧୁନିକ ଯୁଗ-ମୂଲ୍ୟ ଗୁଡ଼ିକର ପରିପ୍ରେକ୍ଷୀରେ ତାହାର ସମୀକ୍ଷା କରାଯାଉ । ସେ କାଳ ବିବେକର ପୃଷ୍ଠଭୂମି ଉପରେ ପ୍ରଧାନତଃ ରାଜସଭା ପାଇଁ ରୋଚକ ହୋଇପାରିବା ନିମନ୍ତେ ପଣ୍ଡିତମାନେ ଯେଉଁ ଶାସ୍ତ୍ର ଲେଖିଥଲେ, ସେଗୁଡ଼ିକୁ ସବୁଗୁଡ଼ିକୁ ଅମୂଲ୍ୟ ଦ୍ରବ୍ୟ ବୋଲି କହି କଦାପି ଆମର ଏ ଯୁଗଟା ଉପରେ ମଡ଼ାଇ ଦିଆଯାଇ ପାରିବ ନାହିଁ । ବର୍ତ୍ତମାନ ତ ମଣିଷ କହିଲେ ସମାଜର ସବୁ ମଣିଷଙ୍କୁ ହିଁ ବିଚାରକୁ ନିଆଯିବ । ସେତେବେଳେ ଭାଗ୍ୟବାଦ ହିଁ ଭଗବାନ ପରି ସକଳ ନୀତି ଓ ଅନୀତିର ବିଚାର ତଥା ମୀମାଂସା କରୁଥିଲା । ସେତେବେଳେ ଏହି ଜୀବନକୁ ନଶ୍ୱର ବୋଲି ବିବେଚନା କରାଯାଉଥିଲା ଏବଂ ସେହି ଅନୁସାରେ ସକଳ ସୁଖ ଏଠାର ମାୟାଗୁଡ଼ିକୁ କାଟିବାରେ ଯାଇ ନିହିତ ରହିଛି ବୋଲି ଘୋଷଣା ହେଉଥିଲା । ଏ ଯୁଗରେ ଏହି ବର୍ତ୍ତମାନକୁ ନେଇ ସୁନ୍ଦରତମ ସ୍ୱପ୍ନଗୁଡ଼ିକ ଦେଖାହେଲାଣି ଏବଂ ଈଶ୍ୱରଙ୍କର ବିଧାନକୁ ଏହି ପୃଥିବୀ ଉପରେ ଅବତୀର୍ଣ୍ଣ କରାଇ ଆଣିବାର ପ୍ରୟାସ ମଧ୍ୟ କରାଗଲାଣି । ତେଣୁ, ଏହିସବୁ ନୂତନ ମୂଲ୍ୟର ଦର୍ପଣ ଉପରେ ଅତୀତର ପୁନରାବଲୋକନ ଆବଶ୍ୟକ ମଧ୍ୟ ହେଲାଣି ।

 

ଆଗକୁ ଚିନ୍ତା କରିବାକୁ ସମ୍ଭବତଃ ଭୟ ବି ଲାଗିଥିବ । ଆମେରିକାର ପରମାଣୁ ବିଜ୍ଞାନୀମାନେ ହିଁ ସେହି ଖବରଟିକୁ ଆଗ ପାଇଲେ । ଏହାଫଳରେ ସେମାନଙ୍କର ବିଜ୍ଞାନୀ ହାତମାନେ ନିଶ୍ଚୟ ଭାରି ଖଲଖଲ ହୋଇଥିବେ । ସେମାନେ ମଧ୍ୟ ଏପଟେ ଗୋଟାଏ କ’ଣ କରି ଦେଖାଇ ଦେବାକୁ ଭାରି ଇଚ୍ଛା କରିଥିବେ । କହିବା ବାହୁଲ୍ୟ, ଏପାଖ ଘରେ ସ୍ଵୟଂ ଆଇନଷ୍ଟାଇନ ଏହି ନୂତନ ଅଥୟତାଟିର ନେତୃତ୍ୱ ଗ୍ରହଣ କରିଥିଲେ । ବଡ଼ ବୋମା ପାଇଁ ତ ବହୁତ ପଇସା ଲୋଡ଼ା, ତେଣୁ ରାଷ୍ଟ୍ରକୁ ମଧ୍ୟ ଏହି ଉଦ୍ୟମରେ ଆଗ ରାଜି କରାଇବା ଦରକାର । ଶ୍ରୀ ଆଇନଷ୍ଟାଇନ ଦୁଇଶହ ସରିକି ଶିଷ୍ଟ ବୈଜ୍ଞାନିକଙ୍କର ଦସ୍ତଖତ ସଂଗ୍ରହ କରି ଆମେରିକା ସରକାରଙ୍କର ଦ୍ୱାରସ୍ଥ ହେଲେ । ଘଟଣାର ଗାମ୍ଭୀର୍ଯ୍ୟକୁ ହୃଦୟଙ୍ଗମ କରି ସରକାର ମଧ୍ୟ ସମ୍ମତ ହୋଇଗଲେ । ଆବଶ୍ୟକ ସଜ ବସି ଅଭୂତପୂର୍ବ ବୋମାଟା ତିଆରି ହୋଇଗଲା । ପାଠ ତ ମାଲୁମ ଥିଲା, ତେଣୁ ପଇସା ମିଳିବା ସଂଗେ ସଂଗେ ଆଉ କୌଣସି ବାଧା ବି ରହିଲା ନାହିଁ । ବୋମାଟା ଉତୁରିବା ବେଳକୁ ଜର୍ମାନୀ ଯୁଦ୍ଧରେ ହାରି ମିତ୍ରପକ୍ଷ ପାଖରେ ଆତ୍ମସମର୍ପଣ କରିସାରିଲାଣି । ଜାପାନ ମଧ୍ୟ ନୟାନ୍ତ ହୋଇ ସାରିଥିଲା, ତଥାପି କାଗଜପତ୍ରରେ ହାରିଲି ବୋଲି କହିନଥିଲା । ହୁଏତ ଆଉ ପନ୍ଦରଟା ଦିନ ଭିତରେ ସେଇଟା ବି ହାସଲ ହୋଇଯାଇଥାନ୍ତା । କିନ୍ତୁ ଏଡ଼େ ବଡ଼ ଅସ୍ତ୍ରଟାଏ ଅପରୀକ୍ଷିତ ହୋଇ ରହିଥାନ୍ତା କିପରି ? ସେତେବେଳକୁ ବୋମା ପୂରା ରାଷ୍ଟ୍ରର ଅର୍ଥାତ୍ର ସରକାରଙ୍କର ସମ୍ପତ୍ତି ହୋଇ ସାରିଲାଣି । ପଇସା ଖରଚ ତ ରାଷ୍ଟ୍ର ହିଁ କରିଛି । ତେଣୁ ରାଷ୍ଟ୍ର ହିଁ ନିଷ୍ପତ୍ତି କଲା । ବୈଜ୍ଞାନିକମାନେ ସେହି ନିଷ୍ପତ୍ତିକୁ ରୋକିପାରିଲେ ନାହିଁ । ଜାପାନର ହିରୋସୀମା ଏବଂ ନାଗାସାକୀ ଉପରେ ବୋମା ପକାଗଲା ।

 

ହଜାର ହଜାର ମଣିଷ ମଲେ, ବସତିମାନେ ଉଚ୍ଛନ୍ନ ହୋଇଗଲେ । ଇତିହାସରେ ଆଗରୁ କେବେହେଲେ ମଣିଷ ଦ୍ଵାରା ଏଡ଼େ ବଡ଼ ଅନିଷ୍ଟକାରୀ କାଣ୍ଡ ଘଟିନଥିଲା । କିନ୍ତୁ ଜର୍ମାନୀ ତା’ ପଟରୁ ଯେଉଁ ବୋମା ତିଆରି କରୁଛି ବୋଲି ପ୍ରଥମେ ଗୁଜବ ହେଉଥିଲା, ସେହି ବୋମାଟାର ପ୍ରୟୋଗ କାହିଁକି ହୋଇପାରିଲା ନାହିଁ ? ସତକଥା ହେଉଛି, ଜର୍ମାନୀରେ ସେପରି କୌଣସି ଉଦ୍ୟମ ହୋଇନଥିଲା । ଦୁଷ୍ଟ ବିଧାତା କାହିଁକି ଏଭଳି ଏକ ଗୁଜବକୁ ଆମେରିକାରେ ଆଣି ରଟାଇଦେଲେ କେଜାଣି ? ଏବେ ମଧ୍ୟ ସେହି କଥାଟିର ସମ୍ପୂର୍ଣ୍ଣ ରହସ୍ୟଭେଦ ହୋଇପାରି ନାହିଁ । ମାତ୍ର, ଏହିଠାରୁ ହିଁ ମନୁଷ୍ୟର ଏହି ପୃଥିବୀରେ ଏକ କଳାଯୁଗ ଆରମ୍ଭ ହୋଇଗଲା । ଏପରି ଏକ ଅକୀର୍ତ୍ତି ଅର୍ଜନ କରାଗଲା, ଯାହାସକାଶେ କି ପୃଥିବୀର ମଣିଷ ଆଉ କେବେହେଲେ ତା’ ବିଧାତାଙ୍କ ପାଖରେ ମୁହଁ ଦେଖାଇ ପାରିବ ନାହିଁ । ବୈଜ୍ଞାନିକ ଆଇନଷ୍ଟାଇନ ଘଟଣାଟି ପାଇଁ ନିଜକୁ ଅପରାଧୀ ବୋଲି ଅନୁଭବ କଲେ । ଗୋଟାଏ ତୁଚ୍ଛା ଗୁଜବକୁ ସିଏ କାହିଁକି ବିଶ୍ୱାସ କରିପକାଇଲେ କେଜାଣି ? ଅଥବା ତାଙ୍କ ଭିତରେ କୋଉଠି କୋଉ ଦୈତ୍ୟ ଲୁଚିକରି ରହିଥିଲା, ଯିଏକି ନିଜର ଅପକର୍ମରେ ଆଗେଇଯିବ ବୋଲି ଏକ ଅନୁକୂଳ ଗୁଜବ ନିମନ୍ତେ ଅପେକ୍ଷା କରି ରହିଥିଲା । ଆଇନଷ୍ଟାଇନ ନିଦାରୁଣ ଖେଦରେ ଭାଙ୍ଗି ପଡ଼ିଥିଲେ । ତାଙ୍କ ଭିତରେ ଥିବା ମଣିଷଟି ତାଙ୍କ ଭିତରେ ଦୁଷ୍ଟ ବିଜ୍ଞାନ-ପଣ୍ଡିତଟାକୁ ଛି ଛି କରିବାକୁ ଲାଗିଲା । ମାତ୍ର, ହଜାର ହଜାର ମଣିଷ କଦାପି ମଶାଣିରୁ ଉଠି ଆସିନଥାନ୍ତେ । ଆଇନଷ୍ଟାଇନ ମୋଟେ ନିଜକୁ କ୍ଷମା ଦେଇପାରିଲେ ନାହିଁ-। ଆଉ ଆଦୌ ନିଜ ଆଡ଼କୁ ସିଧାହୋଇ ଅନାଇ ପାରିଲେ ନାହିଁ । ସିଧାହୋଇ ଭଗବାନଙ୍କ ଆଡ଼କୁ ଅନାଇ ପାରିବା ତ ଆହୁରି ଅଧିକ ଦୂରର କଥା ।

 

ଆଇନଷ୍ଟାଇନଙ୍କର ଶେଷ ଜୀବନକାଳଟା ଘୋର ପରିତାପ ଭିତରେ କଟିଥିଲା । ସେହି ପରିତାପ ହିଁ ସମ୍ଭବତଃ ତାଙ୍କର ଆୟୁକୁ ମଧ୍ୟ ହରଣ କରି ନେଇ ଯାଇଥିଲା । ସିଏ ଆଉ ଅଧିକ ଦିନ ବଞ୍ଚି ପାରିନଥିଲେ । ଶେଷ ଜୀବନର ସେହି ଆତ୍ମସନ୍ତାପପୂର୍ଣ୍ଣ ସମୟରେ ସିଏ ଭାରି ଛଟପଟ ହୋଇ ଥରେ କହି ପକାଇଥିଲେ ଯେ ଯଦି ଆଉ ଏକ ଜନ୍ମ ପାଇ ସିଏ କେବେ ପୃଥିବୀକୁ ଆସିବେ, ତେବେ ନିଜର ପେଟ ପୋଷିବା ସକାଶେ ସିଏ ଜଣେ ଫେରିବାଲା ହେବେ ପଛକେ, ମାତ୍ର କେବେହେଲେ ବୈଜ୍ଞାନିକ ହେବେନାହିଁ । ବିଚରା ଆଇନଷ୍ଟାଇନ, ଅତ୍ୟନ୍ତ ମର୍ମଦହନକାରୀ ତାଙ୍କର ସେହି କଥାଟି ପୃଥିବୀଯାକର ରାଷ୍ଟ୍ରମାନେ ଶୁଣି ମଧ୍ୟ ଶୁଣିବାକୁ ଇଚ୍ଛା କଲେନାହିଁ । ତାଙ୍କ ନିଜ ପାଳନକାରୀ ଦେଶ ଆମେରିକାରେ ମଧ୍ୟ ରାଷ୍ଟ୍ରଟା ତାଙ୍କର କଥାଟାକୁ ସତେ ଅବା ଫୁଟକି ମାରି ଉଡ଼ାଇ ଦେଇଥିଲା । ଅଭୂତପୂର୍ବ ଶକ୍ତିମତ୍ତା ସହିତ ଆମେରିକା ତହୁଁବଳି ଓ ତହୁଁବଳି ବୋମାମାନ ତିଆରି କରି ଥୋଇଦେବାକୁ ଲାଗିଲା । ବୋମା-ଶାସ୍ତ୍ର ସତେଅବା ପକ୍ଷୀରାଜ ଘୋଡ଼ା ଉପରେ ବସି ବହୁ ଦେଶକୁ ଗଲା ଏବଂ ରାଷ୍ଟ୍ରମାନଙ୍କୁ ଜାଲ ଭିତରକୁ ଆକୃଷ୍ଟ କରି ଆଣିଲା । ରୁଷିଆ, ଇଂଲଣ୍ଡ, ଚୀନ୍, ଫ୍ରାନ୍ସ ଧାଡ଼ି ଭିତରେ ଆସି ଛିଡ଼ା ହୋଇଗଲେ । ବୋମା-ସତ୍ୟର ସଂକ୍ରମଣ ନିତାନ୍ତ ସାନ ଦେଶକୁ ମଧ୍ୟ ଉତ୍ସାହିତ କଲା । ପାରମ୍ପରିକ ଅସ୍ତ୍ରଗୁଡ଼ିକ ଦ୍ଵାରା ଆଉ ଶତ୍ରୁମାନଙ୍କୁ ପରାଭୂତ କରାଯାଇ ପାରିବ ବୋଲି ମୋଟେ ପ୍ରତ୍ୟୟ ହେଲାନାହିଁ । ଉପାଦେୟ ଉପାୟଟିଏ ଯେତେବେଳେ ପୃଥିବୀରେ ଉପଲବ୍ଧ ହେଲାଣି, ସେତେବେଳେ ବିଶେଷ ମର୍ଯ୍ୟାଦାବନ୍ତ ହୋଇ ଦିଶିବାପାଇଁ ଅଧିକରୁ ଅଧିକ ରାଷ୍ଟ୍ର ଏହି ନୂଆ କ୍ଲବ୍ଟିର ସଦସ୍ୟ ହେବାକୁ ଏକ ବିଶେଷ ପୁରୁଷାର୍ଥ ବୋଲି ମନେକଲେ ।

 

ବୋମାର ରହସ୍ୟ କେବଳ ଆମେରିକା ପାଖରେ ସୀମାବଦ୍ଧ ହୋଇ ରହିବ, ଅନ୍ୟ କୌଣସି ରାଷ୍ଟ୍ର ବୋମାର ଅଧିକାରୀ ହୋଇପାରିବେ ନାହିଁ, ସେହି ପ୍ରଥମ ବର୍ଷଗୁଡ଼ିକରେ ଆମେରିକା ରାଷ୍ଟ୍ର ସେଥିପାଇଁ କେତେ ମେହନତ କରିଥିଲା, ମାତ୍ର ଯେକୌଣସି ରାଷ୍ଟ୍ର ନିମନ୍ତେ ଏଡ଼େ ଲୋଭନୀୟ ସତ୍ୟଟି କଦାପି ଗୋଟିଏ ହାତରେ ଥୟ ହୋଇ ରହିପାରି ନଥାନ୍ତା । ବୈଜ୍ଞାନିକ ବୈଜ୍ଞାନିକଙ୍କ ମଧ୍ୟରେ ସ୍ୱାଭାବିକ ଭାବରେ ଯେଉଁ ମିତ୍ରତା ରହିଥାଏ, ଏହି କ୍ଷେତ୍ରରେ ତାହାହିଁ କାରଣ ହୋଇଥିବ । ଏହି ସନ୍ଦେହରେ ଆମେରିକା ଗୋଟିଏ ବୈଜ୍ଞାନିକ ଦମ୍ପତିକୁ ମୃତ୍ୟୁଦଣ୍ଡ ଦେଇଥିଲା । ମାତ୍ର ଚଢ଼େଇଟି ଉଡ଼ିଗଲା ପରେ ମୃତ୍ୟୁଦଣ୍ଡ ଦ୍ଵାରା ଆଉ କି ଲାଭ ବା ହୋଇଥାଆନ୍ତା ? ସେହିଦିନଠାରୁ ମାରଣାସ୍ତ୍ରଟିର କ୍ରମଶଃ ଏକ ଜଗତୀକରଣ ହେବାରେ ଲାଗିଛି । ବୋମା ମଧ୍ୟ ସେହି ହିରୋସୀମାର ସ୍ତରରେ ଆଦୌ ଅଟକି ରହିଯାଇ ନାହିଁ । ହିସାବ କରି କୁହାଗଲାଣି ଯେ, ହିରୋସୀମାରେ ପକା ଯାଇଥିବା ବୋମାରେ ଯେତିକି ତାକତ ରହିଥିଲା, ତାହାର ସଦ୍ୟତମ ସଂସ୍କରଣଟାରେ ସମ୍ଭବତଃ ସେହି ତୁଳନାରେ କେତେ ହଜାର ଗୁଣ ଅଧିକ ତାକତ ରହିଛି । ପୃଥିବୀକୁ ଧ୍ୱଂସ କରିବାର ତାକତ ବଢ଼ିବାରେ ପ୍ରକୃତରେ କେଉଁଠାରେ ଯେ ଆଦୌ କୌଣସି ଶ୍ରେୟ ନାହିଁ, ପୃଥିବୀଯାକ ସମସ୍ତେ ସେକଥା ଭଲକରି ଜାଣିଥିଲେ ମଧ୍ୟ ତଥାପି ସେହି ତାକତଟା ସତେଯେପରି କ୍ରମେ ପୃଥିବୀର ସକଳ ନୀତି ତଥା ରାଜନୀତିକୁ ନିଜ କବଳ ଭିତରେ ରଖିବା ପାଇଁ ଇଚ୍ଛା କରୁଛି । ରାଷ୍ଟ୍ର ଏବଂ ବୈଜ୍ଞାନିକମାନେ ସେଥିରେ ପୁରୋଗାମୀ ମୀମାଂସକ ହୋଇ ବାହାରିଛନ୍ତି । ଏକଦା ଜଣେ ବୈଜ୍ଞାନିକ ଅଙ୍କ କଷି ଆମକୁ କହିଛନ୍ତି ଯେ, ପୃଥିବୀରେ ବିଭିନ୍ନ ସରକାରଙ୍କର ଅସ୍ତ୍ରଅମାରରେ ବୋମା ଆକାରରେ ଯେତେ ପରମାଣୁଶକ୍ତି ଗଚ୍ଛିତ ହୋଇରହିଛି, ତାହାଦ୍ଵାରା ଏହି ପୃଥିବୀର ପ୍ରତ୍ୟେକ ଇଞ୍ଚ ଜାଗାକୁ ଥରେ କିମ୍ବା ଦୁଇଥର ନୁହେଁ, ଥରକୁ ଥର ବାଇଶିଥର ଛେଚା ଯାଇପାରିବ । ଥରେ ଛେଚିଲେ ତ କାମ ଫତେ ହୋଇଯିବ; ତଥାପି ବାଇଶିଥର କାମରେ ଲାଗିବା ଭଳି ମସଲାକୁ ମହଜୁଦ କରି ରଖାଯାଇଛି । ଏହିଭଳି ଗୋଟିଏ ମହାବିପଦକୁ ପ୍ରତିବାଦ ଜଣାଇ ପହିଲେ ଅଣୁଅସ୍ତ୍ରର ପରୀକ୍ଷା ବନ୍ଦ କରାଯାଉ ବୋଲି ଦାବି କରି ଏକ ଆନ୍ଦୋଳନ ମଧ୍ୟ ଭାରି କୁହୁଳି ଆସିଥିଲା । ସେହି ଆନ୍ଦୋଳନରେ ବର୍ଟ୍ରାଣ୍ଡ ରସେଲ ଓ ଆଲ୍ବର୍ଟ ଶ୍ୱାଇତ୍ଜର ପ୍ରଭୃତି ମହାନ ମଣିଷମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ବାବଦରେ ଶ୍ରୀଯୁକ୍ତ ରସେଲଙ୍କୁ ତ ଇଂଲଣ୍ଡରେ କାରାବରଣ କରିବାକୁ ହୋଇଥିଲା । ଏବେ ସେହି ଆନ୍ଦୋଳନ ଭିନ୍ନ ମାର୍ଗରେ କିଞ୍ଚିତ କିଞ୍ଚିତ ଚାଲିଛି ସିନା, ମାତ୍ର ସଂପୃକ୍ତ ରାଷ୍ଟ୍ର ଗୁଡ଼ିକର ବିବେକକୁ ମୋଟେ ଦୋହଲାଇ ଦେଇ ପାରୁନାହିଁ ।

 

ପୃଥିବୀର ସର୍ବାଧିକ ତାକତ ରହିଥିବା ସରକାରମାନେ ଯେତେବେଳେ ସ୍ୱୟଂ ଅପରାଧୀ, ସେତେବେଳେ ଅବଶିଷ୍ଟ ପୃଥିବୀ ପ୍ରତିବାଦର ଯେତେ ତଡ଼ାବାଡ଼ି ଉଞ୍ଚାଇଲେ ବିଶେଷ କିଛି ଫଇସଲା ହୋଇପାରୁ ନାହିଁ । ସେହି ରାଷ୍ଟ୍ରମାନେ ଆମର ପୃଥିବୀରେ ମହାଜନ ହୋଇ ବସିଛନ୍ତି- ପୃଥିବୀଯାକକୁ ଗୋଇନ୍ଦାମାନଙ୍କର ଜାଲ ପଠାଇ ସାବାଡ଼ କରି ରଖିଛନ୍ତି, ସେମାନେ ପାଳୁଥିବା ବିଜ୍ଞାନ ସେମାନଙ୍କୁ ଏହି କାର୍ଯ୍ୟପାଇଁ କୌଶଳମାନ ଯୋଗାଇ ଦେଉଛି । ସେମାନେ କେତେ ଦେଶକୁ ଅନ୍ନଠାରୁ ଆରମ୍ଭ କରି ଅସ୍ତ୍ର ପର୍ଯ୍ୟନ୍ତ ସବୁ ସାହାଯ୍ୟ କରୁଛନ୍ତି । ତେଣୁ ସେହି ରାଷ୍ଟ୍ରଗୁଡ଼ିକ ସେମାନଙ୍କୁ କିପରି ବା ଆକଟ କରି ଫଳପ୍ରଦ ଭାବରେ କ’ଣ କହିପାରିବେ ? ପ୍ରହସନଟିରେ ସବାମୂଳ କଥାଟି ରୂପେ ଯାହା କୁହାଯାଉଛି, ସେହି ତାକତ ଥିବା ରାଷ୍ଟ୍ରମାନେ ପ୍ରକୃତରେ ଯୁଦ୍ଧ ଚାହୁନାହାନ୍ତି, ଅଣୁଅସ୍ତ୍ର ତିଆରି କରିବାକୁ ମଧ୍ୟ ଚାହୁନାହାନ୍ତି, ତଥାପି ବାହାରର ଶତ୍ରୁମାନଙ୍କ ଠାରୁ ନିଜକୁ ରକ୍ଷା କରିବା ନିମନ୍ତେ କୁଆଡ଼େ ପ୍ରୟୋଜନର ଅନୁରୋଧରେ ଏହି ସବୁ ଅସ୍ତ୍ର ମହଜୁଦ କରି ରଖିଛନ୍ତି । ସେମାନେ ଯଦି ସତକୁ ସତ ଯୁଦ୍ଧ ଚାହୁନାହାନ୍ତି, ତେବେ ପୁଣି କାହାର ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଏହିସବୁ ସର୍ବନାଶକ ଅସ୍ତ୍ରକୁ ଜମାକରି ରଖିବା ଲାଗି ମନ କରୁଛନ୍ତି ? ପୃଥିବୀରେ ଅଧେ ମଣିଷ ଦରିଦ୍ର ଏବଂ ଅବହେଳିତ ଅବସ୍ଥାରେ ରହିଥିବାବେଳେ ପୃଥିବୀର ସବୁଠାରୁ ଅଧିକ ଧନ ଏବଂ ଅଧିକ ବୁଦ୍ଧି ବୋମା ତିଆରି କରିବାରେ ଏବଂ ଯୁଦ୍ଧର ଯୋଗାଡ଼ କରିବାରେ ଖରଚ କରାଯାଉଛି । ଗୋଦାମରେ ବୋମାର ଧାଡ଼ି ଜମାଇ ରଖିଥିବା ରାଷ୍ଟ୍ରମାନେ ଆଉ ଏକ ଭୂମିକାରେ ଧର୍ମବୀର ସାଜି ପୃଥିବୀର ଦେଶମାନଙ୍କୁ ସେମାନେ ଆଉ ବୋମା ତିଆରି କରିବା ଆଡ଼କୁ ଆଦୌ ଆକୃଷ୍ଟ ହେବେନାହିଁ ବୋଲି ଘୋଷଣା କରି ଦସ୍ତଖତ ଦେବାକୁ ଅନୁରୋଧ କରି ବୁଲୁଛନ୍ତି । ଦସ୍ତଖତଟା ଦେଇଦେଲେ ସତେଯେପରି ସମସ୍ତେ ସୁନା ହୋଇଯିବେ ଏବଂ ଆଉ ମୋଟେ ଅଧର୍ମ କରିବେ ନାହିଁ । ଶିକ୍ଷା, ସଭ୍ୟତା ଏବଂ ଧୋବ ପରିମଳର ଶୀର୍ଷକୁ ଉଠିଥିବା ଆମର ଏହି ପୃଥିବୀଟା ଏତିକି ପରିହାସକୁ ବୁଝିବି ପାରୁନାହିଁ ।

 

ଭାରତବର୍ଷ ଆଉ ପାକିସ୍ତାନ ଉଭୟଙ୍କ ଭିତରେ ଆଦୌ କେହି ଯୁଦ୍ଧ ଚାହୁନାହାନ୍ତି, ତଥାପି ସେମାନେ ପ୍ରାୟ ଏକ ସରାଗରେ ଇତିମଧ୍ୟରେ ପରମାଣୁ ଅସ୍ତ୍ରର ପରୀକ୍ଷା କରି ଦେଇ ସାରିଲେଣି । ସେମାନେ ଆତ୍ମରକ୍ଷା ନିମନ୍ତେ ହିଁ ତାହା କରିଛନ୍ତି । ଦୁହିଁଙ୍କ ମଧ୍ୟରୁ କେହି ଜଣେ ବି ଆରପଟ ତୁଳନାରେ ଆଦୌ ପଛୁଆ ନୁହନ୍ତି,- ସେମାନେ ସେକଥା କେଡ଼େ ଶୌର୍ଯ୍ୟର ସହିତ ପ୍ରମାଣ କରିଦେଇଛନ୍ତି । ରାମ ଓ ଆଲ୍ଲା ଜଣେ ନହୋଇ ଦୁଇଜଣ ହୋଇଥିଲେ ମଧ୍ୟ ସେମାନେ ତାଙ୍କ ଆଶ୍ରିତ ନରମାନଙ୍କର ଆଚରଣରେ ଆଚମ୍ବିତ ହୋଇ ହୁଏତ ପରସ୍ପରକୁ ଏମାନଙ୍କର ପ୍ରକୃତ ମତଲବଟା କ’ଣ ବୋଲି ପଚରା ପଚରି ହେଉଥିବେ ଏବଂ ହୁଏତ ବେଳେବେଳେ ଆଉ ସମ୍ଭାଳି ନପାରି କୁଣ୍ଢିଆକୁଣ୍ଢି ହୋଇ ବହେ ହସୁଥିବେ । ପାକିସ୍ତାନ ପ୍ରକୃତରେ କାହାର ଦରବ, ସେହି ବ୍ୟାପାରଟା ସ୍ଥିର ଭାବରେ ନିଷ୍ପତ୍ତି ହୋଇପାରି ନଥିବାରୁ ଦେଶଟା ଥରକୁ ଥର ଖାଲି ଟଳମଟଳ ହେବାରେ ଲାଗିଛି । ନିୟତିର ଚଉକୀଟା ମୋଟେ ଗୋଟାଏ ଥାନରେ ଠାକି ପାରୁନାହିଁ । ଏବଂ ଏଣେ ଭାରତବର୍ଷଟା ପରିପୂର୍ଣ୍ଣ ପରିପାଟୀରେ ପ୍ରଧାନତଃ ଲମ୍ପଟ ମାନଙ୍କର କବଳରେ ପଡ଼ି ଗୋଟାଏ ନିର୍ବାଚନ ଦ୍ଵାରା ଏ ହାତ ସେ ହାତ ହେବାରେ ଲାଗିଛି । ଉତ୍କଟ ଦୀନତା ଏବଂ ଦାରିଦ୍ର୍ୟ ଅଧେ ଲୋକଙ୍କର ଭାଗ୍ୟ ଉପରେ ବସି ଖିଙ୍କାରି ହେବାରେ ଲାଗିଛି । ବହୁବିଧ ଅସମାନତା ଉପର ଓ ତଳ ଉଭୟଙ୍କୁ ଦୁଇଟିଯାକ ଭୂମିରେ ଅନ୍ଧାରର ଶଗଡ଼ଗୁଡ଼ିକୁ ଚଲାଇବାରେ ଲାଗିଛି । ମୁଣ୍ଡରେ ଠାକୁରଙ୍କର ସିନ୍ଦୁର ମାରି ଥୋକେ ମଣିଷ ଉଭୟ ଦେଶରେ ପ୍ରବଳ ହୋଇ ବାହାରିଛନ୍ତି ଏବଂ ତଥାକଥିତ ଶାସନଘରେ ପୂରାପୂରି ଖେଳୁଛନ୍ତି । ଭଲ କଥାଗୁଡ଼ିକ ବହିରେ ଲେଖାହୋଇ ରହିଛି ଏବଂ ଭାଷଣର ହର୍ମ୍ୟମାନଙ୍କରୁ ମନ୍ତ୍ରବତ୍ ଉଚ୍ଚାରିତ ହେଉଛି । ତଥାପି ଦୁଇଟାଯାକ ରାଷ୍ଟ୍ର ଭାବୁଛନ୍ତି ଯେ ଅଣୁ ବୋମାର ସଫଳ ପରୀକ୍ଷା କେତେଟା କରିଦେଇ ସେମାନେ କେଡ଼େ ବଡ଼ ଗୌରବ ଅର୍ଜନ କରିପାରିଛନ୍ତି ଏବଂ ଲୋକସମୁଦାୟ ଗୁଡ଼ିକୁ ଜାତୀୟ ଗର୍ବବୋଧର ଗମ୍ଭୀରି ଭିତରେ ମୁଗ୍ଧ କରି ରଖିପାରିଛନ୍ତି ।

 

ଗାନ୍ଧୀଙ୍କୁ ଶରବିଦ୍ଧ କରି ମାରିଦେବା ପରେ ପାକିସ୍ତାନ ଏବଂ ଭାରତବର୍ଷ ଦୁଇଟିଯାକ ପଟର ହୋଇ ଏହି ଉପମହାଦେଶରେ କିଛି କହିପାରିବାର ବ୍ୟକ୍ତି ଆଉ ସମ୍ଭବ ହୋଇ ପାରୁନାହାନ୍ତି କାହିଁକି କେଜାଣି ? ଏକଦା ପୂରା ଭୂମିଟା ଏକ ସ୍ୱାଧୀନତା ସଂଗ୍ରାମ ଲଢ଼ି ଯେ ସମଗ୍ର ପୃଥିବୀକୁ ଚକିତ କରିଦେଇଥିଲା, ସେକଥା ସତେଅବା ଆଉ କାହାରି ହେଲେ ମନେନାହିଁ । ଗୋଟିଏ ଦେଶ ଏକ ବା ଦୁଇ ଭାଗ ହୋଇଥିଲେ ବୋଲି କ’ଣ ପରସ୍ପର ବିରୋଧରେ ଅସ୍ତ୍ରଗୁଡ଼ାକୁ ପଜାଇ ପୃଥିବୀଦାଣ୍ଡରେ ଲୋକହସା ହେବାରେ ଲାଗିଥିବେ ? ଗାନ୍ଧୀଙ୍କ ପରେ କ’ଣ ଏପଟେ ବା ସେପଟେ ରୁଷିବା ମଣିଷ ବି ଜଣେ କେହିହେଲେ ନାହାନ୍ତି ? ଗାନ୍ଧୀ ତ ରୁଷିଲେ ସେତେବେଳେ ମାଆ ବସୁନ୍ଧରାବି ଆକୁଳ ହୋଇ ଉଠୁଥିଲେ ଏବଂ ବାଉଳାମାନେ ପୁଣି ଘରକୁ ଫେରି ଆସୁଥିଲେ-! ସତ୍ୟ ତ କଦାପି ଲୁପ୍ତ ହୋଇଯାଏ ନାହିଁ ବୋଲି କାଳେ କାଳେ ଏକ ଅପବାଦ ରହିଆସିଛି । ତେବେ ଯଦି ସତ୍ୟ ରହିଛି, ତେବେ ସତ୍ୟାଗ୍ରହୀମାନେ କାହାନ୍ତି ? ଭାରତରେ କାହାନ୍ତି ଏବଂ ପାକିସ୍ତାନରେ ବି କାହାନ୍ତି ? ଯୋଉମାନେ ଅନ୍ତର ଭିତରୁ ସତକୁ ସତ ରୁଷିପାରିବେ, ଉଭୟ ପଟର ହୋଇ ପଥ ଓଗାଳି ବସିପାରିବେ ଏବଂ ପ୍ରତିବାଦ କରିପାରିବେ ? ଉପମହାଦେଶରେ ଏବେ କ୍ରମେ ଏପରି ଏକ ମୁହୂର୍ତ୍ତ ଆସି ଉପସ୍ଥିତ ହେଲାଣି, ଯେତେବେଳେ କି ଖାଲି ଏପଟର କିମ୍ବା ଖାଲି ସେପଟର ହୋଇ କହୁଥିବା ମଣିଷଙ୍କର କଥାଗୁଡ଼ାକ କାଳର ପରୀକ୍ଷାଗାରରେ ଆଉ ମୋଟେ କାମ ଦେବନାହିଁ । ଯେଉଁ ଜାଗ୍ରତ ମନୁଷ୍ୟମାନେ ଏପଟେ ବା ଆରପଟେ ରହିଛନ୍ତି, ସେମାନେ ଉଭୟ ପଟର ହୋଇ କାହିଁକି କଥା କହିପାରୁ ନାହାନ୍ତି ? ସେମାନେ କାହିଁକି ଆତ୍ମଗୋପନ କରି ରହିଛନ୍ତି ? ଗାନ୍ଧୀପରି ରୁଷି ନପାରିଲେ ସେମାନେ ଅନ୍ତତଃ ଆଇନଷ୍ଟାଇଙ୍କ ପରି ତ ରୁଷି ପାରନ୍ତେ-। ସେତିକି ମଧ୍ୟ ମୋଟେ କମ୍ କାମ ଦିଅନ୍ତା ନାହିଁ । ତାହାରି ଦ୍ୱାରା ହୁଏତ ଦୁଇଟିଯାକ ଦେଶକୁ ସେହି ଆଗପରି ଗୋଟିଏ ଉପମହାଦେଶ ରୂପେ ଅନୁଭବ କରିବାର ସାହସ ମିଳିଯାଆନ୍ତା । କହୁଣୀକୁ ବୋହିଯାଇଥିବା ଗୁଡ଼ଟା ହୁଏତ ପୁନର୍ବାର ନେଡ଼ିଯାଏ ଫେରି ଆସିବାର କିଞ୍ଚିତ ବଳ ପାଆନ୍ତା । ଧରଣୀ ଶାନ୍ତ ହୁଅନ୍ତା । ଅନ୍ତରୀକ୍ଷ ବି ସ୍ଥିର ହୋଇ ଆସନ୍ତା ।

Image

 

ବାତ୍ୟାରେ ବିବେକ ଉଡ଼ିନଯାଉ

 

୧୯୩୪ ମସିହାରେ ଉତ୍ତର ବିହାରରେ ଏକ ଭୟାବହ ଭୂମିକମ୍ପ ହୋଇଥିଲା । କ୍ଷୟକ୍ଷତି ଅଭାବନୀୟ ପରିମାଣରେ ଘଟିଥିଲା । ମହାତ୍ମା ଗାନ୍ଧୀ ସେତେବେଳେ ଦେଶରେ ହରିଜନ ଆନ୍ଦୋଳନ ଚଳାଉଥିଲେ । ଅଛୁଆଁ ଜାତିରେ ଜନ୍ମ ହୋଇଥିବା ଲୋକେ ଯେ ତଥାପି ମଣିଷ ଏବଂ ଏକ ନିର୍ଦ୍ଦିଷ୍ଟ ସମାଜରେ ଯେ ସେମାନଙ୍କୁ ନାନା ଅପମାନ ଭିତରେ ବାଧ୍ୟ କରି ରଖାଯାଇଥାଏ, ମହାତ୍ମାଜୀ ଦେଶଯାକ ବୁଲି ସେହି ବାର୍ତ୍ତା ପ୍ରଚାର କରୁଥାନ୍ତି । ସବର୍ଣ୍ଣ ହିନ୍ଦୁମାନଙ୍କର ବିବେକକୁ ଜାଗୃତ କରୁଥାଆନ୍ତି । ଭୂମିକମ୍ପର ଦାରୁଣ ଘଟଣାଟିକୁ ମଧ୍ୟ ସେ ଏହି ପ୍ରଚାରରେ ବ୍ୟବହାର କରିବାକୁ ଉଚିତ ମନେ କରିଥିଲେ । ସିଏ କହିଲେ, ଭାରତବର୍ଷର ହିନ୍ଦୁ ସମାଜ ସେହି ସମାଜରେ ବାସ କରୁଥିବା ଏତେ କୋଟି ମନୁଷ୍ୟଙ୍କୁ ଯେ ଅଚ୍ଛବ କରି ରଖିଛି, ସେହି ଅପରାଧର ଶାସ୍ତି ସ୍ୱରୂପ ଈଶ୍ୱର ଦେଶରେ ଏଡ଼େ ବଡ଼ ଭୂମିକମ୍ପଟିଏ ଘଟାଇଛନ୍ତି । ତେଣୁ ଉଚ୍ଚବର୍ଣ୍ଣ ହିନ୍ଦୁମାନେ ବିବେକକୁ ଫେରି ଆସନ୍ତୁ । ସବୁ ମଣିଷଙ୍କୁ ମଣିଷ ବୋଲି ଗଣନ୍ତୁ । ଗାନ୍ଧିଜୀଙ୍କର ଏପରି ଚେତାଇ ଦେବାର ପରିଣାମ ଦ୍ଵାରା ହିନ୍ଦୁ ଉଚ୍ଚବର୍ଗମାନେ କେତେଦୂର ସେମାନଙ୍କର ପୁରୁଣା ରୋଗଟାକୁ ଛାଡ଼ିଥିଲେ, ସେ କଥା ହିସାବ କରି ଆଦୌ କେହି କହିପାରିବ ନାହିଁ । ଭଗବାନ କ’ଣ ମଣିଷମାନଙ୍କୁ ପ୍ରକୃତରେ ଶାସ୍ତି ଦିଅନ୍ତି ? ଯିଏ ଭଗବାନଙ୍କର ଧାରାରେ ନ ରହୁଛି, ତାକୁ କ’ଣ ସିଏ ସତକୁ ସତ ଧମକ ଦେଇ ଧାରାକୁ ଆଣନ୍ତି ? କେଜଣି କ’ଣ ହୋଇଥିବ ?

 

ମହାତ୍ମା ଗାନ୍ଧୀଙ୍କର ସେହି ଚେତାବନୀଟି ବିଷୟରେ ଚିନ୍ତା କଲାବେଳକୁ ଆମ ମାଳିକାଗୁଡ଼ିକର କଥା ମଧ୍ୟ ମନେପଡ଼ି ଯାଉଛି । ମାଳିକାମାନଙ୍କରେ ଧମକ ଦେଲାପରି କେତେ କ’ଣ କୁହାଯାଇଛି । ମଣିଷମାନେ ମାର୍ଗକୁ ନ ଆସିଲେ କୌଣସି ସ୍ୱର୍ଗବାସୀ ଈଶ୍ୱରଙ୍କର କ୍ରୋଧର ଶିକାର ହେବେ ବୋଲି ପ୍ରାୟ ସବୁ ଧର୍ମରେ ଅଳ୍ପ ବା ବହୁତ ପରିମାଣରେ କୁହାଯାଇଛି । ସେହି ଔଷଧଟା ଆମ ପୃଥିବୀରେ କେତେ ପରିମାଣରେ କାଟୁ କରିଛି ବା ନ କରିଛି ସେକଥା କିଏ ଉଚିତ ଓଳମଗୁଡ଼ିକୁ ଧରି କହିପାରିବ ? ତଥାପି ପୃଥିବୀ ପାଇଁ ମହାଭାଗ୍ୟର କଥା ଯେ, ବିଶ୍ୱାସରେ ହିଁ ଏଠି ବହୁତ କିଛି ସତ୍ୟର ମର୍ଯ୍ୟାଦା ପାଇ ଆସିଛି, ଯାହା ପାଖରେ ଆମ ଏକାଳର ଜ୍ଞାନବିଜ୍ଞାନ ପରାଭୂତ ପ୍ରାୟ ହୋଇ ରହି ଆସିଛି । ଓଡ଼ିଶା ଉପରେ ଏବେ ଯେଉଁ ବାତ୍ୟା ବୋହିଗଲା, ସେଇଟା କ’ଣ ମଣିଷମାନଙ୍କୁ ସେମାନଙ୍କର କୌଣସି ଦୋଷ ବା ଅପରାଧ ପାଇଁ ଭୋଗିବାକୁ ପଡ଼ିଲା ? ଏବେ ମଧ୍ୟ ଆମର ଏଠି ଅନେକ ବୁଝିବା ଶୁଝିବା ମଣିଷ ଅବଶ୍ୟ ରହିଛନ୍ତି, ଯେଉଁମାନେ କି ଗୋଟାପଣେ ଭାବୁଥିବେ ଯେ, ଏହି ଯୁଗଟାରେ ମଣିଷମାନେ ଯେଉଁ ଅନାଚାରଗୁଡ଼ାକ କରୁଛନ୍ତି, ତାହାରି ଫଳସ୍ୱରୂପ ପୃଥିବୀକୁ ଏତେ ହରକତ ଭୋଗ କରିବାକୁ ପଡୁଛି । ହୁଏତ ଏପରି ବି ହୋଇପାରେ ଯେ, ଯେଉଁମାନେ ସ୍ୱୟଂ ନାନା ଅନ୍ୟାୟ କରୁଛନ୍ତି, ଶଠ ଆଚରଣ କରି ଯୁଗଟାକୁ ଅଣ୍ଟି ଭିତରେ ମାଡ଼ି ବସିଛନ୍ତି, ସେମାନେ ମଧ୍ୟ ଏହି କଥାମାନ କହୁଛନ୍ତି ଓ ସେଥିରୁ କିଞ୍ଚିତ ଉଶ୍ୱାସ ମଧ୍ୟ ଅନୁଭବ କରୁଛନ୍ତି । ପୂର୍ବକାଳର ଅତ୍ୟାଚାରୀ କେତେ କେତେ ରାଜା ମଧ୍ୟ ସଭାରେ ପଣ୍ଡିତମାନଙ୍କ ମୁହଁରୁ ଏହିସବୁ ସାଧୁବଚନ ଶୁଣୁଥିଲେ ଏବଂ ପାପଗୁଡ଼ାକ ଧୋଇ ହୋଇ ଯାଉଥିବା ଭଳି ଅନୁଭବ କରୁଥିଲେ । ଠିକ୍ ସେହି ପରମ୍ପରାଟି ଏକାବେଳେକେ ଆମର ଏଯାଏ ମଧ୍ୟ ଚାଲିଆସିଛି ଓ ଆମ ବିବେକକୁ ଶାନ୍ତି ପ୍ରଦାନ କରିପାରୁଛି ।

 

ଅସଲ ବିବେକଟା କହୁଛି, ବିଗତ ୫୦ ବର୍ଷ ଭିତରେ ଯେଉଁ ଅବିବେକ ଆମ ଦେଶର ରାଷ୍ଟ୍ରୀୟ ଜୀବନ ଉପରେ ରାଜା ପରି ବସିରହି ଆସିଛି, ସମ୍ଭବତଃ ତାହା ହିଁ ଏହି ଦେଶକୁ ବିପର୍ଯ୍ୟୟ ପରେ ବିପର୍ଯ୍ୟୟକୁ ଡାକିନେଇ ଆସୁଛି । ପଚାଶ ବର୍ଷ ଗତ ହୋଇଯିବା ପରେ ମଧ୍ୟ ଆମ ଚାରିପାଖରେ କୋଟି କୋଟି ମନୁଷ୍ୟ ବଡ଼ ଅସହାୟ ହୋଇ ରହିଛନ୍ତି । ଦାରିଦ୍ର୍ୟର ଦୂରୀକରଣ ସକାଶେ କୋଟି କୋଟି ଖରଚ ହେଉଛି । ତଥାପି ଦାରିଦ୍ର୍ୟ ଯାଉନାହିଁ । ଦେଶର ଦୁର୍ଗତ ପିଲାମାନେ ଦି’ ଅକ୍ଷର ପାଠ ପଢ଼ିବେ ବୋଲି କୋଟି କୋଟି ଟଙ୍କାର ବରାଦ ହୋଇଛି । ତେବେ ସୁଦ୍ଧା ପିଲାଙ୍କ ଉପରୁ ଦୁର୍ଗତି ଯାଇନାହିଁ । କୋଟି ପରିମାଣରେ ପଇସା ଖରଚ ହୋଇ ବଡ଼ମଥାମାନଙ୍କର ଗଣିତ ଅନୁସାରେ ନଈ ନାଳ ବନ୍ଧା ହୋଇଛି, ଫସଲ ଅମଳ ପନ୍ଦରଗୁଣ ବୃଦ୍ଧି ପାଇଛି, ବନ୍ୟା, ବେକାରୀ, ବାତ୍ୟା ପ୍ରଭୃତି ପାରମ୍ପରିକ ବିପଦକୁ ଏଡ଼ାଇ ରଖିବା ନିମନ୍ତେ କେତେ ଖାନଦାନୀ ପ୍ରଚେଷ୍ଟା କରାଯାଇଛି । ତଥାପି ଦୁଃଖମାନେ ଗୁରାଇ ତୁରାଇ ହୋଇ ଲାଗି ରହିଛନ୍ତି । ଅଳପ ମଣିଷ ନିର୍ମଳ ଅବିବେକ ସହିତ ବହୁତଙ୍କ ଉପରେ ଘୋଡ଼ା ଚଢ଼ି ବସିଛନ୍ତି ଏବଂ ଦେଶଟାକୁ ଖାଇଯାଉଛନ୍ତି ।

 

ଶାସନ ମାଧ୍ୟମରେ ଖାଇ ଯାଉଛନ୍ତି, ରାଜନୀତି ମାଧ୍ୟମରେ ଖାଇ ଯାଉଛନ୍ତି, ସାହିତ୍ୟର ମାଧ୍ୟମରେ ଏବଂ ଶିକ୍ଷାର ମାଧ୍ୟମରେ ଖାଇ ଯାଉଛନ୍ତି । କାଠ, ପଥର, ଆକାଶ, ପୃଥିବୀ ଦଶଦିଶ ଈଶ୍ୱର ଭର୍ତ୍ତି ହୋଇ ରହିଛନ୍ତି ବୋଲି ଧର୍ମର ଚୋକଡ଼ ଖାଇ ବଞ୍ଚିଥିବା ଗୁରୁମାନେ ପ୍ରବଚନ ଦେବାରେ ଲାଗିଛନ୍ତି, ଅଥଚ ଯେକୌଣସି ସୁସ୍ଥ ଚେତନାର ନ୍ୟାୟ ଅନୁସାରେ ମଣିଷ ଯେ ସବାଆଗ ଅନ୍ୟ ମଣିଷଙ୍କ ଭିତରେ ଈଶ୍ୱରଙ୍କୁ, ଇଜ୍ଜତକୁ ଏବଂ ସତ୍ୟକୁ ସ୍ୱୀକୃତି ଦେବ, ସେହି କଥାଟିକୁ ସତେ ଅବା ଲୁଚାଇ ରଖାଯାଇଛି । ସମ୍ଭବତଃ ସେହି କାରଣରୁ ମଧ୍ୟ ଆମ ରାଷ୍ଟ୍ର ସବୁ ମଣିଷଙ୍କୁ ନାଗରିକର ମର୍ଯ୍ୟାଦା ମୋଟେ ନ ଦେବା ନିମନ୍ତେ ଆବଶ୍ୟକ ପ୍ରତ୍ୟୟଗୁଡ଼ିକୁ ପାଇଯାଇଛି । ଆମ ରାଷ୍ଟ୍ରୀୟ ଦରବାର ମାନଙ୍କରେ ବଳୀୟାର ବଳିବର୍ଦ୍ଦମାନେ ଯେ ପ୍ରାୟ ପ୍ରତ୍ୟେକେ ଗୋଟାଏ ଗୋଟାଏ ଗୁରୁଙ୍କୁ ଆଶ୍ରା କରିଛନ୍ତି, ଥିର ହୋଇ ତାମସାଗୁଡ଼ିକ ଉପରେ ଆଖି ବୁଲାଇ ଆଣିବା ମାତ୍ରକେ ସେହି କଥାଟି ହିଁ ପୂରା ଧରାପଡ଼ି ଯାଉଛି । ଏଠି ସତକୁ ସତ ଦେଶଟାଏ ଚାଲିଛି, ସମୂହଟାଏ ଚାଲିଛି ନା ତାମସାଗୁଡ଼ିକ ଚାଲିଛି, ଭିତରୁ ବିବେକ ପରି ଦେଖା ଯାଉଥିବା କ’ଣ ଗୋଟାଏ ବାରମ୍ବାର ସେହି ପ୍ରଶ୍ନଟିକୁ କରିବା ଲାଗି ଇଚ୍ଛା କରୁଛି ।

 

ବାତ୍ୟା ଏବଂ ବନ୍ୟା ପରେ ଆମ ଖବରକାଗଜ ଗୁଡ଼ିକର ସାମ୍ବାଦିକମାନେ ପୂରାପୂରି କବି ପାଲଟି ଯାଇଛନ୍ତି । ସେମାନେ କି ଚମତ୍କାର ଭାଷାର ବିଭବ ଦେଇ ପ୍ରପୀଡ଼ିତ ଅଞ୍ଚଳର ଦୁର୍ଦ୍ଦଶାକୁ କବି ପାଲଟି ବର୍ଣ୍ଣି ପାରୁଛନ୍ତି । ଶବ୍ଦଗୁଡ଼ିକୁ ବ୍ୟବହାର କରି କାବ୍ୟିକତାର ମୈଥୁନ କରିବାରେ ଲାଗିଛନ୍ତି । ଏଥିରୁ ସେମାନେ ସତେଅବା କେତେ ନା କେତେ ଆନନ୍ଦ ଲାଭ ଅବଶ୍ୟ କରୁଥିବେ । ଏହାକୁ ସେମାନେ ସତେଅବା ଆମ ନେତାମାନଙ୍କର ଅନୁକରଣ କରି ଏକ ପ୍ରାକୃତିକ ବିପଦ ବୋଲି କହୁଛନ୍ତି । ପ୍ରକୃତିର ପ୍ରକୋପ ହେତୁ ଏତେ ଏତେ ଅଞ୍ଚଳର ଧନୀ ଓ ଦରିଦ୍ର ସମଦଶାପନ୍ନ ହୋଇଛନ୍ତି ବୋଲି ସେମାନେ ସାମ୍ବାଦିକତା-ଧର୍ମର ଯାବତୀୟ ଅଳଙ୍କାର ଲଗାଇ ହୁରି ପକାଇବାରେ ଲାଗିଛନ୍ତି । ଓଡ଼ିଶାରେ ଯେତେବେଳେ ବନ୍ୟା ବା ବାତ୍ୟା ହୁଏ, ସେତେବେଳେ ପାଠୁଆ ଓ ଥିଲା ଲୋକମାନେ ପଣ୍ଡିତ ଗୋପବନ୍ଧୁଙ୍କୁ ମନେପକାନ୍ତି । ଗୋପବନ୍ଧୁଙ୍କ ଭଳି ଗରିବଙ୍କ ପାଇଁ ଜଣେ ବନ୍ଧୁ ଆଉ କେହି କେବେହେଲେ ମିଳିବେ ନାହିଁ ବୋଲି ସେମାନେ ପ୍ରାୟ ଏକ କାତର ଶବ୍ଦମଞ୍ଜୁଳତା ପ୍ରୟୋଗ କରି କହନ୍ତି । ସେହି ମର୍ମରେ କବିତା ଲେଖନ୍ତି । ଗୋପବନ୍ଧୁଙ୍କୁ ଆଉଥରେ ଉତ୍କଳ ଭୂମିକୁ ପଠାଇବା ନିମନ୍ତେ ଭଗବାନଙ୍କ ପାଖରେ ନିବେଦନ କରନ୍ତି । ପଣ୍ଡିତ ଗୋପବନ୍ଧୁ ଚୂଡ଼ା ଓ ଚାଉଳ ଧରି ବନ୍ୟାଞ୍ଚଳକୁ ଯାଉଥିବା ସମୟରେ ଏଠାରେ ବିଦେଶୀ ଶାସନ ରହିଥିଲା । ଗୋପବନ୍ଧୁ ନିଜର କବିତାରେ ପ୍ରଜାଙ୍କର ମତରେ ଶାସନ ଚାଲିବ ବୋଲି ସମଗ୍ର ଭାରତବର୍ଷ ବିଷୟରେ ଉଜ୍ଜ୍ୱଳ ସ୍ଵପ୍ନମାନ ଦେଖିଥିଲେ । ଦେଶ ସ୍ଵାଧୀନ ହେବାର କୋଡ଼ିଏ ବର୍ଷ ପୂର୍ବରୁ ସେ ଏଠୁ ବିଦାୟ ନେଇ ଚାଲିଗଲେ । ଗୋପବନ୍ଧୁ ନାମକ ଖାସ୍ ଡ଼ିହର କର୍ତ୍ତାମାନେ ପ୍ରାୟ ସେହି ପରମ୍ପରାଟିକୁ ରକ୍ଷାକରି ଓଡ଼ିଶାରେ ବନ୍ୟା ବେଳେ ତ୍ରାଣ ସାମଗ୍ରୀ ବାଣ୍ଟି ଆସିଛନ୍ତି । ବଦାନ୍ୟ ବ୍ୟକ୍ତିମାନଙ୍କୁ ମୁକ୍ତହସ୍ତ ହୋଇ ଦାନ କରିବା ନିମନ୍ତେ ନିବେଦନ କରାଯାଇଛି ଏବଂ ଦୁର୍ଗତମାନଙ୍କର ସାହାଯ୍ୟ କରିବା ନିମନ୍ତେ ନାନାବିଧ କର୍ମକ୍ରିୟା କରାଯାଇଛି । ପଣ୍ଡିତ ଗୋପବନ୍ଧୁ ଯଦି ଏବେ ମଧ୍ୟ ଆମ ଭିତରେ ଥାଆନ୍ତେ, ତେବେ ବାତ୍ୟାଜନିତ ପ୍ରଳୟଟାକୁ ଦେଖି କିଭଳି ପ୍ରତିକ୍ରିୟା ବ୍ୟକ୍ତ କରିଥାଆନ୍ତେ କେଜାଣି ? ଗୋପବନ୍ଧୁଙ୍କର ହିସାବ ଅନୁସାରେ, ପ୍ରଜାର ମତରେ ଯଦି ଓଡ଼ିଶା ବା ଭାରତବର୍ଷ ଗଢ଼ା ହୋଇଥାନ୍ତା, ତେବେ ବଦାନ୍ୟ ବ୍ୟକ୍ତିମାନଙ୍କୁ ହୁଏତ ଦୁର୍ଗତ ମନୁଷ୍ୟମାନଙ୍କ ସକାଶେ ଏତେ ମଥା ଘୁରାଇବାକୁ ପଡୁନଥାନ୍ତା ।

 

ବାତ୍ୟା ଅବଶ୍ୟ ପ୍ରକୃତିକୃତ । ମାତ୍ର ବାତ୍ୟାରେ ହଜାର ହଜାର ମଣିଷ ଏପରି ଲାଞ୍ଛନା ସହକାରେ ଦୁର୍ଗତି ଭୋଗିବା, ଏଇଟା କ’ଣ ପ୍ରକୃତିର ବରାଦ ବା ଭଗବାନଙ୍କର କ୍ରୋଧ ? ଅବିବେକୀମାନେ ସିଆଡ଼େ କୌଣସି ଚିନ୍ତା କରିବା ଲାଗି ଆଦୌ ପସନ୍ଦ କରିବେ ନାହିଁ । ଭାଗ୍ୟବାଦୀ ଏହି ଦେଶଟାରେ ଯେଉଁମାନେ ଭାଗ୍ୟଶାଳୀ ହୋଇ ରହିଛନ୍ତି, ସେମାନେ ଆଦୌ ଏଡ଼େ ନିର୍ବୋଧ ନୁହନ୍ତି ଯେ ସେହି କଥାଟାକୁ ନେଇ ଆଦୌ କୌଣସି ଆଲୋଚନାର ଅବସରଟିଏ ପାଇଁ ଏକ ସୁଯୋଗ ଦେବେ । ଏବଂ, ଆମ ତଥାକଥିତ ସମ୍ବାଦମାଧ୍ୟମ ଗୁଡ଼ିକ ଧର୍ମତଃ ଭାଗ୍ୟଶାଳୀମାନଙ୍କର ମାହାଲ ହୋଇ ରହିଥିବାରୁ ସେମାନଙ୍କର ଦାନା ଖାଉଥିବା ସାମ୍ବାଦିକ ପୁଏ ମଧ୍ୟ କଦାପି ସେହି ଅରମା ଭିତରେ ପଶିବେ ନାହିଁ । ସେମାନେ ସତେଅବା ସମ୍ବାଦଭୋଜୀ ମାନଙ୍କର ମନୋରଞ୍ଜନ ସକାଶେ ତେଣୁ ପ୍ରଳୟ ଭିତରୁ ରଙ୍ଗୀନ ଚିତ୍ରମାନ ଉଠାଇ ପ୍ରତ୍ୟହ ପରିବେଷଣ କରି ଦେଉଥିବେ । ଓଡ଼ିଶା ତ ଚିରଦିନ ପାଇଁ କାଙ୍ଗଳ ହୋଇ ରହିଥିଲା, ଏଣିକି ମହାକାଙ୍ଗାଳ ହୋଇଗଲା ଏବଂ ତେଣୁ ଦିଲ୍ଲୀର ବଡ଼େ ଦିଲ୍ବାଲାମାନେ ଏହାକୁ ଜାତୀୟ ଦୁର୍ବିପାକ ବୋଲି ଘୋଷଣା କରନ୍ତୁ ବୋଲି ହୁଙ୍କାର ଦେଇ କହୁଥିବେ । ଜାତୀୟ ଦୁର୍ବିପାକ ବୋଲି ଘୋଷିତ ହେଲେ ଏହି ବିପନ୍ନତାଟିର ବାହାନାରେ ବିଦେଶର କୁବେରପତିମାନେ ମଧ୍ୟ କୁଢ଼ କୁଢ଼ ସାହାଯ୍ୟ ଆଣି ଓଡ଼ିଶା ପାଇଁ ଗଦା କରିଦେବେ ବୋଲି ରାଜନୀତିର ସରବରାକାରମାନେ ବୁଦ୍ଧିଆ ବନ୍ଧୁମାନଙ୍କ ପରି ଆମ ସ୍ଥାନୀୟ ମୂଷିକମାନଙ୍କୁ ଉତ୍ସାହିତ କରିବାରେ ଲାଗିଥିବେ । ରାଜନୀତି ଘରେ କୌରବ ଓ ପାଣ୍ଡବମାନେ କେତେ ରଙ୍ଗରେ ଖୁରି ଖୁଆଖୋଇ ହେଉଥିବେ । ଭାବପ୍ରବଣତାର ସ୍ନେହ (ତୈଳ) ଦେଇ ଅସଲ ବିବେକ ଅର୍ଥାତ୍ ଅସଲ କ୍ରୋଧଗୁଡ଼ିକୁ ସାଉଁଳିଆ କରି ରଖିବାର ଭୀମପ୍ରୟା ସମାନ ଲାଗିଥିବ । ଏବଂ, ସାଆନ୍ତମାନଙ୍କର ଛୁଆମାନେ ଉଡାଜାହାଜରେ ଶୂନ୍ୟରୁ ପଡ଼ିବ ବୋଲି କେତେ ମମତାରେ ଅନ୍ନ ପୁଡ଼ିଆଗୁଡ଼ିକୁ ବାନ୍ଧି ଦେଉଥିବେ-। ସମୟ ସବୁ ଶୀତଳ କରିଦେବ । ଇସ୍କୁଲ କଲେଜ ପୁଣି ଖୋଲିବ । ଏବଂ, ଅବିବେକ ପୁଣି ରାଜା ହୋଇ ଶାସନ କରିବ ।

 

ଧନୀଦେଶ ଆମେରିକାର କେତେଟା ରାଜ୍ୟରେ ବରଷକେ ସାତଥର ବୟାର ବୋହୁଥିବ । ଘରେ ପାଣି ପଶିଯାଏ, କ୍ଷେତ ଉଜୁଡ଼ିଯାଏ । ତଥାପି ମଣିଷମାନେ କଦାପି ଡ଼ହଳବିକଳ ହୋଇ ମରନ୍ତି ନାହିଁ । ସମୁଦ୍ର ମାଡ଼ିଆସେ, ଭସାଇନିଏ, ମାତ୍ର ତାହା ପୂର୍ବରୁ ହିଁ ମଣିଷମାନେ ନିରାପଦ ଜାଗାମାନଙ୍କୁ ଚାଲି ଯାଇଥାଆନ୍ତି । ପାଣି ଛାଡ଼ିଗଲେ ସେମାନେ ପୁନର୍ବାର ଘରକୁ ଫେରନ୍ତି, ସଂସାରକୁ ନୂତନ କରି ଗଢ଼ନ୍ତି । ପ୍ରଶାନ୍ତ ମହାସାଗରର ଦ୍ୱୀପମାନଙ୍କରେ ଚାରି ଋତୁଯାକ ସାମୁଦ୍ରିକ ତୋଫାନ ଆସେ । ଯେତିକି ଉଜୁଡ଼ିଯାଏ, ଦି’ ସେତିକି ପୁନର୍ବାର ଗଢ଼ାହୁଏ । ମଣିଷ ଆଉ ପ୍ରକୃତି ଭିତରେ ଏହି ଯୁଦ୍ଧଗୁଡ଼ାକ କୋଉ ଆବହମାନ କାଳରୁ ଲାଗି ଆସିଛି । ଆଗେ ପ୍ରକୃତି ଆଗରେ ମଣିଷମାନେ ଅସହାୟ ହୋଇ ରହିଥିଲେ । ଝଡ଼ ତୋଫାନକୁ ପାରୁନଥିଲେ, ରୋଗ ବଇରାଗକୁ ପାରୁନଥିଲେ । ଥରେ ସେହି ମଧ୍ୟଯୁଗରେ ଇଉରୋପରେ ମହାମାରୀ ଲାଗିଥିଲା ଯେ ତିନିଭାଗରୁ ଭାଗେ ମଣିଷ ପୋଛି ହୋଇଗଲେ । ସେତେବେଳେ ମଧ୍ୟ ଧର୍ମଗୁରୁମାନେ ସେହି କଷଣ-ଭୋଗକୁ ଭଗବାନଙ୍କର କ୍ରୋଧ ବୋଲି କହିଥିବେ । ଆଜି ସେସବୁ ଅତୀତର କାହାଣୀ ହୋଇ ରହିଛି । ମଣିଷ ଆଉ ପ୍ରକୃତିର ଯୁଦ୍ଧରେ ମଣିଷ ଜିତୁଛି,- ପ୍ରତିକାର କରିପାରୁଛି । ସେଠି ବିଜ୍ଞାନ ଅର୍ଥାତ୍ ନୂତନ ଜ୍ଞାନ ବିବେକର ସହିତ ମଣିଷର ପରିଚର୍ଯ୍ୟାରେ ଲାଗିପାରୁଛି । ଯଦି ଜଣେ ନାଗରିକର ଘର ବୀମା ହୋଇଥିବ, ମଟରଗାଡ଼ି ବୀମା ହୋଇଥିବ, କ୍ଷେତରେ ଫସଲ ବୀମା ହୋଇଥିବ, ତେବେ ପ୍ରାକୃତିକ ପ୍ରକୋପ ଦ୍ଵାରା ଯାହା ଯେତେବେଳେ ଉଜୁଡ଼ି ଅବା ଯାଉଥିବ, ହୁଏତ ଦକ୍ଷତର ଭାବରେ ତାହା ପୂରଣ ହୋଇପାରୁଥିବ । ପୃଥିବୀରେ ଏତେ ବୁଦ୍ଧି, ଏତେ ଉପାୟ ଏବଂ ଏତେ ସଚେତନତା ଥାଉ ଥାଉ ମଣିଷମାନଙ୍କର ରକ୍ଷା ପାଇଁ ଦୟାଳୁମାନଙ୍କୁ କାହିଁକି ଡାକରା ପଡ଼ିବ ? ଭାରତବର୍ଷରେ ଦୟାଳୁମାନଙ୍କୁ ବାରବାର କାହିଁକି ଏତେ ଦାୟିତ୍ଵ ମୁଣ୍ଡାଇବାକୁ ପଡୁଥବ ଏବଂ ଦୟାଳୁ ହୋଇପାରିବା ସକାଶେ ଏତେ ଦୁରାତ୍ମ ହେବାକୁ ମଧ୍ୟ ପଡୁଥିବ ?

 

ବିଗତ ଅଧଶତାବ୍ଦୀ ମଧ୍ୟରେ ଭାରତବର୍ଷରେ ବିଜ୍ଞାନ ବାବଦରେ କେତେ କ’ଣ ଖରଚ ହୋଇଛି । ଅଳପ ମଣିଷ ଉଚ୍ଚ ପାଠ ପଢ଼ି ଉଚ୍ଚରେ ରହିବେ ବୋଲି କେତେ ଭଳି ପାଠ ପଢ଼ିଛନ୍ତି । ପାଠ ପଢ଼ିଥିବା ଅନୁସାରେ ଦରମା ମଧ୍ୟ ପାଇଛନ୍ତି । ଏବଂ, ସେହି ପାଠ ଓ ସେହି ବିଜ୍ଞାନ ଦ୍ଵାରା ଅସହାୟ ମଣିଷମାନଙ୍କର ପ୍ରକୃତରେ କେଉଁ ଲାଭ ହୋଇଛି ? ଭାରତବର୍ଷକୁ ଶକ୍ତିଶାଳୀ କରିବା ନିମନ୍ତେ ବିଶେଷ ମୁଣ୍ଡମାନେ ବୋମା ତିଆରି କରିବାର ରହସ୍ୟଟାକୁ ପରୀକ୍ଷା କରି ଦେଖାଇ ଦେଇଛନ୍ତି; ମାତ୍ର, ଏହି ଦେଶର ସର୍ବନିମ୍ନ ସ୍ତରଟା ଟାଣ ହୋଇ ତିଆରି ହେବ, ଅର୍ଥାତ୍ ଦେଶର ସବୁ ମଣିଷଙ୍କୁ ବିଚାରକୁ ନିଆଯାଇ ଯାବତୀୟ ବ୍ୟବସ୍ଥା ହୋଇପାରିବ, ସେହି ଦିଗରେ ପ୍ରାୟ ନିର୍ଭରଯୋଗ୍ୟ ଭାବରେ କିଛି ହୋଇପାରିନାହିଁ କାହିଁକି ? ସବୁ ପିଲା ଇସ୍କୁଲକୁ ଆସି ପାରିନାହାନ୍ତି, ସବୁ ସମର୍ଥ ମଣିଷଙ୍କ ପାଇଁ କାମ ଓ ରୋଜଗାରର ଯୋଜନା ହୋଇପାରିନାହିଁ । ଅଧିକ ମଣିଷ ଯେଉଁ ଭାଷାକୁ ବୁଝନ୍ତେ, ଉପର ମଣିଷମାନେ ସେହି ଭାଷାକୁ ଅବହେଳା କରିବାକୁ ହିଁ ପରିପୂର୍ଣ୍ଣ ପ୍ରଶ୍ରୟ ଦିଆଯାଇଛି । ଦେଶର ଶାସନ ଯଥେଷ୍ଟ ସଦିଚ୍ଛା ଓ ସାଧୁତା ସହିତ ଯଥେଷ୍ଟ ତଳଯାଏ ଆସିବାକୁ ରାଜି ହୋଇନାହିଁ । ପ୍ରତିନିଧିମାନେ ନିର୍ବାଚିତ ହୋଇ ଭାଡ଼ି ଉପରକୁ ଚଢ଼ିଯିବା ମାତ୍ରକେ ସର୍ବଗିଳା ପାଲଟି ଯାଇଛନ୍ତି । ରାଜନୀତିକ ଇଚ୍ଛାର ସର୍ବବିଧ ପରିମଳକୁ ସେମାନେ ଚୂଲି ଭିତରକୁ ଫିଙ୍ଗି ଦେଇଛନ୍ତି । ସରକାର କହିଲେ ଲୋକ-ବିବେକରେ ଅନେକତଃ ଏକ ସଂଗଠିତ ଅସାଧୁତାକୁ ହିଁ ବୁଝାଇଛି । ତେଣୁ, ଅସହାୟ ମଣିଷଙ୍କର ଅସହାୟତା ବଢ଼ି ବଢ଼ି ଯାଇଛି । ସେହିମାନେ ହିଁ ମନୁଷ୍ୟକୃତ ତଥା ପ୍ରକୃତିକୃତ ଯାବତୀୟ ଦୁର୍ବିପାକର ଶିକାର ହେବାରେ ଲାଗିଛନ୍ତି । ସମାଜରେ ସବା ତଳେ ରହିଥିବା ଜାତିମାନେ ହିଁ ସବୁଠାରୁ ଅଧିକ ସମ୍ବଳଶୂନ୍ୟ ହୋଇ ରହିଛନ୍ତି । ଏହି ଦେଶରେ ସେମାନେ ଜଣେ ଜଣେ ନାଗରିକ ବୋଲି ଦୃଢ଼ସଚେତନ ଭାବରେ ଅନୁଭବ କରିବା ଲାଗି ମନୁଷ୍ୟସୁଲଭ ଯେତିକି ଜାଗରୂକତା ଦରକାର, ସେମାନେ ବସ୍ତୁତଃ ସେତିକି ମଧ୍ୟ ଅର୍ଜନ କରି ପାରିନାହାନ୍ତି । ସତେଅବା ସେମାନଙ୍କୁ ବାହାରକୁ ତଡ଼ିଦେଇ ଦେଶଟା ଚାଲିଛି, ବଡ଼ ଅନମନୀୟ ଅବଜ୍ଞା ସହିତ ଚାଲିଛି ।

 

ଅର୍ଥବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ଶ୍ରୀଯୁକ୍ତ ଅମର୍ତ୍ତ୍ୟ ସେନ ପୁରସ୍କାର ପାଇଥିବାର ସେହି ସମୟରେ ତାଙ୍କ ପିଲାଦିନର ଗୋଟିଏ ସତ କାହାଣୀକୁ ବାରବାର କହୁଥିଲେ । ୧୯୪୩ରେ ଭୟାବହ ଦୁର୍ଭିକ୍ଷ ଲାଗିଥିବା ସମୟରେ ତାଙ୍କୁ ପ୍ରାୟ ନଅ ଦଶ ବର୍ଷ ହୋଇଥିଲା । ସେତେବେଳେ କଲିକତାରେ ଖାଦ୍ୟର ଅଭାବରେ ହଜାର ହଜାର ମଣିଷ ମୃତ୍ୟୁମୁଖରେ ପଡୁଥିଲେ-। ସେହି ଦୁଃଖଦ ଘଟଣାମାନ ସଚିତ୍ର ହୋଇ ଖବରକାଗଜରେ ପ୍ରକାଶ ପାଉଥିଲା । ବାଳକ ଅମର୍ତ୍ତ୍ୟ ସେଗୁଡ଼ିକୁ ଦେଖୁଥିଲେ ଏବଂ ଗୋଟିଏ କଥା ବୁଝି ନପାରି ବଡ଼ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ । ସିଏ ଭାବୁଥିଲେ, ଏତେ ଏତେ ମଣିଷ ମରୁଛନ୍ତି, ଅଥଚ ତାଙ୍କ ପରିବାରର ଅଥବା ଭାଇ ବିରାଦରର କେହି କେବେ ମରୁ ନଥିଲେ ତ ! ସେତେବେଳେ ଭାରତବର୍ଷ ସ୍ୱାଧୀନ ହୋଇନଥିଲା ।

 

ଏକ ବିଦେଶୀ ଶାସନ ଭାରତବର୍ଷର କାନ ଧରି ତାହାକୁ ମରଜି ଅନୁସାରେ ନିଜର ସ୍ୱାର୍ଥସିଦ୍ଧି ନିମନ୍ତେ ଚଳାଉଥିବା ଭାରତବର୍ଷ ସ୍ୱାଧୀନ ହେଲା । ଚାହୁଁ ଚାହୁଁ କେତେଟା ପୁରୁଷ ଅତିବାହିତ ହୋଇଗଲା । ତଥାପି ଏଠାରେ ସବୁ ମଣିଷ ଟିପ ଟାଣ କରି ଛିଡ଼ା ହୋଇ ପାରିଲେ ନାହିଁ । ଯାବତୀୟ ଯୋଜନା ସତେ ଯେପରି କୋଟି କୋଟି ମଣିଷଙ୍କୁ ଚିତା କାଟିବାର ମତଲବରେ ତିଆରି ହେଲା । ଦୁର୍ଭିକ୍ଷ ଆସିଲା, ବଢ଼ି ଓ ମରୁଡ଼ି ଆସିଲା, ବାତ୍ୟା ଆସିଲା, ସମୁଦ୍ର ମାଡ଼ି ଆସିଲା-। ମାତ୍ର ଗୋଟିଏ ହେଲେ ନେତା ମଲେ ନାହିଁ, କଷ୍ଟ ଭୋଗିଲେ ନାହିଁ । ସେମାନଙ୍କର ଭାଇ ବିରାଦର ମଧ୍ୟ ନିଖୁଣ ହୋଇ ରହିଲେ । ସଫଳ ହେଲେ, ଗୋଟିଏ ପେଟ ପାଇଁ ତିନି ପେଟ ସଞ୍ଚି ପାରିଲେ । ଏହି ଦେଶଟା ଆମର ବୋଲି କହି ବାହୁ ଟେକି ନାଚିଲେ । ଏବଂ ଦୟାଳୁ ହେଲେ-। ଦରିଦ୍ରମାନଙ୍କୁ ନାରାୟଣ ବୋଲି କହି ଶିଖିଲେ ସିନା, କିନ୍ତୁ ସେମାନଙ୍କୁ ମଣିଷ ବୋଲି ସ୍ୱୀକାର କରି ସାଙ୍ଗରେ ନେବାକୁ ମୋଟେ ରାଜି ହେଲେ ନାହିଁ । ଏହି ଅରୀତିଟାକୁ କାହିଁକି ଆଦୌ କୌଣସି ସଭ୍ୟତା ବୋଲି କୁହାଯିବ ? ବାବୁ ଅମର୍ତ୍ତ୍ୟ ସେନ ଏହି ଅବ୍ୟାପାରଟା ବିଷୟରେ ବଡ଼ ହେବା ପରେ କ’ଣ ସବୁ ଭାବୁଥିବେ କେଜାଣି ? ଆମର ତଥାକଥିତ ବିଶ୍ୱବିଦ୍ୟାଳୟ ମାନଙ୍କରେ ମଧ୍ୟ ଅର୍ଥନୀତିର ବିଭାଗମାନ ରହିଥିବ । ଏବଂ, ସେଠାରେ ବସିଥିବା ପାଠୁଆ ବିସ୍ମିଲ୍ଲାମାନେ ବି କିଛି ଭାବୁଥିବେ କି ନାହିଁ, ସେକଥା କିଏ କହିବ ?

 

ବିଗତ ପଚାଶ ବର୍ଷରେ ଆମ ସାମୁଦାୟିକ ଜୀବନର ଯାବତୀୟ ଅବସରରୁ ବିବେକଟା ହିଁ କୁଆଡ଼େ ଉଡ଼ି ପଳାଇଛି । ଶିକ୍ଷାରେ, ଶାସନରେ, ନ୍ୟାୟନୀତିରେ ଏବଂ କଚେରୀମାନଙ୍କରେ ପୁଷ୍ପଳ ଅଳପଙ୍କର ଜୀବନ ସବୁବେଳେ ଚାଲିଛି । ମାତ୍ର ବିବେକଟା ମାରା ପଡ଼ିଛି । ବିବେକ ବହିରେ ଅଛି, ଭର୍ତ୍ତୃହରି ଏବଂ ବିଷ୍ଣୁଶର୍ମା ମାନଙ୍କର ଖୋସଣିରେ ଖୋସା ହୋଇଛି । ଆମେ ସିଆଣିଆମାନେ ଯୁଗ ଯୁଗ ଧରି ସେଇଥିରେ ଓ ସେତିକିରେ ଫୁଲେଇ ହୋଇ ଆସିଛୁ । ସମସ୍ତେ ସୁଖରେ ରହନ୍ତୁ ବୋଲି ଗଦ୍ଗଦ୍ ସ୍ତ୍ରୋତ୍ରମାନ ଲେଖିଛୁ । ସମସ୍ତେ ବୋଲି କହିବା ବେଳେ କେବଳ ନିଜକୁ ହିଁ ଦେଖିଛୁ, ନିଜର ଶାବକ-ସଂସାରଟି ଏହିପରି ନିରାମୟ ଭାବରେ ଚାଲିଥାଉ ବୋଲି ପରମେଶ୍ୱରଙ୍କର କୃପାକାମନା କରିଛୁ । ଆମର ହିସାବଖାତାମାନଙ୍କରେ ତାଙ୍କୁ ଗୋଟାସୁଦ୍ଧା ବେହିଆ ବନାଇ ରଖିଦେଇଛୁ । ବିଚରା ଭଗବାନ କୁଆଡ଼େ ସବୁ ସହିପାରନ୍ତି । ମୋଟେ ଗରମ ହୁଅନ୍ତି ନାହିଁ । ମଣିଷ ଭିତରେ ଥିବା ଭଗବାନ କିନ୍ତୁ ଅଲଗା ଧାତୁରେ ତିଆରି ହୋଇଥାନ୍ତି । ମଣିଷ ତା’ ଭିତରର ଭଗବାନଙ୍କୁ ଆବିଷ୍କାର କରିବା ମାତ୍ରକେ ଆଉ ମୋଟେ ଥୟ ଧରି ରହିପାରେ ନାହିଁ । ସିଏ ଧଡ଼ପଡ଼ ହୋଇ ଉଠିଯାଏ । କଡ଼ ଲେଉଟାଏ । ଭାରତବର୍ଷ ପାଇଁ ସେହି ଭଗବାନଙ୍କୁ ଆବିଷ୍କାର କରିବା ବଡ଼ ଜରୁରୀ ହୋଇ ପଡ଼ିଲାଣି । ଆଉ ଦୟାରେ ମୋଟେ କାମ ଚଳିବ ନାହିଁ । ପରସ୍ପରକୁ ସ୍ୱୀକାର କରିନେବା ହିଁ କର୍ତ୍ତବ୍ୟ ହୋଇ ରହିବ ।

Image

 

ମହାବାତ୍ୟାରୁ ଶିକ୍ଷା

 

ଏକଦା ହାଇସ୍କୁଲ ପିଲାଙ୍କର ଓଡ଼ିଆ ସାହିତ୍ୟ ବହିରେ ଆମ ଓଡ଼ିଶାର ବୈଜ୍ଞାନିକ ଡ଼କ୍ଟର ପ୍ରାଣକୃଷ୍ଣ ପରିଜାଙ୍କର ଲେଖାଟିଏ ଥିଲା । ବହିଟି ବେଶ୍ କେତେବର୍ଷ ଯାଏ ଚାଲିଲା । ସାହିତ୍ୟର ଦୃଷ୍ଟିରୁ ଲେଖାଟିର ସେପରି କୌଣସି ଉପାଦେୟତା ନଥିଲା । ଚର୍ଚ୍ଚିତ ସାମଗ୍ରୀଟିରେ ମଧ୍ୟ ସେପରି ଅତ୍ୟାବଶ୍ୟକ ବିଶେଷ ମହତ୍ତ୍ୱ ବି ନଥିଲା । ଖୁବ୍ ସମ୍ଭବ ଏଡ଼େ ବଡ଼ ଜଣେ ବ୍ୟକ୍ତିଙ୍କର ଲେଖାଟିଏ ରହୁ ବୋଲି ତାଙ୍କର କେତେଜଣ ଛାତ୍ର ମମତା ଦେଖାଇ ଲେଖାଟିକୁ ବାଛିଥିଲେ । ସେହି ଛାତ୍ରମାନେ ବଡ଼ ବଡ଼ ପଦରେ ରହିଥିଲେ ଏବଂ ସାର୍ଙ୍କର ଲେଖାଟିଏ ସାହିତ୍ୟ ବହିରେ ରହୁ ବୋଲି ଅତ୍ୟନ୍ତ ନିଷ୍ଠାପର ଭାବରେ ଇଚ୍ଛା କରିଥିଲେ । ଯୁଦ୍ଧ ସବୁବେଳେ ଏକ ଭୟାବହ ଘଟଣା ହୋଇଥିଲେ ମଧ୍ୟ ସେଥିରୁ ତଥାପି ଯେଉଁସବୁ ଲାଭ ବା ଉପକାର ମିଳେ, ଲେଖାଟିରେ ସେହିଗୁଡ଼ିକର ଆଲୋଚନା କରାଯାଇଥିଲା । ନୂଆ ନୂଆ ପ୍ରଯୁକ୍ତି-କୌଶଳକୁ ସମ୍ଭବ କରିବାରେ ଯୁଦ୍ଧ ସମୟରେ ଗବେଷଣାରତ ବିଜ୍ଞାନୀମାନେ କିପରି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସାହାଯ୍ୟ କରିଥାଆନ୍ତି, ସେହି ସଂକ୍ରାନ୍ତରେ କିଛି ତଥ୍ୟ ପ୍ରଦତ୍ତ ହୋଇଥିଲା । ଲେଖାଟି କିଞ୍ଚିତ୍ ବିଚିତ୍ର ଲାଗୁଥିଲା ସିନା, ତଥାପି କେତେକ ନୂଆ ଖବର ମଧ୍ୟ ମିଳିଗଲା ପରି ମନେ ହେଉଥିଲା । ବିଷୟଟିକୁ ପଢ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାଏ ଏଥିରୁ କେତେ କ’ଣ ଉପକୃତ ହେଉଥିଲେ କେଜାଣି ?

 

ଯୁଦ୍ଧ ହେଉଛି ଏକ ଅସାଧାରଣ ଅବସ୍ଥା, ଅସ୍ୱାଭାବିକ ଅବସ୍ଥା । ଦଙ୍ଗା ମଧ୍ୟ ଏକ ଅସାଧାରଣ ବା ଅସ୍ୱାଭାବିକ ଅବସ୍ଥା । ମହାବାତ୍ୟ ମଧ୍ୟ ସେହି କାଟର ଏକ ସ୍ଥିତି, ଯାହାକି ଏକାନ୍ତ ଅପ୍ରତ୍ୟାଶିତ ଭାବରେ ଆସେ, ହଠାତ୍ ଆସି ହାବୁଡ଼ି ଯାଏ, ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଏ । ସ୍ୱାଭାବିକ ଜୀବନର ଅକଲଗୁଡ଼ୁମ କରିଦିଏ । ବହୁ ମଣିଷଙ୍କୁ ଆଦିମ କରିପକାଏ; ନାନା ବର୍ବର ବାସନା ମଣିଷ ଭିତରେ ଲୁଚି ଛପି ରହିଥାଏ ଓ ଏକ ଅସ୍ୱାଭାବିକ ସ୍ଥିତିର ମଉକା ପାଇ ପ୍ରାୟ ନଗ୍ନ ହୋଇ ପଦାକୁ ବାହାରିପଡ଼େ । କଥିତ ଅଛି, ଯେତେବେଳେ ଜାପାନର ହିରୋସୀମା ଉପରେ ଆମେରିକାର ପରମାଣୁ ବୋମା ପଡ଼ିଲା ଏବଂ ଏକ ଅଭୂତପୂର୍ବ ଭୟାବହତାରେ ହଜାର ହଜାର ମନୁଷ୍ୟ ବିମୂଢ଼ ଭାବରେ ମଲେ, ସେତେବେଳେ ସେହି ଜୀବନ୍ତ ଶ୍ମଶାନ-ତାଣ୍ଡବ ଭିତରେ ଏପରି କେତେ ମଣିଷ ଦଳ ଦଳ ହୋଇ ବୁଲୁଥଲେ, ଯେଉଁମାନେ କି ମରି ସାରିଥିବା ଅଥବା ମରିବା ମୁହଁରେ ପଡ଼ି ସୁକୁସୁକୁ ହେଉଥିବା ଲୋକମାନଙ୍କର ହାତରୁ ପିନ୍ଧା ଘଣ୍ଟାମାନ କାଢ଼ି ନେଉଥିଲେ ଓ ଦାନ୍ତମାନଙ୍କରେ ବସା ଯାଇଥିବା ସୁନାଖିଲକୁ ହୁଗାଳି ବାହାର କରି ନେଉଥିଲେ । ସେମାନଙ୍କର ମୁଣ୍ଡ ଭିତରେ ସେତେବେଳେ କେଉଁ ଅପମଣିଷଟା କାମ କରୁଥିଲା କେଜାଣି ? ସେମାନଙ୍କୁ ଆମେ ଅସାମାଜିକ କହି କେବେହେଲେ କଥାଟାକୁ ଛିଣ୍ଡାଇ ଦେଇ ପାରିବା ନାହିଁ । ଗୋଟାଏ ଅସମାନ ସମାଜରେ ଆମେ ପ୍ରକୃତରେ କାହାକୁ ସାମାଜିକ ବୋଲି କହିବା ଏବଂ କାହାକୁ ଅସାମାଜିକ ବୋଲି କହିବା ? ଯେଉଁମାନଙ୍କ ହାତରେ ଅର୍ଥ, ବିଦ୍ୟା, ବୁଦ୍ଧିବଳ ଓ ଶାସନ ଏକଚାଟିଆ ହୋଇ ରହିଛି, ସେମାନେ କ’ଣ ସମସ୍ତେ ସତକୁ ସତ ସାମାଜିକ-? ଭାରତବର୍ଷରେ ଅଧିକାଂଶ ମନୁଷ୍ୟଙ୍କର ହାତରେ ଏହିସବୁରୁ ପ୍ରାୟ କିଛିହେଲେ ନାହିଁ-। ଅଳପଙ୍କର ଜୁଲମରେ ତଥାକଥିତ ବ୍ୟବସ୍ଥାଟିଏ ଚାଲିଛି । ସେହି ଅଳପଙ୍କ ହାତରେ ସବୁଯାକ ରଜ୍ଜୁ ରହିଛି । ଶାସ୍ତ୍ର, ସାହିତ୍ୟ ସମସ୍ତେ ସେହିମାନଙ୍କର ବେହେରାପଣ ଖଟୁଛନ୍ତି । ସେହିମାନେ ହିଁ ହାତରେ ସୁନାଛାଞ୍ଚୁଣି ଧରି ଠାକୁରଙ୍କର ଦାଣ୍ଡରେ ଛେରାପହଁରା କରୁଛନ୍ତି ।

 

ତେଣୁ ଭୟାବହ ବାତ୍ୟାର ଏହି ଅସ୍ୱାଭାବିକ ପରିସ୍ଥିତିରେ ଅବଶ୍ୟ ବହୁ ପ୍ରକାରର ଅସ୍ୱାଭାବିକ ଆଚରଣ ହେବ ହିଁ ହେବ । ଲୁଟି ନେଲାବାଲା ରହିବେ, ଠକି ନେଲାବାଲା ରହିବେ, କମ୍ବଳଗୁଡ଼ିକ ଏରସମା ନଯାଇ କଟକରେ ଆଉ କାହା ଗୋଦାମକୁ ଯିବ ଏବଂ ସରକାରୀ କେତେ କେତେ ଅଫିସରଙ୍କର ଗୋଡ଼ ମଧ୍ୟ ସେହି ଖସଡ଼ାରେ ଖସି ଯିବା ସକାଶେ ବହୁ ସାହସପୂର୍ଣ୍ଣ ପ୍ରଶ୍ରୟମାନ ପାଇବ । ଖାଦ୍ୟ ବାଟମାରଣା ହେବ, ପାଣ୍ଠି ବାଟମାରଣା ହେବ । ତଥାକଥିତ ସ୍ୱାଭାବିକ ଅବସ୍ଥାଟିଏ ଆସିଗଲେ ଏସବୁ ହୁଏତ ମୋଟେ ରହିବନାହିଁ । ଅସାମାଜିକମାନେ ପୁନର୍ବାର ତୋଫା ସାମାଜିକଙ୍କ ଭଳି ଦେଖାଯିବେ । ଏକ ଦରିଦ୍ର ଦେଶରେ ବହୁବିଧ ଅନ୍ଧାରର ସୁଯୋଗ ନେଇ ଯେଉଁମାନେ ନିଜ ଭାଗ୍ୟର ଧଳା ଅଟ୍ଟାଳିକାମାନଙ୍କୁ ଗଢ଼ି ପାରିଲେ, ଏମାନେ କ’ଣ ସମସ୍ତେ ସାମାଜିକ ? ଆମ ଭୁବନେଶ୍ୱରରେ ଅଣ୍ଡା ଭିତରୁ ବାହାରି ଯେଉଁମାନେ ଫୁଲି ଫୁଲି ଦିଲ୍ଲୀଯାଏ ପହଞ୍ଚିଗଲେ ଏବଂ ଆମର ନେତା ବୋଲାଇଲେ, ସେମାନେ ସମସ୍ତେ କ’ଣ ସାମାଜିକ ବୋଲି କୁହାଯାଇ ପାରିବ ? ବର୍ତ୍ତମାନ ତ ଆମର ଏହି ବାତ୍ୟାବିଧ୍ୱସ୍ତ ଘରଟାକୁ ସାହାଯ୍ୟ କରିବା ନିମନ୍ତେ ଧାଡ଼ି ଧାଡ଼ି ଟ୍ରକ୍ ଛିଡ଼ା ହୋଇରହିଛି । ଦାତାମାନେ ଅବଶ୍ୟ କେତେକେତେ ବୁଦ୍ଧିକୁ କାମରେ ଲଗାଇ ସେଗୁଡ଼ିକୁ ଠୁଳ କରିଥିବେ । ତେଣୁ ଆମେ କିଞ୍ଚିତ୍ ପ୍ରକୃତିସ୍ଥ ହେବା ଏବଂ ଆଦୌ କିଛି ପଚାରିବା ନାହିଁ । ବରଂ କୃତଜ୍ଞ ରହିବା । ମଣିଷ ଭିତରେ ତଥାପି କୋଉଁଠି ବନ୍ଧୁଟିଏ, ସାଧୁଟିଏ ଏବଂ ଦରଦୀଟିଏ ରହିଛି ବୋଲି ଆମେ ମଣିଷର ଏହି ସୃଷ୍ଟି ପାଖରେ କୃତଜ୍ଞତା ପ୍ରକାଶ କରିବା । ମାତ୍ର, ଅସଲ ଅନ୍ୟ ପ୍ରଶ୍ନଗୁଡ଼ିକୁ ଅଲବତ ପଚାରିବା । ସବା ଆଗ ନିଜକୁ ଅର୍ଥାତ୍ ପରସ୍ପରକୁ ହିଁ ପଚାରିବା । ଆମର ଏହି କାଳଟାକୁ ମଧ୍ୟ ପଚାରିବା । କାଳର ନିର୍ଦ୍ଧାରଣ କରୁଥିବା ଆମ ଭିତରର ସେହି କାଳପୁରୁଷକୁ ମଧ୍ୟ ପଚାରିବା । ଏହି ଦେଶ, ଏହି ସମାଜ ଏବଂ ଆମର ଭାଗ୍ୟକୁ ନଚାଇବାରେ ଲାଗିଥିବା ଏହି ବ୍ୟବସ୍ଥାଟା ଆଉ କୋଉ ପର୍ଯ୍ୟନ୍ତ ଚାଲିବ ? ଆଉ କେତେଦିନ ଯାଏ ଆମେ ଢୋକେ ପିଇ ଦଣ୍ଡେ ଜୀଇବାର ଏହି ମହାମନ୍ତର ଭିତରେ ପଡ଼ି ରହିଥିବା-? ଭଗବାନଙ୍କୁ ବିବେକ ହୁଡ଼ି ପରମ ଦୟାଳୁ ବୋଲି କହୁଥିବା ଏବଂ ଏଣେ ନିଜ ଭିତରେ ଅମିତ ବଳସମ୍ଭାବନା ହୋଇ ଆମ ଭିତରେ ଅପେକ୍ଷା କରି ରହିଥିବା ସେହି ଅନ୍ୟ ନିକଟତର ଭଗବାନଙ୍କୁ ମୋଟେ ଚିହିଁବା ନାହିଁ ବୋଲି ପଣ କରି ରହିଥିବା ? ଅସଲ ବଳ ହେଉଛି ମଣିଷର ନିଜ ଭିତରେ, ବଳୁଆ ଓ ବିଶ୍ୱାସୀ ମାନଙ୍କର ମେଳ ଭିତରେ, ପରସ୍ପରକୁ ସତୀର୍ଥ ସହଯୋଗୀ ରୂପେ ସ୍ୱୀକାର କରିନେବାରେ ଏବଂ ଆମେ ରାଜି ହେଲେ, କ୍ରିୟାଶୀଳ ହେଲେ ଆମରି ଦ୍ୱାରା ବହୁ ପରିବର୍ତ୍ତନ ଅବଶ୍ୟ ସମ୍ଭବ ହେବ ବୋଲି ଏକ ଦୃଢ଼ ପ୍ରତ୍ୟୟ ସହିତ ବାଟ ଚାଲିବାରେ । ଆମ ପୁରୋଧାମାନେ ଆମକୁ ସେହି ବଳ ଦେଇ ଆସିଥାନ୍ତେ । ମାତ୍ର ତାହା ନକରି ସେମାନେ ଆମକୁ ନାନା ଜାତିରେ ଭାଗ ଭାଗ କରି ରଖିଲେ, ବହୁ ପାହାଚରେ ସାନବଡ଼ କରି ରଖିଲେ ଓ ଭାଗ୍ୟବାଦ ଭିତରେ ଭକୁଆ କରି ରଖିଲେ । ପ୍ରଥମତଃ ସେହି କାରଣରୁ ହିଁ ଆମ ସମାଜଟା ଧର୍ମତଃ ଭାରି ଅସାମାଜିକ ହୋଇ ରହିଗଲା ।

 

ଭାରତବର୍ଷରୁ ବିଦେଶୀ ଶାସନକୁ ହଟାଇବା ନିମନ୍ତେ ଯେଉଁ ସଂଗ୍ରାମଟି ଦିନେ ଦାନା ବାନ୍ଧି ଆସିଲା, କାର୍ଯ୍ୟତଃ ଏକ ରାଜନୀତିକ ସଂଗ୍ରାମ ହୋଇ ରହିଥିଲେ ମଧ୍ୟ ତାହାର ପରିସର ଅଧିକ ବ୍ୟାପକ ବି ଥିଲା । ସମ୍ଭବତଃ ସର୍ବପ୍ରଥମ ଥର ପାଇଁ ଏହି ଭୂମିଟିକୁ ସମଗ୍ର ଭାବରେ ଗୋଟିଏ ଭୂମି ବୋଲି ଘୋଷଣା କରାଗଲା । ଏକ ଗତିଶୀଳ ଅଧ୍ୟାତ୍ମର ଭୂମି ଉପରେ ମନୁଷ୍ୟମାନଙ୍କୁ ମୂଳକରି ଦେଶଟିକୁ ସ୍ୱାଧୀନତା ପରେ ନୂଆ କରି ଗଢ଼ିବାର ବାର୍ତ୍ତା ଏଠାରେ ପ୍ରଚାରିତ ହେଲା । ତାହା ରାଜନୀତିକ ସଂଗ୍ରାମଟିକୁ ମଧ୍ୟ ଏକ ବିଶେଷ ବଳ ତଥା ବ୍ୟଞ୍ଜନା ଦେଇଥିଲା ଏବଂ ପ୍ରଧାନତଃ ସେହି କାରଣରୁ ତାହା ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରିଥିଲା । ମାତ୍ର, ସ୍ୱାଧୀନତା ପରେ ସତେ ଅବା ସମ୍ପୃକ୍ତମାନେ ବାଟ ହୁଡ଼ିଗଲେ । ନେତୃତ୍ୱ ତଳି ଛିଡ଼ିଗଲା । ସହରଟା ନୂଆ ସଭ୍ୟତା ନାଆଁରେ ସମଗ୍ର ଭୂମିଟାର ପିଠି ଉପରେ ନାଉ ହୋଇ ବସିଲା ଏବଂ ଶିକ୍ଷା ନାମରେ ଆମରି ଭିତରର ଅଳପ ମଣିଷ ଆମର ସର୍ବେସର୍ବା ହୋଇ ଆମ ନାକରେ ଅଶିକ୍ଷାର ଦୁଷ୍ଟ ତୁଣ୍ଡିଗୁଡ଼ାକୁ ଆଣି ବାନ୍ଧିଦେଲେ । ଆମେ ଅଲକ୍ଷଣା ହେଲୁ, ଦିନୁଦିନ ଅଧିକ ଅସମର୍ଥ ହେଲୁ । କ୍ଷିପ୍ର ପଦକ୍ଷେପରେ ବଦଳି ଯାଉଥିବା ପୃଥିବୀଟି ସହିତ ତାଳ ରଖିପାରିଲୁ ନାହିଁ । ପୁରୁଣା ବେଡ଼ିଗୁଡ଼ାକ ନାନାବିଧ ନୂଆ ନାମରେ ଆମର ହାତଗୋଡ଼କୁ ବାନ୍ଧି ରଖିଲା । ଅଧିକ ମଣିଷ ଅସହାୟ ହୋଇରହିଲେ । ନୂଆ ସାମନ୍ତମାନେ ବାହାରିଲେ, ଯେଉଁମାନେ କି ଅପେକ୍ଷାକୃତ ଅଧିକ ଧୋବ ଦେଖାଗଲେ ଓ ନିଜକୁ ଆଧୁନିକ ବୋଲି ଘୋଷଣା ସିନା କଲେ, ମାତ୍ର ହୃଦୟଟାକୁ ହରାଇ ବସିଲେ । ଲୋକମାନଙ୍କୁ ସାଙ୍ଗରେ ନେବାକୁ ସେମାନଙ୍କୁ ମୋଟେ ଫୁରୁସତ ମିଳିଲା ନାହିଁ-। ଭେଦ ବଢ଼ିଲା, ଅବଜ୍ଞା ବଢ଼ିଲା, ରାଜନୀତି ଦୁଷ୍ଟ ହେଲା, ଶାସନଟା ତସ୍କର ପାଲଟିଗଲା । ସାହିତ୍ୟ ମଧ୍ୟ ଭୀରୁ ହୋଇ ସେଇ ସାମନ୍ତମାନଙ୍କ ପଟେ ରହିଲା । କେତେକ ଅର୍ଥରେ ସାହିତ୍ୟରେ ସାମନ୍ତମାନଙ୍କର ଯୁଗ ଚାଲିଲା, ଗେହ୍ଲାପଣରେ ନିତାନ୍ତ ଅକର୍ମଣ୍ୟ ହୋଇଗଲା । ନୂଆ ଆହ୍ୱାନଗୁଡ଼ିକର ସାମନା କରିବାକୁ ଆଉ କୌଣସି ଅକଲ ରହିଲା ନାହିଁ । ପାଠୁଆମାନେ ସିଆଣିଆ ହେଲେ, ସିଆଣିଆ ହୋଇ ଅଧିକ ଠକିଲେ, ଅଧିକ ସହଜରେ ଅମିତ କ୍ଷମତା ହାସଲ କଲେ । ତେଣୁ ଉପରକୁ ହଜାର ସଂଖ୍ୟାରେ ଯୋଜନା ହେଲେ ମଧ୍ୟ ଚଳୁଏ କଲ୍ୟାଣ ମଧ୍ୟ ତଳସ୍ତର ଯାଏ ଆସିପାରିଲା ନାହିଁ । ବନ୍ୟା, ବାତ୍ୟା ଆଦି ପ୍ରକୃତିର କୋପଗୁଡ଼ିକ ପାଇଁ ପ୍ରତିକାର ଆଉ କିଏ କରିଥାନ୍ତା ? ବିଜ୍ଞାନର କୌଶଳ କେତେକ ମଣିଷଙ୍କୁ ବଡ଼ ଚାକିରି ଓ ମୋଟା ପଇସା ସିନା ଆଣିଦେଲା, ମଣିଷର କାମରେ ମୋଟେ ଲାଗିପାରିଲା ନାହିଁ ।

 

ଏମିତି ଏମିତି ପଚାଶ ବର୍ଷ ଅତିକ୍ରାନ୍ତ ହୋଇଗଲା । ସବୁ ହଉଚି ହଉଚି ବୋଲି କୁହାଗଲା ସିନା, ମାତ୍ର କିଛି ହେଲାନାହିଁ । ମୂଳଦୁଆ ବଡ଼ ଦୁର୍ବଳ ହୋଇ ରହିଗଲା । ଏବଂ, ମୂଳଦୁଆମାନେ ବନ୍ୟା ଓ ବାତ୍ୟା ଦ୍ୱାରା, ମରୁଡ଼ି ଓ ମହାମାରୀ ଦ୍ୱାରା ପ୍ରାୟ ନିୟମିତ ବିପନ୍ନ ହୋଇ ରହିଲେ । ବନ୍ୟା ଓ ବାତ୍ୟା, ମରୁଡ଼ି ଓ ମହାମାରୀ ଯଦି ଦୁର୍ଗତ ମନୁଷ୍ୟମାନଙ୍କର ଥରେ ମୋହଭଙ୍ଗ କରାଇ ଦେଇପାରନ୍ତା, ତେବେ କେବଳ ସେତିକି ଦ୍ଵାରା ମଧ୍ୟ କେତେ କ’ଣ ସମ୍ଭବ ହୋଇପାରନ୍ତା । ମୋହଭଙ୍ଗ ହୋଇଥିବାର ସର୍ବପ୍ରଥମ ଲକ୍ଷଣ ହେଉଛି ଯେ ବରାବର ପ୍ରାକୃତିକ ଦୁର୍ବିପାକମାନ ପଡ଼ି ଏହି ଦେଶର କୋଟି କୋଟି ମଣିଷଙ୍କର ଦାରୁଣ ଅସହାୟତାକୁ ଆମକୁ ଆଖିରେ ଆଙ୍ଗୁଠି ପୂରାଇ ଦେଖାଇ ଯେ ଦେଉଛି, ଏହାକୁ ଆମେ ଆମ ସମସ୍ତଙ୍କ ନିମନ୍ତେ ଏକ ଲଜ୍ଜାର ବିଷୟ ବୋଲି ଅନୁଭବ କରନ୍ତେ । ନିର୍ଲଜ୍ଜମାନଙ୍କୁ ଲାଜ ମାଡ଼ିବା, ଏତିକି ମଧ୍ୟ ଏକ ଉଚିତ ପରିବର୍ତ୍ତନର ପ୍ରକ୍ରିୟାରେ ଆଦୌ ସାନକଥାଟିଏ ନୁହେଁ । ତଦ୍ଦ୍ୱାରା ଆମେ ସତକୁ ସତ ବୁଝିବାକୁ ଆରମ୍ଭ ମଧ୍ୟ କରନ୍ତେ ଯେ ଆମର ନାନା ଆଖିଦୃଶିଆ ସମ୍ପନ୍ନତା ଏବଂ ସଫଳତା ସତ୍ତ୍ୱେ ଆମେ ଅସଲ କ୍ଷେତ୍ରରେ ସତକୁ ସତ ବିଫଳତା ହିଁ ଅର୍ଜିଛୁ । ଆମେ ସବୁ ନାଗରିକଙ୍କୁ ଆଦୌ ନାଗରିକ ସ୍ୱୀକୃତି ଦେଇନାହୁଁ । ବଳୁଆମାନେ ଭାରି ଉଦ୍ଧତ ହୋଇ ମାଡ଼ିଯାଇଛୁ ଏବଂ ସର୍ବନିମ୍ନ ସ୍ତରଟି ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିରହିଛି । ଆମର ରାଷ୍ଟ୍ରୀୟ ଖାତାମାନଙ୍କରେ ସେମାନଙ୍କୁ ସାଙ୍ଗରେ ନେଇ ପ୍ରାୟ କୌଣସି ହିସାବ ହୋଇନାହିଁ ଅଥବା ବିଚାର ମଧ୍ୟ କରାଯାଇନାହିଁ । ନେତୃତ୍ୱ ଅନୁପଯୁକ୍ତ ଏବଂ ଉଦ୍ଧତ ହୋଇଥିବାରୁ ହିଁ ଏପରି ହୋଇଛି । ଅନୁଗ୍ରହ ଦେଖାଇ ସବୁ କିଛିକୁ ଉପରୁ ମାଡ଼ିଦିଆଯାଇଛି । ଦେଶର ପୁନନିର୍ମାଣରେ ଅଧିକାଂଶ ମଣିଷଙ୍କୁ ଆଖି ଆଗରେ ରଖି ପ୍ରାୟ କିଛି ହେଲେ କରାଯାଇନାହିଁ । ସେମାନଙ୍କ ପରାମର୍ଶ ନିଆଯିବା ତ ଆହୁରି ଅଧିକ ଦୂରର କଥା । ଏହି ନେତୃତ୍ୱ ନବଦଳିଲେ କଦାପି ଦୁଃଖ ଯିବନାହିଁ । ମହାତ୍ମା ଗାନ୍ଧୀ ଏକଦା ଯାହାକୁ ସମାଜିକ ବିପ୍ଳବ ବୋଲି କହୁଥଲେ, ସେଇଟି ଆମ ଦେଶରେ ହୁଏତ ଏବେ ମଧ୍ୟ ଆରମ୍ଭ ହୋଇନାହିଁ । ଉପସ୍ଥିତ ନେତୃତ୍ୱଟି ସେହି ବିପ୍ଳବଟିକୁ ମୋଟେ କରିପାରିବ ନାହିଁ । ତାହାକୁ ବହୁ ଆଳ ଦେଖାଇ ହୁଏତ ଗଡ଼ାଇ ଗଡ଼ାଇ ଦେଉଥିବ ।

 

ତଳ ସଚେତନ ହେଲେ ଯାଇ ତାହା ହେବ । ଆପଣାର ଶକ୍ତି ବିଷୟରେ ସବାତଳେ ଅବହେଳିତ ହୋଇ ରହିଥିବା ମଣିଷ ସଚେତନ ଏବଂ ସକ୍ରିୟ ହେଲେ ଯାଇ ତାହା ସମ୍ଭବ ହେବ । ସେହି ତଳସ୍ତରରୁ ମଧ୍ୟ କିଛି ସଂଖ୍ୟାରେ ଲୋକେ ଶିକ୍ଷିତ ହୋଇଛନ୍ତି । ମାତ୍ର ତା'ପରେ ସେମାନେ ଆଉ ନିଜ ସମାଜକୁ ଫେରିନାହାନ୍ତି । ସେମାନେ ଉପରବାଲା ଚାଲାଖମାନଙ୍କୁ ଅନୁକରଣ କରିଛନ୍ତି-। ନୂଆ କାଉ ହୋଇ ଆପଣାକୁ କୃତକୃତ୍ୟ ମଣିଛନ୍ତି । ଯେଉଁମାନଙ୍କ ସହିତ ଲଢ଼ାଇ କରିଥାଆନ୍ତେ, ଅତ୍ୟନ୍ତ ଲୋଭାସକ୍ତ ଭାବରେ ସେହିମାନଙ୍କର ଗୋଲାମ ବନିଛନ୍ତି । ଆଦିବାସୀ, ହରିଜନ ମନ୍ତ୍ରୀଟିଏ ବା ହାକିମଟିଏ ଆମ ସହରୀ ସରକାରୀ ମହକୁମା ମାନଙ୍କରେ ଯେପରି ଆଚରଣ ଦେଖାଇଥାଏ, ସେଥିରୁ ପୂରା ସୃଷ୍ଟ ହୋଇଯାଏ ଯେ, ସେହିପରି ଅନୁସରଣିଆ ହୋଇ ରହିଲେ ହି ତା’ର ବ୍ୟକ୍ତିଗତ ଭାଗ୍ୟଟି ଉଜ୍ଜ୍ୱଳ ହୋଇପାରିବ । ସାମନ୍ତ ଶାସନର ଏହି ଅନୁଗତ ବୋଲକରାମାନେ ଯେ କେବେ ଗାଆଁରେ ଛାଡ଼ି ଆସିଥିବା ସମସ୍ତଙ୍କୁ ନେଇ ଚିନ୍ତା କରିବେ, ସେକଥା ପ୍ରକୃତରେ ବିଶ୍ୱାସ ବି କରି ହେଉନାହିଁ । ତେଣୁ ସେମାନେ ନେତୃତ୍ୱ ଦେଇପାରିବେ ନାହିଁ-। ଯିଏ ବା ଯେଉଁମାନେ ସତକୁ ସତ ନେତୃତ୍ୱ ଦେବେ, ସେମାନେ ଅଲଗା ଧାତୁରେ ନିଜକୁ ଗଢ଼ି ପାରିଲେ ଯାଇ କାମରେ ଲାଗିପାରିବେ । ସେମାନେ ଯେଉଁ ଜାତିର ହୋଇଥାଆନ୍ତୁ ପଛକେ, ସେଥିରେ କିଛି ଯାଏଆସେ ନାହିଁ । ସେମାନେ ଏକାବେଳେକେ ତଳକୁ ଓହ୍ଲାଇ ଆସିବେ । ସବାତଳ ମଣିଷର ସାଙ୍ଗରେ ରହିବେ, ସବାତଳ ମଣିଷକୁ ସାଙ୍ଗରେ ନେବେ । ଯାହାକିଛି କହିବେ ଅଥବା ଯାହାକିଛି ଲେଖିବେ, ସବାତଳ ମଣିଷର ପଟରେ ରହି କହିବେ ବା ଲେଖିବେ । ସେମାନେ ଲୁଣ ପରି କାମ କରିବେ । ଅଚେତନକୁ ସଚେତନ କରିବେ । ଏକ ନୂଆ ସମାଜର ଚିତ୍ର ଦେଇପାରୁଥିବେ, ଯେଉଁଠାରେ ମଣିଷ ମାତ୍ରକେ ସମସ୍ତେ ସ୍ଵୀକୃତି ପାଇବେ, ପ୍ରତିଭା ସ୍ୱୀକୃତି ପାଇବ ଏବଂ ଯେପରି ସମାଜର ସମସ୍ତେ ନିଜ ଯୋଗ୍ୟତାର ପରିଚୟ ଦେଇ ପ୍ରତିଯୋଗିତା ମାନଙ୍କରେ ଉତ୍ତୀର୍ଣ୍ଣ ହୋଇପାରିବେ, ସେଥିଲାଗି ଜୀବନଭରଣାର ସର୍ବସାମାନ୍ୟ କ୍ଷେତ୍ରଗୁଡ଼ିକରେ ସମସ୍ତଙ୍କୁ ସ୍ଥାନ ମିଳିପାରୁଥିବ । ଭାଗ୍ୟବାଦ ବହିଷ୍କୃତ ହୋଇରହିବ । ଭଗବାନଙ୍କୁ ଲାଞ୍ଚ ଦେଇ ତୁଷ୍ଟ କରି ରଖିବାର କୌଣସି ଫିସାଦ ବି ନଥିବ । ପରିବାର କହିଲେ ସମାଜରୂପୀ ବୃହତ୍ତର କୁଟୁମ୍ବଟିର ଏକ ଅନୁପୂରକ ସଂସ୍ଥାକୁ ବୁଝାଇବ । ଶୃଙ୍ଖଳାକୁ ହିଁ ବୁଝାଇ ପାରୁଥିବ ।

 

ଯେଉଁ ଦେଶରେ ରାଷ୍ଟ୍ର ଅଳପ ଲୋକଙ୍କ ଦ୍ୱାରା ଅଳପ ମଣିଷଙ୍କ ସକାଶେ ଚାଲେ, ସେଠି ଆମେ ତାହାକୁ ଏକ ଅସାମାଜିକ ରାଷ୍ଟ୍ର ବୋଲି କହିପାରିବା । ଏହିଭଳି ଗୋଟିଏ ସ୍ଥିତିରେ ହିଁ ସାମାଜିକ ବିପ୍ଳବ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥାଏ । ଅଳପ ମଣିଷ ପ୍ରାୟ ସବୁଯାକ ସୁଯୋଗ ଓ ସୁବିଧାକୁ ମାଡ଼ି ବସିଥାନ୍ତି । ଅଳପ ମଣିଷ ଭୋଗଘରେ ଏକଛତ୍ର ଅଧିକାରୀ ହୋଇ ରହିଥାନ୍ତି । ବହୁତ ମଣିଷ ଅସହାୟ ଅବସ୍ଥାରେ ଥାଆନ୍ତି । ବନ୍ୟା, ବାତ୍ୟା, ଅଭାବ, ଅନାଟନ ସେହିମାନଙ୍କର ଜୀବନ ପାଇଁ କାଳ ହୋଇ ରହିଥାଏ । ମସ୍ତ ମସ୍ତ ଆଇନ ସବୁ ତିଆରି ହୋଇଥାଏ, ଅଥଚ ତାହା ସମସ୍ତଙ୍କୁ ନ୍ୟାୟ ଦେଇପାରେ ନାହିଁ । ଏବଂ ଉଚ୍ଚଶିକ୍ଷା, ଉଚ୍ଚଭାଗ୍ୟ ଏବଂ ଉଚ୍ଚକ୍ଷମତା ସତେ ଅବା ଉଚ୍ଚ ଉଆସମାନଙ୍କରେ ମାତ୍ର କେତେଜଣଙ୍କର ଏକଚାଟିଆ ଭାଗ୍ୟରେ ପରିଣତ ହୋଇ ରହିଥାଏ-। ଏହି ଦୃଷ୍ଟିରୁ ଭାରତବର୍ଷ ନାମକ ଲୋକସମୂହଟିକୁ ନାନା ଅସାମାଜିକତା ଗ୍ରାସ କରି ରହିଛି ଏବଂ ଏକ ସାମାଜିକ ବିପ୍ଳବ ଆବଶ୍ୟକ କରୁଛି । ଏହି ବିପ୍ଳବଟି ହେବ ବୋଲି ଭାରତବର୍ଷର ସମ୍ବିଧାନରେ ଲେଖାହୋଇ ରହିଛି । ଅଥଚ ରାଜାମାନେ ବାଟ ଛାଡୁନାହାନ୍ତି । ରାଜାମାନେ କେବେହେଲେ ବାଟ ଛାଡ଼ନ୍ତି ନାହିଁ ଏବଂ ରାଜାମାନେ ମଙ୍ଗ ଧରି ରହିଥିବା ଯାଏ ଗଣତନ୍ତ୍ର ଉପହସିତ ହେବାରେ ଲାଗିଥାଏ । ଗୋଟାଏ ବଦ୍କିସମର ଜାତୀୟତାବାଦ ଜୀବନର ଦଶଟାଯାକ ଦିଗକୁ ଜଳକା କରି ରଖିଥାଏ । ଅଳପ ମଣିଷ ସାହିତ୍ୟ ଭିତରେ ଲଉଡ଼ି ଖେଳନ୍ତି ଓ ତାହାକୁ ସମଗ୍ର ଦେଶର ଗର୍ବ ବୋଲି ମିଛରେ ପ୍ରଚାର କରିବାରେ ଲାଗିଥାଆନ୍ତି । ଏହି ସ୍ଥିତିରେ ଯାବତୀୟ ଧର୍ମ ମଧ୍ୟ ଅଫିମ ପରି କାର୍ଯ୍ୟ କରୁଥାଏ । ବର୍ତ୍ତମାନଟାକୁ ଭୂତାଇ ରଖିବା ପାଇଁ ଅତୀତଟାକୁ ସଜାଇ ରଖାଯାଇଥାଏ । ପୃଥିବୀଯାକରେ ଆମେ ଏକଦା ଶ୍ରେଷ୍ଠ ଥିଲୁ ବୋଲି ମିଛରେ ହୁରି ପଡୁଥାଏ । ଯେଉଁ ଦେଶ ତା’ର ଅତୀତକୁ ନେଇ ଗର୍ବ ନକରେ, ସେହି ଜାତି ଆଦୌ ଆଗକୁ ଯାଇପାରେ ନାହିଁ ବୋଲି ମିଛ ବାଣମାନ ମରା ଯାଉଥାଏ । ଏହିସବୁ ଫିସାଦକୁ ପଦାରେ ପକାଇ ଦେଇ ଯେତେବେଳେ ପ୍ରକୃତିର ଗୋଟାଏ ଗୋଟାଏ ଦୁର୍ବିପାକ ଆସି ପହଞ୍ଚେ, ସେତେବେଳେ ଜଗନ୍ନାଥ ସାହା ହେବେ ବୋଲି ସମ୍ପୂର୍ଣ୍ଣ ମିଛ ହୁଙ୍କାରମାନ ଦିଆଯାଉଥାଏ ।

 

ମହାବାତ୍ୟାରୁ ଆମେ ସବାଆଗ ଏହି ଗୋଟିଏ କଥା ଶିଖିବା । ବିଗତ ପଚାଶ ବର୍ଷ କାଳ ଏଠି ଯେଭଳି ଯାହା ଚଳିଆସିଲା, ତାହାହିଁ ଅଧିକ ମନୁଷ୍ୟଙ୍କୁ ଅସହାୟ କରି ରଖିଲା । ଏକ ସ୍ୱାଧୀନ ଦେଶରେ ସେମାନଙ୍କୁ ଭାଗ୍ୟର ଗୋଲାମ କରି ରଖିଲା । ଏକବିଂଶ ଶତାବ୍ଦୀ ପାଇଁ ପତ୍ରିକା ବାହାର କରୁଥିବା ରାଜପୁତ୍ରମାନେ ବରବେଶ ଖୋଜୁଥିବା ସମୟରେ ଦେଶରେ ଏତେ ଏତେ ମଣିଷ ଯେ ଅତ୍ୟନ୍ତ ଅରକ୍ଷିତ ଅବସ୍ଥାରେ ରହିଛନ୍ତି, ସେକଥା ଆମର ସାହିତ୍ୟ କିମ୍ବା ଆମର ରାଜନୀତି ସତେ ଅବା ଜାଣିଶୁଣି କେବେ ମଥାକୁ ଆଣୁନାହିଁ । ସତେ ଅବା ଅଭିସନ୍ଧିମୂଳକ ଭାବରେ ମୌନ ହୋଇ ରହିଛି । ଏହି ସବୁକିଛିକୁ ପ୍ରତ୍ୟାଖ୍ୟାନ କରିପାରିବା ନିମନ୍ତେ ଯେଉଁ ଅନ୍ୟ ନେତୃତ୍ୱ ଅର୍ଥାତ୍ ଅନ୍ୟ ସଂକଳ୍ପଟି ଦରକାର, ଏଣିକି ସତକୁ ସତ ତାହାରି ଅନ୍ୱେଷଣ ଆରମ୍ଭ ହେଉ । ସଂଖ୍ୟାରେ ଯେତେ ଅଳପ ହେଲେ ମଧ୍ୟ ଅନୁରୂପ ବିକଳ୍ପମାନେ ବାହାରନ୍ତୁ । ବାତ୍ୟା ଆସି ଏତେ ଏତେ ମଣିଷଙ୍କର ସଂସାରକୁ ଛାରଖାର କରିଦେବା ପୂର୍ବରୁ ଆମ ଖବରକାଗଜରେ ରସିକମାନଙ୍କ ନିମନ୍ତେ ଲଙ୍ଗଳା ଫଟୋମାନ ବାହାରୁଥିଲା । ବାତ୍ୟା ପରେ ସତେଅବା ଶୋକ ପ୍ରକାଶ କରିବା ପାଇଁ ଦିନେ ଦୁଇଦିନ ସେସବୁ ବନ୍ଦ ରହିଲା । ସମ୍ପାଦକୀୟ ସ୍ତମ୍ଭରୁ ଔପଚାରିକ ଭାବରେ ଅରାଏ ଛାଡ଼ି ଦିଆଗଲା । ଏବେ ଦେଖିବେ ଏପାଖରେ ବାତ୍ୟାଞ୍ଚଳରୁ ମୁର୍ଦ୍ଦାରମାନଙ୍କର ଫଟୋ ବାହାରୁଛି ତ ଠିକ୍ ଆରପଟେ ଆଗଭଳି ଲଂଗଳା ଫଟୋଗୁଡ଼ାକ ପୁନର୍ବାର ବାହାରିଲାଣି । ଏମାନେ ଭାବୁଛନ୍ତି ଗାଡ଼ି ଗାଡ଼ି ରିଲିଫ୍ ଆସି ପହଞ୍ଚିବାପରେ ଏଣିକି ଆରାମରେ ସେହି ପୁରାତନ ରସିକତାକୁ ପୁନର୍ବାର ଫେରିଯାଇ ହେବ । ସେମାନଙ୍କୁ କିଏ କହିବ ଯେ, ରିଲିଫ୍ରେ ମଣିଷର ଜୀବନ ନାମକ ପେଟଟା ମୋଟେ ଶାନ୍ତ ହୁଏନାହିଁ । ମଣିଷ ନିଜକୁ ପୂର୍ଣ୍ଣ ଭାବରେ ବଞ୍ଚିବାକୁ ଆହୁରି କେତେ କଣ ଚାହେଁ । ସର୍ବୋପରି ଏକ ସର୍ବନିମ୍ନ ସମ୍ପନ୍ନତା ଚାହେ । ପାରମ୍ପରିକ ନେତୃତ୍ୱ ତାକୁ ତାହା ଦେଇ ପାରିଲାନାହିଁ । ଏଣିକି ସିଏ ନିଜେ ନିଜର ଜୀବନକୁ ନେତୃତ୍ଵ ଦେବ, ନିଜ ଆଖିରେ ଦେଖି ଶିଖିବ ଏବଂ ନିଜର ଅନ୍ଦାଜରେ ସାରା ଦେଶଟାକୁ ଗଢ଼ିବ ।

Image

 

ମାନବିକତା ଲୋଡ଼ା

 

ମନୁଷ୍ୟର ଧର୍ମ, ତାହାହିଁ ମାନବିକତା । ସହଜତର ଓଡ଼ିଆରେ ଆମେ ତାହାକୁ ମଣିଷପଣିଆ ବୋଲି କହିପାରନ୍ତେ । କିନ୍ତୁ, ମାନବର ବିପରୀତ ବୋଲି ଦେଖାଇ ଆମ ଭାଷାରେ ଯେପରି ପଶୁ ଶବ୍ଦଟିକୁ ବ୍ୟବହାର କରାଯାଏ, ମାନବିକତା ଶବ୍ଦଟିର ଅନୁକରଣ କରି ଆମେ ପଶୁର କ୍ଷେତ୍ରରେ ପାଶବିକତା ଶବ୍ଦଟିକୁ ବ୍ୟବହାର କରି ପାରିବା କି ? ପଶୁର ଆଚରଣଗତ ଧର୍ମକୁ ପାଶବିକତା ବୋଲି କହିଲେ ପ୍ରକୃତରେ ଭାରି ଖଟକା ଲାଗିବ । ପ୍ରକୃତରେ ମାନବିକତାର ବିପରୀତ ଶବ୍ଦଟିକୁ ହିଁ ପାଶବିକତା ବୋଲି କୁହାଯାଇପାରିବ । ପଶୁମାତ୍ରକେ ପଶୁର ଧର୍ମକୁ ପାଳନ କରିଥାଏ । ତେଣୁ, ସେହି ଅର୍ଥରେ ପଶୁ କଦାପି ପାଶବିକ ହୋଇପାରିବ ନାହିଁ । କେବଳ ମନୁଷ୍ୟ ହିଁ ପାଶବିକ ହୋଇପାରିବ । ଯେକୌଣସି ପଶୁ ତା’ର ପଶୁଧର୍ମଟିକୁ ପାଳନ କରିବା ଲାଗି ବାଧ୍ୟ ହୋଇ ଏହି ପୃଥିବୀକୁ ଆସିଛି ଓ ନିଜର ଧର୍ମଟିର ପାଳନ କରୁଛି । ମାତ୍ର, ମନୁଷ୍ୟ ଯେ ମନୁଷ୍ୟଧର୍ମର ପାଳନ କରିବା ନିମନ୍ତେ ବାଧ୍ୟ ହେବ, ସେକଥା କେବେହେଲେ କୁହାଯାଇ ପାରିବ ନାହିଁ । ଏକମାତ୍ର ମନୁଷ୍ୟ ସ୍ଵୟଂ ମନେକଲେ ମାନବିକ ହୋଇପାରିବ ଅଥବା ମନ କଲେ ପାଶବିକ ମଧ୍ୟ ହୋଇପାରିବ । ଆମ୍ବ ଗଛଟିଏ ତା’ର ଧର୍ମ ପାଳନ କରି କେବଳ ଆମ୍ବ ହିଁ ଫଳାଇପାରିବ । ଛୁରୀଟିଏ ମଧ୍ୟ ନିଜର ଧର୍ମକୁ ହିଁ ପାଳନ କରିବ । ମୋଟେ ନିଜ ଧର୍ମରୁ ହୁଡ଼ିଯିବ ନାହିଁ । କେବଳ ମଣିଷ ହିଁ ହୁଡ଼ିପାରିବ । ଇତିହାସରେ ଏହିପରି ହୁଡ଼ିଯିବାର ଅସୁମାରି ଉଦାହରଣ ରହିଛି । ସଭ୍ୟ ଅସଭ୍ୟ ଉଭୟ ସମାଜରେ ରହିଛି ।

 

ଛାର ପଶୁଟିଏ ତା’ ଧର୍ମରୁ କଦାପି ବିଚ୍ୟୁତ ହେଉନାହିଁ, ଅଥଚ ମଣିଷଟିଏ କାହିଁକି ମନୁଷ୍ୟଧର୍ମରୁ ବିଚ୍ୟୁତ ହୋଇଯାଉଛି ? କେବଳ ମନୁଷ୍ୟର ହିଁ ବିଚ୍ୟୁତ ହେବାର ସ୍ଵାଧୀନତା ରହିଛି-। ସିଏ ମନ କଲେ ମାର୍ଗରେ ଯାଇପାରୁଛି, ମାର୍ଗରୁ ବିଚ୍ୟୁତ ବି ହୋଇପାରୁଛି । ସ୍ୱାଧୀନ ହୋଇ ପୃଥିବୀକୁ ଆସିଥିବାରୁ ମଣିଷ ପ୍ରକୃତରେ ବେଶୀ ହରାଇଛି ନା ବେଶୀ ଲାଭବାନ ହୋଇଛି ? ଯେକୌଣସି ଇତର ପ୍ରାଣୀ ସେଇ ବିଧାତାଙ୍କ ଆଡୁ ହିଁ ନିଜର ଏକ ସର୍ବଗୁଣସଂପନ୍ନ ଅର୍ଥାତ୍ ସର୍ବଲକ୍ଷଣଯୁକ୍ତ ପରିଚୟ ନେଇ ପୃଥିବୀକୁ ଆସିଥିବା ପରି ମଣିଷ କାହିଁକି ଏପରି ଏକାଧିକ ସମ୍ଭାବନା ନେଇ ଆସିଥିବାରୁ ହିଁ ଏହି ପୃଥିବୀରେ ଏମିତି ହଇରାଣ ହେଉଛି ଏବଂ ପୃଥିବୀଟାକୁ ମଧ୍ୟ ପ୍ରାୟ ନିରନ୍ତର ବିପନ୍ନ କରି ରଖିଛି କେଜାଣି ? ବିଧାତା ମନୁଷ୍ୟମାନଙ୍କୁ ଏପରି ସର୍ବସମର୍ଥ କରି ଗଢ଼ିଛନ୍ତି ଯେ ସିଏ ଯାହା ମନ କରୁଛି, ତାହା ହିଁ ହୋଇପାରୁଛି । ଗୋଟିଏ ପ୍ରକାରେ ବହିରେ ଲେଖୁଛି କିମ୍ବା ତୁଣ୍ଡରେ କହୁଛି ଏବଂ ଗୋଟାସୁଦ୍ଧା ଆଉ ଗୋଟିଏ ପ୍ରକାରେ ହୋଇପାରୁଛି । ଭଗବାନ ଆମ ମଣିଷମାନଙ୍କୁ କାହିଁକି ଏତେଗୁଡାଏ ସ୍ଵାଧୀନତା ଦେଲେ ବୋଲି ମଣିଷଙ୍କ ଭିତରୁ ହୁଏତ କେହି କେହି ଭାରି ବିରକ୍ତ ହୋଇ ବେଳେ ବେଳେ କହି ପକାଉଥିବେ । ଏହି ମାନବଟାକୁ ଭଗବାନ ଯଦି ସିଆଡୁ ପୂରା ମାନବିକ କରି ପୃଥିବୀକୁ ପଠାଇ ଦେଇଥାନ୍ତେ, ତେବେ ମଣିଷର ସଂସାରଟା ଠିକ୍ ଇତର ପ୍ରାଣୀମାନଙ୍କର ସଂସାର ପରି ସମସ୍ୟାମୁକ୍ତ ହୋଇପାରିଥାନ୍ତା ବୋଲି ସେମାନେ ହୁଏତ କହିବାକୁ ମନ କରୁଥିବେ । ଅପର ପକ୍ଷରେ, ଯଦି ମଣିଷର ସଂସାରଟା ଏହିଭଳି ରେଡ଼ିମେଡ଼ ହୋଇ ସିଆଡୁ ଆସିଥାନ୍ତା, ତେବେ ମଣିଷ ସତକୁ ସତ ମଣିଷ ହୋଇ ରହିଥାଆନ୍ତା ଟି-! ତେଣୁ, ମଣିଷ ହୋଇ ଜନ୍ମ ହୋଇଥିବା ଆମ ସମସ୍ତଙ୍କ କ୍ଷେତ୍ରରେ ମାନବିକ ହେବା ନହେବା ବହୁତ ଅଂଶରେ ପ୍ରଧାନତଃ ଆମ ନିଜ ଉପରେ ନିର୍ଭର କରିଥାଏ । ମନୁଷ୍ୟ ତା’ ଧର୍ମଟିକୁ ବସ୍ତୁତଃ ଏକ ସମ୍ଭାବନା ରୂପେ ନେଇ ହିଁ ପୃଥିବୀକୁ ଆସିଥାଏ । ବ୍ୟକ୍ତିଗତ ଓ ସାମୂହିକ ଭାବରେ ସେ ଯେଉଁଭଳି ମନ କରେ, ନିଜକୁ ତଥା ନିଜର ପୃଥିବୀକୁ ସେହିପରି ତିଆରି କରେ । ପ୍ରକୃତିଗୁଡ଼ାକୁ ସଂସ୍କୃତି ମର୍ଯ୍ୟାଦା ଦିଏ ଏବଂ ତାହାରି ଦ୍ୱାରା ହିଁ ସ୍ଵମହିମାକୁ ଆବିଷ୍କାର କରେ ।

 

ଏବର ଏହି ବାତ୍ୟାଟା ପରେ ହଜାର ହଜାର ମଣିଷ ବିପନ୍ନ ହୋଇଯାଇ ଥିବାରୁ ବର୍ତ୍ତମାନ ସବା ଆଗ ମାନବିକତା ଲୋଡ଼ା ବୋଲି ଜଣେ କିଏ ଏକ ଖବରକାଗଜରେ ଲେଖିଛନ୍ତି । ଭାରି ଦରଦର ସହିତ ଲେଖିଛନ୍ତି । ପ୍ରଚଣ୍ଡ ବାତ୍ୟାଟା ତାଙ୍କୁ ଅତ୍ୟନ୍ତ ଉତ୍ତେଜିତ ଭାବରେ ଭାବପ୍ରବଣ କରି ପକାଇଛି । ଗୋଟାଏ ଗୋଟାଏ ବିଶେଷ ସମୟ ଆସିଲେ ଥୋକେ ମଣିଷ ହଠାତ୍ ଏଭଳି ତରଳିଯାଇ ବୋହି ଯାଆନ୍ତି କାହିଁକି କେଜାଣି ? ଭାରତବର୍ଷରେ ଯେ ଏକଦା ଏକ ସ୍ୱାଧୀନତା ସଂଗ୍ରାମ ଲଢ଼ାଯାଇଥିଲା, ତା’ପଛରେ ମାନବିକତା ହିଁ ଯାବତୀୟ ଅର୍ଥରେ ସର୍ବପ୍ରଧାନ ଆବେଦନ ହୋଇ ରହିଥିଲା । ମଣିଷ, ଯେକୌଣସି ମଣିଷ ଯେତେବେଳ ଯାଏ ଏହି ପୃଥିବୀରେ କେବଳ ନିଜକୁ ଦେଖୁଥାଏ, ସେ ପର୍ଯ୍ୟନ୍ତ ସିଏ ନିଜ ମୂଳଧାତୁ ଗୁଡ଼ିକର କ୍ଷେତ୍ରରେ ପାଶବିକ ହୋଇରହିଥାଏ । ମଣିଷଟାଏ ହୋଇ ପୃଥିବୀକୁ ଆସିଥିଲେ ମଧ୍ୟ ଓ ନିଜ ଧଡ଼ ଉପରେ ମଣିଷର ମଥାଟାଏ ବୋହୁଥିଲେ ମଧ୍ୟ ପ୍ରକୃତରେ ଭାରି ଅମାନୁଷିକ ହୋଇ ରହିଥାଏ । କେବଳ ନିଜ ପାଇଁ ଠୁଳ କରୁଥାଏ, ତା’ ତୁଣ୍ଡ ଭିତରର ସବୁଯାକ ଲାଳ କେବଳ ତା’ ନିଜ ପାଇଁ ବୋହୁଥାଏ । କେବଳ ନିଜପାଇଁ ହିଁ ସିଏ ନିଜର ଅର୍ଜିତ ବିଦ୍ୟା ଏବଂ ବୁଦ୍ଧିଗୁଡ଼ାକୁ ଖଟାଇବାରେ ଲାଗିଥାଏ । ଭଗବାନଙ୍କୁ ମଧ୍ୟ ସିଏ ମୁଖ୍ୟତଃ ନିଜ ପାଇଁ ଡାକୁଥାଏ, ଖାସ୍ ନିଜର ଦୁଃଖ ନିବାରଣାର୍ଥେ ହିଁ ଗ୍ରହମାନଙ୍କୁ ଲାଞ୍ଚ ଦେଉଥାଏ । ଦେବୀଙ୍କ ପାଇଁ ଯନ୍ତାଳ ବସାଇ ସେ ନିଜ ପାଇଁ ଧନ ମାଗେ, ଯଶ ମାଗେ, ବଡ଼ପଣ ମାଗେ, ଚଣ୍ଡୀପୁରାଣର ହେରେଷା ଶ୍ଳୋକକାରଙ୍କ ପରି ପୂଜା ବଢ଼ିବା ପୂର୍ବରୁ ବାରାନ୍ତରେ ମନୋରମା ଭାର୍ଯ୍ୟାଟିଏ ମଧ୍ୟ ମାଗିପକାଏ ।

 

ଭାରତବର୍ଷ ସ୍ଵାଧୀନ ହେବା ପରେ ଏହି ଦେଶର ଉଚ୍ଚ ଓ ଉତ୍ତମମାନେ ସମ୍ଭବତଃ ଏହିପରି ଏକ ରାଜକୀୟ ଆସକ୍ତି ସହିତ ଭାଗ୍ୟଦେବୀଙ୍କ ପାଖରେ ପ୍ରାୟ ଏକ ଚମତ୍କାର ଚାତୁର୍ଯ୍ୟ ସହିତ ମନୋରମା ଭାର୍ଯ୍ୟା ପାଇଁ ମାଗୁଣି କରି ଆସୁଛନ୍ତି ଏବଂ ପ୍ରାୟ ସୁକଳ୍ପିତ ଭାବେ ଦାନବ ହେବାରେ ହିଁ ଚତୁର୍ବର୍ଗ ଫଳ ମିଳିପାରିବ ବୋଲି ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ୱାସ କରି ଆସିଛନ୍ତି । ଏବଂ, କୌଣସି ଯୁଗରେ ମଧ୍ୟ ବାତ୍ୟା ଯେଉଁମାନଙ୍କର କିଛି କରିପାରେ ନାହିଁ, ସେମାନେ କାହିଁକି ଆମ କଥାକୁ ମାନି ମାନବିକତା ପାଇଁ ଆଗ୍ରହ କରିବେ ? ଜୀବନର ବଣିଜରେ ସେମାନେ ଜାଣୁଜାଣୁ ଏତେଗୁଡ଼ାଏ କ୍ଷତି କ’ଣ ପାଇଁ ସହିବେ ?

 

ଏହି ପୃଥିବୀ ରହିଛି ବୋଲି ମୁଁ ଅଛି, ଅନ୍ୟ ମଣିଷମାନେ ଅଛନ୍ତି ବୋଲି ମୁଁ ମଧ୍ୟ ଜୀବନଟିଏ ବଂଚିବାର ଏକ ଅବସର ଲାଭ କରିଛି ଏବଂ ଏମାନଙ୍କୁ ବାଦ୍ ଦେଇ, ଲକ୍ଷ୍ମୀଛଡ଼ା କରି ରଖି ମୁଁ କଦାପି ଲକ୍ଷ୍ମୀମନ୍ତ ହୋଇପାରିବି ନାହିଁ । ଏପରି ଗୋଟିଏ ଅନ୍ୟ ସତ୍ୟାନୁମାନ ଉପରେ ନିଜକୁ ତିଆରି କରିବା, ଏଇଟିକୁ ଆମେ ମାନବିକତା ବୋଲି କହିପାରିବା । ସ୍ୱାଧୀନ ଭାରତବର୍ଷରେ ଆମର ସାମୂହିକ ଜୀବନରୁ ସେହି ତାରାଟିକୁ ସତେଅବା ତୀରମାରି ଉଡ଼ାଇ ଦେବା ନିମନ୍ତେ ହିଁ ଅଧିକ ପ୍ରୟାସ କରାଯାଇଛି । ସାମୂହିକ ଭାଗ୍ୟର ଯାବତୀୟ ଅଢ଼ା ଦାମ୍ଭିକ ଦାନବୀୟମାନଙ୍କ ହାତରେ ରହିଛି । ସେହିମାନେ ଦେଶଟାକୁ ଶାସନ କରିଛନ୍ତି, ଦେଶଟାକୁ ଭୋଗ କରିଛନ୍ତି । ଉଚ୍ଚ ଉଚ୍ଚ ଦରମାରେ ରହିଛନ୍ତି, ସାହେବଙ୍କ ମିଜାଜରେ ଲମ୍ବା ଲମ୍ବା ଗୋଡ଼ଗୁଡ଼ାକୁ ପକାଇ କୋଟି ମଣିଷଙ୍କୁ ଅସ୍ୱୀକାର କରି ବାଟ ଚାଲିଛନ୍ତି । କୋଟି କୋଟି ମଣିଷ ଅସହାୟ ହୋଇ ରହିଛନ୍ତି । ବାତ୍ୟା, ବନ୍ୟା, ମରୁଡ଼ି ଆସି ସବାଆଗ ସେହି ଅସହାୟମାନଙ୍କୁ ହିଁ ଚିହ୍ନାଇ ଦେଉଛି । ସେମାନେ ଯେ ଏତେସଂଖ୍ୟାରେ ଏ ଦେଶରେ ଅଛନ୍ତି, ଆମ ଉପରିସ୍ଥମାନଙ୍କୁ ସେହି ବିଷୟରେ ଚୁମୁଟି ଦେଇ ଯାଉଛି । ଆମେ ଚାଉଁକିନା ଉଠିବସୁଛୁ । ପୀଡ଼ିତ ଅଂଚଳମାନଙ୍କୁ ସାହାଯ୍ୟ ସାମଗ୍ରୀ ବୋହିବା ଆରମ୍ଭ କରିଦେଉଛୁ, ସତେଅବା ଏକ ଧର୍ମକାର୍ଯ୍ୟରେ ମାତିଯାଉଛୁ । ବନ୍ୟା ଓ ବାତ୍ୟା କଦାପି ସବୁଦିନ ରହେନାହିଁ କିମ୍ବା ରହିବ ନାହିଁ । ତେଣୁ, ଆମ ଉତ୍ତମଙ୍କ ଲାଗି ପୁନର୍ବାର ସ୍ୱାଭାବିକ ଜୀବନଟି ଫେରି ଆସିବ । ତଥାପି ଦାରିଦ୍ର୍ୟ ରହିବ, ଅସହାୟତା ରହିଥିବ । ସ୍ଵାମୀ ବିବେକାନନ୍ଦଙ୍କର ଅନୁପ୍ରେରଣାରେ ଆମେ ଦରିଦ୍ରମାନଙ୍କୁ ନାରାୟଣ ଜ୍ଞାନରେ ଦେଖୁଥିବା ଓ ଆମ ଭିତରର ଅପରାଧୀଟାକୁ ସାନ୍ତ୍ୱନା ଦେବାରେ ଲାଗିଥିବା । ମାନବିକତା ନାମରେ ଲାଳିକା ଲେଖା ହେଉଥିବ । ଦାନବମାନେ ପୁନର୍ବାର ଦାନବର ଦର୍ପରେ ଦେଶଟାକୁ ଗିଳି ପକାଇବେ ।

 

ଏହି ପୃଥିବୀଟାକୁ ମୋଟେ ସଜାଡ଼ି ହେବନାହିଁ, ଏକଥା ଭାବି, ଯେଉଁମାନେ ମଣିଷମାନଙ୍କର ମେଳକୁ ଛାଡ଼ି ଅରଣ୍ୟକୁ ପଳାଇଲେ ଏବଂ ଋଷି ବୋଲାଇଲେ, ସେମାନେ ଲେଖିଥିବା ଶାସ୍ତ୍ରଗୁଡ଼ାକ ମାନବିକତାର ବାସନାରେ ଏବେ ମଧ୍ୟ ମହମହ ହୋଇ ବାସୁଛି ! ଏହି ବିରୋଧାଭାସଟା ହିଁ ସମ୍ଭବତଃ ଭାରତବର୍ଷର ଜୀବନଟାକୁ ଅତ୍ୟନ୍ତ ବିଡ଼ମ୍ବନାମୟ ହୋଇ ରହିବାରେ ସାହାଯ୍ୟ କରି ଆସିଛି । ଭାରତବର୍ଷର ଜନଗଣଙ୍କୁ ଚାରିରୁ ଚାରି ହଜାର ଜାତିରେ ଆବହମାନ କାଳରୁ ବିଭକ୍ତ କରି ଆସିଥିବା ସମାଜଟାରେ ଆପେ କାହିଁକି ତୁଚ୍ଛାଟାରେ ମାନବିକତା ନାମକ ସେହି ସମ୍ପଦଟିକୁ ଖୋଜିବାକୁ ଯିବା ? ମାନବକୁ, ସବୁ ମଣିଷଙ୍କୁ ସବାବଡ଼ ନିର୍ଣ୍ଣାୟକ ବୋଲି ଘୋଷଣା କରି ଇଉରୋପରେ ଏକଦା କେତେ ବିପ୍ଳବ ହୋଇଛି, ଯାହାଦ୍ୱାରା କି ବିଜ୍ଞାନର ଅସଲ ଆବେଦନଗୁଡ଼ିକୁ ସେଠାରେ ଆବଶ୍ୟକ ସ୍ୱୀକୃତି ଦିଆଯାଇ ପାରିଛି । ମାତ୍ର ଭାରତବର୍ଷର ଅନୁରୂପ ଭାବରେ କେଉଁଠି କ’ଣ ହୋଇଛି ? ନାନାବିଧ ଧୃଷ୍ଟ ବାହ୍ୟାଚାରରେ ଧର୍ମକୁ ନୃଶଂସ କରି ରଖାଯାଇଛି, ଭାଗ୍ୟ ହିଁ ମଣିଷକୁ ସୁଖ ଏବଂ ଦୁଃଖ ଆଣିଦିଏ ଏବଂ ତେଣୁ ସେହି କ୍ଷେତ୍ରରେ ପ୍ରକୃତରେ ଆଦୌ କୌଣସି ହସ୍ତକ୍ଷେପ କରାଯାଇ ପାରିବ ନାହିଁ ବୋଲି ଆମର ପବିତ୍ର ପୁରାଣମାନେ କେତେ ନିର୍ମମ ଭାବରେ କହି ଆସିଛନ୍ତି । ଏବେ ମଧ୍ୟ ଭାରତବର୍ଷର ଚତୁର ମଣିଷମାନେ ଅଧ୍ୟାତ୍ମ ଦ୍ଵାରା ନୁହେଁ, ପ୍ରୟୋଜନରେ ପଡ଼ି ପୁରାଣ ଦ୍ଵାରା ହିଁ ପରିଚାଳିତ ହେଉଛନ୍ତି । ଆମ ଶିକ୍ଷିତ ସମାଜର ଅସାଧୁମାନେ କେଡ଼େ ବାଗରେ ସେହିସବୁ ପୁରାଣ କାହାଣୀରେ ଶ୍ରେଷ୍ଠ ପ୍ରଜ୍ଞାମାନ ଖଣି ପଡ଼ି ରହିଛି ବୋଲି ଆମ ପିଲାମାନଙ୍କୁ ଫୁସୁଲେଇବାରେ ଲାଗିଛନ୍ତି । ସ୍ୱାଧୀନତା ପରେ ଭାରତବର୍ଷରେ ଯେ ତେଣୁ ମୁଖ୍ୟତଃ ଏକ ଦାନବୀୟ ଅସାଧୁତା ଏବଂ ଅମାନୁଷିକତା ଜିତି ଜିତି ଆସିଛି, ସେକଥା କ’ଣ କାହାକୁ ବୁଝାଇ କରି କହିବାକୁ ପଡ଼ିବ ?

 

ମାନବିକତା ଏକ ଗୁଣ ନୁହେଁ, ଏହା ଏକ ସମ୍ବନ୍ଧ । ସମାଜରେ ଯଦି ଆମେ ପରସ୍ପରକୁ ସତକୁ ସତ ଦେଖୁଥାନ୍ତୁ, ତେବେ ଆମ ବ୍ୟବସ୍ଥାଗୁଡ଼ିକ ପ୍ରକୃତରେ କେତେ ଅନ୍ୟ ପ୍ରକାରରେ ହୋଇପାରିଥାନ୍ତା । ବିଗତ ପଚାଶ ବର୍ଷର ସ୍ଵାଧୀନ ଭାରତବର୍ଷରେ କେତେ କ’ଣ ବଦଳି ପାରିଥାନ୍ତା । ଏହି ଦେଶରେ କାଳକାଳରୁ ରାଜତ୍ଵ କରି ଆସିଥିବା ଅସହାୟତା ଗୁଡ଼ିକ ଏଠାରେ କୋଟି କୋଟି ମଣିଷଙ୍କୁ ଆଦୌ ଏପରି ଅସମର୍ଥ ଏବଂ ଭାଗ୍ୟନିର୍ଭର କରି ରଖିନଥାନ୍ତେ । ଏଠି ପ୍ରତ୍ୟେକେ ଆପଣାକୁ ଏକ ସ୍ୱାଧୀନ ଦେଶର ନାଗରିକ ବୋଲି ଅନୁଭବ କରି ନିର୍ଭୟ ହୋଇ ବାଟ ଚାଲି ପାରୁଥାନ୍ତେ । କେହି ପଶୁପରି ସହ୍ୟ କରୁନଥାନ୍ତା ଅଥବା କେହି ପଶୁପରି କଷଣ ଦେଉନଥାନ୍ତା । ବିଦ୍ୟାମାନେ ପ୍ରକୃତରେ ଭିତରକୁ ଭେଦି ପାରୁଥାଆନ୍ତେ ଏବଂ ମନୁଷ୍ୟର ବସ୍ତୁତଃ ବହୁତ କାର୍ଯ୍ୟରେ ଲାଗୁଥାନ୍ତେ । କେହି ଭୟ କରନ୍ତୁ ନାହିଁ ଏବଂ ତେଣୁ ଭୟ ଦେଖାଇବା ମଧ୍ୟ କାହାରି ଧର୍ମ ହୋଇନଥାନ୍ତା । ନିଜ ଆଡ଼କୁ ଅନାଇବା ମାତ୍ରକେ ସମସ୍ତେ ଦିଶି ଯାଉଥାନ୍ତେ । ସେତେବେଳେ ଧର୍ମ ଓ ଧର୍ମାଚରଣ କହିଲେ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ମୂଲ୍ୟବୋଧକୁ ବୁଝାଉ ଥାଆନ୍ତା । ଭଗବାନ ଅତ୍ୟନ୍ତ ପାଖରେ ରହିଥିବା ପରି ଅନୁଭୂତ ହେଉଥାଆନ୍ତେ । ଚାଲାଖମାନେ ଏହି ସଂସାରକୁ ମାୟା ବୋଲି କହି ନିରୀହ ସାଧାରଣମାନଙ୍କୁ ନାନା ଭାବେ ବଂଚିତ କରି ରଖିନଥାନ୍ତେ । ଜ୍ଞାନ ଓ ବିଜ୍ଞାନ ସତକୁ ସତ ମଣିଷମାନଙ୍କର କାମରେ ଲାଗୁଥାଆନ୍ତା ଏବଂ ମନୁଷ୍ୟମାନଙ୍କୁ ନାନା ପାରସ୍ପରିକତା ସୂତ୍ରରେ ବାନ୍ଧି ରଖିଥାନ୍ତା । ତସ୍କରଙ୍କ ପରି ଅଧିକରୁ ଅଧିକ ଆତ୍ମସାତ୍ କରିନେବାରେ ଆଦୌ କୌଣସି ଦୁର୍ବୁଦ୍ଧି ଦେଉନଥାନ୍ତା । ଆମ ଜାତୀୟତାବାଦ ଭୂଇଁ ଛୁଇଁ ରହିଥାନ୍ତା, ବର୍ତ୍ତମାନ ପରି ଥୋକେ ଲୋକଙ୍କୁ ମୋଟେ ମାରଣା କରି ରଖିନଥାନ୍ତା । ସେମାନଙ୍କୁ ସ୍ୱେଚ୍ଛାଚାରୀ ହେବାକୁ ଲାଜ ଲାଗୁଥାନ୍ତା । ପ୍ରତ୍ୟେକ ମନୁଷ୍ୟ ଭିତରେ ମାନବିକ ହେବାର ସମ୍ଭାବନା ଅବଶ୍ୟ ରହିଛି, ମାତ୍ର ତଥାପି ସବୁ ସମାଜରେ ମାନବିକତାକୁ ବାଟ ଛାଡ଼ି ଦେବାପାଇଁ ଏକ ଅନୁକୂଳ ଭିତ୍ତିଭୂମିଟିକୁ ସମ୍ଭବ କରି ଆଣିବାରେ ହିଁ ଏଠାରେ ସର୍ବାଧିକ ଶକ୍ତି ଏବଂ ସର୍ବାଧିକ ପ୍ରୟାସ ନିୟୋଜିତ ହୋଇପାରିଥାନ୍ତା । ତାହା ହୋଇପାରିଲା ନାହିଁ । ଉପର ଥାକଗୁଡାକରେ ଅବଜ୍ଞା ହିଁ ବଢ଼ିଲା ଏବଂ ତଳେ ମନୁଷ୍ୟମାନେ ଉପେକ୍ଷିତ ହୋଇ ରହିଲେ । ରାଷ୍ଟ୍ରଟା ସତେଅବା ମାତ୍ର ଅଳପଙ୍କ ଘରେ ରକ୍ଷିତା ହୋଇ ରହିଗଲା । ତାହାର ପ୍ରତିବାଦ ହୋଇଥାନ୍ତା, ପ୍ରତିରୋଧ ହୋଇପାରିଥାନ୍ତା । ମାତ୍ର ଯେଉଁମାନେ ସଂଗ୍ରାମ କରିଥାନ୍ତେ, ସେମାନେ ଭତ୍ତା ଖାଇ ବୁଢ଼ା ହେଲେ ସିନା, ଆଉ ତେଣେ ସାହସ କଲେନାହିଁ । ପାରିବା ମନୁଷ୍ୟମାନେ ଯାବତୀୟ କୂଟ କୌଶଳ କରି ନିଜ ନିଜର ଡ଼ିହଗୁଡ଼ିକୁ ନିରାପଦ ଓ ଉଚ୍ଚ କରିବାରେ ଅଧିକ ମନ ଦେଲେ । ସାହିତ୍ୟ ନିଜକୁ ଅବସନ୍ନ ମଣିଲା ଏବଂ ନିସଙ୍ଗତା ସହିତ ରମଣ କଲା । ରାଜନୀତି ଘରର ସବଳମାନେ ମଉକାମାନ ସୃଷ୍ଟି କରି ରାଷ୍ଟ୍ରଶକ୍ତିକୁ ନିଜର ବ୍ୟକ୍ତିଗତ ବୃଦ୍ଧିର ନାନା ମନ୍ଦ ମତଲବରେ ବ୍ୟବହାର କଲେ । ସେମାନଙ୍କଠାରୁ ପ୍ରେରଣା ଅଥବା ପ୍ରଶ୍ରୟ ପାଇ ରାଷ୍ଟ୍ରକଳକୁ ଚଲାଇବାକୁ ନିଯୁକ୍ତ ହୋଇଥିବା ପରିକରମାନେ ମଧ୍ୟ କ୍ରମେ ଅଧିକ ଧୋବ ଏବଂ ଅଧିକ ଦୂରଛଡ଼ା ହୋଇ ରହିବାକୁ ଆପଣାର ବ୍ୟବହାରିକ କର୍ତ୍ତବ୍ୟ ରୂପେ ଗ୍ରହଣ କରିନେଲେ । ତା’ପରେ ଦେଶଟା, ଦେଶନାମକ ଏହି ମନୁଷ୍ୟସଂସ୍ଥାନଟା ପ୍ରକୃତରେ ଆଉ କାହାରି ହୋଇ ରହିଲା ନାହିଁ । ଉଚ୍ଛନ୍ନ ହେଲା ଏବଂ ଉଜୁଡ଼ିଗଲା । ତେଣୁ, ପଚାଶ ବର୍ଷର ଏକ ଅପକର୍ମମୟ ଦୀର୍ଘ ଅବଧିପରେ ମାନବିକତା କଦାପି ଲୋଡ଼ିବା ମାତ୍ରକେ ଆସି ପହଂଚି ଯିବ ନାହିଁ । ବହୁତ ମିଥ୍ୟକୁ ପରିହାର କରିପାରିଲେ ଯାଇ ସତ୍ୟର ଅନୁଭବ ସମ୍ଭବ ହେବ । ଏବଂ, ସଂଗ୍ରାମ ବିନା ଏହି ସଂଗଠିତ ମିଥ୍ୟମାନଙ୍କୁ କିପରି ବା ହଟାଇବା ସମ୍ଭବ ହେବ ? ମାନବିକତାର ପ୍ରତିଷ୍ଠା କେବଳ ଏକ ସଂଗ୍ରାମ ଦ୍ୱାରା ହୋଇପାରିବ । ରାଜନୀତି ହିଁ ସେହି ସଂଗ୍ରାମର କଦାପି ଏକମାତ୍ର ପ୍ରେରଣା ହୋଇ ରହିବନାହିଁ ସତ, ତଥାପି ରାଜନୀତିକୁ ଏକ ଦୂଷିତ କ୍ଷେତ୍ର ବୋଲି କହି ନିଜର ଅଲଗା ମଠମାନଙ୍କରେ ନିବୁଜ ହୋଇ ରହିଥିବା ବାବାଜୀମାନେ ମଧ୍ୟ ସେହି ସଂଗ୍ରାମ କରିପାରିବେ ନାହିଁ । ସ୍ୱାଧୀନ ଭାରତବର୍ଷର ତ ପ୍ରକୃତରେ ଏକ ବଡ଼ ମନ୍ଦଭାଗ୍ୟ ଯେ, ଏଠି ବାବାଜୀମାନେ ପ୍ରଧାନତଃ ସାମନ୍ତ ଓ ଅତିସ୍ଥୂଳମାନଙ୍କର ପଟ ନେଇଛନ୍ତି, ସେମାନଙ୍କୁ ଅଧିକରୁ ଅଧିକ ମାରାତ୍ମକ ଏବଂ ସ୍ୱେଚ୍ଛାଚାରୀ ହେବା ନିମନ୍ତେ ଆଶୀର୍ବାଦ କରିଛନ୍ତି ଓ ତା’ ବଦଳରେ ନିଜର ମଠଗୁଡ଼ାକର ଦାଣ୍ଡଟାକୁ ପିଚୁ କରି ନେଇଛନ୍ତି । ଏମାନେ ଯାବତୀୟ ଅଧ୍ୟାତ୍ମକୁ ବହି ଭିତରେ ବନ୍ଦ କରି ରଖିଛନ୍ତି ଏବଂ ସମଗ୍ର ହାଉଆଟାକୁ କ୍ଲୀବ କରି ରଖିଛନ୍ତି । ତେଣୁ, ଏମାନେ ନୁହନ୍ତି, ଅନ୍ୟମାନେ ହିଁ ପାରିବେ । ସତ୍ୟାଗ୍ରହୀମାନେ ପାରିବେ । ଦୁର୍ଗତମାନଙ୍କୁ ସେମାନେ କେବଳ ସାନ୍ତ୍ୱନା ଦେବେନାହିଁ, ଭିକ୍ଷାନିର୍ଭର କରି ରଖିବାର କୌଣସି କୁକାର୍ଯ୍ୟ କରିବେ ନାହିଁ । ସେମାନଙ୍କୁ ଶକ୍ତି ଦେବେ । ଖାଲି ସବୁକିଛି ସହିଯିବା ନିମନ୍ତେ ଆଦୌ କୁମନ୍ତ୍ରଣା ଦେବେ ନାହିଁ । ଦୁର୍ଗତମାନଙ୍କୁ ସେମାନେ ସତକଥାମାନ କହିଦେବେ । ମିଛ ମଣିଷମାନଙ୍କୁ ଚିହ୍ନାଇଦେବେ । ମଣିଷ ଯେ କେବଳ ପେଟଟା ପାଇଁ ବଂଚେ ନାହିଁ, ନିଜର ଅଧିକାରଗୁଡ଼ିକୁ ହାସଲ କରିବାକୁ ବଂଚେ, ଏକ ସ୍ୱାଧୀନ ଦେଶର ଏତେ ଏତେ ମଣିଷ ଏଡ଼େ ଅସହାୟ ଏବଂ ଅରକ୍ଷିତ ହୋଇ ମରିବା ପାଇଁ ଯେ ଆଦୌ କୌଣସି କାରଣ ନାହିଁ, ସେମାନେ ଏକାବେଳେକେ ତଳଆଡୁ ସେହି ସତ୍ୟଟିକୁ ଅନୁଭୂତ କରାଇବେ । ଏକ ଅନ୍ୟ ଆବାଜ ସୃଷ୍ଟି କରିବେ । ଅଧିକାର ମାଗିବାର, ସମ୍ମାନ ମାଗିବାର ଏବଂ ଏକ ରାଷ୍ଟ୍ରକୁ ଅସାଧୁମାନଙ୍କର ଫାଶରୁ ମୁକ୍ତ କରି ଆଣିବାର ବାରତାଟିକୁ ସେମାନେ ବିହନ ପରି ବିଞ୍ଚିଦେବେ । ସାହିତ୍ୟରେ ବଂଚିବେ, ଶିକ୍ଷାଳୟରେ ବିଞ୍ଚିଦେବେ, ରାଜନୀତିର ସୁଆଙ୍ଗ-ଘରମାନଙ୍କର ଶାନ୍ତିଭଙ୍ଗ କରାଇବେ । ପ୍ରକୃତି କ’ଣ ମଣିଷର ଶତ୍ରୁ ଯେ ସିଏ ଭଗାରି ହୋଇ ମଣିଷ ଉପରେ ପ୍ରକୋପ ଦେଖାଇବ ? ମଣିଷମାନେ ଅସହାୟ ହୋଇ ରହିବାର ଅପମାନଟାକୁ ବରି ନେଉଥିବା ଯାଏ ହିଁ ପ୍ରକୃତିର ଯାବତୀୟ ପ୍ରକୋପକୁ ସହ୍ୟ କରିବା ସକାଶେ ବାଧ୍ୟ ହେଉଥିବେ । ତେଣୁ, ପାରସ୍ପରିକତା ଓ ମାନବିକତା ହିଁ ମଣିଷମାନଙ୍କର ସର୍ବପ୍ରଥମ ସନ୍ତକ ବୋଲି ଯେଉଁମାନେ ସତକୁ ସତ ବିଶ୍ୱାସ କରୁଛନ୍ତି, ସେମାନେ ଏକ ପରବର୍ତ୍ତୀ ଭବିଷ୍ୟତ ଲାଗି ଲୋଡ଼ା ହେଉଥିବା ସଂଗ୍ରାମର ବାର୍ତ୍ତାକୁ ହିଁ ସବା ତଳଯାଏ ବହିନିଅନ୍ତୁ । ସେହି ପୁରାତନ ପ୍ରକାରେ ସେଠି କିଛି ତ୍ରାଣ ସାମଗ୍ରୀ ଫୋପାଡ଼ି ଦେଇ ପୁଣି ନିଜର ଗାତମାନଙ୍କୁ ଫେରି ନଆସନ୍ତୁ । ଅସଲ ତ୍ରାଣରେ ନିମିତ୍ତ ହୁଅନ୍ତୁ ।

Image

 

ସନ୍ଦୀପନ ପାଠଶାଳା

 

ଠାକୁରମୁଣ୍ଡାଠାରୁ ପ୍ରାୟ ସାତ କିଲୋମିଟର ପଦାକୁ ବାହାରିଗଲେ ପଇଦାବନ୍ଧ । ପଦାକୁ ଅର୍ଥାତ୍ ଜଙ୍ଗଲ ଆଡ଼କୁ । ଜଙ୍ଗଲ ଭିତରେ ମଧ୍ୟ ଗାଆଁ, ଆମ ଏ ଆଡ଼ର ଗାଆଁମାନଙ୍କ ଭଳି ଧାଉଡ଼ି ହୋଇ ଘର ନାହିଁ । ଗଛ ସବୁ କହିଦେଉଛି ଯେ, ଏଠାରେ ଏକ ସମୟରେ ଜଙ୍ଗଲ ଥିଲା । ସମ୍ଭବତଃ ଅଳ୍ପ କେତେବର୍ଷ ତଳେ ସେଠାରେ କେତୋଟି ପରିବାର ଆସି ପହଂଚିଲେ ଓ ବସିତିସ୍ଥାପନ କଲେ । ସେମାନେ ସମସ୍ତେ ଆଦିବାସୀ, ହୋ ଭାଷା କହନ୍ତି । ଜୀବିକା ଜଞ୍ଜାଳକୁ ନେଇ ଥାନକୁ ଥାନ ହେଉଥାନ୍ତି । ଯେଉଁଠାକୁ ଯାଆନ୍ତି, ଅରମା ଭିତରେ ବସତିଟିଏ ବସାଇ ଦିଅନ୍ତି-। ବାହୁରେ ବଳ ଅଛି, କାମ କରିବାକୁ ଲାଜ ମାଡ଼େନାହିଁ । ତେଣୁ ସେମାନଙ୍କର ହାତ ବାଜିବା ମାତ୍ରକେ ସଂସାରଟିଏ ହସିଉଠେ, ପ୍ରତିବେଶଟିଏ ଗଢ଼ି ହୋଇଯାଏ । ଏହି ପ୍ରତିବେଶକୁ ସେମାନେ ଗାଆଁ ବୋଲି କହନ୍ତି । ଜଙ୍ଗଲରୁ ଜମି ବାହାରେ । ଜଙ୍ଗଲ ତଥାପି ରହେ । ମହୁଲ କଟା ହୁଏନାହିଁ କି ଶାଳ କଟା ହୁଏ ନାହିଁ । ପଥରର ଟାଙ୍ଗରଗୁଡ଼ାକ ସେହି ଆଗଭଳି ପଡ଼ି ରହିଥାଏ । ବେଶୀ ଖାଲି ଜାଗା, ମଝିରେ ମଝିରେ ଘର । ଭାରି ଖୋଲା ଲାଗେ । ଆଲୁଅ ଏବଂ ପବନ ତଥାପି ପଡ଼ିଶା ହୋଇ ରହିଥାଆନ୍ତି । ମଣିଷମାନେ ସେମାନଙ୍କୁ ସ୍ୱୀକାର କରିନିଅନ୍ତି, ସେମାନେ ମଧ୍ୟ ମଣିଷମାନଙ୍କୁ ସ୍ୱୀକାର କରିନିଅନ୍ତି । ପ୍ରକୃତି ଏବଂ ସଂସ୍କୃତି ମଧ୍ୟରେ ବାଦ ଲାଗିବାର ଯେ ଆଦୌ କୌଣସି ପ୍ରୟୋଜନ ନାହିଁ, ପଇଦାବନ୍ଧ ପରି ଗୋଟିଏ ଗାଆଁକୁ ଆସିଲେ ସେକଥା ସଭ୍ୟମାନଙ୍କୁ ମଧ୍ୟ ପୂରା ଜଳଜଳ ହୋଇ ଦେଖାଯିବ । ମଥାସହିତ ହୃଦୟଟିଏ ରହିଥିଲେ ଅଲବତ ଦେଖାଯିବ । ବୁଝି ହୋଇଯିବ ଯେ ମଥା ଆଉ ହୃଦୟ ଦୁହିଁଙ୍କୁ ନେଇ ହିଁ ଭବିଷ୍ୟତରେ ପୃଥିବୀ ଗଢ଼ା ହେବ । ହୃଦୟ ଜନନୀ ହେବ ଏବଂ ମଥାଟା ତା’ର ବୁଦ୍ଧିଆ ପୁଅଟିଏ ହୋଇ ପୃଥିବୀକୁ ଗଢୁଥିବ ।

 

ପଇଦାବନ୍ଧ ଗାଆଁରେ ପରିବାର ପରିବାର ମଧ୍ୟରେ କିଛି କିଛି ଫରକ ରହିଛି ସତ, ତଥାପି କେହି ସାଆନ୍ତ ନାହାନ୍ତି । ସମସ୍ତେ ଶ୍ରମୀ, ତେଣୁ ସମସ୍ତେ ରୋଜଗାରୀ । ସେହି କାରଣରୁ ପରସ୍ପର ମଧ୍ୟରେ ବୁଝାମଣା ଅଧିକ । ଏବଂ ବୁଝାମଣାରୁ ସଂହତି । ଗାଆଁର ପିଲା ସମସ୍ତଙ୍କର ପିଲା । ସେମାନଙ୍କର ସଂଖ୍ୟା ଚାଳିଶ ପଚାଶ । ଝିଅ ପୁଅ ଭିତରେ ବିଶେଷ ବାରଣ ନାହିଁ । ବ୍ୟବଧାନ ବି ନାହିଁ । ଅଳସୁଆ ସମାଜ ମାନଙ୍କରେ ସମ୍ଭବତଃ ଏହି ବାରଣ ଏବଂ ବ୍ୟବଧାନଗୁଡ଼ିକ ଅଧିକ ଦେଖିବାକୁ ମିଳିଥାଏ । ଗାଆଁ ନୂଆ ହୋଇ ବସିବା ସମୟରେ ପିଲାଙ୍କ ସକାଶେ କୌଣସି ପାଠଶାଳା ନଥିଲା । ତେଣୁ ମାତ୍ର କେତେଜଣ, ଯେଉଁମାନେ ଭାଗ୍ୟବାନ, ସେମାନେ କିଛି ସଂଖ୍ୟାରେ କେତେ ଜାଗାରେ ଆଶ୍ରମ ସ୍କୁଲମାନଙ୍କରେ ଯାଇ ପାଠ ପଢ଼ିଲେ । ସେଦିନ ଆମେ ସେହି ଗାଆଁରେ ଏପରି ଜଣେ ଭାଇଙ୍କୁ ଦେଖିଲୁ ଯିଏକି କଟକ ରେଭେନ୍ସା କଲେଜରେ ପାଠ ପଢୁଛନ୍ତି । ମାତ୍ର, ଗାଆଁର ସବୁ ପିଲାଙ୍କର ଉଦ୍ଧାର ତାହାଦ୍ଵାରା ଆଦୌ ହୋଇଯିବ ନାହିଁ । ଏବଂ, ସବୁ ପିଲା ତ ଦିନ ବେଳେ କାମ କରୁଥିବେ, ତେଣୁ ଦେଶରେ ମୁଖ୍ୟ ଧାରାରେ ଚାଲୁଥିବା ସ୍କୁଲଗୁଡ଼ିକୁ ମୋଟେ ପୋଷାଇବେ ନାହିଁ । ପିଲାଏ କାମ ନକଲେ ବାପା, ମାଆ ଏକହାତିଆ ହୋଇଯିବେ । ତେଣୁ ଯଦି ପିଲାଏ ପଢ଼ିବେ, ତେବେ ରାତିରେ ହିଁ ପଢ଼ିବେ । ପାଖରେ କାର୍ଯ୍ୟ କରୁଥିବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଠାରେ ରାତି ଇସ୍କୁଲଟିଏ ଚଳାଉଥିଲା । ମାତ୍ର, ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କର ତ ନିଜର ଅଣ୍ଟା ବୋଲି କିଛି ନାହିଁ । ସରକାର କିମ୍ବା ଆଉ କାହାର ଅନୁଦାନ ହିଁ ସେମାନଙ୍କର ଅଣ୍ଟା ପରି କାର୍ଯ୍ୟ କରୁଥାଏ । ପଇଦାବନ୍ଧର କପାଳରେ ଭବିଷ୍ୟତ ପାଇଁ ହୁଏତ ଅନ୍ୟ କିଛି ଲେଖା ହୋଇ ରହିଥିଲା ବୋଧହୁଏ, ସେହି ଅନୁଦାନ ବନ୍ଦ ହୋଇଗଲା । ତେଣୁ ପଇଦାବନ୍ଧର ଏହି ପାଠଶାଳାଟି ମଧ୍ୟ ବନ୍ଦ ହୋଇଗଲା । ପିଲାମାନେ ପାଠ ପଢ଼ିବାର ସୁଯୋଗ ହରାଇଲେ ।

 

ମାତ୍ର, ବାପା ମାଆମାନଙ୍କର ଅବଶୋଷ ରହି ଯାଉଥିଲା । ପିଲାଏ ପାଠ ପଢ଼ିବାରୁ ବଂଚିତ ରହିବେ ତ ଆଗକୁ କିପରି ପାଦଟିଏ ପକାଇ ପାରିବେ ? ପୃଥିବୀତ ଅବଶ୍ୟ ଆଗକୁ ଆଗକୁ ଚାଲି ଯାଉଥିବ । ତେବେ ପଇଦାବନ୍ଧର ପିଲା କ’ଣ ପଛକୁ ରହିଯିବେ ? ଅସନ୍ତୋଷ ଭିତରୁ ଉପାୟ ବାହାରିଲା । ନିଜ ଚେଷ୍ଟାରେ କିଛି ହୋଇପାରିବ ବୋଲି ବିଶ୍ୱାସ ଜନ୍ମିଲା । ଗ୍ରାମ କମିଟି ତରଫରୁ କୋଉଠୁ କିଛି ଟଙ୍କା କରଜ କରି କ୍ଷୁଦ୍ର ବ୍ୟବସାୟଟିଏ ଆରମ୍ଭ କରାଗଲା । ସେଥିରୁ କିଛି ଲାଭ ହେଲା । ପରିବାର ପିଛା କିଛି ଚାନ୍ଦା ମଧ୍ୟ ଏକାଠି ହେଲା । ହାତକୁ ପାଣ୍ଠିଟିଏ ମିଳିଗଲା । ସେହି ପାଣ୍ଠିକୁ ବଢ଼ାଇ ପରିମାଣ ଅଧିକ କରାଇବାର ଆଉ କେତେକ ଧନ୍ଦା କରାଗଲା-। ଗାଆଁରେ ପଞ୍ଚାୟତର ପୋଖରୀ ଥିଲା, ଏମାନେ ସେଥିରେ ମାଛଚାଷ କଲେ । ପାଣ୍ଠି ଆହୁରି ବଢ଼ିଲା । ଅନ୍ୟ ଗାଆଁରୁ ସରପଞ୍ଚ ଆସି ଏଇଟା ବେଆଇନ କାର୍ଯ୍ୟ ବୋଲି କହି ଧମକ ଦେଲା । ତଥାପି, ମାଛଚାଷଟା ତ କେହି ନିଜର ବ୍ୟକ୍ତିଗତ ଲାଭ ପାଇଁ କରୁନଥିଲା । ଗାଆଁ ପିଲାଏ ପାଠ ପଢ଼ିବେ ବୋଲି ନିଜ ଉଦ୍ୟମରୁ ପାଠଶାଳାଟିଏ ଖୋଲିବା ନିମନ୍ତେ ଯାହା କିଛି କରାଯାଉଥିଲା । ତେଣୁ ଉଦ୍ୟମଟି ହିଁ ଜିତିଲା । କ୍ରମେ ପାଣ୍ଠିଟି ବଢ଼ି କେତେ ହଜାରକୁ ଯାଇ ଛୁଇଁଲା । ତେଣୁ ମୂଳ ସଂକଳ୍ପଟି ପାଚି ଆସିଲା ପରି ମନେହେଲା । ଗୋଟିଏ ସାଧାରଣ ଜାଗାରେ ସମସ୍ତେ ମିଶି ଘରଟିଏ ଛିଡ଼ା କରାଇଦେଲେ । ସେଇଟା ପାଠଶାଳା ହେବ । ସେଠାରେ ଗାଆଁର ସବୁ ପୁଅଝିଅ ପାଠ ପଢ଼ିବାକୁ ଆସିବେ । ଯେଉଁ ଗ୍ରାମବାସୀମାନେ ସାଧାରଣ ପାଣ୍ଠିରୁ ଟଙ୍କା କରଜ ନେଉଥିବେ, ସେମାନେ କଳନ୍ତର ନଦେଇ ପାଠଶାଳା ଖରଚ ତୁଲାଇ ଦେଉଥିବେ । ଜଣେ ଶିକ୍ଷକ ରାତିରେ ଆସି ପାଠଶାଳା କରିବେ । ମାସକୁ ଦୁଇଶହ ଟଙ୍କା ପାଇବେ । ପିଲାଙ୍କ ପାଇଁ ଲଣ୍ଡନ, କିରୋସିନି ମଧ୍ୟ ସେଇ କଳନ୍ତରରୁ କିଣାହେବ । ଚିହ୍ନା ସ୍ୱେଚ୍ଛାସେବୀ ସଂସ୍ଥାଟି ଲୋକଙ୍କ ତରଫରୁ ଏହି ଉଦ୍ୟମରୁ ଉତ୍ସାହିତ ହୋଇ ପିଲାଙ୍କ ନାମରେ କିଛି ଛେଳି ଯୋଗାଇଦେଲା । ଛେଳିଙ୍କ ସଂଖ୍ୟା ବଢ଼ିଲା । ଛେଳି ବିକ୍ରିଦ୍ଵାରା ଲକ୍ଷ୍ମୀ ମଧ୍ୟ ଅଧିକ ଅନୁଗ୍ରହ କଲେ । ଏହିପରି ଭାବରେ ବର୍ତ୍ତମାନଟି ପାଇଁ ଦୃଢ଼ ମୁଳଦୁଆଟିଏ ଗଢ଼ା ହୋଇଗଲା । ଭବିଷ୍ୟତ ଭିତରକୁ ପାହାଚଗୁଡ଼ିକ ମଧ୍ୟ ଦୃଶ୍ୟ ହୋଇ ଆସିଲେ । ସେଦିନ ବେଳ ରତ ରତ ସମୟକୁ ଆମେ ପଇଦାବନ୍ଧରେ ଯାଇ ପହଞ୍ଚିଲୁ । ସବୁଜ ଭୂଇଁ ଉପରେ ଦିନଶେଷର ଖରା ପଡ଼ି ହରିତ୍ ଚକ୍ଚକ୍ ଦେଖାଯାଉଥିଲା । ଗାଆଁରେ ତ ପଶୁ ପଶୁ ପିଲାମାନଙ୍କ ସହିତ ଭେଟ ହୋଇଗଲା । ସେମାନେ ସଫା ଚିକ୍କଣ ହୋଇ ପାଠଶାଳାକୁ ଯାଉଥାନ୍ତି-। ହାତରେ ବସ୍ତାନି, ବସିବା ପାଇଁ ଛପା ଓ କେତେଜଣଙ୍କ ହାତରେ ଲଣ୍ଡନ । ଆମକୁ ଦେଖି ଗାଆଁର ବଡ଼ମାନେ ବି ବାହାରି ଆସିଲେ । ଇସ୍କୁଲ ଘର କହିଲେ ଖୁଣ୍ଟ ଉପରେ ଆଶ୍ରାକରି ଠିଆ ହୋଇଥିବା ଗୋଟାଏ ଛପର ଛଡ଼ା ଆଉ କିଛି ହୋଇନାହିଁ । କାନ୍ଥ ଉଠିନାହିଁ । ମାଆମାନେ ଆମ ପାଇଁ ବାହାରେ ଖଜୁରିପଟି ପକାଇଦେଲେ । ଗୁରୁ ତାଙ୍କ ପିଲାଙ୍କୁ ନେଇ ଛପର ତଳେ ଇସ୍କୁଲ ଜମାଇଲେ । ପ୍ରାର୍ଥନା ଗାଇଲେ । ପାଠପଢ଼ା ଆରମ୍ଭ ହେଲା । ସରକାରୀ ଶିକ୍ଷା ବିଭାଗର କୌଣସି ଇନିସ୍ପେକ୍ଟର ଏହାକୁ ଆଦୌ ଇସ୍କୁଲ ବୋଲି କହିବ ନାହିଁ । ସେହି ବିଭାଗର ଗୋଟାଏ ଫାଳକୁ ଗଣଶିକ୍ଷାର ବିଭାଗ ବୋଲି କୁହାଯାଉଥିଲେ ମଧ୍ୟ ସେଇଟା ଭୁବନେଶ୍ୱରରୁ ହିଁ ଚାଲୁଛି । ଭୁବନେଶ୍ୱରଟା ଦିଲ୍ଲୀରୁ ଚାଲୁଛି । ଜଣମାନଙ୍କ ବରାଦରେ ଓ ଜଣମାନଙ୍କର ଅନ୍ଦାଜ ଅନୁସାରେ ବି ଚାଲୁଛି । ଦିନବେଳେ ଚାଲୁଥିଲେ ମଧ୍ୟ ସେଇଟା ଭିତରେ ଅନ୍ଧାର ଘୋଟି ରହିଛି । ତାହାକୁ ପୂରା ଉଚ୍ଚଶିକ୍ଷିତ ଚଳାଉଥିଲେ ମଧ୍ୟ ତାହା ନିତାନ୍ତ ଅଶିକ୍ଷିତ ତୁଚ୍ଛା କେତେଟା ଖିଆଲରେ ଚାଲୁଛି । ଅବଶ୍ୟ ଗଣଙ୍କର ପଇସାରେ ହିଁ ଚାଲୁଛି । ସେଠି ହାକିମମାନେ ଉଚ୍ଚ ଦରମା ପାଉଛନ୍ତି । ତଥାପି ପ୍ରାୟ ବାଧ୍ୟ ହୋଇ ପେଲେଇ ହୋଇ ଭାରି ଅମଙ୍ଗ ହୋଇ ଚାଲିଛନ୍ତି । ସେମାନଙ୍କୁ କେହି ସଜାଡ଼ି ପାରୁନାହାନ୍ତି । ପ୍ରକୃତ ଗଣତନ୍ତ୍ରରେ ଗଣମାନେ ହିଁ ଜଣମାନଙ୍କୁ ଚଲାଉ ଥାଆନ୍ତେ । ଆମ ଦେଶଟାକୁ କି ଅମଙ୍ଗଳ ଘୋଟିଛି କେଜାଣି, ଏଠି ଜଣମାନେ ହିଁ ଭାଗ୍ୟବିଧାତା ହୋଇ ବସିଛନ୍ତି ଏବଂ, ଏହି ଦେଶଟା ସତେ ଯେପରି ମୋଟେ ସେମାନଙ୍କର ନୁହେଁ, ସେହିପରି ନିତାନ୍ତ ଅନ୍ୟମନସ୍କ ଭାବରେ ଶିକ୍ଷାଟାକୁ ଚଳାଉଛନ୍ତି । କୌଣସି ଗୋରୁଗୋଠର ଜଗୁଆଳଠାରୁ ମଧ୍ୟ ଅଧିକ ଅନ୍ୟମନସ୍କ ହୋଇ ରହିଛନ୍ତି ।

 

ବଡ଼ମାନଙ୍କ ସହିତ ଆମର ଦୁଃଖ ସୁଖ ଆରମ୍ଭ ହୋଇଗଲା । ମାଆମାନେ କହିଲେ, ପୁରଷମାନେ ବି କହିଲେ । ହାତରେ ସମ୍ବଳ ନଥିଲେ କ’ଣ ହେଲା, ସଂଘବଳ ଅତ୍ୟନ୍ତ ଦୃଶ୍ୟମାନ ହୋଇରହିଛି । ଯେଉଁଠି ସେମାନେ ଏକାଠି ହୋଇ ପାଠଶାଳା ନାମକ ଏହି ପ୍ରକଳ୍ପଟିକୁ ଏଯାଏ ଆଗେଇ ଆଣିଲେଣି, ଆହୁରି ଆଗର ପାହାଚଗୁଡ଼ିକ ସତେଅବା ଥାକ ଥାକ ହୋଇ ଦିଶିଯାଉଛି । ମୂଳଦୁଆଟି ଯେତେବେଳେ ଗାଆଁର ସମ୍ମିଳିତ ବିଶ୍ୱାସ ଦ୍ଵାରା ଦମ୍ଭ ହୋଇ ତିଆରି ହୋଇ ସାରିଲାଣି, ସେତେବେଳେ ଉପର ମହଲାଗୁଡ଼ାକୁ ସମ୍ଭବ ଓ ସାକାର କରି ଆଣିବାକୁ କାହିଁକି ବା ସାହସ ନହେବ ? ବର୍ତ୍ତମାନ ତିଆରି ହୋଇ ସାରିଥିବା ଚାଳଛପରଟି ତଳେ ଆଗ ଦୁଇଟି ଶ୍ରେଣୀ ପାଇଁ ଦୁଇଟି ବଖରା ତିଆରି ହେବ । ଗାଆଁର ସମସ୍ତେ ମିଶି କାନ୍ଥ ତିଆରି କରିଦେବେ । କବାଟ ଝରକା ନିମନ୍ତେ ଆବଶ୍ୟକ କାଠ ଯୋଗାଡ଼ ହୋଇ ସାରିଲାଣି । ନଗଦ ନିଅଣ୍ଟ ହେଲେ ପାଠଶାଳା ପାଇଁ ସଂଗ୍ରହ ହୋଇ ରହିଥିବା ଶସ୍ୟପାଣ୍ଠି ତାହାକୁ ପୂରଣ କରିଦେଇ ପାରିବ । ପାଠଶାଳା ଘରର ମେଜିଆ ପକ୍କା ହେବ । ଚଉହଦୀଟିଏ ତିଆରି ହୋଇ ଭଲ ଭଲ ଗଛ ଲାଗିବ, ଫୁଲଗଛ ମାନଙ୍କରେ ଫୁଲ ଫୁଟିବ । ପିଲାମାନେ ମଧ୍ୟ ଏହିସବୁ ଉଦ୍ୟମରେ ସକ୍ରିୟ ଭାବରେ ରହିଥିବେ । ତାହାରି ଦ୍ୱାରା ହିଁ ଅଧିକ ଆନନ୍ଦ ପାଇବେ । ପାଠଶାଳାଟି ସେମାନଙ୍କର ଆଉ ଗୋଟିଏ ଘର ପରି ଅନୁଭବ ହେବ । ସେହି ଅନୁଭବ ହିଁ ଅମିତ ଉତ୍ସାହର କାରଣ ହୋଇ ରହିବ । ମାଆ ଓ ଭାଇମାନେ ଅଧିକ ଜମି ଯୋଗାଡ଼ କରିବାର ବିଚାର ମଧ୍ୟ କଲେଣି । ସେହି ଜମିରେ ଚାଷକାମ ହେବ । ପାଠଶାଳାକୁ ତାହା ଅଧିକ ପାଣ୍ଠି ଯୋଗାଇଦେବ । ଜଣେ ଭାଇ ସ୍ଵପ୍ନ ଦେଖିଲା ପରି କହୁଥାନ୍ତି ଯେ, ଏହି ପାଠଶାଳାଟି କ୍ରମେ ଗୋଟିଏ ଆବାସିକ ଇସ୍କୁଲରେ ପରିଣତ ହେବ । ଗାଆଁବାଲାଙ୍କର ମେହେନତରେ ତାହା ଅବଶ୍ୟ ସମ୍ଭବ ହେବ ।

 

ଦେଶର ଖଚଡ଼ା ଶିକ୍ଷାବିଭାଗଟା କହୁଚି, ତୁମେ ଆଗ ଆମର ଅଧୀନ ହୋଇଯାଅ,- ଅର୍ଥାତ୍, ଆମରି ବୋଲ ମାନ, ଆମେ ତୁମମାନଙ୍କୁ ପୂରା ଅନୁଗ୍ରହ ଦେଖାଇବୁ । ଆମ ଖାତାରେ ତୁମ ପାଠଶାଳାଟି ବିହିତ ସ୍ୱୀକୃତି ପାଇବ । ଏମିତି ପାଠଶାଳା ତ ଏହି ଖଣ୍ଡମଣ୍ଡଳରେ ସହସ୍ର ସଂଖ୍ୟାରେ ରହିଛି । ସେମାନେ ସମସ୍ତେ ଗୋଲାମ ହୋଇ ବୋଲ ମାନୁଛନ୍ତି, ଭୁବନେଶ୍ୱରରୁ ହିଁ ସରକାରୀ ଦଉଡ଼ିରେ ବନ୍ଧା ହୋଇ ରହିଛନ୍ତି ଏବଂ, ସ୍ଵୟଂ ସରକାର ହିଁ କହୁଛନ୍ତି ଯେ, ଶିକ୍ଷାର ହାଲଟା କ୍ରମେ ଭାରି ବେହାଲ ହେବାରେ ଲାଗିଲାଣି । ଶିକ୍ଷକମାନଙ୍କର ସଂଘ ରହିଛି, ସଂଘର ହିମ୍ମତରେ ଦରମା ବଢୁଛି,- ବଳଦମାନେ ମୋଟା ହୋଇ ଚାଲିଛନ୍ତି ଏବଂ, ଯେତିକି ମୋଟା ହେଉଛନ୍ତି, ସେତିକି କମ୍ ପାଳ ମକଚି ପାରୁଛନ୍ତି । ଶିକ୍ଷା ବିଭାଗରେ ହାକିମମାନଙ୍କର ଧାଡ଼ି ବଢ଼ିବାରେ ଲାଗିଛି । ସେହି ବାବୁମାନଙ୍କୁ ହିଁ ଅଧିକ ଅଲିଅଳ କରି ରଖିବାରେ ହିଁ ସରକାରଙ୍କର ଅଧିକ ପଇସା ଖରଚ ହେଉଛି । ବେଳେବେଳେ ଏସବୁକୁ ତୁଲାଉ ତୁଲାଉ ସ୍ୱୟଂ ସରକାର ବି ଭାରି ଅକର୍ତ୍ତବ୍ୟ ଏବଂ ଅସମର୍ଥ ଅନୁଭବ କରୁଛନ୍ତି । ତଥାପି ଅରଣ୍ୟ ଭିତରେ ଯେ କେଉଁଠି ପଇଦାବନ୍ଧ ଭଳି ଗାଆଁଟିଏ ବା କେତୋଟି ଗାଆଁ ରହିଛି, ମାଫିଆମାନେ ତାହାର ଖବର ନେବାକୁ ମଧ୍ୟ କଦାପି ମନ କରିବେ ନାହିଁ । ଯଦି ସରକାରଙ୍କ ଘରେ ସତକୁ ସତ ଜଣେ ମନ୍ତ୍ରୀ ଥାଆନ୍ତେ, ଯିଏକି ଶିକ୍ଷାକୁ ଭଲ ପାଉଥାଆନ୍ତେ ଏବଂ ନିଜକୁ ରାଜନୀତି ରାଜ୍ୟର ଚାକିରିଆଟିଏ ବୋଲି ନମଣି ଏହି ଦେଶକୁ ନେଇ ପ୍ରକୃତରେ କିଛି ସ୍ୱପ୍ନ ଦେଖୁଥାନ୍ତେ, ତେବେ ସିଏ ତେଣେ ସହରର ସବୁଯାକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ସିଧା ପଇଦାବନ୍ଧ ମାନଙ୍କୁ ଆବିଷ୍କାର କରି ବାହାରନ୍ତେ । ଏମିତି ଗୋଟିଏ ଗାଆଁ ତାଙ୍କ ମୁଲକରେ ରହିଛି ଓ ସେଠାରେ ଏଭଳି ଗୋଟିଏ ଉଦ୍ୟମ ହେଉଛି ବୋଲି ଶୁଣି ସିଏ ନିଜକୁ ଦ୍ୱିଜ ବୋଲି ଅନୁଭବ କରନ୍ତେ । ଆଦୌ କୌଣସି ସରକାରୀ କଦର ନମାନି ସିଏ ପଇଦାବନ୍ଧ ଯାଆନ୍ତେ । ମନ୍ତ୍ରୀ ଭାବରେ ନୁହେଁ, ଏହି ପ୍ରତିଶ୍ରୁତିମୟ ଦେଶର ଜଣେ ନାଗରିକ ଭାବେ ସେଠି ଖଜୁରିପଟି ଉପରେ ମାଆ ଭାଇମାନଙ୍କ ସହିତ ଏକାଠି ବସନ୍ତେ । ଦୁଃଖ ସୁଖ ହୁଅନ୍ତେ । ପଇଦାବନ୍ଧ ରାଜ୍ୟରେ ଗୋଟିଏ ନୁହେଁ, ଏକାଧିକ ରହିଥିବ । ଦେଶରେ ତତୋଃଧିକ ଥିବ । ଏସବୁ ସ୍ଥାନରେ ଉତ୍ସାହୀ ଉଦ୍ୟମମାନ ହେଉଥିବ । ଏକାବେଳେକେ ତଳୁ କିଛି ନା କିଛି ତିଆରି କରିବାର ପ୍ରୟୋଗ କରାଯାଉଥିବ ଏବଂ ସବୁଯାକ ଜାଗାରେ ସମ୍ପୃକ୍ତ ଉଦ୍ୟମୀମାନଙ୍କୁ ସୁଅ ବିରୋଧରେ ସଂଗ୍ରାମ କରିବାକୁ ପଡୁଥିବ ଅର୍ଥାତ୍ ସରକାରୀ ଧାରାଟା ସହିତ ଲଢ଼ିବାକୁ ହେଉଥିବ-। ସରକାରମାନେ ସର୍ବତ୍ର ଏପରି ହିଂସ୍ର ହୁଅନ୍ତି କାହିଁକି କେଜାଣି ? ଅନ୍ୟ ଧାରାଟିଏ ଦେଖିଲେ ଦ୍ୱେଷ କରନ୍ତି ଏବଂ ତାହାକୁ ନାନା ପ୍ରତିବନ୍ଧକ ସୃଷ୍ଟିକରି ମାରିଦେବାକୁ ଚେଷ୍ଟା କରୁଥାନ୍ତି କାହିଁକି କେଜାଣି ? ତୁମେ ଆଦୌ କିଛି ନକରୁଥାଅ ପଛକେ, ଯଦି ବୋଲ ମାନିପାରିଲ, ତେବେ ସରକାରୀ ଅନୁଗ୍ରହ ତୁମ ପାଇଁ ସୁନିଶ୍ଚିତ ଭାବରେ ରହିବ । ଯଦି ଅମାନିଆ ହେଲ, ଅର୍ଥାତ୍ ନିଜେ କିଛି ଚିନ୍ତା କଲ ଏବଂ ସହଧର୍ମୀ କେତେଜଣଙ୍କ ସହିତ ମିଶି ବିକଳ୍ପ ଭଳି କିଛି ତିଆରି କରିବାରେ ମନଦେଲ, ତେବେ ସରକାର ହିଁ ତୁମର ବାଟରେ ଆସି ଆଗ ଛିଡ଼ା ହୋଇଯିବେ । ସ୍ଵାଧୀନ ଭାରତବର୍ଷରେ ଏହି କଥାଟା ହୁଏତ ବିଶେଷ ଭାବରେ ଏବେ ହେଉଛି ଏବଂ ତେଣୁ ଶିକ୍ଷାଘରେ ମନ୍ୱନ୍ତର ପଡ଼ିଛି । ରାଜନୀତି ଦୁଷ୍ଟ ହୋଇଗଲାଣି, ଶାସନ ଦୁଷ୍ଟ ହେଲାଣି, ନେତୃତ୍ୱମାନେ ଭାରି ବିଗିଡ଼ା ପ୍ରକୃତିର ହେଲେଣି । ତେଣୁ ଆନୁଷ୍ଠାନିକ ଶିକ୍ଷାଘରର ଗୋଦାମ ସିନା ବଢ଼ିବାରେ ଲାଗିଛି, ମାତ୍ର ଭିତରେ ସବୁକିଛି ଭୁଷଡ଼ି ଯାଉଛି । କେବଳ ବିକଳ୍ପଗୁଡ଼ିକ ଉପରେ ଯାହା କିଛି ଆଶା କରି ହେଉଛି । ନିଜ ଉଦ୍ୟମରେ ଯିଏ ବା ଯେଉଁମାନେ କିଛି କରୁଛନ୍ତି, ସେଥିରେ ଅନ୍ତତଃ ସାଧୁତା ରହିଛି ଏବଂ ସାଧୁତା ହିଁ ସ୍ଥାୟୀ ଭାବରେ କିଛି ସମ୍ଭବ କରିପାରିବ ! ବିକଳ୍ପମାନେ ମଧ୍ୟ ଭୁଲ କରିବେ, ତଥାପି ଭୁଲରୁ ଶିଖିବେ । ଶିକ୍ଷା କରୁଥିବେ ଏବଂ ବଦଳି ଯାଉଥିବେ । ସେଇଥିରୁ ଅସଲ ଗଢ଼ଣ ଗୁଡ଼ିକ ବିକଶିତ ହୋଇଆସିବ ।

 

ରାଜ୍ୟ ସରକାର ଦିଲ୍ଲୀରୁ ପଇସା ପାଇ ସମସ୍ତଙ୍କ ପାଇଁ ଶିକ୍ଷାର ଗୋଟିଏ ଦରବାରିଆ କାମରେ ହାତ ଦେଇଥିଲେ । ପ୍ରଥମେ ଗାଡ଼ି ଗାଡ଼ି କାଗଜ ପ୍ରସ୍ତୁତ ହେଲା । ଇଂରାଜୀରେ ନହବତ ବସି ଗଦା ଗଦା ଆଲୋଚନା ହେଲା । ପରବର୍ତ୍ତୀ ଶତାବ୍ଦୀ ଆରମ୍ଭ ହେବାବେଳକୁ କିପରି ପ୍ରାଥମିକ ଶିକ୍ଷା ବୟସର ପୁଅ ଓ ଝିଅ ସବୁପିଲା ପାଠଶାଳାକୁ ଆସିବେ, ସେଥିଲାଗି ଗଣିତରେ ବାଡ଼ି ପକାଇ ସାଲୱାରି ବହୁତ କିଛି ଧାର୍ଯ୍ୟ କରି ଦିଆଗଲା । କାହିଁ, ନୂଆ ଶତାବ୍ଦୀଟା ତ ଦୁଆର ମୁହଁରେ ଆସି ପହଂଚିଲାଣି, ସବୁ ପିଲା ଇସ୍କୁଲକୁ ଆସିବାର ଆଦୌ କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ ତ-! ଅବଶ୍ୟ ଭଡ଼ାଘର ପରି କୋଟି କୋଟି ଟଙ୍କା ଖରଚ ହେବାରେ ଲାଗିଛି । ମାମଲତକାରମାନେ ଆସୁଛନ୍ତି ଓ ଯାଉଛନ୍ତି । ନିଜ ଅକାରିଗରୀର ଭଳି ଭଳି ପ୍ରମାଣ ଦେଇ ମିଆଦ ପୂରିବା ଅନୁସାରେ ଅସ୍ତମିତ ହୋଇଯାଉଛନ୍ତି । ସେଦିନ ପଇଦାବନ୍ଧରେ ଜାଣିବାକୁ ପାଇଲି ଯେ, ଗାଆଁର ସବୁପିଲା ପାଠଶାଳାକୁ ଆସୁଛନ୍ତି । ସବୁପିଲା ଆସିବେ ବୋଲି ହିଁ ସେମାନଙ୍କର ବାପା ମା’ମାନେ ମିହନ୍ତ ଦେଇ ପାଠଶାଳାକୁ ତିଆରି କରିଛନ୍ତି । ସବୁ ପିଲା ପାଠ ପଢ଼ିବା ନିମନ୍ତେ ପାଠଶାଳାକୁ ଆସିବେ, ଏକଥା କେବଳ ମହାତ୍ମା ଗାନ୍ଧୀଙ୍କର ମୌଳିକ ଶିକ୍ଷାରେ କଳ୍ପନା କରାଯାଇଥିଲା । ଭାରତବର୍ଷ ସ୍ୱାଧୀନ ହେବାପରେ ଆମ ନେତାମାନେ ଗାନ୍ଧୀଙ୍କ କଥା ଅନୁସାରେ ସବୁକିଛି କରୁଛନ୍ତି ବୋଲି ଦେଖାଇ ପାରିବାକୁ ମୌଳିକ ଶିକ୍ଷାକୁ ସରକାରୀ କରି ପକାଇଲେ । ସରକାରୀ ଶିକ୍ଷାବିଭାଗର ହାକିମମାନେ ସେହି ଶିକ୍ଷାକୁ ସେମାନଙ୍କର ନିଜ କାଇଦା ଅନୁସାରେ ଗୁଳାରେ ପକାଉ ପକାଉ ତାହାକୁ ଗୋଟାସୁଦ୍ଧା ଗିଳି ପକାଇଲେ । ଯାବତୀୟ ସୁସ୍ଥ ଶିକ୍ଷାର ମୂଳଦୁଆ ପ୍ରକୃତରେ ତଳୁ ପଡ଼ି ଆସିବା ଉଚିତ । ଉପରଟାରୁ ବରାଦ ହେଉ ହେଉ ଇତି ମଧ୍ୟରେ ଶିକ୍ଷାବିଭାଗଟା କ୍ରମେ ନିପଟ ଉଦାସୀନମାନଙ୍କର କବଳରେ ଯାଇ ପଡ଼ିଗଲାଣି ଓ କେବଳ କୌଶଳୀମାନଙ୍କର ଦୌରାତ୍ମ୍ୟ ଭିତରେ ପଡ଼ି ଏକ ସଂଗଠିତ ବିନଷ୍ଟିରେ ପରିଣତ ହୋଇଗଲାଣି । ସବୁ ବିଗିଡ଼ି ଯାଉଛି ବୋଲି ଉତ୍ତମ ରୂପେ ଜାଣି ମଧ୍ୟ ବିଭାଗୀୟ ସରପଞ୍ଚମାନେ କିଛି କରିପାରୁ ନାହାନ୍ତି । କିଛି କରୁନାହାନ୍ତି ବୋଲି କହିଲେ ହୁଏତ ଅଧିକ ଯଥାର୍ଥ ହେବ ।

 

ମନେହେଉଛି, ପଇଦାବନ୍ଧମାନେ ହିଁ ଏହି ରାଜ୍ୟକୁ ରକ୍ଷା କରିବେ । ଭୁବନେଶ୍ୱରରେ ଦାଗୀମାନଙ୍କୁ ଦେଖି ତୁମକୁ ଯେତେ ନିରାଶ ଲାଗୁଥାଉ ପଛକେ, ପଇଦାବନ୍ଧକୁ ଦେଖି ମନରେ ବହୁତ ଆଶାର ସଂଚାର ହେବ । ଏକ ସ୍ୱାଧୀନ ଦେଶରେ ନୂଆ ବାଟଗୁଡ଼ିକୁ ଏହି ତଳେ ରହିଥିବା ଲୋକମାନେ ହିଁ ପକାଇବେ । ସେମାନେ ଆଉ ମୋଟେ ଡ଼ରିବେ ନାହିଁ । ପିଲାମାନଙ୍କ ନିମନ୍ତେ ନିଜ ପାଠଶାଳାକୁ ନିଜେ ଗଢ଼ିବେ । ପିଲାମାନଙ୍କର ଅସଲ ଚେରଗୁଡ଼ିକ ଠିକ୍ ଏହିପରି ଭାବରେ ନିଜର ଗାଆଁରେ ହିଁ ମାଟି ଭିତରକୁ ଭେଦିବ । ସେମାନେ ନିଜର ଗାଆଁକୁ ଯେତିକି ମମତା ସହିତ ବର୍ତ୍ତମାନ ଦେଖୁଛନ୍ତି, ବଡ଼ ହୋଇ ବୃହତ୍ ପୃଥିବୀଟାକୁ ମଧ୍ୟ ସେହି ମମତାରେ ଦେଖିବେ । ଏବଂ, ମମତା ଦେଇ ନିଜର ଚାରିପାଖକୁ ଦେଖୁଥିବା ମଣିଷମାନେ କଦାପି ଅସାଧୁ ହେବେନାହିଁ । ଅସଲ ଶିକ୍ଷା ନିରନ୍ତର ସେହି ମମତା ଗୁଣଟିକୁ ହିଁ ବଢ଼ାଇବା ନିମନ୍ତେ ଖୋରାକ ଯୋଗାଇଦେବ । ଉଦାସୀନତା ବିରୋଧରେ ଔଷଧ ପରି କାର୍ଯ୍ୟ କରିବ । ସରକାରଙ୍କର କାଗଜପତ୍ରରେ ଆଉ ସବୁ ହୁଏତ ଭର୍ତ୍ତି ହୋଇ ରହିଛି, କେବଳ ମମତାଟାକୁ ନିକାଲି ଦିଆଯାଇଛି । ବଳ ବୋଲି ଦିଶୁଥିବା ଏଡ଼େ ଦୁର୍ବଳ ମଣିଷଗୁଡ଼ାକ ଅଧିକରୁ ଅଧିକ ଚାଲାଖ ହେଉ ହେଉ ଆପଣାର ମନୁଷ୍ୟଧର୍ମଗୁଡ଼ିକୁ ହରାଇ ସାରିଲେଣି । ତେଣୁ, ଯେଉଁସବୁ ମହକୁମାରେ ଆସୁଣୁ ଯାଉଣୁ ଅଧିକ କୋଳାହଳ ଶୁଭୁଛି, ସେଠାରେ ପ୍ରକୃତରେ କିଛି ଘଟୁନାହିଁ । ଦେଖୁ ଦେଖୁ ପଚାଶ ବର୍ଷ ବିତିଗଲାଣି । ଅତ୍ୟନ୍ତ ଭାଗ୍ୟର କଥା ଯେ ଏବେ ମଧ୍ୟ ଥୋକାଏ ନିଜର ମିହନ୍ତ ଉପରେ ବିଶ୍ୱାସ ରଖିଛନ୍ତି । ଏବେ ମଧ୍ୟ ନିଜର ଚେର ଗୁଡ଼ିକୁ ଛିଣ୍ଡାଇ ନାହାନ୍ତି । ସେଦିନ ପଇଦାବନ୍ଧରୁ ଫେରିବା ସମୟରେ ସେଠା ଉଦ୍ୟମୀ ମାଆ ଓ ବାପାମାନଙ୍କୁ ମୁଁ ନମସ୍କାର ଜଣାଉଥିଲି । ଯେତେ ଯେଉଁଠି ଯିଏ ବା ଯେଉଁମାନେ ନିଜ ମିହନ୍ତରେ କିଛି କରୁଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ନମସ୍କାର ଜଣାଉଥିଲି । ସେଇମାନଙ୍କର ସମୟ ଆସୁଛି । ସାରା ପୃଥିବୀଯାକ କ୍ରମେ ବିକଳ୍ପମାନଙ୍କୁ ହିଁ ଅଧିକରୁ ଅଧିକ ଖୋଜା ପଡ଼ିଲାଣି । ବିକଳ୍ପ ଶିକ୍ଷା, ବିକଳ୍ପ ରାଜନୀତି, ବିକଳ୍ପ ବିଜ୍ଞାନ ଓ ବିକଳ୍ପ ବିଚାର । ସାଆନ୍ତମାନେ ଯିବେ, ମିହନ୍ତୀମାନେ ଆସିବେ । ସହରରୁ ମୋହଭଙ୍ଗ ହୋଇଥିବା ମନୁଷ୍ୟମାନେ ବାଟ ପଚାରି ପଚାରି ପଇଦାବନ୍ଧରେ ଯାଇ ପହଞ୍ଚିବେ । ସେଠି ଖଜୁରିପଟି ପଡ଼ିବ । ନୂଆ ରୀତିରେ ବିଚାର ହେବ ।

Image

 

Unknown

ଓଡ଼ିଶାର ଦୁର୍ଗତି

 

ପ୍ରାୟ ଶହେ ବର୍ଷ ତଳେ ଗୋଟାଏ ଔପଚାରିକ ମଞ୍ଚ ତିଆରି କରି ଏହି ଭୂଇଁର କେତେକ ଆଗୁଆ ମଣିଷ ଯେତେବେଳେ ଓଡ଼ିଆଙ୍କ ଆଡୁ ଗୋଟାଏ ଆନ୍ଦୋଳନ କରି ବାହାରିଲେ, ସମ୍ଭବତଃ ଓଡ଼ିଶାର ଦୁର୍ଗତି ସେତିକିବେଳୁ ଆରମ୍ଭ ହେଲା । ସେମାନେ ସର୍ବପ୍ରଥମେ ନିଜକୁ ହିଁ ଆଗୁଆ ବୋଲି ଭାବୁଥିଲେ, ଅର୍ଥାତ୍ ପ୍ରତିବେଶୀ ସହରଟାକୁ ଯାଇ କିଞ୍ଚିତ୍ ନୂଆ ସଂକ୍ରମଣର ସ୍ପର୍ଶ ପାଇଥିଲେ ଏବଂ ସେହି ଅନୁସାରେ ଗୋଟିଏ ନୂଆ ଆଖିରେ ନିଜର ଭୂଇଁରେ ବି ଏକ ଆନ୍ଦୋଳନ କରିବେ ବୋଲି ଉତ୍ସାହିତ ହୋଇଥିଲେ । ନବଗଠିତ ମଞ୍ଚ ଉପରୁ ଓଡ଼ିଶାକୁ ଜନନୀ ବୋଲି କହିଲାବେଳେ ଏବଂ ଓଡ଼ିଶାର ନୂତନ ଉତ୍ଥାନ ପାଇଁ ସମସ୍ତେ ଅଣ୍ଟାଭିଡ଼ି ବାହାରି ଆସ ବୋଲି ଡାକ ଦେଲାବେଳେ ସେମାନେ ପ୍ରକୃତରେ ଓଡ଼ିଶାର କେତେ ଅଳପକୁ ଜାଣିଥିଲେ । ଗୋଟିଏ ଭୂମିକୁ ଭାବବିହ୍ଵଳ ହୋଇ ଜନନୀ ବୋଲି କହିବାକୁ ବାହାରିଥିବା ବିଶେଷ ମଣିଷମାନେ ସେହି ଭୂମିରେ ବାସ କରୁଥିବା ମଣିଷମାନଙ୍କୁ କ'ଣ ପାଇଁ ସବାଆଗ ଦେଖିପାରନ୍ତି ନାହିଁ କେଜାଣି ? ସବାଆଗ ମଣିଷମାନଙ୍କୁ ଦେଖିବାକୁ ରାଜି ହେଉନଥିବାରୁ ସେମାନେ ଭୂମିଟାକୁ ଜନନୀ ବୋଲି କହି ନିଜର ଆବେଗଗୁଡ଼ାକୁ ଉପରୁ ପରଳ ମଡ଼ାଇ ରଖିବାକୁ ଇଚ୍ଛା କରୁଥାନ୍ତି କି ?

 

ଉତ୍କଳ ସମ୍ମିଳନୀର ମଞ୍ଚଟା ସେତେବେଳର ଗଡ଼ଜାତ ଗୁଡ଼ିକର ରାଜାମାନଙ୍କ ନିମନ୍ତେ ଗୋଟାସୁଦ୍ଧା ସିନା ମେଲି ହୋଇ ରହିଥିଲା, କିନ୍ତୁ ଗଡ଼ଜାତର ପ୍ରଜାମାନଙ୍କର ମଧ୍ୟ ଏହି ମଂଚରେ ଆସି ବସିବା ଲାଗି ପୂର୍ଣ୍ଣ ଔଚିତ୍ୟ ରହିଥିଲା ବୋଲି ସେତେବେଳେ ଆମ ପ୍ରବୀଣମାନେ କ’ଣ ପାଇଁ ଚିନ୍ତା ବି କରିନଥିଲେ, ସେକଥାର ହିସାବ କରିବାକୁ ଓଡ଼ିଶାରେ ଏବେ ମଧ୍ୟ କେହି ମନ କରିନାହାନ୍ତି । ଓଡ଼ିଆ ଆନ୍ଦୋଳନର ଏକାଧିକ ବିବରଣୀ ଲେଖାହୋଇ ବହି ଆକାରରେ ବାହାରିଲାଣି, କିନ୍ତୁ କେହି ଜଣେ ମଧ୍ୟ ସେହି ବିଷୟଟିର ଉତଥାପନ କରିନାହାନ୍ତି । ପ୍ରଜାମାନଙ୍କର ପ୍ରସଙ୍ଗ ଉଠିଥିଲେ ରାଜାମାନେ ଯେ କଦାପି ସମ୍ମିଳନୀରେ ସାମିଲ ହୋଇନଥାନ୍ତେ, ଏତେ ଟିକିଏ ରାଜନୀତିକ ହେତୁ ରହିଥିବା ଜଣେ ମଣିଷ ବି ତାହା ଏବେ ମଧ୍ୟ କହିଦେଇ ପାରିବ । ଉତ୍କଳ ସମ୍ମିଳନୀ ନାମକ ସଂସ୍ଥାଟି ଏବେ ମଧ୍ୟ ଔପଚାରିକ ଭାବରେ ରହିଛି ଏବଂ ଏହି ଅସଲ ପ୍ରଶ୍ନଟି ଉପରେ ଯାବତୀୟ ଚର୍ଚ୍ଚା ସେଠାରେ ସତେଅବା ଅତ୍ୟନ୍ତ ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ନିଷିଦ୍ଧ ହୋଇ ରହିଛି । ଶହେବର୍ଷ ତଳେ ଉତ୍କଳ ସମ୍ମିଳନୀର ମଣ୍ଡପରେ ଅଭିନନ୍ଦିତ ହେଉଥିବା ରାଜା ଏବଂ ଜମିଦାରମାନେ ଆଦୌ କୌଣସି ଅର୍ଥରେ ନିଜ ପ୍ରଜାଗଣଙ୍କର ପ୍ରତିନିଧିତ୍ଵ କରୁନଥିଲେ । ସେମାନେ ଅସୁର ପରି ପ୍ରଜାମାନଙ୍କର ଶୋଷଣ କରୁଥିଲେ । ସେହି ଶୋଷଣର ଅପକୀର୍ତ୍ତି ଗୁଡ଼ାକ ସତେ ଅବା କାଲିଯାଏ ଲାଗି ରହିଥିବାର ଜଳଜଳ ହୋଇ ଦେଖାଯାଉଛି । ଓଡ଼ିଶା ଏକ ଅଲଗା ପ୍ରଦେଶ ହେବା ସମୟରେ ଗଡ଼ଜାତମାନେ ସେହିପରି ବାହାରେ ହିଁ ରହିଗଲେ । ସ୍ୱତନ୍ତ୍ର ଓଡ଼ିଶାକୁ ଗଠନ କରିବାରେ କେତେ ରାଜାଙ୍କ ନାମରେ ସେହି ଉତ୍ସବ କାଳରେ ବାନା ଉଡ଼ିଲା ସତ, ମାତ୍ର ଗଡ଼ଜାତର ପ୍ରଜାମାନେ ବାହାରେ ରହିଗଲେ ଏବଂ ସେମାନଙ୍କୁ ଆମ ସାଙ୍ଗକୁ ଆଣିବାର କାର୍ଯ୍ୟଟି ତଥାପି ଅସମ୍ପନ୍ନ ରହିଗଲା ବୋଲି ସେତେବେଳର ଉତ୍ସବର ମଣ୍ଡପରେ କେହି ଦୟାକରି ପଦେକଥା ମଧ୍ୟ କହିଲେ ନାହିଁ । ସ୍ୱତନ୍ତ୍ର ଉତ୍କଳ ନାମରେ ଏବେ ମଧ୍ୟ ବର୍ଷକୁ ବର୍ଷ ଆମେ ସଭାରେ ବିହ୍ଵଳ ହୋଇ କେତେ କ’ଣ କହୁଥିବା ସମୟରେ ଉକ୍ତ ବଞ୍ଚନାଟିକୁ ସତେ ଅବା ଭଲ କରି ଭାବି ଭୁଲିଯିବାକୁ ନିଷ୍ପତ୍ତି ମଧ୍ୟ କରିଥାଉ ।

 

ଓଡ଼ିଶା ପ୍ରକୃତରେ ଗୋଟାଏ ହେଲା, ଯେତେବେଳେ ସମଗ୍ର ଭାରତବର୍ଷ ସ୍ୱାଧୀନ ହେଲା । ଏକ ଏକାନ୍ତ ବିଡ଼ମ୍ବନାର କଥା ଯେ, ଉତ୍କଳ ସମ୍ମିଳନୀ ସମ୍ପୂର୍ଣ୍ଣ ଏହି ମଧ୍ୟବର୍ତ୍ତୀ ଅବଧିଟି ମଧ୍ୟରେ ସ୍ୱାଧୀନତା ପାଇଁ ଲଢ଼ା ଯାଉଥିବା ସଂଗ୍ରାମଟି ପାଇଁ କେବେହେଲେ ଆପଣାର ସମର୍ଥନ ଜଣାଇ ନଥିଲା । ଗୋପବନ୍ଧୁ ଦାଶ ସମ୍ମିଳନୀର ଏକ ଅଧିବେଶନରେ ଓଡ଼ିଆ ଆନ୍ଦୋଳନ ସ୍ଵାଧୀନତା ଆନ୍ଦୋଳନ ସହିତ ମିଶିଯାଉ ବୋଲି ପ୍ରସ୍ତାବଟିଏ ଗୃହୀତ କରାଇ ନେଇଥିଲେ ସତ, ମାତ୍ର ତା’ପରେ ସେଥିରେ ଆଗରୁ ରହି ଆସିଥିବା ରାଜା ଏବଂ ଜମିଦାରମାନେ ଆଉ ଧରାଛୁଆଁ ଦେଇନଥିଲେ । ସେମାନଙ୍କ ପାଇଁ ଭାରତବର୍ଷର ସ୍ଵାଧୀନତା ଲାଭ ସବୁ ଦୃଷ୍ଟିରୁ ଏକ ପ୍ରମାଦ ହୋଇ ରହିଥିଲା । ଭାରତବର୍ଷ ସ୍ୱାଧୀନତା ପାଇବାପରେ ମଧ୍ୟ ସେମାନେ ଭାରତବର୍ଷ ସହିତ ନରହି ବାହାରେ ଗୋଟିଏ ଗୋଟିଏ ସ୍ଵାଧୀନ ଦେଶ ହୋଇ ରହିବେ ବୋଲି ମସୁଧା କରୁଥିଲେ । ସେହି ଫିକରରେ ଆମ ମୟୁରଭଞ୍ଜ ନିଜକୁ ଏକ ସ୍ୱାଧୀନ ସତ୍ତା ହୋଇ ଘୋଷଣା ବି କରିଦେଇଥିଲା । ଅନ୍ୟ ରାଜାଏ ସେହିପରି ସୁଯୋଗମାନଙ୍କର ଅପେକ୍ଷାରେ ରହିଥିଲେ । ଏବଂ, ସେତେବେଳକୁ ଓଡ଼ିଶାରେ ସବୁ ମଣିଷଙ୍କର ହୋଇ ବାଟ କଢ଼ାଇ ନେବାକୁ ପଣ୍ଡିତ ଗୋପବନ୍ଧୁ ମଧ୍ୟ ମହଜୁଦ ନଥିଲେ । ଏବଂ, ଗୋପବନ୍ଧୁଙ୍କ ବଦଳରେ ସ୍ଥାନ ପୂରଣ କରିପାରିବା ଭଳି କିଏ ରହିଥିଲା ବୋଲି ପଛକୁ ଅନାଇ ଏବେ ମଧ୍ୟ କାହାକୁ ଜଣକୁ ଦେଖାଇ ଦିଆଯାଇ ପାରିବ ?

 

ସ୍ଵାଧୀନତା ପରେ ପଚାଶ ବର୍ଷର ଏହି ଦୀର୍ଘକାଳଟି ଅତୀତ ହୋଇ ଯାଇଥିଲେ ମଧ୍ୟ ଓଡ଼ିଶାରେ ପୂର୍ବର ସେହି ଗଡ଼ଜାତମାନେ ତଥାପି ବାରିହୋଇ ପଡୁଛନ୍ତି । ଯେକୌଣସି ହିସାବରେ ତୁଳନାତ୍ମକ ଅଙ୍କଗୁଡ଼ିକ ଅନୁସାରେ ମଧ୍ୟ ଗଡ଼ଜାତ ଏବଂ ମୋଗଲବନ୍ଦୀ ସତେ ଅବା ଦୁଇଟା ଅଲଗା ପୃଥବୀ ହୋଇ ରହିଛି । ସବୁ କ୍ଷେତ୍ରରେ ମୋଗଲବନ୍ଦୀ ଆଗରେ, ଗଡ଼ଜାତ ପଛରେ । ଏଣେ ପାଠ ବେଶୀ, ପାଠର ପେଣ୍ଠଗୁଡ଼ାକ ବେଶୀ, ନିଜକୁ ପାଠୁଆ ଏବଂ ତେଣୁ ଅଧିକ କାଢୁଆ ବୋଲି ଭାବୁଥିବା ଉଦ୍ଦଣ୍ଡ ମଣିଷମାନଙ୍କର ସଂଖ୍ୟା ମଧ୍ୟ ଅତିରିକ୍ତ ମାତ୍ରାରେ ବେଶୀ । ଏହି ପାଖରେ ହିଁ ବେଶୀ ବେପାର, ବେଶୀ ଗତିଶୀଳତା । ସାକ୍ଷରତାର ଖାତାରେ ସାରା ଓଡ଼ିଶାଟା ପ୍ରାୟ ସେହିପରି ଦୁଇଭାଗ ହୋଇ ରହିଛି । କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ, ସାକ୍ଷରତାର ଗାର କୋଉ ତଳେ ଯାଇ ରହିଛି । ମୋଗଲବନ୍ଦୀ କେତେ ଆଗରେ, ଗଡ଼ଜାତଟା ସେହି ଗଡ଼ଜାତ ପରି ଏବେ ମଧ୍ୟ ବହୁ ଅନ୍ଧାର ଭିତରେ ଚକଜକ କରୁଛି । ସାହିତ୍ୟ,- ଆମେ ଯାହାକୁ ଓଡ଼ିଆ ସାହିତ୍ୟ ବୋଲି କହୁଛୁ,- ସେଇଟାର ପଲାଟା ବି ଏପାଖରେ ଅଧିକ ଭାରି । ବହିମାନେ କେବଳ ଏଇପାଖରେ ମିଳନ୍ତି । ଛାପାଖାନାମାନେ ଏଇ ପାଖରେ ହିଁ ଠୁଳ ହୋଇ ରହିଛନ୍ତି । କଲେଜମାନେ ଏପାଖରେ ଅଛନ୍ତି ଓ ସେପାଖରେ ବି ଅଛନ୍ତି । ମାତ୍ର ପରୀକ୍ଷା ଫଳ ଫି’ ବର୍ଷ ଯାହା ବାହାରେ, ସେଥିରୁ ଜଣାଯାଏ ଯେ, ସୁନାଯାକ ସବୁ ଏପଟେ ଏବଂ ସେପଟେ ଭାଡ଼ି ଭାଡ଼ି ଖାଲି ତମ୍ବା । ସେପଟଟା ଏପଟର ଭାଷାଟାକୁ ସାହିତ୍ୟଇ ଭାଷା ବୋଲି ସେଇ ମୂଳରୁ ହିଁ ସ୍ୱୀକାର କରି ଆସିଛି । ହୁଏତ ଏହି ଗୋଟିଏ କ୍ଷେତ୍ରରେ, ସେ ପର୍ବର ପଢୁଆମାନେ ପରିସ୍ଥିତି ଦ୍ଵାରା ବାଧ୍ୟ ହୋଇ ଉଭୟ ପଟର ଭାଷାକୁ ଆୟତ୍ତ କରିଛନ୍ତି, କିନ୍ତୁ ଏପଟର ପଢୁଆଏ କେବଳ ଗୋଟିଏ ଭାଷାରେ ଚଳପ୍ରଚଳ ହୋଇପାରୁଛନ୍ତି ଏବଂ ତାହାକୁ ଈଶ୍ଵରଙ୍କର ଅପାର କରୁଣା ପ୍ରାୟ ମନେକରୁଛନ୍ତି ।

 

ସ୍ୱାଧୀନତାକୁ ପଚାଶ ବର୍ଷ ପୂରିଗଲା, ତଥାପି ସହର ଏବଂ ମଫସଲ ମଧ୍ୟରେ ବ୍ୟବଧାନଟା ଦୂରହୋଇ ପାରିଲା ନାହିଁ । ଗାଁରେ ଯେଉଁମାନେ ପାଠ ପଢ଼ି ଯୋଗ୍ୟ ହେଲେ ଓ ପଇସା କମାଇଲେ, ସେମାନେ ସହରରର ଏହି ସ୍ୱର୍ଗଟାରେ ନିଜର ଅସଲ ଘରଟିଏ ବନାଇଲେ ଏବଂ ଆଧୁନିକ ଜୀବନର ବହୁଭବ୍ୟ ସରୋବରଟି ମଧ୍ୟରେ ଶ୍ୱଶୁରାଳୟକୁ ଆସିଥିବା ବଡ଼ ମତ୍ସ୍ୟଟିଏ ପରି ମନସୁଖରେ ରହିଲେ । ସେମାନେ ସଂସ୍କୃତି କଲେ, ସାହିତ୍ୟ କଲେ, ଓଡ଼ିଶାକୁ ବଡ଼ ଓ ବୀର ବୋଲି କହି ଚମ୍ପୁ ଗାଇଲେ । ଓଡ଼ିଶାକୁ ଭାରତବର୍ଷର ଯେକୌଣସି ରାଜ୍ୟର ସମକକ୍ଷ ବୋଲି ଅନୁଭବ କଲେ, ଆଉ ଗାଆଁରେ କେବଳ ବାଧ୍ୟ ହୋଇ ଗାଆଁରେ ପଡ଼ି ରହିଥିବା ମନୁଷ୍ୟମାନେ ରହିଲେ । ସହରର ଅନୁକରଣରେ ଗାଆଁର ବାହ୍ୟଟା ଯାହା କିଞ୍ଚିତ୍ ପରିମାଣରେ ବଦଳିଲା ସିନା, କିନ୍ତୁ ଭିତରଟା ଯେମିତି ସେମିତି ରହିଗଲା । ଭୂସତ୍ଵମାନ ବଦଳିଲା ନାହିଁ ଅଥବା ଭୂମି ସଂସ୍କାର ବି ହେଲା ନାହିଁ । ଜମିର ମାଲିକମାନେ ସହରରେ ରହିଲେ ଏବଂ ଜମିଗୁଡ଼ାକୁ ଭାଗରେ ଚଷାଇଲେ । ଜମି ସହିତ ନିଜ ଜୀବନର କୌଣସି ସୂତ୍ର ଲାଗିନଥିବା ସହରୀମାନେ ହିଁ ଫସଲରୁ ଅଂଶ ଦାବିକଲେ । ଯାବତୀୟ ଅର୍ଥରେ ସହରଟା ହିଁ ଗାଆଁର ପିଠି ଉପରେ ବେତାଳ ପରି ଲଦିହୋଇ ରହିଲା । ସତେଅବା ବିଲାତ ପରି ଗାଆଁର ଲକ୍ଷ୍ମୀଙ୍କୁ ଲୁଟି ନେଇଗଲା । ଓଡ଼ିଶାରେ ସହର ଗଣି ବସିଲେ ହୁଏତ ପାଞ୍ଚଟା ଆଙ୍ଗୁଠିକୁ ମଧ୍ୟ ନିଅଣ୍ଟ ହେବ, ତଥାପି ସହରଟା ହିଁ ଗାଆଁ ଲାଗି ଯାବତୀୟ ଶୋଷଣ ତଥା ଅଧୋଗମନର କାରଣ ହୋଇ ରହିଲା । ଯଦି ରହସ୍ୟ କରି କେହି ଓଡ଼ିଶାର ଗାଆଁଗୁଡ଼ିକୁ ଗଡ଼ଜାତ ବୋଲି କହି ସହରମାନଙ୍କୁ ମୋଗଲବନ୍ଦୀ ବୋଲି କହିବ, ତେବେ ତା’ର ସେହି କଥାଟିକୁ ହୁଏତ ପୂରା ଖଣ୍ଡନ କରି ହେବନାହିଁ । ଏବଂ, ଏହି ବିଡ଼ମ୍ବନାଟି ସମ୍ଭବତଃ ଗାଆଁ ଓ ସହର ଦୁହିଙ୍କ ସକାଶେ କାଳ ହୋଇ ରହିଲା । ସହରରୁ ମୁଣ୍ଡମାନେ ଉଭୟ ସହର ଏବଂ ଗାଆଁ ପାଇଁ ଶାସନର ବରାଦମାନ ତିଆରି କରୁଛନ୍ତି । ସହରର ମିଜାଜ ଓ ଅନ୍ଦାଜ ଅନୁସାରେ ଗାଆଁକୁ ନାଚିବାକୁ ପଡୁଛି ଏବଂ ନାଚିବାର ସେହି ପ୍ରକ୍ରିୟାରେ ନିଜତ୍ୱ ହରାଉଛି । ଅଳପ ମଣିଷ ଶାସନ କରୁଛନ୍ତି । ଏହି ଅଳପ ମଣିଷଙ୍କର ପାଦ ମୋଟେ ଭୂଇଁରେ ନାହିଁ । ସେମାନେ ଇଂରାଜୀ ଭାଷାର ମାଧ୍ୟମରେ ଶାସନ କରୁଛନ୍ତି । ଅଧିକାଂଶ ମଣିଷ ଯେଉଁ ଭାଷା ଜାଣିନାହାନ୍ତି, ଶାସନ ସେହି ଭାଷାରେ ଚାଲୁଛି । ତେଣୁ ଶାସନ ନାମରେ ଦରବାରମାନ ଚାଲିଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି; ଅଥଚ ଯେଉଁମାନଙ୍କ ପାଇଁ ଖରଚ ହେଉଛି, ସେମାନେ ପ୍ରାୟ କୌଣସି ନିଷ୍ପତ୍ତି କରୁନାହାନ୍ତି । ଔଦ୍ଧତ୍ୟ ହିଁ ଉପରେ ସର୍ବମଣ୍ଡନକାରୀ ଲକ୍ଷଣ ହୋଇ ରହିଛି । ତଳଟା, ଅଧିକାଂଶ ମନୁଷ୍ୟଙ୍କର ସ୍ତରଟା ଦିନୁଦିନ ଅଧିକ ଅସହାୟ ହେବାରେ ଲାଗିଛି । ମଣିଷମାନେ ଅଧିକାଂଶତଃ ବୋକା ହୋଇ ଅନାଇ ରହିଛନ୍ତି । ସେମାନେ ଯେ ଗୋଟାଏ ଦେଶର ନାଗରିକ ଏବଂ ଉତ୍ତରାଧିକାର ସୂତ୍ରରେ ସେମାନଙ୍କର ଏହି ଭୂମିର ଭାଗ୍ୟନିର୍ମାଣରେ ଯେ ଅଲବତ ଏକ ଭାଗ ବା ଦାୟିତ୍ୱ ରହିଛି, ସେହି ସତ୍ୟଟିକୁ ବହୁ ଚତୁରତା ଏବଂ ମିଥ୍ୟାର ବଳରେ ଭୁରୁଡ଼ାଇ ଦିଆଯାଇଛି । ଓଡ଼ିଶାରେ ତଳସ୍ତରରେ ହିଁ ଅଧିକ ମନୁଷ୍ୟ ରହିଛନ୍ତି । ସେମାନେ ହିଁ ଦାରିଦ୍ର୍ୟର ଖନ୍ଦାମାନଙ୍କରେ ଭିଡ଼ ଲଗାଇ ରହିଛନ୍ତି । ପାଠ ସେମାନଙ୍କ ପାଖରେ ଯାଇ ପହଞ୍ଚିପାରୁ ନାହିଁ । ହରିଜନ ଏବଂ ଆଦିବାସୀ ବୋଲି ଯେଉଁ ବିଶେଷ ନାମ ଦେଇ ପ୍ରଧାନତଃ ଅସହାୟ ମନୁଷ୍ୟମାନଙ୍କୁ ସୂଚିତ କରାଯାଇଛି, ଓଡ଼ିଶାରେ ପ୍ରାୟ ଚଉଠେ ମଣିଷ ସେହି ସୁମାରି ଭିତରେ ଅଛନ୍ତି । ସେମାନଙ୍କୁ ଶାସନର ଭାଷାରେ ହିତାଧିକାରୀ ବୋଲି କୁହାଯାଉଛି । ଉପରୁ ହିତମାନଙ୍କୁ ଯୋଜନାବଦ୍ଧ ଭାବରେ ଫିଙ୍ଗାଯାଉଛି ଓ ତଳଟାକୁ ସେତିକିରେ ହିଁ ତୃପ୍ତ ହୋଇ ରହିବା ଲାଗି ମଣ କରି ରଖାଯାଇଛି ।

 

ଓଡ଼ିଶାର ରାଜନୀତି ସେହି ଯାବତୀୟ ଦୁର୍ଗତିରୁ ପରିପୂର୍ଣ୍ଣ ଫାଇଦା ଉଠାଇବାରେ ଲାଗିଛି । ସ୍ୱାଧୀନତା ପରେ ଆମର ସାମୂହିକ ଭାଗ୍ୟଟା ନାନା ଭାବେ ନିର୍ଯ୍ୟାତିତ ହୋଇ କେଡ଼େ ଦୟନୀୟ ସ୍ତରରେ ଯେ ଆସି ପହଂଚିଲାଣି, ହୁଏତ ସେହି ଗୋଟିକର ନାଡ଼ି ପରୀକ୍ଷା କରି ଓଡ଼ିଶା ବିଷୟରେ ଅନେକ କଥା କହିଦେଇ ହେବ । ଏକଦା ପଣ୍ଡିତ ଗୋପବନ୍ଧୁ ଓଡ଼ିଶାରେ ଯେଉଁ ରାଜନୀତିକ ନେତୃତ୍ୱର ପ୍ରତିନିଧି ବା ପ୍ରତୀକ ହୋଇ ରହିଥିଲେ, ରାଜଧାନୀରେ ରାଜନୀତିର ହାଟରେ ତାହାର ଏତେ ଟିକିଏ ସନ୍ତକ ମଧ୍ୟ ଦେଖିବାକୁ ମିଳିବ ନାହିଁ । ନେତାମାନେ କେବଳ ନିଜ ଭିତରେ ଠେଲାପେଲା ହେଉଛନ୍ତି । କାରଣ ସେମାନେ ସକଳ ସନ୍ଦର୍ଭରେ କେବଳ ନିଜକୁ ହିଁ ଦେଖୁଛନ୍ତି । ଓଡ଼ିଶାର ସବୁ ମଣିଷଙ୍କୁ ପରିସର ଭିତରେ ରଖି ଆମ ରାଜନୀତି ଭିତରେ ଆଉ କୌଣସି ବିଚାର ହେଉନାହିଁ । ରାଜନୀତି ତ ସେହିମାନଙ୍କର ଦୁଷ୍ଟ ଖେଳଗୁଡ଼ାକୁ ହିଁ ବୁଝାଉଛି, ଯେଉଁମାନେ କି ସବାଆଗ କ୍ଷମତାରେ ରହିବାକୁ ସର୍ବଦା ଯେକୌଣସି ନିମ୍ନକୁ ଆସିବାକୁ ମଧ୍ୟ ପ୍ରସ୍ତୁତ ହୋଇ ଆସିଛନ୍ତି । ସେମାନେ କେବଳ ନିଜ ବିଷୟରେ ସବୁଯାକ ସ୍ଵପ୍ନ ଦେଖୁଛନ୍ତି ଏବଂ ତେଣୁ ରାଜନୀତିକ ସମ୍ଭାବନାର ଯାବତୀୟ ସ୍ୱପ୍ନ ତଥା ସଂକଳ୍ପ ସେହିଠାକୁ ଆସି ମାଡ଼ ଖାଇଯାଉଛି-। ଉପରେ ଏସବୁ ଦେଖି ଦେଖି ସାଧାରଣ ମନୁଷ୍ୟମାନଙ୍କର ଭଲ ଉପରେ, ଉଚିତ ଉପରେ ଆଉ ପ୍ରାୟ କୌଣସି ଆସ୍ଥା ରହିପାରୁନାହିଁ । ଏଭଳି ଗୋଟିଏ କାଳରେ ତୁମେ ଗୋଟିଏ ବୋକା ହୋଇଥିଲେ ହିଁ ସାଧୁ ହେବାକୁ ତଥାପି ଇଚ୍ଛା କରିବ ବୋଲି ସେମାନେ ଭାବିବାକୁ ଆରମ୍ଭ ବି କଲେଣି ଏବଂ ତେଣୁ ପ୍ରଧାନତଃ ଅସତ୍ୟ ଉପରେ ହିଁ ସବୁଯାକ କାରବାର ଚାଲିଛି । ଗୋଟାଏ ନିର୍ବାଚନ ଆସିଲେ ଅଥବା କୌଣସି ପ୍ରାକୃତିକ ଦୁର୍ବିପାକ ଆସି ପହଂଚିଲେ କୋଉଠି କ’ଣ ସିନା ଟିକିଏ ହଲିଗଲା ଭଳି ମନେ ହେଉଛି, ମାତ୍ର ପୁନର୍ବାର ସେହି ପୁରୁଣା ଗୁଳା ଉପରକୁ ଫେରିଆସିବାରେ ଆଉ ମୋଟେ ବିଳମ୍ବ ହେଉନାହିଁ ।

 

ବହିମାନେ କହୁଛନ୍ତି ଓଡ଼ିଶାରେ ସମ୍ପଦ ଭରି ହୋଇ ରହିଛି । ମାଟି ଉପରେ ଓ ମାଟି ତଳେ କେତେ କେତେ ସମ୍ଭାବନା ରହିଛି । କ୍ଷମତା ଭିତରେ ଯାଆଆସ କରୁଥିବା ମଣିଷମାନେ ଦୋହରାଇ ଦୋହରାଇ ପ୍ରାୟ ସମସ୍ତେ ସେହି କଥାଟିକୁ କହି ଆମକୁ ଖୁସି କରି ରଖିବାକୁ ଚେଷ୍ଟା କରୁଛନ୍ତି । ତଥାପି ଦାରିଦ୍ର୍ୟ ଯାଉନାହିଁ କାହିଁକି ? ତଥାପି ଅସହାୟମାନଙ୍କର ଅସହାୟତାକୁ ପୁଞ୍ଜି କରି କ୍ଷମତାସୀନମାନେ କାହିଁକି ଅଧିକ ଡ଼ଉଲ ଦିଶୁଛନ୍ତି ଏବଂ ଏଣେ ଭୂଇଁଟା ଚୂଲିକୁ ଯାଉଛି ? କ୍ଷମତାସୀନ ଏହି ଚତୁରମାନେ ନିଜର ବହୁତ ଉନ୍ନତି ସାଧନ କରିପାରିଛନ୍ତି । ସତେଅବା ନିଜକୁ ହିଁ ଆମର, ଆମ ସମସ୍ତଙ୍କର ଏହି ଘରେ ଏକମାତ୍ର ହିତାଧିକାରୀ ବୋଲି ଧରି ନେଇଛନ୍ତି । ବିଂଶ ଶତାବ୍ଦୀଟିକୁ ଗୋଟାସୁଦ୍ଧା ଗିଳି ଏମାନେ କେଡ଼େ ଉଷତମନରେ ଏକବିଂଶ ଶତାବ୍ଦୀ ଭିତରକୁ ପ୍ରବେଶ କରିବାକୁ ବାହାରିଲେଣି । ଏବଂ ଅବଶିଷ୍ଟ ଭୂମିଟା ଯାବତୀୟ ମାପକାଠିରେ ଊନବିଂଶ ଶତାବ୍ଦୀରେ ବାନ୍ଧି ହୋଇ ରହିଛି । ଓଡ଼ିଶାର ସର୍ବମୀମାଂସକ ଦୁର୍ଗତିଟା ହେଉଛି ନେତୃତ୍ୱର ଦୁର୍ଗତି । ଅଯୋଗ୍ୟ, ଅସାଧୁ ଏବଂ ହୃଦୟହୀନମାନେ ଏଠି ସବା ଉଚ୍ଚରେ ଯାଇ ବସିଛନ୍ତି । ଏହି ଭୂମିଟାକୁ ଗୋଟାସୁଦ୍ଧା ନିଜର ସମ୍ପତ୍ତି ବୋଲି ଧରି ନେଇଛନ୍ତି । ତଳଟାକୁ ଅନ୍ଧାର କରି ରଖି ସେମାନେ ଆଗକୁ ଆହୁରି କେତେ ବର୍ଷ ସବୁକିଛି ଭୋଗ କରିବେ ବୋଲି ମନସ୍ଥ କରିଛନ୍ତି କି ? ଏବଂ, ସେହି ମତଲବରେ ଏଠାରେ ସାହିତ୍ୟ, ସଂସ୍କୃତି ଏବଂ ଶିକ୍ଷାକୁ ମଧ୍ୟ ଅନୁକୂଳିତ କରି ରଖିଛନ୍ତି । ଯେପରି ଆହୁରି ବହୁଦିନ ପର୍ଯ୍ୟନ୍ତ କାହାରି ନିଦ ଭାଙ୍ଗିବ ନାହିଁ, ସମସ୍ତେ ଅକ୍ରିୟ ହୋଇ ରହିଥିବେ, ସବୁ ଦେଖୁଥଲେ ମଧ୍ୟ କିଛି ପ୍ରତିକାର କରିବା ନିମନ୍ତେ ସଂଘବଦ୍ଧ ହୋଇପାରୁ ନଥିବେ, ଆମ ବରିଷ୍ଠମାନେ ଏକାଠି ସଲା କରି ଆମ ପାଇଁ ତାହା ହିଁ ସ୍ଥିର କରିଛନ୍ତି କି ? ଏଠି ଶିଖାଶିଖି ହୋଇଥିବା ପରି ସେମାନେ କେହି ତଳଟାକୁ ମଜବୁତ କରି ଗଢ଼ିବା ସକାଶେ ମୋଟେ କିଛି କହୁନାହାନ୍ତି । ଏବଂ, ତଳଟା ଖାଲି ସହିବାରେ ଲାଗିଛି ।

 

ମାତ୍ର, ଏକ ସ୍ୱାଧୀନ ଦେଶର ମଣିଷମାନେ କାହିଁକି ଖାଲି ସହ୍ୟ କରିବାରେ ଲାଗିଥିବେ-? ସଂବିଧାନରେ ନାଗରିକ ବୋଲି ସ୍ଵୀକୃତ ହେଉଥିବା ମଣିଷଟିଏ ନିଜକୁ କାହିଁକି ଏଡ଼େ ଅକିଂଚନ ଓ ଅସମର୍ଥ ବୋଲି ଭାବୁଥିବ ? ଓଡ଼ିଶାରେ କୋଟି କୋଟି ମଣିଷ ଏପର୍ଯ୍ୟନ୍ତ ଯେ ନିଜକୁ ଏକ ସ୍ୱାଧୀନ ଦେଶର ନାଗରିକ-ସୁଲଭ ସମ୍ମାନବୋଧ ସହିତ ଭାବିବାକୁ ଶିକ୍ଷା କରିନାହାନ୍ତି, ଏଥିପାଇଁ ଆମେ କାହାକୁ ଦାୟୀ କରିବା ? ଭୂମିଟିକୁ ତଳଆଡୁ ମଜବୁତ କରି ତିଆରି କରି ଆଣିବା, ସିଏ ହେଉଛି ଏକ ଅନ୍ୟଭଳି ନେତୃତ୍ୱର କାର୍ଯ୍ୟ । ମଣିଷ ଭିତରେ ଅସଲ ରାଜନୀତିକ ଚେତନାଟିଏ ଜାଗୃତ କରି ଆଣିବା, ନିଜକୁ ହିଁ ଅଧିକରୁ ଅଧିକ ସ୍ଥୂଳ କରିବାଟାକୁ ନିଜର ସର୍ବମୂଳ ଧର୍ମ ଓ ଧନ୍ଦା ରୂପେ ଗ୍ରହଣ କରିଥିବା ନେତୃତ୍ଵ ସେ କାମଟିକୁ କଦାପି କରିପାରିବ ନାହିଁ । ସେଥିଲାଗି ଏକ ଅନ୍ୟ ବ୍ୟାକୁଳତା ଆବଶ୍ୟକ,- ଏକ ଅନ୍ୟ ଆଖି ବି ଆବଶ୍ୟକ । ଏବଂ ସେହି କାରଣରୁ ଏକ ଅନ୍ୟ ସାହିତ୍ୟ ଏବଂ ଏକ ଅନ୍ୟ ଆନ୍ଦୋଳନ ମଧ୍ୟ ଆବଶ୍ୟକ । ସର୍ବୋପରି, ଏବେ କ୍ଷମତାସୀନମାନଙ୍କ ତରଫରୁ ଶିକ୍ଷା ନାମରେ ଆମ ଶିଶୁ ଏବଂ ତରୁଣମାନଙ୍କୁ ବିଦ୍ୟାଳୟ ମାନଙ୍କରେ ଯାହା ଯୋଗାଇ ଦିଆଯାଇଛି, ସେହି ଶିକ୍ଷା ବର୍ତ୍ତମାନର ନାନା ଦୁର୍ଗତିକୁ ବଢ଼ାଇବାରେ ସହାୟତା କରୁଥିବ ସିନା, ଆଉ ଆଦୌ କିଛି ହେଲେ କରିପାରିବ ନାହିଁ । ଏହି ଶିକ୍ଷା ମଣିଷ ଭିତରୁ ଯାବତୀୟ ମନୁଷ୍ୟସୁଲଭ ସାହସ ଓ ମନୁଷ୍ୟସୁଲଭ ଆତ୍ମବିଶ୍ୱାସକୁ ଅପହରଣ କରି ନେବାରେ ହିଁ ଲାଗିଥିବ । ଏକ ଭୃତ୍ୟତନ୍ତ୍ରକୁ ଅଧିକ ଉଦ୍ଧତ କରିବାରେ ଭିନ୍ନ ଭିନ୍ନ ସରଂଜାମ ଆଣି ଯୋଗାଇ ଦେଉଥିବ ସିନା, ମଣିଷ ଭିତରେ ଅସଲ ମଣିଷଟାକୁ ମାରିଦେବାରେ ଲାଗିଥିବ ।

 

ତଳ ତିଆରି ହେଲେ ହିଁ ଦୁର୍ଗତି ଯିବ । ତଳକୁ ଦୟା କଲେ ତଳ ତିଆରି ହେବ ନାହିଁ । ତଳଟାକୁ ଯାବଜ୍ଜୀବନ ମାଗଣା ଖାଦ୍ୟ ଯୋଗାଇଲେ ତଳ ତିଆରି ହେବ ନାହିଁ । ତଳଯାଏ ଓହ୍ଲାଇ ଯାଇପାରିଲେ ଯାଇ ତଳ ଉପରକୁ ଆସିବାକୁ ହିମ୍ମତ ପାଇବ । ତଳକୁ ମଧ୍ୟ ମଣିଷର ସ୍ୱୀକୃତି ଦେବାକୁ ହେବ । ଏବଂ, ତଳ ସହିତ ସମସ୍କନ୍ଧ ହୋଇ ଛିଡ଼ା ହେବାର ସେହି ଅସଲ ମାନବିକ ଶିକ୍ଷାଟିରେ ନିଜକୁ ଦୀକ୍ଷିତ କରାଇବାକୁ ପଡ଼ିବ । ତଳର ଉଦ୍ଧାର କରିବ ବୋଲି ନାନା ଦର୍ପପୂର୍ଣ୍ଣ ଘୋଷଣାମାନ କରି ଉପରଟା ତଳଟାକୁ ଉସ୍କାଇ ବିପ୍ଳବମାନ କରିଛି ଏବଂ ତା’ପରେ ନିଜେ ସେମାନଙ୍କ ଉପରେ ଯାଇ ସବାର ହୋଇପଡ଼ିଛି । ଆମ ନିଜ ଦେଶରେ ମଧ୍ୟ ଏହାର କେତେ କେତେ ଦୃଷ୍ଟାନ୍ତ ରହିଛି । ଅନାଚାରଗୁଡ଼ାକ ସେଥିରୁ ଅଧିକ ବଳ ବି ପାଇଛନ୍ତି । ଅନ୍ଧାର ଅଧିକ ଜବର ହୋଇ ରହିଛି । ଅଫିମ ଖୁଆଇ ମଣିଷମାନଙ୍କୁ ଗଧ କରି ରଖିବାର କେତେ ଉପଚାର କରାଯାଇଛି । ଏହାଦ୍ଵାରା ଦୁର୍ଗତି କଦାପି ଯିବନାହିଁ । ବାଟଟିଏ ବାହାରୁ ବୋଲି ଯେଉଁମାନେ ସତକୁ ସତ ଅନୁଭବ କରୁଛନ୍ତି, ସେମାନେ ପୂର୍ଣ୍ଣ ସଚେତନ ଭାବରେ ତାହା ଚିନ୍ତା କରନ୍ତୁ ।

Image

 

ରାଜନୀତିକ ଚେତନା

 

ଭଲ ପାଇବା କହିଲେ ଯାବତୀୟ କ୍ଷେତ୍ରରେ ଏକ ଓହ୍ଲାଇ ଆସିବାକୁ ହିଁ ବୁଝାଏ । ଯିଏ ଯାହାକୁ ଭଲପାଏ, ସିଏ ତାହାରି ସ୍ତରକୁ ଓହ୍ଲାଇ ଆସେ । ଅତ୍ୟନ୍ତ - ସ୍ଵାଭାବିକ ଅର୍ଥାତ୍ ସ୍ୱେଚ୍ଛାକୃତ ଭାବେ ଓହ୍ଲାଇ ଆସେ । ଏଥିରେ ବାଧ୍ୟ ହୋଇ ଏପରି ବା ସେପରି କରିବାର କୌଣସି ଅବକାଶ ନଥାଏ । ଓହ୍ଲାଇ ଆସି ପାରିଲେ ହିଁ ନିଜର କରିହୁଏ, ନିଜକୁ ଆଉ କାହାର ଅତ୍ୟନ୍ତ ନିଜର ବୋଲି ଅନୁଭବ ହୁଏ । ମଣିଷକୁ ଭଲ ପାଇଲେ ସର୍ବଜନଙ୍କର ସ୍ତରକୁ ଓହ୍ଲାଇ ଆସିବାକୁ ହୋଇଥାଏ । କିନ୍ତୁ ସଂସାରରେ ଏମିତି କେତେକ ମଣିଷ ମଧ୍ୟ ଥାଆନ୍ତି ଓ ଅଛନ୍ତି, ଯୋଉମାନେ କି ଗିଳି ପକାଇବାକୁ ହି ଭଲପାଇବା ବୋଲି ଭାବନ୍ତି । ଯାହାକୁ ସେମାନେ ଭଲ ପାଆନ୍ତି, ତାକୁ ଗିଳି ପକାଇ ଭାରି ସୁଖ ପାଆନ୍ତି । ଏହି କାଟର ଥୋକେ ମଣିଷ ଆମର ଚତୁର୍ଦ୍ଦିଗରେ ରହିଥାନ୍ତି ବୋଲି ଆମେ ସେମାନଙ୍କୁ ସିନା ଚିହ୍ନିବା, ମାତ୍ର ଭଲ ପାଇବାଟାକୁ କାହିଁକି ଦୋଷ ଦେବା ? କିଏ ନିତାନ୍ତ ଅପାରଗ ହୋଇ ନିଜ କ୍ଷମତାର ଅପବ୍ୟବହାର କଲା ବୋଲି ଆମେ କ୍ଷମତାକୁ କ’ଣ ପାଇଁ ଛି ବୋଲି କହିବା ? ପାଠ ପଢ଼ି ଜଣେ ପାଷଣ୍ଡ ହେଲା ବୋଲି ଦେଖିଲେ ଆମେ ପାଠଟାକୁ ନିନ୍ଦିବା କ’ଣ ପାଇଁ ?

 

ଭାରତବର୍ଷରେ ସ୍ୱାଧୀନତା ପାଇଁ ସଂଗ୍ରାମ ଚାଲିଥିବା ସମୟରେ କେବଳ ଭିତରୁ ଏକ ସ୍ୱତନ୍ତ୍ର ଆହ୍ୱାନ ଶୁଣି ପାରୁଥିବା ବ୍ୟକ୍ତିମାନେ ହିଁ ରାଜନୀତି ଭିତରକୁ ଆସୁଥିଲେ । ଖୁସି ହୋଇ ଆସୁଥଲେ, ଏକ ସଂକଳ୍ପର ବାହକ ହୋଇ ଆସୁଥିଲେ । ରାଜନୀତିର ବାଟଟିକୁ ନିଜ ଲାଗି ସେମାନେ ନିଜେ ବାଛୁଥିଲେ । ଲାଭକ୍ଷତିର ଏକ ତୁଳନାତ୍ମକ ହିସାବ କରି ସେମାନେ ଅଧିକ ଲାଭର ଆଶାରେ ମୋଟେ ରାଜନୀତିକୁ ନିଜ ଜୀବନର ଧର୍ମ ରୂପେ ବାଛୁନଥିଲେ । ଅଧିକାଂଶତଃ ଭଲ ପଢୁଥିବା ଛାତ୍ରମାନେ ଯେ ସ୍ୱାଧୀନତାର ସଂଗ୍ରାମଟିରେ ସାମିଲ ହେବାକୁ ମନକରି ପାଠ ଛାଡ଼ି ଏଇଟି ମଧ୍ୟକୁ ଆସୁଥଲେ, ଆମେ ସେତେବେଳର ଏକ ହିସାବ ନେଇ ତାହାର ବହୁତ ବହୁତ ପ୍ରମାଣ ପାଇପାରିବା । ଏବେ ମୁଖ୍ୟତଃ ବଗୁଲିଆମାନେ ରାଜନୀତିକୁ ଆସୁଛନ୍ତି । ସତେଅବା କୋଉଠି ମାଗଣାରେ ରିଲିଫ୍ ବଣ୍ଟାଯାଉଛି ଏବଂ ଯଦି ତୁମେ ଠେଲିପେଲି ସବାଆଗ ଯାଇ ଠିକଣା ଜାଗାରେ ପଶିଯାଇ ପାରିବ କିମ୍ବା ବସିଯାଇ ପାରିବ, ତେବେ ତୁମେ ଅଶେଷ ବାଟରେ ଲକ୍ଷ୍ମୀମନ୍ତ ଅର୍ଥାତ୍ ବପୁବନ୍ତ ହୋଇପାରିବ ବୋଲି ଗୋଟାଏ ସମ୍ପୂର୍ଣ୍ଣ ଦୁଷ୍ଟ ଓ ଦୂଷିତ ବୁଦ୍ଧିରେ ପଡ଼ି ସେମାନେ ରାଜନୀତିରେ ପ୍ରବେଶ କରୁଛନ୍ତି, ବଡ଼ ପ୍ରବଳ ହୋଇ ପାରୁଛନ୍ତି ଓ ଦଶଦିଶ ଉଚ୍ଛନ୍ନ କରୁଛନ୍ତି । ମାତ୍ର, ଏହି ଉଦଣ୍ଡମାନଙ୍କ ସକାଶେ ଆମେ ରାଜନୀତିକୁ କାହିଁକି ଦୋଷ ଦେବା ? ରାଜନୀତିଟା ଖରାପ ବୋଲି କାହିଁକି କହିବା ? ହିଁ, ଯେଉଁମାନେ ବଗୁଲିଆଙ୍କୁ ଡ଼ରୁଥିବେ ଅଥବା ଏହି ବଗୁଲିଆଙ୍କ ପରି ଆପେ ମଧ୍ୟ ବଗୁଲିଆ ହେବାକୁ ମନକରି ମଧ୍ୟ ବଳ ପାଉନଥିବାରୁ କିମ୍ବା ଓର ମିଳୁନଥିବାରୁ ରାଜନୀତି ଭିତରେ ଥାନଟିଏ ଯୋଗାଡ଼ କରିପାରୁ ନଥିବେ, ହୁଏତ ସେହିମାନେ ରାଜନୀତିକୁ ଖରାପ ବୋଲି କହିବେ । ବଗୁଲିଆଙ୍କ ପାଖରେ ନିଜକୁ ନ୍ୟୁନ ବୋଲି ଦେଖୁଥିବାରୁ ସେପରି କହିବେ ।

 

ସ୍ଵାଧୀନତା ସଂଗ୍ରାମ ସମୟରେ ଗାନ୍ଧିଜୀ ଭାରତର ଭବିଷ୍ୟ ଓ ଭାଗ୍ୟ ସୂତାଖିଅରେ ଝୁଲୁଛି ବୋଲି ବହୁତ ସମୟରେ କହୁଥିଲେ । ସୂତା ଅର୍ଥାତ୍ ଅରଟ ସାହାଯ୍ୟରେ ହାତରେ କଟାଯାଉଥିବା ସୂତା । ଖଦଡ଼ ସୂତାରୁ ଖଦଡ଼ ଲୁଗା । ସେତେବେଳର ସଂଗ୍ରାମୀମାନଙ୍କର ବହୁ ପ୍ରେରଣାର ଉତ୍ସ । ଶୋଷଣମୁକ୍ତିର ସନ୍ତକ, ଯାବତୀୟ ଶ୍ରମକୁ ମର୍ଯ୍ୟାଦା ଦେବାର ପ୍ରତୀକ । ସେଇଥିରୁ ଏକ ନୂତନ ଅର୍ଥନୀତି, ନୂତନ ସମାଜ ଏବଂ ନୂତନ ରାଷ୍ଟ୍ରର କେତେ ନା କେତେ ବିଚାର-। ସମଗ୍ର ପୃଥିବୀ ଲାଗି ଏକ ବିକଳ୍ପର ଭରସା ଯୋଗାଇଦେଇ ପାରୁଥିବା ଏକ କେଡ଼େ ବଳିଷ୍ଠ ବିଚାର । ଏବେ ଅରଟ ଗଲାଣି, ଖଦଡ଼ ଅଛି । ସରକାର ବି ଖଦଡ଼ ବିକୁଛନ୍ତି । ଶୋଷକ, ଠକ ଏବଂ କଳାବଜାରୀମାନେ ବି ନିଜର କେତେ କେତେ ମତଲବକୁ ସିଦ୍ଧ କରିବାର ଅଭିପ୍ରାୟରେ ଖଦଡ଼ ପିନ୍ଧୁଛନ୍ତି । ସେହି କାରଣରୁ ଏବେ କେତେକ ଲୋକ ଖଦଡ଼ ଦେଖିଲେ ହିଁ ବିଗୁଡ଼ୁଛନ୍ତି, ଖଦଡ଼ ପରିଧାନ କରିଥିବା ମଣିଷଟିଏ ଦେଖିବା ମାତ୍ରକେ ତାହାକୁ ବହୁମାଶ୍ଚର୍ଯ୍ୟର ପ୍ରତିନିଧି ବୋଲି ସନ୍ଦେହ କରୁଛନ୍ତି । ମାତ୍ର ଏଥିରେ ଆମେ ଖଦଡ଼କୁ କାହିଁକି ଦୋଷ ଦେବା ? ଠିକ୍ ସେହିପରି ରାଜନୀତିଟା ଭ୍ରଷ୍ଟମାନଙ୍କ ହାତରେ ଯାଇ ପଡ଼ିଲା ବୋଲି ରାଜନୀତିକୁ କାହିଁକି ଗାଳିଦେବା ? ରାଜନୀତି ଆଦୌ କୌଣସି ମଣିଷକୁ ଭ୍ରଷ୍ଟ କରେନାହିଁ । ଭ୍ରଷ୍ଟ ମଣିଷ ହାତରେ ପଡ଼ିଲେ ରାଜନୀତି ବହୁତ ଅକାର୍ଯ୍ୟରେ ଲାଗେ, ବହୁତ ଅନାଚାରର କାରଣହୁଏ । ଏବଂ, ଯେତେବେଳେ ଗୋଟାଏ ଦେଶରେ ବା ସମାଜରେ ଅଧିକତଃ ଭ୍ରଷ୍ଟ ଓ ଦୁଷ୍ଟ ମନୁଷ୍ୟମାନେ ହିଁ ରାଜନୀତିରେ ଆସି ପଶିଯାନ୍ତି, ସେତେବେଳେ ରାଜନୀତିଟା ପୂରା ଅଶୁଦ୍ଧ ହୋଇଗଲା ବୋଲି ଅପବାଦ ଶୁଣିବାକୁ ହୁଏ । ଆହା, ବିଚରା ରାଜନୀତି, ରାଜନୀତି ସେତେବେଳେ ମଧ୍ୟ ଯୋଗ୍ୟମାନଙ୍କ ପାଇଁ ଅପେକ୍ଷା କରିଥାଏ ।

 

ଏକ ସର୍ବନିମ୍ନ ସମ୍ପନ୍ନତା ଏବଂ ପରିପୂର୍ଣ୍ଣତା ହାସଲ କରିବା ନିମନ୍ତେ ପାହାଚ ପାହାଚ କରି ଅଗ୍ରସର ହେଉଥିବା ଯେକୌଣସି ଦେଶ ପାଇଁ ରାଜନୀତି ହିଁ ସର୍ବାଧିକ ତାତ୍ପର୍ଯ୍ୟର ଏକ ବିଷୟ ହୋଇ ଅବଶ୍ୟ ରହିବ । ମୁଖ୍ୟତଃ ସେହି ଅର୍ଥରେ ହିଁ ଭାରତବର୍ଷକୁ ଗୋଟିଏ ବିକାଶଶୀଳ ଦେଶ ବୋଲି କୁହାଯାଉଛି । ବିଶେଷତଃ ଯେତେବେଳେ ଗଣତନ୍ତ୍ରକୁ ଧ୍ୟେୟ ବୋଲି ଆମର ସମ୍ବିଧାନରେ ସ୍ୱୀକାର କରି ନିଆଯାଇଛି, କେବଳ ଆମର ନେତାମାନେ ନୁହନ୍ତି, ଏହି ଦେଶର ଜନଗଣଙ୍କର ମଧ୍ୟ ରାଜନୀତିର ଧାରଣାଗୁଡ଼ିକ ଯଥାସମ୍ଭବ ଅଧିକ ସ୍ପଷ୍ଟ ରହିଥିବା ଏକାନ୍ତ ଆବଶ୍ୟକ । ଜନଗଣ ସଚେତନ ହେଲେ ସିନା ନାୟକମାନେ ଇଚ୍ଛା ଅନୁସାରେ ବଗୁଲିଆ ହେବାର ଅୟସଟାରୁ ବଂଚିତ ହୋଇ ରହନ୍ତେ । ପଚାଶ ବର୍ଷର ଗଣତାନ୍ତ୍ରିକ ପ୍ରୟୋଗ ପରେ ଦେଶରେ ରାଜନୀତିକ ଆଚରଣମାନ ଦେଖି ମନେହେଉଛି, ଏଠାରେ ଆମ ନେତାମାନେ ମଧ୍ୟ ଏହି ଦେଶର ଆକାଂକ୍ଷିତ ନିୟତିଗୁଡ଼ିକ ବିଷୟରେ ସଚେତନ ହୋଇନାହାନ୍ତି । ସେମାନେ ଶାସନ କରୁଛନ୍ତି; କେତେବେଳେ ସରକାର ଚଳାଉଛନ୍ତି ତ ଆଉ କେତେବେଳେ ବିରୋଧିଦଳରେ ରହୁଛନ୍ତି । ବିଭିନ୍ନ ନାମର ରାଜନୀତିକ ଦଳରେ ବାଣ୍ଟି ହୋଇ ରହିଛନ୍ତି । ତଥାପି ଦେଶ ଆଗକୁ ଯିବା ସକାଶେ ଏବେ ମଧ୍ୟ ଏକ ବହୁଦୀର୍ଘ ପଥ ବାକି ରହିଥିବା ସମୟରେ ସେମାନେ ସତେଅବା ରାଜନୀତିର ସବୁଯାକ ମାପକାଠିରେ ନିରକ୍ଷର ପ୍ରାୟ ହୋଇ ରହିଛନ୍ତି । ଦଳ ଏକାଧିକ ରହିଛି, ମାତ୍ର ସେମାନଙ୍କର କାମ୍ୟ ରାଜନୀତିକ ଲକ୍ଷ୍ୟ ଅର୍ଥାତ୍ ପରିମଳଟି ବିଷୟରେ ସେମାନଙ୍କର କୌଣସି ଧାରଣା ନାହିଁ । ଦେଶରେ ରାଜନୀତିକ ମୂଲ୍ୟଗୁଡ଼ିକର କ୍ଷେତ୍ରରେ ଅସଲ ଯୁଦ୍ଧଗୁଡ଼ିକ ଯେଉଁସବୁ ପ୍ରତିବନ୍ଧକର ବିରୋଧରେ ଲଢ଼ା ଯାଉଥାନ୍ତା, ସେହି ଯୁଦ୍ଧଗୁଡ଼ିକ ନିମନ୍ତେ ଏମାନେ ନିଜକୁ ଜଣେ ଜଣେ ସୈନିକ ରୂପେ ସତେଅବା ମୋଟେ ତିଆରି କରିନାହାନ୍ତି । ସମ୍ଭବତଃ ସେଇଥିପାଇଁ ପ୍ରଧାନତଃ ନିଜ ନିଜ ଭିତରେ ଲଢ଼ାଇ କରିବାରେ ମତ୍ତ ଓ ନିଶାସକ୍ତ ହୋଇ ରହିଛନ୍ତି । ଯେକୌଣସି ପ୍ରକାରେ କ୍ଷମତାରେ ରହିବାକୁ ହିଁ କାମ୍ୟତମ କର୍ମସାରଣୀ ରୂପେ ଗ୍ରହଣ କରି ନେଇଛନ୍ତି ।

 

ରାଜନୀତିରେ ଅସଲ ଶିକ୍ଷା ହେଉଛି ରାଜନୀତିକ ଚେତନାର ବ୍ୟାପାର । ରାଜନୀତିକୁ ନିଜର ରାସ୍ତା ବୋଲି ବାଛିବା ସମୟରେ ସେମାନଙ୍କର ହୁଏତ ଆଦୌ କୌଣସି ରାଜନୀତିକ ଚେତନା ନଥିଲା । ରାଜନୀତିକ ଚେତନା ରହିଥିଲେ ସେମାନେ ଦେଶଟାକୁ ସବାଆଗ ଦେଖିଥାଆନ୍ତେ, ଏହି ଦେଶ ଅର୍ଥାତ୍ ଏହି ଦେଶର ଜନସମୂହକୁ ନେଇ ସେମାନଙ୍କ ଆଗରେ ଏକ ଭବିଷ୍ୟତ ଚିତ୍ର ରହି ସେମାନଙ୍କୁ ପ୍ରକୃତରେ ଆକୃଷ୍ଟ କରିଥାଆନ୍ତା । ସେହି ଚିତ୍ରଟିକୁ ସାକାର କରିବାର ବ୍ରତ ନେଇ ସେମାନେ ନିଜକୁ ତାହାରି ନିମନ୍ତେ ସମର୍ପିତ ଏବଂ ଯୋଗ୍ୟ କରି ଆଣିଥାନ୍ତେ-। ଗୋଟିଏ କଥାରେ କହିଲେ, ସେମାନେ ରାଜନୀତିକୁ ଏକ ବୃତ୍ତି ରୂପେ ନୁହେଁ, ବ୍ରତ ରୂପେ ହିଁ ଗ୍ରହଣ କରିଥାଆନ୍ତେ । ଦେଶବାସୀ ଆଗରେ ରହିଥାନ୍ତେ, ସେହିମାନଙ୍କର ଉଦୟ ହିଁ ଆଗକୁ ବାଟ କଢ଼ାଇ ନେଇଥାଆନ୍ତା ଏବଂ ସେଥିରେ ନିମିତ୍ତ ହୋଇ ରାଜନୀତି ଭିତରେ ରହିଥିବା ସମ୍ପୃକ୍ତ ସମସ୍ତେ ଆପଣାକୁ ଭାଗ୍ୟବାନ ମନେକରୁ ଥାଆନ୍ତେ । ମାତ୍ର ଅନ୍ୟପକ୍ଷରେ, ରାଜନୀତିର କ୍ଷେତ୍ରକୁ ଯେତେବେଳେ ପ୍ରାୟ ଧର୍ମତଃ ଏକ ଭୋଗର କ୍ଷେତ୍ର ବୋଲି ଧରି ନିଆଯାଇଥାଏ, ସେତେବେଳେ ମଣିଷମାନେ ମଧ୍ୟ ଦାନବମାନଙ୍କର ଆଖିକୁ ଭୋଗର ସାମଗ୍ରୀ ସଦୃଶ ଦେଖାଯାଉଥାନ୍ତି । ସେମାନଙ୍କୁ ବଂଚିତ କରି, ନାନା ଅନ୍ଧାର ଓ ଅଜ୍ଞତା ଭିତରେ ଅସମର୍ଥ କରି ରଖି ନିଜ ପାଇଁ ସବୁ ଆତ୍ମସାତ୍ କରିନେବା ହିଁ ରାଜନୀତିରେ ସତେଅବା ସ୍ୱୀକୃତତମ ଆଚରଣରେ ପରିଣତ ହୋଇ ଯାଇଥାଏ । ଖାଲି କୌଣସି ରାଜତନ୍ତ୍ର ବା ସ୍ୱୈରତନ୍ତ୍ରରେ ନୁହେଁ, ଯେକୌଣସି ଗଣତନ୍ତ୍ରରେ ମଧ୍ୟ ଯେ ଏପରି ଖୁବ୍ ସମ୍ଭବ ହୋଇପାରିବ, ଆମ ନିଜ ଦେଶଟାରେ ରାଜନୀତି ଭିତରେ ନାଚୁଥିବା ମୟୁରମାନଙ୍କର ଆଚରଣକୁ ଦେଖି ତାହା ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଯାଏ ।

 

ସଂପ୍ରତି ଭାରତବର୍ଷର ରାଜନୀତିକ ଦଉଡ଼ରେ ନେତାମାନେ ଆଗରେ ଅଛନ୍ତି, ଦେଶବାସୀ ପଛରେ ପେଙ୍ଗଇ ପେଙ୍ଗଇ ସତେଅବା ଅନାଥଙ୍କ ପରି ତଥାପି ଘୋଷାରି ହେବାରେ ଲାଗିଛନ୍ତି । ଦଉଡାଳିମାନେ ଦଉଡ଼ି ଦଉଡ଼ି ଶେଷରେ କେଉଁଠାରେ ଯାଇ ଯେ ପହଂଚିବେ, ସେକଥା ସେମାନେ ନିଜେ ଜାଣିନାହାନ୍ତି । ନେତାମାନେ କିଣି ହୋଇ ଯାଉଛନ୍ତି, ବିକିହୋଇ ଯାଉଛନ୍ତି । ରାତି ପାହିଲେ, ଏ ଦଳ ଛାଡ଼ି ସେ ଦଳକୁ ପଳାଉଛନ୍ତି, ଅଥବା ନୂଆ ଦଳମାନ ଗଢ଼ି ପକାଉଛନ୍ତି । ଗଣତନ୍ତ୍ରରେ ଅସଲ ଶକ୍ତି ଅର୍ଥାତ୍ ଅସଲ ରଜ୍ଜୁଗୁଡ଼ିକ ଯେ ଗଣହାତରେ ରହେ, କାଳକ୍ରମେ ଏହି ଦେଶରେ ତାହା ପୂରା ପାସୋରି ହୋଇଗଲାଣି । ସେହି ପୁରୁଣା ରକ୍ଷଣଶୀଳତା ଗୁଡ଼ାକ ଲୋକମାନଙ୍କୁ ଏପରି ନିର୍ଘାତିଆ ଭାବରେ ମାଡ଼ିବସିଛି ଯେ, ସେମାନେ ବା ଆଉ ଅନ୍ୟ କଅଣ କରିପାରନ୍ତେ ! ନେତା ବନି ସେମାନଙ୍କ ପାଖକୁ ଯେତେବେଳେ ଯିଏ ଆସିଛନ୍ତି, ସେମାନେ କେବଳ ଧୋକା ଦେଇଛନ୍ତି, ରାଜନୀତିକୁ ଗୋଟାଏ ବେପାରରେ ପରିଣତ କରି ଦେଇଛନ୍ତି ଏବଂ ଆପେ ପୃଥୁଳ ହେବାକୁ ହିଁ ପ୍ରାୟ ଏକମାତ୍ର ବ୍ୟବହାରିକ ସତ୍ୟ ବୋଲି ମାନି ନେଇଛନ୍ତି । ଏକ ରାଜନୀତିକ ଚେତନା ହିଁ ଏହି ଜଡ଼ତାକୁ ଭାଙ୍ଗିଦେଇ ପାରିବ । କେବଳ, ଏକ ଚେତନା ହିଁ ଅଚେତନାକୁ ଅଚେତନା ବୋଲି ଘୋଷଣା କରିପାରିବ ଏବଂ ସେହି ଚେତନାରେ ଲୋକମାନେ ହିଁ ସବାଆଗ ଦେଖାଯିବେ, ରାଜନୀତି ନିଜର ଅସଲ ଭୂମିକା ଗୁଡ଼ିକ ବିଷୟରେ ସଚେତନ ହୋଇପାରିବ ଏବଂ କାମରେ ଲାଗିବ । ଏକ ଯଥାର୍ଥ ରାଜନୀତିକ ଚେତନା ହିଁ ଠକକୁ ଠକ ବୋଲି ଧରା ପକାଇଦେବ । ଯଥାର୍ଥ ସାହସଗୁଡ଼ିକୁ କାମରେ ଲଗାଇ ପାରିବ । ଭାରତବର୍ଷ ନାମକ ଅଟକି ଯାଇଥିବା ଶଗଡ଼ଟାର ଚକାଗୁଡ଼ାକୁ ତାହା ପୁନର୍ବାର ଗତିଶୀଳ କରିପାରିବ । ଲକ୍ଷ୍ୟସଚେତନ କରାଇ ଆଣିବ । ଅସାଧୁତାକୁ ଚ୍ୟାଲେଞ୍ଜ କରି ଅସାଧୁତାର ମୂଳୋତ୍ପାଟନ କରିପାରିବ ।

 

ଏବେ ଓଡ଼ିଶାକୁ ବାତ୍ୟା ଆସିଲା, ବନ୍ୟାର ବିତ୍ପାତ ଏତେ ମଣିଷଙ୍କୁ ଭସାଇ ନେଇଗଲା, ଆହୁରି ଦଶ ସେତିକି ମଣିଷଙ୍କୁ ଆଗାମୀ ଅନେକ ବର୍ଷ ନିମନ୍ତେ କାଙ୍ଗାଳ କରିଦେଇ ଚାଲିଗଲା । ସେହି ଅଂଚଳରେ ରାଜନୀତିକ ଦଳଗୁଡ଼ିକର ଢେର ମଣିଷ ଅବଶ୍ୟ ଥିଲେ । ସେମାନଙ୍କର ତୋଟାରୁ ମଧ୍ୟ ଆମ୍ବ, ପଣସ କି ନଡ଼ିଆ କେତେ କେତେ ବୃକ୍ଷ ଉପୁଡ଼ି ଅବଶ୍ୟ ଯାଇଥିବ । ମାତ୍ର ସେମାନଙ୍କ ଭିତରୁ କେତେ କଅଣ ସର୍ବେକ୍ଷଣ କଲେ, ତାହାର ହିସାବ ବଡ଼ ସହଜରେ ମିଳିଯାଇ ପାରନ୍ତା । ଆମ ଅଳପଙ୍କୁ ଘେରି ଏହି ଭୂଇଁଟାରେ କେତେ ଅସହାୟ ମଣିଷ ଯେ ତଥାପି ରହିଛନ୍ତି, ତାହାର ପୁନର୍ବାର ପ୍ରମାଣଟିଏ ମିଳିଗଲା । ଭୁବନେଶ୍ୱରକୁ କେନ୍ଦ୍ର କରି ହୁଲସ୍ତୁଲ ପଡ଼ିଗଲା । ଦୁର୍ଗତମାନଙ୍କୁ ସଂଖୋଳି ଆସିବା ସକାଶେ ଗୋଠ ଗୋଠ ହୋଇ ନେତାମାନେ ତେଣେ ଛୁଟିବାରେ ଲାଗିଗଲେ । ତା’ ପରେ କ’ଣ ହେଲା ? ତା’ପରେ ସହାୟ ଆସିଲା, ବୋଇତ ପରେ ବୋଇତମାନ ଆସି ପହଞ୍ଚିଗଲା । କୋଟି କୋଟି ସହାୟତାର ହିସାବ ହେଲା । କୋଟି କୋଟି ସହାୟତା ନିମନ୍ତେ ଦାବି କରାଗଲା । ମନେହେଲା, ଏହି ହିତକାରୀମାନେ ବିପନ୍ନମାନଙ୍କୁ ହିଁ ଖାଲି ଦେଖୁଛନ୍ତି, ମଣିଷମାନେ ହିଁ ସତେଅବା ଏକ ଅପାରଗ ଅର୍ଦ୍ଧଶତାବ୍ଦୀର ଚକ୍ରାନ୍ତ ଫଳରେ ଏହି ବିପତ୍ତିରେ ପଡ଼ିଛନ୍ତି ବୋଲି କେହି ଭାବିବାକୁ ସମୟ ପାଇଲେ ନାହିଁ । କିମ୍ବା ସେପରି ଭାବିବାକୁ ମଧ୍ୟ ଭୟ କଲେ । ଯାବତୀୟ ସଚେତନ ରାଜନୀତି ମଣିଷମାନଙ୍କର ପାଖେ ପାଖେ ରହିଥାଏ । ମଣିଷମାନଙ୍କୁ ସଙ୍ଗରେ ନେଇ ବାଟ ଚାଲୁଥାଏ । ମଣିଷମାନଙ୍କୁ, କୋଟି କୋଟି ମଣିଷଙ୍କୁ ଅବଜ୍ଞା କରି ଯୋଉ ରାଜନୀତି କେତେଟା ବଡ଼ ସାନ ମଙ୍ଗରାଜଙ୍କ ପାଇଁ ନିର୍ବାଚନରେ ଜିତିବାରେ ଏବଂ ଜିତିସାରି କେବଳ ନିଜର ଖାତଗୁଡ଼ିକୁ ପୂର୍ଣ୍ଣ କରିବାରେ ଅଧିକ ବଳ ଓ ବୁଦ୍ଧି ଖର୍ଚ୍ଚକରି ଆସିଛି, ତାହାକୁ ଆମେ ଏକ ସଚେତନ ରାଜନୀତି ବୋଲି କାହିଁକ କହିବାକୁ ଯିବା ? ଆଖର ଖବରକାଗଜରେ ଏକ ଆରେକୁ ଝିଙ୍ଗାସି କହିବାରେ ବେଙ୍ଗଳାଟାଏ ପଡ଼ିଲା । ଭୁବନେଶ୍ୱରରେ ସଭା ଡ଼କାଗଲା । ସେଠାରେ ଏପଟ ଆଉ ସେପଟ ପରସ୍ପରକୁ ତୀର ମାରି ଗାଳିଗୁଲଜ କଲେ । ଇଏ ତାକୁ ବାଂଝ ବୋଲି କହିଲା ଓ ସିଏ ୟାକୁ ବାଞ୍ଝ ବୋଲି କହିଲା । ସମ୍ଭବତଃ ଉଭୟେ ସତକୁ ସତ ଯାହା, ପରସ୍ପରକୁ ଶରବ୍ୟ କରି ତାହା ହିଁ କୁହାକୁହି ହେଲେ । ଯଦି ସେମାନେ ସଚେତନ ହୋଇଥାଆନ୍ତେ, ଯଥାର୍ଥ ରାଜନୀତିରେ ଥାଆନ୍ତେ ଅର୍ଥାତ୍ ମଣିଷମାନଙ୍କୁ ହିଁ ସବାଆଗ ଦେଖୁଥାନ୍ତେ, ତେବେ ସେମାନେ ହାତ ଧରାଧରି ହୋଇ ଡ଼କାଡ଼କି ହୋଇ ଏକାଠି ରିଲିଫ୍ ପହୁଞ୍ଚାଇବାକୁ ଯାଇଥାଆନ୍ତେ । ଆସୁଥିବା ସାହାଯ୍ୟଗୁଡ଼ିକୁ ଏକାଠି ହୋଇ ଠୁଳ କରିଥାନ୍ତେ ଏବଂ ମିଳିତ ଭାବରେ ବିପନ୍ନ ଅଂଚଳକୁ ଯାଇଥାନ୍ତେ । ବିପନ୍ନମାନେ ପୁନର୍ବାର ସଂସାରଟିଏ ଆରମ୍ଭ କରିବାର ଭରସା ପାଇବା ପର୍ଯ୍ୟନ୍ତ ସେହି ଅଂଚଳରେ ରହିଥାନ୍ତେ । ଆମେ ଓଡ଼ିଶାବାସୀ ସେମାନେ ଏପରି ଏକ ନୂଆ ଘଟଣା ସମ୍ଭବ କରିପାରୁଛନ୍ତି ବୋଲି ଖବର ପାଉଥାନ୍ତେ ଏବଂ ଏତେ ଦିନକେ ଆମ ଭୂମିଟିର ଭାଗ୍ୟ ଫେରିଲା ବୋଲି ପ୍ରତ୍ୟୟଟିଏ ପାଇ ଜଗନ୍ନାଥଙ୍କୁ ଧନ୍ୟବାଦ ଦେଉଥାନ୍ତେ । ରାଜନୀତି ମଧ୍ୟ ଧନ୍ୟ ହୋଇଥାନ୍ତା । ଆମ ନେତାମାନଙ୍କୁ ଆମେ କେଡ଼େ ଖୁସିରେ କାନ୍ଧରେ ବସାଇ ବୁଲିବା ପରି ଅନୁଭବ କରିଥାନ୍ତେ । ଇତିହାସର ଚକ ବୁଲି ଯାଇଥାନ୍ତା । ନେତୃତ୍ଵର ନବଜନ୍ମ ହୋଇଥାନ୍ତା । ଏହାଦ୍ୱାରା କୌଣସି ରାଜନୀତିକ ଦଳର ଆଦୌ କୌଣସି କ୍ଷତି ହୋଇନଥାନ୍ତା । ଲୋକନେତ୍ରରେ ସେମାନେ କେଡ଼େ ଉଜ୍ଜ୍ୱଳ ଦେଖା ଯାଇଥାନ୍ତେ ଓ ଲୋକ ଅନ୍ଦାଜରେ କେଡ଼େ ବଡ଼ ଥଳ ପାଇ ପାରିଥାନ୍ତେ । ଏହି ଗୋଟିଏ ସାମାନ୍ୟ ଘଟଣା ଦ୍ୱାରା ହିଁ ଆମ ରାଜନୀତିରୁ କେତେ ନା କେତେ ପ୍ରଦୂଷଣ ଧୋଇ ହୋଇଯାଇଥାନ୍ତା । ଆମେ ଏକାବେଳେକେ କେତେ ପାହୁଣ୍ଡ ଆଗକୁ ଗୋଡ଼ ପକାଇ ପାରିଥିଲା ପରି ଅନୁଭବ କରିଥାନ୍ତେ । ବିଧାତା ବି କେଡ଼େ ଖୁସୀ ହୋଇଥାଆନ୍ତେ । ଏହି ସନ୍ଦର୍ଭରେ ମୁଁ ଅନେକ ସମୟରେ ଇଟାଲୀର ଜଣେ ଉପନ୍ୟାସକାର ଜିଓଭାନି ଗୁଆରେଶିଙ୍କର ଡ଼ନ୍ କାମିଲୋ (Don Camillo) ନାମକ ଧାରାବାହିକ ଉପନ୍ୟାସ ଗୁଡ଼ିକର କଥା କେତେଥର ଭାବୁଥିଲି । Guareschଙ୍କର ଏହି ଛଅଖଣ୍ଡିଆ ଉପନ୍ୟାସଟିରେ ଡ଼ନ୍ କାମିଲୋ ହେଉଛନ୍ତି ଗୋଟିଏ ଛୋଟ ସହରର ପାଦ୍ରୀ । ପାଦ୍ରୀଙ୍କର ବହୁତ ଜମି, ବହୁତ ସମ୍ପତ୍ତି ଓ ତାଙ୍କ ଗୁହାଳରେ ବହୁତ ଗାଈ । ସମ୍ଭବତଃ କ୍ଷୀରରୁ ମଧ୍ୟ ବେଶ୍ ଆୟ ହେଉଥିଲା । ସହରରେ ଇଟାଲୀୟ କମ୍ୟୁନିଷ୍ଟ ପାର୍ଟିର ମଧ୍ୟ ଶାଖାଟିଏ ଥାଏ । ଶାଖାର ନେତା ପେପୋନେ । ପାଦ୍ରୀ ଆଉ ପେପୋନେଙ୍କର ମୋଟେ ପଡ଼େନାହିଁ । ଜଣେ ଜଣକୁ ନାସ୍ତିକ ବୋଲି କହେ ଓ ସିଏ ୟାଙ୍କୁ ଧର୍ମ ନାମରେ ସରଳ ମଣିଷମାନଙ୍କୁ ଶୋଷଣ କରୁଥିବା ଚଣ୍ଡାଳଟାଏ କହି ଗାଳିଦିଏ । ଶତ୍ରୁତା ଲାଗି ରହିଥାଏ । ଥରେ ସେହି ସହରରେ ନିର୍ବାଚନରେ ଜିତି ପେପୋନେ ସହରର ମେୟର ବା ପୌରପାଳ ହେଲେ । ତାଙ୍କର କ୍ଷମତା ବଢ଼ିଲା । ନିଜର ଦଳୀୟ କର୍ମୀବଳଙ୍କୁ ନେଇ ସିଏ ପାଦ୍ରୀଙ୍କ ପିଛା ଲାଗି ପଡ଼ିଲେ । ପାଦ୍ରୀଙ୍କ କ୍ଷେତରେ ଏବଂ ଗୋଶାଳରେ କେହି କାମ କରିବାକୁ ଯିବେ ନାହିଁ ବୋଲି ଘୋଷଣା କରାଯାଇ ଧର୍ମଘଟ ଆରମ୍ଭ ହେଲା । ଏଇଥର ସଇତାନ ପାଦ୍ରୀ ଭଲ ଶିକ୍ଷାଟିଏ ପାଇବ ବୋଲି ପୌରପାଳ ଶ୍ରୀମାନ୍ ପେପୋନେ ଭାରି ଖୁସି ହୋଇ ଯାଉଥାଆନ୍ତି । ନିଜ ଜୀବନର ବଡ଼ ବିଜୟଟା ହାସଲ କରି ପାରିଛନ୍ତି ବୋଲି ଭାବୁଥାନ୍ତି । ଧର୍ମଘଟ ଦୁଇଦିନ ଯାଇ ତୃତୀୟ ଦିନରେ ପହଞ୍ଚିଲା । ଗାଈମାନେ ଅଦୁହାଁ ରହିଥାନ୍ତି । ରାତିରେ ଶୋଇବାକୁ ଗଲାବେଳେ ପେପୋନେ ହଠାତ୍ ଗାଈମାନଙ୍କୁ ସ୍ମରଣ କରି ପକାଇଲେ । ଗାଈମାନେ ଦୁହାଁ ନହେବା ଫଳରେ କେତେ କଷ୍ଟ ପାଉନଥିବେ ବୋଲି ଭାବିଲେ । ଭାବୁ ଭାବୁ ତାଙ୍କର ଚିତ୍ତ ବିଚଳିତ ହୋଇ ଆସିଲା । ପାଦ୍ରୀସିନା ତାଙ୍କର ଦୁଶ୍ମନ, କିନ୍ତୁ ଗାଈମାନେ କାହିଁକି କଷ୍ଟ ପାଇବେ ?

 

ତେଣୁ ଦୁହାଁ ହେବାର ଯେମିତି ହେଲେ ଗୋଟିଏ ବ୍ୟବସ୍ଥା କରିବାକୁ ହେବ । ପାର୍ଟିର ସାଥୀମାନଙ୍କୁ ସେହି କାର୍ଯ୍ୟଟି ଯାଇ କରିଦିଅ ବୋଲି କହିଲେ ସେମାନେ ତାଙ୍କୁ ଦୁର୍ବଳ ବୋଲି କହିବେ । ହସିବେ । ତେଣୁ ସିଏ ନିଜେ ଯାଇ ଗାଈମାନଙ୍କୁ ଦୁହିଁ ଆସିବେ । ଲୁଚିକରି ଯିବେ । ଯେପରିକି ଖୋଦ୍ ପାଦ୍ରୀ ମଧ୍ୟ କିଛି ଜାଣିପାରିବେ ନାହିଁ । ପେପୋନେ ସଜବାଜ ହୋଇ ବାହାରିଲେ । ଗାଈକୁଳ ଅଦୁହାଁ ପହ୍ନ।ର ଯନ୍ତ୍ରଣାରେ ବିକଳରେ ହମ୍ମାରଡ଼ି ଦେଉଥାନ୍ତି । ରାତ୍ରିର ଅନ୍ଧାରରେ ପେପୋନେ ଗୁହାଳରେ ତାଟି କଣାକରି ଭିତରେ ପଶିଲେ । ଗୋଟି ଗୋଟି କରି ଗାଈମାନଙ୍କୁ ଦୁହିଁ ପକାଉଥାନ୍ତି ଏବଂ ଗୋରସକୁ ନଳାରେ ଢାଳି ଦେଉଥାଆନ୍ତି । ଗାଈମାନେ ଉଶ୍ୱାସ ହେଲେ, ଆଉ ଚିତ୍କାର କଲେନାହିଁ । ପାଦ୍ରୀ ଡ଼ନ୍ କାମିଲୋଙ୍କୁ ସେତେବେଳ ଯାଏ ନିଦ ହୋଇନଥାଏ । ହଠାତ୍ ଗାଈମାନଙ୍କର ବୋବାଳି କ’ଣ ପାଇଁ ବନ୍ଦ ହୋଇଗଲା ବୋଲି ନାନା ସନ୍ଦେହ କରି ଓ ନାନା ପ୍ରମାଦ ଗଣି ହାତରେ ବତୀଟିଏ ଧରି ସିଏ ଗୁହାଳକୁ ଆସିଲେ । ପେପୋନେ ସେତେବେଳକୁ ହୁଏତ ଶେଷ ଗାଈଟିକୁ ଦୁହୁଁଥାନ୍ତି । କ୍ଷୀଣ ଆଲୁଅରେ ପାଦ୍ରୀ ତାଙ୍କର ଡ଼ିମା ଆଖି ଦୁଇଟାକୁ ଦେଖିବ।କୁ ପାଇଲେ । ଦୁହାଁ କାମ ସାରି ପେପୋନେ ଉଠି ଛିଡ଼ା ହେଲେ ଓ ସବୁଦିନର ଆଣ୍ଟ ସହିତ କହିଲେ ଯେ ଏହି ଘଟଣାରୁ ପାଦ୍ରୀ ଯେପରି ତାଙ୍କୁ ଦୁର୍ବଳ ବୋଲି ନଭାବନ୍ତି । ଶତ୍ରୁତା ରହିଛି, ଅଲବତ ରହିବ । କେବଳ ଗାଈମାନଙ୍କର କଥା ଭାବି ସିଏ ଆସିଥିଲେ ଏବଂ ଏହି କାର୍ଯ୍ୟଟି କରୁଥିଲେ । ଏହି ଘଟଣାଟିକୁ ପାଦ୍ରୀ ଯେପରି ପ୍ରଘଟ ନକରନ୍ତି ଓ ତାଙ୍କ ଦଳର ସାଥୀମାନେ ଯେପରି କିଛି ନଜାଣିବେ, ସେହି ବିଷୟରେ ସେ ପାଦ୍ରୀଙ୍କୁ ଖବରଦାର ବୋଲି କହିଗଲେ ଏବଂ ବୀର ପରି ସେଠାରୁ ବାହାରିଗଲେ । ଅସଲ ରାଜନୀତି ତା’ର ସୀମାକୁ ଜାଣେ । ରାଜନୀତି, ସଚେତନ ରାଜନୀତି ନିଜର ଗାରଟି କୋଉଠି ସରିଛି, ସେକଥା ଭଲକରି ଜାଣିଥାଏ । ତେଣୁ ଜୀବନ ସହିତ ସହଯୋଗ କରେ, ମଣିଷ ସହିତ ସାମିଲ ହେବା ପାଇଁ ବେଳ ଜାଣି ଗାରଗୁଡ଼ିକୁ ଡ଼େଇଁଯାଏ । ଜଗତର, ଦେଶର ଅସଲ ପରିଚର୍ଯ୍ୟା ସେହି ରାଜନୀତି ଦ୍ୱାରା ହୁଏ । ଏଥିରେ ଡ଼ନ୍ କାମିଲୋ ଓ ପେପୋନେ କେହି ହାରନ୍ତି ନାହିଁ । ଅଥଚ ପରସ୍ପର ସହିତ ଗଅଁଠା ହୋଇ ରହିଥାନ୍ତି ।

Image

 

ପ୍ରଗତିବାଦୀର ମାଳିକା

 

ବହୁତ ମଣିଷ ଏହି ସଂସାରରେ ଅଛନ୍ତି, ଯେଉଁମାନେ କି ବିପଦରେ ପଡ଼ିଲେ ଇଷ୍ଟଦେବଙ୍କୁ ସ୍ମରଣ କରନ୍ତି । ଜଣେ ଆଉଜଣକୁ ହତ୍ୟା କରିବାକୁ ଯିବା ପୂର୍ବରୁ ଆଗ ସିଏ ତା’ର ଇଷ୍ଟଦେବଙ୍କୁ ସ୍ମରଣ କରୁ ବୋଲି ପରାମର୍ଶ ଯେ ଦିଏ, କବି ବୈଷ୍ଣବ ପାଣିଙ୍କର ଏକାଧିକ ନାଟକରେ ଆମକୁ ତାହାର ଉଦାହରଣ ଦେଖିବାକୁ ମିଳିଥାଏ । ବର୍ତ୍ତମାନଟାକୁ ବଳ ନପାଇଲେ ବହୁତ ମଣିଷ ଭବିଷ୍ୟତରେ କ’ଣ ସବୁ ଘଟିବ ବୋଲି କେଜାଣି କାହିଁକି ଆଗତୁରା ଯାହାସବୁ ଘଟିବ ବୋଲି ଯେଉଁଥିରେ ଲେଖା ହୋଇ ରହିଥାଏ, ତାହାକୁ ମାଳିକା ବୋଲି କୁହାଯାଇଛି । ଆମ ସାହିତ୍ୟଚର୍ଚ୍ଚାରେ ଏବେ ମାଳିକାର ମଧ୍ୟ ଖୁବ୍ ଚର୍ଚ୍ଚା ହେଲାଣି । ବିଧାତା ଏହି ସଂସାରରେ ମଣିଷମାନଙ୍କ ବିଷୟରେ ଏତେ ଟିକିନିଖି ନିପୁଣତାର ସହିତ ଚିନ୍ତା କରନ୍ତି ଯେ, ଏତେ ବର୍ଷ କିମ୍ବା ଏତେ କଳ୍ପ ପରେ ପୃଥିବୀରେ କ’ଣ ସବୁ ଘଟିବ, ସେହି କଥାଗୁଡ଼ିକୁ ସିଏ ହିସାବ କରି ନିର୍ଦ୍ଧାରଣ କରି ଦେଇଥାନ୍ତି ଏବଂ ଯଥାର୍ଥ ଆଖି ରହିଥିବା ମହାପୁରୁଷମାନେ ବିଧାତାଙ୍କର ସେହି ହିସାବଖାତାକୁ ପାଠ କରିପାରୁଥିବା ହେତୁ ଆମକୁ ମାଳିକା ଆକାରରେ ଆମ ଭବିଷ୍ୟତ ବାବନିଗୁଡ଼ିକୁ ଆଣି କହିଦିଅନ୍ତି । ବର୍ତ୍ତମାନଟାକୁ ବଳ ନପାଉଥିବା ମନୁଷ୍ୟମାନଙ୍କୁ ଭବିଷ୍ୟତର ମୂଷଳଗୁଡ଼ାକୁ ଆଣି ଦେଖାଇଦେବା ଦ୍ୱାରା ମାଳିକାକାର ମାନଙ୍କର ଅଲୌକିକ ସାମର୍ଥ୍ୟଗୁଡ଼ିକର ପରିଚୟ ମିଳିଯାଏ ସତ, ମାତ୍ର ବିଚରା ମଣିଷମାନଙ୍କର କି ଲାଭ ହୁଏ କେଜାଣି ? ବର୍ତ୍ତମାନର ସାମ୍ନା କରିପାରିବାକୁ ନିଜକୁ ଅସମର୍ଥ ବୋଲି ମଣୁଥିବା ମଣିଷମାନଙ୍କୁ ଭବିଷ୍ୟତର ଭୟକଥାମାନ ବଖାଣି ଆହୁରି ଅଧିକ ଆତଙ୍କିତ କରି ପକାଇବାର ଏହି ରୀତିଟା ବିଧାତାକୁ କଦାପି ସୁଖ ଲାଗୁନଥିବ ।

 

ଏବର ଏହି ବାତ୍ୟାବିପର୍ଯ୍ୟୟ ପରେ ମାଳିକାର ପୋଥିଟା ଫିଟା ହୋଇ ଖବରକାଗଜ ଯାଏ ଯେ ଚାଲିଆସିଲା, ସେଥିରେ ଆଶ୍ଚର୍ଯ୍ୟ ହେବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ । ମାଳିକା କହିବା ଏବଂ ଶୁଣିବା ଲୋକମାନେ ବାତ୍ୟା ପୂର୍ବରୁ ମଧ୍ୟ ରହିଥିଲେ ଏବଂ ତାହାକୁ ସତେଅବା ଏକ ଆଧ୍ୟାତ୍ମିକ ପରମ ସମ୍ପଦ ପରି ମଣି ତାହାର କାରବାର କରୁଥିଲେ । ମାତ୍ର ତାହା ଖବରକାଗଜ ଯାଏ ଆସିବା ପାଇଁ ଅନୁକୂଳ ପରିସ୍ଥିତିଟିଏ ସମ୍ଭବତଃ ସୃଷ୍ଟି ହୋଇନଥିଲା । ମହାବାତ୍ୟା ହିଁ ସେହି ପରିସ୍ଥିତିଟି ଆଣି ଉପସ୍ଥିତ ହେବା ପାଇଁ ନିମିତ୍ତ ଭଳି କାମ କଲା । ଯାହା ହେଲା, ହୁଏତ ଭଲ ବି ହେଲା । ଆମ ଭବିଷ୍ୟତ ବିଷୟରେ ଆମେ କେତେ କେତେ କଥା ଜାଣିବାକୁ ପାଇଲୁ । ଏହିସବୁକୁ ଜାଣି ଧର୍ମପରାୟଣମାନେ ଚିରାଚରିତ ଭାବରେ ବିହିତ ପ୍ରତିକାରମାନ କରିବାରେ ବି ଲାଗିଯିବେଣି । ମଣିଷ କୋପକଲେ ତାହାର କୋପଶାନ୍ତି ପାଇଁ ଯେପରି ଉପଚାରମାନ କରାଯାଇ ପାରୁଛି, ତେବେ ବିଧାତା ମଧ୍ୟ କୋପକଲେ ସେହି କୋପରେ ଶାନ୍ତି ନିମନ୍ତେ ଅନୁରୂପ ଉପଚାରବିଧାନ ଅବଶ୍ୟ କରାଯାଇପାରିବ । ଯଜ୍ଞ ହେବ, ଅର୍ଥାତ୍ ଘିଅ ପୋଡ଼ା ହେବ, ଅମୁକ ଘାଟରୁ ସହସ୍ର ଘଟରେ ପାଣି ଆସି କୋଉ ଠାକୁରଙ୍କ ମୁଣ୍ଡରେ ଢଳାଯିବ, ତେବେ ଯାଇ ମାଳିକାରେ ଲେଖା ହୋଇ ରହିଥିବା ସତ୍ୟଗୁଡ଼ାକୁ ରୋକାଯାଇପାରିବ । ବେଳେ ବେଳେ ମନେହୁଏ, ମାଳିକା ଯେ ଏକଦା କେବେ ଏକାବେଳେକେ ଲେଖା ହୋଇଥିଲା, ସେକଥା ଆଦୌ ନୁହେଁ । ମାଳିକା ଲେଖା ହେବାରେ ଲାଗିଛି ଏବଂ ତାହାକୁ ପଢ଼ି ହଜମ କରିବାର ସଦ୍ୟ ମନୁଷ୍ୟମାନେ ମଧ୍ୟ ବାହାରୁଛନ୍ତି । ମାଳିକାର ମାଧ୍ୟମରେ ସେମାନେ ବିଧାତାଙ୍କର ଲୀଳାକୁ ପ୍ରଚାର କରୁଛନ୍ତି । ପୂରା ବିଶ୍ୱାସ ହୋଇଗଲା ପରି ପ୍ରଚାର କରି ପାରୁଛନ୍ତି । ବିଧାତାଙ୍କୁ ଅଶେଷ ଧନ୍ୟବାଦ ଯେ ଏହି ଅନାଗତ ପ୍ରସଙ୍ଗଗୁଡ଼ିକୁ ପୂରା ବିଶ୍ୱାସରେ ଗ୍ରହଣ କରି ଅଧିକ ଆତଙ୍କିତ ହେବାରୁ ଆନନ୍ଦ ଲାଭ କରୁଥିବାର ମଣିଷସମୂହଟିଏ ମଧ୍ୟ ଆମର ଏହି ଭୂଇଁରେ ସଦାଗ୍ରହଣଶୀଳ ହୋଇ ରହିଛି । ମାଳିକାରୁ ମୁଖସ୍ଥ କରିଥିବା ବିବିଧ ପଂକ୍ତି ଉଦ୍ଧାର କରି ସେଦିନ ଜଣେ ପ୍ରାଜ୍ଞ ପୁରୁଷ କହୁଥିଲେ ଯେ, ଯେହେତୁ କଳିଯୁଗ ଶେଷ ହେବାକୁ ଯାଉଛି, ତେଣୁ ତା’ର ପରବର୍ତ୍ତୀ କାଳରେ ପୃଥିବୀଟାକୁ ସମ୍ଭାଳିବା ସକାଶେ ଭଗବାନ ଜନ୍ମଗ୍ରହଣ କରିସାରିଲେଣି । ବେଶୀ ଦୂରରେ ନୁହେଁ, ଆମରି ଏହି ଅବିଭକ୍ତ ଜିଲ୍ଲାରେ । ସିଏ କୋଉ ନଦୀ କୂଳରେ, କୋଉ ଗାଆଁରେ କେଉଁ ନାମ ଧାରଣ କରି ଜନ୍ମଗ୍ରହଣ କରିବେ, ସେହି ସବୁକଥା ଅର୍ଥ କରି ପାରୁଥିବା ଉତ୍ତମମାନଙ୍କୁ ଦିଶିଯିବା ଭଳି ଭାଷାରେ ମାଲିକାରେ ଲେଖା ହୋଇ ରହିଛି । ଅନୁସନ୍ଧାନକାରୀ ଭକ୍ତବୃନ୍ଦ ତାଙ୍କୁ ଠିକଣା ଠାବରେ ଆବିଷ୍କାର ବି କରି ସାରିଲେଣି । ମୁଁ ଶୁଣୁଥାଏ ଏବଂ ଭାବୁଥାଏ, ଭଗବାନ କୋଉଦିନ ପ୍ରକୃତରେ ମରିଥଲେ ଯେ ପୃଥିବୀରେ ପୁନର୍ବାର ଆବିର୍ଭୂତ ହେଲେ । ଭଗବାନ ଗୋଟାଏ ଖାସ୍ ବେଳ ପଡ଼ିବାରୁ ପୃଥିବୀ ତ୍ୟାଗ କରିବାକୁ ବାଧ୍ୟ ହେଉଥିଲେ ସିନା ତାଙ୍କର ଏହି ପୃଥିବୀରେ ଜନ୍ମଗ୍ରହଣ କରିବାଟା ବି ଆବଶ୍ୟକ ହେଉଥାନ୍ତା ।

 

ବାତ୍ୟା ବିପଦର ପରବର୍ତ୍ତୀ କାଳରେ ଆମ ଖବରକାଗଜ ମାନଙ୍କରେ ମାଳିକା ସାହିତ୍ୟର ଯେତେ ଯାହା ଚର୍ଚ୍ଚା ହେଲା, ସେଗୁଡ଼ିକ ଓଡ଼ିଆ ଭାଷାରେ ଓଡ଼ିଶାରେ ହିଁ ରଚିତ ହୋଇଥିଲା ବା ହୋଇଛି । ପ୍ରଳୟ ଯଦି ହେବ, ତେବେ ତାହା ଖାଲି ଓଡ଼ିଶାରେ ହେବନାହିଁ । ସମଗ୍ର ପୃଥିବୀରେ ହେବ । ଅନ୍ତରୀକ୍ଷରେ କ’ଣ ଗୋଟାଏ ଘଟଣା ଘଟି ପୃଥିବୀ ନାମକ ଆମର ଏହି ଗ୍ରହଟି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବ ବୋଲି ବୈଜ୍ଞାନିକଗଣ ଯାହା କହୁଛନ୍ତି, ତାହା ସେମାନେ କେବଳ ଆମେରିକା ବା କେବଳ ଇଂଲଣ୍ଡ ଲାଗି କହୁନାହାନ୍ତି । ସେମାନେ ସମଗ୍ର ପୃଥିବୀ ନିମନ୍ତେ କହୁଛନ୍ତି । ଇଚ୍ଛା ହେଉନଥିଲେ ସେହିପରି ବ୍ୟାପାରଟିଏ ହୋଇଥିବ । ଆମର ଆଖିଥବା କବିମାନେ ଆମକୁ କେତେମନ୍ତେ ଚେତାଇ ଦେଇଥିଲେ ମଧ୍ୟ ଆମେ ଆମ ଦୁର୍ବୁଦ୍ଧି ଅନୁସାରେ ହିଁ ଜଗତର ନାଥଙ୍କୁ ଖାସ୍ ଆମ ଓଡ଼ିଶାର ବୋଲି କହି ହୁଙ୍କାର ଦେଉଛୁ । ପ୍ରାୟ ଶହେ ବର୍ଷ ତଳର ସମସାମୟିକ ଦୁଇଜଣ ସ୍ତ୍ରୋତ୍ରକାର - ମଧୁସୂଦନ ରାଓ ଏବଂ ଭୀମ ଭୋଇ, - ତାଙ୍କୁ ଯଥାକ୍ରମେ କୋଟିଭୁବନପାଳକ ଏବଂ ତିନି ଭୁବନକରତା ବୋଲି କହିଥିଲେ ମଧ୍ୟ ଆମେ ତାଙ୍କୁ ଆମ ସାହିତ୍ୟଘରେ କିଳି ରଖିଛୁ ପଛକେ, ମାତ୍ର ତେଣିକି ଯିବା ଲାଗି କୌଣସି ଆଗ୍ରହ ଦେଖାଇନାହୁଁ । ସାହିତ୍ୟକୁ ମାଳିକା କରି ରଖିବାରେ ଅର୍ଥାତ୍ ମାଳିକାକୁ ସାହିତ୍ୟ ବୋଲି କହିବାରେ ଉତ୍ସାହ ଦେଖାଇବାରେ ଲାଗିଛୁ ।

 

ଆମ ମାଳିକାମାନଙ୍କରେ ପ୍ରଳୟର କଥାଗୁଡ଼ାକୁ ଏତେ ଗଚ୍ଛାଇ କରି କୁହାଯାଇଛି, ଅଥଚ ମନୁଷ୍ୟମାନଙ୍କର ଉଦୟର କାହାଣୀଗୁଡ଼ାକୁ ପ୍ରାୟ ଇଚ୍ଛାମୂଳକ ଭାବରେ ଏଡ଼ି ଦିଆଯାଇଛି କ’ଣ ପାଇଁ କେଜାଣି ? ହେତୁର ଚକ୍ଷୁଗୁଡ଼ାକ ପ୍ରଲମ୍ବିତ ହୋଇ ଏକ ଅସାମାନ୍ୟ ସାମର୍ଥ୍ୟସ୍ତରକୁ ଯଦି ଯାଇପାରନ୍ତି, ତେବେ ସେମାନେ କାହିଁକି କେବଳ ପ୍ରଳୟ ଏବଂ ବିନାଶର କଥାଗୁଡ଼ାକ କହିବାରେ ଏତେ ସୋଚ୍ଚାର ହୋଇପଡ଼ନ୍ତି ? ସତ୍ୟକୁ ଦେଖୁଥବା କୌଣସି ଚକ୍ଷୁ ଏକପାଖିଆ ଭାବରେ କଦାପି ଖାଲି ଅନ୍ଧାରଟାକୁ ଦେଖୁନଥାନ୍ତା, କଦାପି ଖାଲି ଭୟସଂଚାର କରିବା ଭଳି କଥାଗୁଡ଼ିକୁ କହୁନଥାନ୍ତା । ଗତ ପ୍ରାୟ ପାଂଚଶହ ବର୍ଷ ମଧ୍ୟରେ ପୃଥିବୀରେ ମନୁଷ୍ୟର ଚେତନାବୁଦ୍ଧି ଆଗରୁ ଅସାଧ୍ୟ ହୋଇ ରହିଥିବା କେତେ କେତେ କଥାକୁ ସାଧ୍ୟ କରିଛି; ସମୁଦ୍ର ଲଂଘିଛି, ଅନ୍ତରୀକ୍ଷରେ ଉଡ଼ିଛି, ଗ୍ରହାନ୍ତରର ବାରତା ଆଣିଛି ଏବଂ ଦୂରମାନଙ୍କୁ ଆମର ଏହି ଚର୍ମେନ୍ଦ୍ରିୟମାନଙ୍କର ପହୁଞ୍ଚ ଭିତରକୁ ମଧ୍ୟ ନେଇ ଆସି ପାରିଛି । ଏବଂ, ଆମ ମାଳିକାମାନେ ସେ ବିଷୟରେ ଆଦୌ କିଛି ହେଲେ କହିନାହାନ୍ତି । ଓଡ଼ିଶାରେ ଉପକୂଳକୁ ଲୁଣା ମାଡ଼ିଆସିବ ବୋଲି କହିଥିବା ମାଳିକା ବନ୍ୟା ଓ ବାତ୍ୟାରେ ବିପର୍ଯ୍ୟସ୍ତ ଏହି ଜନବସତିଟିର ସହାୟତା କରିବା ପାଇଁ ସମଗ୍ର ପୃଥିବୀ ଅଭୂତପୂର୍ବ ଭାବରେ ସହାନୁଭୂତିଶୀଳ ହୋଇଉଠିବ ଏବଂ ଦୁର୍ଗତମାନଙ୍କ ପାଇଁ ପ୍ରାଣ ସାମଗ୍ରୀ ଆଣି ଜମା କରିଦେବ, ମାଳିକାର ରଚୟିତାମାନେ ସେ ବିଷୟରେ ଆଦୌ କିଛି କହିନାହାନ୍ତି । ମାଳିକା ନାମକ ମାଦଳା ପାଞ୍ଜିରେ ସେକଥାର ଏତେ ଟିକିଏ ଗନ୍ଧ ବି ମିଳୁନାହିଁ । ବିଧାତା କଦାପି ଏପରି ଏକଆଖିଆ ହୋଇ ଏକପାଖିଆ ଭାବରେ ମନୁଷ୍ୟମାନଙ୍କୁ ଦେଖିବାକୁ ପସନ୍ଦ କରିବେ ନାହିଁ । ଏବଂ, ଯେଉଁ ବିଶେଷ ମନୁଷ୍ୟମାନେ ଘରେ ସଂକଟ ଆସି ପଡ଼ିଲେ ବିଧାତାଙ୍କୁ ସାକ୍ଷୀ କରି ଧରିଆଣନ୍ତି ଏବଂ, ଯାହା ଆଗରୁ ଲେଖା ହୋଇଥିଲା, ତାହା ହିଁ ସତ ହେଲା ବୋଲି ସତେ ଅବା ଭାରି ପ୍ରବୀଣ ପରି କହିବାକୁ ବାହାରି ଆସନ୍ତି, ସେମାନଙ୍କୁ ସମ୍ଭବତଃ ଆଉ କୌଣସି ଅପବିଧାତା ଅଲଗା ଧାତୁରେ ଗଢ଼ି ଏହି ପୃଥିବୀକୁ ପଠାଇଥାଏ କି ?

 

ଏଥର ଆମେ ବିଷୟଟିର ଅସଲ ସନ୍ଦର୍ଭଟିକୁ ଆସିବା । ଆମ ଓଡ଼ିଶାର ଚଳନ୍ତି ଦାଣ୍ଡରେ ମାଳିକା ବୋଲି ଯାହାସବୁର ଚର୍ଚ୍ଚା କରାଯାଏ, ତାହା ସହିତ ଷୋଡ଼ଶ ଶତାବ୍ଦୀର ପଞ୍ଚସଖା ଏବଂ ଊନବିଂଶ ଶତାବ୍ଦୀର କବି ଭୀମଭୋଇଙ୍କର ନାମ ହିଁ ଯୋଡ଼ା ହୋଇ ରହିଥାଏ । ପଞ୍ଚସଖାଙ୍କ ଭିତରୁ ଏହି କ୍ଷେତ୍ରରେ ସାଧାରଣତଃ ଅଚ୍ୟୁତାନନ୍ଦ ଓ ଯଶୋବନ୍ତଙ୍କ ନାମକୁ ଉଲ୍ଲେଖ କରାଯାଏ । ଅଚ୍ୟୁତାନନ୍ଦ ଶୂନ୍ୟ ସଂହିତା ଲେଖିଛନ୍ତି, ସିଏ ଅଣାକାର ସଂହିତା ଓ ବ୍ରହ୍ମଣାଙ୍କୁଳି ଲେଖିଛନ୍ତି । ହଜାର ସଂଖ୍ୟାରେ ଗ୍ରନ୍ଥ ଲେଖିଛନ୍ତି ବୋଲି ସ୍ୱୟଂ ଉଲ୍ଲେଖ କରିଛନ୍ତି । ସେହିପରି ଭୀମଭୋଇ ସ୍ତୁତି ଚିନ୍ତାମଣି ଲେଖିଛନ୍ତି, ଅସୁମାରି ଭଜନ ଏବଂ ଚଉତିଶା ଲେଖିଛନ୍ତି । ସାହିତ୍ୟର ଇତିହାସରେ, ଅଧ୍ୟାତ୍ମର ଇତିହାସରେ ସବାଆଗ ଏହିସବୁ ଗ୍ରନ୍ଥର ଦର୍ପଣ ଉପରେ ହିଁ ସେମାନଙ୍କର ବିଚାର କରାଯାଏ । ଅଚ୍ୟୁତାନନ୍ଦ, ଯଶୋବନ୍ତ ଏବଂ ଭୀମଭୋଇ ଯଦି ମାଳିକା ବ୍ୟତୀତ ଆଉ କିଛି ହେଲେ ଲେଖିନଥାନ୍ତେ, ତେବେ ସେମାନଙ୍କର ନାମ ଓଡ଼ିଆ ସନ୍ଥସାହିତ୍ୟରେ ହୁଏତ ଆଦୌ ସ୍ଥାନ ପାଇ ନଥାନ୍ତା । ଏବଂ ଯେଉଁମାନେ ମଉକାଟିଏ ପାଇଲେ ସେମାନଙ୍କର ନାମରେ ପ୍ରଚଳିତ ମାଳିକାଗୁଡାକୁ ହିଁ ଆମ ସପକ୍ଷରେ ଆଣି ଥୋଇ ଦିଅନ୍ତି ଓ ସେମାନଙ୍କର ଆମ ଲାଗି ଆଉ ଅନ୍ୟ କିଛି ଅବଦାନ ରହିଛି ବୋଲି କହିବା ସକାଶେ ପାସୋରି ଯାଆନ୍ତି, ସେମାନେ ସନ୍ଥମାନଙ୍କୁ ପ୍ରକୃତରେ କେତେ ଅଣାରେ ବୁଝିଥାନ୍ତି କେଜାଣି ? ସନ୍ଥମାନଙ୍କ ନାମରେ ମାଳିକାମାନେ ଯେତେ ପରିମାଣରେ ଗଡ଼ି ଆସିଛନ୍ତି, ଯଦି ତାହାକୁ ସେମାନେ ଆମ ନିମନ୍ତେ ଉତ୍ତରାଧିକାର ରୂପେ ରଖି ଯାଇଥିବା ଅବଶିଷ୍ଟ ରଚନାଗୁଡ଼ିକର ପରିମାଣଗୁଡ଼ିକ ସହିତ ତୁଳନା କରି ଦେଖାଯାଏ, ତେବେ ଏଗୁଡ଼ିକୁ ଦଶପଣ ବୋଲି କୁହାଗଲେ ମାଳିକାର ସମଗ୍ର ଭାଗଟିକୁ ହୁଏତ ପଣେ ବୋଲି ବି କୁହାଯିବ ନାହିଁ । ଭୀମଭୋଇଙ୍କ ପର୍ଯ୍ୟନ୍ତ ସାହିତ୍ୟ ତାଳପତ୍ରରେ ଲେଖା ହେଉଥିଲା । ଜଣେ ପ୍ରକୃତ ରଚୟିତା ହୁଏତ ଯାହା ଲେଖୁଥଲେ, ତାହାକୁ ସିଏ ସ୍ୱୟଂ ଆଉ ଗୋଟିଏ ପୋଥି ରୂପେ କ୍ଵଚିତ୍ ଉତାରି ପାରୁଥିଲେ । ସେହି କାର୍ଯ୍ୟଟି ଶିଷ୍ୟମାନେ କରୁଥିଲେ । ଭକ୍ତମାନେ କରୁଥିଲେ । ଦୁର୍ଯୋଗକୁ ଜଣେ ଭକ୍ତ ଯଦି ନିଜେ କବିପଣ କରୁଥବେ, ତେବେ ଗୁରୁଙ୍କର କୌଣସି ପୋଥିକୁ ଉତାରୁଥିବା ସମୟରେ ସିଏ ଭାବପ୍ରବଣ ହୋଇ ହୁଏତ ସେଥିରେ ନିଜର କେତେ କ’ଣ ମଧ୍ୟ ଯୋଡ଼ି ଦେଉଥିବେ ।

 

ତେବେ ଏପରି କାହିଁକି ଅନୁମାନ କରାଯାଇ ନପାରିବ ଯେ, ପଞ୍ଚସଖା ତଥା ଭୀମଭୋଇଙ୍କର ମୂଳ ପ୍ରକୃତ ରଚନାରେ ମାଳିକା ଭଳି ବିଶେଷ କିଛି ନଥିଲା । ସେଗୁଡ଼ିକ ପରେ ଭାବବିହ୍ଵଳ ଶିଷ୍ୟମାନଙ୍କ ଦ୍ୱାରା ପୋଥି ଭିତରକୁ ଆସିଲା ଏବଂ ଗୁରୁଙ୍କ ନାମରେ ଚଳିବାକୁ ଆରମ୍ଭ କରିଥିଲା । ହୁଏତ କାଳକ୍ରମେ ଗୁରୁଙ୍କ ନାମରେ ଚଳି ଆସୁଥିବା ଗୋଷ୍ଠୀ ବା ସମ୍ପ୍ରଦାୟଟିରେ ତତ୍ତ୍ୱଭାଗ, ସାଧନାଭାଗ ଓ ଅନୁଭୂତିର ଭାଗଟି ଊଣା ହୋଇଆସିଲା । କମ୍ ଆକର୍ଷଣ କଲା ଏବଂ ସଂପ୍ରଦାୟଟିକୁ ଅଧିକ ସହଜରେ ଲୋକପ୍ରିୟ କରିବାର ପ୍ରକ୍ରିୟାରେ ମାଳିକାଟା ହିଁ ଅଧିକ ଆବଶ୍ୟକ ବୋଲି ଅନୁଭୂତ ତଥାପି ବିଶ୍ୱାସ କରିହେଉଛି । ସେହି ମାଳିକାଗୁଡ଼ାକ କିନ୍ତୁ ଖାଲି ଆମ ଓଡ଼ିଶା ପାଇଁ ଲାଗୁ ହେବା ଭଳି କାହିଁକି ଲେଖାହୋଇଛି କେଜାଣି ? ଏଇଠି ସମୁଦ୍ର ମାଡ଼ି ଆସିବ, ବାଇଶିଟାଯାକ ପାହଚ ବୁଡ଼ିଯିବ, କେବଳ ଏଇଠି ମନ୍ଦିରରୁ ପଥର ଖସିବ ବା ମନ୍ଦିରଶିଖରେ ମାଟିଆଚିଲ ବସିବ, ଏସବୁ କଥା କେବଳ ଓଡ଼ିଶାକୁ ନିଠ କରି ବିଧାତା କାହିଁକି ସ୍ଥିର ଯେ କରିଛନ୍ତି, ସେକଥା ମୋଟେ ବୁଝିହୁଏ ନାହିଁ । ସ୍ୱୟଂ ଭଗବାନଙ୍କୁ ବୁଝିହୁଏ, ତାଙ୍କର ଏହି ଭବଲୀଳାକୁ କିଛି କିଛି ବୁଝି ହୁଏ ପଛକେ, ତାଙ୍କରି ତୁଣ୍ଡରୁ ବାହାର କରାଯାଇଥିବା ମାଳିକାର ବାଣୀଗୁଡ଼ାକୁ ତଥାପି ଠାଣ କରି ହୁଏନାହିଁ । ତଥାପି ବିଶ୍ୱାସ ମଙ୍ଗେ ନାହିଁ । ତୁମେ ଭଗବାନଙ୍କୁ ବିଶ୍ୱାସ କରିବ ଏବଂ ଏକାବେଳେକେ ମାଳିକା କଥାକୁ ମଧ୍ୟ ବିଶ୍ଵାସ କରିବ, ଏକଥାଟା ମୋଟେ ସମ୍ଭବ ହୋଇପାରେ ନାହିଁ । ଯେଉଁମାନେ ଯଥାର୍ଥ ଭାବରେ ଭଗବାନଙ୍କ ଉପରେ ବିଶ୍ୱାସ ସ୍ଥାପନ କରିପାରିବେ ନାହିଁ, ସେହି ଖାସ୍‌ ମାନଙ୍କ ସକାଶେ କେଉଁ ଖାସ୍‌ ହିତୈଷୀମାନେ ଭାବିଚିନ୍ତି ମାଳିକାମାନଙ୍କୁ ଲେଖିବାକୁ ମନ କରିଛନ୍ତି କି ?, ଏପରି ବି ପ୍ରଶ୍ନଟିଏ କରିବାକୁ ଭାରି ମନେ ହୁଏ । ଭଗବାନଙ୍କୁ ନିଜର ପ୍ରୀତିବିଧାନ ନିମନ୍ତେ ପୃଥିବୀରୁ ଦୁହିଁ ଆଣି ନିଜ ଅଣ୍ଟି ଭିତରେ ଏକାନ୍ତ ସ୍ଥାନୀୟ ଆଉ କ’ଣଟିଏ କରିବାକୁ ଯେଉଁମାନେ ଆଗ୍ରହ ପ୍ରକାଶ କରନ୍ତି, ଅବଶ୍ୟ ସେହି କାଟର ମନୁଷ୍ୟମାନେ ମୋଟେ ଏଭଳି କୌଣସି ପ୍ରଶ୍ନର ଅଡୁଆ ଭିତରେ ପଶିବାକୁ ଯିବେ ନାହିଁ ।

 

ପୁଣି ପଚାରିବାକୁ ମନ ହୁଏ, କେବଳ କୌଣସି ଅଚାନକ ଦୁର୍ବିପାକ ଆସି ପଡ଼ିବା ସମୟରେ ଥୋକେ ମଣିଷ ଏହି ମାଳିକାଗୁଡାକୁ କାହିଁକି ବଖାଣିବାକୁ ଆରମ୍ଭ କରିଦିଅନ୍ତି ? ଯେଉଁ ଭଗବାନ ମଣିଷମାନଙ୍କୁ ବୁଦ୍ଧି ଦେଇଛନ୍ତି, ହୃଦୟଟିଏ ଦେଇଛନ୍ତି, ହାତଗୋଡ଼ ସହିତ ବାଟଟିଏ ଚାଲିବାର ଅକଲଟିଏ ମଧ୍ୟ ଦେଇଛନ୍ତି, ସିଏ ମଣିଷ ଏବଂ ତା’ର ପୃଥିବୀ ଉପରକୁ ବାତ୍ୟା, ବନ୍ୟା ବା ମହାମାରୀର ଢେଲାମାନ ପକାଇବାରେ କଦାପି ଆନନ୍ଦ ଅନୁଭବ କରୁନଥିବେ । ମଣିଷ ଦୁଃଖରେ ପଡ଼ିଲେ ସିଏ ବି ଦୁଃଖ ଅନୁଭବ କରୁଥିବେ । ମଣିଷ ଝୁଣ୍ଟି ପଡ଼ିଲେ ମାଆଟିଏ ହୋଇ ଉଠାଇ ଝାଡ଼ିଝୁଡ଼ି ଦେବା ପାଇଁ ନିଶ୍ଚୟ ଦଉଡ଼ି ଆସିବାକୁ ଇଚ୍ଛା କରୁଥିବେ । ସମ୍ଭବତଃ ଆମ ଭିତରେ ରହିଥିବା ହିଂସ୍ର ବିଶେଷ ମଣିଷମାନେ ହିଁ କାଳେ କାଳେ ଏକ ପ୍ରତିଶୋଧପରାୟଣ : ହିଂସ୍ର ଭଗବାନଙ୍କର କଳ୍ପନା କରିପାରିବେ । ଏତେବଡ଼ ପୃଥିବୀରେ ଯେଉଁମାନେ କେବଳ ନିଜର ସୁଖ, ନିଜର ସୌଭାଗ୍ୟ ଏବଂ ନିଜର ମୋକ୍ଷ କାମନା କରି ବିଶେଷ ଅନୁଗ୍ରହ ପାଇବାର ଆଶାରେ ଭଗବାନଙ୍କୁ ନିଜନିଜର ସାନ ଗାତମାନଙ୍କରେ ଆଣି ପୂରାଇ ଦେଉଥିବେ, ସମ୍ଭବତଃ ସେହିମାନେ ହିଁ ଭଗବାନଙ୍କୁ ପରମଶାସ୍ତିଦାତା ବୋଲି କହି ପାରୁଥିବେ । ଓଡ଼ିଶାରେ ଆମେ ଜଗତର ନାଥଙ୍କୁ ଯେପରି ଖାସ୍ ଆମରି ନିମନ୍ତେ ଆମରି ଦେଉଳରେ ବସିଥିବା ଜଣେ ଗୃହଦେବତାର ସ୍ତରକୁ ଖସାଇ ଆଣିଛୁ, ଏଇଟି ମଧ୍ୟ ହୋଇଥିଲା । ଅସଲ ସତ୍ୟଦର୍ଶନ ପ୍ରଥମେ ଜଣେ କରିଥାନ୍ତି ଏବଂ ସେହି ଜଣଙ୍କୁ ପିଠିରେ ବସାଇ ଯେତେବେଳେ ଶିଷ୍ୟମାନେ ଏକ ମାର୍ଗର ପ୍ରଚାର କରି ବାହାରନ୍ତି ଏବଂ ଏକ ମଠ ପରମ୍ପରା ଆରମ୍ଭ ବି ହୋଇଯାଏ, ସେତେବେଳେ ଏହି ମାଳିକାଗୁଡାକ ହିଁ ପ୍ରଧାନ ବୋଲି ପ୍ରତୀତ ହୁଅନ୍ତି । ଅଚ୍ୟୁତାନନ୍ଦଙ୍କର ଭଣିତା ଦେଇ ତାଙ୍କର ପରବର୍ତ୍ତୀ ଆଉ ଜଣେ ସନ୍ଥ ହାଡ଼ିଦାସ ଯେ ନିଜେ ନିଜର ଏକାଧିକ ଲେଖା ପ୍ରଣୟନ କରିଛନ୍ତି, ଗବେଷଣା ଦ୍ଵାରା ସେ କଥାଟି ପ୍ରତିପାଦିତ ହୋଇଯାଇଛି । ଜଣେ ନିଷ୍ଠାବାନ ଭକ୍ତ ଗୁରୁଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ଅତ୍ୟନ୍ତ ନିର୍ମଳଚିତ ମୁଦ୍ରାରେ ସ୍ୱୟଂ କିଛି ରଚନା କରିଦେଇ ଏହାକୁ ଗୁରୁ ଲେଖିଛନ୍ତି କହି ଆପଣାକୁ ଧନ୍ୟ ମନେ କରିପାରେ, ସେଥିରେ ଆଦୌ କୌଣସି ସନ୍ଦେହର ଅବକାଶ ରହିବା ଅନୁଚିତ । ଏବଂ, ଏହିପରି ଏକ ସର୍ଜନାତ୍ମକ ଅତି-ଶ୍ରଦ୍ଧାରେ ସିଏ ଯେ କେତେବେଳେ ଗୁରୁଙ୍କ ମେଦିନୀ-ଦୃଷ୍ଟିଟି ମଧ୍ୟରେ ନିଜ ଦୃଷ୍ଟିଗୁଡ଼ିକୁ ଆଣି ଭର୍ତ୍ତି କରି ଦେଉଥିବେ, ସିଏ ନିଜେ ମଧ୍ୟ ସେହି କଥାଟିକୁ ଜାଣି ପାରୁନଥିବେ । ଭକ୍ତ ଅନେକ କ୍ଷେତ୍ରରେ ତାହା କରିପାରେ ଓ ସେଥିପାଇଁ ଆପଣାକୁ ଆଦୌ ଅପରାଧୀ ବୋଲି ଭାବିବା ନିମନ୍ତେ ଅବସର ହିଁ ପାଏ ନାହିଁ ।

 

ସନ୍ଥମାନଙ୍କର ଆବେଦନ ସର୍ବତ୍ର ସକାରାତ୍ମକ । ସେମାନେ ସର୍ବଦା ଉତ୍ତରୋତ୍ତର ଉପଲବ୍ଧିର କଥା ହିଁ କହିଛନ୍ତି । ମନୁଷ୍ୟମାନଙ୍କୁ ଅତି ସହଜ ଭାବରେ ସର୍ବଦା ପ୍ରଶସ୍ତତର ହୋଇପାରିବାରେ ନାନା ନିରାଟ କଥାମାନ କହିବାର ପ୍ରୟାସ କରିଯାଇଛନ୍ତି । ସୁଦୂର ଆଧ୍ୟାତ୍ମକୁ ଲୋକସ୍ତରକୁ ଅବତରଣ କରାଇ ଆଣିବାର ଆହ୍ୱାନ ଦେଇଛନ୍ତି । ତେଣୁ ପ୍ରଚଳିତ ବହୁ ବାହ୍ୟ ଓ ବହୁ କାତରତା ସହିତ ସେମାନଙ୍କୁ ଯୁଦ୍ଧ କରିବାକୁ ପଡ଼ିଛି । ମନୁଷ୍ୟମାନଙ୍କୁ ସେମାନେ ସେମାନଙ୍କର ଅଧ୍ୟାତ୍ମ ସମ୍ଭାବନା ଦେଇ ଦେଖିଛନ୍ତି ଏବଂ ତେଣୁ ଅଭ୍ୟସ୍ତ ବହୁ ଅପରାଧବୋଧରୁ ସେମାନଙ୍କୁ ମୁକ୍ତ ହୋଇ ଆସିବାର ବାର୍ତ୍ତା ଆଣି ଦେଇଛନ୍ତି । ସନ୍ଥସାହିତ୍ୟ ଯାବତୀୟ ଅର୍ଥରେ ଏକ ପ୍ରତିବାଦ ସାହିତ୍ୟ । ପାରମ୍ପରିକ ସମାଜରେ ଧର୍ମର ବାହାନାରେ ଚଳି ଆସିଥିବା ବହୁ ଦୂରତା ଏବଂ ଭେଦଜ୍ଞାନ ବିରୋଧରେ ସେମାନଙ୍କ ପ୍ରତିବାଦ ସୋଚ୍ଚାର ହେବାକୁ ଆଦୌ କୁପ୍ରକାଶ କରିନାହିଁ । ଅଚ୍ୟୁତାନନ୍ଦ ସମେତ ଓଡ଼ିଶାର ପଞ୍ଚସଖା ଜଗନ୍ନାଥ ଅନୁଷ୍ଠାନଟିର ମଧ୍ୟ ଏକ ଅଭିନବ ବାଖ୍ୟା ଆଣି ଦେଇଛନ୍ତି । ସ୍ଥାନୀୟ ଭୂଗୋଳ ପରିବର୍ତ୍ତେ ବ୍ରହ୍ମାଣ୍ଡ ଭୂଗୋଳର ଅବତାରଣା କରାଇଛନ୍ତି । ମୁଖ୍ୟତଃ ଏକ ବିଳାପଧର୍ମୀ ବ୍ୟଞ୍ଜନାର ଆବେଗ ସୃଷ୍ଟି କରୁଥିବା କେଶବ କୋଇଲିର ନୂତନ ବାଖ୍ୟା ପ୍ରଦାନ କରିଛନ୍ତି । ରାଜସମର୍ଥିତ ବୈଷ୍ଣବ ମାର୍ଗରେ ନୂତନ ସମ୍ପ୍ରସାରଣ ଯୋଗାଇ ଦେଇ ମନକୁ ସ୍ତୀରିବେଶ କରିବାର ଏକ ନୂଆ ଅବତାରଣାରେ ଆମର ଯାବତୀୟ ଆସ୍ପୃହାରେ ଏକ ନୂତନ ଡ଼େଣା ଆଣି ଯୋଡ଼ି ଦେଇଛନ୍ତି । ରାଜା ଦ୍ଵାରା ନିନ୍ଦିତ ହୋଇଛନ୍ତି । ଏବଂ, ଭୀମ ଭୋଇ ସତେ ଅବା ସେହି ଉତ୍ତରଣର ମାର୍ଗରେ ଆହୁରି କେତେ ପାଦ ଆଗକୁ ମାଡ଼ି ଯାଇଛନ୍ତି । ଓଡ଼ିଆ ସାହିତ୍ୟରେ ସତେଅବା ସବୁଠାରୁ ଅଧିକ ସାହସର ପରିଚୟ ଦେଇଛନ୍ତି ।

 

ତେଣୁ ଭାରତୀୟ ଅଧ୍ୟାତ୍ମ ଭିତରେ ମାଳିକାର ପ୍ରକୃତରେ ଏକ ଗୌଣ ତାତ୍ପର୍ଯ୍ୟ ମଧ୍ୟ କୌଣସିଠାରେ ନାହିଁ । ଭାରତବର୍ଷର ଶ୍ରେଷ୍ଠ ସତ୍ୟଦର୍ଶୀମାନେ ସେଥିଲାଗି ସର୍ବଦା ଚରୈବେତି ପକ୍ଷରେ ହିଁ ରହିଆସିଛନ୍ତି । ପୃଥିବୀର ମଣିଷମାନଙ୍କୁ ଭବିଷ୍ୟଭୀରୁ କରିବାର କୌଣସି ଚକ୍ରାନ୍ତ କରିନାହାନ୍ତି । ଦୁର୍ବିପାକ ଆସିବ, ଯିବ, ଉଦ୍ୟମ ନିରନ୍ତର ଜାରି ରହିଥିବ । ଘର ଭାଙ୍ଗିବ, ସମୁଦ୍ର ଆଡୁ ମାଡ଼ି ଆସୁଥିବା ଢ଼େଉ ଗୁଡ଼ାକୁ ଦେଖି ଏଥର ସବୁ ସରିଗଲା ବୋଲି କହିବାକୁ ଯାଉ ଯାଉ ଢେଉମାନେ ପଛକୁ ଚାଲିଯାଇଥବେ । ମଣିଷ ଚାଲିଥିବ, ସଭ୍ୟତାର ଏବଂ ସହୃଦୟତାର ନୂତନ ଶିଖର ଗୁଡ଼ିକୁ ଆରୋହଣ କରିବାରେ ଲାଗିଥିବ । ପଡୁ ପଡୁ ଉପୁଡୁ ଉପୁଡୁ ତଥାପି ଧାପେ ମାତ୍ର ଢ଼େଉକୁ ଭୂଇଁରେ ଲଗାଇଥିବା ଗଛମାନଙ୍କରେ ନୂଆ ପତ୍ରଗୁଡ଼ିକ କଅଁଳି ଆସୁଥିବାର ଦେଖି ବରାବର ମଣିଷ ପୁନର୍ବାର ଉଠି ଛିଡ଼ା ହେବ । ପୁନର୍ବାର ଘର ବାନ୍ଧିବ । ଖାଲି ପ୍ରକୃତି ସହିତ ନୁହେଁ, ବହୁ ଅବିବେକ ସହିତ ବି ଲଢୁଥିବ । ନିଜର ପୃଥିବୀଟିକୁ ସୁନ୍ଦରତର କରି ଗଢ଼ିବାରେ ଲାଗିଥିବ । ପୃଥିବୀ ବଦଳି ଯାଉଥିବ । ତଥାପି ମଣିଷର ସ୍ୱପ୍ନ ସରିଯିବ ନାହିଁ ବା ସଂକଳ୍ପ ହଟିଯିବ ନାହିଁ । ତା’ର ଗୌରବକୁ ବର୍ଣ୍ଣନା କରି ନୂଆ ମାଳିକା ଲେଖା ହେଉଥିବ; ପୁରୁଣା ମାଳିକା ଗୁଡ଼ାକ ଅନାଇ ଥିବେ । ଦାନ୍ତ ନିକୁଟି ଦେଉଥିବେ ।

Image

 

ଝାଉଁଳି ନପଡ଼ କେହ

 

କବି ଭୀମ ଭୋଇ ଆଦୌ ସଂସାରକାତର ନଥିଲେ । ସଂସାରକାତର କେତେ ମନୁଷ୍ୟ ଯେପରି ନିଜକୁ ସନ୍ନ୍ୟାସୀ ବୋଲି କହୁଥାନ୍ତି, ଭୀମ ଭୋଇ ଆଦୌ ସେପରି ସନ୍ନ୍ୟାସୀ ହେବାର ଶ୍ରମ କରୁନଥିଲେ । ଜଗତର ଉଦ୍ଧାର ଅର୍ଥାତ୍ ମଙ୍ଗଳ ଅର୍ଥାତ୍ ଅଭ୍ୟୁଦୟ ନିମନ୍ତେ ସିଏ ନିଜେ ନରକକୁ ଯିବାଲାଗି ମଧ୍ୟ ନିଜ ଭିତରେ ରାଜି ହୋଇ ରହିଥଲେ ! ସିଏ ନିଜକୁ ଅନାଦି ରଜାର ପୁଅ ବୋଲି ଘୋଷଣା କରିଥିଲେ । ଏହି ସଂସାର ଭିତରେ ରହିକରି ହିଁ ବ୍ରହ୍ମକରୁଣା ଲାଭ କରିହେବ ବୋଲି ପୂର୍ଣ୍ଣ ପ୍ରତ୍ୟୟ ତାଙ୍କର ରହିଥିବାରୁ ଭୀମ ଭୋଇ କୁମ୍ଭୀପଟ ଧାରଣ କରି ବାବାଜୀ ହୋଇ ବାହାରି ଯିବାକୁ ନିଷ୍କପଟ ଭାବରେ ମନାକରି ଦେଇଥିଲେ । ପରମଗୁରୁଙ୍କର କରୁଣା ହେଲେ କାଷ୍ଠ ମଧ୍ୟ ପଲ୍ଲବି ପାରିବ ଏବଂ କୁସୁମ ଫୁଟି ଉଠିବ ବୋଲି ସେ କେତେ ଅଙ୍ଗେ ନିଭାଇଥିବା ପରି ଗୀତରେ ଲେଖି ପାରୁଥିଲେ । ମହିମା ଧର୍ମର ସନ୍ନ୍ୟାସୀମାନେ ଏବେ ମଧ୍ୟ ଗୃହୀ ଭୀମ ଭୋଇ ସେକାଳରୁ ଲେଖି ଯାଇଥିବା ଭଜନଗୁଡ଼ିକୁ ଗାଇ ଈଶ୍ଵରାନୁଗତ୍ୟର ଆନନ୍ଦ ଲାଭ କରିପାରୁଛନ୍ତି । ଏହାକୁ ଯାବତୀୟ ଧର୍ମସଂସ୍ଥାପନର ଇତିହାସରେ ଯଥାର୍ଥରେ ଏକ ବିରଳ ଘଟଣା ବୋଲି କୁହାଯାଇପାରିବ । ଭୀମ ଭୋଇଙ୍କର ଏହି ଉଜ୍ଜ୍ୱଳ ସନ୍ଦେଶଗୁଡ଼ିକ ତାଙ୍କର କୃତିଗୁଡ଼ିକରେ ରହିଥିଲେ ମଧ୍ୟ ଯେଉଁ ଅନ୍ୟମନାମାନେ ତାଙ୍କର ମାଳିକା ଅଂଶଟିକୁ ଆଗ ଦେଖନ୍ତି, ସେମାନଙ୍କୁ ପ୍ରକୃତରେ ଅତ୍ୟନ୍ତ ଗୁଣୀଜନ ବୋଲି କହିବାକୁ ହେବ । ସଂସାରକାତର ମନୁଷ୍ୟମାନେ ହୁଏତ ସବୁକାଳେ ସଂସାରର ସାଧାରଣ ତୁମ ଆମଙ୍କୁ କାତର କରି ପକାଇବା ନିମନ୍ତେ ଭାରି ଚକ୍ରାନ୍ତ କରି ଆସିଛନ୍ତି । ସଂସାରରେ ଅକାଳେ ସକାଳେ କୌଣସି ଦୁର୍ବିପାକ ପହଞ୍ଚିଲେ ସେମାନଙ୍କୁ ସତେଅବା ମହାପୁଷମାସଟିଏ ଆସି ପହଞ୍ଚିଗଲା ପରି ଲାଗୁଛି ।

 

ଖବରକାଗଜରେ ଭୀମ ଭୋଇଙ୍କର ଭଣିତା ସହିତ ଯେଉଁ ମାଳିକାଂଶଟି ବାହାରିଛି, ତାହା ହେଉଛି ତାଙ୍କଦ୍ଵାରା ଲିଖିତ ହୋଇଥିବା ଏକ ଚଉତିଶାର ଗୋଟିଏ ପଦ । ସେଥିରେ ଭୀମ ଭୋଇ ପୃଥ୍ୱୀବାସୀଙ୍କୁ ଝାଉଁଳି ନ ପଡ଼ିବା ପାଇଁ କହିଛନ୍ତି । ଯିଏ ଝାଉଁଳି ପଡ଼ିବ, ସିଏ ନିଜ କାତରତାର ହିଁ ପ୍ରମାଣ ହେବ । ସିଏ ଅବଶ୍ୟ ବିଦା ହୋଇ ଚାଲିଯିବ ଓ ତେଣୁ ବିହନ ହୋଇପାରିବ ନାହିଁ । ‘ଝଞ୍ଜକା ମଧ୍ୟରୁ ଯେ ବଞ୍ଚି ରହିବ, ବିହନ ହୋଇବ ସେହି’ ବୋଲି ପୂର୍ବଧାଡ଼ିରେ ଉଲ୍ଲେଖ କରିଛନ୍ତି । ଆଗାମୀ ପୃଥିବୀ ନିମନ୍ତେ ଆବଶ୍ୟକ ବିହନ ଅବଶ୍ୟ ରହୁ ବୋଲି ଯିଏ ଚିନ୍ତା କରୁଛି, ସିଏ କଦାପି ପୃଥିବୀ କିପରି ଛାରଖାର ହୋଇ ସରିଯିବ, ତାହାପାଇଁ ଭବିଷ୍ୟବାଣୀ ବଖାଣି ବିପନ୍ନ ମଣିଷମାନଙ୍କୁ ଭୟଭୀତ କରାଇବାକୁ ମନ କରିବ ନାହିଁ । ୟୁରୋପରେ ଶୀତଋତୁରେ ଭୂଇଁଟା ବରଫ ତଳେ ମାସ ମାସ ଧରି ଘୋଡ଼ାଇ ହୋଇ ରହିଥାଏ । ଶୀତାର୍ତ୍ତ ହୋଇ ବାହାରକୁ ଅନାଉଥିବା ମଣିଷ ହୁଏତ ବଡ଼ ବଳରହିତ ଭାବରେ ଭାବୁଥାଏ ଯେ, ଏହି ବରଫର ଅନ୍ତ କଦାପି ହେବନାହିଁ ଓ ମାଟିସବୁ ତାହାରି ତଳେ ଅକାମୀ ହୋଇ ରହିଯିବେ । ଗଭୀର ବରଫ ତଳେ ମଞ୍ଜିମାନେ ତଥାପି ରହିଥାନ୍ତି, ସେମାନେ ବିହନ ହୋଇ ରହିଥାଆନ୍ତି । ତପସ୍ୟାରତ ହୋଇ ରହିଥାନ୍ତି । ସମୟ ଆସେ ଏବଂ ବରଫ ତରଳେ । ବିହନମାନେ ଅଙ୍କୁରିତ ହୋଇ ଉଠନ୍ତି । ଜୀବନର ଅବିଛିନ୍ନତାକୁ ପ୍ରମାଣ କରିଦିଅନ୍ତି । ଏକ ସାମାଜିକ ଚିତ୍ରରୂପର ପ୍ରଶସ୍ତ ଭୂମି ଉପରେ ଇଟାଲୀର ଉପନ୍ୟାସକାର ସିଲୋନେ (lgnatio Silone) ତାଙ୍କର The Seed beneath the Snow ଉପନ୍ୟାସରେ ସେହି ସତ୍ୟଟିର ଉପସ୍ଥାପନା କରିବାର ପ୍ରୟାସ କରିଛନ୍ତି । ପୃଥିବୀକୁ, ଏହି ପୃଥିବୀ ଉପରେ ଜୀବନର କାହାଣୀଟିକୁ ଏବଂ ଏଠି ମଣିଷ ଦ୍ଵାରା ନିରନ୍ତର କରାଯାଉଥିବା ଯାବତୀୟ ଉଦ୍ୟମର ହୃଦୟଟିକୁ ଯିଏ ଯେତିକି ସକାରାତ୍ମକ ଭାବରେ ଦେଖିପାରେ, ସିଏ ମାଳିକାମାନଙ୍କୁ ସେତିକି କମ୍ ମନ କରେ । ବହୁବିଧ ଦୃଶ୍ୟ ଏବଂ ଅଦୃଶ୍ୟ ଶ୍ରଦ୍ଧାର ଡୋରରେ ଏକତ୍ର ବନ୍ଧାହୋଇ ରହିଥିବା ଏହି ପୃଥିବୀଟି ଯେ ତଥାପି ଜନନୀଟିଏ ହୋଇ ବିହନମାନଙ୍କ ନିମନ୍ତେ ଅଙ୍କ ପ୍ରସାରିତ କରି ରଖିଛି, ଏକଥା ଅନୁଭବ କରୁଥିଲେ ଆମେ କଦାପି ମାଳିକାର ଧମକ ଦେଉଥିବା ସେହି ଅନ୍ୟ ଧାତୁର ସେମାନଙ୍କର କଥାରେ ଭଣ୍ଡିହୋଇ ଯିବାକୁ ଆଦୌ ଇଚ୍ଛା କରିବା ନାହିଁ ।

 

ତଥାପି ମାଳିକାଗୁଡ଼ିକୁ ଆମେ ଅବହେଳା ବି କରିବା ନାହିଁ । ସନ୍ଥମାନେ ଚିରଦିନ କାହିଁକି ଯେ ଏହି ମାଳିକା ନାମକ ମାଧ୍ୟମଟିକୁ ଆପଣାର ବାଣୀକୁ ପ୍ରଚାର କରିବାର କାର୍ଯ୍ୟରେ ବ୍ୟବହାର କରିଥିଲେ, ଆମେ ବରଂ ତାହାର ସମ୍ଭାବ୍ୟ କାରଣଟିକୁ ଅଥବା କାରଣଗୁଡ଼ିକୁ ଅନୁସନ୍ଧାନ କରିବା ନିମନ୍ତେ ଏକ ପ୍ରୟାସ କରିବା । ସନ୍ଥମାନେ ସର୍ବୋପରି ଏହି ପୃଥିବୀର ଅଭ୍ୟୁଦୟ କାମନା କରୁଥିଲେ । ଅଧ୍ୟାତ୍ମ ସତ୍ୟଗୁଡ଼ିକୁ ସେମାନେ ଗୋଟିଏ ଗୋଟିଏ ଜୀବନ-ସତ୍ୟ ରୂପେ ଦେଖୁଥିଲେ । ଏବଂ, ଏହି ପୃଥିବୀର ମଣିଷମାନେ ହିଁ ସେହି ସତ୍ୟଗୁଡ଼ିକ ଅନୁସାରେ ନିଜକୁ ନୂତନ ଭାବରେ ଅନୁସିକ୍ତ କରି ଆଣିପାରିବେ ବୋଲି ଅତ୍ୟନ୍ତ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ । ତେଣୁ ସଂଗଠିତ ଧର୍ମଗୁଡ଼ିକର ତୁଳନାରେ ସେମାନଙ୍କର ଯାବତୀୟ ଆବେଦନ ଅନେକ ସମୟରେ ଏକାବେଳେକେ ଅନ୍ୟ ପ୍ରକାରର ପରି ଅନୁଭୂତ ମଧ୍ୟ ହେଉଥିଲା । ସନ୍ଥମାନେ ଲୋକଭାଷାରେ ସାହିତ୍ୟ ରଚନା କରୁଥିଲେ ଏବଂ ମନୁଷ୍ୟମାନେ ଯଥାର୍ଥ ବାସନା ଦ୍ଵାରା ଅନୁପ୍ରାଣିତ ହୋଇପାରିଲେ ସେମାନଙ୍କର ବର୍ତ୍ତମାନଟା ମଧ୍ୟ ଏକାବେଳେଳେ ଅନ୍ୟ ପ୍ରକାରର ହୋଇପାରିବ ବୋଲି ପ୍ରତ୍ୟୟ ରଖିଥଲେ । ଭଗବାନଙ୍କର ଏହି ସଂସାରରେ ମଣିଷ କାହିଁକି ମଣିଷର ବଇରୀ ହେବ, ପୃଥିବୀରେ ଦ୍ୱେଷ, ଘୃଣା ଓ ଦୂରତାମାନେ କାହିଁକି ରହିବେ । ଆଉ କେଉଁମାନେ ସବୁ ଭୋଗ କରିପାରିବେ ବୋଲି ଅନ୍ୟ ଅନେକମାନେ କାହିଁକି ଯାବତୀୟ ପ୍ରକାରେ ବଂଚିତ ହୋଇ ରହିବେ,- ଅଧ୍ୟାତ୍ମର ଭାଷା ବ୍ୟବହାର କରି ସେମାନେ ମନୁଷ୍ୟମାନଙ୍କୁ ସେହିଭଳି ଏକ ମୂଳପ୍ରଶ୍ନର ମନ୍ଥନସ୍ତରକୁ ଉନ୍ନୀତ କରି ଆଣିବାର ଅଭିପ୍ରାୟ ଘୋଷଣା କରୁଥିଲେ । ଏହିପରି ଭାବରେ ମନୁଷ୍ୟ ମାତ୍ର ସମସ୍ତଙ୍କର ଭବିଷ୍ୟ-ସମ୍ଭାବନାର ପୃଷ୍ଠଭୂମିରେ ସେମାନଙ୍କୁ ଦେଖିପାରିଲେ ନାନା ଅନ୍ୟାୟ ତଥା ଅପୂର୍ଣ୍ଣତା ଦ୍ଵାରା ଭରି ରହିଥିବା ବର୍ତ୍ତମାନଟା ନ୍ୟାୟତଃ ଭାରି ଅସହ୍ୟ ମନେହେବ ।

 

ଯଦି ସାମୂହିକ ଜୀବନଟି ଏହିପରି ନାନା ଅଧର୍ମ ଭିତରେ ରହେ, ତେବେ ଅଚିରେ ତାହାର ଅବସ୍ଥା ଆହୁରି ନିମ୍ନଗାମୀ ହେବ । ଏପରି ଗୋଟିଏ ଚେତାବନୀ ଦେବାଦ୍ୱାରା ହୁଏତ ବହୁତ ମନୁଷ୍ୟ ଅଭ୍ୟସ୍ତ ଅରୀତି ଏବଂ ଅଧର୍ମଗୁଡ଼ିକୁ ପରିହାର କରିବେ ଏବଂ ସମୁଚିତ ମର୍ମକୁ ଆସିବେ ବୋଲି ଆଶାଟିଏ ରଖି କେତେ ସନ୍ଥ ଭବିଷ୍ୟତ ବିଷୟରେ ଏକ ଭୟପ୍ରଦ ଚିତ୍ର ଦେବାକୁ ଯାହାସବୁ ଲେଖି ଯାଇଛନ୍ତି, ଏବେ କାଳକ୍ରମେ ତାହାକୁ ହିଁ ମାଳିକା ବୋଲି କୁହାଯାଉଛି । ଯିଏ ବର୍ତ୍ତମାନକୁ ମନୁଷ୍ୟ ନିମନ୍ତେ ଆଦୌ ସୁନ୍ଦର ଓ ସୁସ୍ଥ ନୁହେଁ ବୋଲି ଜାଣି ମଧ୍ୟ ତଥାପି ତାହାରି ଭିତରେ ଏପରି ଲଟରପଟର ଓ ଅଣଆୟତ୍ତ ଭାବରେ ବାନ୍ଧି ହୋଇ ରହିଥିବ ଯେ, ସେଇଟା ଭିତରୁ ଆଦୌ ବାହାରି ପାରୁନଥିବ, ପ୍ରଧାନତଃ ନିଜ ବିଷୟରେ ଜାତ ହେଉଥିବା ଏକ ଭୟ ଦ୍ଵାରା ପ୍ରପୀଡ଼ିତ ହୋଇ ସନ୍ଥମାନଙ୍କର ଅନ୍ୟାନ୍ୟ ବାଣୀ ଅପେକ୍ଷା ଏହି ମାଳିକାଗୁଡ଼ିକ ହିଁ ତାକୁ ସବାଆଗ ଦେଖାଯିବ ଏବଂ ସିଏ ସେହି କାରଣରୁ ହୁରି ପକାଇବାକୁ ଆରମ୍ଭ କରିବ ।

 

ତେଣୁ, ପୋଥିରେ ଲେଖା ହୋଇଥିବା ମାଳିକାଗୁଡ଼ିକୁ ଆମେ ହୁଏତ ସେହି କାଟର ଏକ Shock Therapy ଭଳି ବୁଝିବା । ଅନେକ ମଣିଷ ଏପରି ଏକ ଦୟନୀୟ ଅବସ୍ଥାରେ ଆସି ରହିଥାନ୍ତି ଏବଂ ପୁରୁଣା ଅଳିଆଗୁଡ଼ାକୁ ଏପରି ଅନମନୀୟ ଭାବରେ କାମୁଡ଼ି ଧରିଥାନ୍ତି ଯେ, ସମ୍ଭବତଃ ସେଠାରେ Shock Therapyଟା ହିଁ ଏକମାତ୍ର ପ୍ରତିବିଧାନ ବୋଲି ମନେହେଉଥାଏ-। ବୁଝିବା ମଣିଷର ଏଥିପାଇଁ କୌଣସି ଆବଶ୍ୟକତା ନଥାଏ । ରାଜି ହୋଇପାରୁଥିବା ଏବଂ ବିବେକର ବୋଲମାନି ଆଗାମୀକୁ ବାଟ ଛାଡ଼ିଦେଇ ପାରୁଥିବା ମଣିଷର ମାଳିକାରେ କୌଣସି ପ୍ରୟୋଜନ ନଥାଏ । କେବଳ ଅସୁସ୍ଥ ଦେହକୁ ଔଷଧର ପ୍ରୟୋଜନ ରହିଥିବା ପରି ମାଳିକାର ସମୁଦାୟ ପ୍ରସଙ୍ଗଟିକୁ ମଧ୍ୟ ଆମକୁ ଅନୁରୂପ ଭାବରେ ବୁଝିବାକୁ ପଡ଼ିବ । ସମାଜରେ, ପାରସ୍ପରିକ ଜୀବନର ଯାବତୀୟ ବିକଳ୍ପ ଆହ୍ୱାନ ସତ୍ତ୍ୱେ କେତେ ଭୟାଳୁ ମଣିଷ ହୁଏତ ତଥାପି ରହିବେ, ଯେଉଁମାନେ କି ଅତ୍ୟନ୍ତ ମୋହଗ୍ରସ୍ତ ଭାବରେ ଆପଣାର ଅଭ୍ୟସ୍ତ ରୀତିଗୁଡ଼ିକୁ ମୋଟେ ଛାଡ଼ିପାରୁ ନଥିବେ । ସେମାନଙ୍କ ନିମନ୍ତେ ହୁଏତ ମାଳିକା ରୂପକ Shock Therapy କେତେ ପରିମାଣରେ କାମ ଦେଇପାରିବ । ଭୟାଳୁକୁ ଭୟ ଦେଖାଇ କିଞ୍ଚିତ୍ ଚିଆଇଁ ଦେଇହେବ ସିନା, ମାତ୍ର ତଥାପି ତା’ର ଭୟଭଞ୍ଜନ ଘଟାଇ ହେବନାହିଁ । ବିଶ୍ୱାସ ବଢ଼ିଲେ ହିଁ ଭୟ ଦୂର ହେବ, ପରସ୍ପରକୁ ସ୍ୱୀକାର କରିନେଇ ପାରିଲେ ଯାଇ ଅହଂକୁ ଅତିକ୍ରମ କରାଯାଇ ପାରିବ ଏବଂ ଶ୍ରଦ୍ଧାର ଯୋଗ୍ୟ ନିମିତ୍ତଟିଏ ହେବାକୁ ରାଜି ହେଲେ ଯାଇ ଘୃଣାପାଶରୁ ଏବଂ ଦ୍ୱେଷଜାଲରୁ ମୁକ୍ତି ମିଳିପାରିବ । ଏହି ପୃଥିବୀଟା ଚିରଦିନ ଅସମାନ ଓ ଅନ୍ୟାୟପୀଡ଼ିତ ହୋଇ ରହିବ, କେବଳ ବଳୁଆମାନେ ହିଁ ଏହି ପୃଥିବୀକୁ ଭୋଗ କରିବେ ଏବଂ କେତେଜଣ ବଂଚିତ ହୋଇ ନ ରହିଲେ ଆଉ କେତେଜଣ ନିଶ୍ଚିନ୍ତ ହୋଇ ଆଦୌ ସୁଖ ଭିତରେ ରହିପାରିବେ ନାହିଁ ବୋଲି ଏକ ଦୁରାଗ୍ରହ ସହିତ ବିଶ୍ଵାସ କରୁଥିବା ମଣିଷମାନେ ହିଁ ମାଳିକାର ବର୍ଣ୍ଣନା ଶୁଣି କିଞ୍ଚିତ୍‌ ଭୟ ପାଇବେ ଏବଂ ରାଜି ହୋଇଯିବେ । ସନ୍ଥମାନେ ମାଳିକାଗୁଡ଼ିକୁ ରଚନା କରିବାବେଳେ ପ୍ରଧାନତଃ ପ୍ରୟୋଜନରେ ପଡ଼ି ଏବଂ ଏକ ସ୍ଵତନ୍ତ୍ର ଅଭିପ୍ରାୟ ରଖି ହୁଏତ ସେଗୁଡ଼ିକର ରଚନା କରିଥିବେ ।

 

ସନ୍ଥମାନେ ଉଚ୍ଚାରି ଯାଇଥିବା ଅଧ୍ୟାତ୍ମ ଓ ସତ୍ୟକୁ ଗୌଣ କରିଦେଇ ମାଳିକାର କଥାଗୁଡ଼ିକୁ ସବାଆଗ ଏବଂ ସବାବଡ଼ କରି ଦେଖିବା ପଛରେ ହୁଏତ ଆଉ ଗୋଟିଏ କାରଣ ରହିଆସିଛି । ଏହି ସବୁକିଛିକୁ ଆତଯାତ କରୁଥିବା ପରମକର୍ତ୍ତା ଏହି ସବୁକିଛିର ବାହାରେ କୋଉଠି ରଜା ହୋଇ ବସିଛନ୍ତି ଏବଂ ସେଇଠୁ ଥାଇ ଖିଳ ବିଶ୍ୱର ଶାସନ କରୁଛନ୍ତି: ଏଇଟି ଗୋଟିଏ ପ୍ରକାରର ଧର୍ମବିଶ୍ଵାସ, ଯାହା ପାଇଁକି ବହୁତ ମଣିଷ ତାଙ୍କୁ ସତେଅବା ଜଣେ ନୃଶଂସ ବିଚାରକ ରୂପେ କଳ୍ପନା କରିଆସିଛନ୍ତି, ଧର୍ମବହିରେ ଯାହାକୁ ଠିକ୍ ବୋଲି ଲେଖାଯାଇଛି, ତାହକୁ ମାନିଲେ ତୁମେ ସ୍ୱର୍ଗଲାଭ କରିବ ଏବଂ ଅନ୍ୟପକ୍ଷରେ ଅମାନ୍ୟ କଲେ ନର୍କ ଭୋଗିବ । ଈଶ୍ଵରଙ୍କୁ ଏହିପରି ଜଣେ ନିର୍ମମ ହାକିମ ବୋଲି ଜାଣିବା ଓ ଦେଖିବା, ଆମର ଅନେକାନେକ ସାମାଜିକ ଧର୍ମଚାରଣା ସେହି ବିଚାରଟିର କବଳରେ ପଡ଼ି ଅତ୍ୟନ୍ତ ପ୍ରଦୂଷିତ ହୋଇ ରହିଛି । ପୃଥିବୀର ରଜାମାନେ, ଉତ୍ତମମାନେ ଓ ଉଚ୍ଚାସୀନମାନେ ଏଥିରୁ ବହୁତ ଫାଇଦା ଉଠାଇଛନ୍ତି । ଏବେ ମଧ୍ୟ ଉଠାଉଛନ୍ତି । ସନ୍ଥମାନେ ଚିରଦିନ ଏହି ଦୁଷ୍ଟ ବିଚାରଟାର ପ୍ରତିବାଦ କରିଛନ୍ତି । ଭାରତବର୍ଷର ଉପନିଷଦରେ ସତ୍ୟ ଏବଂ ଈଶ୍ଵରଙ୍କର ଯେଉଁ ବିକଳ୍ପ କଳ୍ପନା, ସନ୍ଥମାନେ ତାହାକୁ ହିଁ ଭୂଇଁଯାଏ ନେଇ ଆସିଛନ୍ତି । ଈଶ୍ଵର କେବଳ ବାହାରେ ନାହାନ୍ତି, ସିଏ ମଣିଷର ଭିତରେ ମଧ୍ୟ ରହିଛନ୍ତି । ଉଦ୍ଘାଟିତ ହେବା ନିମନ୍ତେ ଅପେକ୍ଷା କରିଛନ୍ତି । ସିଏ ପ୍ରତ୍ୟେକ ମନୁଷ୍ୟ ଭିତରେ ପ୍ରଛନ୍ନ ହୋଇ ରହିଛନ୍ତି । ଅସଲ ବିବେକ ସେଇଠାରୁ ମିଳିବ । ଅସଲ ସମ୍ପଦଗୁଡ଼ିକ ସେହି ଅନୁସାରେ ସ୍ଥାପିତ ହେବ । ତେଣୁ ସନ୍ଥମାନେ ଜାତିଭେଦ ମାନିନାହାନ୍ତି । ରଜା ମାନିନାହାନ୍ତି । ବ୍ରାହ୍ମଣମାନଙ୍କର ଏକ-କର୍ତ୍ତୃତ୍ଵକୁ ସ୍ୱୀକାର କରିନାହାନ୍ତି । ସେହି ଅଭିନବ ପ୍ରତିବାଦଟି ଦ୍ଵାରା ପ୍ରେରିତ ହୋଇ ସେମାନେ ସଂସ୍କୃତକୁ ଏକମାତ୍ର ପବିତ୍ର ଭାଷା ବୋଲି ସ୍ୱୀକାର ନକରି ସାଧାରଣ ଲୋକଜୀବନର କଥିତ ଭାଷାରେ ନିଜର ପୁସ୍ତକଗୁଡ଼ିକୁ ଲେଖି ଥୋଇ ଦେଇଛନ୍ତି । ଓଡ଼ିଶା ସମେତ ଭାରତବର୍ଷର ଯାବତୀୟ ଅଂଚଳରେ ସେହି ପ୍ରତିବାଦର ଏକ ସ୍ମରଣୀୟ ଦୃଷ୍ଟାନ୍ତ ରୂପେ ମହାଭାରତ, ରାମାୟଣ, ଭାଗବତ ପ୍ରଭୃତି ପ୍ରତିଷ୍ଠିତ ସଂସ୍କୃତ ଗ୍ରନ୍ଥଗୁଡ଼ିକର ଭାଷାନୁବାଦ ଓ ଏପରିକି ବିକଳ୍ପ ସୃଜନଗୁଡ଼ିକ ମଧ୍ୟ ସମ୍ଭବ ହୋଇଛି ।

 

ଈଶ୍ୱର ନାମକ ସତ୍ୟ ମୋ ନିଜ ଭିତରେ ରହିଛନ୍ତି ବୋଲି ଅନୁଭବ କରୁଥିବା ଜଣେ ମନୁଷ୍ୟ ତାଙ୍କୁ ଭୟ କରିବ କାହିଁକି ? ମନୁଷ୍ୟ ଅପଥଗାମୀ ହେଲେ ତାକୁ ଶାନ୍ତି ଦେବାକୁ ସେହି ଭଗବାନ କଦାପି ଇଚ୍ଛା କରିବେ ନାହିଁ । ସିଏ ବରଂ ଭିତରୁ ଥାଇ ବାଟ ଦେଖାଇବେ, ବାଟ ହୁଡ଼ିଗଲେ ବାଟକୁ ଆଣିବେ ଏବଂ ଅମଡ଼ା ଭିତରକୁ ହଜିଗଲେ ମାଆପରି ଖୋଜି ଆଣିବେ । ଭଗବାନ ଦୂର ସ୍ୱର୍ଗରେ ଦଣ୍ଡଦାତା ହୋଇ ବସିଛନ୍ତି ଏବଂ ମର୍ତ୍ତ୍ୟରେ ଦୋଷୀମାନଙ୍କୁ, ପାପୀମାନଙ୍କୁ ଶିକ୍ଷା ଦେବାକୁ ବନ୍ୟା, ବାତ୍ୟା ଏବଂ ଭୂମିକମ୍ପ ଇତ୍ୟାଦିର ବିଧାନ କରୁଛନ୍ତି, ନିଜ ଭିତରେ ମଧ୍ୟ ତାଙ୍କର ଆସ୍ଥାନଟିଏ ଅବଶ୍ୟ ରହିଛି ବୋଲି ଅନୁଭବ କରୁଥିବା ମଣିଷ ସେପରି କେବେହେଲେ ଭାବିବ ନାହିଁ । ସିଏ ନିଜ ଭିତରେ ପରମ ସତ୍ୟଟିକୁ ବହନ କରିଛି ବୋଲି ଜାଣି ଗୌରବାନ୍ୱିତ ବୋଧ କରିବ, ତାଙ୍କର ଶକ୍ତିକୁ ନିଜ ଶକ୍ତିର ଅସଲ ଉତ୍ସ ବୋଲି ଜାଣିବ, ନିମିତ୍ତ ହେବ, ଏହି ପୃଥିବୀରେ ଖୁସି ହୋଇ ଆପେ ଇଚ୍ଛା କରି ତାଙ୍କର କାର୍ଯ୍ୟ କରିବାରେ ଆପଣାକୁ ଅବଶ୍ୟ ପ୍ରଯୁକ୍ତ କରି ରଖିବ । ଯେଉଁ ଅନ୍ୟ-ବିବେକୀମାନେ ବାତ୍ୟା ଓ ବନ୍ୟାକୁ ମନୁଷ୍ୟ ସକାଶେ ଭଗବାନଙ୍କର ଦଣ୍ଡ ବୋଲି କହୁଛନ୍ତି ଏବଂ ନିଜର ସେହି ଅନୁମାନଟାକୁ ସିଦ୍ଧ କରିବା ନିମନ୍ତେ ତେଣେ ମାଳିକାଗୁଡ଼ାକୁ ଆବୃତ୍ତି କରିବାରେ ଲାଗିଛନ୍ତି, ସେମାନେ ନିଜ ଭିତରର ମଣିଷଟିକୁ ସମ୍ଭବତଃ ଆଦୌ ଠାବ କରି ପାରିନାହାନ୍ତି । ମୂଳତଃ ଭୀତ ଓ ଆର୍ତ୍ତ ହୋଇ ଏହି ପୃଥିବୀରେ ଜୀବନର ଯାବତୀୟ ବଣିଜ କରି ଆସିଥିବାରୁ ସେମାନେ ହୁଏତ ଭାରି ପ୍ରମାଦ ଗଣୁଛନ୍ତି । ନିଜର ଭୂତଗୁଡ଼ାକ ବ୍ୟତୀତ ଆଉ କିଛିହେଲେ ଦେଖିପାରୁ ନାହାନ୍ତି । ଅଥବା ଆହୁରି କିଛି କାଳ ସରଳ ମନୁଷ୍ୟ ମାନଙ୍କର ଏହି ପୃଥିବୀକୁ ଅନ୍ଧାରରେ ଏବଂ ଧୋକା ଭିତରେ ଆଛନ୍ନ କରି ରଖିବାର ପାଞ୍ଚ କରୁଛନ୍ତି-। ଈଶ୍ଵର ପ୍ରତ୍ୟେକ ମନୁଷ୍ୟର ପରମବନ୍ଧୁ ରୂପେ ତା’ ଭିତରେ ସର୍ବଦା ରହିଛନ୍ତି ବୋଲି ଯଦି ସତକୁ ସତ ଘୋଷଣା କରାଯାଇଥାନ୍ତା, ତେବେ ମନୁଷ୍ୟମାନେ କଦାପି ବର୍ତ୍ତମାନ ପରି ଏତେ ଭାଗ୍ୟବାଦୀ ହୋଇନଥାନ୍ତେ, କଦାପି ଏତେ ଏତେ ଅନ୍ୟାୟ ଏବଂ ଶୋଷଣକୁ ମୁଣ୍ଡ ନୁଆଁଇ ସହି ଯାଉନଥାନ୍ତେ-। ପୃଥିବୀ ଅଧ୍ୟାତ୍ମରେ ଚଳୁଥାଆନ୍ତା । ମନୁଷ୍ୟର ଉତ୍ତରୋତ୍ତର ଉଦୟ ଲାଗି ହିଁ ପୃଥିବୀରେ ଯାବତୀୟ ସମ୍ପଦ ଓ ସମ୍ପତ୍ତି କାମରେ ଲାଗି ପାରୁଥାନ୍ତା ।

 

ତେଣୁ, ଯେଉଁମାନେ ବିହନ ହେବାକୁ ରାଜି ଅଛନ୍ତି, ସେମାନେ ଆଦୌ ଝାଉଁଳି ନପଡ଼ନ୍ତୁ-। ସେମାନେ ସମ୍ମୁଖ ଆଡ଼କୁ ଦେଖିପାରନ୍ତୁ, ପରସ୍ପର ଉପରେ ପରିପୂର୍ଣ୍ଣ ଭରସା ରଖି ସେମାନେ ପରବର୍ତ୍ତୀ ସକାଳଗୁଡ଼ିକ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ । ବାତ୍ୟା ଓ ବନ୍ୟା ଅତୀତରେ ମଧ୍ୟ କେତେ ଆସିଥିବ, ପୁଣି ଚାଲି ଯାଇଥିବ । ଚତୁରମାନେ ସେତେବେଳେ ବି କେତେ ଭୟ ଦେଖାଇବାକୁ ବାହାରି ଆସିଥିବେ । ମାତ୍ର ମନୁଷ୍ୟ ତଥାପି ବଞ୍ଚିଛି, ନିରନ୍ତର ଯୋଗ୍ୟତର ତଥା ଅଧିକ ଶକ୍ତିମନ୍ତ ହେବା ନିମନ୍ତେ ପ୍ରୟାସ କରିଆସିଛି । କେବଳ ନିଜକୁ ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ଲୋଡ଼ି ଶିଖିଛି, ସମଗ୍ର ପୃଥିବୀ ଆଖର ଗୋଟିଏ କୁଟୁମ୍ବରେ ପରିଣତ ହୋଇପାରିବ ବୋଲି ସ୍ୱପ୍ନ ଦେଖିଛି । ବିଜ୍ଞାନକୁ ସହୋଦର କରିପାଇଛି, ନିଜର ସାହସଯାତ୍ରାରେ ତା’ଠାରୁ ନୂଆ ନୂଆ ପ୍ରତିଶ୍ରୁତି ମଧ୍ୟ ପାଇଛି । ଏବେତ ଲାଗୁଛି, ଅସଲ ଜୀବନସତ୍ୟ ଗୁଡ଼ିକୁ ଜୀବନର ସମ୍ପର୍କସ୍ତରଯାଏ ସମ୍ଭବ କରି ଆଣିବାକୁ ହେଲେ ତାକୁ ବିଜ୍ଞାନକୁ ସତକୁ ସତ ତା’ର ଏକନମ୍ବର ସାଥୀ ରୂପେ ବାଛିନେବାକୁ ପଡ଼ିବ । ତେଣୁ, ଚାଲ ବିହନ ହେବା । ଝଞ୍ଜକାକୁ ହିଁ ମଥାପାତି ସହିନେବା ନାହିଁ । ମାଳିକାରେ ଲେଖା ହୋଇଥିଲେ ମଧ୍ୟ ମୋଟେ ମାନିନେବା ନାହିଁ । ଝଞ୍ଜକାର ସମ୍ମୁଖୀନ ହେବା, ସାହସର ସହିତ, ହୃଦୟଭର୍ତ୍ତି ଆଶା ଓ ବିଶ୍ୱାସର ସହିତ ସମ୍ମୁଖୀନ ହେବା । ତେବେଯାଇ ବଂଚି ରହିବା ଓ ବିହନ ହେବା । ବିହନ ହୋଇପାରିଲେ ଯାଇ କାମରେ ଲାଗିବା । ଏହି ଦେଶରେ ଓ ଏହି ରାଜ୍ୟରେ କେତେ କେତେ କାର୍ଯ୍ୟ ଯେ ବାକି ରହିଛି, ନିଜ ଭିତରକୁ ନିଦକ ହୋଇ ଅନାଇପାରିଲେ ଯାଇ ଆମେ ସେହି କଥାଟିକୁ ବୁଝିବାକୁ ସମର୍ଥ ହେବା । ବିଗତ ପଚାଶବର୍ଷ ଭିତରେ ଅସୁମାରି ମଣିଷଙ୍କୁ ଅତ୍ୟନ୍ତ ଅବିବେକୀ ଭାବରେ ଅସ୍ୱୀକାର କରାଯାଇଆସିଛି । ସେମାନଙ୍କ ଜୀବନର ମୂଳଦୁଆ ଭାରି ଦୁର୍ବଳ ହୋଇ ରହିଛି । ପ୍ରତିବାଦ କରିବାର ଅଧିକାର ଯେ ଜାଗ୍ରତ ମଣିଷମାନଙ୍କର ଅସଲ ଲକ୍ଷଣ, ନାନା ଷଡ଼ଯନ୍ତ୍ର କରି ଏହି ଦେଶରେ ସେହି କଥାଟିକୁ ପୂରା ଭୁଲାଇ ଦିଆଯାଇଛି । ଯେଉଁଭଳି ଶିକ୍ଷା ପାଇଲେ ପିଲାଟିଏ ଏକାବେଳେକେ ଏଠି ସମସ୍ତଙ୍କୁ ଦେଖିପାରନ୍ତା ଓ ସମସ୍ତଙ୍କ ସକାଶେ ଟାଣ ବିଶ୍ୱାସର ସହିତ ତିଆରି ହୋଇପାରନ୍ତା, ସେହି ଶିକ୍ଷାକୁ ବାବୁମାନେ, ଚତୁରମାନେ ଏବେ ମଧ୍ୟ ଆମ ପାଇଁ ଅପହଂଚ କରି ରଖିଛନ୍ତି । ଅସହାୟତାମାନେ ହୁ ହୁ ହୋଇ ବଢ଼ିବାରେ ଲାଗିଛନ୍ତି । ପ୍ରକୃତିର ସାମୟିକ କୋପଗୁଡ଼ିକରୁ ନିଜକୁ ସୁରକ୍ଷିତ ରଖିପାରିବା ନିମନ୍ତେ ମନୁଷ୍ୟମାନଙ୍କ ନିମନ୍ତେ ଯେତିକି ସମ୍ବଳ ଓ ଶକ୍ତି ରହିଥିବା ଆବଶ୍ୟକ, ତାହା ଏହି ରାଜ୍ୟରେ ସୁଦୂରପରାହତ ହୋଇ ରହିଛି ।

 

ବହୁ ପୁରାତନ ସହିତ ସଂକଳ୍ପର ସହିତ ଯୁଝିପାରିଲେ ଯାଇ ଆମକୁ ନୂଆ ସମ୍ଭାବନାଗୁଡ଼ିକ କ୍ରମଶଃ ଦୃଶ୍ୟମାନ ହୋଇ ଆସନ୍ତା। ଆଗକୁ ବାଟ ଦେଖାଯାଆନ୍ତା । ଏବଂ, ଆଗକୁ ବାଟ ଦେଖାଗଲେ ବର୍ତ୍ତମାନଟା ଆଉ ଆଦୌ ଭୟଭୀତ କରାଇପାରନ୍ତା ନାହିଁ । ଏହି ଦେଶରେ ଯେଉଁମାନେ କେବଳ ନିଜକୁ ହିଁ ଦେଖୁଛନ୍ତି, ଯେତେ ପାଠ ପଢ଼ିଥିଲେ ଏବଂ ଯେତେ ବେଶୀ ଦରମା ଭୋଗୁଥିଲେ ମଧ୍ୟ ସେମାନେ ଆମ ସମ୍ଭାବନାର ଘରଗୁଡ଼ିକୁ ବହୁତ ଉପାୟରେ ଲୁଟି ନେବାରେ ହିଁ ଲାଗିଛନ୍ତି, ସେମାନେ ସେହି ପୁରୁଣାଟାର ପ୍ରତିନିଧିତ୍ଵ କରୁଛନ୍ତି । ଏହି ପୁରୁଣାଟିକୁ ହିଁ ଯିବାକୁ ପଡ଼ିବ । ଶିକ୍ଷା ନୂଆ ହେବ, ରାଜନୀତି ନୂଆ ହେବ, ଶାସନଟା ମଧ୍ୟ ନୂଆ ପ୍ରତ୍ୟୟର ସହିତ ଚାଲିବ ଏବଂ ରାଜ୍ୟବାସୀ ସମସ୍ତଙ୍କ ନିମନ୍ତେ ଚାଲିବ । ବିହନ ହେବାକୁ ମନ କରିବା ମାତ୍ରକେ ଆମେ ଏହି ସବୁକିଛି ବାକି ରହିଥିବା କାର୍ଯ୍ୟଗୁଡ଼ିକୁ ଆମ ଚକ୍ଷୁ ସମକ୍ଷରେ ଦେଖିବାକୁ ପାଇବା । ତେଣୁ ଆମେ ମୋଟେ ଝାଉଁଳି ପଡ଼ିବା ନାହିଁ । ଗୁରୁଜନମାନେ ମାଳିକା ହାତରେ ଆମ ପାଖରୁ ସେହି ପୁରୁଣା ହଲପଗୁଡ଼ାକୁ କରାଇନେବାକୁ ଆସିଲେ ମଧ୍ୟ ଆମେ ଝାଉଁଳି ଯିବା ନାହିଁ । ପ୍ରତିବାଦ କରିବା । ସାରା ପୃଥିବୀରେ ଯେଉଁ ପ୍ରତିବାଦର ସ୍ୱରଟି କ୍ରମେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଆସୁଛି, ଆମେ ତାହାରି ସହିତ ସାମିଲ ହେବା । ଗଣତନ୍ତ୍ରରେ ଜଣମାନେ ଗଣ ଉପରେ ରାଜା ହୋଇ ବସିଥିବା ପର୍ଯ୍ୟନ୍ତ ଯାବତୀୟ ଶାସନ ଓ ବିଧାନ ବର୍ତ୍ତମାନ ପରି ଖତରା ହୋଇ ରହିଥିବ । ଧର୍ମତଃ ଗଣ ହିଁ ଆଖି ହୋଇ ଜଣକୁ ବାଟ ଦେଖାଇବ । ତେବେ ଯାଇ ଜୀବନ ଲକ୍ଷ୍ମୀମନ୍ତ ହେବ । ଏବେ ତ ରାଜ୍ୟର ଅଧାରୁ ଅଧିକ ମଣିଷଙ୍କୁ ବହୁବିଧ ଫାଶ ଭିତରେ ଅତ୍ୟନ୍ତ ଅସମର୍ଥ ଏବଂ ଭାଗ୍ୟନିର୍ଭର କରି ରଖାଯାଇଛି । ବିହନମାନେ ବାହାରିବେ ଏବଂ ସେହି ଫାଶକୁ ଛିଣ୍ଡାଇବେ । ତେଣୁ, ବାତ୍ୟାର ଏହି ବିପର୍ଯ୍ୟୟ ବେଳେ ଯେଉଁମାନେ ଆମପାଇଁ ତ୍ରାଣର ସାଧନମାନ ବୋହିଆଣି ଆମକୁ ବଂଚାଇଲେ, ଆମେ ସେମାନଙ୍କ ପାଖରେ କୃତଜ୍ଞ ହୋଇ ରହିବା-। ମାତ୍ର ଝଞ୍ଜକାଟା ଭିତରୁ ଶୀଘ୍ରାତିଶୀଘ୍ର ବାହାରି ଆସିବା । ଅନ୍ୟ ସାହସଗୁଡ଼ିକର ଯୋଗ୍ୟ ହେବା-। ହୁଏତ ଏହିପରି ଭାବରେ ଏହି ବାତ୍ୟାରୁ ମଧ୍ୟ ଶିକ୍ଷାଟିଏ ଲାଭ କରିପାରିବା । ଏକ ନୂତନ ଆରମ୍ଭର ମୂଳଦୁଆ ପଡ଼ିବ । ସେଥିରୁ ଯେଉଁ ଚେତନାର ଜନ୍ମ ହେବ, ସେଥିରେ ଏହି ପୁରୁଣା ବଳଦମାନେ ମଧ୍ୟ ବଳେ ମଣ ହୋଇଆସିବେ । ଅଲବତ ମଣ ହେବେ ।

Image

 

ଆସ ଗାଆଁଯାକ ବସିବା

 

୧୯୫୫ ମସିହାରେ ଦଳେଇ ଘାଇ ଭାଙ୍ଗିବା ପରେ ପୂରା ଏରସମା ଅଞ୍ଚଳଟା ଗୋଟିଏ ଜଳଲଙ୍ଗଲରେ ପରିଣତ ହୋଇ ଯାଇଥିଲା । ଏରସମା ଆଗରୁ ବନ୍ୟାଜଳ ସହିତ କେବେ ଅଭ୍ୟସ୍ତ ନଥିଲା । ତେଣୁ ଘାଇ ଭାଙ୍ଗିଲେ ଆମ ଧୋୟାଅଞ୍ଚଳ ଗାଆଁଗୁଡ଼ିକ ଯେତେ କ୍ଷତିଗ୍ରସ୍ତ ହୁଅନ୍ତି, ଏରସମାକୁ ତାହାର ବହୁଗୁଣ ଅଧିକ ଦଣ୍ଡ ଭୋଗିବାକୁ ପଡ଼ିଥିଲା । ମନେଅଛି, ଆମକୁ ଜଗତସିଂହପୁର ନିକଟରେ ଥିବା ଏରଡ଼ଙ୍ଗାଠାରୁ ଲଞ୍ଚରେ ବସି ସିଧା ଏରସମା ଯିବାକୁ ହୋଇଥିଲା । ଆମେ, ଅର୍ଥାତ୍ ଆମ ଚମ୍ପତିମୁଣ୍ଡା ଜୀବନ ବିଦ୍ୟାଳୟର କୋଡ଼ିଏ ଜଣ ଛାତ୍ର ଓ ମୁଁ । ଆମେ ତେଣେ ପ୍ରାୟ ଦୁଇମାସ ରହି ବନ୍ୟାଗ୍ରସ୍ତ ଗାଆଁମାନଙ୍କରେ ତ୍ରାଣକାର୍ଯ୍ୟ କରିଥିଲୁ । ନିର୍ଦ୍ଧାରିତ ଦୁଇମାସ ପରେ ଫେରିବା ସମୟରେ ମଧ୍ୟ ଆମେ କେତୋଟି ହୁଲିଡ଼ଙ୍ଗାରେ ବସି ଏରସମାରୁ ରାହାମା ପର୍ଯ୍ୟନ୍ତ ଆସିଥିଲୁ । ପାଣି ତେବେସୁଦ୍ଧା ଖସି ନଥିଲା । ଜଳପଥ ହିଁ ସୁଗମତମ ଥିଲା । ସେତେବେଳେ ଦଳ ଦଳ ହୋଇ ଏରସମାର ପ୍ରାୟ ପ୍ରତ୍ୟେକ ଗାଆଁକୁ ଆମେ ଯାଇଛୁ । ଏଥରର ବାତ୍ୟା ପରେ ଏରସମାର କେନ୍ଦ୍ର ମହକୁମାଟିରେ ଯାଇ ପହଞ୍ଚୁ ପହଞ୍ଚୁ । ସେଥିଲାଗି ପୂର୍ବ ଅନୁଭବର ସବୁକିଛି କଥା ଜଳ ଜଳ ହୋଇ ମନେପଡ଼ିଗଲା । ନାଆଁମାନେ ଅତ୍ୟନ୍ତ ପରିଚିତ ପରି ଲାଗିଲେ । ଅନ୍ଧାକୀ, ଆମ୍ବିକୀ, କିଆଦା, ଓଲରା, ଗୋଡ଼ା, ଉଚ୍ଚ ନୂଆଗାଁ, ବାମଦେଇପୁର ଓ ପଞ୍ଚପଲ୍ଲୀ,- ଏହିପରି କେତେ କେତେ ନାଆଁ । ବରୁଣ ରାଜାଙ୍କ ମାହାଲରେ ଏକ ସ୍ଵତନ୍ତ୍ର ତୋଟା ପରି ରାମତରା ନାମକ ଯେଉଁ ଦ୍ୱୀପଟିକୁ ମଧ୍ୟ ଆମେ ସେତେବେଳେ ଯାଇଥିଲୁ, ସେଇଟି ବି ସ୍ମରଣରୁ ନିଭି ଯାଇନଥିଲା । ସେକାଳର ବହୁତ ମଣିଷ ଏବକୁ ଆଉ ନଥିବେ, ସେକାଳର ଛୁଆମାନେ ବର୍ତ୍ତମାନ ପୌଢ଼ ହୋଇ ସାରିବେଣି । ତଥାପି ମଣିଷ ହିଁ ତ ରହି ଆସିଥିବେ । ଏବଂ, ଏହି ପ୍ରଚଣ୍ଡ ବାତ୍ୟାଟା ଆସି ସେହି ମଣିଷମାନଙ୍କର ସଂସାରଟିକୁ ଏକାବେଳେକେ ଉଚ୍ଛନ୍ନ କରି ନେଇଗଲା । ଅତ୍ୟନ୍ତ କ୍ରୋଧର ସହିତ ପ୍ରାୟ ଅଢେଇ ମାସ ତଳେ ମୁଁ ଏରସମାର ଗୋଟାଏ ପିଣ୍ଡାରେ ବସି ସେହି କଥା ଭାବୁଥିଲି ।

 

ଏଥର ଏହି ବାତ୍ୟା ଅତ୍ୟନ୍ତ ଅତର୍କିତ ଭାବେ ଆସିଲା । ଆମକୁ ଗୋଟାସୁଦ୍ଧା ଉଚ୍ଛନ୍ନ କରିଦେଲା । କେତେ ଭାସିଗଲେ, ଗୋରୁଗାଈ, କ୍ଷେତ ତୋଟା ସବୁ ଉଜୁଡ଼ିଗଲା । ଖଣ୍ଡ ପ୍ରଳୟ ହୋଇଗଲା । ଆମର ଉଦାହରଣ ଦେଇ ସହରର ଖବରକାଗଜମାନେ ପୂର୍ବରୁ ଲେଖାହୋଇ ରହିଥିବା ମାଳିକାଗୁଡ଼ିକ ସତ ହେଲେ ବୋଲି ଘୋଷଣା ମଧ୍ୟ କଲେ । ଏହି ପୃଥିବୀରେ ଏହି ମଣିଷ କ’ଣ ପ୍ରକୃତରେ ଏତେ ଦୁର୍ବଳ ଏବଂ ଏଡ଼େ ଅସହାୟ,- ଆମେ ଯେଉଁମାନେ ବାକି ରହିଥିଲୁ ବଡ଼ ନିରାଶା ସହିତ ଭାବିବାକୁ ଲାଗିଲୁ । ଏଠି କ’ଣ ପ୍ରକୃତରେ କେହି କାହାର ନୁହନ୍ତି,- ଭାଗ୍ୟର ହାତରେ ସତକୁ ସତ ଗୋଟିଏ ନିମିଷରେ ସମସ୍ତେ କିଏ ଯେ କୁଆଡ଼େ ଉଡ଼ିଯିବେ,- ଭଗବାନ ବି ସେମାନଙ୍କୁ ରକ୍ଷା କରିପାରିବେ ନାହିଁ । ଠିକ୍ ସେତିକିବେଳେ ଏକ ନୂଆ ଘଟଣା ଘଟିଲା । ଏହି ଘଟଣା ଏରସମାରେ ଆଗରୁ କେବେ ଘଟିନଥିଲା । ସାରା ପୃଥିବୀ ଏରସମାରେ ଆସି ରୁଣ୍ଡ ହୋଇଗଲା । ସମସ୍ତେ ଆମ ସକାଶେ ସାହାଯ୍ୟ ଆଣି ପହଞ୍ଚିଗଲେ । ଦେଶଟାଯାକର କେତେ ଆଡୁ ପାଠ ପଢୁଥିବା କେତେ ପୁଅଝିଅ ଆସି ପହଞ୍ଚିଗଲେ । ଦୂର ଦୂରରୁ ଡାକ୍ତରମାନେ ଆସି ପହଞ୍ଚିଗଲେ । ସ୍ୱେଚ୍ଛାସେବୀ ଦଉଡ଼ି ଆସିଲେ । ଏକଦା ସଂସାର ଛାଡ଼ି ବାବାଜୀ ହୋଇଯାଇଥିବା ବୈରାଗୀମାନେ ଆସି ମଢ଼ ପୋଡ଼ିଲେ, ମଲା ପଶୁମାନଙ୍କୁ ପୋତିଲେ । ସେମାନେ କେହି ଆମକୁ ଚିହ୍ନି ନଥିଲେ । ଆମକୁ ସାହାଯ୍ୟ କଲେ ସେମାନଙ୍କର ସ୍ଵର୍ଗଲାଭ ହୋଇଯିବ ବୋଲି କୌଣସି ବାଉଳା ଭାବନା ନେଇ ସେମାନେ ଏରସମାରେ ତ୍ରାଣକାର୍ଯ୍ୟ କରିବାକୁ ଆସିନଥିଲେ । ପୂରା ଦେଶଟା ସମେତ ଆହୁରି ଅଧିକ ବଡ଼ ପୃଥିବୀଟା ମଧ୍ୟ ଆମର ଥଇଥାନ ନିମନ୍ତେ କୋଟି କୋଟି ଟଙ୍କା ବିଞ୍ଚି ଦେଲେ । ଇଏ ପ୍ରକୃତରେ ଏକ ଅଭୂତପୂର୍ବ ଘଟଣା । ସେତେବେଳେ ସରକାରୀ ବେସରକାରୀ ମଧ୍ୟରେ କୌଣସି ପାର୍ଥକ୍ୟ ରହିଲା ନାହିଁ । ସମସ୍ତେ ଆମର ବନ୍ଧୁପରି ଆସି ପାଖରେ ଛିଡ଼ା ହେଲେ । ଆମ ଦୁର୍ଗତିର ସମସ୍ତ ସାମୟିକ ସମ୍ମୋହକୁ ଦୂର କରିଦେଇ ଏଇ ପୃଥିବୀରେ ପ୍ରକୃତରେ ସମସ୍ତେ ସମସ୍ତଙ୍କର ବୋଲି କେଡ଼େ ସହଜ ମାର୍ଗରେ ଆମକୁ କହି ଦେଇଗଲେ । ପୃଥିବୀରେ ସ୍ୱାର୍ଥ ଅଛି, ଦ୍ୱୈଷ ଓ ବାଦବିବାଦ କେତେ କେତେ ଜାକଜମକରେ ଏଠି ଚଉକୀ ପକାଇ ବସିଛି । ତଥାପି ହୃଦୟ ନାମକ ଗୋଟିଏ ଡୋର ପୃଥିବୀର କୋଟି କୋଟି ମଣିଷଙ୍କୁ ଏକତ୍ର ବାନ୍ଧି ରଖିଛି । ଧର୍ମ, ଭାଷା, ଅଭ୍ୟସ୍ତତା, ନୀତି, ଅନୀତି,- ଏସବୁର ବାହ୍ୟ କାରବାର ଗୁଡ଼ାକରେ ମଣିଷମାନେ କେତେ ଫରକ ହୋଇ ରହିଛନ୍ତି । ଗୁରୁମାନେ ତଥା ଉଚ୍ଚମଥାମାନେ ତୁମ ଆମ ସର୍ବଜନଙ୍କୁ ପରସ୍ପରଠାରୁ ଅଲଗା ବୋଲି ପ୍ରତିପାଦିତ କରିବା ନିମନ୍ତେ କେତେ ଶାସ୍ତ୍ରକୌଶଳ ଫାନ୍ଦି କରି ରଖିଛନ୍ତି । ତଥାପି ଗୋଟାଏ ଗୋଟାଏ ଘଟଣା ଏହି ପୃଥିବୀରେ ହିଁ ଘଟୁଛି, ଯାହାକି ଆମକୁ ଆମର ସତ ପରିଚୟଟି ବିଷୟରେ ଚେତାଇ ଦେଇଯାଉଛି ।

 

ପୃଥିବୀରେ ଆଜି ସେହି ସତ ପରିଚୟଟିକୁ ଆମର ନିତ୍ୟ ବାସ୍ତବ ପରିଚୟରେ ପରିଣତ କରିବା ସକାଶେ କେତେ ଉଦ୍ବେଳନ ଆରମ୍ଭ ହୋଇଗଲାଣି । ଅନ୍ଧାକୀ, ଆମ୍ବିକୀ ଓ ଓଲରା ଗାଆଁରେ ଆମେ ଯେଉଁମାନେ ତଥାପି ଭାସି ନଯାଇ ରହିଗଲୁ, ସାରା ପୃଥିବୀଟା ବିରାଦର ହୋଇ ଆମକୁ ଜୀଆଇ ରଖିବାର ଏତେ ଏତେ ଆଗ୍ରହ ଏବଂ ଉଦ୍ୟମ ଦେଖାଇବା ପରେ ଆମେ କଦାପି ଆମ ପୁରୁଣା ହିସାବରେ ସେହି ଗାଆଁଗୁଡ଼ାକୁ ଆଦୌ ଫେରିଯିବୁ ନାହିଁ । ଆମ ଗାଁରେ ନୂଆ ଘର ତିଆରି ହେବ, ଆମର ବିଲମାନଙ୍କରେ ନୂଆ ବିହନ ପଡ଼ିବ, ଆମ ତୋଟାଗୁଡ଼ାକୁ ନବଜନ୍ମ ହେଇ ନୂଆ ଗଛସବୁ ଲଗାହେବ,- ମାତ୍ର ଆମେ କଦାପି ଏତିକିରେ ସନ୍ତୁଷ୍ଟ ହୋଇ ରହିଯିବୁ ନାହିଁ । ଆମେ ହୃଦୟର ଆଖିରେ ଆମର ଏହି ସାନ ବସତିମାନଙ୍କର ନୂଆ ନିୟତିକୁ ଗଢ଼ିବୁ । ଏହାକୁ ଏପରି ଗଢ଼ିବୁ, ଯେପରି କି ସହରରେ ସତେଅବା ଅନ୍ୟ ଏକ ପୃଥିବୀରେ ବାସ କରୁଥିବା ପାଠୁଆ ଏବଂ ଉଚ୍ଚ ଚାକିରିଆମାନେ ଆମେ ସେମାନଙ୍କର କେତେ ନା କେତେ ପଛରେ ରହିଗଲୁ ବୋଲି ମୋଟେ ରୋଦନ କରିବେ ନାହିଁ ଏବଂ ମାତ୍ର କେତେଟା କୋମଳ ଅର୍ଥାତ୍ ରୋମାଣ୍ଟିକ୍ ମୁହୂର୍ତ୍ତରେ ଆମ କଥା ଭାବି ଦୟାସଡ଼ସଡ଼ ହୋଇ ଉଠିବେ ନାହିଁ । କାଳକାଳରୁ ଏକ ଉପେକ୍ଷା ହିଁ ଆମ ଗାଆଁରେ ରାଜା ହୋଇ ବସିଥିଲା, ଆମକୁ ଯାବତୀୟ ଦୁର୍ବୁଦ୍ଧି ନିମନ୍ତେ ନାନାବିଧ କୁପରାମର୍ଶରେ ଫୁସୁଲାଇ ରଖିଥିଲା । ପୃଥିବୀର ଏତେ ଏତେ ମଣିଷ ଯେ ଆମକୁ ଚିହ୍ନିନଥିଲେ ମଧ୍ୟ ଆମର ନିଜ ମଣିଷ ପରି ଆମ ପାଖରେ ଆସି ପହଞ୍ଚିଲେ, ଆମେ ମଧ୍ୟ ସେଥିରୁ ଶିଖି ଆମ ଗାଆଁର ସବୁ ମଣିଷଙ୍କୁ ଗଣନା ଭିତରକୁ ଅଲବତ ନେବୁ । ଆମକୁ ଭୂତ ହୋଇ ମାଡ଼ି ବସିଥିବା ଯାବତୀୟ ଅସମାନତାକୁ ଆମେ କ୍ରମେ ପ୍ରତ୍ୟାଖ୍ୟାନ କରି ଶିଖିବୁ । ଆମେ ଆମ ଗାଆଁର ଯୋଗ୍ୟ ହେବୁ ଅର୍ଥାତ୍ ପରସ୍ପରର ଯୋଗ୍ୟ ହେବୁ । ଗାଆଁଟିକୁ ଯେଉଁଭଳି ନୂଆ ଗଢ଼ଣଟିଏ ଦେଇ ତିଆରି କଲେ ତାହା ସତକୁ ସତ ସମଗ୍ର ପୃଥିବୀ ପରି ପ୍ରଶସ୍ତ ଦେଖାଯିବ, ତାକୁ ଆମେ ସେହିଭଳି ଗଢ଼ିବୁ-

ସେଥିଲାଗି ସବାଆଗ ଏକାଠି ବସିବୁ । ଜଣେ କାହାକୁ ମଧ୍ୟ ବାଦ୍ ଦେବୁ ନାହିଁ । ଭାରତବର୍ଷରେ ଲକ୍ଷ୍ମୀ ଭର୍ତ୍ତି ହୋଇ ରହିଥିଲେ ମଧ୍ୟ ସର୍ବଦା କେତେ ମଣିଷଙ୍କୁ ବାଦ୍ ଦେଇ ହିଁ ଏଠାରେ ସବୁକିଛିର ଯୋଜନା ହୋଇ ଆସିଛି । ସେହି କଥାଟା ହିଁ ଯୁଗାନୁକ୍ରମେ ଗଡ଼ି ଆସିଛି ଏବଂ ଉପର ତଳ ସମସ୍ତଙ୍କୁ ବଡ଼ ଅଲକ୍ଷଣା କରି ରଖିଛି । ଆମେ ସେହି ଖଳ ପରମ୍ପରାଟାର ପୁନରାବୃତ୍ତି କରିବୁ ନାହିଁ । ସମସ୍ତଙ୍କୁ ଏକାଠି ବସାଇବୁ । ସମସ୍ତେ ମଥା ଏକାଠି କରିବେ,- ଏହି ଗାଆଁରେ ଯେପରି ସମସ୍ତେ ନିର୍ଭୟ ହୋଇ ରହିବେ ଓ ଏହି ଗାଆଁ ନିଜର ଗାଆଁ ବୋଲି ଅନୁଭବ କରିପାରିବେ, ଆମେ ସେଥିଲାଗି ଆମ ନିଜଆଡ଼ୁ ହିଁ ବାଟ ଫିଟାଇଦେବୁ । ଆମର ଗାଆଁ ନାମକ ଏହି ସଂସାରଟି ଯେ କାଳକାଳରୁ ସାନ ବଡ଼ ବହୁ ସ୍ଵାର୍ଥଖଣ୍ଡରେ ବିଭକ୍ତ ହୋଇ ରହିଛି, ତାହାହିଁ ଆମ ସମସ୍ତଙ୍କୁ ପରସ୍ପର ପାଖରେ ଏପରି ଅଧମ ଏବଂ ଅଯୋଗ୍ୟ କରି ରଖିଛି । ଏହି ସ୍ଥିତିରେ ଏକ ପରିବର୍ତ୍ତନ ଆସୁ ବୋଲି ଇଚ୍ଛା କରି ଆମ ଦେଶର ସମ୍ବିଧାନ ଲେଖାଯାଇଛି, ଗତ ପଚାଶବର୍ଷ ହେଲା ସରକାର ମଧ୍ୟ ଛତାବାଡ଼ି ଧରି କେତେ କ'ଣ ମସୁଧା କରିବାରେ ଲାଗିଛନ୍ତି । ବିଶେଷ ସେପରି କିଛି ଅଗ୍ରଗତି ହୋଇନାହିଁ । ଯାହା ସତକୁ ସତ ହୁଏ, ତାହା ଏହି ତଳଆଡୁ ହିଁ ହୁଏ । ଉପରବାଲା ଟଙ୍କା ଖରଚ କରନ୍ତି; ହୁଏତ ଆହୁରି ସବୁ କ’ଣ କରନ୍ତି ଯେ, ସେହି ଟଙ୍କାର ଗୋଟାଏ ବଡ଼ ଅଂଶ ଆଉ କୁଆଡ଼େ ଚାଲିଯାଏ । ପାଠୁଆ ମାନଙ୍କର ବୁଦ୍ଧି ଓ କୌଶଳ ପୃଥିବୀର କୋଟି କୋଟି ସାଧାରଣ ମଣିଷ ମାନଙ୍କର କେତେକେତେ କ୍ଷତି କରିବାରେ ଲାଗିଛି । ଏହି ସାଧାରଣ ମଣିଷମାନେ ହିଁ ପୃଥିବୀରେ ଅଧିକ ସଂଖ୍ୟାରେ ରହିଛନ୍ତି । ଆମର ଗାଆଁକୁ ଆମେ ହୃଦୟ ଦେଇ ଗଢ଼ିବୁ । ଯେଉଁଠି ବୁଦ୍ଧି ଏବଂ ହୃଦୟ ଭିତରେ ଦ୍ୱନ୍ଦ ଉପସ୍ଥିତ ହେବ, ସେଠାରେ ଆମେ ହୃଦୟର କଥାକୁ ହିଁ ମାନିବୁ । ବୁଦ୍ଧିର ଫୁସୁଲା ଗୁଡ଼ାକୁ ଅଡ଼େଇ ଦେଇ ଚାଲିଯାଇ ପାରୁଥିବୁ ।

ଆମ ଗାଆଁର ନବବିଧାନ ଏବଂ ନବନିର୍ମାଣ ଆମ ପିଲାମାନଙ୍କ ଠାରୁ ଆରମ୍ଭ ହେବ । ପିଲାଏ ଖାଲି ସେମାନଙ୍କର ବାପମାଆଙ୍କର ନୁହନ୍ତି, ସେମାନେ ସମସ୍ତଙ୍କର, ସାରା ଗାଆଁର । ପାଠ ପଢ଼ିବାର ବୟସ ହେଲେ ସେମାନେ ସମସ୍ତେ ପାଠଶାଳାକୁ ଆସିବେ । ଏକାଠି ଏକା ପାଠ ପଢ଼ିବେ । ଏକାଠି ଖେଳିବେ । ଏକାଠି ଚଗଲା ହେବେ ଏବଂ ଏକାଠି ନିଜର ଗାଆଁଟିକୁ ନିଜ ଜୀବନ ମଧ୍ୟକୁ ସ୍ୱୀକାର କରି ନେଇ ଶିଖିବେ । ଏବେ ସବୁ ପିଲା ଯେ ଇସ୍କୁଲକୁ ଆସୁନାହାନ୍ତି, ସରକାର ଏଥିପାଇଁ କେତେ ଦଉଡ଼ଧାପଡ଼ି କଲେ ମଧ୍ୟ ତଥାପି ଆସୁନାହାନ୍ତି, ସେଇଥିପାଇଁ ଖାଲି ପୂରା ଦେଶଟା ନୁହେଁ, ଆମ ଗାଆଁଟା ମଧ୍ୟ ମୂଳରୁ ହିଁ ଭାଗଭାଗ ହୋଇ ଯାଉଛି । ଏହିପରି ଭାବରେ ଆମ ଗାଆଁର ଚାଟଶାଳୀରୁ ହିଁ ଯୁଗ ଯୁଗ ଧରି ଆମର ସାମୂହିକ ଜୀବନର ଗୋଡ଼ରେ ପଥର ବାନ୍ଧି ରଖିଥବା ଜାତିଗତ ଯାବତୀୟ ଦୂରତାକୁ ହଟାଇବା ନିମନ୍ତେ ଆମର ପ୍ରଚେଷ୍ଟା ଆରମ୍ଭ ହେବ । ଏହି ଯେଉଁ ବାତ୍ୟା ଆସିଲା, ସମୁଦ୍ର ପାଣି ମାଡ଼ି ଆସିଲା, ସେମାନେ ତ ଜାତିଗତ କୌଣସି ବିଭେଦ ମାନିଲେ ନାହିଁ । ବିଧାତାତ ଆମ ସମସ୍ତଙ୍କୁ ଜଣେ ମଣିଷ କରି ତିଆରି କରିଥିଲା–ଆମେ ଦୁର୍ବୁଦ୍ଧି ଭିତରେ ରହି ଆମ ସାମାଜିକ ସଂପର୍କ ଗୁଡ଼ିକରେ ପରସ୍ପରଠାରୁ କାହିଁକି ଏପରି ଅଲଗା ହୋଇ ରହିବୁ କେଜାଣି ? ଆମର ପିଲାମାନେ ହିଁ ସବାଆଗ ସେହି ବିଭେଦକାରୀ ହିଡ଼ଗୁଡ଼ାକୁ ଭାଙ୍ଗିବେ । ସମାନତାର ନୂଆ ଭାବନାଟିକୁ ଇସ୍କୁଲରୁ ଆଣି ଘରେ ପୂରାଇବେ । ତା’ପରେ ଆମ ଗାଆଁର ଠାକୁରଙ୍କ ପାଖକୁ ଯିବା ପାଇଁ ମଧ୍ୟ ସମସ୍ତଙ୍କ ଲାଗି ଦୁଆର ଖୋଲାଯିବ । ବାରଣ ଗୁଡ଼ାକ ଏହି ମଣିଷ ତିଆରି କରିଛି, ଠାକୁରଙ୍କର ଏଥିରେ ଆଦୌ କୌଣସି ଦୋଷ ନାହିଁ ।

ଭାରତବର୍ଷ ସ୍ୱାଧୀନ ହେବା ପରେ ନୂଆ ନୂଆ ସୁଯୋଗ ଓ ନୂଆ ନୂଆ ଆକର୍ଷଣ ସୃଷ୍ଟି କରି ଯହୁଁ ଯହୁଁ ଅଧିକ ସଂଖ୍ୟାରେ ଏହି ସହରଗୁଡ଼ାକ ଗଢ଼ିହୋଇ ଆସୁଛନ୍ତି, ଗାଆଁରୁ ଅଧିକ ମଣିଷ ସେହି ସହର ଆଡ଼କୁ ହିଁ ଟାଣିହୋଇ ଚାଲି ଯାଇଛନ୍ତି । ପାଠ କେତେ ଅକ୍ଷର ପଢ଼ିବା ପରେ ସେମାନଙ୍କର ମୁଣ୍ଡ ଭିତରେ ରହିଥିବା ପୋକଟା ସେମାନଙ୍କୁ ଗୋଟାଏ କୋଉ ବାଗରେ କାମୁଡ଼ି ଦେଉଛି ଯେ ସେମାନେ ସହରକୁ ହିଁ ସବୁଯାକ ସୁଖର ପୁଣ୍ୟପେଣ୍ଠ ବୋଲି ଭାବିବାକୁ ଆରମ୍ଭ କରି ଦେଉଛନ୍ତି । ସେମାନେ ସହର ମାନଙ୍କରେ ଚାକିରି କରିଛନ୍ତି, ନଗଦ ପଇସା ଉପାର୍ଜନ କରୁଛନ୍ତି ଏବଂ ଆଖିଦୃଶିଆ ଭଳି ଭଳି ଜୀବନଯାପନ କରୁଛନ୍ତି । ଗାଆଁରୁ ଯିଏ ବା ଯେଉଁମାନେ ଚାଲି ଯାଉଛନ୍ତି ଯାଆନ୍ତୁ । ଆମେ ଗାଆଁବାଲାଏ ସେମାନଙ୍କୁ ମୋଟେ ଅଟକାଇ ରଖିବା ନାହିଁ । ସେମାନେ ସେଠି ଘରଦୁଆର କଲେଣି, ସହର ରୀତିରେ ଆତଯାତ ହେଲେଣି । ସେଥିରେ ମଧ୍ୟ ଆମେ କେବେହେଲେ , ଆପତ୍ତି କରିବୁ ନାହିଁ । ମାତ୍ର କାଳକ୍ରମେ ଗାଆଁରେ ଏଭଳି ଗୋଟିଏ ସ୍ଥିତି ହୋଇଯାଇଛି ଯେ, ଏଠି ଅଧିକାଂଶ ଜମିର ମାଲିକ ବର୍ତ୍ତମାନ ଗାଆଁରେ ନୁହେଁ, ସହରରେ ହିଁ ରହୁଛନ୍ତି । ସେମାନଙ୍କର ବାପା ଅଜା ସେହି ଜମିକୁ ଅର୍ଜିଥିଲେ; ସେମାନେ ସମସ୍ତେ ଗାଆଁରେ ହିଁ ରହୁଥିଲେ । ମୁଖ୍ୟତଃ ସେଇମାନେ ହିଁ ନିଜର ପିଲାଙ୍କୁ ସହରରେ ପାଠ ପଢ଼ାଇଲେ, ସହରମୁହାଁ କଲେ । ଅଥଚ ପୈତୃକ ଜମିଗୁଡ଼ିକ ଗାଆଁରେ ରହିଲା ଏବଂ କାଗଜପତ୍ରରେ ସେଇମାନେ ତାହାର ମାଲିକ ହୋଇ ରହିଲେ । ନିଜର ଜମିକୁ ଏମାନେ ଗାଆଁରେ ରହୁଥିବା ଲୋକମାନଙ୍କୁ ଭାଗରେ ଦେଲେ ।

ଅର୍ଥାତ୍, ଗାଆଁରେ ଥିବା ଅଳପିକିଆମାନେ ସହରରେ ସଂସାର ବାନ୍ଧି ରହୁଥିବା ଥୋକେ ମଣିଷଙ୍କର ଜମିକୁ ଭାଗରେ ଚାଷ କଲେ । ମାଲିକ ହୋଇଥିବାରୁ ଏମାନେ ଉତ୍ପାଦନରୁ ମଧ୍ୟ ଅଂଶ ନେଲେ,- ଇହାଦେ ମଧ୍ୟ ନେଉଛନ୍ତି । ଏଣୁ ବହୁ ଅନର୍ଥର ସୃଷ୍ଟି ହେଉଛି । ଭାରତବର୍ଷରେ ଆବାଦ ହୋଇ ପାରୁନଥିବା ବହୁତ ଜମି ପଡ଼ିଆ ରହୁଛି ପଛକେ, ଗାଆଁରେ ଭୂମିହୀନ ମଣିଷମାନେ ରହିଥିଲେ ମଧ୍ୟ ସେଗୁଡ଼ିକ ଚଷି ପାରୁନାହାନ୍ତି । ଆଉ କେତେ ପୁରୁଷଯାଏ ଏହି ଅବସ୍ଥା ଲାଗି ରହିଥିବ କେଜାଣି ?

ଏଣିକି ଆମ ଗାଆଁରେ ଜମି ବ୍ୟବସ୍ଥା ଏବଂ କୃଷି ବ୍ୟବସ୍ଥା ଅନ୍ୟ ହିସାବରେ ଓ ଅନ୍ୟ ନ୍ୟାୟରେ ହେବ । ଆମେ ଗାଆଁବାଲା ସମସ୍ତେ ଏକାଠି ବସି ସେହି ନୂଆ ହିସାବଟିକୁ ସ୍ଥିର କରିବା-। ଯେଉଁମାନେ ଗାଆଁରେ ରହିବେ, ଜମିର ଚାଷ କରିବେ, ଅର୍ଥାତ୍ ଯେଉଁମାନଙ୍କର କୁଟୁମ୍ବ କୃଷି ଉପରେ ହିଁ ନିର୍ଭର କରୁଥିବ, ଜମି ମଧ୍ୟ ସେହିମାନଙ୍କର ହେବ । ବାପା ଅଜାଙ୍କ ଜମି ହାତକୁ ଆସିଛି ବୋଲି ଯେଉଁମାନେ ବାହାରେ ଥାଇ ଓ ବାହାରର ନାନା ଜୀବିକା ଆଦରି ମଧ୍ୟ ନିଜକୁ ଜମିର ମାଲିକ ବୋଲାଇ ଫସଲର ଅମଳ ବେଳକୁ ଗାଆଁକୁ ଆସି ଭାଗ ଦାବି କରିବେ, ସେମାନଙ୍କୁ ଆମେ ସେହି ଅସୁନ୍ଦର ରୀତିଟାକୁ ସେହି ଆଗପରି ବଜାୟ ରଖିବାକୁ ଆଦୌ ସୁଯୋଗ ଦେବୁ ନାହିଁ । ଯିଏ କୃଷିକୁ ଜୀବନର ଧର୍ମ ରୂପେ ଗ୍ରହଣ କରିଛି, ଜମି ତାହାରି ହୋଇ ରହିବ । ଜଣେ ଅଣକୃଷକ ଜମିର ମାଲିକ ବୋଲାଇ ଅମଳରୁ ଭାଗ ଦାବି କରିଆସିବ, ଏକଥା ଆଉ ହୋଇପାରିବ ନାହିଁ ।

କୃଷିକୁ ଆଦରି ଥିବା ଗ୍ରାମବାସୀ କୃଷକମାନେ ହିଁ ଜମିର ଅଧିକାରୀ ହେବେ ଏବଂ ତେବେଯାଇ ଗାଁର କୃଷିରେ ଅଧିକ ସଫଳ ଭାବରେ ବିଜ୍ଞାନବୁଦ୍ଧିର ପ୍ରୟୋଗ ହୋଇପାରିବ, ଏବଂ ଭାଗ ଦିଆଯାଇ ପାରିଲା ନାହିଁ ବୋଲି ଆମ ଗାଆଁରେ ଜମି ବା ବଗିଚା ପଡ଼ିଆ ପଡ଼ି ରହିଲା, ଏକଥା ହେବନାହିଁ । ଦେଶ ସ୍ଵାଧୀନ ହେବା ପରେ ପରେ ହିଁ ଏହି କଥାଟି ସବାଆଗ ହୋଇଥାଆନ୍ତା । ଚଲାଖି ଲୋକମାନେ ତାହା କରାଇ ଦେଲେନାହିଁ । ଦେଶଟା ଅଳପ ମଣିଷଙ୍କର ଭୋଗଭୂମି ହୋଇ ରହିଲା । ପୃଥିବୀରେ, ସବୁ ଆଗୁଆ ଦେଶରେ ଜମିମାଲିକ ହିଁ ଜମିର ଆବାହ କରୁଛନ୍ତି- ଭାଗଚାଷୀ ପ୍ରଜା ବୋଲି ଆଦୌ କେହି ନାହାନ୍ତି । ଆମେ ମଧ୍ୟ ଗାଆଁରେ ଏକାଠି ବସି ସେହି ନୂତନ ବିଧାନଟିକୁ ଗ୍ରହଣ କରିନେବା ।

ଯେଉଁମାନେ ଗାଆଁ ଜମିର ମାଲିକ ହୋଇ ରହିଛନ୍ତି ଓ ଅମଳରୁ ଭାଗ ନେବାକୁ ବାହାରୁ ଆସି ପହଞ୍ଚି ଯାଉଛନ୍ତି, ସେମାନଙ୍କୁ ମଧ୍ୟ ସାଙ୍ଗରେ ବସାଇ ଆମେ ଏହି ନୂଆ ନିଷ୍ପତ୍ତଟିକୁ ଗ୍ରହଣ କରିବା । ଆଗାମୀ ପାଞ୍ଚ ବା ଦଶ ବର୍ଷ ଭିତରେ ଯେପରି ବାଞ୍ଛିତ ପରିବର୍ତ୍ତନଟି କାର୍ଯ୍ୟକାରୀ ହୋଇପାରିବ, ସେଥିଲାଗି ସମସ୍ତେ ଏକତ୍ର ବିଚାର କରି ଗୋଟିଏ ଫଇସଲା କରିପାରିବେ । ଏଥିରେ ଜମିକୁ ଛଡ଼ାଇ ନେବାର କୌଣସି ପ୍ରଶ୍ନ ରହିବ ନାହିଁ ।

ଗାଆଁ ସବଳ ହେଲେ ପ୍ରକୃତିର କୋପ ମଧ୍ୟ ଗାଆଁକୁ ମୋଟେ ଏଥର ପରି ଉଚ୍ଛନ୍ନ କରିଦେଇ ପାରିବ ନାହିଁ ବା ଗ୍ରାମରେ ଏତେ ଏତେ ଅସହାୟ ମଣିଷ ମଧ୍ୟ ରହିବାର ଆଦୌ କୌଣସି କାରଣ ନଥିବ । ଅସଲ ଶାନ୍ତି ସେତିକିବେଳେ ଆସିବ । ଅସଲ ସୁରକ୍ଷା ସେତିକିବେଳେ ହେବ ।

Image

 

Unknown

ଅଶୁଭ ଅନେଶ୍ୱତ

 

ସବୁବର୍ଷ ପରି ୧୯୯୯ ବର୍ଷଟା ମଧ୍ୟ ଆସିଲା ଓ ଗଲା । ଅନ୍ୟ ବରଷଗୁଡ଼ିକ ଭଳି ଏହି ବରଷଟିକୁ ମଧ୍ୟ ଆମେ ପୂରା ଉତ୍ସାହରେ ଭୋଗ କଲୁ । ନିଜର ଭୋକଶୋଷ ମେଣ୍ଟାଇଲୁ । ଜୀବିକାର ଦାଣ୍ଡରେ ନିଜର ପାରିଲାପଣ ଗୁଡ଼ିକୁ ଦେଖାଇବାରେ ଏତେ ଟିକିଏ ହେଲେ କସର କଲୁନାହିଁ । ଯିଏ ଯେଉଁପରି ଧର୍ମରେ ବା ଅଧର୍ମରେ ରହିଥିଲା, ସେହି ଧର୍ମ ଓ ଅଧର୍ମକୁ ସିଏ ମନବୋଧ ହେବାଯାଏ ପାଳନ କଲା । ବାହା ତିଥିରେ ବାହାଘର ହେଲା, ବଟୁମାନଙ୍କର ବ୍ରତଘର ହେଲା । ରାଜନୀତିର ଘୋଡ଼ାମାନେ ଓ ମେଣ୍ଢାମାନେ ବିଧିମୁତାବକ ଆପଣାର କର୍ତ୍ତବ୍ୟ ପୂରଣ କଲେ, ଏ ଦଳକୁ ଛାଡ଼ି ସେ ଦଳରେ ପଶିଲେ, ଏ ଖୋସଣିଟାକୁ ଫିଟାଇ ସେ ଖୋସଣିଟାକୁ ପକାଇଲେ । ସବୁବର୍ଷ ପରି ଶିକ୍ଷକମାନେ ମଧ୍ୟ ରୁଷିଲେ, ଦୋକାନ ବନ୍ଦ କରି ଦାଣ୍ଡକୁ ବାହାରିଲେ-। ହତ୍ୟାମାନ ଠିକ୍ ଆଗପରି ହେଲା । କେତେ କିଏ ଖଣ୍ଡିଆ ଦଣ୍ଡିଆ ହେଲେ ଓ ଆହୁରି କେତେ କିଏ ଖଣ୍ଡିଆ ଦଣ୍ଡିଆ କଲେ । ଭୋଟ ହେଲା, ସରକାରମାନେ ଭାଙ୍ଗିଲେ ଓ ଗଢ଼ାହେଲେ । ଭାରତବର୍ଷ ଓ ପାକିସ୍ତାନ ଉଭୟେ ଗୋଟାଏ ଗୋଟାଏ ନୂଆ ବାଣ ଫୁଟାଇ ବେଦମ୍ ଖୁସି ହେବାର ସୌଭାଗ୍ୟ ଲାଭ କଲେ । ମୋ ଭାଇର ଜୀବନ ଏଣିକି ମୋ ହାତମୁଠାରେ ରହିଲା ବୋଲି ନିଜକୁ ବୁଝାଇ ଦୁଇ ଭାଇ କେତେ ଖୁସି ହେଲେ ଓ ନିଜ ନିଜର ଭଗବାନଙ୍କୁ ଧନ୍ୟବାଦ ଦେଲେ । ତଥାପି, କୋଉଠି କ’ଣ ତଥାପି ଓରିମାନା ରହିଗଲା ଯେ, ବରଷଟା ସରୁଥିବା ବେଳକୁ ଖବରକାଗଜମାନେ ବରଷଟାକୁ ଅଶୁଭ ଅନେଶ୍ୱତ ବୋଲି କହି ଖେଦ ପ୍ରକଟ କଲେ ?

 

ସେମାନଙ୍କର ଅଭିଯୋଗ, ଏହି ଅନେଶ୍ୱତ ମସିହାଟାରେ କାଶ୍ମୀରରେ ଅର୍ଥାତ୍ କାରଗିଲ୍ରେ ପାକିସ୍ତାନ ଆସି ଆମ ସହିତ ଯୁଦ୍ଧଟାଏ ଭିଆଇଦେଲା । କୌଣସି ପକ୍ଷରୁ ଯୁଦ୍ଧ ଘୋଷଣା ହେଲା ନାହିଁ ସତ, ମାତ୍ର ଆମେ ଉଭୟେ ପ୍ରାୟ ତିନିମାସ କାଳ ଲଢ଼ାଲଢ଼ି ହେଲୁ । ଅନେକ ସୈନ୍ୟସାମନ୍ତ ସହିଦ୍ ହେଲେ । ଏବଂ, ବରଷଟା ସରିବା ବେଳକୁ ଗୋଟାଏ ଉଡ଼ାଜାହାଜକୁ ଅପହରଣ କରି ନିଆଗଲା । ସେହି ଅପହରଣକୁ କେନ୍ଦ୍ର କରି ସାରା ଅଞ୍ଚଳଟା ପ୍ରାୟ ହପ୍ତାଟାଏ ଆତଙ୍କିତ ହୋଇ ରହିଥିଲେ । ମାତ୍ର ଯେଉଁ ବିଶେଷ କାରଣ ସକାଶେ ବିଶେଷତଃ ଆମ ଓଡ଼ିଶାରେ ବରଷଟା ଯାକର ସମୀକ୍ଷା କରି ତାହାକୁ ଅଶୁଭ ବୋଲି କୁହାଗଲା, ସେଇଟା ହେଉଛି କାର୍ତ୍ତିକ ମାସ ଆରମ୍ଭ ହେଉଣୁ ଉପକୂଳ ଓଡ଼ିଶାରେ ବାତ୍ୟା ଓ ବନ୍ୟା ଦ୍ୱାରା ଘଟିଥିବା ଏହି ଖଣ୍ଡ-ପ୍ରଳୟଟା । ଏହାଦ୍ୱାରା ଏକାବେଳେକେ ଅଭୂତପୂର୍ବ କେତେ କ’ଣ ନାରଖାର ଓ ଛାରଖାର ହୋଇଗଲା, ହଜାର ହଜାର ମଣିଷ ମରଣ ମୁହଁରେ ପଡ଼ି ଭାସିଗଲେ, ପୃଥ୍ୱୀ ଉଚ୍ଛନ୍ନ ହୋଇଗଲା । ଆହୁରି ପଚାଶ ବର୍ଷ ଲାଗିଲେ ମଧ୍ୟ ଆମେ ଏହି ଯାବତୀୟ କ୍ଷତିର ପୂରଣ କଦାପି କରିପାରିବା ନାହିଁ ବୋଲି ଆମର ଆକଳନ କରୁଥିବା ଆଜ୍ଞାମାନେ କହିଲେ । ଏତେ ଏତେ ଅଶୁଭକୁ ଡାକି ଆଣିଥିବା ଏହି ବରଷଟାକୁ ଅଶୁଭ ବୋଲି ନ କହି ପ୍ରକୃତରେ ଆଉ କ’ଣ କୁହାଯାଇ ପାରନ୍ତା ? ଆମ ଅପବାଦଗୁଡ଼ିକୁ ଶୁଣିବା ନିମନ୍ତେ ବରଷଟାର ଯଦି କାନଟାଏ ଥାଆନ୍ତା, ତେବେ ଆମର ଅଭିଯୋଗକୁ ଶୁଣି ତା’ ଭିତରେ କିଭଳି ପ୍ରତିକ୍ରିୟା ହୋଇଥାନ୍ତା କେଜାଣି ? ଯୋଉ ବରଷଟା ଆମ ପାଇଁ ଏତେ କଷଣ ଓ ଦୁର୍ବିପାକ ଭୋଗ କରିବାର ବର୍ଷ ହୋଇ ରହିଲା, ସେଥିରେ ସେହି ବରଷଟାର ପ୍ରକୃତରେ କେତେ ଭାଗ ରହିଛି କି ନ ରହିଛି, କିଞ୍ଚିତ୍ କମ୍ ଭାବପ୍ରବଣ ହୋଇପାରିଲେ ହୁଏତ ଆମେ ତାହା ହୃଦୟଙ୍ଗମ କରିପାରନ୍ତେ । ଖାଲି କବିମାନେ ଯେ ଶବ୍ଦକୁ ନେଇ ଲଉଡ଼ି ଖେଳୁ ଖେଳୁ ଭାବପ୍ରବଣ ହୋଇଯାଆନ୍ତି, ସେକଥା ମୋଟେ ନୁହେଁ, ନିଜର ଦୁଃଖଟାକୁ ନେଇ କେତେ କେତେ ମନୁଷ୍ୟ ଯେ ପ୍ରାୟ ଅକାରଣରେ ଭାବପ୍ରବଣ ହୁଅନ୍ତି, ଏବେ ଯାଇ ତାହାର ଗୋଟିଏ ଅକାଟ୍ୟ ପ୍ରମାଣ ମିଳିଗଲା ।

 

ଆମକୁ ନେଇ ବହିଯାଉଥିବା କାଳଟା ଉପରେ ମାନସାଙ୍କ ହିସାବରେ ବାଡ଼ି ପକାଇ ଯୋଉ ଖନ୍ଦାଟାକୁ ଆମେ ଅନେଶ୍ୱତ ବୋଲି କହୁଛି, ସିଏ କାହିଁକି କେଉଁ ମତଲବରେ ଆମ ପାଇଁ କୌଣସି ଅଶୁଭକୁ ବହନ କରି ଆଣିବ ? ଅଶୁଭ କାଳ ଭିତରେ ନଥାଏ, ଅଶୁଭ ବିଧାତାଙ୍କର ଖାତାରେ ମୋଟେ ଲେଖାହୋଇ ରହିନଥାଏ । ଅଶୁଭ ଆମରି ଭିତରେ ରହିଥାଏ । ଆମ ମନ୍ଦ ମତଲବଗୁଡ଼ିକ ମଧ୍ୟରେ ରହିଥାଏ । ଯାହା ସମସ୍ତଙ୍କ ପାଇଁ ଶୁଭଙ୍କର ନୁହେଁ, ତାହା ଅଶୁଭ । ଯାହା ସମସ୍ତଙ୍କୁ ସୁଖ ଦେଇପାରେ ନାହିଁ, ତାହା ଆଦୌ ସୁଖ ନୁହେଁ । ପୃଥିବୀରେ ଅଧିକାଂଶ ଅଶୁଭ ତଥା ଅଧିକାଂଶ ଅସୁଖର କାରଣକୁ ଆମେ ସମ୍ଭବତଃ ଠିକ୍ ଏହିପରି ଏକ ସନ୍ଦର୍ଭ ଉପରେ ଖୋଜି ବାହାର କରିବାକୁ ହିଁ ମନ କରିବା । ଭାରତବର୍ଷରେ ଅନେକାନେକ ଶୁଭକୁ ମୁଖ୍ୟତଃ ଡାଆଣାମାନେ ହିଁ ମାଡ଼ି ବସିଛନ୍ତି । ଥୋକେ ମଣିଷ ସୁଖ ଭୁଞ୍ଜିବେ ବୋଲି ଅନେକାନେକ ମଣିଷ ନାନା ଦୁଃଖ ଭିତରେ ଘାଣ୍ଟି ହୋଇ ରହିବାକୁ ବାଧ୍ୟ ହେଉଛନ୍ତି । ସବୁ ମଣିଷଙ୍କ ସକାଶେ ଜୀବନ ବଞ୍ଚିବାର ବାହ୍ୟ ସର୍ବନିମ୍ନ ଭୂମିଟିଏ ତିଆରି ହେବ ବୋଲି ସଂଗ୍ରାମୀମାନେ ସଂଗ୍ରାମ କରି ଦେଶଟାକୁ ସ୍ୱାଧୀନ କରିଥିଲେ । ସେହି ସ୍ଵାଧୀନତା ଆସିଲା । ଦେଶଟା ଏପରି ହେବ ଓ ସେପରି ହେବ ବୋଲି ମଥାନ ଉପରୁ ଉଚ୍ଚ ଉଚ୍ଚ ସ୍ଵପ୍ନକଥାମାନ ବିଞ୍ଚି ଦିଆଗଲା । ମଥାନ ଉପରେ ମାତ୍ର ଥୋକେ ମଣିଷ କ୍ଷମତାରେ ରହିଲେ । ସ୍ଥୂଳ ଓ ଆହୁରି ସ୍ଥୂଳ ହେଲେ । ନିପଟ ସାମନ୍ତ ହୋଇ ରହିଲେ, ସାହେବ ବନିଲେ ଓ କୋଟି କୋଟି ମଣିଷଙ୍କୁ ଗୋଡ଼ି ମାଟି କରି ରଖିଲେ । ମୂଳଦୁଆଟାକୁ ଚରମ ପ୍ରକାରେ ଅବହେଳିତ କରି ରଖି ନିଜେ ରହୁଥିବା ଉପର ମହଲାଗୁଡ଼ାକୁ ସେମାନେ ପ୍ରାୟ ମୋଗଲ ଦରବାରର ଦୁଷ୍ଟ ପରିମଳଗୁଡ଼ାକ ଦ୍ଵାରା ଅଲଗା କରି ବନାଇଲେ । ବହୁ ଅଶୁଭ ନିମନ୍ତେ ଅନୁକୂଳତା ସୃଷ୍ଟି କରିବାରେ ନିମିତ୍ତ ହେଲେ । ଏହି ଭୂମିଟା ଯେ ସବୁ ମଣିଷଙ୍କର ଭୂମି, ସେ କଥାକୁ ଅସ୍ୱୀକାର କଲେ । ଗତ ପଚାଶ ବର୍ଷ ହେଲା ପ୍ରଧାନତଃ ଏହି ଅଶୁଭଟା ହିଁ ସତେଅବା ସାତଟା ନାହୁଡ଼ ବିସ୍ତାର କରି ଆମର ସାମୂହିକ ଜୀବନକୁ ଆକ୍ରାନ୍ତ କରି ରଖିଛି । ସମ୍ବନ୍ଧଗୁଡ଼ାକୁ ଦୂଷିତ କରିଦେଇଛି, ବହୁ ଅବିଶ୍ୱାସକୁ ବଢ଼ାଇବାରେ ସାହାଯ୍ୟ କରିଛି ।

 

କି ଅଶୁଭରେ ଆମର ଯାବତୀୟ ଭାଗ୍ୟକୁ ନିପଟ ଚତୁରମାନେ ଓ ଆତ୍ମକାମୀମାନେ ଆତ୍ମସାତ୍ କରିନେଲେ ଯେ ଏଠି ସବୁ ପିଲା ମଧ୍ୟ ଗୋଟିଏ ଚଉପାଢ଼ୀରେ ଏକାଠି ବସି ପାଠ ପଢ଼ି ପାରିଲେ ନାହିଁ । ହାକିମ ଏବଂ ହଡ଼ପକାରୀମାନେ ଇସ୍କୁଲ ବୋଲି ଯାହା କିଛି ଗଢ଼ିଲେ, ତାହା ଦେଶର ସବୁଯାକ ପିଲାଙ୍କୁ ଆଦୌ ହିସାବକୁ ନେଲା ନାହିଁ । ଅଧେ ପିଲା ପ୍ରତ୍ୟାଖ୍ୟାତ ହୋଇ ବାହାରେ ରହିଗଲେ । ଯେଉଁ ଅଧଟା ପାଠଶାଳାକୁ ଆସିଲେ, ସେମାନେ ସତର ପ୍ରକାରର ପାଠ ପଢ଼ିଲେ ଏବଂ ସତରଟା ସମାଜ ସକାଶେ ତିଆରି ହେଲେ । ପାଠ ଭିତରେ ଏମିତି ନାନା ଅଶୁଭକୁ ପ୍ରଶ୍ରୟ ଦିଆଗଲା ଯେ, ବହୁ ପ୍ରତିଶ୍ରୁତି ଅପେକ୍ଷା କରାଯାଉଥିବା ଦେଶ ନାମକ ଦ୍ରୂମଟି ଭିତରେ ଏହି ପାଠୁଆମାନେ ହିଁ ବିଶେଷଭାବରେ ଚତୁର ହେଲେ ଏବଂ ନିଜର କୋରଡ଼ଗୁଡ଼ିକୁ ଅଧିକରୁ ଅଧିକ ପେଟୁଆ କରିବାର ମନ୍ଦ ଉତ୍ସାହରେ ପୂରା ଗଛଟାକୁ ପୋଲା କରି ରଖିଲେ । ପାଠୁଆମାନେ ହିଁ ଶାସନର କଳରେ ମୁଖ୍ୟ କାରପଟଦାର ହୋଇ ରହିଲେ । ସେମାନେ ଏକ ଅଭିସନ୍ଧିପୂର୍ଣ୍ଣ ପାରଦର୍ଶିତା ଦେଖାଇ ଏମିତି ଗୋଟାଏ ଭାଷାରେ ଏଠି ସରକାର ଚଳାଇଲେ ଯେ, ଦେଶରେ ଅଶୀଭାଗ ମଣିଷ ସେଥିରୁ ବଂଚିତ ହୋଇ ରହିଲେ । ଏଠି ପାଠୁଆମାନେ ହିଁ ଯାବତୀୟ ଅବସରରେ ଏହି ରାଷ୍ଟ୍ରରେ ସବାଆଗ ଶ୍ରେଣୀର ହିତାଧିକାରୀ ହୋଇ ରହିଲେ । ନିତାନ୍ତ ନିରକ୍ଷରମାନେ ରାଜନୀତିରେ ଆଶି ପଶିଲେ, ସମଗ୍ର ଭୂଇଁଟା ନିମନ୍ତେ ଉଦ୍ଦିଷ୍ଟ ବହୁ ସମ୍ଭାବନାର ଗଙ୍ଗାକୁ ସେମାନେ ଲମ୍ପଟ ପଞ୍ଚାନନ ବନି ନିଜ ଜଟାରେ ବାନ୍ଧି ନିଜ ଘରକୁ ବୋହି ନେଇଗଲେ । ଏସବୁକୁ ଅଶୁଭ ବୋଲି କହିବାକୁ ସତେଅବା କେହି ସାହସ ହିଁ କଲେନାହିଁ । ବହୁବିଧ ବାଟମାରଣାର ବଡ଼ଦାଣ୍ଡରେ ପାରିବାବାଲାମାନେ ନିଜର ଭାଗ୍ୟପରୀକ୍ଷା ନିମନ୍ତେ ଶତହସ୍ତ ହୋଇ ରହିଲେ । ତୁଚ୍ଛା ଅଶୁଭଗୁଡ଼ାକର ହିଁ ଆଡ଼ମ୍ବରମୟ ପ୍ରତୀକ ହୋଇ ରହିଲେ ।

 

ଠିକ୍ ଏତିକିବେଳେକେ ସାହିତ୍ୟ ଆଧୁନିକ ହେବା ନାଆଁରେ ପ୍ରଧାନତଃ ସଉକିନୀମାନଙ୍କ ଅଣ୍ଟାରେ ଚନ୍ଦ୍ରହାର ହୋଇ ରହିବାର ବିଶେଷ ବାଟଟିକୁ ବାଛିନେଲା । ଚତୁର୍ଦ୍ଦିଗର ଅଶୁଭମାନଙ୍କରୁ ପୂରାଦମ୍ ଲାଭ ସିନା ଉଠାଇଲା, ମାତ୍ର କଳାଟାକୁ ମୋଟେ କଳା ବୋଲି କହିପାରିଲା ନାହିଁ । ଅନ୍ୟାୟକୁ ଅନ୍ୟାୟ ବୋଲି କହିବାକୁ ଭୟ ବି କଲା । ସାହିତ୍ୟରେ ଶୈଳୀଟାକୁ ସର୍ବବଡ଼ କରି ଦେଖାଇବାର ଛୋପରା ଅରୀତିଟା ଏତିକିବେଳେ ସେଥିରେ ପାଳି ଦେବାପାଇଁ ଆସି ପହଞ୍ଚିଗଲା । ସାହିତ୍ୟ ଏକ ପବିତ୍ର ଏବଂ ଅସଂଲଗ୍ନ ବିଶେଷ କ୍ରୀଡ଼ା ଏବଂ Pastime ହୋଇ ରହିଲା । ଚତୁର୍ଦ୍ଦିଗର ମନୁଷ୍ୟମାନଙ୍କୁ ଏକାନ୍ତ ଉଦାସୀନ ଭାବରେ ଭୁଲି ରହିବାକୁ ସାହିତ୍ୟକୁ ଗୋଟାଏ ଅନ୍ୟଧର୍ମୀ କରାଟର ଅଫିମ ବୋଲି କୁହାଗଲା, ଯାହାକୁ କି କେବଳ ଅହଙ୍କାର ଦ୍ଵାରା ନିବୁଜ ହୋଇ ରହିଥିବା ତଥାକଥିତ ବ୍ୟକ୍ତିଟିଏ ହୋଇ ରହିବାକୁ ହିଁ ଏକ ବିଶେଷାବକାଶ ଯୋଗାଇ ଦେବାଲାଗି ବ୍ୟବହାର କରାଯାଇ ପାରୁଥିବ । ସାହିତ୍ୟକୁ ସାହିତ୍ୟ ବୋଲି ଅଙ୍ଗେ ନିଭାଇବା ଆଗରୁ କ’ଣ ମନେକରି ବା କୋଉ କାଳ୍ପନିକ ମାଲ୍ୟାଣୀର ଗଦକୁ ସୁଂଘି ଆଗ ଜାତୀୟ ସାହିତ୍ୟ ବୋଲି କୁହାଗଲା । ଏକଦା ସମଗ୍ର ଭାରତବର୍ଷକୁ ଗୋଟିଏ ଏକକ ରୂପେ ଗ୍ରହଣ କରି ସ୍ୱାଧୀନତାର ସଂଗ୍ରାମଟିଏ ସିନା ଲଢ଼ା ହୋଇଥିଲା, ମାତ୍ର ଏବେ ସ୍ଥାନୀୟ ସାହୀମାନଙ୍କରେ ହିଁ ଖାସ୍ ପ୍ରତିଭାଧରମାନେ ବାହାରି ଜାତୀୟ ସାହିତ୍ୟର କଥା କହିଲେ । ଏଇଥିରୁ ମଧ୍ୟ କ’ଣ କମ୍ ଅଶୁଭ ଆସି ଆମ ବିବେକକୁ ଗ୍ରାସ କରିଛି ? ଯେତେ ସ୍ଥାନୀୟ ଭାବରେ ଦେଖୁଥିଲେ ମଧ୍ୟ ଯଦି ତୁମେ ପ୍ରକୃତରେ କିଞ୍ଚିତ୍ ପରିମାଣରେ ମଧ୍ୟ ସୁସ୍ଥ ଭାବରେ ସାହିତ୍ୟମନା ହୋଇଥିବ, ତେବେ ତୁମକୁ ତୁମ ଚାରିପାଖରେ ସବାଆର ମଣିଷମାନେ ହିଁ ଦେଖାଯିବେ । ସେହିମାନଙ୍କ ସହିତ ଆତ୍ମୀୟତା ସ୍ଥାପନ କରିବାକୁ ହିଁ ତୁମେ ନିଜର ସର୍ଜନାତ୍ମକ ସକଳ ସାମର୍ଥକୁ ଅତ୍ୟନ୍ତ ସ୍ୱାଭାବିକ ଭାବରେ ନିୟୋଜିତ କରିବାକୁ ଆଗଭର ହୋଇ ଆସିବ । ମଣିଷମାନଙ୍କୁ ବାଛନ୍ଦ କରି ରଖି ନିଜ ନିଜର ସ୍ୱତନ୍ତ୍ର ଏକ ସଭାଘରେ ବସି ସାହିତ୍ୟ ନାମରେ ଉଚ୍ଚାଟିତ ମେଧାଶକ୍ତିମାନ ପ୍ରୟୋଗ କରି ସମସ୍ତଙ୍କଠାରୁ ଏକ ଅଲଗା ଧାତୁର ବୋଲି ଅନୁଭବ କରିବା, ନିଜର ହୃଦୟଟାକୁ ନିତାନ୍ତ ପ୍ରଦୂଷିତ କରି ନ ରଖିଥଲେ ତାହା କେବେହେଲେ ସମ୍ଭବ ହୁଅନ୍ତା ନାହିଁ-। ଆମ ଆଧୁନିକ ସାହିତ୍ୟ ମଧ୍ୟ ଆମ ଅଶୁଭଗୁଡ଼ାକୁ ବେଶ ପିନ୍ଧାଇ ରଖିବାରେ ଏକାଧିକ ପ୍ରକାରେ ଏକ ବୃହନ୍ନଳାର ଭୂମିକା ଗ୍ରହଣ କରି ଆସିଛି । ବାତ୍ୟା ପରେ ଯେଡ଼େ ଉତ୍ସାହରେ ଆମେ ସାହିତ୍ୟର କୀର୍ତ୍ତନମଣ୍ଡପରେ ପାଠୋତ୍ସବର ସାହାଣ ଉତ୍ସବମାନ କଲୁ, ତାହା ହିଁ ଆମ ଦରଦଗୁଡ଼ିକର ବର୍ଣ୍ଣ ନିରୂପଣ କରିଦେଲା ପରି ମନେ ହେଉଥିଲା । ବାତ୍ୟା ପୂର୍ବରୁ ପୁରୁଷ ପୁରୁଷ ଧରି କୁଢ଼ କୁଢ଼ ମଣିଷ ଯେ କାହିଁକି ଜୀବନରେ ଏତେ ଭଳି ଅସହାୟ ହୋଇ ରହିଥିଲେ ଓ ଶେଷରେ ବାତ୍ୟାର ଶିକାର ହେଲେ, ନିଜ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ତାହା ଚିନ୍ତା କରିବାକୁ କେହି ସାହସ କଲେନାହିଁ ।

 

ଭାରତବର୍ଷ ଅଧ୍ୟାତ୍ମର ଏକ ଦେଶ ବୋଲି ଯେଉଁମାନେ ମହାଉଲ୍ଲାସର ସହିତ କହି ଆସିଛନ୍ତି ପ୍ରଧାନତଃ ସେହିମାନେ ହିଁ ଯୁଗେ ଯୁଗେ ସେଥିରେ ନାନା ଅଶୁଭକୁ ଭର୍ତ୍ତି କରି ଆସିଛନ୍ତି-। ଅସଲ ବା ପରମ ସତ୍ୟଟି ଏକାନ୍ତ ବାସ୍ତବ ଭାବରେ ନିଜ ଭିତରେ ଅନୁଭୂତ ହେଲେ ଜୀବନରେ ଅଧ୍ୟାତ୍ମ ପରିଚୟର ସ୍ପର୍ଶ ମିଳେ । ସତେଅବା ବାହାର ଛାଡ଼ି ଭିତରେ ପ୍ରବେଶ କରୁଥିବା ପରି ପ୍ରାୟ ଏକ ଇନ୍ଦ୍ରିୟାନୁଭବ ହୁଏ । ଏବଂ ତା’ ପରେ କୋଉଠି କ’ଣ ସବୁ ଘଟେ ଅଥବା କିଏ ଆସି ଗୋଟାସୁଦ୍ଧା ନିଜର ହୋଇଯାଆନ୍ତି କେଜାଣି, ଏହି ତଥାକଥିତ ବାହାରଟା ମଧ୍ୟ ଏକାବେଳେକେ ଅନ୍ୟ ଭଳି ଦିଶେ, କ’ଣ ଗୋଟାଏ ଅନ୍ୟ ମହକରେ ସାରା ପୃଥିବୀଟା ମହକି ଉଠେ, ଏଠି ମଧ୍ୟ ସିଏ ପୂରି ରହିଥିବାର ଚାକ୍ଷୁଷ ଅନୁଭବ ହୁଏ । ତା'ପରେ ପୃଥିବୀ ବଦଳିଯାଏ, ପୃଥିବୀ ଭଲ ଲାଗେ-। ପରମସତ୍ୟ ଜୀବନରେ ପ୍ରବେଶ କରିବା ଏବଂ ନିଜ ଭିତରେ ବହୁ ଉନ୍ମୋଚନର ଉଦ୍ବୋଧନ ତଥା ସାହସ ଆଣି ଦେଇଯିବା, ତାହାହିଁ ଅଧ୍ୟାତ୍ମ ।

 

ଅଧ୍ୟାତ୍ମ ଭିତରେ ବହୁ ଅଶୁଭକୁ ପୂରାଇ ଦେଇ ଆମ ଗୁରୁମାନେ କାହିଁକି ତାହାକୁ ଏକ ଅଫିମଗୋଳା ଧର୍ମରେ ପରିଣତ କରିଦେଲେ କେଜାଣି । ଭିତରକୁ ବାଟ ହୁଡ଼ି କୋଟି କୋଟି ମଣିଷ ଏହି ବାହାରଟାରେ ହିଁ ନାନା କାମୁକତା ଏବଂ କାତରତା ଭିତରେ ରହିଗଲେ । ସମ୍ପ୍ରଦାୟୀ ହେଲେ, ଏକ ଆରେକୁ ସାନ ବୋଲି କହିଲେ, ଖଣ୍ଡା ଧରି ପୃଥିବୀଟାକୁ ନିଜ ପଟକୁ ଦୀକ୍ଷିତ କରି ଆଣିବାକୁ ବାହାରିଲେ । ନାନା ପୌରଳିକତାର ଉପଦ୍ରବ ମଣିଷମାନଙ୍କୁ ବାଉଳା କରି ରଖିଲା । ଯୁଗପତ୍ ଭାବରେ ଉତ୍ତେଜିତ ଏବଂ ଅସହାୟ କରି ରଖିଲା । ଅସହାୟ ମଣିଷମାନେ ହିଁ ସଚରାଚର ପରସ୍ପରକୁ ନଲୋଡ଼ି ସ୍ଵାର୍ଥସିଦ୍ଧିକୁ ଲୋଡ଼ନ୍ତି । ଭାରି ଅଳପ ହୋଇ ରହନ୍ତି । ବାହାରେ ମନ୍ଦିରମାନଙ୍କର ସଂଖ୍ୟା ବଢ଼େ, ଯଥାସମ୍ଭବ ଅଧିକ ଟାଉ ଟାଉ ହୋଇ ଅନ୍ୟମାନଙ୍କୁ ପ୍ରତ୍ୟାଖ୍ୟାନ କରି ଏବଂ ବଂଚିତ କରି ରଖି ମନୁଷ୍ୟମାନେ କେବଳ ନିଜ ପାଇଁ ଅଧିକ ଧନ, ଅଧିକ ମାନ, ଅଧିକ ପୁଣ୍ୟ ଓ ଅଧିକ ଲାଭ ସାଉଁଟି ନେଇ କୌଣସି ଗାତ ଭିତରେ ଯାଇ ଅଲଗା ହୋଇ ରହିବାକୁ ହିଁ ସତେଅବା ଚରମ ସଫଳତା ବୋଲି ବିଶ୍ୱାସ କରନ୍ତି । ପୃଥିବୀର ଉଜୁଡ଼ି ଯିବାରେ ସାହାଯ୍ୟ କରନ୍ତି-। ନିଜର ଅପକୃତ୍ୟମାନଙ୍କୁ ଘୋଡ଼ାଇ ରଖିବା ନିମନ୍ତେ ସମ୍ଭବତଃ ମାଳିକାକୁ ସାକ୍ଷୀ ରୂପେ ଛିଡ଼ା କରନ୍ତି ଏବଂ କାଳକୁ ଦୋଷ ଦେଉଥାନ୍ତି ।

 

ଅଶୁଭର କର୍ତ୍ତା ଆମେ, ଅନେଶ୍ୱତ ନାମକ ବର୍ଷଟି ମୋଟେ ନୁହେଁ । ମନୁଷ୍ୟମାନଙ୍କର ଅଶୁଭ ବାସନାମାନେ ପ୍ରବଳ ହୋଇ ପୃଥିବୀକୁ ଅଲକ୍ଷଣା କରି ପକାନ୍ତି । ଆମରି ଚାରିପାଖରେ ଆମେ ଭିଆଇ ରଖିଥବା ଅଶୁଭମାନେ ହିଁ ସ୍ତୂପ ସ୍ତୂପ ହୋଇ ରହିଛନ୍ତି ଏବଂ ଶୁଭର, ଆତ୍ମୀୟତାର ତଥା ଭଗବାନଙ୍କର ବାଟ ଓଗାଳି ବସିଛନ୍ତି । ଅଶୁଭ ବାସନାକୁ ଅଭିଶାପ ଦେଲେ ଅଶୁଭ ଯାଏନାହିଁ । ଗୋଟିଏ ଉପନିଷଦର କଥା ଅନୁସାରେ, ଶୁଭ ବାସନାର ଅନୁଶୀଳନ ଦ୍ୱାରା ହିଁ ଅଶୁଭ ବାସନାଟିକୁ କାଟିବାକୁ ପଡ଼େ । ତେଣୁ, ଚାଲ ଆମେ ଆମ ବାସନାର ଯାବତୀୟ ଅବସରରେ ଶୁଭକୁ ହଁ ସତକୁ ସତ ଲୋଡ଼ିବା । ପୃଥିବୀରେ ବହୁ ସଜ୍ଜନ ରହିଥାଆନ୍ତି, ଯେଉଁମାନେ କି ନିଜେ ଭଲପଟେ ରହିବେ ବୋଲି ପୃଥିବୀ ଲାଗି ଉଦାସୀନ ହୋଇ ରହିଥାନ୍ତି । ଭଗବାନ ସବୁ କରିଦେବେ ବୋଲି କହିବାରେ ଲାଗିଥାନ୍ତି । ଭଗବାନ ଯାହା କିଛି କରନ୍ତି, ତାହାକୁ ଆମକୁ ନିମିତ୍ତ ରୂପେ ବ୍ୟବହାର କରି କରନ୍ତି । ତେଣୁ ଆମେ ତଥାକଥିତ ସଜ୍ଜନ ହୋଇ ମୋଟେ ବସିଯିବା ନାହିଁ-। ଆମର ଚତୁର୍ଦ୍ଦିଗରେ ସେହିଭଳି ବହୁସଂଖ୍ୟକ ସଜ୍ଜନ ମଠ ଓ ସମ୍ପ୍ରଦାୟ କରି ବାବାଜୀ ହୋଇ ବସିଛନ୍ତି । ଆମେ ବାବାଜୀ ହେବାନାହିଁ । ଆମେ ପରସ୍ପର ଭିତରେ ମଧ୍ୟ ଶୁଭକୁ ଲୋଡ଼ିବା-। ଆମର ସାମୂହିକ ଜୀବନକୁ ଶୁଭ ଉପରେ ପ୍ରତିଷ୍ଠିତ କରିବା । ନିର୍ଭୟ ହେବା । ଶାସ୍ତ୍ରବାଣୀ ଗୁଡ଼ିକୁ ଏକାଠି ମିଶି ସାକାର କରିବାକୁ ଇଚ୍ଛା କରିବା । ଶୁଭ ଲୋଡୁଥିବା । ଏବଂ, ଶୁଭ ପାଇଁ ସମ୍ମତ ହୋଇଥିବା ମଣିଷମାନେ ହିଁ ପୃଥିବୀରୁ ଅଶୁଭର ନିରାକରଣ ପାଇଁ ପ୍ରକୃତରେ ସମର୍ଥ ହେବେ-। ଅଶୁଭ ପରି ଶୁଭ ମଧ୍ୟ ସେ ସଂକ୍ରାମକ ହୋଇପାରେ ଏବଂ ଯୁଗର ଲଗାମଗୁଡ଼ିକୁ ହାତକୁ ନେଇ ଅଗ୍ରସର ହୋଇପାରେ, ଆମେ ସେହି ସତ୍ୟଟିର ପ୍ରତିପାଦନ କରିବା ।

 

ବରଷ ପରେ ବରଷ ଆସିବ ଏବଂ ସମ୍ମତ ମଣିଷଙ୍କ ଲାଗି ଅପେକ୍ଷା କରୁଥିବ । ମିଛ ନେତାମାନେ ବାଟ ହୁଡ଼ାଇବାରେ ଲାଗିଥିବେ । ମିଛ ସାହିତ୍ୟ ଆମକୁ ଯାହା ଯେଉଁପରି ରହିଛି ତାହାରି ଭିତରେ ଶୀତଳ ହୋଇ ରହିବାର କୁପରାମର୍ଶ ଦେଉଥିବ । ଅଧ୍ୟାତ୍ମ ମୁହଁ ଲୁଚାଇ ରହିଥିବ ଏବଂ ମନ୍ଦିରମାନଙ୍କ ଭିତରେ ଅଶୁଭକାମୀ ମାନଙ୍କର ଜବର କୋଳହାଳ ଲାଗି ରହିବ । ଅଶୁଭଚାରୀମାନେ ନିଜର ଋଦ୍ଧି ଏବଂ ବୃଦ୍ଧି ନିମନ୍ତେ ଠାକୁରମାନଙ୍କ ପାଖରେ ପ୍ରାର୍ଥନା କରୁଥିବେ । କେବଳ ଶୁଭ ବାସନା ଦ୍ୱାରା ହିଁ ଏହି ସୁଆଙ୍ଗର ଅବସାନ ଘଟିବ ଏବଂ ଚକମାନେ ବଦଳିବେ । ଶୁଭର ପ୍ରତିନିଧିତ୍ୱ କରୁଥିବା ମଣିଷମାନେ ଅଶୁଭର ସାମ୍ନା କରିବେ ।

Image

 

ମେଣ୍ଟ ରହିଲା !!!

 

ମେଣ୍ଟଟାଏ ହେବ ବୋଲି ଦିଲ୍ଲୀ ଧାମରେ ନିଷ୍ପତ୍ତି ହେଲା । ମେଣ୍ଟଟାଏ ନ ଗଢ଼ିଲେ ସେମାନେ ଆମର ଏ ରାଜନୀତିକ ଦୌଡ଼ ଭିତରେ ଯେ ପଶିପାରିବେ ନାହିଁ, ସେକଥା ସେମାନେ ନିଜେ ମଧ୍ୟ ବହୁଦିନରୁ ଜାଣିଥିଲେ । ତେଣୁ ମେଣ୍ଟ ଖୋଜୁଥିଲେ । ସାଙ୍ଗ ଖୋକୁ ନଥିଲେ, ମେଣ୍ଟ ହିଁ ଖୋଜୁଥିଲେ । ଆପଣାସାର୍ତ୍ତିକିଆମାନଙ୍କର ସାଙ୍ଗ ବୋଲି କେହି ନଥାନ୍ତି । ଏପରିକି, ତଥାକଥିତ ନିଜ ଦଳଟାରେ ମଧ୍ୟ ସେମାନେ ସତକୁ ତ କାହାକୁ ହେଲେ ସାଙ୍ଗ କରି ବାଟ ଚାଲୁନଥାନ୍ତି । ରାଜନୀତିଟା ଯେ କ୍ରମେ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଗଲା, ଏହିପରି ଏକ ଅଶୁଭ ସ୍ଥିତିର ପୂରା ଫାଇଦା ଉଠାଇବା ନିମନ୍ତେ ହିଁ ସେମାନେ ଗୋଟାଏ ଦଳ ଭିତରେ ଏକାଠି ଗୁନ୍ଥା ହୋଇ ରହିଥାଆନ୍ତି । ଅନ୍ୟ ଦଳମାନଙ୍କ ସହିତ ଲଢୁଥାଆନ୍ତି । କାହିଁକି ଯେ ଲଢୁଥାଆନ୍ତି ସେକଥା ମାଲୁମ ନଥାଇ ମଧ୍ୟ ଲଢୁଥାଆନ୍ତି । ଲଢୁ ଲଢ଼ୁ ହାଲିଆ ହୁଅନ୍ତି । ତେଣୁ ପୁଣି ଝିଅକୁ ମାରି ଶତ୍ରୁକୁ ଘରକୁ ଡାକି ତା’ସହିତ ମେଣ୍ଟ ବାନ୍ଧିବାର ପ୍ରସ୍ତାବ ଦିଅନ୍ତି । କଥାବାର୍ତ୍ତା ହୁଏ, ଦିଲ୍ଲୀ ସ୍ତରରେ ମଧ୍ୟ ଧଡ଼ପଡ଼ ଲାଗିଯାଏ । ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ମେଣ୍ଟ ଦ୍ୱାରା ହିଁ ପୃଥିବୀର ପରିତ୍ରାଣ ହୋଇଯିବ ବୋଲି ପ୍ରାୟ ଏକ ନିର୍ଲଜ୍ଜ ଆଣ୍ଟରେ ଫତୁଆ ଦିଆଯାଏ । ବିଚାରା ଭୋଟଦାତା ନାଗରିକମାନେ ଭାରି ଅଡ଼ୁଆରେ ପଡ଼ିଯାଆନ୍ତି । ସେମାନେ ହୁଏତ ଗୋଟାକୁ ଚାହୁଥାଆନ୍ତି, ଆରଟାକୁ ମୋଟେ ଚାହୁନଥାନ୍ତି । ପ୍ରକୃତରେ ଧର୍ମସଂକଟଟାଏ ଆସି ପହଂଚିଯାଏ । ଦଳ ଜିତୁ ଜିତୁ ମେଣ୍ଟଟା ହିଁ ଜିତେ । ଧୂର୍ତ୍ତତାର ବିଜୟ ହୁଏ ଏବଂ ଧୂର୍ତ୍ତମାନେ ହିଁ ସତ୍ୟର ବିଜୟ ହେଲା ବୋଲି ମହା ଖୁସିରେ ଏକତ୍ର ସବାଆଗ ଶ୍ରୀଜଗନ୍ନାଥଙ୍କର ଦର୍ଶନ ଲାଗି କ୍ଷେତ୍ରଯାଏ ଚହଟି ଯାଆନ୍ତି । ଜଗନ୍ନାଥେ ହୁଏତ ସବୁ ଜାଣନ୍ତି, ସବୁ ବୁଝନ୍ତି; ମାତ୍ର ମୋଟେ କିଛି କରିପାରନ୍ତି ନାହିଁ । ଯୁଗଟା ପାଖରେ ବାଧ୍ୟ ହୋଇ ଦି’ ଗାଲରେ ଚଟକଣା ମାରିହୋଇ ରହନ୍ତି ।

 

ସ୍ୱାଧୀନ ଭାରତବର୍ଷକୁ ଯେତିକି ବର୍ଷ ହେଲା, ନୂଆ ଦେଶ ଇସ୍ରାଏଲକୁ ମଧ୍ୟ ଠିକ୍ ସେତିକି ବର୍ଷ ହେଲା । ସେହି ଆରମ୍ଭ କାଳରୁ ହିଁ ଇସ୍ରାଏଲରେ ସ୍ଥାପିତ ହୋଇଥିବା ଗଣତନ୍ତ୍ର ଶାସନରେ କେବେହେଲେ ଗୋଟିଏ ରାଜନୀତିକ ଦଳ ସରକାର ଗଠନ କରିନାହିଁ । ମେଣ୍ଟମାନେ ହିଁ ସରକାର ଗଢ଼ିଛନ୍ତି ଏବଂ ଶାସନ କରିଛନ୍ତି । ସାନ ଏବଂ ସମସ୍ୟାଗ୍ରସ୍ତ ଦେଶ ଇସ୍ରାଏଲରେ ଏକାବେଳେକେ ଏତେଗୁଡ଼ାଏ ରାଜନୀତିକ ଦଳ ରହିବା ଆଦୌ ସ୍ୱାସ୍ଥ୍ୟକର ନୁହେଁ ବୋଲି ସେହି ଦେଶରେ ପ୍ରାୟ ସର୍ବଦା ଏକ ବଳିଷ୍ଟ ମତ ରହିଛି । ତଥାପି ଦଳମାନେ ରହିଛନ୍ତି ଏବଂ ଗୋଟିକ ପରେ ଗୋଟିଏ ନିର୍ବାଚନରେ କୌଣସି ଗୋଟିଏ ଦଳ ସଂଖ୍ୟାଧିକତା ହାସଲ ନ କରିବାରୁ ଇସ୍ରାଏଲରେ ବିଭିନ୍ନ ଦଳ ମେଣ୍ଟ ଗଠନ କରି ଦେଶର ପରିଚାଳନା କରୁଛନ୍ତି । ଗତ ପଚାଶ ବର୍ଷର ପୃଥ୍ୱୀଇତିହାସରେ ସମ୍ଭବତଃ ସାମୂହିକ ବିକାଶ ଏବଂ ପୁନର୍ଗଠନର କ୍ଷେତ୍ରରେ ଏକାଧିକ ଦୃଷ୍ଟିରୁ ଇସ୍ରାଏଲ ହିଁ ପ୍ରମୁଖ ଏକନମ୍ବର ସ୍ଥାନ ଅଧିକାର କରିବ । ଏତେଶୀଘ୍ର ଏତେ ବିଭିନ୍ନ କ୍ଷେତ୍ରରେ ପୃଥିବୀରେ କୌଣସି ଦେଶ ଏବଂ କୌଣସି ରାଷ୍ଟ୍ର ଖୁବ୍ସମ୍ଭବ ଏତେ ଅଧିକ ଆଦୌ ହାସଲ କରିନଥିବ । ମେଣ୍ଟର ଶାସନ ସତ୍ତ୍ୱେ ସେଠାରେ ଏହା ସମ୍ଭବ ହୋଇପାରିଛି । ଏବଂ, ପ୍ରମାଣ କରିଦେଉଛି ଯେ, ମେଣ୍ଟ ସରକାର ଚାଲୁଥଲେ କୌଣସି ଦେଶର ଅଗ୍ରଗତି ଯେ ସେହି କାରଣ ସକାଶେ ବାଧାପ୍ରାପ୍ତ ହୋଇ ରହିବ, ସେକଥା ଆଦୌ ଠିକ୍ ନୁହେଁ । ମେଣ୍ଟ ଥିବ, ଭାଙ୍ଗୁଥିବ ଏବଂ ପୁନର୍ବାର ଗଢ଼ା ହେଉଥିବ, ତଥାପି ଦେଶର ସାମୂହିକ ମୂଳଦୁଆଗୁଡ଼ିକ ଆଦୌ କ୍ଷତିଗ୍ରସ୍ତ ହେଉନଥିବେ ।

 

ଇସ୍ରାଏଲରେ ରାଜନୀତିକ ଦଳଗୁଡ଼ିକ ପଛରେ ନିର୍ଦ୍ଦିଷ୍ଟ ରାଜନୀତିକ ଗୋଟିଏ ଗୋଟିଏ ଆଭିମୁଖ୍ୟ ରହିଛି ଏବଂ ସେହି ଆଭିମୁଖ୍ୟ ଦେଇ ଦଳଗୁଡ଼ିକୁ ଚିହ୍ନି ହେଉଛି । ସେହି ଅନୁସାରେ ସେହି ଦଳରେ ରହିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଚିହ୍ନି ହେଉଛି । ନିର୍ବାଚନ ସକାଶେ ସେଠାରେ ଯଦି କେହି ଟିକେଟ ପାଇବାର ଆଶାରେ ଅଥବା ଟିକେଟ ପାଇଲା ନାହିଁ ବୋଲି ନିଜର ଦଳକୁ ଛାଡ଼ି ଆଉ ଗୋଟାଏ ଦଳରେ ଯାଇ ସାମିଲ ହେବ, ତେବେ ତାକୁ ହୁଏତ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ । ଏପରି ଗୋଟାଏ ସୁବିଧାବାଦୀକୁ କୌଣସି ଅନ୍ୟ ଦଳ ମୋଟେ ଗ୍ରହଣ କରିବାକୁ ଇଚ୍ଛା ହିଁ କରିବ ନାହିଁ । ତେଣୁ ଯଦି କୌଣସି ନୂଆ ଦଳ ଭିତରେ ତାକୁ ସ୍ଥାନ ମିଳିବାର କୌଣସି ସମ୍ଭାବନା ନାହିଁ, ତେବେ ସିଏ କାହିଁକି ବା ନିଜର ମୂଳ ଦଳଟିକୁ ଛାଡ଼ିବାକୁ ମନ କରିବ ? ଅଥବା, ନିର୍ବାଚନ ସମୟରେ ଏପରି ଲୋକହସା କାମଟାଏ ସେ କାହିଁକି କରିବାକୁ ଯିବ ? କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୀତିକ ବିଶ୍ୱାସ ରହିଥିବାରୁ ହିଁ ତ ସିଏ ନିଜେ ଚିନ୍ତା କରି ଗୋଟିଏ ଦଳରେ ଯାଇ ମିଶିଥିଲା । ଯଦି ଦଳ ଭିତରେ ତା’ର ଅନ୍ୟମାନଙ୍କ ସହିତ ଏକ ମତଭେଦ ହେଲା, ତେବେ ସେ ସେହିମାନଙ୍କ ସହିତ ବାରମ୍ବାର ବସିବ, ପୂର୍ଣ୍ଣ ସାଧୁତାର ସହିତ ସମ୍ପୃକ୍ତ ଅନ୍ୟମାନଙ୍କୁ ନେଇ ଏକ ବିତର୍କ ହେବ ଏବଂ ବିତର୍କ ଦ୍ଵାରା ହିଁ ଫଇସଲା ବାହାରିବ । ସିଏ ଦଳର କୋଉ ବଡ଼ପଣ୍ଡା, ସିଏ ମଧ୍ୟ ପ୍ରଧାନତଃ ଏକ ରାଜନୀତିକ ସତ୍ୟପ୍ରତ୍ୟୟର କାରଣରୁ ହିଁ ନିଜ ନିଷ୍ପତ୍ତି ଅନୁସାରେ ତା’ର ସେହି ଦଳରେ ଏକଦା ଆସି ପ୍ରବେଶ କରିଥିବ । ତା’ ବାପା ବା ମାମୁଁ ତାକୁ ଆଣି ମୋଟେ ଦଳ ଭିତରେ ଭର୍ତ୍ତି କରି ଦେଇନଥିବ । ସିଏ ନିଜ ବଳରେ ଅର୍ଥାତ୍ ନିଜ ରାଜନୀତିକ ବିଶ୍ୱାସ ବା ଆଦର୍ଶ ଅନୁସାରେ ହିଁ ଦଳରେ ବି ଯୋଗ ଦେଇଥିବ, ତେଣୁ ଭଲକରି ବିଶ୍ୱାସ କରୁଥିବ ଯେ, ଦଳ ଭିତରେ ରହିଥିବା ଅନ୍ୟମାନେ ମଧ୍ୟ ନିଜ ନିଜର ଫଇସଲା ଓ ବିଶ୍ୱାସମୁତାବକ ଏହି ଦଳ ଭିତରକୁ ଆସିଛନ୍ତି । ତେଣୁ କାହାକୁ କଦାପି ଫିସାଦ କରି ନିକାଲି ଦିଆଯାଇପାରିବ ନାହିଁ ।

 

ଯେଉଁସବୁ ଦେଶରେ ଗଣତନ୍ତ୍ରର ଚେରମାନେ ମଜବୁତ ହୋଇଗଲେଣି, ସେଠାରେ ନିର୍ବାଚନଗୁଡ଼ିକରେ ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ସହିତ ଭୋଟ ଯୁଦ୍ଧ ଲଢ଼େ ନାହିଁ । ସେଠାରେ ଦଳମାନେ ଦଳମାନଙ୍କ ସହିତ ଲଢ଼ନ୍ତି । ଦେଶର ଜନଗଣ ନିର୍ବାଚନରେ ପ୍ରବେଶ କରିଥିବା ରାଜନୀତିକ ଦଳଗୁଡ଼ିକର ଆଭିମୁଖ୍ୟ ବିଷୟରେ ସୁବିଦିତ ହିଁ ଥାଆନ୍ତି ଓ ନିଜର ମତାନୁକୂଳ ତଥା ସ୍ୱାର୍ଥାନୁକୂଳ ଗୋଟିଏ ଦଳକୁ ଭୋଟ ଦିଅନ୍ତି । ସେମାନେ କୌଣସି ବ୍ୟକ୍ତିବିଶେଷଙ୍କୁ ଭୋଟ ଦିଅନ୍ତି ନାହିଁ । କେଉଁ ଦଳ ପକ୍ଷରେ ସଂଖ୍ୟାଗରିଷ୍ଠତା ରହିଛି, ନିର୍ବାଚନ ପରେ ହିଁ ତାହା ଜଣାପଡ଼େ । ପ୍ରତ୍ୟେକ ଦଳ ତା’ପରେ ସେହି ଅନୁସାରେ ନିଜ ଦଳୀୟ ପ୍ରତିନିଧିମାନଙ୍କୁ ବାଛନ୍ତି ଓ ଏହି ପ୍ରତିନିଧିମାନେ ବିଧାୟକ ହୋଇଯାଆନ୍ତି । ଫଳରେ ବହୁ ଅସାଧୁତାର ପ୍ରହସନରୁ ରକ୍ଷା ମିଳେ ।

 

ଗଣତନ୍ତ୍ରର ବ୍ୟବସ୍ଥା ପାକଳ ହୋଇ ଆସୁଥିବାର ପ୍ରକ୍ରିୟାରେ ହୁଏତ ଭାରତବର୍ଷରେ ମଧ୍ୟ ଠିକ୍ ସେହି ରୀତିରେ ପ୍ରତିନିଧିମାନେ ବଛାହେବେ । ଆହୁରି ଅଧିକ କୌତୁହଳର ବିଷୟ ହେଉଛି ଯେ, ଏହି ବ୍ୟବସ୍ଥା ଅନୁସାରେ ଯଦି କୌଣସି ନିର୍ଦ୍ଦିଷ୍ଟ ଦଳକୁ ସ୍ପଷ୍ଟ ବହୁମତ ନ ମିଳିଲା, ତେବେ ସେତେବେଳେ ଯାଇ ବିଭିନ୍ନ ଦଳ ଏକତ୍ର ଏକ ମେଣ୍ଟ ଗଠନ କରି ଶାସନର ଦାୟିତ୍ୱ ବହନ କରିବାର ପ୍ରଶ୍ନ ଉଠେ । ନିର୍ବାଚନ ଆଗରୁ ମେଣ୍ଟମାନେ ଗଢ଼ାହୋଇଯିବେ ଓ ମେଣ୍ଟମାନେ ହିଁ ନିର୍ବାଚନ ଲଢ଼ିବେ, ଏହା ଏକ ଅଭଦ୍ର କଥା । ଏବଂ ଯେକୌଣସି ଦେଶରେ ଏକ ସର୍ବନିମ୍ନ ଭଦ୍ରତା ନରହିଲେ ଶାସନକ୍ଷେତ୍ରରେ ଏକ ଦୁରନ୍ତ ବିଭ୍ରାଟକୁ ହଁ ଡାକି ଅଣାଯାଏ । ନାଗରିକମାନେ ପ୍ରତାରିତ ହୁଅନ୍ତି । ଗଣତନ୍ତ୍ରର ବହିଟାରେ ଯାହା ଲେଖା ହୋଇଥାଏ, ତାହାର କୌଣସି ମର୍ଯ୍ୟାଦା ରହେନାହିଁ-। ରାଜନୀତି କହିଲେ ହେରେଷାମାନଙ୍କର ଏକ ଖେଳକୁ ହିଁ ବୁଝାଇବାରେ ଲାଗିଥାଏ । ବହୁଭଳି ଅରାଜନୀତିକ ଉପାୟର ସାହାଯ୍ୟ ନିଆଯାଏ ଏବଂ ଧର୍ମତଃ ନିଶାଖୋରମାନେ ହିଁ ଗୋଟିଏ ଦେଶର ଭାଗ୍ୟକୁ କାଖରେ ଜାକି ରଖିଥାନ୍ତି । ବହୁତ କିଛି ସ୍ଥାଣୁ ହୋଇ ରହିଥାଏ । ଠିକ୍ ଆମ ଭାରତବର୍ଷ ଭଳି ।

 

ଅସଲ ଗଣତନ୍ତ୍ରରେ ନେତାମାନେ ଆଦୌ ନାଗର ହୋଇ ନାଚିବା ପାଇଁ କୌଣସି ପ୍ରଶ୍ରୟ ଲାଭ କରିପାରନ୍ତି ନାହିଁ । ସେମାନେ ତଳୁ ତିଆରି ହୋଇ ଆସନ୍ତି । ନିଜକୁ ଯୋଗ୍ୟ ବୋଲି ପ୍ରତିପାଦିତ କରିଆଣନ୍ତି । କାହାର ଗୁଡ଼ାଏ ପଇସା ଅଛି ବୋଲି କେହି ଶୂନ୍ୟେ ଶୂନ୍ୟେ ଆସି ନେତା ବନିଯାଏ ନାହିଁ । କିଏ କାହାର ତନୟ ବୋଲି ଆସୁ ଆସୁ ସିଂହାସନରେ ବସି ଯାଏନାହିଁ । ଏବେ ଆମ ଚାରିପାଖରେ ଆମେ ଯେଉଁମାନଙ୍କୁ ନେତା ବୋଲି ଦେଖିଛୁ, ସେମାନେ ସବୁଠାରୁ ଅଧିକ ଯୋଗ୍ୟ ବୋଲି ଯେ ସବାଉପରେ ଅଛନ୍ତି, ସେକଥା ଆଦୌ ନୁହେଁ । ସେମାନେ ହୁଏତ ଅଧିକ ପଇସାର ମାଲିକ ଓ ତେଣୁ ଅଧିକ କ୍ଷମତାର ମଧ୍ୟ ମାଲିକ । ସେଇ ବୋଲ ବତାଉଛନ୍ତି, ସେହି ଦିଲ୍ଲୀ ଯାଇ ପାରୁଛନ୍ତି, ଅସହାୟ କୋଟି କୋଟି ମଣିଷଙ୍କର ଦେଶରେ ରାଜା ବୋଲାଇ ପାରୁଛନ୍ତି ଏବଂ ରାଜନୀତିରେ ଥିବା ବହୁ ଅସରଣିଆଙ୍କର ଖାମିନ୍ଦ ହୋଇ ପାରୁଛନ୍ତି । ବିଗତ ପଚାଶ ବର୍ଷ ଉପରେ ନଜର ବୁଲାଇ ଆଣିଲେ ଦେଖିବାକୁ ହୁଏତ ମିଳିବ ଯେ, ନିଜର କ୍ଷମତାସନକୁ ଯେଉଁମାନେ ପ୍ରାୟ ସୁଅଭିସନ୍ଧିପୂର୍ଣ୍ଣ ଭାବରେ ନିଜକୁ ଅଧିକ ଧନୀ, ଅଧିକ ମୋଟ ଏବଂ ଅଧିକ ସର୍ବପାରଙ୍ଗମ କରିବାରେ ହିଁ ବ୍ୟବହାର କରିଛନ୍ତି, ସେମାନେ ବହୁ ଅନ୍ୟମାନଙ୍କୁ ପରାଭୂତ କରି ଉଚ୍ଚକୁ ଆସିପାରିଛନ୍ତି, ଏବଂ ରାଜନୀତିକ ହରିଲୁଟର ବେଙ୍ଗଳାରେ ଆପଣାକୁ ସମର୍ଥତମ ବୋଲି ସିଦ୍ଧ କରିଛନ୍ତି । ଦେଶଟାଯାକ ସତେଅବା ସେହିମାନଙ୍କର କୁକ୍ଷି ଭିତରେ ଏପରି ଭାବରେ ଅଟକି ଯାଇଛି ଯେ, କୋଟି କୋଟି ଅର୍ଥ ଏବଂ ଶତ ଶତ ମଥା ଖରଚ ହେଲେ ମଧ୍ୟ ଅଧିକାଂଶ ମଣିଷଙ୍କ ପାଇଁ ଚତୁର୍ଦ୍ଦିଗ ତିମିର ହୋଇ ହିଁ ରହିଛି । ନିର୍ବାଚନର ଛାଞ୍ଚଟା ଭିତରେ ମଧ୍ୟ ଅସାଧୁ ଆତ୍ମକାମୀମାନେ ଯେ ଏତେ ପୂର୍ଣ୍ଣାଡ଼ମ୍ବର ସହିତ ବାଟ ଓଗାଳି ରଖିପାରନ୍ତି, ଭାରତବର୍ଷରେ ତାହା ହିଁ ପୂରା ଚାକ୍ଷୁଷ ହୋଇଯାଇଛି ।

 

ଇସ୍ରାଏଲ ଦେଶରେ ଯେଉଁ ମେଣ୍ଟ କ୍ଷମତାକୁ ଆସୁ ପଛକେ, ରାଷ୍ଟ୍ରନିର୍ମାଣର ମୂଳ ନିର୍ଣ୍ଣୟଗୁଡ଼ିକ ସ୍ଥିର ଓ ମଜବୁତ ହୋଇ ରହିଛି । ଏହି ମାତ୍ର ପଚାଶ ବର୍ଷ ଭିତରେ ସେହି ଦେଶର କୃଷି, ଶିଳ୍ପ, ଶିକ୍ଷା ଏବଂ ବିଜ୍ଞାନ ଆଦି ଯାବତୀୟ କ୍ଷେତ୍ରରେ ଅଭାବନୀୟ ଅଗ୍ରଗତିମାନ ଘଟିଛି ଏବଂ ତାହା ସମଗ୍ର ବିଶ୍ୱକୁ ଆଚମ୍ବିତ କରିଦେଉଛି । ନାନା ଦେଶରୁ ଶରଣାର୍ଥୀ ହୋଇ ଆସିଥିବା ଇହୁଦୀମାନେ ଆଜି ତାହାରି ଫଳରେ ଉଦ୍ୟମଶୀଳ ଓ ସଚେତନ ନାଗରିକମାନଙ୍କର ଏକ ସମଷ୍ଟିରେ ପରିଣତ ହୋଇପାରିଛନ୍ତି ଏବଂ ଜଳ ଜଳ ହୋଇ ଦେଖାଯାଉଛି ଯେ, ଯେତେବେଳେ ଆରବ ରାଷ୍ଟ୍ରଗୁଡ଼ିକ ସହିତ ବିବାଦଗୁଡ଼ିକର ସମାଧାନ ହୋଇଯିବ, ସେତେବେଳେ ଇସ୍ରାଏଲ ସମଗ୍ର ମଧ୍ୟପ୍ରାଚ୍ୟକୁ ସତେଅବା ଏକ ଆଲୋକବର୍ତ୍ତିକା ପରି ନେତୃତ୍ୱ ଦେଇପାରିବ । ସମ୍ଭବତଃ ଏପରି ହୋଇପାରିଥିବାର ସବାମୂଳ କାରଣଟି ହେଉଛି ଯେ, ସେଠାରେ ରାଜନୀତିକ ଦଳମାନେ ସତକୁ ସତ ନିଜ ନିଜର ବିଶ୍ୱାସ ଦ୍ଵାରା ପରିଚାଳିତ ହେଉଛନ୍ତି । ଯାବତୀୟ ସତ ରାଜନୀତି ସବାଆଗ ତଳଟାକୁ ହିଁ ମଜବୁତ କରିବାର ଉଦ୍ୟମ କରୁଥାଏ । ସେପରି ହେଲେ ଉପରେ ଖଣ୍ଡମାନଙ୍କର ଦୌରାତ୍ମ୍ୟଗୁଡ଼ାକ ମୋଟେ ସମ୍ଭବ ହୋଇପାରେ ନାହିଁ । ରାଜନୀତିକ ଭବିଷ୍ୟଅନ୍ଦାଜ ଗୁଡ଼ିକର କ୍ଷେତ୍ରରେ ନାନା ମତଭେଦ ଅବଶ୍ୟ ରହିଥାଏ, ମାତ୍ର ଦଳର ସାର୍ବଜନୀନ ଜୀବନଟିକୁ ଅଧିକରୁ ଅଧିକ ମଜବୁତ କରିବାର କ୍ଷେତ୍ରରେ କୌଣସି ସ୍ଵାର୍ଥଜନିତ ଅସାଧୁତା ପ୍ରବେଶ କରିପାରେ ନାହିଁ ।

 

ଦେଶଟା ସବାଆଗ ଦେଖାଯାଏ,- ଦେଶକୁ ଭୂତାଇ ଦେଇ ଆପେ ପୃଥୁଳ ହେବାର କୌଣସି ଦୁର୍ବୁଦ୍ଧି ନଥାଏ । ଆମର ଗୋଟାଏ ଗୋଟାଏ ଭୋଟ ବେଳକୁ ଯେଉଁ ମେଣ୍ଟ ନାମକ ମହାନାଟକ ଅଭିନୀତ ହେଉଛି, ମେଣ୍ଟ ଭାଙ୍ଗୁଛି ଓ ମେଣ୍ଟ ଗଢ଼ିହୋଇ ଯାଉଛି, ସେଠାରେ ଦେଶ ବୋଲି କିଛି ନାହିଁ, ଲୋକନିୟତି ବୋଲି କୋଉଠି କିଛି ନାହିଁ ! ସିଆଣିଆ ସାମନ୍ତବର୍ଗ ଯାବତୀୟ ଅପଲୀଳାରେ ମାତିଛନ୍ତି,- ତଳର କୋଟି କୋଟି ମଣିଷ ଦାନ୍ତ ନିକୁଟି ଅନାଇ ରହିଛନ୍ତି ।

 

ଭାରତବର୍ଷରେ ଅସଲ ମେଣ୍ଟଗୁଡ଼ିକ ପ୍ରକୃତରେ କେବେ ଗଢ଼ାଯିବ ? ଏହିଭଳି ମନୁଷ୍ୟମାନଙ୍କର ମେଣ୍ଟ, ଯେଉଁମାନେ କି ପ୍ରତିବାଦ କରିବେ, ହସି ପାରିବେ, ହାତୀମାନଙ୍କ ଆଗରେ ଏକତ୍ର ଛିଡ଼ାହୋଇ ଏ ମିଛ ନାଟକ ବନ୍ଦ କର ବୋଲି କହିପାରିବେ । ଚତୁର୍ଦ୍ଦିଗରେ ସବୁ କିଛି ଉଜୁଡ଼ି ଯାଉଥିବା ପରି ଦିଶୁଥିବା ସମୟରେ ଆମ ଦେଶରେ ତଥାପି ବହୁ ମନୁଷ୍ୟ ଅଛନ୍ତି, ଯେଉଁମାନେ କି ଏହିସବୁ ଦୁରାଚାରକୁ ଆଦୌ ମାନିନେଇ ପାରୁନାହାନ୍ତି ଏବଂ ତେଣୁ ଏକ ଆଶୁ ପରିବର୍ତ୍ତନ ଇଚ୍ଛା କରୁଛନ୍ତି । ହୁଏତ ଏକୁଟିଆ ଭାବରେ କିଛି କରିପାରିବାର ବାଟ ପାଉନାହାନ୍ତି । ତଥାପି କିଛି ଅବଶ୍ୟ ଘଟୁ ଏବଂ ଅବଶ୍ୟ ହେଉ ବୋଲି ଇଚ୍ଛା କରୁଛନ୍ତି । ଭଲ ମଣିଷମାନେ ମନ୍ଦକୁ ଚୁନୌତି ଦେଇନପାରି ସଂସାରତ୍ୟାଗୀ ସନ୍ନ୍ୟାସୀ ହେଇ ସତେଅବା ଏକ ସମାଧାନକାରୀ ସାନ୍ତ୍ୱନା ଲାଭ କରିଥିବାର ଦୃଷ୍ଟାନ୍ତଟି ଭାରତବର୍ଷର ପ୍ରାୟ ସେହି ପ୍ରଥମ ଯୁଗରୁ ଏକ ପରମ୍ପରାରେ ପରିଣତ ହୋଇ ରହିଛି । ସେଇଟା ପ୍ରକୃତ ବାଟ ନହୋଇଥିବାରୁ ଏହି ମହାନ୍ମାନେ କେତେବେଳେ ଯେ ନ୍ୟସ୍ତସ୍ୱାର୍ଥ ଗୁଡ଼ିକର ପଟକୁ ଆଉଜି ପଡ଼ିଛନ୍ତି, ସେମାନେ ସେକଥା ହୁଏତ ସ୍ଵୟଂ ବି ଠଉରାଇ ପାରିନାହାନ୍ତି । ଭଲମାନେ କେଉଁ ପ୍ରଲୋଭନରେ ପଡ଼ି ଭୀରୁ ହୋଇ ରହିଯାଆନ୍ତି କେଜାଣି ? ଶକ୍ତିକୁ ଦେବୀମୂର୍ତ୍ତିରେ ପରିଣତ କରି ତାହାର ପୂଜା କରିବାର ଅନ୍ୟମନସ୍କତା ଭିତରକୁ ଗୋଡ଼ ଖସାଇଦେବା ପରେ ମଣିଷମାନେ, ଏଡ଼େ ଯୋଗ୍ୟ ମନୁଷ୍ୟମାନେ ଏପରି କାହିଁକି ଭୀରୁ ହୋଇଯାଆନ୍ତି କେଜାଣି ? ମନେହେଉଛି, ପୃଥିବୀରେ ହଁ ବୋଲି କହି ପାରିବାଟା ଯେଡ଼େ ସହଜ, ସେହି ଅନୁପାତରେ ନାହିଁ ବୋଲି କହିବା ଆଦୌ ସେତେ ସହଜ ନୁହେଁ । ଏପରିକି ନିଜ ବିବେକଟା ବି ନାହିଁ ନାହିଁ କହୁଥିବା ସମୟରେ ବହୁ ମଣିଷ ତଥାପି ଉପରେ ସେହି କଥାଟିକୁ ମୋଟେ କହିପାରନ୍ତି ନାହିଁ । ସେମାନଙ୍କୁ ବିଧାତା ଦେଇଥିବା ମେରୁଦଣ୍ଡଟିକୁ ସେମାନେ କିପରି କେଉଁଠି ଲୁଚାଇ ରଖିଥାନ୍ତି ଓ ତେଣୁ ଆତ୍ମଘାତୀ ହୁଅନ୍ତି ?

 

ଭାରତବର୍ଷ ଏଠାରେ ବାସ କରୁଥିବା ଶତକଡ଼ା ଶହେ ମଣିଷଙ୍କର ଭୂମି ରୂପେ ତିଆରି ହେଉ, ଏକଥା ଇଚ୍ଛା କରୁଥିବା ମଣିଷମାନେ ଏଠି ବିକଳ୍ପ ମେଣ୍ଟଟିଏ କେବେ ବାନ୍ଧିବେ ? ଆପେ ଉପରଆଡ଼କୁ ଖସି ନଯାଇ ଭଲ ମଣିଷମାନେ କେବେ ଭୂଇଁକୁ ଓହ୍ଲାଇ ଆସିବେ ଏବଂ ଏହି ଭୂଇଁରୁ ଥାଇ ହିଁ ବର୍ତ୍ତମାନର ଏହି ଦୈତ୍ୟକାଳଟାକୁ ଚୁନୌତି ଦେବେ ? ଜଣେ ସାଧୁ ସନ୍ଥ ହିସାବରେ ଏକୁଟିଆ କୌଣସି ଉପଶମକାରୀ ପ୍ରବଚନର ମାଧ୍ୟମରେ ନୁହେଁ, ଏହି ତଳର ହୃଦୟକୁ ଭେଦି ପାରିଲାଭଳି ଏକ ସିଧା ତଥା ସାହସୀ ଭାଷାରେ ସେମାନେ ମେଣ୍ଟ ବାନ୍ଧି ସେକଥା କହିପାରିବେ ? ଏହି ବ୍ୟାପାରଟି ଯେ କେବଳ ରାଜନୀତିର କ୍ଷେତ୍ରରେ ଘଟିବ ତାହା ନୁହେଁ, ଆମ ସାମୂହିକ ଜୀବନକୁ ଆତଯାତ କରୁଥିବା ଯାବତୀୟ କ୍ଷେତ୍ରକୁ ମଧ୍ୟ ତାହା ସ୍ପର୍ଶ କରିପାରୁଥିବ । ଶିକ୍ଷାର କ୍ଷେତ୍ରରେ ଶିକ୍ଷାର ପଟ ନେଇ ମେଣ୍ଟ ହେବ ।

 

ଏହି ପୁରୁଣା ବ୍ୟବସ୍ଥାଟାରେ ତଥାପି ନିଜ ପାଇଁ ଯଥେଷ୍ଟ ଲାଭ ହାସଲ କରିବାର ଧୂର୍ତ୍ତତା ନକରି ତାହା ଏକାବେଳେକେ ସମସ୍ତଙ୍କର ପ୍ରତିନିଧି ହୋଇ କଥା କହିବ । ସେହି ସ୍ଵେଚ୍ଛାସେବୀମାନେ କେବେ ଏ ଦେଶରେ ବାହାରିବେ, ଯେଉଁମାନେ କି ଉପରୁ ଦୟା ଦେଖାଇବା ଦ୍ୱାରା ମଣିଷର କେବେହେଲେ ଉଦ୍ଧାର ହୋଇପାରିବ ନାହିଁ ବୋଲି ସଂଘବଦ୍ଧ ଭାବରେ କହିପାରିବେ ? ଏହି ଦେଶରେ ସବୁ ମଣିଷଙ୍କୁ ସର୍ବନିମ୍ନ ପ୍ରୟୋଜନଗୁଡ଼ିକ ମେଣ୍ଟିବାର ନିରାପତ୍ତା ଅଲବତ ମିଳୁ ବୋଲି ଦାବିକରି ସତ୍ୟାଗ୍ରହୀମାନେ କେବେ ମେଣ୍ଟ ବାନ୍ଧି ବାହାରିବେ ? ଏବର ସାହିତ୍ୟ ମଧ୍ୟ ଉପରର ମାତ୍ର କେତେକ ଗେହ୍ଲାଙ୍କୁ ସେହି ଉପରେ ହିଁ ଭୋଳ କରି ରଖିବାର ଚକ୍ରାନ୍ତ କରୁଛି, ସାମନ୍ତମାନେ କଦର୍ଥ କରି ସଂସ୍କୃତିକୁ ମଧ୍ୟ ପାଟଲୁଗା ପିନ୍ଧିଥିବା ପୋଇଲୀଟିରେ ପରିଣତ କରି ରଖିଛନ୍ତି । ଏହିସବୁ ବ୍ୟାପାରକୁ ସତେଅବା ଏକ ସହରୀ ରାସଉତ୍ସବରେ ପରିଣତ କରି ରଖାଯାଇଛି । ଆମ ଚାରିପାଖରେ ଶହେରେ ପଚାଶ ମଣିଷଙ୍କୁ ନିରକ୍ଷର ରଖାଯାଇଛି, ସେକଥାଟାକୁ ବାଆଁରେଇ ଦେବାକୁ ଏଗୁଡ଼ିକୁ ମଧ୍ୟ ଗୋଟିଏ ଗୋଟିଏ ଚକ୍ରାନ୍ତ ପରି ବ୍ୟବହାର କରାଯାଉଛି କି ?

 

ଏହା ବିରୋଧରେ ମଧ୍ୟ ଏକ ଭିନ୍ନ ସମ୍ପୃକ୍ତି ରହିଥିବା ଅନ୍ୟମାନଙ୍କର ମେଣ୍ଟଟିଏ ସମ୍ଭବ ହୋଇପାରିବା ଉଚିତ । ତେବେ ଯାଇ ଅନ୍ଧାର ଯିବ । ସତ୍ୟ ମଧ୍ୟ ପ୍ରତ୍ୟକ୍ଷ ହୋଇ ଆସିବ ।

Image

 

ଓଡ଼ିଶାର ନକ୍ସା ବଦଳିଯିବ

 

୧୮୬୬ ମସିହାର ନଅଙ୍କ ମଡ଼କ ପରେ ଓଡ଼ିଶାର ନକ୍ସା କେତେ ନା କେତେ ଯେ ବଦଳି ଯାଇଛି, ସେଥିରେ କେହି ନାହିଁ ବୋଲି କହିପାରିବେ ନାହିଁ । ଚାରି ଚାରିଟା ପ୍ରଦେଶ ସହିତ ଲାଗିବ ବା ବଳକା ମେଦଟିଏ ପରି ଯୋଡ଼ା ହୋଇ ସେହି ବ୍ରିଟିଶ ଅମଳରେ ହିଁ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଘୋଷିତ ହୋଇପାରିଛି । ବିଶେଷତଃ ଦେଶ ସ୍ୱାଧୀନ ହେବା ପରେ ଓଡ଼ିଶାର ଚେହେରାଟା କେତେ ଅଭୂତପୂର୍ବ ଭାବରେ ବଦଳି ଯାଇଛି । ନୂଆ ରାଜଧାନୀଟାଏ ବସିଛି, ଯେଉଁଠାରେ କି ଏବେ ଅନାଇ ପାରିଲେ ଉଚ୍ଚ ଉଚ୍ଚ କୋଠାଘରମାନେ ମାଳ ମାଳ ଖଡ଼ାଗଛ ପରି ଦୃଶ୍ୟମାନ ହୋଇ ପାରୁଛନ୍ତି । ବର୍ତ୍ତମାନର ଦରବାରଗୁଡ଼ାକୁ ଆଖି ପାଉନାହିଁ । ବର୍ତ୍ତମାନର ରାଜାମାନଙ୍କ ଆଡ଼କୁ ଅନାଇବା ବେଳକୁ ଆଖି ଝଲସି ଯାଉଛି । ଗାଆଁ ଗହଳକୁ ରାସ୍ତା ହେଲାଣି, ମୋଟର ଗାଡ଼ି ଗଲାଣି, ଆମ ଗାଆଁ ଦାଣ୍ଡଟାଯାକ ଦୋକାନରେ ଭର୍ତ୍ତି ହୋଇଗଲାଣି । ନଦୀମାନଙ୍କରେ ବନ୍ଧ ପଡ଼ିଲାଣି, ଅଧିକ ଫସଲ ଫଳିଲାଣି । ବୈଜ୍ଞାନିକମାନେ ସ୍ୱୟଂ ଲକ୍ଷ୍ମୀଙ୍କୁ ଆମ ଘର ଭିତରକୁ ଡ଼ାକି ଆଣିବାର ପୂର୍ଣ୍ଣ ଶ୍ରଦ୍ଧାରେ ରାଜ୍ୟଟାକୁ କାରଖାନାରେ ଭର୍ତ୍ତି କରିଦେଲେଣି-। ଇସ୍କୁଲ କଲେଜର ସଂଖ୍ୟା ହଜାର ସଂଖ୍ୟାକୁ ଟପି ଗଲାଣି । ଆମ ଫୁରସତମାନଙ୍କୁ କୋଳାହଳପୂର୍ଣ୍ଣ କରି ରଖିବାକୁ କେତେ କେତେ ବ୍ୟବସ୍ଥା ଆଣି ଫନ୍ଦା ଗଲାଣି । ଆମେ ଓଡ଼ିଆମାନେ ନିଜକୁ ଭାରତର ଅନ୍ୟ ଯେକୌଣସି ରାଜ୍ୟର ଲୋକମାନଙ୍କ ସହିତ ସମକକ୍ଷ ବୋଲି ବି ଭାବିଲେଣି । ଯାହା ଭାରତରେ ଅଛି, ତାହା ଓଡ଼ିଶାରେ ବି ଅଛି ବୋଲି କହିବାକୁ ଇତିମଧ୍ୟରେ ଆମର ସାହସ ହୋଇଗଲାଣି । ଆମ ଭୁବନେଶ୍ୱରରେ କ’ଣ ନାହିଁ ଯାହା ଦିଲ୍ଲୀରେ ଅଛି ? ସେଇ ନଅଙ୍କ ପରେ ହିଁ ଆମର ଓଡ଼ିଆ ସାହିତ୍ୟ ଯେଉଁ ଆଧୁନିକ ହେବାକୁ ଆରମ୍ଭ କରିଥିଲା, କ୍ରମେ ପାହାଚ ଉଠି ଉଠି ଆମ ଭାଗ୍ୟକୁ ତାହା ଉତ୍ତର-ଆଧୁନିକର ଗଙ୍ଗାସାଗର ଯାଏ ଆସି ପହଞ୍ଚିଗଲାଣି । ଓଡ଼ିଶାର ସୀମାଟାକୁ ଡ଼େଇଁ ଇଂରାଜୀ ସମେତ ଆହୁରି କେତେ ଭାଷାର ଶାଢ଼ୀ ପିନ୍ଧି ତାହା ଆମେରିକା ଓ ଇଂଲଣ୍ଡ ଯାଏ ମଧ୍ୟ ଖେଦି ଗଲାଣି ।

 

ଏତେ ଏତେ ଅଭିବୃଦ୍ଧି ବଢ଼ିଛି ସତ, ମାତ୍ର ମଡ଼କଟା ତଥାପି ଯାଇନାହିଁ । ଅଧିକରୁ ଅଧିକ ମନୁଷ୍ୟ ଏବେ ମଧ୍ୟ ଅସହାୟ ହୋଇ ପଡ଼ିଛନ୍ତି । ନଈବନ୍ଧ ଡ଼େଇଁ ବଢ଼ିପାଣି ମାଡ଼ିଯିବା ଫଳରେ ଶହ ଶହ ଘରର କାନ୍ଥ ଭୁଷୁଡ଼ି ପଡୁଛି । ବାତ୍ୟା ବୋହିଲେ କେଡ଼େ ଯତ୍ନରେ ଗଢ଼ାହୋଇ ହସୁଥିବା ଆମ ଗାଆଁମାନଙ୍କର ସଂସାର ନିମେଷମାତ୍ରକେ ଉଜୁଡ଼ିଯାଉଛି, ହଜାର ହଜାର ମଣିଷ ସେହି ପ୍ରଳୟଟା ମଧ୍ୟରେ ଏପରି ହଜି ଯାଉଛନ୍ତି ଯେ, ଜାଣିବା ଶୁଣିବା ଓ ଶୁଖିଲା ପାଚିଲା ହୋଇ ରହିଥିବା ସଜ୍ଜନମାନେ ପୁରୁଣା ପୋଥିଗୁଡ଼ାକୁ ଖେଳାଇ ଏଥର ମାଳିକାର କଥାମାନ ସତ ହେବାକୁ ଯାଉଛି ବୋଲି କହି ଆମ କଲିଜାକୁ ଆହୁରି ଥରାଇ ଦେଉଛନ୍ତି । ଏ ଭୂଇଁ କ’ଣ ସତକୁ ସତ ଉଜୁଡ଼ି ଯିବ ? ଏଠି ପଣ୍ଡିତମାନେ ଦେଉଥିବା ନାନା ହିସାବ ଅନୁସାରେ ଯଦି ଉଭା ଓ ପୋତା ବହୁ ପ୍ରାକୃତିକ ସମ୍ପଦ ଏବଂ ତଜନିତ ସମ୍ଭାବନାମାନ ମହଜୁଦ ରହିଛନ୍ତି, ତେବେ ଓଡ଼ିଶାକୁ ଏକ ବିଶେଷ ନିର୍ଭରଶୀଳ ରାଜ୍ୟ ବୋଲି ଘୋଷଣା କରାଯାଉ ବୋଲି ଆମେ କାହିଁକି ଭାରତ ସରକାରଙ୍କ ପାଖରେ କଲବଲ ହୋଇ ଦାବି କରିବାକୁ ଚିନ୍ତା କରୁଛୁ ? ଆମ ରାଜ୍ୟର ଅଧେ ପିଲା କେଉଁ ଦୋଷରୁ ଅଥବା କାହା ଦୋଷରୁ ଇସ୍କୁଲକୁ ଯାଇ ପାରୁନାହାନ୍ତି, ଅଥଚ କୋଟି କୋଟି ଟଙ୍କା ଖରଚର ବରାଦ ହୋଇ ଆମ ରାଜଧାନୀରେ ଗୋଟାକ ପରେ ଗୋଟାଏ ସରକାରୀ ଛଇଗୁଡ଼ାକ ନିଜକୁ ଦେଖାଇ ହେବାରେ ଲାଗିଛନ୍ତି ? ଆମ ଅମଲାମାନେ ନିଜକୁ ଏହି ରାଜ୍ୟର କଲ୍ୟାଣ ନିମନ୍ତେ ନିୟୋଜିତ ସେବକ ବା ଭୃତ୍ୟ ବୋଲି ନଭାବି ବାବୁ ବୋଲି ଭାବୁଛନ୍ତି ? ଆମ ଶିକ୍ଷିତମାନେ କ’ଣ ପାଇଁ ଏହି ଭୂମିର ଭାଷାଟାକୁ ଘୃଣା କରୁଛନ୍ତି ଓ ସଂଖ୍ୟାଧିକ ସାଧାରଣଙ୍କଠାରୁ ଏକ ନିର୍ମମ ଦୂରତା ରକ୍ଷା କରିବାରେ ହିଁ ଅଧିକ ଆଗ୍ରହ ପ୍ରଦର୍ଶନ କରୁଛନ୍ତି ? କୋଉଠାରେ ସବୁକିଛି ବିଧାନ ଓ ବ୍ୟବସ୍ଥା କାହିଁକି ଏପରି ବଙ୍କା ହୋଇଯାଉଛି ଯେ, ଜଗନ୍ନାଥଙ୍କଠାରୁ ସରକାରଙ୍କ ପର୍ଯ୍ୟନ୍ତ ଆମର ଏତେ ଏତେ ବାପମାଆ ରହିଥିଲେ ମଧ୍ୟ ଅତି ସାମାନ୍ୟ ଓ ସାନ କଥାରେ ମଧ୍ୟ ଏଠି ଅଧିକାଂଶ ମଣିଷଙ୍କୁ ଛେଉଣ୍ଡ ପରି ଲାଗୁଛି ? ଏଠି ଯେଉଁମାନେ ଭଲ ଖାଉଛନ୍ତି, ଭଲ ପିନ୍ଧି ଧୋବ ଦେଖାଯାଉଛନ୍ତି ଏବଂ କ’ଣ ସବୁ ପାଠ ପଢ଼ିଛନ୍ତି ବୋଲି ଭଲ ରୋଜଗାର କରୁଛନ୍ତି, ସେମାନେ ସତେଅବା ଏହି ଭୂଇଁର ଅର୍ଥାତ୍ ଆମର କେହି ନୁହନ୍ତି ପରି ଆମକୁ କାହିଁକି ଏତେ ଠକିବାରେ ଓ ଶୋଷିବାରେ ଲାଗିଛନ୍ତି ?

 

ଏହି ନିର୍ବାଚନ ସମୟରେ ଦିଲ୍ଲୀରୁ ଭୁବନେଶ୍ୱରକୁ ଆସିଥିବା ଜଣେ ସାହସିଆ ନେତା ଆମେ ସମସ୍ତେ ତାଙ୍କ ଦଳକୁ ଭୋଟ ଦେଲେ ଓଡ଼ିଶାର ନକ୍ସା ବଦଳିଯିବ ବୋଲି କେଡ଼େ ଆଣ୍ଟ କରି କହୁଥିଲେ । ସ୍ୱାଧୀନ ଭାରତବର୍ଷରେ ତ ଗୋଟାକ ପରେ ଗୋଟାଏ ନିର୍ବାଚନ ହୋଇ କେତେ ନିର୍ବାଚନ ହୋଇଗଲାଣି ଓ ତଥାପି ଅସଲ ନକ୍ସା ମୋଟେ ବଦଳି ପାରୁନାହିଁ । ଆମର ପ୍ରତିନିଧିମାନେ କ୍ଷମତାକୁ ଆସି ମଙ୍ଗରାଜ ପାଲଟି ଯାଇଛନ୍ତି ସିନା, କିନ୍ତୁ ପୁରୁଣା ନକ୍ସା ଗୁଡ଼ାକ ଆଗପରି ହିଁ ରହିଛି । ସମଗ୍ର ଭାରତବର୍ଷରେ ମଧ୍ୟ ଅସଲ ନକ୍ସାମାନେ ବଦଳିଲା ପରି ଆଦୌ ବଦଳି ନାହାନ୍ତି । ଯୋଉ ଦେଶରେ ମାତ୍ର ଥୋକାଏ ମଣିଷ ଅମଣିଷ ପାଲଟି ଅଧିକ ମନୁଷ୍ୟପକ୍ଷଟିକୁ ଗୋଡ଼ିମାଟି ହେୟଜ୍ଞାନରେ ଦେଖୁଛନ୍ତି, ସେଠି ନକ୍ସାମାନେ ବଦଳିଛନ୍ତି ଓ ବଦଳୁଛନ୍ତି ବୋଲି କିପରି କୁହାଯାଇ ପାରିବ ? ଯେତେ ରାଜନୀତିକ ଦଳ ଆମର ମନ ଭୁଲାଇ ସେଇ ଆର ଦଳଟାକୁ ହଟାଇ ଆମକୁ ଗାଦୀରେ ଆଣି ବସାଅ ବୋଲି କହି ଭୋଟ ମାଗି ଆସୁଛନ୍ତି, ଗାଦୀକୁ ଆସି ସେମାନେ କେବଳ ନିଜକୁ ହିଁ ଦେଖୁଛନ୍ତି, ଆମ ଏତେ କୋଟି ମଣିଷଙ୍କ ଭାଗ୍ୟକୁ ସତେଅବା ମୋଟେ ଦେଖି ପାରୁନାହାନ୍ତି; ସାମନ୍ତଗିରିରେ ଅଧିକରୁ ଅଧିକ ପୃଥୁଳ ହେଉଛନ୍ତି ସିନା ମୋଟେ ଏହି ଦେଶର ଯୋଗ୍ୟ ହେଉନାହାନ୍ତି । ଧୋକା ଖାଇ ଖାଇ ମଣିଷମାନଙ୍କର ବିଶ୍ଵାସଗୁଡ଼ାକ ମଧ୍ୟ କ୍ରମେ ତୁଟି ଗଲାଣି । ଏହି ବିଶ୍ୱାସ ତୁଟିଯିବାଟା ଯେକୌଣସି ସମୂହ ନିମନ୍ତେ ଯେ ଅତ୍ୟନ୍ତ ଅନିଷ୍ଟକାରକ, ସେକଥା ସଂପୃକ୍ତ ଆମେ ସମସ୍ତେ କେବେ ବୁଝିବାକୁ ଆରମ୍ଭ କରିବା କେଜାଣି ?

 

ତେଣୁ ନିର୍ବାଚନ ଆସିବ, ନିର୍ବାଚନ ଯିବ, ତଥାପି ନକ୍ସା ବଦଳିବ ନାହିଁ । ଯିଏ ଆସିଲେ ମଧ୍ୟ ସିଏ ଗୁଡ଼ିଏ ଆହୁରି କେତେ ନୂଆ ବାଗରେ ଚଲାଖ ହେବ ଓ ଧୋକା ଦେବାର ଆଉ କିଛି ନୂଆ ବାଗ ଶିଖିବ ସିନା, ନିଜର ଖୋଇଟାକୁ ବଦଳାଇ ପାରିବ ନାହିଁ ଏବଂ ତେଣୁ ଏହି ଗୁହାଳଗୁଡ଼ିକ ସଫା ହେବାର କୌଣସି କାମରେ ଲାଗି ପାରିବ ନାହିଁ । ବିଗତ ଶହେ ବର୍ଷର ଓଡ଼ିଶାରେ ଯେଉଁମାନେ ପ୍ରଥମ ମଶାଲଗୁଡ଼ିକୁ ହାତରେ ଧରି ଜାଗରଣର ସମ୍ଭାବନାଟିଏ ଦେଖାଇ ପାରିଥିଲେ, ସେମାନେ ପୂର୍ଣ୍ଣ ଆନ୍ତରିକତା ସହ ତାହା କରିଥିଲେ । ପ୍ୟାରୀମୋହନ, ଗୌରୀଶଙ୍କର, ଫକୀରମୋହନ, ଗୋପବନ୍ଧୁ ଏବଂ ମଧୁସୂଦନ,- ପଛକୁ ଅନାଇବା ମାତ୍ରକେ ସେମାନେ ସମସ୍ତେ କେଡ଼େ ନିକଟ ହୋଇ ଦିଶିଯାଉଛନ୍ତି । ସେହି ସମୟଟିର ଚଉହଦୀ ଭିତରେ ସେମାନେ ସମ୍ମୁଖସ୍ଥ ଆହ୍ୱାନ ଓ ସମ୍ଭାବନାଗୁଡ଼ିକ ବିଷୟରେ ଯେତିକି ଅନୁଭବ ଓ ଅନୁମାନ କରି ପାରୁଥିଲେ, ସେମାନେ ସେହି ଅନୁସାରେ ବାଟଗୁଡ଼ିକୁ ବି ଫିଟାଇଥିଲେ । ସେମାନଙ୍କ ଭିତରେ ଅସାଧୁତା ବୋଲି କିଛି ନଥିଲା । ସେମାନେ କୌଣସି ଭୋଟ ଲଢ଼ିବାର ଲକ୍ଷ୍ୟ ନେଇ ତତ୍କାଳୀନ ସାଧାରଣ ଜୀବନରେ ଆଦୌ ଅବତୀର୍ଣ୍ଣ ହୋଇନଥିଲେ । ସେମାନେ ନିଜ ସମ୍ମୁଖରେ ନିଜକୁ ନୁହେଁ, ସମଗ୍ର ଓଡ଼ିଶାର ଭାଗ୍ୟନକ୍ସାଟିକୁ ହିଁ ଦେଖୁଥିଲେ । ବର୍ତ୍ତମାନର ସାମନ୍ତମାନେ ସେହି ପୁରୋଗାମୀମାନଙ୍କର ଗୁଣଗାନ କରିବାକୁ ମଞ୍ଚ ଉପରେ ଠିଆ ହେଉଥିବା ସମୟରେ ଆପେ ମୋଟେ ସେମାନଙ୍କ ଭଳି ସାଧୁ ନୁହନ୍ତି ବୋଲି ଭାରି ହାସ୍ୟାସ୍ପଦ ଭାବରେ ଧରା ପଡ଼ି ଯାଉଛନ୍ତି । ସେମାନଙ୍କୁ ଶୁଣୁଥବା ଲୋକେ ସେମାନଙ୍କର ଅସଲ ପିତ୍ତ ଗୁଡ଼ାକର ଗନ୍ଧ ପାଇ ଯାଉଛନ୍ତି ଏବଂ ଉପରକୁ ମୁଣ୍ଡ ଟୁଙ୍ଗାରୁଥିଲେ ମଧ୍ୟ ସେମାନଙ୍କୁ ନିଜ ଅନ୍ତଃସ୍କରଣରେ ପ୍ରତ୍ୟାଖ୍ୟାନ ହିଁ କରୁଛନ୍ତି । ଓଡ଼ିଶାରେ ଆମର ପାରସ୍ପରିକ କ୍ଷେତ୍ରରେ ଏହାକୁ ଯାବତୀୟ ଅର୍ଥରେ ଏକ ଅରାଜକତା ବୋଲି ହିଁ କୁହାଯିବ ।

 

ଓଡ଼ିଶାର ନକ୍ସା ତଥାପି ବଦଳିବ । ସାରା ପୃଥିବୀର ନକ୍ସା ଯେତେବେଳେ ବଦଳୁଛି, ସେତେବେଳେ ଭାରତବର୍ଷ ବା ଓଡ଼ିଶା କଦାପି ସେହି ପ୍ରକ୍ରିୟାଟିରୁ ଅଲଗା ହୋଇ ରହିପାରିବ ନାହିଁ-। ଅବଶ୍ୟ ଏକଥା ସତ ଯେ ଆମେ ଓଡ଼ିଶାରେ ସୁସ୍ଥ ଭାବରେ ଗ୍ରହଣଶୀଳ ଏବଂ ସଚେତନ ହେଲେ ପରିବର୍ତ୍ତନ ମଧ୍ୟ ଅଧିକ ତ୍ୱରାର ସହିତ ଅଧିକ ସ୍ୱାଭାବିକ ଭାବରେ ହେବ । ଏବଂ, ଯଦି ଆମେ ଆମର ସେହି ପୁରୁଣା ରେଣ୍ଟିଗୁଡ଼ାକୁ ଯାବୁଡ଼ି ରହିବା ଏବଂ ନାନା ଭାବପ୍ରବଣତାରେ ମଜି ରହି ତଥାପି ଫିସାଦ କରୁଥିବା, ତେବେ ସେହି ପ୍ରକ୍ରିୟାଟି ଅଧିକ ମନ୍ଥର ହେବ ଏବଂ ବହୁ ଆଘାତର ମଧ୍ୟ କାରଣ ହେବ । ରାଜନୀତି ଭିତରେ ରହି ପଙ୍କ ପିଉଥିବା ନେତୃତ୍ୱମାନେ ଏ ଦିଗରେ ଆମକୁ କୌଣସି ସାହାଯ୍ୟ କରିବେ ନାହିଁ । ହୁଏତ ଏପରି ଘଟିବ ଯେ, ଦଳ ଦଳ ଭିତରେ ବିବାଦ ଲଗାଇ ଏବଂ ଅସାଧୁତାରେ ଏକ ଅପରକୁ ଟପିଯିବାର ପ୍ରୟାସ କରି ଏମାନେ ପରସ୍ପରକୁ ଧରା ପକାଇଦେବେ ଏବଂ ଶୂନ୍ୟଗର୍ଭ ହୋଇଯିବେ । ପରବର୍ତ୍ତୀ ଭବିଷ୍ୟଟି ଯେ ଆମ ଭିତରୁ ଅନେକଙ୍କ ନିମନ୍ତେ ଏକ Shock ରୂପେ ହିଁ ଆସୁଛି, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ପୃଥିବୀ ସତେଅବା ଅନେକ ନୂଆ ଆଖି ପାଇଥିବା ପରି ଏଭଳି ଏକ ପ୍ରଶସ୍ତ ସମ୍ଭାବନାକ୍ଷେତ୍ର ଉପରେ କେତେ କେତେ ପରିବର୍ତ୍ତନ ନିମନ୍ତେ ସାହସ କରି ବାହାରିଲାଣି ଯେ, ସେହି ଆହ୍ୱାନ ଗୁଡ଼ିକର ଅନୁରୂପ ହୋଇ ଏକ ବ୍ୟକ୍ତି ତଥା ଏକ ସମୂହ ହିସାବରେ ଆମେ ସେଥିଲାଗି ନିଜକୁ ରାଜି କରାଇ ନ ଆଣିଲେ ହୁଏତ ଆମେ ନିଜେ ହିଁ ମାଡ଼ ଖାଇଯିବା ଏବଂ ଅଟକି ରହିଯିବା । ଭାରତବର୍ଷ ଆଗକୁ ବାହାରିଯିବ । ଓଡ଼ିଶା ମଧ୍ୟ ବାହାରିଯିବ । କଳେବରଗୁଡ଼ାକ ତ ବହୁତ ବଦଳିଲାଣି ଓ ବଦଳି ଯାଉଛି । କଳେବରର କୌଣସି ଅପରାଧ ନାହିଁ । ମାତ୍ର ଦୃଷ୍ଟିନ୍ୟାସ ତଥା ପ୍ରାଣନ୍ୟାସର କ୍ଷେତ୍ରରେ ଉପଯୁକ୍ତ ନବୋନ୍ମେଷ ଗୁଡ଼ିକ ହୋଇ ନପାରିଲେ ଏ କଳେବର ବଦଳାର ଯାବତୀୟ ଉତ୍ସାହ ଆମ ଲାଗି କୌଣସି ଉଦ୍ଧାରର କାରଣ ହୋଇପାରିବ ନାହିଁ ।

 

ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ଯଦି ଅମଲାମାନଙ୍କୁ ନେଇ ଗଢ଼ା ହୋଇଥିବା ସରକାରୀ କଳଟାର ପରିମଳଟାକୁ ବଦଳାଇ ଦିଆଯାଇଥାନ୍ତା, ତେବେ ଆବଶ୍ୟକ ନୂଆ ନକ୍ସାଗୁଡ଼ିକ ଅନୁସାରେ ଏହି ଭୂମିର ନିର୍ମାଣ କ୍ଷେତ୍ରରେ ସେହି ଜଳ ଦ୍ଵାରା ବହୁତ କାମ ହୋଇପାରିଥାନ୍ତା । ସେଇଟା ଆଦୌ ବଦଳିଲା ନାହିଁ, ତେଣୁ ବ୍ରିଟିଶ୍ ଅମଳଟା ପରି ତୁଚ୍ଛା ଗୋଟାଏ ହାକିମତନ୍ତ୍ର ହୋଇ ରହିଲା । ଅତ୍ୟନ୍ତ ଅଭଦ୍ର ଭାବରେ ପାହାଚ ପାହାଚ ହୋଇ ରହିଲା । ଲୋକପ୍ରତିନିଧି ଯେଉଁମାନେ ସବା ଉପରେ ମନ୍ତ୍ରୀ ଓ ଉମରାଓ ହୋଇରହିଲେ, ସେମାନେ ନିଜର ବ୍ୟକ୍ତିଗତ ବୃଦ୍ଧିରେ ବ୍ୟସ୍ତ ରହିବାରୁ ଅମଲାତନ୍ତ୍ର ସେହି ସ୍ଥିତିଟାର ପୂର୍ଣ୍ଣ ଫାଇଦା ନେଲା । ଉପରଟା ପାଖରେ ବିଶ୍ୱସ୍ତ ଗୋଲାମ ହୋଇଗଲା ଏବଂ ଶାସନର ସର୍ବବିଧ କ୍ଷେତ୍ରରେ ନିର୍ମଳ ବିବେକର ସହିତ ଦାୟିତ୍ୱହୀନ ହୋଇରହିଲା । ମୋଟାରୁ ଅଧିକ ମୋଟା ହେଲା, ନିଜକୁ ଏହି ଦେଶର ନାଗରିକ ବୋଲି ଅନୁଭବ କରିବାକୁ ହୁଏତ କୁଣ୍ଠାବୋଧ କଲା ଏବଂ ସଂପୃକ୍ତ ଯାବତୀୟ ଲୁଣ୍ଠନରେ ସହାୟତା କଲା, ଅନେକ ସମୟରେ ଭାଗ ମଧ୍ୟ ପାଇଲା । କୋଉ ଗାଆଁରେ ଜନ୍ମ ହୋଇଥିବାରୁ ପ୍ରଥମେ ଯେଉଁ ଭାଷାର ପରିବେଶ ଭିତରେ ବଢ଼ି ଆସିଥିଲା, ସରକାରୀ କଚେରୀର ଉଚ୍ଚ ଚଉକୀରେ ବସି ସେହି ଭାଷାରେ କାରବାର କରିବାକୁ ତାହାକୁ ଏଣିକି ଲାଜ ମାଡ଼ିଲା । ସିଏ ପୁଣି ଏଠି କୋଉଠି କ’ଣ ବଦଳାଇ ପାରିଥାନ୍ତା ? ତେଣୁ ପୁରୁଣାଗୁଡ଼ାକ ଦୋରସ୍ତ ହୋଇ ରହିଲା, ଆଲୋକର ଏବଂ ଲୋକୋଦୟର ଯାବତୀୟ ସମ୍ଭାବନାକୁ ବହଳମୁହାଁ ଅନ୍ଧାରମାନେ ମାଡ଼ି ବସିଲେ । ଅନ୍ଧାରଗୁଡ଼ାକର ମୁହଁଟା ହିଁ ଅଧିକ ଟାଣ ହେଲା । ଆମ ଶାସକ ପ୍ରତିନିଧିମାନଙ୍କ ଭିତରେ କୋଉଠି କ’ଣ ହୀନଭାବ ରହିଥିଲା ଏବଂ ଯଥାଶୀଘ୍ର ଚଉକୀର ସୁଯୋଗ ନେଇ ବଡ଼ ଓ ଆହୁରି ବଡ଼ ହୋଇ ଦିଶିବାର ପ୍ରକୋପଗୁଡ଼ିକ ସେମାନଙ୍କୁ ଅକର୍ମଣ୍ୟ କରିପକାଇଲା କ’ଣ ପାଇଁ କେଜାଣି, ଅମଲାମାନଙ୍କର ଥାଟଟାକୁ ତାହାରି ଦାୟିତ୍ୱରେ ବାଡ଼ ଭିତରେ ରଖି ପରିଚାଳିତ କରିବା ନିମନ୍ତେ ସେମାନଙ୍କର ଆଉ ବଳ ହିଁ ରହିଲା ନାହିଁ । ଗୋଟାଏ ପ୍ରକାରର ଅନ୍ଧ ଓ ଅବିବେକୀ ଆଉ ଗୋଟିଏ ପ୍ରକାରର ଅନ୍ଧ ଓ ଅବିବେକୀମାନଙ୍କୁ କଦାପି ଆୟତ୍ତରେ ରଖିପାରିନଥାନ୍ତା । ଏବଂ, ଏହିପରି ଏକ ନିତାନ୍ତ ଅରୀତି ହେତୁ ଦେଶର ସତୁରି ଅଶୀଭାଗ ମଣିଷ ନିଜ ଦେଶରେ ଶୂଦ୍ରପ୍ରାୟ ହୋଇ ରହିଲେ ଏବଂ ଏହି ଭୂମିରେ କେବେ ଆଉ ଧର୍ମର ପ୍ରତିଷ୍ଠା ହୋଇପାରିବ ବୋଲି ଆବଶ୍ୟକ ସର୍ବନିମ୍ନ ବିଶ୍ୱାସ ମଧ୍ୟ ରଖିପାରିଲେ ନାହିଁ । ଓଡ଼ିଶାରେ ଯେଉଁଠାରେ ମଧ୍ୟ ଛିଡ଼ା ହୋଇ ଚାରିଆଡ଼କୁ ଅନାଇଲେ ବା ଯେଉଁ ମହକୁମାର ନାଡ଼ିଗୁଡ଼ାକୁ ପରଖି ଦେଖିଲେ ଆମକୁ ତାହାର ପ୍ରମାଣ ମିଳିଯିବ ।

 

ତେଣୁ, ପ୍ରକୃତ ବାଟ ହେଉଛି, ତଳଟା ହିଁ ଚେତନାଯୁକ୍ତ ହେବ ଏବଂ ଉପରଟାକୁ ବଦଳି ଯିବାକୁ ବାଧ୍ୟ କରିବ । ଶହେବର୍ଷ ତଳେ ଦେଶରେ ସ୍ୱାମୀ ବିବେକାନନ୍ଦ ସେହି ସବାତଳର ଜାଗରଣ ବିଷୟରେ ଆମକୁ ପ୍ରାୟ ଭଗବାନଙ୍କର ରାଣ ପକାଇ ଠିକ୍ ସେହି କଥାଟିକୁ କହି ଯାଇଥିଲେ । ତାଙ୍କର ସେହି ବାଣୀ ଯେପରି ଉଦ୍ଦିଷ୍ଟ ସେହି ତଳେ ଯାଇ ପହଞ୍ଚି ନପାରିବ, ସେଥିଲାଗି ଉପରବାଲାଏ ତାଙ୍କୁ କେଡ଼େ ଚତୁରତାର ସହିତ ନିଜର ଅଳିନ୍ଦଗୁଡ଼ାକୁ ହରଣଚାଳ କରିନେଲେ । ସେହି ବିଶେଷ ଅଳିନ୍ଦଗୁଡ଼ାକୁ ପବିତ୍ର ମନ୍ଦିର ବୋଲି କୁହାଗଲା ଏବଂ ସତ୍ୟକୁ ସେଠାରେ ମୂର୍ତ୍ତିରେ ପରିଣତ କରି ରଖି ଦିଆଗଲା । ମହାତ୍ମା ଗାନ୍ଧୀ ସତେଅବା ଆଗରୁ ଘ୍ରାଣ କରି ପାରିଥିବା ପରି ରାଜନୀତିରେ ଯେଉଁ ପୁରୁଣା ମହୁଡ଼ଗୁଡ଼ାକୁ ଭାଙ୍ଗି ଦେବାକୁ ପରାମର୍ଶ ଦେଇଥିଲେ, ସେଗୁଡ଼ିକ ତୁଚ୍ଛା ଆତ୍ମକାମୀମାନଙ୍କର ଦଖଲରେ ରହିଗଲା ଏବଂ ଦେଶରେ ନୂଆ ନୂଆ ଅସମର୍ଥତାକୁ ପ୍ରଶ୍ରୟ ଦେବାରେ ନିମିତ୍ତ ହେଲା । ନିର୍ବାଚନ ସମୟଟାଏ ଆସିଲେ ଗରିଷ୍ଠମାନେ ଯାହା ତଳେ ମଣିଷମାନେ ଅଛନ୍ତି ବୋଲି କିଞ୍ଚିତ୍ ସଜ୍ଞାନ ହେଉଛନ୍ତି, ଓ ସେମାନଙ୍କୁ ଲୋଡ଼ି ବାହାରୁଛନ୍ତି, ମାତ୍ର ଜୀବନପାଟଣାର ଅସଲ ନକ୍ସାଗୁଡ଼ାକ ସେହି ପୁରୁଣା ଅନମନୀୟତା ସହିତ ହିଁ ବଳବତ୍ତର ରହିଛି । ସହରର ଛଇଗୁଡ଼ାକୁ ଦେଖି ଆମେ ନକ୍ସାମାନେ ଏବେ ମଧ୍ୟ ବଦଳି ନାହାନ୍ତି ବୋଲି ଅନୁଭବ କରିବାକୁ ମଧ୍ୟ ଆଉ ମୋଟେ ରାଜି ହୋଇପାରୁ ନାହୁଁ ।

 

ହିସାବମାନେ କହୁଛନ୍ତି, ପଛୁଆ ଦେଶ ଭାରତବର୍ଷରେ ଓଡ଼ିଶା ନାମକ ଏହି ଭୂମିଟି ବିଶେଷ ଭାବରେ ପଛୁଆ ହୋଇ ରହିଛି । ତଳେ ପ୍ରାୟ ସବୁପ୍ରକାରେ ପ୍ରତ୍ୟାଖ୍ୟାତ ହୋଇ ରହିଥିବା ଅଶୀଭାଗ ମଣିଷଙ୍କର ସୁପ୍ତ ଶକ୍ତିକୁ ଯିଏ ଜାଗ୍ରତ କରିଆଣି ପାରିବ, ଓଡ଼ିଶାର ନକ୍ସାଟା ସୁସ୍ଥ ଭାବରେ ବଦଳି ଯିବାରେ ପ୍ରକୃତରେ ସେଇ ସାହାଯ୍ୟ କରିପାରିବ । ମାତ୍ର, ସେପରି କରିପାରିବାକୁ ହେଲେ ତାକୁ ପୁରୁଣା ଗୁଳାଗୁଡ଼ାକର ସର୍ବବିଧ ମୋହକୁ ପରିତ୍ୟାଗ କରି ବାହାରି ଆସିବାକୁ ପଡ଼ିବ । ଲୋକମାନଙ୍କ ପାଖକୁ ଭୋଟ ମାଗି ଆସିବାକୁ ତା’ ଖାତାରେ ଆଦୌ କୌଣସି କାର୍ଯ୍ୟକ୍ରମ ନଥିବ । ଲୋକମାନଙ୍କୁ ସବାଆଗରେ ରଖି ଯିଏ ଓଡ଼ିଶାରେ ଆଗାମୀ ପଚାଶ ବା ଶହେ ବର୍ଷକୁ ସ୍ପଷ୍ଟ ଦେଖି ପାରୁଥିବ । ତଳେ ନିଜର ସାମର୍ଥ୍ୟ ଭୁଲି ହତାଶାର ଦଉଡ଼ିଗୁଡ଼ାକରେ ନିର୍ମମ ଭାବରେ ବନ୍ଧାହୋଇ ରହିଥିବା ମଣିଷମାନେ ଯେପରି ନିଜ ଶକ୍ତିର ଅନୁଭବ ନିଜେ କରିପାରିବେ, ଆମର ସକଳ ପ୍ରୟାସ ସେହିଆଡ଼କୁ ନିୟୋଜିତ ହୋଇପାରିଲେ ଯାଇ ହେବ ।

 

ଗଣତନ୍ତ୍ର କହିଲେ ଉପର ହାକିମକୁ ନୁହେଁ, ତଳ ପ୍ରଶସ୍ତତମ ଲୋକସ୍ତରର ସକ୍ରିୟ ଶକ୍ତିକୁ ହିଁ ବୁଝାଇବ । ସେହି ସ୍ତରଟି ପ୍ରକୃତରେ ସଚେତନ ଏବଂ କ୍ରିୟାଶୀଳ ହୋଇପାରିବାକୁ ହେଲେ ସାର୍ବଜନୀନ ଯଥାର୍ଥ ଶିକ୍ଷାର ଏକ ସୁସ୍ଥ ପ୍ରୟୋଗ ଏକାନ୍ତ ଆବଶ୍ୟକ । ସେହି ଶିକ୍ଷା ତାହାକୁ ଏକ ସମ୍ମାନବୋଧର ଅଧିକାରୀ କରାଇ ପାରୁଥିବ । ଆମର ଏହି ଅସୁସ୍ଥ ସମାଜରେ ଏକ ପାରମ୍ପରିକ ଭାଗ୍ୟବାଦୀ ଅସମର୍ଥତା ଦ୍ଵାରା ପୀଡ଼ିତ ହୋଇ ରହି କୋଟି କୋଟି ମଣିଷ ଜଡ଼ବତ୍ ହୋଇ ରହିଛନ୍ତି ବୋଲି ଏଠାରେ କାଗଜପତ୍ରରେ ଯେତେଯାହା ଲେଖାହେବାରେ ଲାଗିଥିଲେ ମଧ୍ୟ ନକ୍ସାଗୁଡ଼ିକ ବଦଳି ପାରୁନାହାନ୍ତି । ଗଣତନ୍ତ୍ରର ଆମ ବ୍ୟବସ୍ଥାରେ ନିମ୍ନରୁ ନିମ୍ନତମ ପର୍ଯ୍ୟନ୍ତ ସବୁ ମନୁଷ୍ୟଙ୍କର ପ୍ରତିବାଦ କରିବାର ଶକ୍ତି ଅବଶ୍ୟ ରହିବ । ସେହି ଶକ୍ତିକୁ ନିଜ ଭବିଷ୍ୟଦର୍ଶନର ଏକ ସ୍ୱତନ୍ତ୍ର ବ୍ୟଞ୍ଜନା ଦେଇ ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ବୋଲି କହିଥିଲେ । ଖାଲି ଓଡ଼ିଶା ବା ଭାରତବର୍ଷ ନୁହେଁ, ସମଗ୍ର ପୃଥବୀ ହିଁ ଅନ୍ୟ ସକଳ ବାଟକୁ ପରଖି ପରଖି ସମ୍ଭବତଃ ଏହି ସତ୍ୟାଗ୍ରହର ପନ୍ଥା ପାଖକୁ ହିଁ ଆସୁଛି ।

 

ଓଡ଼ିଶାରେ ତାହାରି ବାର୍ତ୍ତାଟି ହିଁ ଅଧିକ ସୋଚ୍ଚାର ହୋଉ ଏବଂ ସେଥିଲାଗି ଉପଯୁକ୍ତ ସାହସୀ ନେତୃତ୍ୱଗୁଡ଼ିକ କ୍ରମପ୍ରସ୍ତୁତ ହୋଇ ଆସନ୍ତୁ ।

Image

 

ପରାମର୍ଶ ଦ୍ଵାରା ଗଣତନ୍ତ୍ର

 

ପାକିସ୍ତାନରେ ଗଣତନ୍ତ୍ର ଶାସନକୁ ଭାଙ୍ଗିଦେଇ ସୈନ୍ୟାଧକ୍ଷ ଜଣେ ସର୍ବେସର୍ବା ହୋଇ ବସିବା ପରେ ଅର୍ଥାତ୍ ସେଠାରେ ଏକ ସାମରିକ ଶାସନ ଜାରି ହୋଇଯିବା ପରେ ଆମେରିକା ଅର୍ଥାତ୍ ଆମେରିକାର ସରକାର ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଥିବା ପରି ବୋଧ ହେଉଛି । ତେଣୁ ସିଏ ପାକିସ୍ତାନ ଶୀଘ୍ର ପୁନର୍ବାର ଏକ ଗଣତନ୍ତ୍ର ଶାସନକୁ ଫେରିଆସୁ ବୋଲି ପାକିସ୍ତାନକୁ ପରାମର୍ଶ ଦେଇଛି । କହିବା ବାହୁଲ୍ୟ, ପାକିସ୍ତାନରେ ସମ୍ପ୍ରତି କ୍ଷମତାରେ ବସିଥିବା ସାମରିକ ଶାସନକୁ ହିଁ ଆମେରିକା ସେହି ପରାମର୍ଶ ଦେଇଛି । ବିଚରା ସାମରିକ ଶାସନଟି ବଡ଼ ଦୋବିଧା ଭିତରେ ପଡ଼ି ଯାହିତାହି ହୋଇ ଚଳୁଥିବା ଗଣତନ୍ତ୍ର ଶାସନଟାକୁ ହଡ଼ପ କରିନେଇ ଏକ ସୈନିକ ଶାସନର ପ୍ରବର୍ତ୍ତନ କରିଛନ୍ତି ବୋଲି ଯଦି ସେମାନେ ଅବଗତ ଥିବେ, ତେବେ ପୁନର୍ବାର ଗଣତନ୍ତ୍ରକୁ ଫେରି ଆସିବା ଲାଗି ବାହାରୁ ତାଗିଦା ପାଇ ସେମାନେ ପ୍ରକୃତରେ ଭାରି ଅଡୁଆରେ ପଡ଼ି ଯାଉଥବେ । ଆମେରିକା କ’ଣ ସେମାନଙ୍କୁ ଏତେ ବେକୁବ୍ ବୋଲି ଭାବୁଛି ? ଅବଶ୍ୟ ଏହି କଥାଟି ନିତାନ୍ତ ସତ ଯେ, ସାମରିକ ଶାସନର ଜୟଦ୍ରଥମାନେ ସାମରିକ ଶାସନଟା କୌଣସି ଦେଶରେ ଚିରକାଳ ନିମନ୍ତେ ଜାରି ରହୁ ବୋଲି କେବେହେଲେ ଖୋଲିକରି କହନ୍ତି ନାହିଁ । ଦେଶରେ ଯଥାଶୀଘ୍ର ଏକ ଶୃଙ୍ଖଳା ଫେରାଇ ଅଣାଯିବ ଏବଂ ତା’ପରେ ଦେଶଟାକୁ ଗଣତନ୍ତ୍ର ଶାସନକୁ ଫେରି ଯିବାକୁ ଅନୁମତି ଦିଆଯିବ ବୋଲି ସେମାନେ ସର୍ବତ୍ର ସଫେଇ ଦେଇଥାନ୍ତି । ସାମରିକ ଶାସନଟା ଯେ ଆଦୌ ଏକ ସ୍ୱାଭାବିକ ଶାସନ ନୁହେଁ, ନିଜ ଅନ୍ତ୍ରଗୁଡ଼ାକର ଅଳିନ୍ଦରେ ସେମାନେ ତଥାପି ସେହି ସତ୍ୟଟିକୁ ସ୍ୱୀକାର କରୁଥାନ୍ତି କି ? ପାକିସ୍ତାନର ସୈନ୍ୟଶାସକ ଶ୍ରୀଯୁକ୍ତ ମୁଶାରଫ ମଧ୍ୟ ତାଙ୍କ ହଡ଼ପର ପ୍ରଥମ ଦିନରୁ ହିଁ ସେହି ସଫେଇ ଦେଇଛନ୍ତି । ଗଣତନ୍ତ୍ର ବିଷୟରେ ଆଶାନ୍ୱିତ ହୋଇ ରହିବା ପାଇଁ ହୁଏତ ଏତିକି ମଧ୍ୟ ଆଦୌ କମ୍ ଉତ୍ସାହପ୍ରଦ ନୁହେଁ । ଆଖର ଗଣତନ୍ତ୍ର ହିଁ ରହିବ, ବନ୍ଧୁକଧାରୀ ଅଚାନକମାନେ ବିଦା ହୋଇଯିବେ ।

 

ଆମେରିକାର ଲୋକମାନଙ୍କ ପାଖରେ ସବୁଠାରୁ ଅଧିକ ଧନ ରହିଛି । ଆମେରିକା ସରକାରଙ୍କ ଖଣି ବା ଅମାରରେ ସବୁଠାରୁ ଅଧିକ ଅସ୍ତ୍ର ରଖିଛି । ପୃଥ୍ୱୀବାଣିଜ୍ୟରେ ସବୁଠାରୁ ବଡ଼ ସାଧବଦେଶ ହେଉଛି ସେହି ଆମେରିକା । ଧନଲଗାଣ ଏବଂ ଅସ୍ତ୍ରଲଗାଣରେ ସବୁଠାରୁ ବଡ଼ ଖାମିନ୍ଦ ମଧ୍ୟ ସେହି ଆମେରିକା ଏବଂ, ଆମ ପୃଥିବୀଯାକ ଦେଶର ଅସରଣ ସମୟରେ ସବୁଠାରୁ ବଡ଼ ଦାନୀ ଓ ସାହାଯ୍ୟକାରୀ ହିସାବରେ ଆମେରିକା ହିଁ ତାଲିକାର ସବାଉପରେ ରହିଛି । ଆଉ ଆଡ଼େ ବାସ୍ତବରୁ ନଜିର ନେଇ କହିଲେ, ଆମେରିକା ହେଉଛି ସବାଆଗ ଦେଶ, ଯେଉଁଠାରେ ଗଣତନ୍ତ୍ରର ଚେରଟା ଭୂଇଁର ଗଭୀରକୁ ସବୁଠାରୁ ଅଧିକ ପରିମାଣରେ ଭେଦ କରିପାରିଛି । କେବଳ ଗଣତନ୍ତ୍ର ନାମକ ଶାସନରେ ନୁହେଁ, ସାମୂହିକ ଜୀବନର ଏକ ସ୍ୱୀକୃତ ସରଣୀ ହିସାବରେ ମଧ୍ୟ ସେହି ଆମେରିକାରେ ଗଣତନ୍ତ୍ରର ଜୀବନଦୃଷ୍ଟିଟି ମଜବୁତ ହୋଇ ପ୍ରତିଷ୍ଠିତ ହୋଇପାରିଛି । ତେଣୁ ଆମ ପୃଥିବୀରେ ଗଣତନ୍ତ୍ରର ପକ୍ଷ ନେଇ ସମ୍ଭବତଃ ଆମେରିକା ହିଁ ସବୁଠାରୁ ଅଧିକ ଔଚିତ୍ୟର ସହିତ ସବୁକିଛି କହିପାରିବ । ଦ୍ଵିତୀୟ ମହାଯୁଦ୍ଧର ପରବର୍ତ୍ତୀ ବିଶ୍ୱବ୍ୟାପୀ ଶୀତଳଯୁଦ୍ଧରେ ଆମେରିକା ତା’ ନିଜ ବିବେକ ଅନୁସାରେ ହିଁ ଗଣତନ୍ତ୍ର ପାଇଁ ଅଧିକ ଅର୍ଥ ଖରଚ କରୁଥିଲା । ଗଣତନ୍ତ୍ର ସହିତ ବାହାରୁ କେହି ଆସି କୋଉଠି ଖୁରି ଖାଇବା ମାତ୍ରକେ ସେଠି ଆମେରିକାର ସୈନ୍ୟବାହିନୀ ଯାଇ ପହଞ୍ଚି ଯାଉଥିଲା । ଭିଏଟ୍ନାମ୍ ଯୁଦ୍ଧରେ ଆମେରିକା କେଡ଼େ ହଟହଟା ହେଲା, କେତେ ପଇସା ଖର୍ଚ୍ଚ କଲା, କେତେ ଅସ୍ତ୍ର ସାରିଲା ଓ ନିଜର କେତେ ସୈନ୍ୟସାମନ୍ତ ବଳି ବି ଦେଲା,- ତଥାପି ଗଣତନ୍ତ୍ରର ରକ୍ଷା ନିମନ୍ତେ ସିଏ ଏସବୁ କରୁଛି ବୋଲି ଆମେରିକା ନିରନ୍ତର ନିଜକୁ ସାନ୍ତ୍ୱନା ଦେବାରେ ଲାଗିଥିଲା । ହୁଏତ ପୃଥିବୀଯାକ ହସୁଥଲେ, ତଥାପି ଆମେରିକା ନିଜର ଉଚିତ କର୍ତ୍ତବ୍ୟ କରୁଛି ବୋଲି ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ୱାସ କରୁଥିଲା ।

 

ଗୋଟାଏ ଦେଶ, ସିଏ ପାକିସ୍ତାନ ହେଉ ଅଥବା ଭାରତବର୍ଷ ହେଉ, ବାହାରୁ ପରାମର୍ଶ ଅନୁସାରେ ତାହା କେତେଦୂର ଗଣତନ୍ତ୍ରକୁ ଫେରିଯାଇ ପାରିବ, ସେକଥା କିଏ ସୁନିଶ୍ଚିତ ଭାବରେ କହି ଦେଇପାରିବ କେଜାଣି ? ଅବଶ୍ୟ ପାକିସ୍ତାନର ଏହି ପଚାଶ ବର୍ଷର ଇତିହାସରେ ପାକିସ୍ତାନ ସରକାର ଆମେରିକା ସରକାର ପାଖରେ କୃତଜ୍ଞ ହୋଇ ରହିବାର ବହୁତ କାରଣ ରହିଛି । ପାକିସ୍ତାନ ଯେ ପାକିସ୍ତାନ ହୋଇ ରହିଛି, ସେଥିପାଇଁ ଆମେରିକାର ଧନସହାୟତା ଏବଂ ଅସ୍ତ୍ରସହାୟତାକୁ ମଧ୍ୟ ଧନ୍ୟବାଦ ଦେବାକୁ ହିଁ ପଡ଼ିବ । ଜନ୍ମବେଳୁ ପାକିସ୍ତାନ ମଧ୍ୟ ଗଣତନ୍ତ୍ରକୁ ହିଁ ରାଷ୍ଟ୍ରଶାସନର ଛାଞ୍ଚ ରୂପେ ଗ୍ରହଣ କରିଥିଲା ଓ ସେହି ଅନୁସାରେ ତାହାର ଗୋଟିଏ ସମ୍ବିଧାନ ମଧ୍ୟ ତିଆରି ହୋଇଥିଲା । କିନ୍ତୁ ପ୍ରଥମ ଦଶଟା ବରଷରେ ହିଁ ସେଠି ରାଜନୀତିକ ହତ୍ୟାକାଣ୍ଡମାନ ଆରମ୍ଭ ହୋଇଗଲା । ତା'ପରେ ଅନ୍ତତଃ ସମୟର ଭିତ୍ତିରେ ଯଦି ହିସାବ କରି ଦେଖାଯାଏ, ତେବେ ଦେଖାଯିବ ଯେ, ମଝିରେ ମଝିରେ କେତେଦିନ ଗଣତନ୍ତ୍ରର ଢ଼ାଞ୍ଚାରେ ଗଡ଼ଗଡ଼େଇବା ପରେ ସେହି ଦେଶରେ ଧାତୁଗତ କୌଣସି ଗୋଳମାଳ ହୁଏତ କେଉଁଠି କ’ଣ ହୋଇଯାଇଛି କେଜାଣି, ବାରମ୍ବାର ଦେଶରେ ଶାସନ ଅସ୍ତ୍ରାଧିକାରୀ ସେନାପତିଙ୍କ ହାତକୁ ହିଁ ଫେରିଯାଇଛି । ଏବଂ, ମଝିରେ ଘଡ଼ିଏ ଘଡ଼ିଏ ଯେତେବେଳେ ଗଣତନ୍ତ୍ରର ଶାସନ ପସରାଟାକୁ ବାଟ ଛାଡ଼ି ଦିଆଯାଇଛି, ସେତେବେଳେ ତାହା ସୈନ୍ୟାଧକ୍ଷମାନଙ୍କର ପ୍ରଭାବରୁ ତଥାପି ପୂର୍ଣ୍ଣ ଭାବରେ ମୁକ୍ତ ରହିଛି ବୋଲି ସମ୍ଭବତଃ ମୋଟେ ଠୋ କରି କହିଦେଇ ହେବନାହିଁ । ତେଣୁ, ଏପରି କାହିଁକି କୁହାନଯାଇ ପାରିବ ଯେ, ମୂଳତଃ ଶାସନଟା ସୈନିକମାନଙ୍କର ଅଧୀନରେ ରହିଛି ଏବଂ ଏକ ବ୍ୟତିକ୍ରମ ସ୍ୱରୂପ ବେଳେବେଳେ ଲୋକପ୍ରତିନିଧିଙ୍କ ପଟକୁ ଫେରିଯାଇଛି । ସେଠାରେ ଯାବତୀୟ ମାଟି ଓ ପାଣି ଗଣତନ୍ତ୍ର ଅପେକ୍ଷା ସୈନିକଶାସନ ନିମନ୍ତେ ସତେଅବା ଧର୍ମତଃ ଅଧିକ ପାଖ ହୋଇ ରହିଛି । ପୁନଶ୍ଚ, ଲୋକପ୍ରତିନିଧିମାନଙ୍କର ତଥାକଥିତ ଶାସନ ସମୟରେ ରାଷ୍ଟ୍ରର ସାଧାରଣ ଆଦତ ଏବଂ ଆଚରଣଗୁଡ଼ିକ ମଧ୍ୟ ପ୍ରାୟ ନିୟମିତ ଏକ ସୈନିକଶାସନର ଆଦତ ଏବଂ ଆଚରଣ ଭଳି ହେଉଥିବା ପରି ମନେହେଉଛି ।

 

ବାହାରୁ ପରାମର୍ଶର ଅଭାବ ଥାଏ ବୋଲି ଯେ କୌଣସି ଦେଶରେ ଗଣତନ୍ତ୍ରର ଶାସନ ସମ୍ଭବ ହୋଇପାରେ ନାହିଁ, ସେକଥା ଆଦୌ ନୁହେଁ । ଗଣତନ୍ତ୍ର ସକାଶେ ଏକ ଉଚିତ ଓ ଅନୁକୂଳ ଭିତ୍ତିଭୂମି ମହଜୁଦ ନଥାଏ ବୋଲି ହିଁ ଗଣତନ୍ତ୍ରର ଡ଼ଙ୍ଗାଟାରେ କୌଣସି ଚେର ଧରିପାରେ ନାହିଁ । ଦ୍ଵିତୀୟ ମହାଯୁଦ୍ଧ ପରେ ପୃଥିବୀରେ ଯେଉଁସବୁ ଦେଶ ନୂଆଁ ହୋଇ ରାଜନୀତିକ ସ୍ଵାଧୀନତା ଲାଭ କଲେ, ସେଗୁଡ଼ିକର ସୁମାରି ନେଲେ ଜଣାପଡ଼ିବ ଯେ, ପଚାଶ ବର୍ଷର ଅବଧି ପରେ ମଧ୍ୟ ସେଗୁଡ଼ିକ ମଧ୍ୟରୁ ଅଧିକସଂଖ୍ୟକ ଦେଶରେ ସତକୁ ସତ ଗଣତନ୍ତ୍ର ଶାସନର ସାମାନ୍ୟ କଳଟାଏ ମଧ୍ୟ ନାହିଁ । ସେମାନଙ୍କୁ ନିଜ ନିଜର ଗୋଡ଼ାଣିଆ କରି ରଖିବେ ବୋଲି ଶୀତଳଯୁଦ୍ଧ ସମୟରେ ଦୁଇଟାଯାକ ପକ୍ଷ କେତେ ଅମରମତା ହୋଇ ପରାକ୍ରମୀ ଉଦ୍ୟମମାନ କରୁଥିଲେ, ଅର୍ଥ ସାହାଯ୍ୟ ଦେଉଥଲେ, ଅସ୍ତ୍ର ବି ଦେଉଥିଲେ । ହୁଏତ ଏଥର ଭଲ ଉପୁଜିବ ବୋଲି ଅଟଳ ବିଶ୍ୱାସ ସହିତ ଦେଉଥିଲେ । ସେମାନେ ଏଣିକି ବାଧ୍ୟ ହୋଇ ବନ୍ଧା ହୋଇରହିଲେ ବୋଲି ଭାବୁଥିଲେ । ଆମେରିକା ସେତେବେଳେ ରୁଷିଆ ସହିତ ପୂରା ଟକ୍କର ଦେଇ ଏହି ସରଗରମ ପ୍ରତିଯୋଗିତା ଭିତରେ ଏକ ଅନ୍ୟତମ ହିରୋର ଭୂମିକା ତୁଲାଉଥିଲା । ସେତେବେଳେ ଯଦି ଗୋଷ୍ଠୀନିରପେକ୍ଷ ଆନ୍ଦୋଳନ ଏକ ବିକଳ୍ପର ସୃଷ୍ଟି କରିନଥାନ୍ତା, ତେବେ ଏହି ନୂଆ ଦେଶଗୁଡ଼ିକରୁ ଅଧିକାଂଶ ହୁଏତ ବଡ଼ ଶୋଚନୀୟ ଭାବରେ ଦୁଇ ଦାଣ୍ଡିରେ ବିଭକ୍ତ ହୋଇ ଯାଇଥାନ୍ତେ । ଏବଂ, ତଥ୍ୟ କହୁଛି ଆମେରିକା ଓ ରୁଷିଆରୁ ଅସ୍ତ୍ରବଳ ଓ ଅର୍ଥବଳ ସାହାଯ୍ୟ ପାଉଥିବା ଶାସକମାନେ ନିଜ ନିଜ ଦେଶକୁ ଅଧିକରୁ ଅଧିକ ପରିମାଣରେ ସାମନ୍ତବାଦ ବା ଉଗ୍ର ଜାତୀୟତାବାଦର କବଳରେ ରଖିବା ନିମନ୍ତେ ତଦ୍ୱାରା ଅଧିକ ସମ୍ବଳ ଲାଭ କଲେ । କେତେକ କ୍ଷେତ୍ରରେ ଏପରି ମଧ୍ୟ ହେଲା ଯେ, ବିଭିନ୍ନ ଦେଶରେ ଯଦି ଶିବିରଟିଏ ପ୍ରକୃତରେ ଲୋକସାଧାରଣଙ୍କର ପକ୍ଷରେ ଥିଲା ଏବଂ ସେମାନଙ୍କର ଉଦୟ ପାଇଁ ସାମନ୍ତବାଦୀ ଓ ନ୍ୟସ୍ତସ୍ୱାର୍ଥବାଦୀ ଶାସକମାନଙ୍କୁ ପ୍ରତିବାଦ ଜଣାଇଲା, ତେବେ ସେମାନଙ୍କୁ ଉତ୍ପାଟିତ କରିଦେବାରେ ହିଁ ଶାସକମାନେ ବାହାର ହିରୋମାନଙ୍କଠାରୁ ପାଇଥିବା ଅସ୍ତ୍ରଗୁଡ଼ିକୁ ବ୍ୟବହାର କରିଥିଲେ । ଏହିପରି ଭାବରେ ଗଣତନ୍ତ୍ରର ପାଟଦେଶ ଆମେରିକା, ଏସିଆ ଓ ଆଫ୍ରିକାରେ ଏକାଧିକ ଦେଶରେ ଗଣତାନ୍ତ୍ରିକ ନାନା ସକ୍ରିୟତାକୁ ମାରି ପକାଇବାରେ ଯେ ସହାୟତା କରିଛି, ଏବେ ଆମରିକାରୁ କରାଯାଇଥିବା ବହୁ ଅଧ୍ୟୟନରୁ ମଧ୍ୟ ସେହି ତଥ୍ୟଟି ମିଳିପାରୁଛି । ସେତେବେଳର ଏହି ପର୍ଯ୍ୟାୟଟି ଭିତରେ ପାକିସ୍ତାନର ସରକାର ମଧ୍ୟ ଅବଶ୍ୟ ଅନ୍ତର୍ଭୁକ୍ତ ହୋଇ ରହିବ । ଏହି ସମ୍ବନ୍ଧରେ ସୀମାନ୍ତ ଗାନ୍ଧୀ ଖାଁ ଅବ୍ଦୁଲ ଗଫର ଖାଁଙ୍କର ଦୃଷ୍ଟାନ୍ତଟି ଆମକୁ ଜଳଜଳ ହୋଇ ଦେଖାଯିବ । ଏବେ ଯେଉଁ ଭୂମିଖଣ୍ଡଟାକୁ ପାକିସ୍ତାନ ବୋଲି କୁହାଯାଉଛି, ଏକଦା ସେହି ଭୂମିରେ ହଜାର ହଜାର ଲୋକ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସେମାନେ ପାକିସ୍ତାନ ପାଇଁ ନୁହେଁ, ପୂରା ଭାରତବର୍ଷକୁ ଏକ ସ୍ଵାଧୀନ ଦେଶ ରୂପେ ଦେଖିବେ ବୋଲି ଲଢ଼ିଥିଲେ । ସୀମାନ୍ତ ଗାନ୍ଧୀ ସେହି ଲଢ଼ାଇରେ ସବା ଆଗରେ ଥିଲେ । ଦେଶ ଦୁଇଖଣ୍ଡ ହେବାପରେ ଏପଟ ଖଣ୍ଡଟାକୁ ଆମେ ଭାରତମାତା ବୋଲି କହିଲେ ଏବଂ ସେପଟେ ଯେଉଁ ପୂର୍ବତନ ସଂଗ୍ରାମୀମାନେ ପାକିସ୍ତାନ ନାମକ ପିଂସାଦଟିକୁ ସ୍ୱୀକାର କରିପାରିଲେ ନାହିଁ, ସେମାନଙ୍କୁ ଦାରୁଣ ଯାତନା ଭୋଗ କରିବାକୁ ପଡ଼ିଥିଲା । ସେମାନଙ୍କୁ ଦବାଇ ଦେବାରେ ଆମେରିକାରୁ ପାଇଥିବା ଅସ୍ତ୍ରଶସ୍ତ୍ର ଓ ପଇସା ପାକିସ୍ତାନ ସରକାରଙ୍କର ଖୁବ୍ କାମରେ ଲାଗିଛି । ତା’ପରେ ଭାରତବର୍ଷର ଚାରିପଟେ କେତେ ଛାଞ୍ଚ ଓ କେତେ ଚଞ୍ଚକତାରେ ଗଣତନ୍ତ୍ର ତିଆରି ହେଲା-। ପାକିସ୍ତାନ, ବ୍ରହ୍ମଦେଶ, ନେପାଳ ଓ ଇଣ୍ଡୋନେସିଆ ସେହି ଛଟକ ଦ୍ଵାରା ପୁରୁଣା ସାମନ୍ତବାଦୀ ଅବଜ୍ଞା ତଥା ଅନାଚରଣ ଗୁଡ଼ିକୁ ସ୍ଥାୟୀକରି ରଖିବାର ମଉକାମାନ ପାଇଗଲେ ଓ ଗଣତନ୍ତ୍ର ଚାଲୁଥିବାର ସାର୍ଟିଫିକେଟ ଦେଖାଇ ଆମେରିକାର, ଅସ୍ତ୍ର ତଥା ଅର୍ଥର ସାହାଯ୍ୟ ବି ପାଇପାରୁଥିଲେ । ପ୍ରକୃତ ଘଟଣା ହେଉଛି, ନିଜ ଛାୟାମଣ୍ଡଳ ଭିତରେ ରହିଥିବା ସରକାରମାନେ ଶୀତଳ ଯୁଦ୍ଧର ସୁମାରିରେ ଆମେରିକା ପଟେ ରହିଥିଲେ ଓ ସେମାନେ ଗଣତନ୍ତ୍ରରେ ଅଛନ୍ତି ବୋଲି ଆମେରିକାର ସରକାର ମଧ୍ୟ ସେଇଥିରୁ ହିଁ ବିଶ୍ୱାସ କରିପାରୁଥିଲେ । ତୃତୀୟ ବିଶ୍ଵର ସ୍ୱାଭାବିକ ତଥା ଅସଲ ବିକାଶରେ ଆମେରିକା ଯେ ଏହିପରି ଭାବରେ ପ୍ରତିବନ୍ଧକ ପରି ହୋଇଛି, ଯେକୌଣସି ଅଧ୍ୟୟନରୁ ତାହାର ଏକାଧିକ ସିଧା ପ୍ରମାଣ ଅବଶ୍ୟ ମିଳିଯିବ ।

 

ଆମେରିକାର ସରକାର ପରାମର୍ଶ ଦିଅନ୍ତୁ, କୁହା ନମାନିଲେ ଅମୁକ ସାହାଯ୍ୟ ବନ୍ଦ କରି ଦିଆଯିବ ଏବଂ ଅମୁକ ଚୁକ୍ତିଟାକୁ ରବ୍ଦକରି ଦିଆଯିବ ବୋଲି ଧମକ ଦିଅନ୍ତୁ । ସେଥିରେ କାହାର ମୋଟେ କୌଣସି ଆପତ୍ତି ରହିବା ଉଚିତ ନୁହେଁ । ବିଚରା ସରକାରଟିଏ ଆଉ ଗୋଟିଏ ସରକାର ବିଷୟରେ ଆଉ ଅଧିକ କ’ଣ ବା କରିପାରିବ ? ମାତ୍ର କେଉଁ ବା କେଉଁସବୁ କାରଣରୁ ଯେ ପାକିସ୍ତାନରେ ବିଗତ ପଚାଶ ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ସେଠାରେ ଗଣତନ୍ତ୍ରର ଅନୁକୂଳ ପଟାଳିଟିଏ ପ୍ରସ୍ତୁତ ହୋଇପାରିବା ପରି କିଞ୍ଚିତ୍ ବହଳ ହୋଇ ପୁଳାଏ ମାଟି ମଧ୍ୟ ପଡ଼ି ପାରିଲା ନାହିଁ, ଆମେରିକା ସରକାର ସେ ବିଷୟରେ ମଧ୍ୟ କିଛି ସନ୍ଧାନ କରନ୍ତୁ । ଆମେରିକାର ଗୋଇନ୍ଦାବାହିନୀ ପୃଥିବୀଯାକ କୋଉ ହାଣ୍ଡିରେ କି ଭାତ ଫୁଟିଲା ବା ନ ଫୁଟିଲା ବୋଲି ଖବର ଯୋଗାଡ଼ କରି ପାରୁଛନ୍ତି, ଏତିକି ହାଲଚାଲ ସେମାନେ କାହିଁକି ପାଇ ନପାରିବେ ? ଆଦୌ କୌଣସି ସଂଗ୍ରାମ ନକରି ଏକ ନେତୃବର୍ଗଙ୍କୁ ସେଠାରେ ଏକଦା ସତେଅବା ସ୍ୱାଧୀନତା ନାମକ ଏକ ମିଠାଫଳକୁ ଥାଳିରେ ବାଢ଼ି ପରଷି ଦିଆଗଲା, ସେମାନେ ବ୍ରିଟିଶ ଶାସନ ଭାରତରୁ ଯାଉ ଓ ଭାରତବାସୀ ସ୍ଵାଧୀନ ହୁଅନ୍ତୁ ବୋଲି ମୋଟେ ଚାହୁନଥିଲେ ଏବଂ ତେଣୁ କୁଞ୍ଚିକାଠି ଗୁଡ଼ିକୁ ପାଇଯିବା ପରେ ସେମାନେ ସେହି ପଟର ସ୍ଵାଧୀନତା ସଂଗ୍ରାମୀମାନଙ୍କର ମୁହଁ ବନ୍ଦ କରିଦେଲେ ଓ ସେମାନଙ୍କୁ ଜେଲରେ ବନ୍ଦୀକରି ରଖିଲେ । ସେଠା ରାଜନୀତି ସମ୍ଭବତଃ ଏହି କାରଣରୁ ସେଠାରେ ସେହି ମୂଳରୁ ହିଁ ଅବାଗିଆ ହୋଇଗଲା । ସେହି ମୂଳରୁ ହିଁ ଆଦୌ କୌଣସି ରାଜନୀତିକ ସ୍ୱପ୍ନ ନଥିବା ଶାସକମାନଙ୍କ ଉପରେ ସାମରିକ କର୍ତ୍ତୃତ୍ୱଟାର ପ୍ରତିପତ୍ତି ଜାହିର ହୋଇ ରହିଲା । ଗଣତନ୍ତ୍ରକୁ ପାକଳ କରିବାକୁ ହେଲେ ଯେ ଲୋକସ୍ତରରେ ଏକ ସେହିଧର୍ମୀ ସଚେତନତାକୁ ମଧ୍ୟ ପାକଳ ଏବଂ ପ୍ରଶସ୍ତ କରି ଆଣିବାକୁ ପଡ଼େ, ଏହି ସତ୍ୟଟି ପ୍ରତି ଅନୁଗତ ରହିବାକୁ ପାକିସ୍ତାନରେ ହୁଏତ କୌଣସି ରାଜନୀତିକ ଯୋଗ୍ୟ ନେତୃତ୍ୱ ନଥିଲା । ଏବଂ, ହୁଏତ ସେହି ନେତୃତ୍ୱଟି ଯାହିତାହି ହୋଇ ତିଆରି ହୋଇ ଆସିବାର ଯେତିକି ବି ସମ୍ଭାବନା ରହିଥିଲା, ଆମେରିକା ସରକାର ଭାରତ-ପାକିସ୍ତାନ ଭୂମିକାଭିନୟରେ ପ୍ରାୟ ସବୁବେଳେ ପାକିସ୍ତାନ ପଟକୁ ଆଉଜି ରହିବା ଦ୍ଵାରା ସେହି ସମ୍ଭାବନା ପଣ୍ଡ ବି ହୋଇଗଲା । ସ୍ଵାଧୀନତାର ପ୍ରାପ୍ତି ପରେ ପାକିସ୍ତାନ ଓ ଭାରତ,- ଏହି ଦୁଇ ଦେଶର ଭୂମି ଗୋଟାସୁଦ୍ଧା ଭିନ୍ନ ଭିନ୍ନ ପ୍ରକାରର ଥିଲା । ଉତ୍ସାହମାନେ ଓ ମତଲବମାନେ ବିଭିନ୍ନ ପ୍ରକାରର ଥିଲେ । ଏବଂ, ସିଆଣିଆ ଆମେରିକା ସେତେବେଳେ ଏହି ଦୁଇ ଦେଶକୁ ଯାବତୀୟ ଅର୍ଥରେ ସମାନ ବୋଲି ବିଚାର କରିବାକୁ ଆପଣାର ହିତ ବୋଲି ଭାବିଲା । ଏହାଦ୍ୱାରା ଆମେରିକାର କ’ଣ ହିତ ସବୁ ହେଲା ବା ନହେଲା କେଜାଣି, କିନ୍ତୁ ପାକିସ୍ତାନରେ ଗଣତନ୍ତ୍ରର ବହୁ ସମ୍ଭାବନା ବଡ଼ ଶୋଚନୀୟ ଭାବରେ କ୍ଷତିଗ୍ରସ୍ତ ହେଲା । ଭୁଲ୍ ନେତାମାନେ ଅଧିକ ମୁହଁ ପାଇଲେ । ପ୍ରକୃତ ଗଣତନ୍ତ୍ର ଇଚ୍ଛା କରୁଥିବା ଉପାଦାନମାନେ ବହୁ ନିପୀଡ଼ନର ଶିକାର ହେଲେ । ଗଣତନ୍ତ୍ର ନାମକ ସାମୂହିକ ଏକ ପରିବେଶରେ ହିଁ ଯାବତୀୟ ଧର୍ମ-ଚେତନାର ସୁସ୍ଥ ତଥା ଅସଲ ଆବେଦନ ଗୁଡ଼ିକ ବିକଶିତ ହୋଇ ଆସିଥାଏ । ମାତ୍ର, ଗଣତନ୍ତ୍ର କୌଣସି ନିର୍ଦ୍ଦିଷ୍ଟ ଧର୍ମ ପାଖରେ ନିଜକୁ ଆଦୌ ବିକିଦିଏ ନାହିଁ । ପାକିସ୍ତାନର ଶାସକମାନେ ଇସ୍ଲାମ ଧର୍ମକୁ ହିଁ ନିଜର ଏକମାତ୍ର ଧର୍ମ ବୋଲି ଗ୍ରହଣ କରିନେବା ପରେ ସେହି ଦେଶରେ ବସ୍ତୁତଃ ଧର୍ମରେ ପ୍ରଭୂତ ହାନି ହୋଇଛି । ନାନାବିଧ ଉଗ୍ରବାଦକୁ ପ୍ରଶ୍ରୟ ମିଳିଛି ଏବଂ ସର୍ବୋପରି ସଂତ୍ରାସବାଦକୁ ଅତ୍ୟନ୍ତ ଚମତ୍କାର ଅନୁକୂଳତାମାନ ପ୍ରାପ୍ତ ହୋଇପାରିଛି । ପ୍ରଜାସାଧରଣ ସତେ ଅବା ଅଫିମ ଭୁଞ୍ଜି ଆଖିବୁଜି ରହିଛନ୍ତି । ଯାବତୀୟ ଅର୍ଥରେ ପାକିସ୍ତାନ ମଧ୍ୟପ୍ରାଚ୍ୟର ଯେକୌଣସି ଦେଶ ପରି ଏକାନ୍ତ ଭାବରେ ପଛମୁହାଁ ହୋଇ ରହିଛି । ବିବେକଗୁଡ଼ିକ ସତେଅବା କାହାର ନାହୁଡ଼ ବାଜିଥିବାର ପ୍ରକୋପରୁ କାଉଁଦା ହୋଇ ରହିଛି । ସେହି ଗୋଟିଏ ଧର୍ମ ଭିତରେ ମଧ୍ୟ ଏ ସାହୀ ସେ ସାହୀଟା ସହିତ ଏକତ୍ର ବସିପାରୁନାହିଁ । ବୋମାରେ ଏବଂ ଛୁରୀରେ ଯାହାକିଛି ସମ୍ଭାଷଣ ଚାଲିଛି ଏବଂ ପୃଥିବୀଯାକର ସମ୍ମୁଖମୁଖୀ ଦେଶମାନେ ଯେପରି ଆଗାମୀ ଇପ୍ସିତଗୁଡ଼ିକ ନିମନ୍ତେ ଭିତରେ ଓ ବାହାରେ ପ୍ରସ୍ତୁତ ହୋଇପାରୁଚନ୍ତି, ଆବଶ୍ୟକ ପରିବର୍ତ୍ତନଗୁଡ଼ିକୁ ସ୍ଵାଗତ ଜଣାଇ ପାରୁଛନ୍ତି, ବୃହତ୍ତର ମଧ୍ୟପ୍ରାଚ୍ୟ ପରି ପାକିସ୍ତାନରେ ମଧ୍ୟ ତାହା ସୁକର ହୋଇ ପାରୁନାହିଁ । ଉପମହାଦେଶରେ ସେହି ଖଣ୍ଡଟା ଯେ ଏକ ଅଲଗା ରାଷ୍ଟ୍ରରୂପେ ଶାସିତ ହେବା ପର୍ଯ୍ୟନ୍ତ ବହୁ ଶତାବ୍ଦୀ ଧରି ଏକ ଅତ୍ୟନ୍ତ ଉଦାର ସାଂସ୍କୃତିକ ପରମ୍ପରା ଭିତରେ ବଢ଼ି ଆସିଥିଲା, ଏବେ ସେପଟକୁ ଅନାଇଲେ ତାହାର ଟିକିଏ ସଙ୍କେତ ମଧ୍ୟ ମିଳୁନାହିଁ ।

 

ତେଣୁ ଆମେରିକା ସରକାର ପ୍ରକୃତରେ କାହାକୁ ଗଣତନ୍ତ୍ରକୁ ଫେରି ଆସିବା ଲାଗି ପରାମର୍ଶ ଦେଉଛନ୍ତି ? କାହାକୁ ସହାୟତାମାନ କାଟି ଦିଆଯିବ ବୋଲି ଧମକ ଦେଉଛନ୍ତି ? ଭାରତୀୟ ଗଣତନ୍ତ୍ର ଅନେକ ସମୟରେ ତାହାର ପଦାଙ୍କ ଅନୁସରଣ କରିନାହିଁ ଏବଂ ନିଜ ବିଚାର ଅନୁସାରେ ନିଜ ମାର୍ଗର ନିରୂପଣ କରିଛି । ସେଥିଲାଗି ବହୁତ କ୍ଷେତ୍ରରେ ଭାରତକୁ ଆମେରିକାର ଚକ୍ଷୁଶୂଳ ହେବାକୁ ପଡ଼ିଛି । ଏତେବଡ଼ ଗଣତନ୍ତ୍ର ଆମେରିକା ଗଣତନ୍ତ୍ରର ପ୍ରାଥମିକ ପାହାଚଗୁଡ଼ିକୁ ବିଶ୍ଵାସଯୋଗ୍ୟ ଭାବରେ ନିର୍ମାଣ କରିବାର ପ୍ରୟାସ କରୁଥିବା ଏବଂ ସେହି ପ୍ରୟାସରେ ବେଳେବେଳେ କେତେ ଭୁଲ୍ ମଧ୍ୟ କରୁଥିବା ଏଡ଼େ ବଡ଼ ଦେଶ ଭାରତବର୍ଷକୁ ନିଜର ଏକ ପ୍ରତିଦ୍ୱନ୍ଦୀ ବୋଲି ଭାବୁଛି କି କ’ଣ କେଜାଣି, ପାକିସ୍ତାନ ଯେଉଁଭଳି ରହିଛି, ସିଏ ସେଇଭଳି ହୋଇ ରହିଥାଉ ବୋଲି ଆମେରିକା ଇଚ୍ଛା କରୁଛି ଏବଂ ନିଜର କୂଟନୈତିକ କର୍ତ୍ତବ୍ୟଗୁଡ଼ିକୁ ସେହି ଅନୁସାରେ ସ୍ଥିର କରୁଛି ।

 

ପାକିସ୍ତାନ ରାଜନୀତିକ ଚେତନାର କ୍ଷେତ୍ରରେ ଯେଉଁଭଳି ରହିଆସିଛି, ତାହା ଅଳ୍ପବହୁତ ସେହିପରି ରହିବାଟା ଆମେରିକାର ସରକାରକୁ ସମ୍ଭବତଃ ଅଧିକ ସୁହାଉଛି । ପାକିସ୍ତାନରେ ଯେ ତୁହାକୁ ତୁହା ସାମରିକ ଶାସନର ହଙ୍ଗାମା ଲାଗିରହିଛି ଓ ଏକ ରାଜନୀତିକ ଜଡ଼ତା ସେଠି ଗଣତାନ୍ତ୍ରିକ ବିକାଶର ଗୋଡ଼କୁ ଜବର କାମୁଡ଼ି ଧରିଛି, ଏପରି ହେବାରେ ଆମେରିକାର ମଧ୍ୟ ଅବଶ୍ୟ ସ୍ପଷ୍ଟି ହାତଟିଏ ରହିଛି । ତେଣୁ ପାକିସ୍ତାନ ଗଣତନ୍ତ୍ରକୁ ଫେରିଯାଉ ବୋଲି ସରକାରୀ ଭାବରେ ଏକ ପରାମର୍ଶ ଦେବା ପଛରେ ଆମେରିକା ସତକୁ ସତ କ’ଣ ଇଚ୍ଛା କରୁଛି କେଜାଣି ? ପାକିସ୍ତାନରେ ଏକ ସତ ଗଣତନ୍ତ୍ରର ମଜବୁତ ମୂଳଦୁଆଟିଏ ଗଢ଼ି ହୋଇ ଆସିବାକୁ ଆରମ୍ଭ କଲେ ତାହାର ଅଭ୍ୟସ୍ତ ଆଭିମୁଖ୍ୟଗୁଡ଼ିକ କ୍ରମେ ବଦଳିଯିବ ଓ ସେହି ଦେଶର ଜନଗଣ ତଥା ରାଷ୍ଟ୍ର ନିଶ୍ଚିତ ଭାବେ ଚେତନାର ଏକ ଭିନ୍ନ ପରିମିତି ଉପରେ ଭାବି ଶିଖିବେ- ଆମେରିକା ନିମନ୍ତେ ତାହା କ୍ଷତିକାରକ ହେବ ନାହିଁ ତ ?

Image

 

ପଲ୍ଲୀ ପ୍ରତିବାଦ କରି ଶିଖୁ

 

ବାତ୍ୟା ଆସିଲା । ଆମ ସଂସାରକୁ ଉଚ୍ଛନ୍ନ କରିଦେଲା । ଅତୀତ ଅନେକ ପୁରୁଷରୁ ଗଢ଼ିହୋଇ ଆସିଥିବା ଆମର ଗାଆଁଟି ଆମ ଆଖିକୁ କେଡ଼େ ସମ୍ପୂର୍ଣ୍ଣ ଯେ ଦେଖାଯାଉଥିଲା, ସେଇଟା ଗୋଟାସୁଦ୍ଧା ଉଜୁଡ଼ି ଗଲା । ଗଛମାନେ ଗଲେ, ଘରମାନେ ଭାଙ୍ଗିଲେ, ଅତୀତ ବୋଲି କହିବାକୁ ଅଥବା ଦେଖାଇ ପାରିବାକୁ ଆମ ପାଖରେ ଆଉ କିଛିହେଲେ ରହିଲା ନାହିଁ । ବର୍ତ୍ତମାନ ବୋଲି କହିବାକୁ ମଧ୍ୟ କ’ଣ ବାକି ରହିଲା ? ବିଲରେ ଛିଡ଼ା ହୋଇଥିବା ଧାନ ଫସଲ ଲୁଣି ମାରିଗଲା । ଆମ ଇସ୍କୁଲ ଘରର ଚାଳ ଛପର ଉଡ଼ିଗଲା ଯେ, ଚାରିମାସ ଗତ ହୋଇ ଯାଇଥିଲେ ମଧ୍ୟ ଆମ ପିଲାମାନେ ଏବେ ପଦାରେ ବସିବାକୁ ବାଧ୍ୟ ହେଉଛନ୍ତି । ବହିପତର ଏବେ ମଧ୍ୟ ସ୍ଵପ୍ନ ହୋଇ ରହିଛି । ସେମାନେ ସେହି ପୁରୁଣା ପାଠଗୁଡ଼ାକୁ ତଥାପି କାହିଁକି ଘୋଷି ହେଉଛନ୍ତି କେଜାଣି-? ଏହି ସବୁକିଛିକୁ ଦେଖି ମନେହେଉଛି, ବର୍ତ୍ତମାନ ଆମ ସକାଶେ କେବଳ ଭବିଷ୍ୟତଟିଏ ହିଁ ଯାହା ରହିଛି । ଅତୀତ ଏବଂ ବର୍ତ୍ତମାନର ଉଜୁଡ଼ା ମୂଳଦୁଆଟା ଉପରେ ସତେଅବା ସେହି ଭବିଷ୍ୟତଟି ଆମ ଲାଗି ଅପେକ୍ଷା କରି ରହିଛି ।

 

ଏହି ଚାରିମାସ ଭିତରେ ପୃଥିବୀଟାଯାକରେ ହିତକାରୀ ମଣିଷମାନେ ଆମ ଅଂଚଳ ଗୋଟାକରେ ଆସି ପହଂଚିଗଲେ । ପୃଥିବୀଯାକର ପଇସା ଆମର ଥୁଣ୍ଟା ଜୀବନଟାର ଅଣ୍ଟିରେ ଆସି ଅଜାଡ଼ି ହୋଇପଡ଼ିଲା । ସରକାରୀ ବେସରକାରୀ କେତେ କିଏ ଆସିଲେ । ସମସ୍ତେ ଆମ ପାଖରେ ନିଜକୁ ଆମର ବନ୍ଧୁ ବୋଲି ପରିଚୟ ଦେଲେ । ବିପଦବେଳେ ଯିଏ ପାଖରେ ଆସି ଠିଆହୁଏ, ସେଇ ବନ୍ଧୁ ବୋଲି ଆମ ଶାସ୍ତ୍ରରେ କୋଉକାଳୁ ଲେଖାହୋଇ ରହିଥିଲା । ଆମ ବିପର୍ଯ୍ୟୟକୁ ସେହି କଥାଟି ପୁନର୍ବାର ସତ୍ୟ ବୋଲି ପ୍ରମାଣିତ ହେଲା । ଆମର ଏହି ଅନାମଧେୟ ଅପନ୍ତରା ପଲ୍ଲୀ ପଛରେ ଯେ ଏଡ଼େବଡ଼ ପୃଥିବୀଟିଏ ରହିଛି, ଏହି ବିପର୍ଯ୍ୟୟ ସମୟରେ ହିଁ ଆମେ ତାହାର ପ୍ରତ୍ୟକ୍ଷ କଲୁ । ଖବରକାଗଜରୁ ମଲ୍ଟିନେସ୍ନାଲ୍ ବୋଲି କଥାଟିଏ ଅନେକ ସମୟରେ ପଢ଼ିବାକୁ ପାଇଥିଲୁ । ମଲ୍ଟିନେସ୍ନାଲ୍ମାନେ ବାଇଶି ହଜାର ପଣ୍ୟର ସମ୍ଭାର ସାଙ୍ଗରେ ଧରି ଭାରତବର୍ଷକୁ ମାଡ଼ି ଆସିବେ ଓ ଆମକୁ ଗିଳି ପକାଇବେ ବୋଲି ବେଳେବେଳେ ସେମାନେ ସତର୍କବାଣୀ ଶୁଣାଇବାରେ ବି ଲାଗିଥିଲେ । ଆମେ ଏହି ଦୁର୍ବିପାକରେ ଯାଇ ତାହାର ସତ ପରିଚୟ ପାଇଲୁ । ଆମକୁ କଳିଯୁଗରୁ ସତେଅବା କଣିକାଟିଏ ଆସି ପହଞ୍ଚିଗଲା ପରି ବୋଧ ହେଲା । କେଉଁଠାରେ ବିପଦ ପଡ଼ିଲେ ଯଦି ପୃଥିବୀଯାକର ଲୋକେ ହେମତ ଦେବାକୁ ଆସି ପହଞ୍ଚିଯାଉଛନ୍ତି, ତେବେ ତାକୁ ସତକୁ ସତ ସତ୍ୟଯୁଗ ନକହି ଆଉ କ’ଣ ବୋଲି କୁହାଯିବ ? ଯଦି ବିପଦରେ ଏପରି ସମସ୍ତେ ସମସ୍ତଙ୍କ ପାଇଁ ନଇଁଆସି ପାରୁଛନ୍ତି, ତେବେ ସମ୍ଭବତଃ ଅଚିରେ ଏପରି ଦିନଟିଏ ମଧ୍ୟ ଆସିବ, ଯେତେବେଳେ କି ସମ୍ପଦରେ ମଧ୍ୟ ସମଗ୍ର ପୃଥିବୀ ଏକାଠି ହୋଇ ରହିଥିବା ପରି ଦେଖାଯିବ । ଆମେ ଭାବିଲୁ ଦେଶରେ ବା ରାଜ୍ୟରେ ପାଚେରୀ ବସାଇ ଯଦି ପୃଥିବୀରେ ଏ ଅଇଁଗୁଣିଆ ସରକାରମାନେ ରହିନଥାନ୍ତେ, ତେବେ ଦୁଃଖ ଓ ସୁଖ ଉଭୟ ସମୟରେ ଆମେ ପୃଥିବୀଯାକର ମଣିଷ କେଡ଼େ ସ୍ୱାଭାବିକ ଭାବରେ ପରସ୍ପର ସହିତ ରହିଛୁ ବୋଲି ଅନୁଭବ କରିପାରନ୍ତୁ । ଭଗବାନ କରନ୍ତୁ, ଅଫିମିଆମାନଙ୍କର ସଂଖ୍ୟା ପୂରା ଊଣା ହୋଇଯାଉ, ଅଫିମଗୁଡ଼ାକୁ ପରିହାର କରି ମଣିଷ ମଣିଷ ପରସ୍ପରକୁ ଖୋଜି ବାହାରନ୍ତୁ ।

 

ବାତ୍ୟାଟା କ୍ରମେ ଏକ ପୁରୁଣା ଘଟଣାରେ ପରିଣତ ହେବାରେ ଲାଗିଛି । ଯେଉଁମାନେ ଦୁର୍ଦ୍ଦିନରେ ଆମ ପାଖକୁ ତ୍ରାଣ ସାମଗ୍ରୀ ନେଇ ଦଉଡ଼ି ଆସିଥିଲେ, ସେମାନେ ନିଜ ନିଜର ତମ୍ବୁଗୁଡ଼ିକୁ ଉଠାଇ ଆପଣାର ଥାନମାନଙ୍କୁ ବାହୁଡ଼ି ଯାଉଛନ୍ତି । ଆମ ଘରର ଭରସାଖୁଣ୍ଟଗୁଡ଼ିକ ବାତ୍ୟାରେ ବାଙ୍କି ହୋଇ ଯାଇଥିଲା । ଏହି ବନ୍ଧୁମାନେ କୁଆଡୁ କୁଆଡୁ ଆସି ଆମ ପାଖରେ ପହଂଚିଲେ, ନିଜର କାନ୍ଧ ଲଗାଇ ଖୁଣ୍ଟଗୁଡ଼ିକୁ ଠିଆ କରାଇଲେ, ଆମକୁ ଢୋକ ଆଣିଦେଲେ । ଆମପାଇଁ କେତେ ଚିନ୍ତା ବି କଲେ । ସବୁ ସାରି ନିଜ ଘରକୁ ଫେରିଗଲେ । କିନ୍ତୁ ଆମେ ଏହି ପଲ୍ଲୀକୁ ଛାଡ଼ି ଆଉ କୁଆଡ଼େ ଯିବୁ ? ମଝିରେ ମଝିରେ ପ୍ରଳୟ ପରି କିଛି ଆସିଗଲେ ଏହିଠାରୁ ହିଁ ଜୀବନ ସରିଗଲା ବୋଲି ଅବଶ୍ୟ ବୋଧହୁଏ ସତ, ମାତ୍ର ତଥାପି ଜୀବନ ସରେନାହିଁ । ପୁଣି ରାତି ପାହେ, ଅଣ୍ଟା ଭାଙ୍ଗି ତଳେ ପଡ଼ିଥିବା ଗଛଗୁଡ଼ାକର ଡାଳରେ ପୁନର୍ବାର ନୂଆପତ୍ର କଅଁଳେ । ଜମିମାନେ ପୁଣି ଲଙ୍ଗଳ ଯିବ ବୋଲି ଅପେକ୍ଷା କରିଥାନ୍ତି, ଆମ ପିଲାଏ ବି ଅପେକ୍ଷା କରିଥିବା ପରି ମନେ ହେବାକୁ ଲାଗନ୍ତି । ଆମର ଗାଆଁଟା ପୁନର୍ବାର ନିଜର ବୋଲି ଲାଗେ, ସେଇ ପୁରୁଣା ନିଜ ଗାଆଁଟା, ଆମର ପ୍ରତ୍ୟାବର୍ତ୍ତନ ଲାଗି ଅପେକ୍ଷା କରି ରହିଥାଏ । ପଣ୍ଡିତମାନେ କହୁଛନ୍ତି, ଭାରତବର୍ଷର ଇତିହାସରେ ଏହି ଗାଆଁଟା କୁଆଡ଼େ ସବୁଠାରୁ ବେଶୀ ପୁରୁଣା । ଭାରତବର୍ଷର ସଭ୍ୟତା ମୂଳତଃ ଗ୍ରାମସଭ୍ୟତା ବୋଲି ସେମାନେ କେଡ଼େ ଉତ୍ସାହ-ସଡ଼ସଡ଼ ଭାଷା ଦେଇ କହିଯାଇଛନ୍ତି । କବିମାନେ ମଧ୍ୟ ଏହି ପଲ୍ଲୀଟାକୁ ସୁଖ ଓ ଶାନ୍ତିର ଗନ୍ତାଘର ବୋଲି କହି ଛାନ୍ଦ ପକାଇ କେତେ ବାହୁନିଛନ୍ତି । ସେମାନେ ସମସ୍ତେ ସହରରେ ଥାଇ ମଧ୍ୟ ଏହି ପଲ୍ଲୀକୁ ଏପରି ଟେକିବାକୁ କାହିଁକି ମନ କରିଛନ୍ତି କେଜାଣି ? ଆମ ଗାଆଁଲୋକଙ୍କୁ ଭୂତାଇ ରଖିବାକୁ ଏସବୁର ଭିଆଣ ହୋଇଛି କି ?

 

ଭାରତବର୍ଷର ପ୍ରାଣ ଭାରତର ଗ୍ରାମ ଓ ପଲ୍ଲୀରେ ରହିଛି ବୋଲି ମହାତ୍ମା ଗାନ୍ଧୀ ଏକଦା କେତେ କେତେ ଅବସରରେ କହୁଥିଲେ । ଏହି ଗ୍ରାମଗୁଡ଼ିକର ଉନ୍ନତି ହେଲେ ଯାଇ ସମଗ୍ର ଦେଶର ଉନ୍ନତି ହେବ ବୋଲି ସେ କେତେ କେତେ ଅବସରରେ ଉଦ୍ବୋଧନ ଦେଉଥିଲେ । ସ୍ୱାଧୀନ ଭାରତବର୍ଷରେ କୁଆଡ଼େ ଗାଆଁର ଉନ୍ନତି ଅର୍ଥାତ୍ ପରିବର୍ତ୍ତନ ଉପରେ ହିଁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାନ୍ତା । ସ୍ଵାଧୀନତା ଆସିବାର ଦୀର୍ଘ ପଚାଶ ବର୍ଷ ପରେ ସେହି ଦିଗରେ ପ୍ରକୃତରେ କିଛି ଘଟିଥିବାର କାହିଁ ବିଶେଷ ପ୍ରମାଣ ମିଳିଲା ନାହିଁ ତ ? ସ୍ୱାଧୀନ ଭାରତରେ ସହର ହିଁ ଗାଁ ଉପରେ ଘୋଡ଼ା ଚଢ଼ିଲା । ବାବୁମାନେ ଅଳପ ହୋଇଥିଲେ ମଧ୍ୟ ପଲ୍ଲୀବାସୀ ଅନେକଙ୍କ ଉପରେ ଘୋଡ଼ା ଚଢ଼ିଲେ । ପାଠୁଆମାନେ ଅପାଠୁଆମାନଙ୍କ ଉପରେ ଘୋଡ଼ା ଚଢ଼ିଲେ । ଅପାଠୁଆ ଯେପରି ସବୁଦିନେ ଅପାଠୁଆ ଓ ନୁଆଁଣିଆ ହୋଇ ରହିବେ, ସେଥିଲାଗି ସତର ପ୍ରକାର ଚାତୁରୀରେ ଯୋଜନାମାନ ତିଆରି କରାଗଲା । ଧନୀ ଅଧିକ ଧନୀ ହେଲା । ଦେଶରେ ଦଲାଲମାନେ ହିଁ ଦରଦାମ୍ର ନିୟନ୍ତ୍ରଣ କଲେ ଏବଂ ରାଜନୀତିର ପାଂଚଟାଯାକ ମୁହଁ ସତେଅବା ସହରରେ ବନ୍ଧାପଡ଼ି ରହିଲା । ଚଣ୍ଡାଳ ହେଲା । ଭାରତବର୍ଷରେ ତ ଆଗରୁ ସହର ବୋଲି ସେପରି କିଛି ନଥିଲା । ତେଣୁ ଏହି ଗାଁରୁ ହିଁ ମଉକାକ୍ରମେ ଲୋକମାନେ ଯାଇ ସହରରେ ଗାଦୀ ବାନ୍ଧି ରହିଲେ । ଯେଉଁମାନେ ସହରକୁ ଗଲେ, ସେମାନେ ଆଉ ସହରରୁ ଫେରିଲେ ନାହିଁ । କ’ଣ ଫୁଲ ସୁଂଘି ସେଇଆଡ଼େ ରହିଲେ । ବଡ଼ ଚାକିରିଆଟିଏ ସେଇଠି ଘର କରି ରହିଲା । ଗାଆଁରୁ ଭୋଟ ପାଇ ନିର୍ବାଚିତ ହୋଇଥିବା ପ୍ରତିନିଧିଟା ମଧ୍ୟ ସହରରେ ଘର କରି ରହିଲା, ମ୍ଲେଚ୍ଛ ହେଲା ଏବଂ ଏହିପରି ଭାବରେ ମ୍ଲେଚ୍ଛମାନେ ହିଁ ଆମର ଏହି ଗାଆଁଗୁଡ଼ାକୁ ଶାସନ କରିବାକୁ ଲାଗିଲେ । ଗାଆଁର ସତ୍ୟାନାଶ କଲେ । ଗାଆଁର ଯାବତୀୟ ପରିମଳକୁ ପ୍ରଦୂଷଣରେ ଭର୍ତ୍ତି କରି ଦେଲେ । ଆମେ ଗାଆଁବାଲାଏ ବି ଭୁଲି ଗଲୁ । ସେହି ଚତୁରମାନଙ୍କର ଅନୁକରଣ କଲୁ । ଆମ ଗାଆଁ ଆଉ ଆମକୁ ଭଲ ଲାଗିଲା ନାହିଁ । ସହରକୁ ଗଲେ ଯାଇ ଆମର ଭାଗ୍ୟ ବୋଲି କିଛି ସମ୍ଭବ ହୋଇ ପାରିବ ବୋଲି ସେହି ଅଲକ୍ଷଣା ଭୂତଟା ଆମକୁ କ୍ରମେ ମାଡ଼ି ବସିଲା ଓ ଆମକୁ ଅଚେତା କରି ରଖିଲା । ମହାବାତ୍ୟା ପରେ ଆମେ ବର୍ତ୍ତମାନ କ’ଣ ଆମର ସେହି ପୁରୁଣା ଗାଆଁଟାକୁ ଫେରିବୁ ଓ ଆହୁରି କ’ଣ ବିପର୍ଯ୍ୟୟ ଲାଗି ଅପେକ୍ଷା କରି ରହିବୁ ?

 

ପାଠ ପଢ଼ିଥିବା ଯେଉଁ ବାବୁମାନେ ଆମକୁ ଶାସନ କଲେ, ସେମାନେ ଆମ ଭାଷାକୁ ପୋଇଲୀ କରି ଦେଖିଲେ । ସରକାରଟା ଆଉ ଗୋଟାଏ ଧୋବ ଭାଷାରେ ଚଳିଲା । ସତେଅବା ଅନ୍ଧାରଟା ହିଁ ଆମର ଭାଗ୍ୟ ଉପରେ ରଜା ହୋଇ ବସିଲା । ଆମ ପାଇଁ ଯୋଜନା ହେଲା, ଆମେ ଜାଣିଲୁ ନାହିଁ । ଆମ ରାଜ୍ୟର ରାଜା କିଏ ହେବ, ସେ କଥା ଦିଲ୍ଲୀର କେଉଁ ଷଣ୍ଡଗୁହାଳରୁ ନିରୂପିତ ହୋଇ ଆସିଲା । ସେହି କାରଣରୁ ଆମ ରଜାମାନେ ବି ଦିଲ୍ଲୀକୁ ସତେଅବା ନିଜର ଅସଲ ଶଶୁରଘର ବୋଲି ଗ୍ରହଣ କରି ନେଲେ ଏବଂ ସେମାନେ ଏକଦା ଆମରି ଏହି ଗାଆଁରେ କୋଉଠି ଜନ୍ମ ହୋଇଥିଲେ ଏବଂ ନଙ୍ଗଳା ହୋଇ ଧୂଳି ଖେଳୁଥିଲେ ବୋଲି ଭୁଲିଯିବାକୁ ହିଁ ମର୍ଯ୍ୟାଦା ବୋଲି ମନେ କଲେ । ପୂରାପୂରି ବିକି ହୋଇଗଲେ । ଏହି ଦେଶରେ ଯାବତୀୟ ଶାସନରେ ଏବଂ ଯାବତୀୟ ବିଧାନରେ ଆମ ଗାଆଁ ଗୁଡ଼ିକର ହିଁ ନ୍ୟାୟତଃ ଅଧିକ ଦାବି ରହିଥିଲେ ମଧ୍ୟ ଆମ ଅନାଡ଼ୀ ନେତା ଓ ହାକିମମାନେ ଲମ୍ପଟପଣ କରି ସେହି କଥାଟିରୁ ପୂରା ହୁରୁଡ଼ି ବାହାରିଗଲେ ଏବଂ ବିବେକ ହରାଇଲେ । ଏବଂ, ଆମ ସାହିତ୍ୟରେ କ’ଣ କମ୍ କାରସାଦି ଆସି ପଶିଲା ? ସାହିତ୍ୟିକମାନେ ନିଜକୁ କୌଣସି ଗାଆଁର ପୁଅ ବୋଲି ଅନୁଭବ ନକରି ସତେଅବା କେଉଁ ବିଦେଶୀ ବାସରଘରର ଵୃହନ୍ନଳା ପରି ଭାବିଲେ ଓ ସେଥରୁ କୁଣ୍ଢେ କୁଣ୍ଢେ ରତିସୁଖ ଲାଭ କଲେ । ଆମ ସାହିତ୍ୟରେ ଆଉ ଆମର ଅସଲ କଥାଗୁଡ଼ାକ ମୋଟେ ଲେଖା ହେଲା ନାହିଁ । ତଥାପି ସାହିତ୍ୟ ନାମରେ ଗୁଡ଼ିମାନେ ଉଡ଼ିଲେ । ଆମ ସମୀକ୍ଷାକାରମାନେ ସମୁଦ୍ରବାଲିର ବିଶାକାଠି ଧରି ଏଠି ସାହିତ୍ୟ ସାହିରେ ସଭାମାନ କଲେ ଓ ବହିମାନ ଲେଖିଲେ । ସେଇମାନେ ଭୂଇଁ ଛାଡ଼ିଥିଲେ, ତେଣୁ ଅଲିଅଳରେ ସାହିତ୍ୟକୁ ଏକ ସାରସ୍ଵତ କର୍ମ ବୋଲି କହିଲେ ।

 

ବିଗତ ପଚାଶ ବର୍ଷ ମଧ୍ୟରେ ପଲ୍ଲୀ ଉପରେ ଅବହେଳା ଏବଂ ଚରମ ଉଦାସୀନତାର ଯେଉଁସବୁ ବାତ୍ୟା ବୋହି ଯାଇଛି, ତାହା ହିଁ ପଲ୍ଲୀକୁ ଏପରି ନିଦାରୁଣ ଭାବରେ ଅଚେତା କରି ରଖିଛି । ଏଣିକି ଆମ ପଲ୍ଲୀ ତାହାର ପ୍ରତିବାଦ କରି ଶିଖିବ । ପଲ୍ଲୀର ସବୁକଥା ପଲ୍ଲୀ ହିଁ ବୁଝିବ । ପଲ୍ଲୀ ଆଉ କଦାପି ସହରର ଅଇଁଠା ପାଠକୁ ପଢ଼ିବା ଲାଗି ରାଜି ହେବ ନାହିଁ । ଧୋବ ଲୁଗା ଏବଂ ବିଦେଶୀ ଇଂରାଜୀ କଥା ଜୋତା ଫଟ୍ ଫଟ୍ କରି ଆମ ଗାଆଁକୁ ଆସିଲେ ଆମେ ଏଣିକି ସେମାନଙ୍କୁ ଗୋଡ଼ରୁ ଜୋତା ଓହ୍ଲାଇ ଆମ ପିଣ୍ଡା ଉପରକୁ ଉଠିବା ପାଇଁ ସିଧା କହି ଦେଇ ପାରିବା-। ଆମକୁ ସାଙ୍ଗରେ ବସାଇ ହିଁ ଆମର ଏହି ପଲ୍ଲୀ ବିଷୟରେ ଯାବତୀୟ କଥାର ନିଷ୍ପତ୍ତି ତଥା ନିର୍ଦ୍ଧାରଣ ହେବ । ପଲ୍ଲୀକୁ ଆହୁରି ଜ୍ଞାନ ଆସିବ, ବିଜ୍ଞାନ ଆସିବ, ପଲ୍ଲୀର ଚାଷ ଆଧୁନିକତମ ବିଜ୍ଞାନ ମୁତାବକ ହେବ । ମାତ୍ର ସେଥିଲାଗି ସହରରୁ କେଳାମାନେ ଆସି ନଳ ଯୋଖି ଗ୍ରାମର ଅସଲ ଜୀବନର ପ୍ରତିନିଧିତ୍ଵ କରୁଥିବା ଭରସାମାନଙ୍କୁ ହରଣ କରି ନେଇଯିବେ, ଆମେ ତାହା ମୋଟେ କରାଇ ଦେବୁ ନାହିଁ । ପ୍ରତିବାଦ କରିବୁ । ଆମେ ଆମ ଭାଷାରେ ହିଁ କଥା କହିବୁ । ହାକିମମାନେ ଆମ ଭାଷାରେ କୁହାଯାଉଥିବା କଥାକୁ ବୁଝିବା ନିମନ୍ତେ ସେମାନଙ୍କୁ ଆମେ ବାଧ୍ୟ କରିବୁ । ଯୁଗ ଯୁଗରୁ ଭାରତଭୂମିରେ ନାନା ଭଳି ହଟଚମଟ ଦେଖାଇ ଏବଂ ଚାରୁ ଶାସ୍ତ୍ରମାନ ବଖାଣି ସଂଖ୍ୟାଲଘୁଟା ସଂଖ୍ୟାଧିକ ଉପରେ ସବାର ହୋଇ ବସି ଆସିଛି । ସଂଖ୍ୟାଧିକ ସବୁକାଳେ ବୋକା ହୋଇ ଅନାଇଛନ୍ତି ଏବଂ ସଂଖ୍ୟାଲଘୁ ଗରିଷ୍ଠମାନେ ତାକୁ ଭଳି ଭଳି କାଇଦା ସହିତ ସର୍ବଦା ଭୋଗ କରି ଆସିଛନ୍ତି । ସ୍ୱାଧୀନ ଭାରତବର୍ଷରେ ଏହି ଅରୀତିଟା ଆଗ ବଦଳିବ ବୋଲି ଆମ ତତ୍କାଳୀନ ନେତୃବର୍ଗ ଆମକୁ କେତେ ବିଶ୍ୱାସ ଦେଇ ଅନୁକ୍ଷଣ କହିବାରେ ଲାଗିଥିଲେ । ଭାରତବର୍ଷ ସ୍ଵାଧୀନ ହେଲା ସତ, ମାତ୍ର ସେହି ଅଧର୍ମଟା ତଥାପି ବଦଳିଲା ନାହିଁ । ବରଂ ନୂଆ ନୂଆ ଅସମତା ଏବଂ ନୂଆ ନୂଆ ଦୂରତାର ହିଁ ସୃଷ୍ଟି କରାଗଲା । ଦେଶର ପଣ୍ଡିତମାନେ, ସାଧୁ ଓ ସଜ୍ଜନମାନେ ସବାଆଗ ନିଜ ମହତକୁ ଜଗି ଅଧର୍ମଟାର ପଟେ ହିଁ ରହିଲେ । ପୋଲା ପୁଣ୍ୟୋପଦେଶ ଶୁଣାଇଲେ । ଆମ ନେତାମାନେ ଜାତୀୟତାର ମିଛ ଧ୍ୱନିଗୁଡ଼ାକ ଦେଇ ଆମକୁ ଭଣ୍ଡି ଦେଲେ । ପଲ୍ଲୀ ଏହିପରି ଭାବରେ ନାରଖାର ହୋଇ ରହିଲା । ଯେଉଁମାନେ ପଲ୍ଲୀକୁ ପ୍ରକୃତ ନେତୃତ୍ଵ ଦେଇଥାନ୍ତେ, ସେମାନଙ୍କୁ ତଥାକଥିତ ସହର ଓଷଦ କରି ନେଇଗଲା ।

 

ଏବଯାଏ ଯେଉଁମାନେ ଗାଆଁ ଛାଡ଼ି ସହରକୁ ଯାଇଛନ୍ତି, ସେମାନେ ଅତ୍ୟନ୍ତ ନିବୁଜ ଏବଂ ନିର୍ମମ ଭାବରେ ସହରକୁ ଯାଇଛନ୍ତି । ଏକାନ୍ତ ବ୍ୟକ୍ତିଗତ ସିଦ୍ଧିର ଆକର୍ଷଣରେ ତେଣେ ବାହାରି ଯାଇଛନ୍ତି । ସହରରେ ଚାକିରି କରିଛନ୍ତି, ସରକାର ବନିଛନ୍ତି, କେତେଭଳି କ୍ଷମତାର ତମ୍ପସାପକୁ ବେକରେ ଲମ୍ବାଇ ଏହି ଦେଶଟାକୁ ଓ ଏହି କାଳଟାକୁ ତ୍ରିସ୍ତକାକୁସ୍ଥ କରି ରଖିଛନ୍ତି । ବାକି ଆହୁରି କେତେଜଣ ଗାଆଁରେ ଜୀବନଟିଏ ବଂଚିବାର ରାହା ନପାଇ ବିକଳିଆ ହୋଇ ପଳାଇଛନ୍ତି । ସହରରେ ଝୁମ୍ପୁଡ଼ି ବାନ୍ଧି ରହିଛନ୍ତି । ନଗଦ ପଇସା ହିଁ ସେମାନଙ୍କୁ ବାଇ କରି ସେହି ସହରର ମଇଳା ଅଂଚଳ ଗୁଡ଼ାକରେ କୁଡ଼ିଆ ଘରର ସଂସାରଟା ଭିତରେ ଅତ୍ୟନ୍ତ ଅପମାନଜନକ ଭାବରେ ବାନ୍ଧି ରଖିଛି । ଯଦି ପଲ୍ଲୀ ପ୍ରତିବାଦ କରି ଶିଖନ୍ତା, ତେବେ ଏସବୁ କଦାପି ଘଟନ୍ତା ନାହିଁ । ସହରକୁ ଅବଲମ୍ବନ କରି ଯେଉଁମାନେ ଗାଆଁରୁ ଯାଇଥିଲେ ମଧ୍ୟ ଆଉ ଗାଆଁକୁ ଫେରିଲେ ନାହିଁ, ସେମାନେ ଏଣିକି ସହରରେ ହିଁ ରହନ୍ତୁ । ସହରର ପେଟୁ ରାଜନୀତିକୁ ଆଣି ଆଉ ଆମ ଗାଆଁ ଦାଣ୍ଡଟାକୁ ମଇଳା କରିବାପାଇଁ ସେମାନେ ନିଜକୁ କଦାପି ପ୍ରଶ୍ରୟ ନ ଦିଅନ୍ତୁ । ଦେଲେ ସତ ପଲ୍ଲୀଟା ଅର୍ଥାତ୍ ଯେଉଁମାନେ ପଲ୍ଲୀ ସହିତ ହିଁ ନିଜ ଜୀବନକୁ ଗୁନ୍ଥି ସେଠାରେ ରହିଛନ୍ତି, ସେମାନେ ତାହାର ପ୍ରତିବାଦ ହିଁ କରନ୍ତୁ । ସହରରେ କୋଠା, ସହରରେ ଚାକିରି ଓ ଯାବତୀୟ ଡ଼ିଙ୍ଗରଗିରି,- ଅଥଚ ଗାଆଁରେ ତଥାକଥିତ ପୈତୃକ ସମ୍ପତ୍ତି ଉପରେ ନିଜର ଦାବି ଘୋଷଣା କରିବାର ଆଣ୍ଟ,- ଏଇଟା ରହିଥିବା ପର୍ଯ୍ୟନ୍ତ ଦେଶରେ କୃଷକର ଜୀବନରେ କଦାପି ସମ୍ପନ୍ନତା ସମ୍ଭବ ହେବନାହିଁ । ଗାଆଁରେ ମୂଲିଆ ଓ ଭାଗଚାଷୀ ମିହନ୍ତ କରି ଫସଲ ଫଳାଇବେ ଏବଂ ଜମିର ସହରୀ ମାଲିକ ସେହି ଫସଲରୁ ଭାଗ ନେବାକୁ ଆସିବେ,- ଏହାଦ୍ୱାରା ସେହି ପୁରୁଣା ବହୁ ଅସହାୟତା ହିଁ ଗାଆଁର କପାଳଲିଖନ ହୋଇ ରହିଥିବ ।

 

ସହରର ଇସ୍କୁଲ କଲେଜରେ ଶଙ୍ଖଚିଲମାନେ ବସା ବାନ୍ଧିଥିବେ ଓ ଗାଆଁର ଇସ୍କୁଲ କଲେଜମାନଙ୍କରେ ମାଟିଆଚିଲ ଉଡୁଥିବେ । ଗାଆଁରେ ତଥାକଥିତ ଡାକ୍ତରଖାନା ଥିବ, ମାତ୍ର ସେଗୁଡ଼ାକରେ ଡାକ୍ତର ନଥିବେ କି ଔଷଧ ନଥିବ । ସହରରେ ବାର ଭଳି ଆଲୁଅର ପିଚକାରୀ ମରାହୋଇ ରାତିଟା ଦିନ ବାଗିର ଦିଶୁଥିବ– ଗାଆଁ ମାସ ମାସ ଅନ୍ଧାର ହୋଇ ରହିବ,- ଏହି ସବୁକିଛିର ପ୍ରତିବାଦ ଏଣିକି ପଲ୍ଲୀ ତରଫରୁ ହେଉ । ଭଲ ପାଠ ପଢୁଥିବା ପିଲାଟି ଆଉ କେତେଦିନ ଯାଏ ସହରକୁ ପାଠ ପଢ଼ିବାକୁ ଯିବାପାଇଁ ବାଧ୍ୟ ହେଉଥିବ ? ତା’ ଗାଆଁ ହାଇସ୍କୁଲ ବା କଲେଜରେ କାହିଁକି ତା’ ଆବଶ୍ୟକତା ମେଣ୍ଟାଇ ପାରୁଥିବା ଶିକ୍ଷକମାନେ ନ ରହିବେ ? ସ୍ୱାଧୀନ ଭାରତବର୍ଷରେ ଶିକ୍ଷାର ନୂଆ ଛାଞ୍ଚଗୁଡ଼ିକୁ ନିର୍ଣ୍ଣୟ କରି ଦେବାପାଇଁ ଏକଦା ଯେଉଁ କମିଶନ ଦିଲ୍ଲୀ ତରଫରୁ ବସିଥିଲା, ନୂଆ ଭାରତର ନୂତନ ଚାହିଦା ତଥା ଆହ୍ୱାନଗୁଡ଼ିକର ପୂରଣ ନିମନ୍ତେ ଯେଉଁ ସବୁ ପରିବର୍ତ୍ତିତ ଅନ୍ଦାଜର ଶିକ୍ଷାନୁଷ୍ଠାନ ଆଗକୁ ତିଆରି ହେବ, ସେଗୁଡ଼ିକ ଗ୍ରାମାଞ୍ଚଳରେ ହେଉ ବୋଲି ସେଥିରେ ଜଣେ ସଦସ୍ୟ ସୁପାରିଶ ମଧ୍ୟ କରିଥିଲେ । ସେହି କଥାଟି ଉପରେ କେହି କର୍ଣ୍ଣପାତ ହିଁ କଲେନାହିଁ । ସହରର ହାକିମତନ୍ତ୍ରଟା ତାକୁ ସିନ୍ଦୂକ ଭିତରେ ବନ୍ଦକରି ରଖିଦେଲା । ସ୍ଵାଧୀନତା ସଂଗ୍ରାମଟି ସମୟରେ ଓଡ଼ିଶାରେ ଏକଦା ଏକ କୃଷକ ଆନ୍ଦୋଳନ ହୋଇଥିଲା । ସହରର କେତେ ନେତା ସେତେବେଳେ ଗାଆଁରେ କୃଷିଫାର୍ମ କରିବାକୁ ଆସିଥିଲେ । ସେମାନେ ପାଞ୍ଚଟା ବରଷ ବି ସେଠାରେ ରହିପାରିଲେ ନାହିଁ । ପଲ୍ଲୀକୃଷକର ଉଦୟ ଲାଗି କୌଣସି ସ୍ଥାୟୀ ସମର୍ପଣବୁଦ୍ଧିର ପ୍ରମାଣ ଦେବା ପୂର୍ବରୁ ଓ ପଲ୍ଲୀରେ ସ୍ଥାୟୀ ଅନୁରାଗର ଚାରାଟିଏ ପୋତିବା ପୂର୍ବରୁ ପ୍ରଧାନତଃ ସହରର ରାଜନୀତି ପାଲାରେ ପାଳିଆ ହେଲେ । ଗାୟକ ବି ହେଲେ, ନେତା ହେଲେ, କ୍ଷମତା ପାଇଲେ, କାଳଜୟୀ ହେଲେ । ଭାରତବର୍ଷକୁ କେତେ ଆଗେଇ ନେଲେ, ମାତ୍ର ପଲ୍ଲୀ ପ୍ରତ୍ୟାଖ୍ୟାତ ହୋଇ ରହିଲା । ଆଗକୁ ତାହାର କୌଣସି ପୁନରାବୃତ୍ତି ନହେଉ । ପଲ୍ଲୀର ନେତୃତ୍ୱ ସେହି ପଲ୍ଲୀରୁ ହିଁ ମୁକୁଳିତ ହୋଇଉଠୁ । ପ୍ରତିବାଦ କରିବାର ଶକ୍ତି ଦ୍ୱାରା ସମ୍ବଳିତ ହୋଇଉଠୁ । ଏବଂ, ସର୍ବୋପରି, ପଲ୍ଲୀ ଯେପରି ସତକୁ ସତ ସେହି ଅନ୍ୟ ଭୂମିକାଟି ଲାଗି ଯୋଗ୍ୟ ହୋଇପାରିବ, ସେଥିଲାଗି ସିଏ ନିଜକୁ ବି ଅନୁରୂପ ଭାବରେ ବଦଳାଇବାକୁ ରାଜି ହୋଇଯାଉ । ପୁରୁଣା ପଲ୍ଲୀ ସହର ପାଖରେ ମୂଳତଃ ଅନୁଗ୍ରହର ପାତ୍ର ହୋଇ ରହିଥିଲା । ସଚେତନ ପଲ୍ଲୀ ଏ ସହରଗୁଡ଼ାକୁ ମଧ୍ୟ ହୁଏତ ଯଥାର୍ଥ ହୋସକୁ ଫେରାଇ ଆଣିପାରିବ ।

Image